ଭାରତ-ଚୀନ ସୀମା ବିବାଦ
ଭାରତର ଉତ୍ତରତମ ଓ ଚୀନ ଓ ତିବ୍ୱତର ଦକ୍ଷିଣରେ ଥିବା ଭୂଖଣ୍ଡକୁ ନେଇ ଭାରତ ଓ ଚୀନ ମଧ୍ୟରେ ଅନେକ ସମୟରେ ସୀମାରେଖା ସମ୍ବନ୍ଧୀୟ ବିବାଦ ଲାଗି ରହିଛି । “ଅକ୍ସାଇ ଚୀନ” ଅଞ୍ଚଳ ଜାମ୍ମୁ ଓ କାଶ୍ମୀରର ଅଂଶ ବୋଲି ଭାରତ ଦାବୀ କରୁଥିଲା ବେଳେ ଏହି ଅଞ୍ଚଳ ଚିନ୍-ଜିଆଂଗ୍ ଅଞ୍ଚଳର ବୋଲି ଚୀନ ଦାବୀ କରୁଛି । ଅକ୍ସାଇ ଚୀନ ଅଞ୍ଚଳ ସମୁଦ୍ର ପତନଠାରୁ ବହୁତ ଉର୍ଦ୍ଧ୍ୱରେ ଓ ଏଠାରେ ମନୁଷ୍ୟ ବସବାସ କରନ୍ତି ନାହିଁ । କିନ୍ତୁ ଚୀନ ଏହି ସ୍ଥାନରେ ଜିନ୍-ଜିଆଂଗ୍ ଓ ତିବ୍ୱତକୁ ସଂଯୋଗ କରୁଥିବା ଏକ ସଡକପଥ ନିର୍ମାଣ କରିଛି ଓ ଏହି ଅଞ୍ଚଳକୁ ନିୟନ୍ତ୍ରଣ କରୁଛି । ମ୍ୟାକ୍-ମୋହନ୍ ରେଖାର ଦକ୍ଷିଣ ପାର୍ଶ୍ୱରେ ମଧ୍ୟ କିଛି କ୍ଷେତ୍ର ବିବାଦିତ । ଅରୁଣାଚଳ ପ୍ରଦେଶ ନାମକ ଭାରତୀୟ ରାଜ୍ୟ ପୂର୍ବେ ଉତ୍ତର-ପୂର୍ବ ଫ୍ରଣ୍ଟିୟର୍ ଏଜେନ୍ସି ନାମରେ ଜଣା ଥିଲା ଓ ଏହା ଚୀନର ଅଂଶ ବୋଲି ଚୀନ ଦାବୀ କରି ଆସୁଛି । ୧୯୧୪ ମସିହାରେ ସିମଳାରେ ସୀମାରେଖାକୁ ନେଇ ତତ୍କାଳୀନ ବ୍ରିଟିଶ୍ ଶାସନାଧୀନ ଭାରତ ଓ ତିବ୍ୱତ୍ ମଧ୍ୟରେ ଚୁକ୍ତି ହୋଇ ମ୍ୟାକ୍-ମୋହନ ରେଖା ନିରୂପିତ ହୋଇଥିଲା । କିନ୍ତୁ ଚୀନ ସର୍ବଦା ଏପରି କୌଣସି ଚୁକ୍ତି ହୋଇନଥିଲା ବୋଲି କହି ଏହାର ପ୍ରତ୍ୟାଖ୍ୟାନ କରିଆସୁଛି ।
ଏହି ଦୁଇଟି ବିବାଦୀୟ କ୍ଷେତ୍ରକୁ ନେଇ ଭାରତ ଓ ଚୀନ ମଧ୍ୟରେ ୧୯୬୨ ମସିହାରେ ଏକ ଯୁଦ୍ଧର ସୂତ୍ରପାତ ହୋଇଥିଲା । ପରସ୍ପର ପ୍ରତି ବିଶ୍ୱସନୀୟତାରେ ଅଭିବୃଦ୍ଧି ଓ ଦୁହିଁଙ୍କ ସମର୍ଥନରେ ନିୟନ୍ତ୍ରଣରେଖା ନିର୍ଦ୍ଧାରଣ କରି ସମସ୍ତ ବିବାଦର ସମାଧାନ ପାଇଁ ୧୯୯୬ ମସିହାରେ ଏକ ଆଲୋଚନା ହୋଇଥିଲା । ସମଗ୍ର ଅରୁଣାଚଳ ପ୍ରଦେଶ ପ୍ରକୃତରେ ଚୀନର ଅଂଶ ବୋଲି ୨୦୦୬ ମସିହାରେ ଭାରତରେ ରହିଥିବା ଚୀନର ରାଷ୍ଟ୍ରଦୂତ କହିଥିଲେ[୧] ଓ ଏହା ଫଳରେ ସେଠାରେ ଉଭୟ ପକ୍ଷରୁ ନିୟୋଜିତ ସାମରିକ ବାହିନୀ ସଂଖ୍ୟାରେ ବୃଦ୍ଧି ଘଟିଲା ।