ସିନ୍ଧୁ ନଦୀ(ଇଂରାଜୀରେ Indus River) ଏସିଆ ମହାଦେଶର ଦୀର୍ଘତମ ନଦୀମାନଙ୍କ ମଧ୍ୟରୁ ଅନ୍ୟତମ । ତିବ୍ବତ ମାଳଭୂମିରେ ମାନସରୋବର ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରୁ ଏହି ନଦୀର ଉତ୍ପତ୍ତି । ନିଜ ଉତ୍ପତ୍ତିସ୍ଥଳରୁ ବାହାରି ଏହି ନଦୀ ଲଦାଖ ଅଞ୍ଚଳ ଅତିକ୍ରମ କରି ଗିଲ୍‍ଗିଟ୍-ବାଲ୍‍ଟିସ୍ତାନରେ ହିନ୍ଦୁକୁଶ ପର୍ବତମାଳାର ଉପତ୍ୟକାରେ ପ୍ରବେଶ କରିଛି । ତାହା ପରେ ଏହା ଦକ୍ଷିଣମୁଖୀ ହୋଇ ପାକିସ୍ତାନରେ ପ୍ରବାହିତ ହୋଇ ବନ୍ଦର ନଗରୀ କରାଚୀ ନିକଟରେ ଆରବ ସାଗର ସହିତ ସମ୍ମିଳିତ ହୋଇଛି ।[୧][୨] ସିନ୍ଧୁ ନଦୀ ପାକିସ୍ତାନର ଦୀର୍ଘତମ ନଦୀ ଓ ଏହାକୁ ପାକିସ୍ତାନର ଜାତୀୟ ନଦୀ ବୋଲି କୁହାଯାଏ ।[୩]

ସିନ୍ଧୁ ନଦୀ
River Sindh.jpg
ସିନ୍ଧୁ ନଦୀର ଚିତ୍ର (ଖାରମାଂଗ ଜିଲ୍ଲା, ପାକିସ୍ତାନ)
Indus (fleuve).png
ମାନଚିତ୍ରରେ ସିନ୍ଧୁ ନଦୀର ପ୍ରବାହ ପଥ [୧]
Other name(s)ଇଣ୍ଡସ୍ ରିଭର୍ (ଇଂରାଜୀ)
ଦେଶଚୀନ, ଭାରତ, ପାକିସ୍ତାନ
ରାଜ୍ୟଲଦାଖ, ପାକିସ୍ତାନର ପଞ୍ଜାବ, ଖାଇବର୍ ପଖ୍‍ତୁନ୍‍ଖ୍ୱା, ସିନ୍ଧ, ଗିଲ୍‍ଗିଟ୍-ବାଲ୍‍ଟିସ୍ତାନ, ତିବ୍ବତ
ସହର ଓ ନଗରଲେହ, ସ୍କାର୍ଦୁ, ଦାସୁ, ବେଶମ୍, ଠାକୋଟ୍, ସ୍ୱାବି, ଡେରା ଇସ୍ମାଇଲ୍ ଖାନ, ସୁକ୍କୁର୍, ପାକିସ୍ତାନର ହାଇଦ୍ରାବାଦ
Basin
Main sourceତିବ୍ବତୀୟ ମାଳଭୂମି
River mouthସିନ୍ଧୁ ନଦୀ ତ୍ରିକୋଣଭୂମି (ମୁଖ୍ୟ), କୋରି କ୍ରିକ୍ (ଦ୍ୱିତୀୟ)
୦ ମିଟର୍
23°59′40″N 67°25′51″E / 23.99444°N 67.43083°E / 23.99444; 67.43083Coordinates: 23°59′40″N 67°25′51″E / 23.99444°N 67.43083°E / 23.99444; 67.43083
Basin size୧୧,୬୫,୦୦୦ ବର୍ଗ କିଲୋମିଟର୍
Physical characteristics
Length୩୧୮୦ କିଲୋମିଟର୍
Discharge
  • Location:
    ଆରବ ସାଗର
  • Minimum rate:
    ୧୨୦୦ ଘନ ମିଟର୍ ପ୍ରତି ସେକେଣ୍ଡ୍
  • Average rate:
    ୬୬୦୦ ଘନ ମିଟର୍ ପ୍ରତି ସେକେଣ୍ଡ୍
  • Maximum rate:
    ୫୮୦୦୦ ଘନ ମିଟର୍ ପ୍ରତି ସେକେଣ୍ଡ୍
Features
Tributaries
  • Left:
    ଜାନ୍‍ସ୍କାର୍ ନଦୀ, ସୁରୁ ନଦୀ, ସୋନ୍ ନଦୀ, ଝେଲମ୍ ନଦୀ, ଚେନାବ୍ ନଦୀ, ରାୱି ନଦୀ (ଈରାବତୀ), ବେଆସ୍ ନଦୀ (ବିତସ୍ତା), ଶତଲେଜ୍ ନଦୀ (ଶତଦ୍ରୁ), ପଞ୍ଜନଦ ନଦୀ, ଘଗ୍ଗର-ହାକ୍ରା ନଦୀ, ଲୁନି ନଦୀ
  • Right:
    ଶ୍ୟୋକ୍ ନଦୀ, ହୁଞ୍ଜା ନଦୀ, ଗିଲ୍‍ଗିଟ୍ ନଦୀ, ସ୍ୱାଟ୍ ନଦୀ, କୁନାର ନଦୀ, କାବୁଲ୍ ନଦୀ, କୁର୍ରମ୍ ନଦୀ, ଗୋମଲ୍ ନଦୀ, ଝୋବ୍ ନଦୀ
ଭାରତପାକିସ୍ତାନରେ ବ୍ୟାପ୍ତ ସିନ୍ଧୁ ନଦୀ ଅବବାହିକାର ଉପଗ୍ରହକୁ ନିଆଯାଇଥିବା ଚିତ୍ର (ଅନ୍ତର୍ଜାତୀୟ ସୀମା ଏଥିରେ ଚିହ୍ନିତ କରାଯାଇନାହିଁ)

ସିନ୍ଧୁ ନଦୀର ଅବବାହିକା ୧୧,୬୫,୦୦୦ ବର୍ଗ କିଲୋମିଟର୍ ଅଞ୍ଚଳରେ ବ୍ୟାପ୍ତ । ଏହାର ବାର୍ଷିକ ପ୍ରବାହ ହାରାହାରି ୨୪୩ ଘନ କିଲୋମିଟର୍ ଯାହା ନୀଳ ନଦୀର ବାର୍ଷିକ ପ୍ରବାହର ୨ ଗୁଣ ଓ ୟୁଫ୍ରେଟିସ୍-ଟାଇଗ୍ରିସ୍ ନଦୀର ମିଳିତ ପ୍ରବାହର ୩ ଗୁଣ । ଏହି କାରଣରୁ ଜଳ ନିଷ୍କାସନ ହାର ଦେଖିଲେ ସିନ୍ଧୁ ନଦୀକୁ ବିଶ୍ୱର ବୃହତ୍ତମ ନଦୀମାନଙ୍କ ଶ୍ରେଣୀରେ ଗଣନା କରାଯାଇପାରେ ।[୪] ଲଦାଖରେ ଜାନ୍‍ସ୍କାର ନଦୀ ଏହାର ବାମ ତୀରର ଉପନଦୀ । ସମତଳ ଅଞ୍ଚଳକୁ ପ୍ରବେଶ କରିବା ପରେ ସିନ୍ଧୁର ବାମ ତୀରରେ ପଞ୍ଜନଦ ଏହାର ମୁଖ୍ୟ ଉପନଦୀ ଯାହା ଚେନାବ, ଝେଲମ୍, ରାୱି, ବେଆସ୍ ଓ ଶତଲେଜ୍ ନଦୀର ମିଳନରୁ ସୃଷ୍ଟ । ଡାହାଣ ତୀରରେ ମିଶୁଥିବା ଉପନଦୀମାନଙ୍କ ମଧ୍ୟରେ ଶ୍ୟୋକ୍, ଗିଲ୍‍ଗିଟ୍, କାବୁଲ୍, ଗୋମଲ୍ ଓ କୁର୍ରମ୍ ନଦୀ ପ୍ରଧାନ । ଏକ କ୍ଷୁଦ୍ର ପାହାଡ଼ିଆ ଝରଣା ରୂପେ ସୃଷ୍ଟ ସିନ୍ଧୁ ନଦୀ ହିମସ୍ରୋତ, ତଥା ହିମାଳୟ, କାରାକୋରମ୍ ଓ ହିନ୍ଦୁକୁଶର ନଦୀମାନଙ୍କଦ୍ୱାରା ପରିବୃଦ୍ଧ ହୋଇଛି । ଏହା ପରେ ସମତଳ ଭୂମି ତଥା ଶୁଷ୍କ ଅଞ୍ଚଳ ଦେଇ ପ୍ରବାହିତ ହେଉଛି ଯାହାଦ୍ୱାରା ସେଠାକାର ଜୈବମଣ୍ଡଳ ଓ ପରିବେଶ ପରିଚାଳିତ ହୋଇଥାନ୍ତି ।

ସିନ୍ଧୁ ଉପତ୍ୟକାର ଉତ୍ତର ପାର୍ଶ୍ୱ “ପଞ୍ଜାବ ଅଞ୍ଚଳ” ଏବଂ ନିମ୍ନାଂଶ “ସିନ୍ଧ ଅଞ୍ଚଳ” ରୂପେ ପରିଚିତ । ଏହି ଅଞ୍ଚଳରେ ବସବାସ କରିଆସିଥିବା ଅତୀତର ବିଭିନ୍ନ ସଂସ୍କୃତିରେ ସିନ୍ଧୁ ନଦୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଖ୍ରୀଷ୍ଟପୂର୍ବ ୩୦୦୦ରେ ସିନ୍ଧୁ ଉପତ୍ୟକାରେ ସିନ୍ଧୁ ସଭ୍ୟତା ଗଢ଼ି ଉଠିଥିଲା । ଏହା କାଂସ୍ୟ ଯୁଗର ଏକ ପ୍ରମୁଖ ନଗର ସଭ୍ୟତା ଭାବେ ପରିଚିତ । ଖ୍ରୀଷ୍ଟପୂର୍ବ ୨୦୦୦ ବେଳକୁ ରଚିତ ଋକବେଦରେ ପଞ୍ଜାବ ଅଞ୍ଚଳକୁ ସପ୍ତ ସିନ୍ଧୁ ବୋଲି କୁହାଯାଇଛି । ପାର୍ସୀମାନଙ୍କ ଅୱେସ୍ତାରେ ଏହି ଅଞ୍ଚଳକୁ ହପ୍ତ ହିନ୍ଦୁ ବୋଲି ଅଭିହିତ କରାଯାଇଛି । ଉଭୟ ଶବ୍ଦର ଅର୍ଥ ହେଲା ସାତ ନଦୀ । ଐତିହାସିକ ରାଜ୍ୟ ବା ସାମ୍ରାଜ୍ୟମାନଙ୍କ ମଧ୍ୟରୁ ଗାନ୍ଧାର, ରୋର ଓ ଶୌବୀର ପ୍ରଭୃତି ରାଜ୍ୟ ସିନ୍ଧୁ ଉପତ୍ୟକାରେ ଅବସ୍ଥିତ ଥିଲା । ପାରସ୍ୟର ରାଜା ଡାରିୟସ୍ ଜଣେ ଦୂତଙ୍କୁ ଖ୍ରୀଷ୍ଟପୂର୍ବ ୫୧୫ରେ ଏହି ନଦୀ ବିଷୟରେ ଅଧିକ ଜାଣିବାକୁ ପଠାଇଥିଲେ ଓ ତାହା ପରଠାରୁ ପାଶ୍ଚାତ୍ୟ ଦେଶର ଲୋକେ ସିନ୍ଧୁ ନଦୀ ବିଷୟରେ ଜାଣିବାକୁ ପାଇଲେ ।

ନାମକରଣର ଇତିହାସସମ୍ପାଦନ କରନ୍ତୁ

ସଂସ୍କୃତ ଭାଷାରେ ଏହି ନଦୀକୁ ସିନ୍ଧୁ ଓ ପାର୍ସୀ ଭାଷାରେ ଏହି ନଦୀକୁ ହିନ୍ଦୁ ବୋଲି କୁହାଯାଏ । ସ୍ଥଳପଥରେ ବାହାରୁ ଭାରତକୁ ଆସୁଥିବା ଲୋକେ ସିନ୍ଧୁ ନଦୀକୁ ସୀମାନ୍ତ ନଦୀ ବା ସୀମାରେ ଥିବା ନଦୀ ବୋଲି କହୁଥିଲେ ।[୫][୬][୭][୮][୯] ପ୍ରାଚୀନ ଇରାନୀୟ ଭାଷାରେ *ସ ଧ୍ୱନି ବୋଲି ଉଚ୍ଚାରିତ ହେଉଥିବାରୁ ଏପରି ଦୁଇଟି ନାମ ସୃଷ୍ଟି ହୋଇଥିଲା । ଆସ୍କୋ ପାର୍ପୋଲାଙ୍କ ମତରେ ଆନୁମାନିକ ଖ୍ରୀଷ୍ଟପୂର୍ବ ୮୫୦-୬୦୦ ବେଳକୁ ଏହି ଦୁଇ ନାମର ପ୍ରଚଳନ ଆରମ୍ଭ ହୋଇଥିଲା ।[୧୦][୧୧] ପାରସ୍ୟର ଆକେମେନିଡ୍ ସାମ୍ରାଜ୍ୟରୁ ଗ୍ରୀକ୍ (ଯବନ) ଲୋକେ ଏହି ନଦୀର ନାମ ଜାଣିବା ପରେ ତାହାକୁ ନିଜ ଭାଷାରେ ଇଣ୍ଡୋସ୍ (Ἰνδός) ବୋଲି ଉଚ୍ଚାରଣ କଲେ ।[୧୨] ପରେ ପ୍ରାଚୀନ ରୋମ୍ ସଭ୍ୟତାରେ ଏହି ନାମ ସାମାନ୍ୟ ଅପଭ୍ରଷ୍ଟ ହୋଇ ଇଣ୍ଡସ୍ ବୋଲାଇଲା । ପ୍ରଚଳିତ ଇଂରାଜୀ ଭାଷାରେ ମଧ୍ୟ ଇଣ୍ଡସ୍ ନାମ ରହିଛି ।

ସଂସ୍କୃତରେ ସିନ୍ଧୁ ଶବ୍ଦର ଅର୍ଥ ହେଲା ସାଗର, ମହାସାଗର ଅଥବା କୌଣସି ବୃହତ୍ ଜଳାଶୟ ।[୧୩] ପରବର୍ତ୍ତୀ ସମୟରେ ପାରସ୍ୟ ଭାଷାରେ ସିନ୍ଧୁ ନଦୀକୁ ଦରିଆ ବୋଲି ମଧ୍ୟ ନାମିତ କରାଯାଇଛି ।[୧୪] ଦରିଆ ଶବ୍ଦଟି ମଧ୍ୟ କୌଣସି ବୃହତ୍ ଜଳାଶୟ ଅଥବା ସାଗରକୁ ସୂଚାଇଥାଏ । ସିନ୍ଧୁ ଶବ୍ଦର ଅନ୍ୟ ଭାଷାରେ କିଛି ନାମ ହେଲା - ସିନ୍ଦା (ପାଖାପାଖି ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀର ଏସିରୀୟ ଭାଷାରେ), ଆବ୍-ଏ-ସିନ୍ଦ୍ (ପାରସ୍ୟ ଭାଷାରେ), ଅବାସିନ୍ଦ୍ (ପସ୍ତୋ ଭାଷାରେ), ଅଲ୍-ସିନ୍ଦ୍ (ଆରବୀୟ ଭାଷାରେ), ସିନ୍ତୌ (ଚୀନୀ ଭାଷାରେ) ଏବଂ ସନ୍ତ୍ରୀ (ଜାଭାଦ୍ୱୀପର ଭାଷାରେ) ।

ଅନ୍ୟାନ୍ୟ ଏସୀୟ ଭାଷା ଦେଖିଲେ ସିନ୍ଧୁ ନଦୀକୁ ହିନ୍ଦୀ ଭାଷାରେ ସିନ୍ଧୁ (सिन्धु), ସିନ୍ଧୀ ଭାଷାରେ ସିନ୍ଧୁ (سنڌو), ଶାହାମୁଖୀ ପଞ୍ଜାବୀ ଭାଷାରେ ସିନ୍ଧ୍ (سندھ), ଗୁରୁମୁଖୀ ପଞ୍ଜାବୀ ଭାଷାରେ ସିନ୍ଧ୍ ନଦୀ (ਸਿੰਧ ਨਦੀ), ପସ୍ତୋ ଭାଷାରେ ଅବାସିନ୍ (اباسين) – ଅର୍ଥାତ୍ ନଦୀମାନଙ୍କ ପିତା, ଆରବୀୟ ଭାଷାରେ ନହର୍-ଅଲ୍-ସିନ୍ଦ୍ (نهر السند), ସାଧାରଣ ତିବ୍ବତୀୟ ଭାଷାରେ ସିଙ୍ଗି ଖମ୍ବନ୍ (སེང་གེ་གཙང་པོ།) – ଅର୍ଥାତ୍ ସିଂହ ସ୍ରୋତ, ଚୀନୀ ଭାଷାରେ ୟିନ୍ଦୁ (印度), ତୁର୍କୀ ଭାଷାରେ ନୀଲାବ ଏବଂ ସିଂହଳୀ ଭାଷାରେ ସିନ୍ଧୁ ନଦୀ (සින්දු නදී) ବୋଲି କୁହନ୍ତି ।

ବିବରଣୀସମ୍ପାଦନ କରନ୍ତୁ

 
ବାବର ସିନ୍ଧୁ ନଦୀ ଅତିକ୍ରମ କରିବାର ଚିତ୍ର

ପାକିସ୍ତାନର ଅର୍ଥନୀତିରେ ସିନ୍ଧୁ ନଦୀର ଜଳ ସମ୍ବଳର ବିଶେଷ ଭୂମିକା ରହିଛି । ମୁଖ୍ୟତଃ ପାକିସ୍ତାନର ପଞ୍ଜାବ (ଅଧିକ କୃଷି ଉତ୍ପାଦନ ପାଇଁ ଏହି ଅଞ୍ଚଳ ପାକିସ୍ତାନର ରୁଟିଝୁଡ଼ି (breadbasket) ଭାବେ ପରିଚିତ) ଓ ସିନ୍ଧ ଅଞ୍ଚଳ ସିନ୍ଧୁ ନଦୀଦ୍ୱାରା ବିଶେଷ ରୂପେ ଉପକୃତ ହୋଇଥାନ୍ତି । ପଞ୍ଜାବ ଶବ୍ଦର ଅର୍ଥ ହେଲା - "ପାଞ୍ଚ ନଦୀର ଦେଶ" । ଏଠାରେ ପାଞ୍ଚଟି ନଦୀ ହେଲେ ଝେଲମ, ଚେନାବ, ରାୱି, ବେଆସ୍ ଓ ଶତଲେଜ ଯାହା ମିଳିତ ଭାବେ ସିନ୍ଧୁ ନଦୀରେ ନିଷ୍କାସିତ ହୋଇଥାନ୍ତି । ଏତତ୍ ବ୍ୟତୀତ ସିନ୍ଧୁ ନଦୀ ପାକିସ୍ତାନର ବହୁ ଉଦ୍ୟୋଗକୁ ଆବଶ୍ୟକୀୟ ପାଣି ଓ ଅନ୍ୟାନ୍ୟ ସହର ପାଇଁ ଉଦ୍ଦିଷ୍ଟ ପାନୀୟ ଜଳ ଯୋଗାଇଥାଏ ।

ସିନ୍ଧୁ ନଦୀର ମୂଳ ଉତ୍ସ ତିବ୍ବତରେ ରହିଛି । ସେଙ୍ଗେ ଜାଙ୍ଗବୋ ଓ ଗାର୍ ତ୍ସାଙ୍ଗପୋର ସଙ୍ଗମରୁ ସିନ୍ଧୁ ନଦୀର ଆରମ୍ଭ ହୋଇଛି । ଏହି ଦୁଇ ନଦୀ ଗାଂଗଲୋଂଗ କାଂଗ୍ରି ଓ ଗାଂଗଦିସେ ଶାନ୍ (କୈଳାସ ପର୍ବତର ଗାଂଗ୍ ରିମ୍ପୋଶେ) ପର୍ବତରେ ପ୍ରବାହିତ ସ୍ରୋତ ଓ ଝରଣାସମୂହରୁ ସୃଷ୍ଟ । ଏହି ସଙ୍ଗମ ପରେ ସିନ୍ଧୁ ନଦୀ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଲଦାଖ ଓ ବାଲ୍‍ଟିସ୍ତାନ ଅତିକ୍ରମ କରିବା ପରେ କାରାକୋରମ୍ ପର୍ବତଶ୍ରେଣୀର ଦକ୍ଷିଣରେ ଗିଲ୍‍ଗିଟ୍ ସହିତ ମିଳିତ ହୋଇଛି । ଶ୍ୟୋକ୍, ଶିଗର୍ ଓ ଗିଲି‍ଗିଟ୍ ନଦୀ ମୁଖ୍ୟତଃ ହିମସ୍ରୋତରୁ ସୃଷ୍ଟ ଓ ଏମାନେ ସିନ୍ଧୁ ନଦୀକୁ ନିଜ ଜଳଦ୍ୱାରା ପରିବୃଦ୍ଧ କରିଥାନ୍ତି । ଏହା ପରେ ସିନ୍ଧୁ ନଦୀ ଦକ୍ଷିଣାଭିମୁଖୀ ହୋଇ ପାକିସ୍ତାନର କାଲାବାଗଠାରେ ପଞ୍ଜାବର ସମତଳ ଅଞ୍ଚଳକୁ ପ୍ରବେଶ କରିଛି । ନଙ୍ଗା ପର୍ବତ ନିକଟରେ ସିନ୍ଧୁ ନଦୀରେ ଗଭୀର ଗଣ୍ଡମାନ ରହିଛି ଯାହାର ଗଭୀରତା ୪୨୦୦-୫୨୦୦ମିଟର୍ (୧୫୦୦୦-୧୭୦୦୦ ଫୁଟ୍) । ଏହା ପରେ ସିନ୍ଧୁ ନଦୀ ହଜାରା ନିକଟରେ ଅତି ତୀବ୍ର ଧାରରେ ପ୍ରବାହିତ ହୋଇଛି ଓ ସେଠାରେ ତର୍ବେଲା ନଦୀବନ୍ଧ ନିର୍ମାଣ କରାଯାଇଛି । ଆଟକ୍‍ଠାରେ କାବୁଲ ନଦୀ ସିନ୍ଧୁ ନଦୀ ସହ ମିଳିତ ହୋଇଛି । ଏହା ପରଠାରୁ ସିନ୍ଧୁ ନଦୀ ପଞ୍ଜାବର ସମତଳ ଅଞ୍ଚଳରେ ପ୍ରବାହିତ ।[୧୫] ପଞ୍ଜାବ ପରେ ପାକିସ୍ତାନର ସିନ୍ଧ ଅଞ୍ଚଳ ଦେଇ ପ୍ରବାହିତ ହେବାବେଳକୁ ସିନ୍ଧୁ ନଦୀ ଅଧିକ ପ୍ରସାରିତ, ବିଖଣ୍ଡିତ ଓ ଧୀର ହୋଇଯାଇଛି । ମିଠାନକୋଟ ନିକଟରେ ପଞ୍ଜନଦ ନଦୀ ସିନ୍ଧୁ ସହିତ ମିଳିତ ହୋଇଛି । ପଞ୍ଜନଦ ସଙ୍ଗମ ପରଠାରୁ ସିନ୍ଧୁ ନଦୀକୁ ଏକଦା ସତନଦ ନଦୀ ବୋଲି ମଧ୍ୟ କୁହାଯାଉଥିଲା (ସିନ୍ଧୁ, ପଞ୍ଜାବର ପାଞ୍ଚ ନଦୀ ଓ କାବୁଲ ନଦୀକୁ ମିଶାଇ ସାତ ନଦୀ) । ଏହା ପରେ ସିନ୍ଧୁ ନଦୀ ଜାମଶୋରୋ ଅତିକ୍ରମ କରି ପାକିସ୍ତାନର ସିନ୍ଧ ଅଞ୍ଚଳର ଥଟ୍ଟାର ଦକ୍ଷିଣକୁ ନିଜର ମୁଖ୍ୟ ତ୍ରିକୋଣଭୂମିରେ ଅନେକ ଶାଖାରେ ବିଖଣ୍ଡିତ ହୋଇଛି ।

ସିନ୍ଧୁ ନଦୀରେ ଜୁଆର ଆସିଲେ ନଦୀ ମୁହାଣରେ ବିପରୀତ ଦିଗରେ ପ୍ରବାହ ଘଟିଥାଏ । ତିବ୍ବତ, ଭାରତ ଓ ପାକିସ୍ତାନରେ ରହିଥିବା ହିମାଳୟ, କାରାକୋରମ ଓ ହିନ୍ଦୁକୁଶର ହିମସ୍ରୋତମାନେ ସିନ୍ଧୁ ନଦୀ ବ୍ୟବସ୍ଥାର ମୁଖ୍ୟ ଉତ୍ସ । ଋତୁଚକ୍ରର ପରିବର୍ତ୍ତନରେ ସିନ୍ଧୁ ନଦୀର ପ୍ରବାହରେ ମଧ୍ୟ ଭିନ୍ନତା ଦେଖାଯାଇଥାଏ । ଶୀତ ଋତୁରେ ନଦୀରେ ପାଣି କମ୍ ଥିବା ବେଳେ ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମୌସୁମୀ ପ୍ରବାହ ସମୟରେ ନଦୀରେ ପ୍ରଚୁର ବନ୍ୟା ଜଳ ପ୍ରବାହିତ ହୋଇଥାଏ । ପ୍ରାଗୈତିହାସିକ ସମୟରୁ ନଦୀର ଗତିପଥରେ ବାରମ୍ବାର ପରିବର୍ତ୍ତନ ହେବାର ପ୍ରମାଣ ରହିଛି – ଯଥା : ୧୮୧୬ ମସିହାରେ ଏକ ଭୂମିକମ୍ପ ପରେ ବନ୍ନି ତୃଣଭୂମିକୁ ଲାଗି କଚ୍ଛର ଲବଣମରୁକୁ ପ୍ରବାହିତ ହେଉଥିବା ସିନ୍ଧୁ ନଦୀ ସାମାନ୍ୟ ପଶ୍ଚିମାଭିମୁଖୀ ହୋଇ ପ୍ରବାହିତ ହେବାକୁ ଲାଗିଲା ।[୧୬][୧୭] ବର୍ତ୍ତମାନ ସମୟରେ ବନ୍ୟାଜଳ ଅଧିକ ହେଲେ ହିଁ ସିନ୍ଧୁ ନଦୀର ଏକ ଅଂଶ କଚ୍ଛ ଲବଣ ମରୁକୁ ପ୍ରବାହିତ ହୋଇଥାଏ ।[୧୮]

