ହିମାଳୟ
ହିମାଳୟ ପର୍ବତଶ୍ରେଣୀ ବା ହିମାଳୟ ପର୍ବତମାଳା ବା କେବଳ ହିମାଳୟ (ଇଂରାଜୀରେ Himalayas) ଏସିଆ ମହାଦେଶର ଏକ ପର୍ବତଶ୍ରେଣୀ ଯାହା ଭାରତୀୟ ଉପମହାଦେଶ ଓ ତିବ୍ବତୀୟ ମାଳଭୂମି ମଧ୍ୟରେ ଅବସ୍ଥିତ ।
ହିମାଳୟ ପର୍ବତଶ୍ରେଣୀ | |
---|---|
Elevation | ୮୮୫୦ ମିଟର୍ |
Location | |
Coordinates | 27°59′N 86°55′E / 27.983°N 86.917°E |
ପୃଥିବୀର ଅନେକ ଉଚ୍ଚ ଗିରିଶୃଙ୍ଗ ଏହି ପର୍ବତମାଳାର ଅଂଶବିଶେଷ । ତନ୍ମଧ୍ୟରୁ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ୍ ଅନ୍ୟତମ । ହିମାଳୟ ପର୍ବତମାଳାରେ ୫୦ରୁ ଅଧିକ ପର୍ବତ ରହିଛି ଯାହାର ସମୁଦ୍ରପତନରୁ ଉଚ୍ଚତା ୭୨୦୦ ମିଟର୍ ବା ତତୋଧିକ । ୮୦୦୦ ମିଟର୍ରୁ ଉଚ୍ଚ ୧୪ଟି ଶୃଙ୍ଗ ମଧ୍ୟରୁ ୧୦ଟି ହିମାଳୟରେ ରହିଛି । ଏସିଆ ବାହାରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ ହେଉଛି ଆଣ୍ଡିଜ୍ ପର୍ବତମାଳାର ଆକାଙ୍କାଗୁଆ (୬୯୬୧ ମିଟର୍) ।[୧]
ଭାରତୀୟ ପ୍ଲେଟ୍ ସଞ୍ଚାଳିତ ହୋଇ ୟୁରେସିଆ ପ୍ଲେଟ୍ ସହିତ ଧକ୍କା ହେବା ପରେ ଦୁଇଟି ପ୍ଲେଟ୍ ଯଥାକ୍ରମେ ନିମ୍ନ ଓ ଉର୍ଦ୍ଧ୍ୱଗାମୀ ହେଲେ ଓ ସେଥିରୁ ହିମାଳୟ ସୃଷ୍ଟି ହୋଇଥିଲା । ହିମାଳୟ ପର୍ବତମାଳା ପଶ୍ଚିମ-ଉତ୍ତରପଶ୍ଚିମ ଓ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୨୪୦୦ କିଲୋମିଟର୍ ବ୍ୟାପ୍ତ ଏକ ବିଶାଳ ତୋରଣ ପରି ।[୨] ହିମାଳୟର ପଶ୍ଚିମସୀମା ହେଉଛି “ନଙ୍ଗା ପର୍ବତ”, ଯାହା ସିନ୍ଧୁ ନଦୀର ଉତ୍ତରତମ ବାଙ୍କର ଠିକ୍ ଦକ୍ଷିଣପଟକୁ ଅବସ୍ଥିତ । ହିମାଳୟର ପୂର୍ବ ସୀମା “ନାମ୍ଚା ବରୁଆ” ୟାର୍ଲୁଂ ତ୍ସାଂଗପୋ ନଦୀର (ନିଜର ଉପରମୁଣ୍ଡରେ ବ୍ରହ୍ମପୁତ୍ର ନଦୀ ଏହି ନାମରେ ଜଣାଶୁଣା) ବଡ଼ ବାଙ୍କର ଠିକ୍ ପଶ୍ଚିମ ପଟକୁ ରହିଛି । ହିମାଳୟର ଉତ୍ତର-ପୂର୍ବ ଦିଗକୁ କାରାକୋରମ୍ ଓ ହିନ୍ଦୁକୁଶ ପର୍ବତଶ୍ରେଣୀ ରହିଛନ୍ତି । ୫୦-୬୦ କିଲୋମିଟର୍ ପ୍ରସ୍ଥ ବିଶିଷ୍ଟ “ଇଣ୍ଡସ୍-ତ୍ସାଙ୍ଗପୋ ସୁଚ୍ୟର୍” ନାମକ ଟେକ୍ଟୋନିକ୍ ଉପତ୍ୟକା ହିମାଳୟର ଉତ୍ତରାଂଶକୁ ତିବ୍ବତୀୟ ମାଳଭୂମିଠାରୁ ବିଚ୍ଛିନ୍ନ କରୁଛି ।[୩] ହିମାଳୟ ବଳୟର ଦକ୍ଷିଣ ପଟକୁ ଗାଙ୍ଗେୟ ସମତଳ ଭୂମି ଅବସ୍ଥିତ ।[୪] ପଶ୍ଚିମ ପାକିସ୍ତାନରେ ହିମାଳୟ ପର୍ବତଶ୍ରେଣୀର ପ୍ରସ୍ଥ ୩୫୦ କି.ମି. ହୋଇଥିବା ବେଳେ ପୂର୍ବରେ (ଅରୁଣାଚଳ ପ୍ରଦେଶ) ଏହାର ପ୍ରସ୍ଥ ପ୍ରାୟ ୧୫୦ କି.ମି. ।[୫] ଯଦିଓ ହିମାଳୟ ଏସିଆର ଅନ୍ୟାନ୍ୟ ଉଚ୍ଚ ପର୍ବତଶ୍ରେଣୀଙ୍କଠାରୁ ପୃଥକ୍, କିନ୍ତୁ ବ୍ୟବହାରିକ ଇଂରାଜୀ ଶବ୍ଦ “ଗ୍ରେଟର୍ ହିମାଲୟା (Greater Himalaya)” କାରାକୋରମ୍ ଓ ଅନ୍ୟ କିଛି ପର୍ବତଶ୍ରେଣୀକୁ ମିଳିତ ଭାବେ ବୁଝାଇଥାଏ ।
ହିମାଳୟରେ ପ୍ରାୟ ୫୨୭ ଲକ୍ଷ ଲୋକ ବସବାସ କରନ୍ତି[୫] ଯେଉଁମାନେ ନେପାଳ, ଭାରତ, ଭୁଟାନ, ଚୀନ ଓ ପାକିସ୍ତାନ ଆଦି ଦେଶର ନାଗରିକ । ବିଶ୍ୱର କିଛି ପ୍ରମୁଖ ନଦୀ ଯଥା – ସିନ୍ଧୁ ନଦୀ, ଗଙ୍ଗା ନଦୀ, ୟାର୍ଲୁଂ-ତ୍ସାଂଗପୋ ନଦୀ (ବା ବ୍ରହ୍ମପୁତ୍ର ନଦୀ) ହିମାଳୟରୁ ବାହାରି ତଳକୁ ପ୍ରବାହିତ ହୁଅନ୍ତି ଓ ଏମାନଙ୍କ ଅବବାହିକାରେ ପାଖାପାଖି ୬୦୦ ଲକ୍ଷ ଲୋକ ବସବାସ କରନ୍ତି । ଭାରତର ଜଳବାୟୁ ଉପରେ ହିମାଳୟର ଖୁବ୍ ପ୍ରଭାବ ରହିଛି । ହିମାଳୟ ଯୋଗୁଁ ମୌସୁମୀ ବାୟୁ ଭାରତୀୟ ଉପମହାଦେଶରୁ ଖସି ତିବ୍ବତୀୟ ଉଚ୍ଚଭୂମିକୁ ଯାଇପାରେ ନାହିଁ । ପୁଣି ଭାରତୀୟ ଉପମହାଦେଶର ସଂସ୍କୃତିରେ ମଧ୍ୟ ହିମାଳୟର ଗଭୀର ଛାପ ରହିଛି ; ହିନ୍ଦୁ ଧର୍ମ ଓ ବୌଦ୍ଧ ଧର୍ମରେ ହିମାଳୟର ଶୃଙ୍ଗମାନଙ୍କୁ ପବିତ୍ର ବୋଲି କୁହାଯାଇଛି ।
ନାମକରଣ
ସମ୍ପାଦନାସଂସ୍କୃତ ଶବ୍ଦ "ହିମ" (ଅର୍ଥାତ୍ ତୁଷାର) ଓ "ଆଳୟ" (ଅର୍ଥାତ୍ ଘର)ର ସନ୍ଧି ଘଟି "ହିମାଳୟ" ଶବ୍ଦର ସୃଷ୍ଟି ।[୬] ତେବେ “ହିମର ଆଳୟ : ହିମାଳୟ”କୁ ତତ୍ପୁରୁଷ ସମାସ ବୋଲି ମଧ୍ୟ କୁହାଯାଇପାରେ । ଏମିଲି ଡିକିନ୍ସନ୍ ନିଜ କବିତାରେ ଓ ହେନେରି ଡେଭିଡ୍ ଥୋରୁ ନିଜ ପ୍ରବନ୍ଧରେ ଏହାକୁ “ହିମାଲେଃ” ବୋଲି କହିଛନ୍ତି ।[୭][୮]
ନେପାଳୀ ଓ ତିବ୍ବତୀୟ ଭାଷାରେ ମଧ୍ୟ ଏହି ପର୍ବତମାଳାକୁ “ହିମାଲୟ” ବୋଲି କୁହାଯାଏ । ଉର୍ଦ୍ଦୁରେ ଏହାକୁ “ହିମାଲେଃ” ଓ ଚୀନୀ ଭାଷାରେ “ଜିମାଲୟା” ବୋଲି ଉଚ୍ଚାରଣ କରାଯାଏ ।
ଭୌଗୋଳିକ ବିଶେଷତା