[୨] ଅନେକ ସମୟରେ ଉଭୟ ଦେଶ ଭାରତର ସିକ୍କିମ୍ ରାଜ୍ୟର ଉତ୍ତରୀୟ ଅଞ୍ଚଳରେ ପ୍ରାୟ ୧ କି.ମି. ଭିତରକୁ ଅପରପକ୍ଷ ଅନୁପ୍ରବେଶ କରୁଥିବାର ଅଭିଯୋଗ କରିଆସିଛନ୍ତି ।[୩] ୨୦୦୯ ମସିହାରେ ଭାରତ ଏହାର ସୀମାରେଖାରେ ଅଧିକ ସୈନ୍ୟବଳ ନିୟୋଜିତ କରିବା ସମ୍ବନ୍ଧୀୟ ଘୋଷଣା କରିଥିଲା ।[୪] ୨୦୧୪ ମସିହାରେ “ଏକ ଭାରତ” ନୀତିର ଆଦର କରି ଚୀନ ଭାରତ ସହିତ ସମସ୍ତ ସୀମା ବିବାଦ ସମାଧାନ କରିବା ଉଚିତ୍ ବୋଲି ଭାରତ ପ୍ରସ୍ତାବ ରଖିଥିଲା । [୫][୬]
ପୃଷ୍ଠଭୂମି
ସମ୍ପାଦନାଅକ୍ସାଇ ଚୀନ
ସମ୍ପାଦନାଅକ୍ସାଇ ଚୀନ କ୍ଷେତ୍ରର ସର୍ବନିମ୍ନ ଅଂଶରେ କାରାକାଶ୍ ନଦୀ ପ୍ରବାହିତ ହେଉଛି ଓ ସମୁଦ୍ରପତନଠାରୁ ଏହି ସ୍ଥାନ ପ୍ରାୟ ୧୪୦୦୦ ଫୁଟ୍ (୪୩୦୦ ମିଟର୍) ଉଚ୍ଚତାରେ ଅବସ୍ଥିତ । ଅକ୍ସାଇ ଚୀନ କ୍ଷେତ୍ରର ସର୍ବୋଚ୍ଚ ଅଂଶ ସମୁଦ୍ରପତନଠାରୁ ପ୍ରାୟ ୨୨୦୦୦ ଫୁଟ୍ (୬୯୦୦ ମିଟର୍) ଉଚ୍ଚରେ ହିମାବୃତ୍ତ ଶୃଙ୍ଗଙ୍କ ମଧ୍ୟରେ ଅବସ୍ଥିତ । ଏହି ସମ୍ପୂର୍ଣ୍ଣ ଅଞ୍ଚଳ ଏକାକୀ ଓ ପ୍ରାୟତଃ ଜନବସତି ବିହୀନ । ସମ୍ପୂର୍ଣ୍ଣ ଅଞ୍ଚଳର କ୍ଷେତ୍ରଫଳ ପ୍ରାୟ ୩୭୨୪୪ ବର୍ଗ କିଲୋମିଟର୍ (୧୪୩୮୦ ବର୍ଗ ମାଇଲ୍) ହେବ । ଅକ୍ସାଇ ଚୀନ ଅଞ୍ଚଳରେ ଏପରି ଜନବସତି ଶୂନ୍ୟତା ଓ ନିଛାଟିଆ ହେବାର ପ୍ରମୁଖ କାରଣ ହେଲା ଏଠାକାର ଜଳବାୟୁ ବସବାସ ଦୃଷ୍ଟିରୁ ଅନୁପଯୋଗୀ, ତେଣୁ ମନୁଷ୍ୟଙ୍କଦ୍ୱାରା ପରିତ୍ୟକ୍ତ । କେବଳ ଏଠାକାର ଗିରିପଥ ଆଦିମକାଳରୁ ବାଣିଜ୍ୟପଥ ରୂପେ ଚିହ୍ନଟ କରାଯାଇଛି ଓ ଏବେ ମଧ୍ୟ ଗ୍ରୀଷ୍ମଋତୁରେ ୟାକ୍ ମାନଙ୍କଦ୍ୱାରା ଏହାର ଗିରିପଥର ଉପଯୋଗ କରି ଜିନ୍-ଜିଆଂଗ୍ ଓ ତିବ୍ୱତ୍ ମଧ୍ୟରେ ଯୋଗାଯୋଗ ସମ୍ପନ୍ନ ହୁଏ ।[୭]
୧୮୪୨ ମସିହାରେ ପଶ୍ଚିମ ପ୍ରାନ୍ତର ସୀମା ନିର୍ଦ୍ଧାରଣ ପାଇଁ ଚୁକ୍ତି ହୋଇଥିବା ଜଣାପଡେ । ୧୮୩୪ ମସିହାରେ ଶିଖ୍ ସାମ୍ରାଜ୍ୟ ଲଦାଖ୍ ଅଞ୍ଚଳକୁ ଜାମ୍ମୁ ରାଜ୍ୟର ଅନ୍ତର୍ଭୁକ୍ତ କରିଥିଲା । ୧୮୪୧ ମସିହାରେ ସେମାନେ ତିବ୍ୱତ ଅକ୍ତିଆର କରିବା ଉଦ୍ଦେଶ୍ୟ ନେଇ ଆକ୍ରମଣ କରିଥିଲେ । ଚୀନର ସୈନ୍ୟବଳ ଶିଖ୍ ସେନାକୁ ପରାସ୍ତ କରି ଲଦାଖ୍ ଅଞ୍ଚଳରେ ପ୍ରବେଶ କଲେ ଓ ଲେହ ଅଧିକାର କରିନେଲେ । ସେଠାରେ ପୁଣି ଶିଖ୍ ସେନାର ପ୍ରତିରୋଧ ପରେ ଯୁଦ୍ଧର ଅବସାନ ହେଲା ଓ ୧୮୪୨ ମସିହା ସେପ୍ଟେମ୍ବରରେ ଚୀନୀ ଓ ଶିଖ୍ ସେନାଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା । ଏହି ଚୁକ୍ତିର ନିୟମ ଅନୁସାରେ ପରସ୍ପର କ୍ଷେତ୍ରରେ ଅନୁପ୍ରବେଶ କରିବାରୁ ବିରତ ରହିବେ ବୋଲି ଦୁଇ ପକ୍ଷ ରାଜି ହେଲେ ।[୮] ବ୍ରିଟିଶ୍ ସେନା ୧୮୪୬ ମସିହାରେ ଶିଖମାନଙ୍କୁ ପରାସ୍ତ କରି ଲଦାଖ୍ ଅଞ୍ଚଳ ନିଜ ଅକ୍ତିଆରକୁ ନେଇଥିଲେ । ଏହାପରେ ବ୍ରିଟିଶ୍ ସେନାଧ୍ୟକ୍ଷମାନେ ଚୀନୀ ସେନାମୁଖ୍ୟଙ୍କ ସହିତ ସୀମାରେଖା ନିରୂପଣ ସମ୍ବନ୍ଧରେ ଆଲୋଚନା କରିବାକୁ ଚେଷ୍ଟା କଲେ । କିନ୍ତୁ ଉଭୟ ପକ୍ଷ ପାରମ୍ପରିକ ଶୈଳୀରେ ରେଖା ନିର୍ଦ୍ଧାରଣ କଲେ, ନିଜ ନିଜ ପଟର ପ୍ରାକୃତିକ ସମ୍ବଳ ଚିହ୍ନଟ କଲେ, କିନ୍ତୁ କୌଣସି ଚିହ୍ନ ବା ବାଡଦ୍ୱାରା ସୀମାରେଖା ଚିହ୍ନିତ କଲେନାହିଁ । ଅକ୍ସାଇ ଚୀନ ଅଞ୍ଚଳର ଦୁଇ ପ୍ରାନ୍ତବିନ୍ଦୁ କାରାକୋରମ୍ ଗିରିପଥ ଓ ପାଂଗୋଂଗ୍ ହ୍ରଦଦ୍ୱାରା ଚିହ୍ନଟ ହୋଇଥାଏ । କିନ୍ତୁ ଏହି ଦୁଇ ପ୍ରନ୍ତ ମଧ୍ୟରେ ରହିଥିବା ସ୍ଥାନ ଚିହ୍ନଟ ହୋଇନଥିବାରୁ ସର୍ବଦା ବିବାଦୀୟ ହୋଇ ରହିଗଲା ।[୭][୯]
ଜନ୍ସନ୍ ରେଖା
ସମ୍ପାଦନା୧୮୬୫ ମସିହାରେ ଭାରତୀୟ ସର୍ବେକ୍ଷଣ ସଂସ୍ଥାରେ କାର୍ଯ୍ୟରତ ଡବ୍ଲୁ. ଏଚ୍. ଜନ୍ସନ୍ ନାମକ ଜଣେ ପ୍ରଶାସନିକ ଅଧିକାରୀ “ଜନ୍ସନ୍ ରେଖା”ର ପ୍ରସ୍ତାବ ରଖିଲେ ଓ ଅକ୍ସାଇ ଚୀନ ଅଞ୍ଚଳକୁ ଜାମ୍ମୁ ଓ କାଶ୍ମୀରର ଅଂଶ ବୋଲି କହିଲେ । ଚୀନରେ ସେହି ସମୟରେ ଡୁଂଗାନ୍ ବିଦ୍ରୋହ ଚାଲିଥିବାରୁ ଚୀନ ଜିନ୍-ଜିଆଂଗ୍ ଅଞ୍ଚଳର ଅଧିକାରୀ ନଥିଲା ଓ ଚୀନ ସମ୍ମୁଖରେ ଜନସନ୍ ରେଖାର ସୀମାର ପ୍ରସ୍ତାବ ରଖାଯାଇ ନଥିଲା । ଜନ୍ସନ୍ ନିଜର ପ୍ରସ୍ତାବ ଜାମ୍ମୁ ଓ କାଶ୍ମୀରର ମହାରାଜାଙ୍କ ସମ୍ମୁଖରେ ରଖିଥିଲେ । ଜାମ୍ମୁ କାଶ୍ମୀରର ରାଜା ଅକ୍ସାଇ ଚୀନର ପ୍ରାୟ ୧୮୦୦୦ ବର୍ଗ କି.