ତିବ୍ବତରେ କୈଳାସ ପର୍ବତ ନିକଟବର୍ତ୍ତୀ ସେଙ୍ଗେ ଖବାବ ସ୍ରୋତକୁ (ଅର୍ଥାତ୍ ସିଂହର ମୁଖ) ସିନ୍ଧୁ ନଦୀର ଉତ୍ସ ବୋଲି ପୁରୁଣା ବିଶ୍ୱାସ ରହିଛି । ଏହି ନିକଟରେ ଅନେକ ଝରଣା ଓ ସ୍ରୋତ ଏହା ସହ ମିଳିତ ହୋଇଛନ୍ତି । ଯଦିଓ ଏହି ସ୍ରୋତମାନଙ୍କ ମଧ୍ୟରୁ ଅନେକ ସେଙ୍ଗେ ଖବାବ ସ୍ରୋତଠାରୁ ବଡ଼, କିନ୍ତୁ ଏହି ସ୍ରୋତମାନଙ୍କ ପ୍ରବାହ ହାର ବରଫ ପାଣି ତରଳିବା ଉପରେ ନିର୍ଭରଶୀଳ । ସିନ୍ଧୁ ନଦୀ ସହ ସଙ୍ଗମ ପୂର୍ବରୁ ଜାନ୍‍ସ୍କାର ନଦୀରେ ସିନ୍ଧୁ ନଦୀରୁ ଅଧିକ ପାଣି ପ୍ରବାହିତ ହୋଇଥାଏ ।[୧୯]

ଐତିହାସିକ ତଥ୍ୟସମ୍ପାଦନ କରନ୍ତୁ

 
ଖ୍ରୀ.ପୂ. ୩୦୦୦ରୁ ଗଢ଼ି ଉଠିଥିବା ସିନ୍ଧୁ ସଭ୍ୟତାର ବ୍ୟାପ୍ତି ଓ କିଛି ମହତ୍ତ୍ୱପୂର୍ଣ୍ଣ ସ୍ଥାନ

ଋକବେଦରେ ଅନେକ ନଦୀର ଉଲ୍ଲେଖ ରହିଛି ଯାହା ମଧ୍ୟରୁ "ସିନ୍ଧୁ" ନଦୀ ଅନ୍ୟତମ । ଋକବେଦରେ ୧୭୬ ଥର ଏକବଚନ ଶବ୍ଦ "ସିନ୍ଧୁ" ଓ ୯୪ ଥର ବହୁବଚନ ଶବ୍ଦ "ସିନ୍ଧବଃ" ଉଲ୍ଲିଖିତ ଅଛି । ସିନ୍ଧୁ ଶବ୍ଦଟି ଅଧିକାଂଶ ସମୟରେ ନଦୀ ପାଇଁ ହିଁ ବ୍ୟବହୃତ ହୋଇଛି । ପରବର୍ତ୍ତୀ କାଳରେ ରଚିତ ଓ ଋକବେଦରେ ସମ୍ମିଳିତ ସ୍ତୋତ୍ର ସବୁରେ ସିନ୍ଧୁ ଶବ୍ଦ କେବଳ ସିନ୍ଧୁ ନଦୀ ପାଇଁ ବ୍ୟବହୃତ ହୋଇଛି ; ଉଦାହରଣ ସ୍ୱରୂପ ନଦୀସ୍ତୁତି ସୁକ୍ତ । ଋକବେଦର ଶ୍ଳୋକରେ ବ୍ରହ୍ମପୁତ୍ର ବ୍ୟତୀତ ଅନ୍ୟ ସମସ୍ତ ନଦୀଙ୍କୁ ସ୍ତ୍ରୀଲିଙ୍ଗବାଚୀ ଶବ୍ଦରେ ସମ୍ବୋଧନ କରାଯାଇଛି ।

ସିନ୍ଧୁ ଉପତ୍ୟକାରେ ଗଢ଼ି ଉଠିଥିବା ପ୍ରାଚୀନ ସଭ୍ୟତାର କିଛି ମୁଖ୍ୟ ନଗର ହେଲେ – ହରପ୍ପାମହେଞ୍ଜୋଦାରୋ । ଏହି ନଗରର ଅବଶେଷ ଏମାନଙ୍କ ଜୀବନକାଳ ଆନୁମାନିକ ଖ୍ରୀ.ପୂ. ୩୩୦୦ସମୟରେ ଅବସ୍ଥାପିତ କରିଥାଏ ଯାହାକି ଆମ ଜ୍ଞାତସାରରେ ଥିବା ସର୍ବବୃହତ୍ ପ୍ରାଚୀନ ସଭ୍ୟତା । ଏହି ସଭ୍ୟତା ଉତ୍ତର-ପୂର୍ବ ଆଫଗାନିସ୍ତାନରୁ ନେଇ ସମ୍ପୂର୍ଣ୍ଣ ପାକିସ୍ତାନ ଓ ଉତ୍ତର-ପଶ୍ଚିମ ଭାରତ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ।[୨୦] ଉତ୍ତର ଦିଗରେ ଝେଲମ ନଦୀର ପୂର୍ବ ପଟେ ରୋପର୍‍ରୁ ଶତଲେଜ୍‍ର ଉପରମୁଣ୍ଡ ପର୍ଯ୍ୟନ୍ତ ଏହି ସଭ୍ୟତାର ଅବଶେଷ ମିଳେ । ସମୁଦ୍ର କୂଳରେ ପାକିସ୍ତାନ ଓ ଇରାନ ସୀମାସ୍ଥିତ ସୁଟକାଗାନ ଡୋରରୁ ଗୁଜରାଟର କଚ୍ଛ ପର୍ଯ୍ୟନ୍ତ ସିନ୍ଧୁ ସଭ୍ୟତା ବ୍ୟାପ୍ତ ଥିଲା । ଉତ୍ତର ଆଫଗାନିସ୍ତାନରେ ଆମୁ ନଦୀ (ସ୍ଥାନୀୟ ନାମ "ଆମୁ ଦରିଆ") କୂଳର ଶୋର୍ତ୍ତୁଘାଇ ଓ ଦିଲ୍ଲୀଠାରୁ ୨୮ କିଲୋମିଟର୍ ଦୂରରେ ହିନ୍ଦୋନ ନଦୀ କୂଳର ଆଲମଗିରପୁର ପରି ସ୍ଥାନରେ ମଧ୍ୟ ସିନ୍ଧୁ ସଭ୍ୟତାର ଅବଶେଷ ଦେଖିବାକୁ ମିଳେ । ଅଦ୍ୟାବଧି ୧୦୫୨ରୁ ଅଧିକ ସ୍ଥାନରେ ସିନ୍ଧୁ ସଭ୍ୟତାର ଅବଶେଷ ମିଳିଛି ଓ ଏଗୁଡ଼ିକ ପ୍ରାୟତଃ ଘଗ୍ଗର-ହାକ୍ରା ନଦୀ ଓ ତାହାର ଉପନଦୀମାନଙ୍କ କୂଳରେ ଅବସ୍ଥିତ । ସିନ୍ଧୁ ସଭ୍ୟତାର ନଗରୀମାନଙ୍କ ମଧ୍ୟରେ ହରପ୍ପା ଓ ମହେଞ୍ଜୋଦାରୋ ମୁଖ୍ୟ । ତା’ଛଡ଼ା ଲୋଥାଲ୍, ଧୋଲାୱିରା, ଗନେରିୱାଲା, ରାଖିଗର୍‍ହି ପ୍ରଭୃତି ସ୍ଥାନରୁ ମଧ୍ୟ ସିନ୍ଧୁ ସଭ୍ୟତାର ବହୁ ଅବଶେଷ ମିଳିଛି । ସିନ୍ଧୁ ସଭ୍ୟତା ବିଷୟରେ ଜଣାଥିବା ୮୦୦ରୁ ଅଧିକ ସ୍ଥାନ ମଧ୍ୟରୁ କେବଳ ୯୦-୯୬ଟି ସ୍ଥାନ ଆବିଷ୍କୃତ ହୋଇଛି । ଶତଲେଜ୍ (ଶତଦ୍ରୁ) ନଦୀ ସିନ୍ଧୁ ସଭ୍ୟତା ସମୟରେ ଘଗ୍ଗର-ହାକ୍ରା ନଦୀର ଉପନଦୀ ଥିଲା ଯାହା ତଟରେ ଅନେକ ସହର ଓ ଜନବସତି ଗଢ଼ି ଉଠିଥିଲା ବୋଲି ବିଶ୍ୱାସ କରାଯାଏ । ପରବର୍ତ୍ତୀ ସମୟରେ ଶତଲେଜ୍ ନଦୀ ପଶ୍ଚିମକୁ ଦିଗ ପରିବର୍ତ୍ତନ କରି ସିନ୍ଧୁ ନଦୀ ସହିତ ମିଳିତ ହେଲା ବୋଲି ଅନୁମାନ କରାଯାଉଛି ।

ଖ୍ରୀଷ୍ଟପୂର୍ବ ୧୭୦୦ରୁ ୬୦୦ ପର୍ଯ୍ୟନ୍ତ ଭାରତୀୟ-ଆର୍ଯ୍ୟମାନେ ଗାନ୍ଧାର ରାଜ୍ୟରେ ବସତି ସ୍ଥାପନ କରୁଥିଲେ ଯାହା "ଗାନ୍ଧାର ସମାଧି ସଭ୍ୟତା" ବା "ସ୍ୱାଟ୍ ସଂସ୍କୃତି"ର ପ୍ରତ୍ନତାତ୍ତ୍ୱିକ ଅବଶେଷରୁ ଜଣାପଡ଼ିଛି । ମହେଞ୍ଜୋଦାରୋ ଓ ହରପ୍ପା ପରି ନଗରର ପତନ ବା ପରିତ୍ୟାଗ ପରେ ଏହି ଜନବସତି ଆରମ୍ଭ ହୋଇଥିଲା ।

ଭାରତର ଇଂରାଜୀ ନାମ ଇଣ୍ଡିଆ ମଧ୍ୟ ସିନ୍ଧୁ ନଦୀର ଇଂରାଜୀ ନାମ ଇଣ୍ଡସ୍‍ରୁ ଉଦ୍ଧୃତ । ପ୍ରାଚୀନ ସମୟରେ ସିନ୍ଧୁ ନଦୀର କୂଳବର୍ତ୍ତୀ ଅଞ୍ଚଳକୁ ଭାରତ ବୋଲି ଲୋକେ କହୁଥିଲେ । ଖ୍ରୀ.ପୂ. ୩୦୦ ବେଳକୁ ହେରୋଡଟସ୍ମେଘାସ୍ଥିନିସ୍ ପରି ଗ୍ରୀକ୍ ଐତିହାସିକ ଏବଂ ପରିବ୍ରାଜକମାନେ ସମ୍ପୂର୍ଣ୍ଣ ଭାରତୀୟ ଉପମହାଦେଶକୁ ଇଣ୍ଡିଆ ବୋଲି କହିବା ଆରମ୍ଭ କଲେ ।[୨୧][୨୨]

ସିନ୍ଧୁ ନଦୀର ନିମ୍ନ ଅବବାହିକା ଇରାନୀୟ ମାଳଭୂମି ଓ ଭାରତୀୟ ଉପମହାଦେଶ ମଧ୍ୟରେ ପ୍ରାକୃତିକ ସୀମା ନିର୍ଦ୍ଧାରଣ କରିଥାଏ । ଏହି ଅଞ୍ଚଳ ସମଗ୍ର ପାକିସ୍ତାନ (ବଲୋଚିସ୍ତାନ, ଖାଇବର୍ ପଖ୍‍ତୁନ୍‍ଖ୍ୱା, ପଞ୍ଜାବ, ସିନ୍ଧ), ଆଫଗାନିସ୍ତାନ ଓ ଭାରତରେ ବ୍ୟାପ୍ତ । ଗ୍ରୀସ ଦେଶର ମେସିଡୋନିଆ ରାଜ୍ୟର ବିଶ୍ୱବିଜୟୀ ସମ୍ରାଟ[ଆଧାର ଲୋଡ଼ା] ଆଲେକ୍‍ଜାଣ୍ଡାର୍ ସିନ୍ଧୁ ନଦୀର ପଶ୍ଚିମ ତଟ ପର୍ଯ୍ୟନ୍ତ ବିଜୟ କରି ନିଜ ସାମ୍ରାଜ୍ୟରେ ମିଶାଇଥିଲେ । କିନ୍ତୁ ତତ୍‍ପରେ ସେମାନେ ସିନ୍ଧୁ ନଦୀର ଦକ୍ଷିଣ ଭାଗରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତାହା ପରବର୍ତ୍ତୀ ସମୟରେ ସିନ୍ଧୁ ନଦୀର ଅବବାହିକାସ୍ଥ ସମତଳଭୂମି ପ୍ରଥମେ ପାରସ୍ୟ ସାମ୍ରାଜ୍ୟଦ୍ୱାରା ଓ ପରେ କୁଶାଣ ରାଜବଂଶଦ୍ୱାରା ଶାସିତ ହେଉଥିଲା । ଭାରତକୁ ଆକ୍ରମଣ ଓ ଅଧିକାର କରିଥିବା ମହମ୍ମଦ ବିନ୍ କାଶିମ୍, ଗଜନୀର ମାମୁଦ, ମହମ୍ମଦ ଘୋରୀ, ତୈମୁରଲଂଗ, ବାବରଙ୍କ ପରି ମୁସ୍‍ଲିମ୍ ଶାସକ ଓ ତାଙ୍କ ସୈନ୍ୟବାହିନୀ ବିଭିନ୍ନ ସମୟରେ ସିନ୍ଧୁ ନଦୀ ଅତିକ୍ରମ କରି ଭାରତରେ ପ୍ରବେଶ କରିଥିଲେ ।