ସମ୍ପାଦନାହିମାଳୟ ବଳୟର ମଝାମଝି ନେପାଳରେ ୮୦୦୦ମି.ରୁ ଅଧିକ ଉଚ୍ଚତା ବିଶିଷ୍ଟ ଅନ୍ନପୂର୍ଣ୍ଣା ଓ ଧୌଲାଗିରି ଶୃଙ୍ଗ ରହିଛନ୍ତି ଓ ଏମାନଙ୍କୁ କାଳୀ ଗଣ୍ଡକୀ ଗଣ୍ଡ ବିଭକ୍ତ କରୁଛି । ଏହି ଗଣ୍ଡ ହିମାଳୟକୁ ଦୁଇ ଭାଗରେ (ପୂର୍ବ ଭାଗ ଓ ପଶ୍ଚିମ ଭାଗ) ବିଭକ୍ତ କରିଥାଏ । କାଳୀ ଗଣ୍ଡକୀର ଉପର ପଟକୁ ଏକ ଗିରିପଥ ରହିଛି ଯାହାର ନାମ “କୋରା ଲା” ଗିରିପଥ । ଏଭେରେଷ୍ଟ୍ ଓ କେ-୨ (କେ-ଟୁ) ମଧ୍ୟବର୍ତ୍ତୀ ଉଚ୍ଚଭୂମିର ସର୍ବନିମ୍ନ ବିନ୍ଦୁଟି ହେଉଛି କୋରା-ଲା ଗିରିପଥ । ଅନ୍ନପୂର୍ଣ୍ଣାର ପୂର୍ବକୁ ୮୦୦୦ମି.ରୁ ଅଧିକ ଉଚ୍ଚତାବିଶିଷ୍ଟ ଶୃଙ୍ଗ ହେଲା “ମନାସ୍ଲୁ” ଓ ତିବ୍ବତର “ଶୀଶାପାଙ୍ଗମା” । ଏହି ଦୁଇ ଶୃଙ୍ଗର ଦକ୍ଷିଣକୁ ନେପାଳର ରାଜଧାନୀ ଓ ହିମାଳୟରେ ଥିବା ନଗରମାନଙ୍କ ମଧ୍ୟରେ ବୃହତ୍ତମ କାଠମାଣ୍ଡୁ ଅବସ୍ଥିତ । କାଠମାଣ୍ଡୁ ଉପତ୍ୟକାର ପୂର୍ବକୁ ତିବ୍ବତରୁ ବାହାରିଥିବା ଭୋତେ ବା ସୁନ୍ କୋଶୀ ନଦୀ ପ୍ରବାହିତ ହେଉଛି ଓ ଏଠାରେ ନେପାଳ-ଚୀନକୁ ସଂଯୋଗ କରୁଥିବା ଆରାନିକୋ ରାଜପଥ (ଚୀନର ଜାତୀୟ ରାଜପଥ - ୩୧୮) ଅବସ୍ଥିତ । ସେଠାରୁ ପୂର୍ବ ଦିଗକୁ ହିମାଳୟର “ମହାଲଙ୍ଗୁର ହିମାଳ” ଅଂଶ ରହିଛି ଏବଂ ବିଶ୍ୱର ସର୍ବୋଚ୍ଚ ୬ଟି ଶୃଙ୍ଗରୁ ଚାରୋଟି ପର୍ବତ ଚୋ ଓୟୁ, ଏଭରେଷ୍ଟ, ଲୋତ୍ସେ ଓ ମକାଲୁ ଅବସ୍ଥିତ । ଏଭେରେଷ୍ଟ୍ ଯିବାବାଟରେ ଦକ୍ଷିଣ-ପଶ୍ଚିମ ପଟକୁ ଖୁମ୍ବୁ ଅଞ୍ଚଳ ରହିଛି ଯାହା ଟ୍ରେକିଂ (ପାହାଡ଼ରେ ଭ୍ରମଣ ଓ ପଦଚାରଣ) ପାଇଁ ପ୍ରସିଦ୍ଧ । ଏଠାକାର ଉତ୍ତର ପଟର ପର୍ବତର ଢାଲୁଆ ଅଂଶରେ ଅରୁଣ ନଦୀ ପ୍ରବାହିତ ଯାହା ପରେ ଦକ୍ଷିଣକୁ ବୁଲି ମକାଲୁର ପୂର୍ବ ପଟର ପାହାଡ଼ ଉପତ୍ୟକାକୁ ଅତିକ୍ରମ କରି ବହି ଯାଇଛି ।
ନେପାଳର ସୁଦୂର ପୂର୍ବରେ ହିମାଳୟ ବକ୍ଷରେ ଓ ଭାରତର ସୀମାରେ ପୃଥିବୀର ତୃତୀୟ ସର୍ବୋଚ୍ଚ ଶୃଙ୍ଗ କାଞ୍ଚନଜଙ୍ଘା ଦଣ୍ଡାୟମାନ । ୮୦୦୦ ମି.ରୁ ଉଚ୍ଚତର ଏହା ହିମାଳୟର ଶେଷ ଶୃଙ୍ଗ ଓ ଭାରତରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ । କାଞ୍ଚନଜଙ୍ଘାର ପୂର୍ବ ପଟକୁ ସିକ୍କିମ ରାଜ୍ୟ ଅବସ୍ଥିତ । ଭାରତରୁ ତିବ୍ବତର ଲାସାକୁ ଯିବା ରାସ୍ତାଟି ସିକ୍କିମ ରାଜ୍ୟ ଦେଇ ଯାଇଛି । ଏହି ରାସ୍ତାଟି ହିମାଳୟକୁ “ନାଥୁ ଲା” ଗିରିପଥଦ୍ୱାରା ଅତିକ୍ରମ କରିଛି । ସିକ୍କିମର ପୂର୍ବ ପଟକୁ ପ୍ରାଚୀନ ବୌଦ୍ଧ ରାଜ୍ୟ ଭୁଟାନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି ଆରୋହଣ କରିପାରିନଥିବା ଅନ୍ୟତମ ଉଚ୍ଚ ଶୃଙ୍ଗ ଓ ଭୁଟାନର ଉଚ୍ଚତମ ପର୍ବତଟି ହେଲା ଗଂଗଖାର ପ୍ୟୁନ୍ସୁମ୍ । ଏହି ପାଖରୁ ହିମାଳୟର ଉପତ୍ୟକାରେ ଘନଜଙ୍ଗଲ ତଥା ଅଧିକ ଗଭୀର ଢଳାଣି ଦେଖିବାକୁ ମିଳେ । ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢ଼ିଲେ ଅରୁଣାଚଳ ପ୍ରଦେଶ ଓ ତିବ୍ବତ ଅତିକ୍ରମ କରିବା ପରେ ପୂର୍ବ ପଟର ଶେଷ ଶୃଙ୍ଗ “ନାମଚେ ବରୁଆ” ରହିଛି । ୟାରଲୁଂ ତ୍ସାଂଗପୋ ନଦୀର ବିରାଟ ବାଙ୍କରେ ଏହି ଗିରିଶୃଙ୍ଗ ଅବସ୍ଥିତ । ତ୍ସାଂଗପୋର ଅପର ପାର୍ଶ୍ୱରେ “କାଂଗ୍ରି ଗାର୍ପୋ” ପର୍ବତ ରହିଛି । ତ୍ସାଂଗପୋର ଉତ୍ତର ପଟକୁ ରହିଥିବା ସମସ୍ତ ଉଚ୍ଚ ପର୍ବତ ମଧ୍ୟରେ “ଗ୍ୟାଲା ପେରି” ଅନ୍ୟତମ ଏବଂ କେହିକେହି ଏମାନଙ୍କୁ ହିମାଳୟର ଅଂଶ ବୋଲି ଗଣନା କରିଥାନ୍ତି ।
ଧୌଲାଗିରି (ଧବଳଗିରି)ର ପଶ୍ଚିମକୁ ଗଲେ ପଶ୍ଚିମ-ନେପାଳରେ କୌଣସି ମହତ୍ତ୍ୱପୂର୍ଣ୍ଣ ପର୍ବତ ନାହିଁ କିନ୍ତୁ ନେପାଳର ବୃହତ୍ତମ ହ୍ରଦ ରାରା ହ୍ରଦ ଏହି ଅଞ୍ଚଳରେ ରହିଛି । ତିବ୍ବତରୁ ବାହାରିଥିବା କର୍ଣ୍ଣାଳୀ ନଦୀ ଏହି ଅଞ୍ଚଳ ଦେଇ ପ୍ରବାହିତ ହୋଇଛି । ଆଉ ପଶ୍ଚିମକୁ ଭାରତୀୟ ସୀମା ନିକଟରେ ସାରଦା ନଦୀ ପ୍ରବାହିତ ହେଉଛି । ଏଠାରେ ଚୀନକୁ ସଂଯୋଗ କରୁଥିବା ବାଣିଜ୍ୟ ପଥ ଓ ତିବ୍ବତୀୟ ଉଚ୍ଚଭୂମିର ଏକ ମୁଖ୍ୟ ଶୃଙ୍ଗ “ଗୁର୍ଲା ମାନ୍ଧାତା” ମଧ୍ୟ ରହିଛି । ମାନସରୋବର ହ୍ରଦର ଅପର ପାର୍ଶ୍ୱରେ କୈଳାସ ପର୍ବତ ରହିଛି । କୈଳାସ ପର୍ବତ ହିମାଳୟର ଅନେକ ମୁଖ୍ୟ ନଦୀର ଉତ୍ସ । ହିନ୍ଦୁ, ବୌଦ୍ଧ, ସୁଫି, ଜୈନ ଓ ବୋନ୍ପୋ ଧର୍ମରେ କୈଳାସ ପର୍ବତକୁ ଅତି ପବିତ୍ର ବୋଲି ପୂଜା କରାଯାଏ । ଭାରତର ନୂତନ ରାଜ୍ୟ ଉତ୍ତରାଖଣ୍ଡରେ ଥିବା ହିମାଳୟର ଅଂଶକୁ ଗଡ଼ୱାଲ ହିମାଳୟ ବୋଲି କୁହାଯାଏ । ଏହି ଅଂଶର ସର୍ବୋଚ୍ଚ ଶୃଙ୍ଗଗୁଡ଼ିକ ହେଲେ ନନ୍ଦାଦେବୀ ଓ କାମେତ୍ । ବଦ୍ରିନାଥ ମନ୍ଦିର, କେଦାରନାଥ ମନ୍ଦିର, ଗଙ୍ଗା ଓ ଯମୁନା ନଦୀର ଉତ୍ସ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ରହିଥିବାରୁ ତୀର୍ଥଯାତ୍ରୀଙ୍କ ପାଇଁ ଉତ୍ତରାଖଣ୍ଡ ଏକ ମୁଖ୍ୟ ଆକର୍ଷଣ ।
ସେଠାରୁ ପଶ୍ଚିମକୁ ହିମାଚଳ ପ୍ରଦେଶ ରାଜ୍ୟ ଅବସ୍ଥିତ ଓ ବ୍ରିଟିଶ୍ ଶାସନ ସମୟରେ ଗ୍ରୀଷ୍ମକାଳର ରାଜଧାନୀ ବୋଲାଉଥିବା ଶୈଳନିବାସ ଶିମଳା ରହିଛି । ତିବ୍ବତରୁ ନିର୍ବାସିତ ଗୋଷ୍ଠୀଙ୍କ ମୁଖ୍ୟ ସ୍ଥଳ ଧର୍ମଶାଳା ସହର ମଧ୍ୟ ଏଠାରେ ରହିଛି । ଏଠାରୁ ପଶ୍ଚିମ ଭାଗକୁ ପଞ୍ଜାବ ହିମାଳୟ କୁହନ୍ତି ଓ ସିନ୍ଧୁ ନଦୀର ଏକ ମୁଖ୍ୟ ଉପନଦୀ ଶତଦ୍ରୁ (ଶତଲେଜ୍) ଏହି ଅଂଶକୁ ବିଖଣ୍ଡିତ କରି ପ୍ରବାହିତ ହେଉଛି । ସେଠାରୁ ପଶ୍ଚିମକୁ ହିମାଳୟ ଜମ୍ମୁ ଓ କାଶ୍ମୀର ରାଜ୍ୟର ଦକ୍ଷିଣାଂଶ ଦେଇ ଯାଇଛି । ଏହି ଅଂଶରେ ଥିବା ଯାଆଁଳା ଶୃଙ୍ଗ “ନୁନ୍ କୁନ୍” ୭୦୦୦ ମିଟର୍ରୁ ଅଧିକ ଉଚ୍ଚ । ତାହା ପରେ ପ୍ରସିଦ୍ଧ କାଶ୍ମୀର ଉପତ୍ୟକା ଏବଂ ଶ୍ରୀନଗରର ହ୍ରଦମାନ ଅବସ୍ଥିତ । ଏହାପରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ହିମାଳୟ ପାକିସ୍ତାନରେ ପ୍ରବେଶ କରିଛି । ପଶ୍ଚିମତମ ଶୃଙ୍ଗ “ନଙ୍ଗା ପର୍ବତ” ୮୦୦୦ ମି.ରୁ ଅଧିକ ଉଚ୍ଚ ଓ ସିନ୍ଧୁ ନଦୀର ଉପତ୍ୟକାରୁ ହଠାତ୍ ୭୦୦୦ମି.ରୁ ଉଚ୍ଚ ଉଠିଛି ।