ମି. ଅଞ୍ଚଳ ତାଙ୍କର ଅଧୀନରେ ଥିବା କଥା କହିଲେ[୧୦] ଓ ଅନ୍ୟ କେତେକ ସୂତ୍ରାନୁସାରେ[ଆଧାର ଲୋଡ଼ା] ସେ ଉତ୍ତର ପଟରେ ରହିଥିବା ସଂଜୁ ଗିରିପଥ ଓ କୁନ୍ ଲୁନ୍ ପର୍ଯ୍ୟନ୍ତ ବ୍ୟାପ୍ତ ଅଞ୍ଚଳ ତାଙ୍କ ଅଧୀନରେ ରହିଥିବା ମଧ୍ୟ କହିଥିଲେ । ଜନ୍ସନ୍ ରେଖାରେ ଅନେକ ଭୁଲ ତଥ୍ୟ ଥିବା ଦର୍ଶାଇ ଏହାର କଠୋର ସମାଲୋଚନା କରାଯାଇଥିଲା ।[୧୧] ତାଙ୍କୁ ବ୍ରିଟିଶ୍ ସରକାର ଭର୍ତ୍ସନା କରିବା ପରେ ସେ ଭାରତୀୟ ସର୍ବେକ୍ଷଣ ସଂସ୍ଥାରୁ ଇସ୍ତଫା ଦେଇଥିଲେ ।[୧୦][୧୨] ଜାମ୍ମୁ ଓ କାଶ୍ମୀରର ମହାରାଜା ଶାହିଦୁଲ୍ଲା ଦୁର୍ଗ ନିର୍ମାଣ କରିଥିଲେ ଓ ଏଥିରେ ରହିଥିବା ସୈନ୍ୟମାନେ ବାଣିଜ୍ୟ ଓ ଗମନାଗମନପାଇଁ ଉଦ୍ଦିଷ୍ଟ ଗାଡିକୁ ସୁରକ୍ଷା ପ୍ରଦାନ କରୁଥିଲେ । ବର୍ତ୍ତମାନ ସମୟରେ ଏହି ଦୁର୍ଗ ଜାଇଦୁଲ୍ଲା ଦୁର୍ଗ ଭାବରେ ପରିଚିତ । ସମୟକ୍ରମେ ସମସ୍ତ ସୂତ୍ର ଶାହିଦୁଲ୍ଲା ଓ କାରାକାଶ୍ ନଦୀର ଉତ୍ତରାଞ୍ଚଳ ଜିନ୍ଜିଆଂଗ୍ର କ୍ଷେତ୍ରଭାବେ ଚିହ୍ନଟ କଲେ । ୧୮୮୦ ଦଶକର ଶେଷ ଭାଗରେ ଏହି ଅଞ୍ଚଳର ସର୍ବେକ୍ଷକ ଥିବା ଫ୍ରାଂସିସ୍ ୟଂଗ୍ହଜ୍ବ୍ୟାଣ୍ଡଙ୍କ ମତାନୁସାରେ ସେହି ଅଞ୍ଚଳରେ କେବଳ ଏକ ପରିତ୍ୟକ୍ତ ଦୁର୍ଗ ରହିଥିଲା ଓ ସେ ଯାଇଥିବା ସମୟରେ ଶାହିଦୁଲ୍ଲାର କୌଣସି ଘରେ ଜନବସତି ନଥିଲା । ଏହା ଯାଯାବର କିର୍ଗିଜ୍ମାନଙ୍କ ଆଶ୍ରୟସ୍ଥଳୀ ପାଲଟି ଯାଇଥିଲା ।[୧୩] ପରବର୍ତ୍ତୀ ସମୟରେ ଡୋଗ୍ରା ମାନଙ୍କଦ୍ୱାରା ଏହି ପରିତ୍ୟକ୍ତ ଦୁର୍ଗର ପୁନରୁତ୍ଥାନ ହେଲା ।[୧୪] ୧୮୪୮ ମସିହାବେଳକୁ ଚୀନୀ ସେନା ଜିନ୍ଜିଆଂଗ୍ ଅଞ୍ଚଳ ନିଜ ଅକ୍ତିଆରକୁ ଆଣିସାରିଥିଲା । ୧୮୯୦ ମସିହା ସମୟ ବେଳକୁ କୌଣସି ଆଲୋଚନା ବିନା ଚୀନୀ ସେନା ଶାହିଦୁଲ୍ଲା ଅକ୍ତିଆର କରିନେଲା । ୧୮୯୨ ବେଳକୁ ଚୀନ କାରାକୋରମ୍ ଗିରିପଥ ନିକଟରେ ଏକ ପାଚେରୀ ବା ଅନ୍ୟ ଚିହ୍ନଦ୍ୱାରା ଏଠାକାର ସୀମାରେଖା ଚିହ୍ନଟ କରିଛନ୍ତି ।