ଭୌଗୋଳିକ ତଥ୍ୟସମ୍ପାଦନ କରନ୍ତୁ

ଲଦାଖର ଲେହ ସହର ନିକଟରେ ସିନ୍ଧୁ ନଦୀର ପ୍ରବାହ

ଉପନଦୀ ସମୂହସମ୍ପାଦନ କରନ୍ତୁ

  • କାବୁଲ୍ ନଦୀ
  • କୁନାର ନଦୀ
  • କୁର୍ରମ ନଦୀ
  • ଗାର୍ ତ୍ସାଙ୍ଗପୋ
  • ଗିଲ୍‍ଗିଟ୍ ନଦୀ
  • ଗୋମଲ୍ ନଦୀ
  • ଚେନାବ୍ ନଦୀ
  • ଜାନ୍‍ସ୍କାର ନଦୀ
  • ଝେଲମ୍ ନଦୀ
  • ଝୋବ ନଦୀ
  • ପଞ୍ଜନଦ ନଦୀ
  • ବେଆସ୍ (ବିତସ୍ତା) ନଦୀ
  • ହୁଞ୍ଜା ନଦୀ
  • ରାୱି (ଈରାବତୀ) ନଦୀ
  • ଶତଲେଜ୍ (ଶତଦ୍ରୁ) ନଦୀ
  • ଶ୍ୟୋକ ନଦୀ
  • ସୁରୁ ନଦୀ
  • ସୋନ୍ ନଦୀ
  • ସ୍ୱାଟ୍ ନଦୀ

ଭୂବିଜ୍ଞାନସମ୍ପାଦନ କରନ୍ତୁ

 
କାରାକୋରମ ରାଜପଥରୁ ସିନ୍ଧୁ ନଦୀର ଦୃଶ୍ୟ
 
ଭାରତର ଲେହରେ ସିନ୍ଧୁ ନଦୀ (୨୦୧୪ର ଫଟୋ)
 
ସିନ୍ଧୁ (ବାମ) ଓ ଜାନ୍‍ସ୍କାର (ଡାହାଣ) ନଦୀଦ୍ୱୟର ସଙ୍ଗମସ୍ଥଳ । ବାମରୁ ଡାହାଣକୁ ପ୍ରବାହିତ ସିନ୍ଧୁ ଅପେକ୍ଷା ଉପରୁ ତଳକୁ ପ୍ରବାହିତ ଜାନ୍‍ସ୍କାରରେ ଅଧିକ ଜଳ ପ୍ରବାହିତ ହୋଇଥାଏ

ସିନ୍ଧୁ ନଦୀ ଯୋଗୁଁ ସିନ୍ଧୁ ସମୁଦ୍ରତଳ ପଟୁ (Indus submarine fan) ସୃଷ୍ଟି ହୋଇଛି ଓ ଏହା ପୃଥିବୀର ଦ୍ୱିତୀୟ ବୃହତ୍ତମ ସମୁଦ୍ରତଳ ପଟୁ ।[୨୩] ଆଦିମ ଯୁଗରୁ ବିଭିନ୍ନ ପର୍ବତରୁ ଅବକ୍ଷୟ ହୋଇ ଆସିଥିବା ୫୦ ଲକ୍ଷ ଘନ କିଲୋମିଟର୍ ବସ୍ତୁରୁ ଏହା ଗଠିତ । ଏହି ସବୁ ମୁଖ୍ୟତଃ ଭାରତ ଓ ପାକିସ୍ତାନର କାରାକୋରମ୍ ପର୍ବତମାଳାରୁ ଓ ଆଉ ଏକ ଅଂଶ ହିମାଳୟରୁ ପଞ୍ଚ ନଦୀଦ୍ୱାରା ବହି ଆସି ଜମା ହୋଇଛି ବୋଲି ଏକ ଗବେଷଣାରୁ ଜଣା ପଡ଼ିଛି । ଆରବ ସାଗରରୁ ସଂଗୃହୀତ ପଟୁ ଇତ୍ୟାଦିରୁ ଜଣା ପଡ଼େ ଯେ ୫୦ ଲକ୍ଷ ବର୍ଷ ପୂର୍ବେ ପଞ୍ଜାବ ଅଞ୍ଚଳର ପାଞ୍ଚ ନଦୀ ସିନ୍ଧୁ ଦେଇ ଆରବ ସାଗରକୁ ନୁହେଁ ବରଂ ଗଙ୍ଗାଦ୍ୱାରା ବଙ୍ଗୋପସାଗର ଆଡ଼କୁ ପ୍ରବାହିତ ହେଉଥିଲେ ।[୨୪] ଆଉ ଏକ ପୂର୍ବ ଗବେଷଣା ଅନୁଯାୟୀ ୪୫୦ ଲକ୍ଷ ବର୍ଷ ପୂର୍ବେ ଆରବ ସାଗରରେ ପଶ୍ଚିମ ତିବ୍ବତରୁ ବହି ଆସିଥିବା ପଟୁ ଓ ବାଲି ମିଳେ ଯାହା ସେହି ସମୟରେ ସିନ୍ଧୁ ନଦୀ ବହୁଥିବାର ସମ୍ଭାବନା ବ୍ୟକ୍ତ କରେ ।[୨୫] ପ୍ରଚୀନ ସମୟର ଏହି ସିନ୍ଧୁ ନଦୀର ତ୍ରିକୋଣଭୂମି ବା ମୁହାଣ ଆଫଗାନିସ୍ତାନ ଓ ପାକିସ୍ତାନ ସୀମା ନିକଟବର୍ତ୍ତୀ କଟାୱଜଠାରେ ଥିବାର ଅନୁମାନ କରାଯାଏ ।

ବାରମ୍ବାର ଦିଗ ପରିବର୍ତ୍ତନ କରି ବହିଥିବା ସିନ୍ଧୁ ନଦୀ ଯୋଗୁଁ ନଙ୍ଗା ପର୍ବତ ଅଞ୍ଚଳରେ ବହୁତ ଭୂଭାଗର ଅବକ୍ଷୟ ଘଟିଛି । [୨୬]

୨୦୧୧ ମସିହା ନଭେମ୍ବର ମାସର ଏକ ଉପଗ୍ରହ ଚିତ୍ରରୁ ଜଣା ପଡ଼ିଲା ଯେ ସିନ୍ଧୁ ନଦୀ ପୁଣି ଭାରତକୁ ପଶି କଚ୍ଛର ଲବଣମରୁ ଓ ଅହମଦାବାଦ ନିକଟସ୍ଥ ନଳ ସରୋବର ପକ୍ଷୀ ଅଭୟାରଣ୍ୟର ହ୍ରଦ ମଧ୍ୟକୁ ପ୍ରବାହିତ ହେବାକୁ ଲାଗିଛି ।[୧୮] ପ୍ରବଳ ବୃଷ୍ଟିପାତ ଯୋଗୁଁ କଲ୍ରି, ମଞ୍ଚାର, ହେମଲ ହ୍ରଦମାନଙ୍କରୁ ପାଣି ଉଛୁଳି ବନ୍ୟା ହେଉଛି । ୧୮୧୯ର ଭୂମିକମ୍ପର ପ୍ରାୟ ଦୁଇ ଶତାବ୍ଦୀ ପରେ ପୁଣି ଏପରି ଗତିପଥରେ ପରିବର୍ତ୍ତନ ଘଟିଛି ।

ଟ୍ରାଇଏସିକ୍ କଳ୍ପର “ଇଣ୍ଡ୍ୱାନ” କାଳର ନାମ ସିନ୍ଧୁର ଇଂରାଜୀ ନାମ ଇଣ୍ଡସ୍‍ରୁ ଉଦ୍ଧୃତ ।

ଜୀବଜନ୍ତୁସମ୍ପାଦନ କରନ୍ତୁ

 
ସିନ୍ଧୁ ନଦୀ ଉପରେ ଏକ ପାଦଚଲା ପୋଲ (ପାକିସ୍ତାନ)
 
ସିନ୍ଧୁରେ ମାଛ ମାରୁଥିବା ମତ୍ସ୍ୟଜୀବୀ (ଆନୁମାନିକ ୧୯୦୫ ମସିହାର ଫଟୋ)

ଆଲେକ୍‍ଜାଣ୍ଡାରଙ୍କ ଯୁଦ୍ଧଯାତ୍ରା ସମୟର ଐତିହାସିକ ବିବରଣୀରୁ ଜଣାଯାଏ ଯେ ସିନ୍ଧୁ ନଦୀକୂଳରେ ବହୁ ଘଞ୍ଚ ଅରଣ୍ୟ ଥିଲା ଯାହା ବର୍ତ୍ତମାନ ବହୁମାତ୍ରାରେ ହ୍ରାସ ପାଇଛି । ନିଜ ଆତ୍ମଜୀବନୀ ପୁସ୍ତକ “ବାବରନାମା”ରେ ମୋଗଲ ସମ୍ରାଟ ବାବର ସିନ୍ଧୁ ନଦୀ କୂଳରେ ଗଣ୍ଡା ଦେଖିଥିବାର ଉଲ୍ଲେଖ କରିଛନ୍ତି । ବ୍ୟାପକ ଜଙ୍ଗଲ ଉଚ୍ଛେଦ ଓ ମନୁଷ୍ୟମାନଙ୍କ ହସ୍ତକ୍ଷେପ ଯୋଗୁଁ ସିୱାଲିକ୍ ପର୍ବତର ଭୌଗୋଳିକ ପରିସ୍ଥିତି, ସେଠାକାର ବନରାଜି ଓ ପରିବେଶ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ସିନ୍ଧୁ ଉପତ୍ୟକା ଶୁଷ୍କ ଓ ଏଠାରେ ସବୁଜିମା ମଧ୍ୟ କମ୍ । ଜଳସେଚନ ହିଁ ଏଠାକାର ଉତ୍ତମ କୃଷି ଉତ୍ପାଦନର କାରଣ । ସିନ୍ଧୁ ନଦୀର ଅବବାହିକାରେ ଜୈବବିବିଧତା ଦୃଷ୍ଟିକୋଣରୁ ପରିପୁଷ୍ଟ । ଏହି ଅଞ୍ଚଳରେ ପ୍ରାୟ ୨୫ଟି ପ୍ରଜାତିର ଉଭୟଚର ଜୀବ ଦେଖିବାକୁ ମିଳନ୍ତି ।[୨୭]

ସ୍ତନ୍ୟପାୟୀସମ୍ପାଦନ କରନ୍ତୁ

ସିନ୍ଧୁ ନଦୀ ଡଲ୍‍ଫିନ୍ (ଜୀବବିଜ୍ଞାନ ନାମ Platanista indicus minor) କେବଳ ସିନ୍ଧୁ ନଦୀରେ ଦେଖାଯାଇଥାନ୍ତି । ସିନ୍ଧୁ ନଦୀ ଡଲ୍‍ଫିନ୍ ଦକ୍ଷିଣ-ଏସୀୟ ନଦୀ ଡଲ୍‍ଫିନ୍‍ମାନଙ୍କର ଏକ ଉପପ୍ରଜାତି । ବିଶ୍ୱ ବନ୍ୟଜୀବ କୋଷ (World Wildlife Fund) ଅନୁଯାୟୀ ଏହି ଡଲ୍‍ଫିନ୍‍ର ଅବସ୍ଥା ସଙ୍କଟାପନ୍ନ କାରଣ ଏହି ପ୍ରଜାତିର ଜୀବସଂଖ୍ୟା କେବଳ ୧୦୦୦ ହୋଇଗଲାଣି ।[୨୮]

ସିନ୍ଧୁ ଅବବାହିକାରେ ଉତ୍ତର-ପୂର୍ବସ୍ଥ ଉଚ୍ଚଭୂମି ଅଞ୍ଚଳରେ ୟୁରେସୀୟ ଓଧ ଓ ଅନ୍ୟତ୍ର ଚିକ୍କଣ ଚର୍ମ ଓଧ – ଏପରି ଦୁଇଟି ପ୍ରଜାତିର ଓଧ ଦେଖାଯାନ୍ତି । ସିନ୍ଧୁ ନଦୀରେ ପରିଲକ୍ଷିତ ଚିକ୍କଣ ଚର୍ମ ଓଧକୁ ସିନ୍ଧ ଓଧ (ଜୀବବିଜ୍ଞାନ ନାମ Lutrogale perspicillata sindica) କୁହାଯାଏ ଓ ଏହି ପ୍ରଜାତି ଅନ୍ୟତ୍ର କେଉଁଠାରେ ମଧ୍ୟ ଦେଖିବାକୁ ମିଳେନାହିଁ ।[୨୯]

ମତ୍ସ୍ୟ ସମ୍ପଦସମ୍ପାଦନ କରନ୍ତୁ

ସିନ୍ଧୁ ଅବବାହିକାର ମତ୍ସ୍ୟ ସମ୍ପଦରେ ୧୮୦ଟି ପ୍ରଜାତିର ବିବିଧ ମଧୁରଜଳ ମାଛ ଦେଖାଯାନ୍ତି[୩୦] ଓ ତାହା ମଧ୍ୟରୁ ୨୨ଟି ପ୍ରଜାତି ଅନ୍ୟତ୍ର ଦେଖିବାକୁ ମିଳନ୍ତି ନାହିଁ ।[୨୭] ମାଛ ଧରିବା ବା ଖାଇବା ପ୍ରାଚୀନ ସିନ୍ଧୁ ସଭ୍ୟତାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାକାର ସଂସ୍କୃତିର ଏକ ଅଂଶ ରହିଆସିଛି । ସିନ୍ଧୁ ସଭ୍ୟତାର ଲିପିରେ ମାଛର ଚିତ୍ର ବାରମ୍ବାର ଦେଖିବାକୁ ମିଳେ । ଏହି ଚିତ୍ର ମାଛ ନଚେତ୍ କୌଣସି ତାରକା ବା ଭଗବାନଙ୍କ ସଙ୍କେତ ଭାବେ ବ୍ୟବହୃତ ହୋଇଥାଇପାରେ ।[୩୧]