ଭୂବୈଜ୍ଞାନିକ ତଥ୍ୟ
ସମ୍ପାଦନାବୟସ ଦେଖିଲେ ହିମାଳୟ ବିଶ୍ୱର ନୂତନତମ ପର୍ବତମାଳାମାନଙ୍କ ମଧ୍ୟରେ ପରିଗଣିତ ହୋଇଥାଏ । ଆଧୁନିକ ପ୍ଲେଟ୍ ତଥ୍ୟ ଅନୁସାରେ ୟୁରେସୀୟ ଓ ଭାରତ-ଅଷ୍ଟ୍ରେଲୀୟ ପ୍ଲେଟ୍ର ଧକ୍କା ଫଳରେ ଉଭୟଙ୍କ ସୀମା ନିକଟରେ ଭୂପୃଷ୍ଠ ଉପରକୁ ଉଠି ହିମାଳୟ ସୃଷ୍ଟି ହୋଇଛି । ବ୍ରହ୍ମଦେଶର ଆରାକାନ୍ ୟୋମା ଉଚ୍ଚଭୂମି ଓ ବଙ୍ଗୋପସାଗରରେସ୍ଥିତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ମଧ୍ୟ ଏହି ମହାଦେଶୀୟ ସଞ୍ଚାଳନ ଯୋଗୁଁ ସୃଷ୍ଟି ହୋଇଛନ୍ତି ।
ପ୍ରାୟ ୭୦୦ ଲକ୍ଷ ବର୍ଷ ପୂର୍ବେ ପର-କ୍ରିଟେସିୟସ୍ କାଳରେ ଉତ୍ତରକୁ ଗତି କରୁଥିବା ଭାରତ-ଅଷ୍ଟ୍ରେଲୀୟ ପ୍ଲେଟ୍ ବାର୍ଷିକ ୧୫ ସେଣ୍ଟିମିଟର୍ ଆଗକୁ ବଢ଼ୁଥିଲା ଓ ପରେ ବିଭକ୍ତ ହୋଇ ଭାରତୀୟ ପ୍ଲେଟ୍ ଓ ଅଷ୍ଟ୍ରେଲୀୟ ପ୍ଲେଟ୍ ସୃଷ୍ଟି ହେଲା ।[୧୦] ୫୦୦ ଲକ୍ଷ ବର୍ଷ ପୂର୍ବେ ଏହି ଭାରତ-ଅଷ୍ଟ୍ରେଲୀୟ ପ୍ଲେଟ୍ର ଗତି ଯୋଗୁଁ ଟିଥାଇସ୍ ମହାସାଗରର ବିଲୋପ ଘଟିଲା । ଏହାର ପ୍ରମାଣ ମହାସାଗର ଗର୍ଭରେ ଥିବା ପ୍ରସ୍ତରରୁ ମିଳେ । ଧକ୍କା ଖାଉଥିବା ଉଭୟ ପ୍ଲେଟ୍ର ଧାର ନିମ୍ନ ସାନ୍ଦ୍ରତା ବିଶିଷ୍ଟ ହୋଇଥିବାରୁ ଧକ୍କା ପରେ ମହାସାଗରୀୟ ଖାଇ ସୃଷ୍ଟି ହେବା ପରିବର୍ତ୍ତେ, ସେମାନେ ସ୍ତରୀଭୂତ ହୋଇ ପର୍ବତ ଆକାର ଧାରଣ କରିଥିଲା ।[୯] ଏଭେରେଷ୍ଟ ଶୃଙ୍ଗର ଗଠନରେ ପ୍ରାଚୀନ ମହାସାଗରର ସାମୁଦ୍ରିକ ଚୂନପଥର ଏକ ଉପାଦାନ ହୋଇଥିବାର ଯୁକ୍ତି ଏହି ପ୍ରକ୍ରିୟା ଘଟିଥିବାର ପ୍ରମାଣ ଦିଏ ।[୧୧]
ବର୍ତ୍ତମାନ ସୁଦ୍ଧା ଭାରତୀୟ ପ୍ଲେଟ୍ ତିବ୍ବତୀୟ ଉଚ୍ଚଭୂମିକୁ ଧକ୍କା ଦେଉଛି ଏବଂ ଫଳରେ ତିବ୍ବତୀୟ ଉଚ୍ଚଭୂମିର ସମୁଦ୍ରପତନରୁ ଉଚ୍ଚତା ପ୍ରତିବର୍ଷ ବଢ଼ୁଛି ।[୧୨] ବର୍ତ୍ତମାନ ସମୟରେ ଭାରତୀୟ ପ୍ଲେଟ୍ର ବେଗ ହେଲା ବର୍ଷକୁ ୬୭ ମିଲିମିଟର୍ ଓ ଏହି ବେଗରେ ବଢ଼ିଲେ ଆଗାମୀ ୧ କୋଟି ବର୍ଷରେ ଏହା ଏସିଆ ଭୂଖଣ୍ଡର ୧୫୦୦ କି.ମି. ଭିତରକୁ ପଶିଯିବ । ହିମାଳୟ ପର୍ବତଶ୍ରେଣୀ ପ୍ରତିବର୍ଷ ଏହି ସଞ୍ଚାଳନରୁ ୨୦ ମି.ମି. ଧକ୍କା ଗ୍ରହଣ କରିନେଇଥାଏ । ଏହି କାରଣରୁ ହିମାଳୟର ଉଚ୍ଚତା ପ୍ରତିବର୍ଷ ୫ ମି.ମି. ବଢ଼ୁଥାଏ ଓ ଭୂବିଜ୍ଞାନ ଦୃଷ୍ଟିକୋଣରୁ ହିମାଳୟ ଅତ୍ୟନ୍ତ ସକ୍ରିୟ । ଏହି ସଞ୍ଚାଳନ ଯୋଗୁଁ ହିମାଳୟ ଅଞ୍ଚଳରେ ପ୍ରତିବର୍ଷ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଥାଏ ।
ହିମଯୁଗରେ କାଞ୍ଚନଜଙ୍ଘା ଓ ନଙ୍ଗା ପର୍ବତ ମଧ୍ୟରେ ଏକ ଗ୍ଲେସିଅର୍ ସଂଯୋଗ ରହିଥିଲା ।[୧୩][୧୪] ପଶ୍ଚିମରେ ଏହି ଗ୍ଲେସିଅର୍ କାରାକୋରମ୍ ପର୍ବତଶ୍ରେଣୀ ଓ ଉତ୍ତରରେ ତିବ୍ବତୀୟ ବରଫାବୃତ ଅଞ୍ଚଳ ପର୍ଯ୍ୟନ୍ତ ସଂଯୁକ୍ତ ଥିଲା । ଦକ୍ଷିଣକୁ ୧୦୦୦-୨୦୦୦ମି. ଉଚ୍ଚତାରୁ ଉପରକୁ ଏହି ଗ୍ଲେସିଅର୍ ରହିଥିଲା ଓ ତଳ ପଟକୁ ଏହାର ସତ୍ତା କ୍ଷୀଣ ହୋଇ ଆସିଥିଲା ।[୧୩][୧୫] ଏବେ ହିମାଳୟର କିଛି ଗ୍ଲେସିଅର୍ ୨୦ରୁ ୩୨ କି.ମି. ବ୍ୟାପ୍ତ ଥିବା ବେଳେ ହିମଯୁଗରେ ଅନେକ ଗ୍ଲେସିଅର୍ ୬୦ରୁ ୧୧୨ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ ଥିଲେ ।[୧୩] ସେତେବେଳର ହାରାହାରି ତାପମାତ୍ରା ଏବେଠାରୁ ଅତି କମରେ ୭-୮.୩° ସେଲ୍ସିୟସ୍ କମ୍ ଥିଲା ।[୧୬]
ଜଳ ସମ୍ପଦ
ସମ୍ପାଦନାଅନେକ ନଦୀ ହିମାଳୟକୁ ସ୍ଥାନେ ସ୍ଥାନେ ବିଶେଷ କରି ପୂର୍ବ ପାର୍ଶ୍ୱରେ ବିଖଣ୍ଡିତ କରି ବହି ଯାଇଛନ୍ତି । ହିମାଳୟର ନଦୀଗୁଡ଼ିକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରିହେବ ।
- ପଶ୍ଚିମ ପଟର ନଦୀଗୁଡ଼ିକ ମୁଖ୍ୟତଃ ସିନ୍ଧୁ ନଦୀ ଅବବାହିକାକୁ ଜଳ ନିଷ୍କାସନ କରନ୍ତି । ସିନ୍ଧୁ ନଦୀ ହିମାଳୟର ଉତ୍ତର-ପଶ୍ଚିମ ସୀମା ନିର୍ଦ୍ଧାରଣ କରିଥାଏ । ଏହା ତିବ୍ବତରେ ସୃଷ୍ଟି ହୋଇ ଭାରତ ଓ ପାକିସ୍ତାନ ମଧ୍ୟଦେଇ ପ୍ରବାହିତ ହେବା ପରେ ଆରବ ସାଗରରେ ପ୍ରବେଶ କରେ । ହିମାଳୟର ଦକ୍ଷିଣକୁ ପଞ୍ଜାବର ପାଞ୍ଚଟି ଉପନଦୀ ଝେଲମ୍, ଚେନାବ୍, ରାବି, ବେଆସ୍ ଓ ଶତଲେଜ୍ ସିନ୍ଧୁ ନଦୀକୁ ନିଷ୍କାସିତ ହୁଅନ୍ତି ।
- ପୂର୍ବ ପଟର ନଦୀଗୁଡ଼ିକ ଗଙ୍ଗା-ବ୍ରହ୍ମପୁତ୍ର ଅବବାହିକାକୁ ଜଳ ନିଷ୍କାସନ କରିଥାନ୍ତି । ଗଙ୍ଗା, ବ୍ରହ୍ମପୁତ୍ର, ଯମୁନା ଓ ଏମାନଙ୍କ ବହୁ ଉପନଦୀ ଏହି ଶ୍ରେଣୀର ମୁଖ୍ୟ ନଦୀ । ବ୍ରହ୍ମପୁତ୍ର ତିବ୍ବତରେ ୟାରଲୁଂ-ତ୍ସାଂଗପୋ ନାମରେ ପ୍ରବାହିତ ହୁଏ ଓ ପରେ ଆସାମ ରାଜ୍ୟ ଦେଇ ପ୍ରବାହିତ ହୁଏ । ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀ ବଙ୍ଗଳାଦେଶରେ ମିଳିତ ହେବା ପରେ ବିଶ୍ୱର ସର୍ବବୃହତ୍ ତ୍ରିକୋଣଭୂମି (ସୁନ୍ଦରବନ) ସୃଷ୍ଟି କରି ବଙ୍ଗୋପସାଗରରେ ନିଷ୍କାସିତ ହୋଇଥାନ୍ତି ।[୧୭]
