ବ୍ରହ୍ମପୁତ୍ର ନଦୀ
ଚୀନ, ଭାରତ ଓ ବଙ୍ଗଳାଦେଶ ମଧ୍ୟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ଏସିଆର ଏକ ପ୍ରମୁଖ ନଦୀ । ତିବ୍ୱତରେ ଏହି ନଦୀ ସାଂଗପୋ ନାମରେ ଜଣା । ତେଣୁ ତିବ୍ୱତ ଓ ଭାରତରେ ପ୍ରବାହିତ ଅଂଶକୁ ଯୋଡି ଏହି ନଦୀକୁ ସାଂଗପୋ-ବ୍ରହ୍ମପୁତ୍ର ମଧ୍ୟ କୁହାଯାଏ । ଭୁଟାନରେ ପ୍ରବାହିତ ମାନସ ନଦୀ ଭାରତର ଜୋଗୀଘୋପାଠାରେ ବ୍ରହ୍ମପୁତ୍ର ନଦୀରେ ସମ୍ମିଳିତ ହୁଏ । ନିଷ୍କାସିତ ଜଳର ପରିମାପ ଅନୁସାରେ ଏହା ବିଶ୍ୱରେ ଦଶମ ବୃହତ୍ ଓ ଦୈର୍ଘ୍ୟରେ ଏହା ବିଶ୍ୱରେ ପଞ୍ଚଦଶ ସ୍ଥାନର ଅଧିକାରୀ ।
ବ୍ରହ୍ମପୁତ୍ର | |
ନଦୀ | |
ଆସାମ (ଭାରତ)ର ଗୁଆହାଟୀ ନିକଟରେ ବ୍ରହ୍ମପୁତ୍ର ନଦୀ
| |
ନାମର ଉତ୍ପତ୍ତି: ସଂସ୍କୃତ ବ୍ରହ୍ମାଙ୍କ ପୁତ୍ର | |
ଦେଶ | ଚୀନ, ଭାରତ, ବଙ୍ଗଳାଦେଶ |
---|---|
ରାଜ୍ୟ | ଆସାମ, ଅରୁଣାଚଳ ପ୍ରଦେଶ |
ସ୍ୱାୟତ୍ତ | ତିବ୍ୱତ |
Tributaries | |
- left | ଦିବାଙ୍ଗ ନଦୀ, ଲୋହିତ ନଦୀ, ଧନସିରି ନଦୀ, କୋଲୋଙ୍ଗ ନଦୀ |
- right | କାମେଂଗ ନଦୀ, ମାନସ ନଦୀ, ବେକି ନଦୀ, ରାଇଦାକ ନଦୀ, ଜଳଧକା ନଦୀ, ତିସ୍ତା ନଦୀ, ସୁବଂଶିରୀ ନଦୀ |
Source | |
- location | ହିମାଳୟ, ତିବ୍ୱତ |
- elevation | ୫,୨୧୦ m (୧୭,୦୯୩ ft) |
Mouth | ବଙ୍ଗୋପ ସାଗର |
- location | ଗଙ୍ଗା ନଦୀର ମୁହାଣ, ବଙ୍ଗଳାଦେଶ |
ତିବ୍ୱତରେ ଥିବା ଉତ୍ତର ହିମାଳୟର ବୁରାଙ୍ଗ ଅଞ୍ଚଳରେ ଆଙ୍ଗସି ହିମସ୍ରୋତରୁ ଏହି ନଦୀର ଉତ୍ପତ୍ତି । ଉପର ଅଞ୍ଚଳରେ ସାଂଗପୋ ନାମରେ ବିଦିତ ଏହି ନଦୀ ୟାରଲୁଙ୍ଗ-ସାଂଗପୋ ବୃହତ ଗଣ୍ଡ ଦେଇ ଅରୁଣାଚଳ ପ୍ରଦେଶରେ ଭାରତକୁ ପ୍ରବେଶ କରିଛି ।