ସିନ୍ଧୁ ନଦୀର ଉପର ମୁଣ୍ଡରେ କମ୍ ପ୍ରଜାତିର ମାଛ, ଯଥା : ସ୍ନୋଟ୍ରାଉଟ୍, ମାଗୁର ଇତ୍ୟାଦି ଦେଖାଯାନ୍ତି ।[୩୦] ସେଠାରୁ ତଳକୁ ଆସିଲେ ସିୁନେଲି ମହାଶିର ମାଛ ପରି ପ୍ରଜାତିର ମାଛ ମିଳିଥାନ୍ତି । ଥାକୋଟ, ତର୍ବେଲା, କାବୁଲ-ସିନ୍ଧୁ ସଙ୍ଗମ ପ୍ରଭୃତି ସ୍ଥାନରେ ମାଛ ପ୍ରଜାତିରେ ବିବିଧତା ବହୁମାତ୍ରାରେ ବଢ଼ିଯାଏ ।[୩୦] ପଞ୍ଜାବର ସମତଳ ଭୂମିକୁ ପହଞ୍ଚିବା ବେଳକୁ ସିନ୍ଧୁ ନଦୀର ବେଗ ଖୁବ୍ ଧୀର ହୋଇଯାଇଥାଏ । ତେଣୁ ଏହି ଅଞ୍ଚଳରେ ଭାକୁର, ଖଇଙ୍ଗା, ତୁଡ୍ଡି (ଇଲ୍), ପରି ମାଛ ଦେଖିବାକୁ ମିଳନ୍ତି ।[୩୦] ଉଚ୍ଚଭୂମିରେ ଥିବା ହ୍ରଦ ବା ଉପନଦୀରେ ଯେଉଁ ସବୁ ମାଛ ଦେଖାଯାନ୍ତି, ସେମାନେ ନିମ୍ନ ଅବବାହିକାରେ ପ୍ରାୟତଃ ମିଳନ୍ତି ନାହିଁ ।[୩୦] ସମଭୂମିର ନିମ୍ନାଂଶରେ ଇଲିଶୀ, ରୋହୁ, ଭାକୁର ପରି ମାଛ ମିଳନ୍ତି ।[୩୦] ତ୍ରିକୋଣଭୂମି ନିକଟରେ ମଧୁରପାଣି ମାଛ ସହ ଲୁଣିପାଣି ମାଛ, ଚିଙ୍ଗୁଡ଼ି, ପମ୍ଫ୍ରେଟ୍ ପରି ମାଛ ଆଦି ରୁହନ୍ତି ।[୩୦]

ଇଲିଶୀ ମାଛ ନଦୀ କୂଳର ବାସିନ୍ଦାଙ୍କ ପାଇଁ ଏକ ମନପସନ୍ଦ ମାଛ । ସିନ୍ଧୁ ନଦୀରେ ଇଲିଶୀ ମାଛର ପରିମାଣ ମଧ୍ୟ ଅଧିକ । ସୁକ୍କୁର, ଥଟ୍ଟା ଓ କୋଟ୍ରିରେ ବଡ଼ ବଡ଼ ମାଛଧରା କେନ୍ଦ୍ର ମଧ୍ୟ ରହିଛି । ବନ୍ଧ ଓ ସେଚନ କେନାଲମାନଙ୍କ ଯୋଗୁଁ ଏଠାରେ ମାଛଧରା ବେଉଷା ମଧ୍ୟ ତିଷ୍ଠି ରହିଛି ।

ଅର୍ଥନୀତି ଉପରେ ପ୍ରଭାବସମ୍ପାଦନ କରନ୍ତୁ

ସିନ୍ଧୁ ନଦୀର ଜଳ ପଞ୍ଜାବ ଓ ସିନ୍ଧର ସମତଳ ଅଞ୍ଚଳରେ ଖାଦ୍ୟ, ପାନୀୟ ଓ କୃଷିର ମେରୁଦଣ୍ଡ ପରି । ସିନ୍ଧୁ ଉପତ୍ୟକାର ନିମ୍ନାଂଶରେ ବୃଷ୍ଟିପାତର ମାତ୍ରା କମ ଥିବାରୁ ସେଠାରେ ସିନ୍ଧୁ ନଦୀର ମହତ୍ତ୍ୱ ଆହୁରି ବଢ଼ିଯାଏ । ସିନ୍ଧୁ ସଭ୍ୟତା ସମୟରୁ ଲୋକେ ସିନ୍ଧୁ ନଦୀରୁ ଜଳସେଚନ ପାଇଁ କେନାଲ୍ ଖୋଳି ବ୍ୟବହାର କରିଆସୁଛନ୍ତି । ପରବର୍ତ୍ତୀ ସମୟରେ କୁଶାଣ ଓ ମୋଗଲ ସାମ୍ରାଜ୍ୟର ଲୋକେ ଅନେକ ଜଳସେଚନ କେନାଲ୍ ନିର୍ମାଣ କରିଥିଲେ । ଇଂରେଜ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ସମୟରେ ୧୮୫୦ ମସିହାରେ କିଛି ଆଧୁନିକ କେନାଲ୍‍ର ନିର୍ମାଣ ଓ ଅନେକ ପୁରାତନ କେନାଲ୍‍ର ମରାମତି କରାଯାଇଥିଲା । ଇଂରେଜମାନେ ଏଠାରେ ବିଶ୍ୱର ଜଟିଳ ସେଚନ ବ୍ୟବସ୍ଥାର ନିର୍ମାଣ କରାଇଥିଲେ । ଗୁଡ୍ଡୁ ବ୍ୟାରେଜ୍ ୧୩୫୦ ମିଟର୍ ଲମ୍ବା ଓ ଏହା ସୁକ୍କୁର, ଜାକବାବାଦ, ଲର୍କାନା, କଲାତ ଆଦି ଅଞ୍ଚଳକୁ ସେଚିତ କରିଥାଏ । ସୁକ୍କୁର ବ୍ୟାରେଜ୍ ୨୦,୦୦୦ ବର୍ଗ କି.ମି.ରୁ ବଡ଼ ଅଞ୍ଚଳରେ ଜଳସେଚନର ସୁବିଧା ପହଞ୍ଚାଇ ଥାଏ ।

ପାକିସ୍ତାନ ଗଠିତ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହେଲା ଏବଂ ଏହା ଯୋଗୁଁ ଉପରମୁଣ୍ଡ ଭାରତରେ ଥିଲେ ହେଁ ପାକିସ୍ତାନକୁ ସିନ୍ଧୁ, ଝେଲମ୍ ଓ ଚେନାବ ନଦୀର ସିଂହଭାଗ ଜଳ ମିଳିଲା ।[୩୨]

ପରିକଳ୍ପିତ ସିନ୍ଧୁ ଅବବାହିକା ଯୋଜନା (Indus Basin Project) ଅନୁସାରେ ଝେଲମ ନଦୀ ଉପରେ ମଙ୍ଗଳା ବନ୍ଧ ଏବଂ ସିନ୍ଧୁ ନଦୀ ଉପରେ ତର୍ବେଲା ବନ୍ଧ ଏବଂ କିଛି କ୍ଷୁଦ୍ର ସହାୟକ ନଦୀବନ୍ଧ ନିର୍ମିତ ହେବାର ଥିଲା ।[୩୩] ପାକିସ୍ତାନର ଜଳ ଓ ଶକ୍ତି ଉନ୍ନୟନ ବିଭାଗ ଚସମା ଓ ଝେଲମ ଯୋଡ଼ ସେଚନ କେନାଲ୍‍ର କାର୍ଯ୍ୟ ଆରମ୍ଭ କରିଥିଲା । ଏହି ସଂଯୁକ୍ତ କେନାଲ୍ ବାହାୱାଲପୁର ଓ ମୁଲତାନ ପର୍ଯ୍ୟନ୍ତ ଜଳ ଯୋଗାଣ କରିପାରେ । ରାୱଲପିଣ୍ଡି ନିକଟରେ ପାକିସ୍ତାନ ୨୭୪୩ ମିଟର୍ ଲମ୍ବା ଓ ୧୪୩ ମିଟର୍ ଉଚ୍ଚ ତର୍ବେଲା ନଦୀବନ୍ଧ ନିର୍ମାଣ କରିଛି ଯାହାର ଜଳଭଣ୍ଡାରର ଦୈର୍ଘ୍ୟ ୮୦ କିଲୋମିଟର୍ । ଡେରା ଇସ୍ମାଇଲ୍ ଖାନ ନିକଟସ୍ଥ ଚସମା ବ୍ୟାରେଜରୁ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ଡେରା ଗାଜି ଖାନ ନିକଟସ୍ଥ ତୌନ୍ସା ବ୍ୟାରେଜରୁ ୧ ଲକ୍ଷ କିଲୋୱାଟ୍ ବିଦ୍ୟୁତଶକ୍ତି ଉତ୍ପାଦନ ପାଇଁ ତର୍ବେଲା ନଦୀବନ୍ଧ ସହାୟକ ହୋଇଥାଏ । ହାଇଦ୍ରାବାଦ (ସିନ୍ଧ) ନିକଟସ୍ଥ କୋଟ୍ରି ବ୍ୟାରେଜ ୯୧୫ ମିଟର୍ ଉଚ୍ଚ ଓ ଏହା କରାଚୀର ଅତିରିକ୍ତ ଜଳ ଆବଶ୍ୟକତାକୁ ପୂରଣ କରିଥାଏ । ସିନ୍ଧୁର ଉପନଦୀମାନଙ୍କର ବ୍ୟାପକ ସଂଯୋଗୀକରଣ ଯୋଗୁଁ ଖାଇବର ପଖ୍‍ତୁନ୍‍ଖ୍ୱାର ପେଶାୱର ଉପତ୍ୟକାରେ ଜଳର ଚାହିଦା ପୂରଣ କରାଯାଇପାରୁଛି । ପାକିସ୍ତାନରେ କପା, ଆଖୁ ଓ ଗହମ ପରି ଶସ୍ୟର ବହୁଳ ଉତ୍ପାଦନର ଶ୍ରେୟ ସିନ୍ଧୁ ନଦୀ ଓ ଏହାର ଉପନଦୀମାନଙ୍କୁ ମିଶାଇ କରାଯାଇଥିବା ଯୋଜନାମାନଙ୍କୁ ଯାଇଥାଏ । କିଛି ନଦୀବନ୍ଧ ଯୋଜନାରୁ ଶିଳ୍ପୋଦ୍ୟୋଗ ଓ ସହରମାନଙ୍କୁ ବିଦ୍ୟୁତ ଯୋଗାଣ ମଧ୍ୟ କରାଯାଇଥାଏ ।

ସିନ୍ଧୁ ନଦୀ କୂଳର ବାସିନ୍ଦାସମ୍ପାଦନ କରନ୍ତୁ

 
ଗିଲ୍‍ଗିଟ୍-ବାଲ୍‍ଟିସ୍ତାନର ସ୍କାର୍ଦୁ ନିକଟରେ ବହିଯାଉଥିବା ସିନ୍ଧୁ ନଦୀ

ସିନ୍ଧୁ ନଦୀର ଅଧିକାଂଶ ଭାଗ ପାକିସ୍ତାନରେ ପ୍ରବାହିତ ଏବଂ ପାକିସ୍ତାନ ଏକ ମୁସଲିମ୍ ଦେଶ ହୋଇଥିବାରୁ ସିନ୍ଧୁ ନଦୀ କୂଳରେ ବାସ କରୁଥିବା ସର୍ବାଧିକ ଲୋକ ଇସଲାମ ଧର୍ମାବଲମ୍ବୀ ବୋଲି କୁହାଯାଇପାରିବ । ତେବେ ଏମାନଙ୍କ ଜାତି, ଭାଷା ଓ ବର୍ଣ୍ଣରେ ବିବିଧତା ପରିଲକ୍ଷିତ ହୋଇଥାଏ । ନିଜର ଉପରାର୍ଦ୍ଧରେ ସିନ୍ଧୁ ନଦୀ ଲଦାଖ ଦେଇ ପ୍ରବାହିତ ହୋଇଛି । ସେହି ଅଞ୍ଚଳରେ ମୁଖ୍ୟତଃ ତିବ୍ବତୀୟ ବୌଦ୍ଧ ଓ ଇସଲାମପନ୍ଥୀ ଦାର୍ଦ ଲୋକମାନେ ବାସ କରନ୍ତି । ଲଦାଖ ପରେ ଏହା ଉତ୍ତର-ପାକିସ୍ତାନର ବାଲ୍‍ଟିସ୍ତାନକୁ ପ୍ରବେଶ କରିଛି ଓ ସ୍କାର୍ଦୁ ସହର ନିକଟଦେଇ ଅଗ୍ରସର ହୋଇଛି । ଦୁବୈର ବଜାର ନିକଟରେ ଦୁବୈର ବାଲାରୁ ଆସୁଥିବା ଏକ ନଦୀ ସିନ୍ଧୁ ସହିତ ମିଳିତ ହୋଇଛି । ଏହି ସ୍ଥାନର ଲୋକେ ମୁଖ୍ୟତଃ କୋହିସ୍ତାନୀ ଓ ସେମାନେ କୋହିସ୍ତାନୀ ଭାଷା କୁହନ୍ତି । କୋହିସ୍ତାନ ଜିଲ୍ଲାର ଦାସୁ, ପଟ୍ଟନ ଓ ଦୁବୈର ପ୍ରଭୃତି ସିନ୍ଧୁ ନଦୀ କୂଳରେ ଥିବା ପ୍ରମୁଖ ସହର । ସେଠାରୁ ଆଗକୁ ସିନ୍ଧୁ ନଦୀ ଦୁଇ କୂଳରେ ଜାତି-ବର୍ଣ୍ଣ-ଭାଷାର ଲୋକେ ବିଭାଜିତ ହୋଇ ରହିଥିବା ପରି ଜଣାପଡ଼େ । ଏହାର ପଶ୍ଚିମ ତଟରେ ପସ୍ତୁନ୍, ବଲୋଚ ଓ ଇରାନୀୟ ଲୋକେ ବାସ କରୁଥିବା ବେଳେ ଏହାର ପୂର୍ବ ତଟରେ ପଞ୍ଜାବୀ ଓ ସିନ୍ଧ ଲୋକେ ବାସ କରିବା ଦେଖାଯାଏ । ଉତ୍ତର ପଞ୍ଜାବ ଓ ଖାଇବର ପଖ୍‍ତୁନ୍‍ଖ୍ୱାରେ ସ୍ଥାନୀୟ ପସ୍ତୁନ୍ ଓ ଦାର୍ଦ୍ ଜନଜାତିର ଲୋକେ ଖୋୱାର, କଲାଶ, ଶିନା, ବୁରୁଶୋ ଓ ପଞ୍ଜାବୀ ଜାତି ସହ ମିଶି ରୁହନ୍ତି ।