ଗ୍ୟାଲା ପେରି ଓ ୟାରଲୁଂ ତ୍ସାଂଗପୋର ଉତ୍ତରକୁ ରହିଥିବା ପର୍ବତମାନଙ୍କରେ ପ୍ରବାହିତ ସ୍ରୋତଗୁଡ଼ିକ ଈରାବତୀ ନଦୀରେ ମିଳିତ ହୋଇଥାନ୍ତି । ଈରାବତୀ ନଦୀ ତିବ୍ବତରୁ ବାହାରି ବ୍ରହ୍ମଦେଶ ମଧ୍ୟ ଦେଇ ପ୍ରବାହିତ ହୁଏ ଓ ଆଣ୍ଡାମାନ ସାଗରରେ ମିଳିତ ହୁଏ । ତିବ୍ବତୀୟ ମାଳଭୂମିରୁ ବାହାରୁଥିବା ସାଲୱିନ୍, ମେକଂ, ୟାଂଗଜେ ଓ ପୀତ ନଦୀ ହିମାଳୟ ବ୍ୟବସ୍ଥାର ନଦୀ ରୂପେ ପରିଗଣିତ ହୁଅନ୍ତି ନାହିଁ । କିଛି ଭୂବିଜ୍ଞାନବିତ୍ ଏମାନଙ୍କୁ ପରି-ହିମାଳୟ ନଦୀ (circum-Himalayan rivers) ବୋଲି କୁହନ୍ତି ।[୧୮]
ଗ୍ଲେସିଅର୍ (ତୁଷାର ସ୍ରୋତ)
ସମ୍ପାଦନାହିମାଳୟକୁ ମିଶାଇ କେନ୍ଦ୍ରୀୟ ଏସିଆର ପର୍ବତଶ୍ରେଣୀମାନଙ୍କରେ ପୃଥିବୀର ତୃତୀୟ ସର୍ବାଧିକ ବରଫ ଓ ତୁଷାର ଦେଖିବାକୁ ମିଳେ । ଏହି ତାଲିକାରେ ପ୍ରଥମ ଦୁଇଟି ସ୍ଥାନ ଆଣ୍ଟାର୍କଟିକା (କୁମେରୁ) ଓ ସୁମେରୁ ଅକ୍ତିଆର କରିଛନ୍ତି ।[୧୯] ହିମାଳୟ ପର୍ବତମାଳାରେ ୧୫୦୦୦ଟି ଗ୍ଲେସିଅର୍ ରହିଛନ୍ତି ଓ ଏହି ଗ୍ଲେସିଅର୍ମାନଙ୍କର ମଧୁର ଜଳର ଘନତା ୧୨୦୦୦ ବର୍ଗ କିଲୋମିଟର୍ ।[୨୦] ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ, ଏଭେରେଷ୍ଟର ଖୁମ୍ବୁ ଗ୍ଲେସିଅର୍, ଲାଂଗ୍ତାଂଗ୍ର ଲାଂଗ୍ତାଂଗ୍ ଗ୍ଲେସିଅର୍ ଏବଂ ସିକ୍କିମର ଜେମୁ ଗ୍ଲେସିଅର୍ମାନଙ୍କ ମଧ୍ୟରେ ଉଲ୍ଲେଖନୀୟ ।
ହିମାଳୟର ଅକ୍ଷାଂଶ କର୍କଟ କ୍ରାନ୍ତିର ନିକଟବର୍ତ୍ତୀ ହୋଇଥିବା ଯୋଗୁଁ ଏହାର ବରଫ ଓ ତୁଷାର ପରିମାଣ ସାମାନ୍ୟ ଅଧିକ ।[୨୧] ନିଉ ଗିନିଆ, ରେଞ୍ଜୋରିସ୍ ଓ କଲୋମ୍ବିଆ ବିଷୁବ ରେଖା ନିକଟବର୍ତ୍ତୀ ହୋଇଥିବାରୁ ଏଠାରେ ଅପେକ୍ଷାକୃତ କମ୍ ତୁଷାର ଗଚ୍ଛିତ ରହିପାରେ ।[୨୨] ହିମାଳୟର ଅତ୍ୟୁଚ୍ଚ ଶିଖରଗୁଡ଼ିକ ବର୍ଷ ତମାମ ବରଫାବୃତ ରହନ୍ତି ଓ ବିଭିନ୍ନ ଚିରସ୍ରୋତା ନଦୀର ଉତ୍ସର ଭୂମିକା ଗ୍ରହଣ କରିଥାନ୍ତି ।
ବିଶ୍ୱତାପନ ଯୋଗୁଁ ବର୍ତ୍ତମାନ ସମୟରେ ଗ୍ଲେସିଅର୍ଗୁଡ଼ିକ କମିବାରେ ଲାଗିଛି ।[୨୩] ଉଦାହରଣ ସ୍ୱରୂପ ଭୁଟାନରେ ଅନେକ ତୁଷାର ସ୍ରୋତରୁ ଉତ୍ପନ୍ନ ହ୍ରଦ ଦେଖିବାକୁ ମିଳୁଛି । ଯଦିଓ ନିକଟ ଭବିଷ୍ୟତରେ ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ, ପରେ ଏହା ଶୁଷ୍କ ଋତୁରେ ପାଣିର ସମସ୍ୟା ସୃଷ୍ଟି କରିବ ।[୨୪]
ହ୍ରଦ
ସମ୍ପାଦନାହିମାଳୟ ସାରା ବହୁତ ଗୁଡ଼ିଏ ହ୍ରଦ ରହିଛି । ଆକାରରେ ବଡ଼ ହ୍ରଦମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର ପଟକୁ ରହିଛନ୍ତି । ଏହି ହ୍ରଦମାନଙ୍କ ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ହେଉଛି କୈଳାସ ପର୍ବତ ନିକଟରେ ରହିଥିବା ପବିତ୍ର ମାନସରୋବର ହ୍ରଦ (କ୍ଷେତ୍ରଫଳ – ୪୧୦ ବର୍ଗ କିଲୋମିଟର୍ ଓ ସମୁଦ୍ରପତନରୁ ଉଚ୍ଚତା ୪୫୯୦ ମିଟର୍) । ନିକଟରେ ଥିବା ରାକ୍ଷସତାଲ୍ ହ୍ରଦକୁ (କ୍ଷେତ୍ରଫଳ ୨୫୦ ବର୍ଗ କିଲୋମିଟର୍, ସମୁଦ୍ରପତନରୁ ଉଚ୍ଚତା ୪୫୭୫ ମିଟର୍ରୁ କମ୍) ମାନସରୋବରରୁ ପାଣି ପ୍ରବାହିତ ହୁଏ । ପାଂଗୋଂଗ୍ ତ୍ସୋ ହ୍ରଦ (କ୍ଷେତ୍ରଫଳ ୭୦୦ ବର୍ଗ କିଲୋମିଟର୍) ଭାରତ ଓ ଚୀନର ଅନ୍ତର୍ଜାତୀୟ ସୀମାକୁ ବ୍ୟାପି ରହିଛି । ଦକ୍ଷିଣ ତିବ୍ବତରେ ୟମଦ୍ରୋକ୍ ତ୍ସୋ (କ୍ଷେତ୍ରଫଳ ୬୩୮ ବର୍ଗ କିଲୋମିଟର୍) ନାମକ ହ୍ରଦ ରହିଛି । ପୁମା ୟୁମକୋ ହ୍ରଦ ନାମକ ଆଉ ଏକ ବଡ଼ ହ୍ରଦ ୫୦୩୦ ମିଟର୍ ଉଚ୍ଚତାରେ ରହିଛି ।
ପର୍ବତଶ୍ରେଣୀର ଦକ୍ଷିଣ ପଟକୁ ରହିଥିବା ହ୍ରଦଗୁଡ଼ିକ ଆକାରରେ କ୍ଷୁଦ୍ରତର । ନେପାଳର ଅନ୍ନପୂର୍ଣ୍ଣା ପର୍ବତ ନିକଟରେ ଥିବା ତିଲିଚୋ ହ୍ରଦ ପୃଥିବୀର ଉଚ୍ଚତମ ହ୍ରଦମାନଙ୍କ ମଧ୍ୟରେ ଗଣା । ଅନ୍ୟ କିଛି ଉଲ୍ଲେଖଯୋଗ୍ୟ ହ୍ରଦ ହେଲେ – ପଶ୍ଚିମ ନେପାଳର ରାରା ହ୍ରଦ, ନେପାଳର ଶେ ଫୋକ୍ସୁଂଦୋ ଜାତୀୟ ଉଦ୍ୟାନରେ ରହିଥିବା ଶେ ଫୋକ୍ସୁଂଦୋ ହ୍ରଦ, ଉତ୍ତର ସିକ୍କିମରେ ଥିବା ଗୁରୁଡୋଂଗମାର ହ୍ରଦ, ନେପାଳର ସୋଲୁଖୁମ୍ବୁ ଜିଲ୍ଲାରେ ଥିବା ଗୋକ୍ୟୋ ହ୍ରଦ, ଭାରତ-ଚୀନ ସୀମା ନିକଟରେ ରହିଥିବା ସିକ୍କିମର ତ୍ସୋଂଗମୋ ହ୍ରଦ ।
କିଛି ହ୍ରଦ ଗ୍ଲେସିଅର୍ ଯୋଗୁଁ ସୃଷ୍ଟ ହୋଇଥିବାରୁ ଏମାନଙ୍କଠାରୁ ବିପଦର ସମ୍ଭାବନା ରହିଛି । ନେପାଳର ରୋୱାଲିଂ ଉପତ୍ୟକାର ତ୍ସୋ ରୋଲ୍ପା ଏକ ଅତି ବିପଦପୂର୍ଣ୍ଣ ହ୍ରଦ ଯାହା ଭବିଷ୍ୟତରେ ବନ୍ୟା ସମ୍ଭାବନା ସୃଷ୍ଟି କରିପାରେ । ଗ୍ଲେସିଅର୍ ତରଳୁଥିବାରୁ ୪୫୮୦ ମିଟର୍ ଉଚ୍ଚତାରେ ଥିବା ଏହି ହ୍ରଦର କ୍ଷେତ୍ରଫଳ ଗତ ୫୦ ବର୍ଷ ହେଲା କ୍ରମାଗତ ବଢ଼ିଚାଲିଛି । [୨୫][୨୬] ଗ୍ଲେସିଅର୍ ଯୋଗୁଁ ପାର୍ବତୀୟ ହ୍ରଦ ସୃଷ୍ଟି ହେଲେ ସେମାନଙ୍କୁ “ଟାର୍ଣ୍ଣ୍” ବୋଲି କୁହାଯାଏ । ହିମାଳୟର ଉଚ୍ଚ ଅଂଶରେ (ସମୁଦ୍ରପତନରୁ ୫୫୦୦ ମିଟର୍ରୁ ଅଧିକ ଉଚ୍ଚରେ) ଏହି ଟାର୍ଣ୍ଣ୍ ସବୁ ରହିଥାଏ ।[୨୭]
ଜଳବାୟୁ ଓ ପାଣିପାଗ