[୧] ୟାରଲୁଙ୍ଗ-ସାଂଗପୋ ସହ ଏହି ନଦୀର ସମ୍ପର୍କ ୧୮୮୪-୮୬ ମସିହାରେ ଜ୍ଞାତସାରକୁ ଆସିଲା । ତେଣୁ ଏହି ନଦୀକୁ କେହି କେହି ସାଂଗପୋ-ବ୍ରହ୍ମପୁତ୍ର ମଧ୍ୟ କୁହନ୍ତି । ତା’ପରେ ଏହା ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଆସାମରେ ବ୍ରହ୍ମପୁତ୍ର ଓ ବଙ୍ଗଳାଦେଶରେ ଜମୁନା ନାମରେ ପ୍ରବାହିତ ହୋଇଛି । ବ୍ରହ୍ମପୁତ୍ର ନଦୀ ବିସ୍ତୃତ ଗାଙ୍ଗେୟ ତ୍ରିକୋଣଭୂମିରେ ପ୍ରଥମେ ପଦ୍ମା ନଦୀ (ବଙ୍ଗଳାଦେଶରେ ଗଙ୍ଗା ନଦୀର ନାମ) ଓ ପରେ ମେଘନା ନଦୀ ସହିତ ମିଳିତ ହୋଇ ବଙ୍ଗୋପସାଗରରେ ନିଷ୍କାସିତ ହୋଇଛି । [୨]
ପ୍ରାୟ ୩୮୪୮ କି.ମି. ଦୀର୍ଘ ବ୍ରହ୍ମପୁତ୍ର ଜଳସେଚନ ଓ ପରିବହନ ଦୃଷ୍ଟିରୁ ଅତି ମହତ୍ତ୍ୱପୂର୍ଣ୍ଣ । ଏହି ନଦୀର ହାରାହାରି ଗଭୀରତା ପ୍ରାୟ ୩୮୦ ଫୁଟ୍ ବା ୧୨୦ ମିଟର ହେବ । ବସନ୍ତ ଋତୁରେ ହିମାଳୟର ବରଫ ତରଳିଲେ ଏହି ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ । ବର୍ଷରେ ହାରାହାରି ୭୦୦,୦୦୦ ଘନ ଫୁଟ୍ ପ୍ରତି ସେକେଣ୍ଡ୍ ଜଳ ନିଷ୍କାସିତ କରୁଥିବା ବ୍ରହ୍ମପୁତ୍ର ବନ୍ୟା ସମୟରେ ପ୍ରାୟ ୩୫,୦୦,୦୦୦ ଘନ ଫୁଟ୍ ପ୍ରତି ସେକେଣ୍ଡ୍ ଜଳ ନିଷ୍କାସିତ କରିଥାଏ ।[୧] and floods can reach over 100,000 m3/s (3,500,000 cu ft/s).[୩] ବ୍ରହ୍ମପୁତ୍ର ବାରମ୍ବାର ନିଜ ଶଯ୍ୟା ପରିବର୍ତ୍ତନ କରେ ଏବଂ ପ୍ରତିବର୍ଷ ଏହାର କୂଳବର୍ତ୍ତୀ ଅଞ୍ଚଳରେ ଉର୍ବର ପଟୁମାଟି ଜମା ହୋଇଥାଏ । ବର୍ଷସାରା ଏହି ନଦୀ ଗମନାଗମନ ଉପଯୋଗୀ । ଭାରତର ଅଧିକାଂଶ ନଦୀଙ୍କ ନାମ ସ୍ତ୍ରୀ-ଲିଙ୍ଗ ବିଶିଷ୍ଟ ହୋଇଥିବା ବେଳେ କେବଳ ଏହି ନଦୀ ପୁଂ-ଲିଙ୍ଗ ବିଶିଷ୍ଟ ନାମରେ ଜଣା । [୪]
ନଦୀର ଗତିପଥ
ସମ୍ପାଦନାତିବ୍ୱତ
ସମ୍ପାଦନାବୋଡ଼ୋ ଜନଜାତି ମଧ୍ୟରେ ବୁର୍ଲୁଙ୍ଗ-ବୁଥୁର୍ ଓ ତିବ୍ୱତରେ ୟାରଲୁଙ୍ଗ-ସାଂଗପୋ ନାମରେ ପରିଚିତ ବ୍ରହ୍ମପୁତ୍ର ନଦୀ, ଉତ୍ତର ହିମାଳୟର ବୁରାଙ୍ଗ୍ ଅଞ୍ଚଳରେ ଆଙ୍ଗସି ହିମସ୍ରୋତରୁ ଜନ୍ମଲାଭ କରିଛି । ପୂର୍ବେ ମାନସରୋବରର ଉତ୍ତର-ପୂର୍ବରେ ଅବସ୍ଥିତ ଚେମାୟୁଂଗଡୁଂଗ ହିମସ୍ରୋତ ଏହାର ଉତ୍ପତ୍ତି ସ୍ଥଳ ବୋଲି ଅନୁମାନ କରାଯାଉଥିଲା । ନିଜର ଉତ୍ସରୁ ବାହାରି, ଏହି ନଦୀ, ଉତ୍ତରରେ କୈଳାସ ପର୍ବତ ଶ୍ରେଣୀ ଓ ଦକ୍ଷିଣରେ ହିମାଳୟ ପର୍ବତଶ୍ରେଣୀର ମଧ୍ୟବର୍ତ୍ତୀ ଉପତ୍ୟକାରେ ପ୍ରାୟ ୧୧୦୦ କି.