ସିନ୍ଧୁ ନଦୀ ପୂର୍ବ ତଟରେ ବାସ କରୁଥିବା ଲୋକେ ନିଜ ପ୍ରାନ୍ତ ଅନୁଯାୟୀ ମୁଖ୍ୟତଃ ପଞ୍ଜାବୀ, ସିନ୍ଧୀ, ପସ୍ତୋ, ବଲୋଚି ଓ ବରୋହି ଭାଷାରେ କଥା ହୁଅନ୍ତି । ସିନ୍ଧ ଅଞ୍ଚଳର ଉପର ଏକ-ତୃତୀୟାଂଶରେ ସାରାଇକି ନାମକ ଏକ ଭାଷା ମଧ୍ୟ ବୋଲାଯାଏ ଯାହା ପଞ୍ଜାବୀ ଓ ସିନ୍ଧୀର ଏକ ଉପଭାଷା ପରି ।

ଆଧୁନିକ ଯୁଗରେ ସିନ୍ଧୁ ନଦୀ ସମ୍ବନ୍ଧିତ ସମସ୍ୟାସମ୍ପାଦନ କରନ୍ତୁ

 
ଉପଗ୍ରହରୁ ଉପର ସିନ୍ଧୁ ଉପତ୍ୟକାର ଦୁଇଟି ଚିତ୍ରରେ ଜଳର ଆୟତନ ବା ପ୍ରଶସ୍ତିର ତୁଳନା – ୦୧-ଅଗଷ୍ଟ-୨୦୦୯ (ଉପର) ଓ ୩୧-ଜୁଲାଇ-୨୦୧୦ (ତଳ)

ପାକିସ୍ତାନର ଅର୍ଥନୀତି ଓ ଜନଜୀବନ ପାଇଁ ସିନ୍ଧୁ ନଦୀ ଅତି ଗୁରୁତ୍ୱପୂର୍ଣ୍ଣ । ଇଂରେଜ ଶାସନର ସମାପ୍ତି ପରେ ଭାରତ ଓ ପାକିସ୍ତାନ ସ୍ୱାଧୀନ ହୋଇଥିଲେ ; କିନ୍ତୁ ସିନ୍ଧୁ ଓ ପୂର୍ବ ପଟର ପାଞ୍ଚ ଉପନଦୀର ଜଳକୁ ନେଇ ଘୋର ବିବାଦ ସୃଷ୍ଟି ହେଲା । ଶତଲେଜ ନଦୀର ଜଳସେଚନ ନାଳ ଓ ବାରି ଦୋଆବର ନାଳଗୁଡ଼ିକ ପାକିସ୍ତାନ ପଟରେ ରହିଗଲା କିନ୍ତୁ ତାହାର ନିୟନ୍ତ୍ରଣ କରୁଥିବା ବନ୍ଧ ଭାରତ ପଟରେ ରହିଲା । ଏହା ଫଳରେ ପାକିସ୍ତାନରେ ଜଳସେଚନ ବାଧାପ୍ରାପ୍ତ ହେଲା । ପୁଣି ପଞ୍ଜାବ ଅଞ୍ଚଳରେ ଭାରତ ନୂତନ ବନ୍ଧ ନିର୍ମାଣ କରିବାଦ୍ୱାରା ପାକିସ୍ତାନକୁ ଜଳ ଯୋଗାଣ କମିଯିବାର ଆଶଙ୍କା ହେଲା । ଯୁଦ୍ଧ ସମୟରେ ଭାରତ ନଦୀମାନଙ୍କ ପାଣିକୁ ନିଜ ପାଇଁ ବ୍ୟବହାର ଓ ପାକିସ୍ତାନକୁ ହଇରାଣ କରିପାରେ ବୋଲି ପାକିସ୍ତାନରେ ଏକ ରାଜନୈତିକ ଚିନ୍ତା ସୃଷ୍ଟି କଲା । ତେଣୁ ୧୯୬୦ ମସିହାରେ ବିଶ୍ୱବ୍ୟାଙ୍କର ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଆଲୋଚନା ହୋଇ ଉଭୟ ରାଷ୍ଟ୍ରଙ୍କଦ୍ୱାରା ସିନ୍ଧୁ ଜଳ ଚୁକ୍ତି (Indus Waters Treaty) ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଅନୁସାରେ ଭାରତ ପାଖରେ ଶତଲେଜ, ବେଆସ୍ ଏବଂ ରାୱି ନଦୀର ଜଳକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥିବା ବେଳେ ପାକିସ୍ତାନ ପାଖରେ ଝେଲମ, ଚେନାବ ଓ ସିନ୍ଧୁ ନଦୀର ଜଳ ନିୟନ୍ତ୍ରଣ କରିବାର କ୍ଷମତା ରହିଲା । ଭାରତ ପାଖରେ ପଶ୍ଚିମ ନଦୀ ତିନୋଟିକୁ ଜଳସେଚନ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାର ଅଧିକାର ରହିଲା ।[ଆଧାର ଲୋଡ଼ା]

ନଦୀର ପାଣିକୁ ଜଳସେଚନ ପାଇଁ ଅତ୍ୟଧିକ ମାତ୍ରାରେ ଓ ସ୍ଥାନେ ସ୍ଥାନେ ବ୍ୟବହାର କରାଯିବା ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହୋଇଛି । କେନାଲ୍‍ମାନଙ୍କରେ ପଟୁମାଟି ଜମା ହୋଇ ରହିଯାଏ, ଏହା ଚାଷଜମିରେ ପହଞ୍ଚିପାରେ ନାହିଁ ଓ କୃଷି ଉତ୍ପାଦନ ଉପରେ ପ୍ରଭାବ ପକାଇଥାଏ । କିଛି ଅଞ୍ଚଳରେ ଜଳ ସେଚନ ଯୋଗୁଁ ମୃତ୍ତିକାର ଲବଣାଂଶ ବଢ଼ିଛି ; ଏହା କୃଷି ଉତ୍ପାଦନ କମ କରିଛି ଓ ବହୁ ପରିମାଣର ଚାଷଜମି ଆଉ ଚାଷୋପଯୋଗୀ ହୋଇ ରହିନାହିଁ ।[୩୪] ସିନ୍ଧୁ ନଦୀର ତ୍ରିକୋଣଭୂମି ପର୍ଯ୍ୟନ୍ତ ପାଣି ଓ ପଟୁମାଟି ପହଞ୍ଚି ପାରୁ ନଥିବାରୁ ସେଠାକାର ହେନ୍ତାଳ ବଣ ହ୍ରାସ ପାଇବାରେ ଲାଗିଛି ।[୩୫]

ଅତୀତରେ ସିନ୍ଧୁ ବାରମ୍ବାର ଗତିପଥ ପରିବର୍ତ୍ତନ କରିଛି ଏବଂ ଆଗକୁ ମଧ୍ୟ ଏହାର ଗତିପଥ ପଶ୍ଚିମାଭିମୁଖୀ ହେବାର ସମ୍ଭାବନା ରହିଛି ।

ସିନ୍ଧୁ ନଦୀ ତ୍ରିକୋଣଭୂମିସମ୍ପାଦନ କରନ୍ତୁ

ଏକଦା ସିନ୍ଧୁ ନଦୀର ତ୍ରିକୋଣଭୂମି ସିନ୍ଧୁ ନଦୀର ୧୮୦୦୦ କୋଟି ଘନ ମିଟର୍ ପାଣି ନିଷ୍କାସନ କରୁଥିଲା ଏବଂ ତା’ ସହ ପ୍ରାୟ ୪୦ କୋଟି ଟନ୍ ପଟୁ ଓ ବାଲି ଗ୍ରହଣ କରୁଥିଲା ।[୩୬] ୧୯୪୦ ମସିହା ପରଠାରୁ ସିନ୍ଧୁ ନଦୀରେ ବିଭିନ୍ନ ବନ୍ଧ, ବ୍ୟାରେଜ ଓ ଜଳସେଚନ କେନାଲ ନିର୍ମିତ ହୋଇଛି । ଗତ ୧୪୦ ବର୍ଷରେ ସିନ୍ଧୁ ଅବବାହିକାରେ ଏକ ନିରବଚ୍ଛିନ୍ନ ଜଳସେଚନ ବ୍ୟବସ୍ଥା ବିକଶିତ ହୋଇଛି ।[୩୭] ଏହି କାରଣରୁ ୨୦୧୮ ମସିହା ବେଳକୁ କୋଟ୍ରି ବ୍ୟାରେଜ ତଳମୁଣ୍ଡରୁ ନଦୀର ପ୍ରବାହ ବହୁତ କମିଯାଇ ପ୍ରାୟ ୩୩୦୦ କୋଟି ଘନ ମିଟର ହୋଇଯାଇଛି ।[୩୮] ବାର୍ଷିକ ପଟୁ ଓ ବାଲିର ପରିମାଣ ମଧ୍ୟ ପ୍ରାୟ ୧୦ କୋଟି ଟନ୍ ହୋଇଗଲାଣି ।[୩୫] ୨୦୧୦ ମସିହାର ସିନ୍ଧୁ ବନ୍ୟା ତ୍ରିକୋଣଭୂମି ପର୍ଯ୍ୟନ୍ତ ଅଧିକ ପାଣି ବୋହି ଆଣିଥିବାରୁ ତାହା ପରିବେଶ ଓ ନଦୀ ପାଇଁ ଭଲ ବୋଲି କୁହାଯାଇଥିଲା ।[୩୯][୪୦] ଅବବାହିକାର ଜଳକୁ ଆଉ ଅଧିକ ଉପଯୋଗ କରିବା ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ଭବ ମନେହୁଏନାହିଁ ।[୪୧][୪୨]

ସିନ୍ଧୁର ପ୍ରବାହ କମିବା ଫଳରେ ତ୍ରିକୋଣଭୂମିର ସବୁଜିମା ଓ ଜୀବଜଗତଙ୍କ ଅବସ୍ଥା ସଙ୍କଟାପନ୍ନ ହେଉଅଛି । ଜଙ୍ଗଲ ଉଚ୍ଛେଦ, ଔଦ୍ୟୋଗିକ ପ୍ରଦୂଷଣ ଏବଂ ବିଶ୍ୱ ତାପନ ଏହି ପରିସ୍ଥିତିକୁ ପରିବୃଦ୍ଧ କରୁଛନ୍ତି । ନଦୀ ବନ୍ଧମାନଙ୍କ କାରଣରୁ ସିନ୍ଧୁ ନଦୀ ଡଲ୍‍ଫିନ୍‍ମାନଙ୍କ ପରିବାର କ୍ରମଶଃ ବିଖଣ୍ଡିତ ହୋଇଛି ।[୪୩]

ଜଳବାୟୁ ପରିବର୍ତ୍ତନର ପ୍ରଭାବସମ୍ପାଦନ କରନ୍ତୁ

ତିବ୍ବତ ମାଳଭୂମିରେ ପୃଥିବୀର ତୃତୀୟ ସର୍ବାଧିକ ପରିମାଣର ବରଫ ଗଚ୍ଛିତ ରହିଛି । ଚୀନ ପାଣିପାଗ ପ୍ରଶାସନର ପୂର୍ବତନ ମୁଖ୍ୟ ଚିନ୍ ଦାହେ ବରଫର ତରଳିବା ହାର ଓ ତାପମାତ୍ରାରେ ବୃଦ୍ଧି ପର୍ଯ୍ୟଟନ ଓ କୃଷି ପାଇଁ ସହାୟକ ହୋଇପାରେ ବୋଲି କହିଥିଲେ । କିନ୍ତୁ ତା’ ସହିତ ସେ ଏକ ଗମ୍ଭୀର ସତର୍କ ସୂଚନା ମଧ୍ୟ ଦେଇଥିଲେ :

"ଚୀନର ଅନ୍ୟ ଅଞ୍ଚଳ ଅପେକ୍ଷା ଏଠାକାର ତାପମାତ୍ରାବୃଦ୍ଧି ହାର ପ୍ରାୟ ୪ ଗୁଣ ଅଧିକ ଏବଂ ତିବ୍ବତର ହିମସ୍ରୋତ ବିଶ୍ୱର ଅନ୍ୟ ସ୍ଥାନ ଅପେକ୍ଷା ଅଧିକରୁ ଅଧିକ ତରଳିବାରେ ଲାଗିଛି । ନିକଟ ଭବିଷ୍ୟତରେ ଏହା ଯୋଗୁଁ ହ୍ରଦଗୁଡ଼ିକର ଆକାର ବଢ଼ି କାଦୁଅ ଓ ପାଣିର ବନ୍ୟା ଘଟିବ । ସୁଦୂର ଭବିଷ୍ୟତ ଦୃଷ୍ଟିକୋଣରୁ ଚିନ୍ତା କଲେ, ଏହି ସବୁ ହିମସ୍ରୋତ ସିନ୍ଧୁ ନଦୀର ଜୀବନ ଧାରା । ଏଗୁଡ଼ିକ ତରଳି ଗଲେ ପାକିସ୍ତାନକୁ ଜଳ ଯୋଗାଣ ବନ୍ଦ ହୋଇଯିବ ।"[୪୪]