ସମ୍ପାଦନାପରିବ୍ୟାପ୍ତ, ଉଚ୍ଚ ଓ ଜଟିଳ ଭୂଗଠନ ଯୋଗୁଁ ହିମାଳୟର ବିଭିନ୍ନ ଅଂଶରେ ଭିନ୍ନ ଜଳବାୟୁ ଅନୁଭୂତ ହୋଇଥାଏ । ନିମ୍ନ ଦେଶରେ ଆର୍ଦ୍ର ଉପକ୍ରାନ୍ତୀୟ ଓ ତିବ୍ବତ ପଟେ ଶୁଷ୍କ ଶୀତଳ ମରୁଭୂମି ଦେଖିବାକୁ ମିଳେ । ପଶ୍ଚିମାଂଶକୁ ଛାଡ଼ିଦେଲେ ହିମାଳୟ ପର୍ବତମାଳାର ଦକ୍ଷିଣ ପଟର ଭୂଭାଗ ମୌସୁମୀ ପ୍ରବାହର ବଳୟରେ ଆସେ । ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଯୋଗୁଁ ଏଠାରେ ଜୁନ୍ ମାସରୁ ନେଇ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥାଏ । ହିମାଳୟରେ ବର୍ଷ ଯୋଗୁଁ ଗମନାଗମନ ଓ ପରିବହନ ବାଧାପ୍ରାପ୍ତ ହୋଇଥାଏ ଓ ସ୍ଥାନେ ସ୍ଥାନେ ଅତଡ଼ା ଧସିଯାଏ । ତେଣୁ ମୌସୁମୀ ସମୟରେ (ଅପ୍ରେଲ୍-ମଇରୁ ସେପ୍ଟେମ୍ବର-ଅକ୍ଟୋବର ପର୍ଯ୍ୟନ୍ତ) ପର୍ଯ୍ୟଟନ, ପର୍ବତାରୋହଣ, ଟ୍ରେକିଂ ଇତ୍ୟାଦି କାର୍ଯ୍ୟକଳାପ ବାଧାପ୍ରାପ୍ତ ହୁଏ । ନେପାଳ ଓ ସିକ୍କିମର ଲୋକେ ୫ଟି ଋତୁ ଥିବା ବିଶ୍ୱାସ କରନ୍ତି – ଗ୍ରୀଷ୍ମ, ବର୍ଷା, ଶରତ, ଶୀତ ଓ ବସନ୍ତ ।
କୋପ୍ପେନ୍ ଜଳବାୟୁ ବର୍ଗୀକରଣ ଅନୁସାରେ ହିମାଳୟର ନିମ୍ନ ଓ ମଧ୍ୟ ଦେଶରେ ଆର୍ଦ୍ର ଉପକ୍ରାନ୍ତୀୟ ଜଳବାୟୁ ଓ ଶୀତ ଦିନରେ ଶୁଷ୍କ ଜଳବାୟୁ ଅନୁଭୂତ ହୁଏ । ଉଚ୍ଚ ଦେଶରେ ଉପକ୍ରାନ୍ତୀୟ ଉଚ୍ଚଭୂମି ଜଳବାୟୁ ଅନୁଭୂତ ହୋଇଥାଏ ।
ପଶ୍ଚିମ ପାର୍ଶ୍ୱର ସିନ୍ଧୁ ଓ କାଶ୍ମୀର ଉପତ୍ୟକାରେ ମୌସୁମୀ ପ୍ରବାହ ଯୋଗୁଁ ଅଧିକ ବୃଷ୍ଟିପାତ ହୋଇନଥାଏ ବରଂ ବସନ୍ତ ସମୟରେ ଅଧିକ ବର୍ଷା ହୋଇଥାଏ । ଶ୍ରୀନଗରରେ ୭୨୩ ମି.ମି. ବୃଷ୍ଟିପାତ ହୁଏ, ଯାହା ଶିମଳା ଓ କାଠମାଣ୍ଡୁର ବୃଷ୍ଟିପାତର ପ୍ରାୟ ଅଧା ଭାଗ ମାତ୍ର ଓ ମାର୍ଚ୍ଚ୍-ଅପ୍ରେଲ୍ ମାସରେ ଶ୍ରୀନଗରରେ ସର୍ବାଧିକ ବର୍ଷା ହୋଇଥାଏ ।
ଉତ୍ତର ପଟର ତିବ୍ବତୀୟ ହିମାଳୟ ଶୁଷ୍କ ଶୀତଳ ମରୁ ଅଞ୍ଚଳ ଓ ଏହାର ପଶ୍ଚିମାଂଶରେ ବାୟୁ ପ୍ରବାହର ମାତ୍ରା ଅଧିକ । ଏଠାରେ ସବୁଜିମାର ଅଭାବ ଦେଖାଯାଏ ଓ ଶୀତ ଦିନେ ଅସହ୍ୟ ଥଣ୍ଡା ହୁଏ । ଶୀତ ଋତୁର ଶେଷ ଓ ବସନ୍ତ ଋତୁରେ ଏଠାରେ ତୁଷାରପାତ ରୂପେ ବର୍ଷା ହୁଏ ।
ଭାରତୀୟ ଉପମହାଦେଶ ଓ ତିବ୍ବତୀୟ ମାଳଭୂମିର ଜଳବାୟୁ ଉପରେ ହିମାଳୟର ଗଭୀର ପ୍ରଭାବ ରହିଛି । ହିମାଳୟ ଯୋଗୁଁ ଦକ୍ଷିଣମୁଖୀ ଶୀତଲହରି ଭାରତୀୟ ଉପମହାଦେଶରେ ପ୍ରବେଶ କରିପାରେ ନାହିଁ, ତେଣୁ ଦକ୍ଷିଣ ଏସିଆର ଜଳବାୟୁକୁ ଉଷ୍ମ ରଖିବାରେ ସହାୟକ ହୁଏ । ପୁଣି ହିମାଳୟ ଯୋଗୁଁ ଉତ୍ତରମୁଖୀ ମୌସୁମୀ ପ୍ରବାହ ଭାରତ ବାହାରକୁ ଯାଇପାରେ ନାହିଁ । ହିମାଳୟ ଯୋଗୁଁ କେନ୍ଦ୍ରୀୟ ଏସିଆରେ ତାକ୍ଲାମାକାନ୍ ଓ ଗୋବି ମରୁଭୂମି ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ ।[୨୮]
ଜୀବମଣ୍ଡଳ
ସମ୍ପାଦନା-
ହିମାଚଳ ପ୍ରଦେଶର ଏକ ହିମ କଲରାପତ୍ରିଆ ବାଘ ପରିବାର
-
ନେପାଳର ଏକ ଅଣ୍ଡିରା ହିମାଳୟ ଥାର୍
-
ଲାଲ୍ ପାଣ୍ଡା
-
ହିମାଳୟ କଳା ଭାଲୁ
-
ଗୋରାଲ୍ ଛେଳି
-
ଭରାଲ୍ ପ୍ରଜାତିର ମେଣ୍ଢା
ପରିବେଶ, ବୃଷ୍ଟିପାତ, ସମୁଦ୍ରପତନରୁ ଉଚ୍ଚତା ଓ ମୃତ୍ତିକା ଅନୁସାରେ ହିମାଳୟର ଜୀବମଣ୍ଡଳରେ ସାମାନ୍ୟ ବିଭିନ୍ନତା ଦେଖାଯାଏ । ହିମାଳୟର ପାଦଦେଶର ଜଳବାୟୁ କ୍ରାନ୍ତୀୟ ହୋଇଥିବା ବେଳେ ଉଚ୍ଚ ପର୍ବତମାନ ବର୍ଷସାରା ବରଫାବୃତ । ଦକ୍ଷିଣ-ହିମାଳୟର ପଶ୍ଚିମ ପଟ ତୁଳନାରେ ପୂର୍ବ ପଟକୁ ବୃଷ୍ଟିପାତର ମାତ୍ରା ଅଧିକ ହୋଇଥାଏ । ବୃଷ୍ଟିପାତ, ଉଚ୍ଚତା ଓ ମୃତ୍ତିକାର ପ୍ରକାରରେ ବିଭିନ୍ନତା ତଥା ତୁଷାରାଚ୍ଛନ୍ନ ପର୍ବତ ଯୋଗୁଁ ଏଠାକାର ଜୈବମଣ୍ଡଳରେ ବିଭିନ୍ନ ଜୀବଜନ୍ତୁ ବାସ କରିବା ଦେଖାଯାଏ । ସମୁଦ୍ରପତନରୁ ଅତ୍ୟଧିକ ଉଚ୍ଚତା ଓ ନିମ୍ନ ବାୟୁମଣ୍ଡଳୀୟ ଚାପ ପରି କଠୋର ଜଳବାୟୁ ସହନ କରିବାର କ୍ଷମତା ଏହି ଜୀବମାନଙ୍କଠାରେ ଦେଖିବାକୁ ମିଳେ ।[୨୯]
ଅତ୍ୟଧିକ ଉଚ୍ଚତାରେ ହିମାଳୟର ଲୁପ୍ତପ୍ରାୟ ଓ ମାୟାବୀ ଜନ୍ତୁ ହିମ କଲରାପତ୍ରିଆ ବାଘ ବସବାସ କରେ ଓ ସେ ଏଠାକାର ଖାଦ୍ୟ ଶୃଙ୍ଖଳର ସର୍ବୋଚ୍ଚ ଜୀବ । ତୁଷାର ଓ ପଥୁରିଆ ଶିଖରରେ ରହୁଥିବା ଭରାଲ୍ (ବା ହିମାଳୟ ନୀଳ ମେଣ୍ଢା) ପରି ଜୀବ ହିମ କଲରାପତ୍ରିଆ ବାଘର ମୁଖ୍ୟ ଆହାର । ଅଧିକ ଉଚ୍ଚତାରେ ହିମାଳୟ କସ୍ତୁରୀ ମୃଗ ମଧ୍ୟ ଦେଖାଯାଏ । କସ୍ତୁରୀ ପାଇଁ ଏମାନଙ୍କୁ ବହୁମାତ୍ରାରେ ଶିକାର କରାଯାଇ ଆସୁଥିବାରୁ ବର୍ତ୍ତମାନ ଏମାନେ ବିରଳ ଓ ଲୁପ୍ତପ୍ରାୟ । ହିମାଳୟ ଥାର୍, ତେକିନ୍, ସିରୌ ଛେଳି, ଗୋରାଲ୍ ଛେଳି ପ୍ରଭୃତି ଏହି ଅଞ୍ଚଳର ମୁଖ୍ୟ ତୃଣଭୋଜୀ ପ୍ରାଣୀ । ହିମାଳୟରେ ଅଧିକ ସଂଖ୍ୟାରେ ହିମାଳୟ କଳା ଭାଲୁ ଓ ବର୍ତ୍ତମାନ ଅତି ବିରଳ ହିମାଳୟ ମାଟିଆ ଭାଲୁ ଅଳ୍ପ କିଛି ସ୍ଥାନରେ ଦେଖାଯାନ୍ତି । ପୂର୍ବ ହିମାଳୟର ମିଶ୍ରିତ ପର୍ଣ୍ଣମୋଚୀ ଓ ଆଲପୀୟ ଜଙ୍ଗଲରେ ଲାଲ୍ ପାଣ୍ଡା ଦେଖିବାକୁ ମିଳନ୍ତି । ନିମ୍ନ ଦେଶର ଜଙ୍ଗଲମାନଙ୍କରେ ଗିସ୍ ସୁବର୍ଣ୍ଣ ହନୁ, କାଶ୍ମୀର ପାଉଁଶିଆ ହନୁ ଓ ଅନ୍ୟ ବହୁ ପ୍ରଜାତିର ଆଦିବାନର ବସବାସ କରନ୍ତି ।
ପୃଥିବୀର ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁଁ ହିମାଳୟର ସ୍ୱତନ୍ତ୍ର ଜୈବମଣ୍ଡଳ କ୍ରମଶଃ ପରିବର୍ତ୍ତିତ ହେବାରେ ଲାଗିଛି । ହାଇଡ୍ରାଞ୍ଜିଆ ହିର୍ଟା ନାମକ ଏକ ଉଦ୍ଭିଦ ହିମାଳୟର ଜଳବାୟୁରେ ଦେଖିବାକୁ ମିଳେ । ତାପମାତ୍ରା ବୃଦ୍ଧି ଯୋଗୁଁ ବହୁ ଉଦ୍ଭିଦ ବର୍ତ୍ତମାନ କେବଳ ଉପରି ଭାଗରେ ଦେଖିବାକୁ ମିଳିବେ ଯାହା ଏକଦା ତଳ ଦେଶରେ ମଧ୍ୟ ବଢ଼ୁଥିଲେ । ଗଡ଼ୱାଲ୍-ହିମାଳୟରେ ପାଇନ୍ ଗଛ ଲଗାଯିବା ଫଳରେ ଓକ୍ ଗଛ ସଂଖ୍ୟା କମିବାକୁ ବସିଛି । ରୋଡୋଡେନ୍ଡ୍ରନ୍, ସେଓ ଓ ବକ୍ସ ମାର୍ଟେଲ୍ ପରି ଗଛରେ ଶୀଘ୍ର ଫୁଲ ଓ ଫଳ ଲାଗିବା ପରି ଘଟଣା ମଧ୍ୟ ଏହି ଜଳବାୟୁ ପରିବର୍ତ୍ତନର ଏକ ସଙ୍କେତ । “ଜୁନିପରସ୍ ତିବେଟିକା” ଦକ୍ଷିଣ ତିବ୍ବତର ଏକ ଉଦ୍ଭିଦ ପ୍ରଜାତି ଯାହା ୪୯୦୦ ମିଟର୍ ଉଚ୍ଚତା ପର୍ଯ୍ୟନ୍ତ ଅଞ୍ଚଳରେ ବଢ଼ିପାରେ ।[୩୦]