ମି. ପ୍ରବାହିତ ହୋଇଛି । ନିଜର ଉପର ଶଯ୍ୟାରେ ବ୍ରହ୍ମପୁତ୍ର ତିବ୍ୱତୀୟ ଭାଷାରେ ସାଂଗପୋ (ଅର୍ଥାତ୍ ବିଶୁଦ୍ଧକାରୀ), ଚୀନି ଭାଷାରେ ୟାରଲୁଙ୍ଗ ଜାଂଗବୋ ଓ ଅନେକ ସ୍ଥାନୀୟ ପାହାଡି ନାମରେ ଜଣାଶୁଣା । ତିବ୍ୱତରେ ଏହି ନଦୀ ସହିତ ମିଶୁଥିବା ମୁଖ୍ୟ ଉପନଦୀମାନେ ହେଲେ: ରାକା ସାଂଗପୋ, ନ୍ୟାଂଗ୍-କୁ ଇତ୍ୟାଦି ।
ତିବ୍ୱତରେ ପେ ଅଞ୍ଚଳ ଅତିକ୍ରମ କଲା ପରେ, ବ୍ରହ୍ମପୁତ୍ର ନଦୀ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ମୁହାଁଇଛି । ନିଜ ଗତିପଥରେ ଗ୍ୟାଲା ପେରି ଓ ନାମଚା ବରୁଆ ଅତିକ୍ରମ କରି ବ୍ରହ୍ମପୁତ୍ର ନଦୀ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗ ଆଡକୁ ଅଗ୍ରସର ହୋଇ ୟାରଲୁଙ୍ଗ୍-ସାଂଗପୋର ଗଭୀର ଗଣ୍ଡ ମଧ୍ୟଦେଇ ଗତି କରିଛି । ଏହାପରେ ବ୍ରହ୍ମପୁତ୍ର ନଦୀ ଦିହାଂଗ୍ ବା ସିଆଂଗ୍ ନାମବରଣ କରି ଅରୁଣାଚଳ ପ୍ରଦେଶରେ ପ୍ରବେଶ କରିଛି ।
ଭାରତ
ସମ୍ପାଦନାଅରୁଣାଚଳ ପ୍ରଦେଶର ଉଚ୍ଚ ଭୂମିରେ ସିଆଂଗ୍ ନଦୀ ଓ ଅପେକ୍ଷାକୃତ ସମତଳ ଅଞ୍ଚଳରେ ଦିହାଂଗ୍ ନଦୀ ନାମ ସହିତ କିଛି ଦୂର ପ୍ରବାହିତ ହେଲାପରେ ଆସାମରେ ଦିବାଂଗ୍ ଓ ଲୋହିତ ଉପନଦୀମାନଙ୍କ ସହିତ ସମ୍ମିଳିତ ହୋଇଛି । ଲୋହିତ ନଦୀର ମିଳନ ସ୍ଥଳ ପରେ ଏହି ନଦୀ ବ୍ରହ୍ମପୁତ୍ର ନଦୀର ପରିଚୟ ଧାରଣ କରିଛି ଓ ୧୪୫୦ କି.ମି. ପ୍ରବାହିତ ହୋଇ ବଙ୍ଗୋପସାଗରରେ ମିଶିଛି । ଆସାମରେ ନଦୀଶଯ୍ୟାର ପ୍ରସ୍ଥ ପ୍ରାୟ ୧୦ କି.ମି. । ନିଜର କ୍ଷୀଣସ୍ରୋତ ସମୟରେ ମଧ୍ୟ ଏହି ନଦୀ ଆସାମରେ ପ୍ରାୟ ୮ କି.