"ସିନ୍ଧୁ ନଦୀ ଉପରେ କି ପ୍ରଭାବ ପଡ଼ିବ ତାହା କହିବା ପାଇଁ ଯଥେଷ୍ଟ ତଥ୍ୟ ନାହିଁ" ବୋଲି ଦକ୍ଷିଣ-ପୂର୍ବ ଏସିଆରେ ବିଶ୍ୱ ବ୍ୟାଙ୍କର ବରିଷ୍ଠ ଜଳ ଉପଦେଷ୍ଟା ଥିବା ଡେଭିଡ୍ ଗ୍ରେ କହିଥିଲେ । ତାଙ୍କ ମତାନୁସାରେ "କିନ୍ତୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିମସ୍ରୋତ ତରଳିବା ସିନ୍ଧୁ ନଦୀର ଜଳ ପ୍ରବାହ ଉପରେ ଗଭୀର ପ୍ରଭାବ ପକାଇପାରେ" ଓ ସିନ୍ଧୁର ପ୍ରବାହ ୫୦% ପର୍ଯ୍ୟନ୍ତ କମିଯାଇପାରେ । "ତେବେ ନଦୀବିହୀନ ମରୁଭୂମିରେ ରହୁଥିବା ଲୋକେ ଭାବିବେ ଯେ ଏହାଦ୍ୱାରା ଜୀବନର ଅନ୍ତ ଘଟିବ ବା ଆଉ କଣ ଭାବିବେ – ତାହା ମୁଁ ଜାଣେନା । କିନ୍ତୁ ଏହା ଏକ ଗମ୍ଭୀର ଚିନ୍ତାର ବିଷୟ ।"

୨୦୧୦ ମସିହାରେ ନିଜ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର କୂଟନୀତିଜ୍ଞ ରିଚାର୍ଡ୍ ହୋଲ୍‍ବ୍ରୁକ୍ କହିଥିଲେ ଯେ – ସିନ୍ଧୁ ନଦୀରେ ଜଳ ପ୍ରବାହ ହ୍ରାସ ପାଇବା ତୃତୀୟ ବିଶ୍ୱଯୁଦ୍ଧର କାରଣ ସାଜିପାରେ ବୋଲି ତାଙ୍କର ବିଶ୍ୱାସ ।"[୪୫]

ପ୍ରଦୂଷଣସମ୍ପାଦନ କରନ୍ତୁ

ବିଗତ କିଛି ଦଶନ୍ଧି ଧରି ସିନ୍ଧୁ ନଦୀ କୂଳରେ ବହୁ ଉଦ୍ୟୋଗ ଏବଂ ଶିଳ୍ପ କାରଖାନା ଗଢ଼ି ଉଠିଥିବାରୁ ନଦୀର ଜଳ ଓ ଏଠାକାର ବାୟୁମଣ୍ଡଳ ପ୍ରଦୂଷିତ ହୋଇଚାଲିଛି । ନଦୀ ଜଳ ଅତି ପ୍ରଦୂଷିତ ହେବାରୁ ବିରଳ ସିନ୍ଧୁ ନଦୀ ଡଲ୍‍ଫିନ୍‍ମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି । ପାକିସ୍ତାନ ପରିବେଶ ସଂରକ୍ଷଣ ନିୟମ (୧୯୯୭) ଅନୁସାରେ ସିନ୍ଧ ପରିବେଶ ସୁରକ୍ଷା ସଂସ୍ଥା (Sindh Environmental Protection Agency) ବିଭିନ୍ନ କାରଖାନା ବନ୍ଦ କରିବାର ନିଷ୍ପତ୍ତି ନେଇଥିଲା ।[୪୬] ମାଛ ଧରାଳୀମାନେ ମାଛ ମାରିବା ପାଇଁ ନଦୀରେ ମିଶାଉଥିବା ମାଛବିଷ ହେଉଛି ଜଳ ପ୍ରଦୂଷଣ ଓ ସିନ୍ଧୁ ଡଲ୍‍ଫିନ୍‍ଙ୍କ ସଂଖ୍ୟାହ୍ରାସର ଆଉ ଏକ କାରଣ ।[୪୭][୪୮] ଏହି କାରଣରୁ ପାକିସ୍ତାନ ସରକାର ଗୁଡ୍ଡୁ ବ୍ୟାରେଜ୍‍ରୁ ନେଇ ସୁକ୍କୁର ପର୍ଯ୍ୟନ୍ତ ସିନ୍ଧୁ ନଦୀରେ ମାଛ ଧରିବା ଉପରେ ନିଷିଦ୍ଧାଦେଶ ଜାରି କରିଥିଲେ ।[୪୯]

ଯେଉଁ ୧୦ଟି ନଦୀ ସମୁଦ୍ରରେ ୯୦% ପ୍ଲାଷ୍ଟିକ ପ୍ରଦୂଷଣର କାରଣ, ସେମାନଙ୍କ ମଧ୍ୟରେ ସିନ୍ଧୁ ନଦୀ ଦ୍ୱିତୀୟ ସ୍ଥାନରେ ରହିଛି । ଚୀନର ୟାଂସିକ୍ୟାଂ ନଦୀ ସିନ୍ଧୁଠାରୁ ଅଧିକ ପ୍ଲାଷ୍ଟିକ ସମୁଦ୍ରକୁ ବୋହି ନେଇଥାଏ ।[୫୦][୫୧]

୨୦୧୦ ମସିହାର ବନ୍ୟାସମ୍ପାଦନ କରନ୍ତୁ

 
ଅଗଷ୍ଟ ୨୦୧୦ ମସିହା ସିନ୍ଧୁ ନଦୀ ବନ୍ୟାପ୍ରଭାବିତ ଅଞ୍ଚଳ

ସିନ୍ଧୁ ନଦୀରେ ବାରମ୍ବାର ମଧ୍ୟମ ଓ ଭୟଙ୍କର ଧରଣର ବନ୍ୟା ହେଉଥାଏ ।[୫୨] ୨୦୧୦ ମସିହା ଜୁଲାଇ ମାସରେ ଅପ୍ରତ୍ୟାଶିତ ଭାବେ ଭୀଷଣ ବର୍ଷା ହେବାରୁ ସିନ୍ଧୁ ନଦୀ କୂଳ ଲଙ୍ଘି ବନ୍ୟା ହୋଇଯାଇଥିଲା । ପ୍ରାୟ ୨ ମାସ ଧରି ପ୍ରବଳ ବର୍ଷା ଲାଗି ରହିଥିଲା ଓ ପାକିସ୍ତାନର ଅନେକ ଅଞ୍ଚଳ ଧ୍ୱସ୍ତ ହୋଇଯାଇଥିଲା । ସିନ୍ଧର ସୁକ୍କୁରଠାରେ ଅଗଷ୍ଟ ୮ ତାରିଖରେ ସିନ୍ଧୁ କୂଳ ଲଙ୍ଘିବା ଫଳରେ ମୋର୍ ଖାନ୍ ଜାଟୋଇ ନାମକ ଗ୍ରାମ ଜଳନିମଗ୍ନ ହୋଇଯାଇଥିଲା ।[୫୩] ଏହି ବନ୍ୟା ଯୋଗୁଁ ପଶ୍ଚିମ ପଞ୍ଜାବର ୧୪ ଲକ୍ଷ ଏକର୍ ଜମିରେ ଫସଲ ନଷ୍ଟ ହୋଇଥିଲା ଓ ଦକ୍ଷିଣ ସିନ୍ଧ ଅଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ।[୫୪] ୨୦୧୦ ସେପ୍ଟେମ୍ବର ମାସ ସୁଦ୍ଧା ପ୍ରାୟ ୨୦୦୦ ଲୋକଙ୍କ ପ୍ରାଣହାନି ଘଟିଥିଲା ଓ ୧୦ ଲକ୍ଷରୁ ଅଧିକ ଘର ଭାଙ୍ଗି ଯାଇଥିଲା ।[୫୫][୫୬]

୨୦୧୧ ମସିହାର ବନ୍ୟାସମ୍ପାଦନ କରନ୍ତୁ

ମୌସୁମୀ ପ୍ରବାହ କାଳରେ ସିନ୍ଧ, ପୂର୍ବ ବଲୋଚିସ୍ତାନ ଓ ଦକ୍ଷିଣ ପଞ୍ଜାବରେ ଅତ୍ୟଧିକ ବର୍ଷା ଯୋଗୁଁ ୨୦୧୧ ମସିହାରେ ପାକିସ୍ତାନର ସିନ୍ଧ ଅଞ୍ଚଳରେ ଭୟଙ୍କର ବନ୍ୟା ହୋଇଥିଲା ।[୫୭] ଏହି ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବା ସହ ୪୩୪ ଜଣ ପ୍ରାଣ ହରାଇଥିଲେ ; ୫୩ ଲକ୍ଷ ଲୋକ ଏବଂ ୧୫,୨୪,୭୭୩ ଘର ପ୍ରଭାବିତ ହୋଇଥିଲେ ।[୫୮] ସିନ୍ଧ ଅଞ୍ଚଳର ଜମି ଉର୍ବର ହୋଇଥିବାରୁ ଏହାକୁ ପାକିସ୍ତାନର ରୁଟିଝୁଡ଼ି ବୋଲି କୁହାଯାଏ । ଏହି ବନ୍ୟା କୃଷକମାନଙ୍କୁ ବହୁତ କ୍ଷତି ପହଞ୍ଚାଇଥିଲା । ଅତି କମରେ ୧୭ ଲକ୍ଷ ଏକର ଚାଷଜମିର୍ ବାଲି ଚରିଯାଇ ଫସଲ ନଷ୍ଟ ହୋଇଯାଇଥିଲା । କ୍ରମାଗତ ଦୁଇ ବର୍ଷ ବନ୍ୟା ହେବା ଯୋଗୁଁ ଦେଶର ଏକ ବୃହତ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା ।[୫୮] ଲଗାଣ ବର୍ଷା ଯୋଗୁଁ ସିନ୍ଧର ୧୬ଟି ଜିଲ୍ଲା ବନ୍ୟା ପ୍ଳାବିତ ହୋଇଯାଇଥିଲା ।[୫୯]

ସିନ୍ଧୁ ନଦୀ ଉପରେ ବ୍ୟାରେଜ୍, ପୋଲ ଓ ନଦୀବନ୍ଧସମ୍ପାଦନ କରନ୍ତୁ

ବର୍ତ୍ତମାନ ସମୟରେ ପାକିସ୍ତାନରେ ସିନ୍ଧୁ ନଦୀ ଉପରେ ୩ଟି ବ୍ୟାରେଜ୍ ରହିଛି : ଗୁଡ୍ଡୁ ବ୍ୟାରେଜ୍, ସୁକ୍କୁର ବ୍ୟାରେଜ୍, କୋଟ୍ରି ବ୍ୟାରେଜ୍ (ଅନ୍ୟ ନାମ – ଗୁଲାମ ମହମ୍ମଦ ବ୍ୟାରେଜ୍) । ୨୦୧୯ ମସିହାରେ ସିନ୍ଧୁ ଉପରେ "ସିନ୍ଧ ବ୍ୟାରେଜ୍" ନାମକ ଆଉ ଏକ ବ୍ୟାରେଜ୍ ନିର୍ମାଣର ଯୋଜନା କରାଯାଇଥିଲା ।[୬୦] ପାକିସ୍ତାନରେ ସିନ୍ଧୁ ନଦୀ ଉପରେ ନିର୍ମିତ କିଛି ଜଣାଶୁଣା ପୋଲ ମଧ୍ୟରୁ ଦାଦୁ ମୋରୋ ପୋଲ, ଲର୍କାନା-ଖୈରପୁର ସିନ୍ଧୁ ନଦୀ ପୋଲ, ଥଟ୍ଟା-ସୁଜାୱଲ ପୋଲ, ଝିର୍କ-ମୁଲା କଟିଆର ପୋଲ ଓ କନ୍ଧକୋଟ-ଘୋଟକି ପୋଲ ଅନ୍ୟତମ ।[୬୧] ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ସିନ୍ଧୁ ନଦୀ ଉପରେ କାଲା ବାଘ ବ୍ୟାରେଜ୍, ଚସମା ବ୍ୟାରେଜ୍, ତୌନ୍ସା ବ୍ୟାରେଜ୍ ଆଦି ନିର୍ମିତ ହୋଇଛି ।

ବାରମ୍ବାର ବନ୍ୟାର ଭୟ ଥିବାରୁ ସିନ୍ଧ ଅଞ୍ଚଳରେ ସିନ୍ଧୁ ନଦୀର ବାମ କୂଳରେ ୬୦୦ କିଲୋମିଟର୍ ଦୀର୍ଘ ଏକ ଘେରାବନ୍ଧ (ବା ଘେରିବନ୍ଧ) ନିର୍ମିତ ହୋଇଛି । ନଦୀର ଦକ୍ଷିଣ କୂଳରେ ଗୁଡ୍ଡୁ ବ୍ୟାରେଜରୁ ମଞ୍ଚାର ହ୍ରଦ ପର୍ଯ୍ୟନ୍ତ ମଧ୍ୟ ଏକ ଘେରାବନ୍ଧ ରହିଛି ।[୬୨] ଘେରାବନ୍ଧ କାରଣରୁ ଗତ ୨୦ ବର୍ଷ ହେଲା ସିନ୍ଧୁ ନଦୀ ବ୍ୟାରେଜ୍‍ମାନଙ୍କ ଉପର ମୁଣ୍ଡରେ ମାଟି ଓ ବାଲି ଜମା ହେବାରେ ଲାଗିଛି ଓ କିଛି ଅଞ୍ଚଳ ପୋତି ହୋଇଗଲାଣି ।[୬୩]