ସଂସ୍କୃତି
ସମ୍ପାଦନାହିମାଳୟ ନିବାସୀ ଜନ ସମୁଦାୟକୁ ୪ଟି ବିଭିନ୍ନ ସାଂସ୍କୃତିକ ଗୋଷ୍ଠୀରେ ବିଭକ୍ତ କରିହେବ । ବିଭିନ୍ନ ଦେଶରୁ ଆସିଥିବା ଓ ହିମାଳୟରେ ସ୍ଥାୟୀ ଭାବେ ରହିଯାଇଥିବା ହିନ୍ଦୁ (ଭାରତ), ବୌଦ୍ଧ (ତିବ୍ବତ), ଇସଲାମୀୟ (ଆଫଗାନିସ୍ତାନ-ଇରାନ) ଓ ପ୍ରକୃତି ଉପାସକ (ବ୍ରହ୍ମଦେଶ) ସଂସ୍କୃତିର ଛାପ ଏଠାରେ ଦେଖିବାକୁ ମିଳେ ।[୫] ବର୍ତ୍ତମାନ ସମୟରେ ଅଳ୍ପ ବ୍ୟତିକ୍ରମ ସହିତ ଏହି ଗୋଷ୍ଠୀମାନେ ନିଜର ସ୍ୱତନ୍ତ୍ର ଅଞ୍ଚଳରେ ରହୁଥିବାର ଦେଖିବାକୁ ମିଳେ ।
ହିମାଳୟରେ ଅନେକ ସାଂସ୍କୃତିକ ଦୃଷ୍ଟିକୋଣ ଦେଖିବାକୁ ମିଳେ । ଜୈନ ଧର୍ମାନୁଯାୟୀ ହିମାଳୟରେ ରହିଥିବା ଅଷ୍ଟପଦ ପର୍ବତରେ ପ୍ରଥମ ଜୈନ ତୀର୍ଥଙ୍କର ଋଷଭନାଥ ମୋକ୍ଷ ପ୍ରାପ୍ତ କରିଥିଲେ । ଋଷଭନାଥଙ୍କ ନିର୍ବାଣ ପ୍ରାପ୍ତି ପରେ ତାଙ୍କ ପୁତ୍ର ଚକ୍ରବର୍ତ୍ତୀ ଭରତ ୩ଟି ସ୍ତୁପ ଓ ୨୪ ଜଣ ତୀର୍ଥଙ୍କରଙ୍କ ଉଦ୍ଦେଶ୍ୟରେ ୨୪ଟି ପୂଜାସ୍ଥଳ ନିର୍ମାଣ କରାଇଥିଲେ । ତୀର୍ଥଙ୍କରମାନଙ୍କ ମୂର୍ତ୍ତି ବହୁ ମୂଲ୍ୟବାନ ପଥରରୁ ନିର୍ମିତ ହୋଇଥିଲା ।[୩୧][୩୨][୩୩] ହିନ୍ଦୁ ଧର୍ମାବଲମ୍ବୀମାନେ ହିମାଳୟଙ୍କୁ “ହିମାବତ” ବୋଲି ସମ୍ବୋଧିତ କରିଥାନ୍ତି ଓ ସେ ଦେବୀ ପାର୍ବତୀଙ୍କର ପିତା ବୋଲି ଉଲ୍ଲେଖ ରହିଛି ।[୩୪] ହିମାଳୟକୁ ଗଙ୍ଗାଙ୍କ ଜନକ ବୋଲି ମଧ୍ୟ କୁହାଯାଇଥାଏ । ହିମାଳୟରେ ହିନ୍ଦୁମାନଙ୍କର ଆଉ ଦୁଇଟି ପ୍ରମୁଖ ତୀର୍ଥସ୍ଥଳୀ ହେଲା ପଶୁପତିନାଥ ଓ ମୁକ୍ତିନାଥ । ମୁକ୍ତିନାଥଙ୍କୁ ଶାଳିଗ୍ରାମ ବୋଲି ମଧ୍ୟ କୁହାଯାଏ କାରଣ ଏଠାରେ ବହୁମାତ୍ରାରେ “ଶାଳଗ୍ରାମ ଶିଳା” ରହିଛି ।[୩୫]
ବୌଦ୍ଧ ଧର୍ମାବଲମ୍ବୀମାନେ ମଧ୍ୟ ହିମାଳୟକୁ ଖୁବ୍ ମହତ୍ତ୍ୱ ଦେଇଆସିଛନ୍ତି । ପାରୋ ତକତ୍ସଂଗ ନାମକ ସ୍ଥାନରୁ ଭୁଟାନରେ ବୌଦ୍ଧ ଧର୍ମ ପ୍ରଚାରିତ ଓ ପ୍ରସାରିତ ହୋଇଥିଲା ; ତେଣୁ ଏହାକୁ ଏକ ପବିତ୍ର ସ୍ଥଳର ମାନ୍ୟତା ଦିଆଯାଇଛି ।[୩୬] ତିବ୍ବତୀୟ ବୌଦ୍ଧମାନଙ୍କ ପାଇଁ ମୁକ୍ତିନାଥ ମଧ୍ୟ ଏକ ତୀର୍ଥସ୍ଥଳୀ । ୮୪ ଜଣ ମହାସିଦ୍ଧଙ୍କ (ପ୍ରାଚୀନ ବୌଦ୍ଧ ଜାଦୁଗର) ଆଶାବାଡ଼ିରୁ ଏଠାକାର ଏକ ଉଦ୍ୟାନର ଗଛ ସମସ୍ତ ସୃଷ୍ଟି ହୋଇଛନ୍ତି ବୋଲି ଉପାସକମାନେ ବିଶ୍ୱାସ କରନ୍ତି । ଶାଳଗ୍ରାମ ଶିଳା ତିବ୍ବତୀୟ ସର୍ପ ଦେବତା “ଗାୱୋ ଜାଗ୍ପା”ଙ୍କ ପ୍ରତିନିଧି ବୋଲି ମଧ୍ୟ ବିଶ୍ୱାସ ରହିଛି ।[୩୭]
ହିମାଳୟ ନିବାସୀଙ୍କ ବିବିଧତା ଅନ୍ୟ ସବୁ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୁଏ । ସ୍ଥାପତ୍ୟ, ଭାଷା, କଥିତ ଭାଷା, ବିଶ୍ୱାସ, ବେଶଭୂଷା ଓ ଦୈନନ୍ଦିନ ବିଧିରେ ଏହା ପ୍ରସ୍ଫୁଟିତ ହୋଇଥାଏ ।[୩୭] ଗୃହ ନିର୍ମାଣରେ ବ୍ୟବହୃତ କଞ୍ଚାମାଲ ଓ ପଦାର୍ଥ ଲୋକଙ୍କ ଆବଶ୍ୟକତା ଓ ବିଶ୍ୱାସର ପ୍ରତିଫଳନ । ହାତବୁଣା ଲୁଗାରେ ଅନେକ ରଙ୍ଗର ପ୍ରୟୋଗ ଓ ସେଥିରେ ରହିଥିବା ଚିତ୍ରଶୈଳୀରେ ଏହି ବିବିଧତାର କିଛି ଝଲକ ଦେଖିବାକୁ ମିଳେ । କିଛି ସମ୍ପ୍ରଦାୟ ଅଳଙ୍କାରକୁ ବହୁତ ମହତ୍ତ୍ୱ ଦିଅନ୍ତି । ରାଏ ଓ ଲିମ୍ବୁ ମହିଳାମାନେ ସୁନାର ବଡ଼ ବଡ଼ କାନଫୁଲ ଓ ନାକଗୁଣା ପିନ୍ଧି ନିଜ ସମ୍ପତ୍ତି ବିଷୟରେ ଜଣାଇଥାନ୍ତି ।[୩୭]
ଧାର୍ମିକ ବିଶ୍ୱାସ
ସମ୍ପାଦନାସ୍ଥାନ ଅନୁସାରେ ହିମାଳୟରେ ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ମତବାଦର ମହତ୍ତ୍ୱ ଦେଖିବାକୁ ମିଳିଥାଏ । ଏହାର ଏକ ଉଦାହରଣ ହେଲା ପାରୋ ତକତ୍ସଙ୍ଗ, ଯେଉଁଠାରୁ ପଦ୍ମସମ୍ଭବ ଭୁଟାନରେ ବୌଦ୍ଧ ଧର୍ମର ପ୍ରଚାର ଆରମ୍ଭ କରିଥିଲେ ।[୩୯] ସିକ୍କିମ ରାଜ୍ୟରେ ମଧ୍ୟ ପଦ୍ମସମ୍ଭବ ଜଣେ ମହାନ ସନ୍ଥ ଭାବେ ପୂଜିତ ଓ ସମ୍ମାନିତ ହୁଅନ୍ତି । କାଶ୍ମୀରରେ ହିନ୍ଦୁ ଧର୍ମର ଶୈବ ପରମ୍ପରାର ଅନୁସରଣ କରୁଥିବା କାଶ୍ମୀରୀ ପଣ୍ଡିତ ଓ ମୁସଲମାନ ଧର୍ମର ଲୋକେ ବାସ କରନ୍ତି ।
ପୁଣି ହିନ୍ଦୁ ଧର୍ମରେ ହିମାଳୟକୁ ଗିରିରାଜ ହିମାବତ ବୋଲି ସମ୍ବୋଧନ କରାଯାଏ । ହିମାଳୟକୁ ମାନବ ତୁଲ୍ୟ ମନେ କରାଯାଏ । ସେ ଗଙ୍ଗା ଓ ପାର୍ବତୀଙ୍କ ଜନକ ବୋଲି ହିନ୍ଦୁ ପୁରାଣ ଓ କିମ୍ବଦନ୍ତୀରେ ଉଲ୍ଲିଖିତ ଅଛି ।[୪୦]
ହିମାଳୟ ବକ୍ଷରେ ତିବ୍ବତ, ଭୁଟାନ, ଭାରତର ସିକ୍କିମ, ଲଦାଖ୍, ଅରୁଣାଚଳ ପ୍ରଦେଶ, ସ୍ପିଟି ଉପତ୍ୟକା, ଦାର୍ଜିଲିଂ ପ୍ରଭୃତି ସ୍ଥାନରେ ବହୁ ସଂଖ୍ୟକ ବଜ୍ରଯାନ ବୌଦ୍ଧ ସ୍ଥଳ ଅବସ୍ଥିତ । ତିବ୍ବତରେ ଦଲାଇ ଲାମାଙ୍କ ବିହାରକୁ ମିଶାଇ ୬୦୦୦ରୁ ଅଧିକ ମଠ ଓ ବିହାର ରହିଥିଲା ।[୪୧] ଭୁଟାନ, ସିକ୍କିମ ଓ ଲଦାଖରେ ମଧ୍ୟ ବହୁ ସଂଖ୍ୟକ ବୌଦ୍ଧ ମଠ ଓ ବିହାର ରହିଛି । ଲାସା ଓ ଶିଗାତ୍ସେରେ ତିବ୍ବତୀୟ ମୁସଲମାନମାନଙ୍କର ମସ୍ଜିଦ୍ ମଧ୍ୟ ରହିଛି ।[୪୨]
ସମ୍ବଳ