ମି. ପ୍ରସ୍ଥ ବିଶିଷ୍ଟ ଶଯ୍ୟାରେ ପ୍ରବାହିତ ହୁଏ । ଆସାମରେ ଅନେକ ପାହାଡ଼ିଆ ସ୍ରୋତ ଓ ନଦୀ (ଯଥା: ସୁବଂଶିରୀ, କାମେଂଗ୍, ଭାରେଲି, ଧାଂଶିରୀ, ମାନସ, ଚମ୍ପାମତୀ, ସରଳଭଙ୍ଗ, ସାଂକୋଶ) ବ୍ରହ୍ମପୁତ୍ର ସହ ମିଳିତ ହୋଇ ଏହାର କାୟାବୃଦ୍ଧି କରିଥାନ୍ତି । ଅନ୍ୟ ମୁଖ୍ୟ ଉପନଦୀମାନଙ୍କ ମଧ୍ୟରେ ବୁର୍ହି ଡିହିଙ୍ଗ୍, ଦିସାଂଗ୍, ଦିଖୁ ଓ କୋପିଲି ନଦୀ ଅନ୍ୟତମ ।
ଦିବ୍ରୁଗଡ଼ ଓ ଲକ୍ଷ୍ମୀପୁର ଜିଲ୍ଲା ମଧ୍ୟବର୍ତ୍ତୀ ଏକ ସ୍ଥାନରେ ଏହି ନଦୀ ଦୁଇ ଭାଗରେ ବିଭକ୍ତ ହୋଇଛି । ଉତ୍ତର ସ୍ରୋତକୁ ଖେରକୁଟିଆ ନଦୀ ଓ ଦକ୍ଷିଣ ସ୍ରୋତକୁ ଦକ୍ଷିଣ ବ୍ରହ୍ମପୁତ୍ର ନଦୀ କୁହାଯାଏ । ପୁଣି ପ୍ରାୟ ୧୦୦ କି.ମି. ପରେ ଏହି ସ୍ରୋତ ଦୁଇଟି ମିଳିତ ହୋଇ ପ୍ରବାହିତ ହୁଅନ୍ତି । ଏହି ଦୁଇ ସ୍ରୋତଙ୍କ ମଧ୍ୟରେ ଆବଦ୍ଧ ସ୍ଥଳଭାଗ ମଜୁଲି ଦ୍ୱୀପ ନାମରେ ବିଦିତ ଏବଂ ଏହା ବିଶ୍ୱର ସର୍ବବୃହତ୍ ନଦୀ-ଦ୍ୱୀପ ।[୫] ଗୁଆହାଟୀ ନିକଟରେ ବ୍ରହ୍ମପୁତ୍ର ନଦୀର ପ୍ରସ୍ଥ କମି ପ୍ରାୟ ୧ କି.ମି. ହୋଇଯାଇଛି । ଏହାର କମ୍ ପ୍ରସ୍ଥ ଯୋଗୁଁ ସରାଇଘାଟଠାରେ ୧୯୬୨ ମସିହା ଅପ୍ରେଲ୍ ମାସରେ ବ୍ରହ୍ମପୁତ୍ର ନଦୀ ଉପରେ ପ୍ରଥମ ରେଳ ଓ ସଡକ ସେତୁ ନିର୍ମିତ ହୋଇପାରିଲା ।
ବଙ୍ଗଳାଦେଶ
ସମ୍ପାଦନାବ୍ରହ୍ମପୁତ୍ର ଗାରୋ ପାହାଡ ଅତିକ୍ରମ କଲା ପରେ ଢୁବୁରିଠାରେ ବଙ୍ଗଳାଦେଶର ସମତଳ ଅଞ୍ଚଳରେ ପ୍ରବେଶ କରେ । ନିଜ ଗତିପଥରେ ଚିଲମାରୀ ଅତିକ୍ରମ କଲା ପରେ ବ୍ରହ୍ମପୁତ୍ର ନଦୀ ଏହାର ମୁଖ୍ୟ ଉପନଦୀ ତିସ୍ତା ନଦୀ ସହିତ ମିଳିତ ହୁଏ । ତା’ପରେ ବ୍ରହ୍ମପୁତ୍ର ପୁଣି ଦୁଇଟି ଶାଖା ନଦୀରେ ବିଭକ୍ତ ହୋଇଛି । ଜମୁନା (ବା ଜୋମୁନା) ନାମରେ ପରିଚିତ ଏହାର ପଶ୍ଚିମ ଶାଖାନଦୀ ବିଭାଜିତ ଜଳର ଅଧିକାଂଶ ଭାଗ ସହିତ ଗଙ୍ଗା ନଦୀର ନିମ୍ନ ଶଯ୍ୟା (ଯାହାକୁ ବଙ୍ଗଳାଦେଶରେ ପଦ୍ମା ନଦୀ କୁହାଯାଏ) ସହିତ ଗୋଆଲୁନ୍ଦ ଘାଟଠାରେ ମିଳିତ ହୁଏ । ଏହାର ପୂର୍ବ ଶାଖା ନଦୀକୁ ନିମ୍ନ ବ୍ରହ୍ମପୁତ୍ର ବା ପୁରୁଣା ବ୍ରହ୍ମପୁତ୍ର ବୋଲି କୁହାଯାଏ । ପୂର୍ବେ ପ୍ରଶସ୍ତ ଥିବା