୧୮୯୭ ମସିହାରେ ସାର୍ ଜନ୍ ଆର୍ଦାଘ୍ ନାମକ ଜଣେ ବ୍ରିଟିଶ୍ ସୈନିକ ୟାର୍କଣ୍ଡ୍ ନଦୀର ଉତ୍ତର ପାର୍ଶ୍ୱରେ ରହିଥିବା କୁନ୍ଲୁନ୍ ପର୍ବତର ଉପତ୍ୟକାକୁ ସୀମାରେଖା ଭାବେ ଗ୍ରହଣ କରିବାର ପ୍ରସ୍ତାବ ଦେଇଥିଲେ ।[୧୫] ସେହି ସମୟରେ ବ୍ରିଟିଶ୍ମାନେ କେବଳ ଚୀନ ଦୁର୍ବଳ ହୋଇଗଲେ ଋଷ୍ର ଚୀନ ମଧ୍ୟକୁ ସଂପ୍ରସାରଣ ହେବାର ବିପଦପ୍ରତି ସଜାଗ ରହିଥିଲେ । ତାଙ୍କ ଦର୍ଶିତ ସୀମାରେଖା ଏହି ବିପଦର ମୁକାବିଲା କରିବାପାଇଁ ସହାୟକ ହେବ ବୋଲି ଆର୍ଦାଘ୍ ଯୁକ୍ତି ବାଢିଥିଲେ । ଆର୍ଦାଘ୍ ରେଖା ଜନ୍ସନ୍ ରେଖାର ଅନୁରୂପ ଥିଲା ଓ ପରବର୍ତ୍ତୀ ସମୟରେ ଏହା “ଆର୍ଦାଘ୍-ଜନ୍ସନ୍ ରେଖା” ନାମରେ ବିଦିତ ହେଲା ।
ମକାର୍ଟ୍ନେ-ମ୍ୟାକ୍ଡନାଲ୍ଡ୍ ରେଖା
ସମ୍ପାଦନାସେଣ୍ଟ୍ ପିଟର୍ସ୍ବର୍ଗ୍ରେ କାର୍ଯ୍ୟରତ ଚୀନୀ ଅଧିକାରୀ ହୁଂଗ୍ ତା-ଚେନ୍ ୧୮୯୩ ମସିହାରେ କାଶ୍ଗାର୍ର ବ୍ରିଟିଶ୍ କନ୍ସୁଲ୍ ଜେନେରାଲ୍ ଜର୍ଜ୍ ମକାର୍ଟ୍ନେଙ୍କୁ ଅକ୍ସାଇ ଚୀନ ଇଲାକାର କେତୋଟି ମାନଚିତ୍ର ପ୍ରଦାନ କରିଥିଲେ । ମକାର୍ଟ୍ନେଙ୍କ ପ୍ରସ୍ତାବର ଅନୁଶୀଳନ କରି ଭାରତର ତତ୍କାଳୀନ ଗଭର୍ଣ୍ଣର୍ ଜେନେରାଲ୍ ଲର୍ଡ୍ ଏଲ୍ଗିନ୍ ଏକ ନୂତନ ମାନଚିତ୍ର ଓ ସୀମାରେଖା ନିରୂପଣ କଲେ ଏବଂ ୧୮୯୯ ମସିହାରେ ବ୍ରିଟେନ୍ ଏକ ନୂଆ ଓ ପରିବର୍ତ୍ତିତ ସୀମାରେଖାର ପ୍ରସ୍ତାବ ରଖିଲା । ଏହି ନୂଆ ମାନଚିତ୍ର ଓ ସୀମାରେଖା ଅନୁସାରେ ଲକ୍ତ୍ସାଂଗ୍ ପର୍ବତର ଦକ୍ଷିଣ ପାର୍ଶ୍ୱରେ ଥିବା ଲିଂଗ୍ଜି ତାଂଗ୍ ସମତଳଭୂମି ଭାରତୀୟ ସୀମାରେ ଓ ଲକ୍ତ୍ସାଂଗ୍ ପର୍ବତର ଉତ୍ତର ପାର୍ଶ୍ୱରେ ଥିବା ଅକ୍ସାଇ ଚୀନ ଅଞ୍ଚଳ ଚୀନ ଅଧୀନସ୍ଥ ବୋଲି କୁହାଗଲା । କାରାକୋରମ୍ ପର୍ବତମାଳା ଧାରରେ ଥିବା ଏହି ନୂଆ ସୀମାରେଖାଦ୍ୱାରା ବ୍ରିଟିଶ୍ମାନଙ୍କ ସ୍ୱାର୍ଥ ସାଧିତ ହେଉଥିଲା । କାରାକୋରମ୍ ପର୍ବତ ଏକ ପ୍ରାକୃତିକ ସୀମାରେଖା ସଦୃଶ ଓ ନୂଆ ସୀମାରେଖା ଯୋଗୁଁ ବ୍ରିଟିଶ୍ମାନଙ୍କଦ୍ୱାରା ସିନ୍ଧୁ ନଦୀର ଉପତ୍ୟକା ଓ ଚୀନର