ସିନ୍ଧୁ ନଦୀ ଉପରେ ପାକିସ୍ତାନରେ ତର୍ବେଲା ନଦୀବନ୍ଧ ନିର୍ମିତ ହୋଇଛି । ତାହା ସହ ବିବାଦୀୟ କାଲାବାଘ ନଦୀବନ୍ଧ ଓ ମୁଣ୍ଡା ନଦୀବନ୍ଧର ନିର୍ମାଣ ମଧ୍ୟ ଚାଲିଛି ।

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

ଉଲ୍ଲେଖସମ୍ପାଦନ କରନ୍ତୁ

  1. Swain, Ashok (2004). Managing Water Conflict: Asia, Africa and the Middle East. Routledge. p. 46. ISBN 978-1135768836. 1,800 miles long river after flowing out of Tibet through the Himalayas enters Kashmir and then moves into Pakistan
  2. The Indus Basin of Pakistan: The Impacts of Climate Risks on Water and Agriculture. World Bank publications. 1 May 2013. p. 59. ISBN 9780821398753.
  3. "Geography: The rivers of Pakistan". Dawn. 26 September 2009. Retrieved 15 August 2017.
  4. "Indus water flow data in to reservoirs of Pakistan". Retrieved 15 August 2017.
  5. Witzel, Michael (1995), "Early Indian history: Linguistic and textual parameters", in Erdosy, George (ed.), The Indo-Aryans of Ancient South Asia: Language, Material Culture and Ethnicity, Walter de Gruyter, pp. 85–125, ISBN 978-3-11-014447-5
  6. Thieme, P. (1970), "Sanskrit sindu-/Sindhu- and Old Iranian hindu-/Hindu-", in Mary Boyce; Ilya Gershevitch (eds.), W. B. Henning memorial volume, Lund Humphries, p. 450: "As the great frontier river that represents the natural dividing line between India and Iran, the Indus could most easily and fittingly be called Sindhu- 'Frontier' by the Indians and Hindu- 'Frontier' by the Iranians."
  7. Osada, Toshiki (2006), Indus Civilization: Text & Context, Manohar Publishers & Distributors, p. 100, ISBN 978-81-7304-682-7: 'P. Theme (1991) understood the Indus as the "border river" dividing IA and Iran. tribes and has derived it from IE with an etymology from the root "si(n)dh" to divide."'
  8. Boyce, Mary (1989), A History of Zoroastrianism: The Early Period, BRILL, pp. 136–, ISBN 978-90-04-08847-4: "The word hindu- (Skt. sindhu-), used thus to mean a river-frontier of the inhabited world, was also applied generally, it seems, to any big river which, like the Indus, formed a natural frontier between peoples or lands."
  9. Bailey, H. W. (1975), "Indian Sindhu-, Iranian Hindu- (Notes and Communications)", Bulletin of the School of Oriental and African Studies, 38 (3): 610–611, doi:10.1017/S0041977X00048138, JSTOR 613711: "The word sindhu- is used of a 'mass of water' (samudra-), not therefore primarily 'flowing' water. Hence the second derivation of 'enclosed banks' is clearly preferable."
  10. Parpola 2015, Chapter 9.
  11. Prasad, R.U.S. (25 May 2017), River and Goddess Worship in India: Changing Perceptions and Manifestations of Sarasvati, Taylor & Francis, pp. 23–, ISBN 978-1-351-80655-8
  12. Mukherjee, Bratindra Nath (2001), Nationhood and Statehood in India: A historical survey, Regency Publications, p. 3, ISBN 978-81-87498-26-1: "Apparently the same territory was referred to as Hi(n)du(sh) in the Naqsh‐i‐Rustam inscription of Darius I as one of the countries in his empire.[10] The terms Hindu and India ('Indoi) indicate an original indigenous expression like Sindhu. The name Sindhu could have been pronounced by the Persians as Hindu (replacing s by h and dh by d) and the Greeks would have transformed the latter as Indo‐ (Indoi, Latin Indica, India) with h dropped..."
  13. Mountjoy, Shane (2004), The Indus River, Infobase Publishing, pp. 8–, ISBN 978-1-4381-2003-4
  14. Possehl, Gregory L. (1999), Indus age: the beginnings, University of Pennsylvania Press
  15.   Holdich, Thomas Hungerford (1911). "Indus". In Chisholm, Hugh (ed.). Encyclopædia Britannica. 14 (Eleventh ed.). Cambridge University Press. pp. 507–508.
  16. 70% of cattle-breeders desert Banni; by Narandas Thacker, TNN, 14 February 2002; The Times of India
  17. "564 Charul Bharwada & Vinay Mahajan, Lost and forgotten: grasslands and pastoralists of Gujarat".
  18. ୧୮.୦ ୧୮.୧ "Indus re-enters India after two centuries, feeds Little Rann, Nal Sarovar". Retrieved 22 December 2017.
  19. Albinia (2008), p. 307.
  20. Williams, Brian (2016). Daily Life in the Indus Valley Civilization. Raintree. p. 6. ISBN 978-1406298574.
  21. Henry Yule: India, Indies Archived 28 June 2012 at Archive.is. In Hobson-Jobson: A glossary of colloquial Anglo-Indian words and phrases, and of kindred terms, etymological, historical, geographical and discursive. New ed. edited by William Crooke, B.A. London: J. Murray, 1903
  22. "Was the Ramayana actually set in and around today's Afghanistan?".
  23. Clift; Gaedicke; Edwards; Lee; Hildebrand; Amjad; White; and Schlüter (2002). "The stratigraphic evolution of the Indus Fan and the history of sedimentation in the Arabian Sea". Marine Geophysical Researches. 23 (3): 223–245. doi:10.1023/A:1023627123093.CS1 maint: Uses authors parameter (link)
  24. Clift, Peter D.; Blusztajn, Jerzy (15 December 2005). "Reorganization of the western Himalayan river system after five million years ago". Nature. 438 (7070): 1001–1003. doi:10.1038/nature04379. PMID 16355221.
  25. Clift, Peter D.; Shimizu, N.; Layne, G.D.; Blusztajn, J.S.; Gaedicke, C.; Schlüter, H.-U.; Clark, M.K.; Amjad, S. (August 2001). "Development of the Indus Fan and its significance for the erosional history of the Western Himalaya and Karakoram". GSA Bulletin. 113 (8): 1039–1051. doi:10.1130/0016-7606(2001)113<1039:DOTIFA>2.0.CO;2.
  26. Zeitler, Peter K.; Koons, Peter O.; Bishop, Michael P.; Chamberlain, C. Page; Craw, David; Edwards, Michael A.; Hamidullah, Syed; Jam, Qasim M.; Kahn, M. Asif; Khattak, M. Umar Khan; Kidd, William S. F.; Mackie, Randall L.; Meltzer, Anne S.; Park, Stephen K.; Pecher, Arnaud; Poage, Michael A.; Sarker, Golam; Schneider, David A.; Seeber, Leonardo; Shroder, John F. (October 2001). "Crustal reworking at Nanga Parbat, Pakistan: Metamorphic consequences of thermal-mechanical coupling facilitated by erosion". Tectonics. 20 (5): 712–728. doi:10.1029/2000TC001243.
  27. ୨୭.୦ ୨୭.୧ "Indus River" (PDF). World' top 10 rivers at risk. WWF. Archived from the original (PDF) on 4 October 2012. Retrieved 11 July 2012. Unknown parameter |url-status= ignored (help)
  28. "WWF – Indus River Dolphin". Wwf.panda.org. Retrieved 22 September 2012.
  29. Khan, W.A.; Bhagat, H.B. (2010). "Otter Conservation in Pakistan". IUCN Otter Spec. Group Bull. 27 (2): 89–92.
  30. ୩୦.୦ ୩୦.୧ ୩୦.୨ ୩୦.୩ ୩୦.୪ ୩୦.୫ ୩୦.୬ Mirza, M.R.; Mirza, Z.S. (2014). "Longitudinal Zonation in the Fish Fauna of the Indus River in Pakistan". Biologia (Pakistan). 60 (1): 149–152.
  31. Sparavigna, A. (2008), Icons and signs from the ancient Harappa, Dipartimento di Fisica, Politecnico di Torino
  32. "Tarabela Dam". structurae.the cat in the hat. Retrieved 9 July 2007.
  33. "Indus Basin Project". Encyclopædia Britannica. Retrieved 9 July 2007.
  34. "Technology Breakthroughs for Global Water Security: A Deep Dive into South Asia". Retrieved 24 December 2018.
  35. ୩୫.୦ ୩୫.୧ Amjad, A. Shah; Kasawani, I.; Kamaruzaman, J. (2007). "Degradation of Indus Delta Mangroves in Pakistan" (PDF). International Journal of Geology. 1 (3): 29. Retrieved 24 December 2018.
  36. "Indus Delta, Pakistan: economic costs of reduction in freshwater flow" (PDF). International Union for Conservation of Nature. May 2003.
  37. Sarfraz Khan Quresh (March 2005). "Water, Growth and Poverty in Pakistan" (PDF). World Bank.
  38. "Pakistan's water economy: getting the balance right". July 2018.
  39. Walsh, Declan (21 October 2010). "Pakistan floods: The Indus delta". The Guardian.
  40. Walsh, Declan (5 October 2010). "Pakistan's floodwaters welcomed along Indus delta". The Guardian.
  41. "River basin development phases and implications of closure". CiteSeerX 10.1.1.485.4832.
  42. "Integrated Water Resource Systems: Theory and Policy Implications" (PDF). Retrieved 22 June 2018.
  43. "Indus River Delta". World Wildlife Fund. Archived from the original on 23 January 2012. Unknown parameter |url-status= ignored (help)
  44. "Global warming benefits to Tibet: Chinese official. Reported 18 August 2009". 17 August 2009. Archived from the original on 23 January 2010. Retrieved 4 December 2012. Unknown parameter |url-status= ignored (help)
  45. Farrow, Ronan (2018). War on Peace: The End of Diplomacy and the Decline of American Influence. W. W. Norton. ISBN 978-0393652109.
  46. "SEPA orders polluting factory to stop production". Dawn. 3 December 2008. Retrieved 28 June 2012.
  47. "Fishing poison killing Indus dolphins, PA told". Dawn. 8 March 2012. Retrieved 27 April 2016.
  48. "18 dolphins died from poisoning in Jan". Dawn. 1 May 2012. Retrieved 28 June 2012.
  49. "Threat to dolphin: Govt bans fishing between Guddu and Sukkur". The Express Tribune. 9 March 2012. Retrieved 28 June 2012.
  50. "Almost all plastic in the ocean comes from just 10 rivers - 30.11.2017". DW.COM. Retrieved 2018-08-22. about 90 percent of all the plastic that reaches the world's oceans gets flushed through just 10 rivers: The Yangtze, the Indus, Yellow River, Hai River, the Nile, the Ganges, Pearl River, Amur River, the Niger, and the Mekong (in that order).
  51. Schmidt, Christian; Krauth, Tobias; Wagner, Stephan (11 October 2017). "Export of Plastic Debris by Rivers into the Sea". Environmental Science & Technology. American Chemical Society (ACS). 51 (21): 12246–12253. doi:10.1021/acs.est.7b02368. ISSN 0013-936X. PMID 29019247.
  52. "Indus Basin Floods" (PDF). Asian Development Bank. 2013. Retrieved 20 November 2018.
  53. Bodeen, Christopher (8 August 2010). "Asia flooding plunges millions into misery". Associated Press. Retrieved 8 August 2010.
  54. Guerin, Orla (7 August 2010). "Pakistan issues flooding 'red alert' for Sindh province". British Broadcasting Corporation. Retrieved 7 August 2010.
  55. "BBC News – Pakistan floods: World Bank to lend $900m for recovery". bbc.co.uk. 17 August 2010. Retrieved 24 August 2010.
  56. "BBC News – Millions of Pakistan children at risk of flood diseases". bbc.co.uk. 16 August 2010. Retrieved 24 August 2010.
  57. "Pakistan floods: Oxfam launches emergency aid response". BBC World News South Asia. 14 September 2011. Retrieved 15 September 2011.
  58. ୫୮.୦ ୫୮.୧ "Floods worsen, 270 killed: officials". The Express Tribune. 13 September 2011. Retrieved 13 September 2011.
  59. Government of Pakistan Pakmet.com.pk Retrieved on 19 September 2011 Archived 24 April 2012 at the Wayback Machine.
  60. "PM okays Indus river barrage to mitigate water woes". Retrieved 8 August 2019.
  61. "Government to launch Kandhkot-Ghotki bridge over River Indus next month: Sindh CM". The Express Tribune. Retrieved 1 August 2016.
  62. "Restore Pakistan's rivers, handle floods, droughts and climate change". Retrieved 29 July 2019.
  63. "Pakistan: Getting More from Water (see Page 50)" (PDF). World Bank. Retrieved 29 March 2019.

ଉତ୍ସସମ୍ପାଦନ କରନ୍ତୁ

  • G.P. Malalasekera (1 September 2003), Dictionary of Pali Proper Names, Volume 1, Asian Educational Services, ISBN 978-81-2061-823-7
  • Albinia, Alice. (2008) Empires of the Indus: The Story of a River. First American Edition (20101) W. W. Norton & Company, New York. ISBN 978-0-393-33860-7.
  • World Atlas, Millennium Edition, p. 265.
  • Jean Fairley, "The Lion River", Karachi, 1978.

ଅନ୍ୟାନ୍ୟ ଲିଂକ୍ସମ୍ପାଦନ କରନ୍ତୁ