ନିମ୍ନ ବ୍ରହ୍ମପୁତ୍ର ଏବେ କ୍ରମଶଃ ସଂକୁଚିତ ହୋଇଯାଇଛି । ଢ଼ାକା ନିକଟରେ ଏହା ମେଘନା ନଦୀ ସହ ମିଳିତ ହୋଇଛି । ପୁଣି ଆଗକୁ ପଦ୍ମା ନଦୀ ଏବଂ ମେଘନା ନଦୀ ଚାନ୍ଦପୁର ନିକଟରେ ମିଳିତ ହୋଇ ବଙ୍ଗୋପସାଗରକୁ ପ୍ରବେଶ କରିଛନ୍ତି । ୫୯,୫୭୦ ବର୍ଗ କି.ମି. ବିଶିଷ୍ଟ ଗଙ୍ଗା-ବ୍ରହ୍ମପୁତ୍ରର ତ୍ରିକୋଣଭୂମିରେ ଅନେକ ଛୋଟ ନଦୀ ମିଳିତ ହୋଇଛନ୍ତି ଓ ଏହା ଜୁଆର-ଭଟ୍ଟାଦ୍ୱାରା ସର୍ବଦା ପ୍ରଭାବିତ ।[୬]
ନଦୀ ଉପତ୍ୟକା
ସମ୍ପାଦନାବ୍ରହ୍ମପୁତ୍ର ନଦୀର ଉପତ୍ୟକା ପ୍ରାୟ ୬,୫୧,୩୩୪ ବର୍ଗ କି.ମି. । ଏହି ଅଞ୍ଚଳ ଭୂମିକମ୍ପପ୍ରବଣ ମଧ୍ୟ ।
ଜଳ ନିଷ୍କାସନର ମାପରେ ଗଙ୍ଗା-ବ୍ରହ୍ମପୁତ୍ର ପୃଥିବୀର ନଦୀମାନଙ୍କ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ନଦୀ ଦ୍ୱୟ ପ୍ରାୟ ୩୦,୭୭୦ ଘନ ମିଟର୍ ପ୍ରତି ସେକେଣ୍ଡ୍ ଜଳ ନିଷ୍କାସନ କରନ୍ତି । ସେଥିରୁ ବ୍ରହ୍ମପୁତ୍ରର ଅବଦାନ ପ୍ରାୟ ୧୯୮୦୦ ଘନ ମିଟର୍ ପ୍ରତି ସେକେଣ୍ଡ୍ । ଅତୀତରେ ବ୍ରହ୍ମପୁତ୍ର ନିମ୍ନ ଭାଗ ଜମାଲପୁର ଓ ମାଇମେନସିଂ ଜିଲ୍ଲା ଦେଇ ପ୍ରବାହିତ ହେଉଥିଲା । ୨ ଅପ୍ରେଲ୍, ୧୯୬୨ରେ ହୋଇଥିବା ଏକ ତୀବ୍ର ଭୂମିକମ୍ପ ଯୋଗୁଁ ଏହା ବାହାଦୁରାବାଦ୍ ନିକଟରେ ଦକ୍ଷିଣାଭିମୁଖୀ ହୋଇ ଜମୁନା ନଦୀରେ ପରିଣତ ହେଲା।
ବନ୍ୟା
ସମ୍ପାଦନାମୌସୁମୀ ସମୟରେ (ଜୁନରୁ ଅକ୍ଟୋବର) ବ୍ରହ୍ମପୁତ୍ର ନଦୀରେ ଭୀଷଣ ବନ୍ୟା ଆସିଥାଏ । ବ୍ରହ୍ମପୁତ୍ର ଉପତ୍ୟକାରେ ଜଙ୍ଗଲକ୍ଷୟ ଯୋଗୁଁ ନଦୀ ଶଯ୍ୟାରେ ଅଧିକ ବଲିମାଟି ଚରିଯାଏ ଓ ପୁଣି କାଜିରଙ୍ଗା ଜାତୀୟ ଉଦ୍ୟାନରୁ କ୍ରମାଗତ ମୃତ୍ତିକା ଅବକ୍ଷୟ ଘଟେ । ସାମୟିକ ବନ୍ୟା ପ୍ରଭାବେ ଉର୍ବର ପଟୁମାଟି ମାଡ଼ିଯାଇ କୃଷି ପାଇଁ ସହାୟକ ହୁଏ । କିନ୍ତୁ ବ୍ରହ୍ମପୁତ୍ରରେ ଭୟାବହ ବନ୍ୟା ଅନେକ ଧନ ଓ ଜୀବନ ହାନିର କାରଣ ସାଜେ । ୧୯୯୮ ମସିହାର ବନ୍ୟାରେ ପ୍ରାୟ ୩.୧ କୋଟି ଲୋକ ଓ ୨୦୦୪ ମସିହାର ବନ୍ୟାରେ ପ୍ରାୟ ୩.