ସୈନିକମାନଙ୍କଦ୍ୱାରା ତରିମ୍ ନଦୀର ଉପତ୍ୟକା ନିୟନ୍ତ୍ରିତ ହୋଇପାରିବ ଏବଂ ଯଦି ମଧ୍ୟ ଏସିଆ ପଟରୁ ଋଷ୍ ଆକ୍ରମଣ କରେ ତେବେ ତାହାର କଡା ଜବାବ ଦିଆଯାଇପାରିବ । ବ୍ରିଟିଶ୍ମାନେ ଏହାକୁ “ମକାର୍ଟ୍ନେ-ମ୍ୟାକ୍ଡନାଲ୍ଡ୍ ରେଖା” ନାମରେ ଅଭିହିତ କରି ୧୮୯୯ ମସିହାରେ ସାର୍ କ୍ଲଡେ ମ୍ୟାକ୍ଡନାଲ୍ଡ୍ଙ୍କ ଲିଖିତ ଏକ ଚିଠି ସହିତ ଚୀନର ଅଧିକାରୀଙ୍କ ନିକଟକୁ ପଠାଇଲେ । ସେତେବେଳେ ଚୀନର ଶାସନ କରୁଥିବା ଚିଂଗ୍ ସରକାର କୌଣସି ପ୍ରତ୍ୟୁତ୍ତର ଦେଲାନାହିଁ । “ମୌନଂ ସମ୍ମତି ଲକ୍ଷଣମ୍” ନୀତିରେ ବ୍ରିଟିଶ୍ମାନେ ଏହାକୁ ଚୀନର ସ୍ୱୀକୃତିଭାବେ ଗ୍ରହଣ କଲେ । ଯଦିଓ ଏହି ସମୟରେ କୌଣସି ନିର୍ଦ୍ଦିଷ୍ଟ ସୀମାରେଖା ଚିହ୍ନଟ କରାଯାଇନଥିଲା ଚୀନ ଏଯାବତ୍ ଏହାକୁ ସର୍ବସମ୍ମତ ସୀମାରେଖା ବୋଲି କହିଆସୁଛି ।
୧୮୯୯ରୁ ୧୯୪୭ ମଧ୍ୟରେ ବିବାଦ
ସମ୍ପାଦନାଉଭୟ ଆର୍ଦାଘ୍-ଜନ୍ସନ୍ ରେଖା ଓ ମକାର୍ଟ୍ନେ-ମ୍ୟାକ୍ଡନାଲ୍ଡ୍ ରେଖା ବ୍ରିଟେନ୍ଦ୍ୱାରା ପ୍ରସ୍ତୁତ ଓ ମୁଦ୍ରିତ ଭାରତ ମାନଚିତ୍ରରେ ଅଙ୍କିତ ହେଉଥିଲା । ୧୯୦୮ ମସିହାରେ ବ୍ରିଟିଶ୍ମାନେ ମକାର୍ଟ୍ନେ-ମ୍ୟାକ୍ଡନାଲ୍ଡ୍ ରେଖାକୁ ପ୍ରକୃତ ସୀମାରେଖା ବୋଲି ସ୍ୱୀକୃତି ଦେଲେ । ୧୯୧୧ ମସିହା ବେଳକୁ ଚୀନରେ ଜିନ୍ହାଇ ବିପ୍ଳବ ମୁଣ୍ଡ ଟେକିଲା ଓ ଚୀନର କେନ୍ଦ୍ରୀୟ ସରକାର ଭୁଷୁଡି ପଡିଥିଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ୍ମାନେ ସରକାରୀ ମାନଚିତ୍ରରେ ଜନ୍ସନ୍ ରେଖାକୁ ପ୍ରକୃତ ନିୟନ୍ତ୍ରଣରେଖା ବୋଲି କହିବା ଆରମ୍ଭ କଲେ । କିନ୍ତୁ ବ୍ରିଟିଶ୍ମାନଙ୍କ ତରଫରୁ ଜନ୍ସନ୍ ରେଖା ଉପରେ କୌଣସି ଛାଉଣୀ ବା ଶିବିର ଗଠନ କରାଗଲା ନାହିଁ । ୧୯୨୭ ମସିହା ବେଳକୁ ନିଜର ସୁବିଧାନୁସାରେ ବ୍ରିଟିଶ୍ ସେନା ପୁଣି କାରାକୋରମ୍ ପର୍ବତର ଦକ୍ଷିଣ ପଟକୁ ଚାଲିଯାଇଥିଲେ । ତଥାପି ମାନଚିତ୍ରରେ ଜନ୍ସନ୍ ରେଖାକୁ ପ୍ରକୃତ ନିୟନ୍ତ୍ରଣ ରେଖାଭାବେ ପ୍ରଦର୍ଶିତ କରାଯାଉଥିଲା ଓ ଏହାର ପରିବର୍ତ୍ତନ କରାଗଲା ନାହିଁ ।