ସମ୍ପାଦନାହିମାଳୟରେ ଅନେକ ଔଷଧୀୟ ବୃକ୍ଷଲତା ଓ ଜଡ଼ିବୁଟି ରହିଛି । ସାମାନ୍ୟ ଥଣ୍ଡା କାଶରୁ ନେଇ ସାପ କାମୁଡ଼ା ପର୍ଯ୍ୟନ୍ତ ବିଭିନ୍ନ ବ୍ୟାଧିର ଉପଚାର ପାଇଁ ହିମାଳୟର ଔଷଧି ବୃକ୍ଷ ବ୍ୟବହୃତ ହୋଇ ଆସିଛି ।[୩୫] ଏହି ସବୁ ଔଷଧୀୟ ଗଛର ମୂଳ, ଫୁଲ, ଡାଙ୍ଗ, ପତ୍ର, ବକ୍କଳ ବ୍ୟବହାର କରି ଔଷଧ ପ୍ରସ୍ତୁତ କରାଯାଏ । ଏବିସ୍ ପିଣ୍ଡ୍ରୋ (abies pindrow) ନାମକ ଗଛର ବକ୍କଳରୁ କାଶ ଓ ଶ୍ୱାସନଳୀ ପ୍ରଦାହ (ବ୍ରୋଂକାଇଟିସ୍) ପରି ରୋଗର ଔଷଧ ତିଆରି ହୁଏ । ଆରାକ୍ନେ କୋର୍ଡିଓଫୋଲିଆ (arachne cordifolia) ଗଛର ପତ୍ର ଓ ନାଡ଼କୁ ବାଟି ପ୍ରସ୍ତୁତ କରାଯାଇଥିବା ରସକୁ ଘା’ରେ ପ୍ରୟୋଗ କରିବା ପାଇଁ ଓ ସାପ କାମୁଡ଼ାର ଉପଚାର ପାଇଁ ବ୍ୟବହାର କରାଯାଏ । କେଲିକେର୍ପା ଆର୍ବୋରିଆ (callicarpa arborea) ଗଛର ବକ୍କଳ ଚର୍ମ ରୋଗର ଉପଚାର ପାଇଁ ଉପଯୋଗୀ ।[୩୫] ହିମାଳୟରେ ଦେଖାଯାଉଥିବା ଜିମ୍ନୋସ୍ପର୍ମ୍, ଏଞ୍ଜିଓସ୍ପର୍ମ୍ ଓ ଟେରିଡୋଫାଇଟ୍ ପ୍ରଜାତିର ଏକ-ପଞ୍ଚମାଂଶ (୨୦%) ଗଛରେ ଔଷଧୀୟ ଗୁଣ ରହିଛି ଓ ଆହୁରି ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷଲତା ଆବିଷ୍କାର ହୋଇପାରେ ବୋଲି ଆଶା କରାଯାଉଛି ।[୩୫]
ଏସିଆ ଓ ଆଫ୍ରିକାର ଜନସଂଖ୍ୟାର ଏକ ବଡ଼ ଭାଗ ଆଧୁନିକ ଔଷଧ ଅପେକ୍ଷା ପ୍ରାକୃତିକ ଜଡ଼ିବୁଟି ଔଷଧକୁ ଅଧିକ ମାନନ୍ତି ।[୩୪] ହିମାଳୟର ବହୁ ଲୋକ ଏହି ଔଷଧୀ ବୃକ୍ଷ ଉପରେ ନିର୍ଭର କରୁଥିବାରୁ କିଛି ଲୋକଙ୍କ ପାଇଁ ଏହା ଆମଦାନୀର ଏକ ମାଧ୍ୟମ ହୋଇଥାଏ । ଏହି ଔଷଧୀୟ ଗଛର ବ୍ୟବସାୟ ହିମାଳୟରେ ଓ ଅନ୍ୟତ୍ର ଅର୍ଥନୈତିକ ଓ ଔଷଧୋଦ୍ୟୋଗ ବିକାଶରେ ସହାୟକ ହୁଏ ।[୩୪] କିନ୍ତୁ ଜାଳେଣୀ ଓ ବ୍ୟବହାର ପାଇଁ ସ୍ଥାନୀୟ ଲୋକେ ବେଆଇନ୍ ଭାବେ ଜଙ୍ଗଲ ସଫା କରୁଥିବାରୁ ବର୍ତ୍ତମାନ ଏହି ଔଷଧ ସମ୍ବଳ ପାଇଁ ଏକ ବିପତ୍ତି ସୃଷ୍ଟି ହୋଇଛି ।[୪୩] ଏହାର ଅର୍ଥ ହେଲା ଔଷଧୀ ବୃକ୍ଷଲତା କ୍ରମଶଃ କମି ଆସୁଛି ଏବଂ କିଛି ଦିନ ପରେ କିଛି ପ୍ରଜାତିର ଔଷଧି ବୃକ୍ଷ ବିରଳ ବା ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯିବେ ।
ସ୍ଥାନୀୟ ଲୋକେ ହିମାଳୟର କିଛି ଅଂଶର ବଣ ସଫା କରିସାରିଥିବା ସତ୍ତ୍ୱେ, ଏଠାରେ ଏବେ ବି କ୍ରାନ୍ତୀୟ ଓ ପାଇନ୍ ବଣର ଏକ ବଡ଼ ଭାଗ ଜୀବିତ ରହିଛି । ଏହି ବଣରୁ ଜାଳେଣୀ କାଠ ଓ ଶିଳ୍ପୋଦ୍ୟୋଗ ପାଇଁ କଞ୍ଚାମାଲ ମିଳିଥାଏ । ଗୋରୁ ଓ ବଣର ତୃଣଭୋଜୀଙ୍କ ଚରିବା ପାଇଁ ଅନେକ ଢାଲୁଆ ତୃଣଭୂମି ରହିଛି । ତେବେ ଜୀବମାନଙ୍କ ଚରିବା ସ୍ଥାନର ଉଚ୍ଚତା ଅଲଗା ଅଲଗା ହୋଇଥାଏ । ଗଣ୍ଡା ଓ ହାତୀ ପରି ଜୀବ ହିମାଳୟର ତଳ ଦେଶରେ (ତେରାଇ ଅଞ୍ଚଳରେ) ଚରାବୁଲା କରନ୍ତି । ଏହାଛଡ଼ା ହିମାଳୟରେ କାଶ୍ମୀରୀ ହରିଣ, କଳା ଭାଲୁ, କସ୍ତୁରୀ ମୃଗ, ହନୁ ମାଙ୍କଡ଼ ଓ ହିମ କଲରାପତ୍ରିଆ ପରି ଜୀବ ମଧ୍ୟ ବାସ କରନ୍ତି । ହିମାଳୟରେ ତିବ୍ବତୀୟ ୟାକ୍ ମଧ୍ୟ ରହିଛନ୍ତି ଯାହାଙ୍କୁ ଲୋକେ ଦୈନନ୍ଦିନ ଜୀବନରେ ପରିବହନ ପାଇଁ ବ୍ୟବହାର କରନ୍ତି । କିନ୍ତୁ ବହୁ ଜୀବଙ୍କ ସଂଖ୍ୟା କ୍ରମାଗତ ଭାବେ କମି ଚାଲିଛି ଓ କିଛି ଜୀବ ଲୁପ୍ତ ପ୍ରାୟ ହେବା ଅବସ୍ଥାରେ ଅଛନ୍ତି ।
ହିମାଳୟ ବିଭିନ୍ନ ଖଣିଜ ପଦାର୍ଥ ଓ ମୂଲ୍ୟବାନ୍ ପଥରର ଉତ୍ସ । ଏହାର ପ୍ରସ୍ତର ଶଯ୍ୟା ତଳେ ପ୍ରାକୃତିକ ତୈଳ ଗଚ୍ଛିତ ଥିବାର ସମ୍ଭାବନା ମଧ୍ୟ ରହିଛି । କାଶ୍ମୀରରେ କୋଇଲା ରହିଥିବାର ଠାବ ହୋଇଛି । ୧୦୦ରୁ ଅଧିକ ସ୍ଥାନରେ ସୁନା, ରୂପା, ତମ୍ବା, ଅଭ୍ର ପରି ବହୁ ଧାତବ ପଦାର୍ଥ ଗଚ୍ଛିତ ଥିବାର ମଧ୍ୟ ଜଣାପଡ଼ିଛି ।
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Yang, Qinye; Zheng, Du (2004). Himalayan Mountain System. ISBN 978-7-5085-0665-4. Retrieved 30 July 2016.
- ↑ Wadia, D. N. (1931), "The syntaxis of the northwest Himalaya: its rocks, tectonics and orogeny", Record Geol. Survey of India, vol. 65, no. 2, pp. 189–220
- ↑ Valdiya, K. S. (1998), Dynamic Himalaya, Hyderabad: Universities Press
- ↑ Le Fort, P. (1975), Himalayas: The collided range. Present knowledge of the continental arc (PDF), American Journal of Science, archived (PDF) from the original on 2018-11-23, retrieved 2019-03-29 275A: 1–44.
- ↑ ୫.୦ ୫.୧ ୫.୨ Apollo, M. (2017). The population of Himalayan regions – by the numbers: Past, present and future Archived 2019-03-28 at the Wayback Machine.. [In:] R. Efe, M. Öztürk (eds.), Contemporary Studies in Environment and Tourism, Chapter: 9 (pp.143–159). Publisher: Cambridge Scholars Publishing.