୬ କୋଟି ଲୋକ ପ୍ରଭାବିତ ହୋଇଥିଲେ । ବନ୍ୟା ନିୟନ୍ତ୍ରଣ ପାଇଁ ଅନେକ ଚେଷ୍ଟା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଅବସ୍ଥାରେ କୌଣସି ଉନ୍ନତି ନାହିଁ । ମଜୁଲି ଦ୍ୱୀପର ପ୍ରାୟ ଏକ-ତୃତୀୟାଂଶ ବନ୍ୟା ଜଳରେ ଧୋଇ ହୋଇଗଲାଣି । କଂକ୍ରିଟ୍ ନିର୍ମିତ ସଡ଼କ ଓ ନଦୀଶଯ୍ୟାରୁ ମୃତ୍ତିକା ଖନନଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରସ୍ତାବ ପରେ ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି । ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କଦ୍ୱାରା ବ୍ରହ୍ମପୁତ୍ର ଏକ୍ସପ୍ରେସ୍ ରାଜପଥର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "Brahmaputra River". Encyclopædia Britannica.
- ↑ "Brahmaputra River Flowing Down From Himalayas Towards Bay of Bengal". Archived from the original on 6 November 2011. Retrieved 22 November 2011.
- ↑ "Water Resources of Bangladesh". FAO. Archived from the original on 2009-08-06. Retrieved 2010-11-18.
- ↑ Gopal, Madan (1990). K.S. Gautam (ed.). India through the ages. Publication Division, Ministry of Information and Broadcasting, Government of India. p. 80.
- ↑ Majuli, River Island. "Largest river island". Guinness World Records. Retrieved 6 September 2016.
- ↑ Singh, Vijay P.; Sharma, Nayan; C. Shekhar; P. Ojha (2004). The Brahmaputra Basin Water Resources. Springer. p. 113. ISBN 978-1-4020-1737-7. Retrieved 7 February 2011.