୧୯୧୭ ମସିହାରୁ ୧୯୩୩ ମସିହା ପର୍ଯ୍ୟନ୍ତ ଚୀନ ସରକାରଙ୍କଦ୍ୱାରା ପେକିଂରେ ପ୍ରକାଶିତ “ପୋଷ୍ଟାଲ୍ ଏଟ୍ଲାସ୍ ଅଫ୍ ଚାଇନା”ରେ ଜନ୍ସନ୍ ରେଖାକୁ (ଯହାକି କୁନ୍ଲୁନ୍ ପର୍ବତର ଧାରରେ ଅକ୍ସାଇ ଚୀନର ସୀମା ନିର୍ଦ୍ଧାରଣ କରେ) ପ୍ରକୃତ ନିୟନ୍ତ୍ରଣ ରେଖା ବୋଲି କୁହାଗଲା । “ପେକିଂ ବିଶ୍ୱବିଦ୍ୟାଳୟ ଏଟ୍ଲାସ୍”ରେ ମଧ୍ୟ ଅକ୍ସାଇ ଚୀନ ଭାରତର ଅଂଶ ବୋଲି ଦର୍ଶାଯାଇଥିଲା । ୧୯୪୦-୧୯୪୧ ମସିହା ବେଳକୁ ଋଷ୍ର ଅଧିକାରୀମାନେ ଜିନ୍ଜିଆଂଗ୍ର ଜଣେ ବିପ୍ଳବୀ ସର୍ଦ୍ଦାର ଶେଂଗ୍ ଶିକାଇଙ୍କ ପାଇଁ ଅକ୍ସାଇ ଚୀନ ଅଞ୍ଚଳର ସର୍ବେକ୍ଷଣ ଆରମ୍ଭ କଲେ । ବ୍ରିଟିଶ୍ମାନଙ୍କୁ ଏହି ଖବର ମିଳିବା ପରେ ସେମାନେ ଜନ୍ସନ୍ ରେଖାକୁ ପ୍ରକୃତ ନିୟନ୍ତ୍ରଣ ରେଖା ବୋଲି କହିଲେ । କିନ୍ତୁ ତେବେମଧ୍ୟ ବ୍ରିଟିଶ୍ ସେନା ଅକ୍ସାଇ ଚୀନର ସୀମାରେଖା ପାର୍ଶ୍ୱରେ କୌଣସି ଛାଉଣୀ ଗଠନ କଲେ ନାହିଁ ବା ଚୀନ ଓ ତିବ୍ୱତର ସରକାରଙ୍କ ସହିତ ଏହି ସୀମା ନିର୍ଦ୍ଧାରଣ ବିଷୟରେ କୌଣସି ଆଲୋଚନା କଲେନାହିଁ । ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ଏହି ସୀମାରେଖା ଅନିର୍ଦ୍ଦିଷ୍ଟ ହୋଇ ରହିଥିଲା ।
୧୯୪୭ ପରବର୍ତ୍ତୀ ସମୟରେ ବିବାଦ
ସମ୍ପାଦନା୧୯୪୭ ମସିହାରେ ବ୍ରିଟିଶ୍ ଅଧୀନରୁ ଭାରତ ସ୍ୱାଧୀନ ହେଲା । ସ୍ୱାଧୀନ ଭାରତର ସରକାର ପୂର୍ବରୁ ବ୍ୟବହୃତ ଜନ୍ସନ୍ ରେଖାକୁ ନିୟନ୍ତ୍ରଣ ରେଖା ଭାବେ ବିବେଚିତ କରି ଓ ପଶ୍ଚିମ ପଟରେ ଅକ୍ସାଇ ଚୀନକୁ ଭାରତର ଅଂଶ ବୋଲି ଅଭିହିତ କଲେ । ଅକ୍ସାଇ ଚୀନର ଉତ୍ତରାଂଶରେ ଥିବା ଶାହିଦୁଲ୍ଲା ଓ ଖୋଟାନ୍ ଉପରେ କିନ୍ତୁ ଭାରତ ସରକାର କୌଣସି ଦାବୀ ଉପସ୍ଥାପନ କଲେନାହିଁ । ଏହି ସବୁ ଅଞ୍ଚଳକୁ ଭାରତର ସୀମା ମଧ୍ୟରେ ଦର୍ଶାଇଥିବାରୁ ଜନ୍ସନ୍ଙ୍କୁ କଠୋର ସମାଲୋଚନାର ଶିକାର ହେବାକୁ ପଡିଥିଲା । ଭାରତ ଦାବୀ କରୁଥିବା ସୀମାରେଖା ନିର୍ବିବାଦୀୟ କାରାକୋରମ୍ ଗିରିପଥରୁ କାରାକୋରମ୍ ପର୍ବତର