- ↑ "Definition of Himalayas". Oxford Dictionaries Online. Archived from the original on 12 February 2011. Retrieved 9 May 2011.
- ↑ Dickinson, Emily, "The Himmaleh was known to stoop".
- ↑ Thoreau, Henry David (1849), A Week on the Concord and Merrimack Rivers.
- ↑ ୯.୦ ୯.୧ "The Himalayas: Two continents collide". USGS. 5 May 1999. Archived from the original on 10 May 2020. Retrieved 3 January 2015.
- ↑ "(1995) Geologists Find: An Earth Plate Is Breaking in Two". Archived from the original on 2017-05-18. Retrieved 2019-03-29.
- ↑ Mount Everest – Overview and Information Archived 2019-03-29 at the Wayback Machine. by Matt Rosenberg. ThoughtCo Updated 17 March 2017
- ↑ "Plate Tectonics -The Himalayas". The Geological Society. Archived from the original on 14 September 2016. Retrieved 13 September 2016.
- ↑ ୧୩.୦ ୧୩.୧ ୧୩.୨ Kuhle, M. (2011). "The High Glacial (Last Ice Age and Last Glacial Maximum) Ice Cover of High and Central Asia, with a Critical Review of Some Recent OSL and TCN Dates". In Ehlers, J.; Gibbard, P.L.; Hughes, P.D. (eds.). Quaternary Glaciation – Extent and Chronology, A Closer Look. Amsterdam: Elsevier BV. pp. 943–965.
- ↑ glacier maps downloadable Archived 2013-06-06 at the Wayback Machine.
- ↑ Kuhle, M. (1987). "Subtropical mountain- and highland-glaciation as ice age triggers and the waning of the glacial periods in the Pleistocene". GeoJournal. 14 (4): 393–421. doi:10.1007/BF02602717.
- ↑ Kuhle, M. (2005). "The maximum Ice Age (Würmian, Last Ice Age, LGM) glaciation of the Himalaya – a glaciogeomorphological investigation of glacier trim-lines, ice thicknesses and lowest former ice margin positions in the Mt. Everest-Makalu-Cho Oyu massifs (Khumbu- and Khumbakarna Himal) including information on late-glacial-, neoglacial-, and historical glacier stages, their snow-line depressions and ages". GeoJournal. 62 (3–4): 193–650. doi:10.1007/s10708-005-2338-6.
- ↑ "Sunderbans the world's largest delta". gits4u.com. Archived from the original on 3 ଜାନୁଆରୀ 2015. Retrieved 3 ଜାନୁଆରୀ 2015.
- ↑ Gaillardet, J.; Métivier, F.; Lemarchand, D.; Dupré, B.; Allègre, C.J.; Li, W.; Zhao, J. (2003). "Geochemistry of the Suspended Sediments of Circum-Himalayan Rivers and Weathering Budgets over the Last 50 Myrs" (PDF). Geophysical Research Abstracts. 5: 13,617. Bibcode:2003EAEJA....13617G. Abstract 13617. Archived (PDF) from the original on 25 December 2018. Retrieved 4 November 2006.
- ↑ "The Himalayas – Himalayas Facts". Nature on PBS. 2011-02-11. Archived from the original on 2014-11-30. Retrieved 21 January 2014.
- ↑ "the Himalayan Glaciers". Fourth assessment report on climate change. IPPC. 2007. Archived from the original on 20 January 2010. Retrieved 22 January 2014.
- ↑ Shi, Yafeng; Xie, Zizhu; Zheng, Benxing; Li, Qichun (1978). "Distribution, Feature and Variations of Glaciers in China" (PDF). World Glacier Inventory. Archived from the original (PDF) on 16 ଡିସେମ୍ବର 2012.
- ↑ Henderson-Sellers, Ann; McGuffie, Kendal (2012). The Future of the World's Climate: A Modelling Perspective. pp. 199–201. ISBN 978-0-12-386917-3.
- ↑ "Vanishing Himalayan Glaciers Threaten a Billion". Reuters. 4 June 2007. Archived from the original on 13 March 2018. Retrieved 13 March 2018.
- ↑ "Glaciers melting at alarming speed". People's Daily Online. 24 July 2007. Archived from the original on 23 September 2013. Retrieved 17 April 2009.
- ↑ "Photograph of Tsho Rolpa". Archived from the original on 2017-06-20. Retrieved 2019-03-29.
- ↑ Tsho Rolpa
- ↑ Drews, Carl. "Highest Lake in the World". Archived from the original on 18 August 2012. Retrieved 14 November 2010.
- ↑ Devitt, Terry (3 May 2001). "Climate shift linked to rise of Himalayas, Tibetan Plateau". University of Wisconsin–Madison News. Archived from the original on 10 February 2016. Retrieved 1 November 2011.
- ↑ Hogan, C. Michael (2010). Monosson, E. (ed.). "Extremophile". Encyclopedia of Earth. Washington, DC: National Council for Science and the Environment. Archived from the original on 2019-03-29. Retrieved 2019-03-29.
- ↑ Miehe, Georg; Miehe, Sabine; Vogel, Jonas; Co, Sonam; Duo, La (May 2007). "Highest Treeline in the Northern Hemisphere Found in Southern Tibet" (PDF). Mountain Research and Development. 27 (2): 169–173. doi:10.1659/mrd.0792. Archived from the original (PDF) on 6 June 2013.
- ↑ Jain, Arun Kumar (2009). Faith & Philosophy of Jainism. ISBN 978-81-7835-723-2.
- ↑ "To heaven and back". Articles.timesofindia.indiatimes.com. 2012-01-11. Archived from the original on 2012-07-07. Retrieved 2012-03-02.
- ↑ Jain, Arun Kumar (2009). Faith & Philosophy of Jainism. ISBN 978-81-7835-723-2.
- ↑ ୩୪.୦ ୩୪.୧ ୩୪.୨ Gupta, Pankaj; Sharma, Vijay Kumar (2014). Healing Traditions of the Northwestern Himalayas. Springer Briefs in Environmental Science. ISBN 978-81-322-1925-5.
- ↑ ୩୫.୦ ୩୫.୧ ୩୫.୨ ୩୫.୩ Jahangeer A. Bhat; Munesh Kumar; Rainer W. Bussmann (2 January 2013). "Ecological status and traditional knowledge of medicinal plants in Kedarnath Wildlife Sanctuary of Garhwal Himalaya, India". Journal of Ethnobiology and Ethnomedicine. 9: 1. doi:10.1186/1746-4269-9-1. PMC 3560114. PMID 23281594.
{{cite journal}}
: CS1 maint: unflagged free DOI (link) - ↑ Cantor, Kimberly (2016-07-14). "Paro, Bhutan: The Tiger's Nest". Huffington Post (in ଆମେରିକୀୟ ଇଂରାଜୀ). Archived from the original on 2016-07-15. Retrieved 2018-06-09.
- ↑ ୩୭.୦ ୩୭.୧ ୩୭.୨ Zurick, David; Julsun, Pacheco; Basanta, Raj Shrestha; Birendra, Bajracharya (2006). Illustrated Atlas of the Himalaya. Lexington: U of Kentucky.
- ↑ Jain Pooja-Kavya: Ek Chintan. ISBN 978-81-263-0818-7.
- ↑ Pommaret, Francoise (2006). Bhutan Himalayan Mountains Kingdom (5th ed.). Odyssey Books and Guides. pp. 136–137. ISBN 978-962-217-810-6.
- ↑ Dallapiccola, Anna (2002). Dictionary of Hindu Lore and Legend. ISBN 978-0-500-51088-9.
- ↑ "Tibetan monks: A controlled life". BBC News. 20 March 2008. Archived from the original on 18 February 2009. Retrieved 29 March 2019.
- ↑ "Mosques in Lhasa, Tibet". People's Daily Online. 27 October 2005. Archived from the original on 19 March 2020. Retrieved 29 March 2019.
- ↑ "Himalayan Forests Disappearing". Earth Island Journal. 21 (4): 7–8. 2006.
ଆହୁରି ପଢ଼ନ୍ତୁ
ସମ୍ପାଦନା- Aitken, Bill, Footloose in the Himalaya, Delhi, Permanent Black, 2003. ISBN 81-7824-052-1
- Berreman, Gerald Duane, Hindus of the Himalayas: Ethnography and Change, 2nd rev. ed., Delhi, Oxford University Press, 1997.
- Bisht, Ramesh Chandra, Encyclopedia of the Himalayas, New Delhi, Mittal Publications, c2008.
- Everest, the IMAX movie (1998). ISBN 0-7888-1493-1
- Fisher, James F., Sherpas: Reflections on Change in Himalayan Nepal, 1990. Berkeley, University of California Press, 1990. ISBN 0-520-06941-2
- Gansser, Augusto, Gruschke, Andreas, Olschak, Blanche C., Himalayas. Growing Mountains, Living Myths, Migrating Peoples, New York, Oxford: Facts On File, 1987. ISBN 0-8160-1994-0 and New Delhi: Bookwise, 1987.
- Gupta, Raj Kumar, Bibliography of the Himalayas, Gurgaon, Indian Documentation Service, 1981
- Hunt, John, Ascent of Everest, London, Hodder & Stoughton, 1956. ISBN 0-89886-361-9
- Isserman, Maurice and Weaver, Stewart, Fallen Giants: The History of Himalayan Mountaineering from the Age of Empire to the Age of Extremes. Yale University Press, 2008. ISBN 978-0-300-11501-7
- Ives, Jack D. and Messerli, Bruno, The Himalayan Dilemma: Reconciling Development and Conservation. London / New York, Routledge, 1989. ISBN 0-415-01157-4
- Lall, J.S. (ed.) in association with Moddie, A.D., The Himalaya, Aspects of Change. Delhi, Oxford University Press, 1981. ISBN 0-19-561254-X
- Nandy, S.N., Dhyani, P.P. and Samal, P.K., Resource Information Database of the Indian Himalaya, Almora, GBPIHED, 2006.
- Palin, Michael, Himalaya, London, Weidenfeld & Nicolson Illustrated, 2004. ISBN 0-297-84371-0
- Swami Sundaranand, Himalaya: Through the Lens of a Sadhu. Published by Tapovan Kuti Prakashan (2001). ISBN 81-901326-0-1
- Swami Tapovan Maharaj, Wanderings in the Himalayas, English Edition, Madras, Chinmaya Publication Trust, 1960. Translated by T.N. Kesava Pillai.
- Tilman, H. W., Mount Everest, 1938, Cambridge University Press, 1948.
- 'The Mighty Himalaya: A Fragile Heritage,’ National Geographic, 174:624–631 (November 1988).
- Turner, Bethan, et al. Seismicity of the Earth 1900–2010: Himalaya and Vicinity. Denver, United States Geological Survey, 2013.
ବାହ୍ୟ ଲିଂକ୍
ସମ୍ପାଦନା- The Digital Himalaya research project at Cambridge and Yale
- Geology of the Himalayan mountains Archived 2010-06-16 at the Wayback Machine.
- Birth of the Himalaya
- South Asia's Troubled Waters Journalistic project at the Pulitzer Centre for Crisis Reporting
- Biological diversity in the Himalayas Encyclopedia of Earth