ଉତ୍ତର-ପୂର୍ବ ପଟ (ଅକ୍ସାଇ ଚୀନର ଲବଣାକ୍ତ ସମୋଚ୍ଚଭୂମିର ଉତ୍ତରାଂଶ) ପର୍ଯ୍ୟନ୍ତ, ତା’ପରେ କୁନ୍ଲୁନ୍ ପର୍ବତକୁ ସୀମାରେଖା ଭାବେ ଗ୍ରହଣ କରି କାରାକାଶ୍ ନଦୀ ଓ ୟାରକଣ୍ଡ୍ ନଦୀ ନିକଟବର୍ତ୍ତୀ କେତେକ ଅଂଶ ଅତିକ୍ରମ କଲାପରେ ଦକ୍ଷିଣ-ପୂର୍ବ ପଟକୁ ବୁଲି ଅକ୍ସାଇ ଚୀନ, କାରାକୋରମ୍ ପର୍ବତ ଦେଇ ପାଂଗୋଂଗ୍ ତ୍ସୋ ପର୍ଯ୍ୟନ୍ତ ରହିଛି ।
୧୯୫୪ ମସିହା ଜୁଲାଇ ୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଭାରତର ମାନଚିତ୍ର ଗୁଡିକରେ ସବୁ ପଟରୁ ପ୍ରକୃତ ନିୟନ୍ତ୍ରଣ ରେଖା ଦର୍ଶାଇବା ପାଇଁ ଏକ ନିର୍ଦ୍ଦେଶନାମା ଲେଖିଥିଲେ । ସେହି ସମୟ ପର୍ଯ୍ୟନ୍ତ ଜନ୍ସନ୍ ରେଖାରେ ଅନ୍ତର୍ଭୁକ୍ତ ଅକ୍ସାଇ ଚୀନ ଅଞ୍ଚଳକୁ ବାଡ ପକାଇ ବା ଅନ୍ୟ କୌଣସି ଉପାୟରେ ଚିହ୍ନଟ କରାଯାଇନଥିଲା ।
ଟ୍ରାନ୍ସ୍-କାରାକୋରମ୍ ଟ୍ରାକ୍ଟ୍
ସମ୍ପାଦନାକାରାକୋରମ୍ ଗିରିପଥର ପଶ୍ଚିମ ପଟ କ୍ଷେତ୍ର ଗିଲ୍ଗିଟ୍-ବାଲ୍ଟିସ୍ଥାନ ନାମରେ ଜଣାଶୁଣା ଓ ଏହାକୁ ପାକିସ୍ଥାନ ନିୟନ୍ତ୍ରଣ କରେ । ଏହି ଅଞ୍ଚଳ ପର୍ଯ୍ୟନ୍ତ ଜନ୍ସନ୍ ରେଖା ଯାଇନାହିଁ ଓ ବର୍ତ୍ତମାନ ଏହି ଅଞ୍ଚଳର ସୀମାର ଅପରପାର୍ଶ୍ୱରେ ଚୀନ ଅବସ୍ଥିତ । ୧୯୬୨ ମସିହା ଅକ୍ଟୋବର୍ ୧୩ ତାରିଖରେ କାରାକୋରମ୍ର ପଶ୍ଚିମ ପାର୍ଶ୍ୱରେ ସୀମା ନିର୍ଦ୍ଧାରଣ କରିବା ପାଇଁ ଚୀନ ଓ ପାକିସ୍ଥାନ ମଧ୍ୟରେ ଆଲୋଚନା ଆରମ୍ଭ ହେଲା । ୧୯୬୩ ମସିହାରେ ଦୁଇ ଦେଶ ମକାର୍ଟ୍ନେ-ମ୍ୟାକ୍ଡନାଲ୍ଡ୍ ରେଖାକୁ ଭିତ୍ତି କରି ସୀମାରେଖା ନିର୍ଦ୍ଧାରଣ କଲେ । ଏହା ଫଳରେ ଟ୍ରାନ୍ସ୍ କାରାକୋରମ୍ ଟ୍ରାକ୍ଟ୍ (Trans Karakoram Tract) ୫୮୦୦ ବର୍ଗ କି.ମି. / ୫୧୮୦ ବର୍ଗ କି.ମି. ଚୀନର ଅଂଶ ଭାବେ ପରିଗଣିତ ହେଲା । କାଶ୍ମୀର୍ ବିବାଦର ସମାଧାନ ହେଲେ ଏହି ଅଞ୍ଚଳ ସମ୍ପର୍କରେ ପୁଣି ଆଲୋଚନା ହେବ ବୋଲି ସ୍ଥିର ହେଲା । ଏଥିରେ କିନ୍ତୁ ଭାରତର ସହମତି ନଥିଲା । ଭାରତର ଯୁକ୍ତି ଅନୁସାରେ ପାକିସ୍ଥାନ ଓ ଚୀନର ସୀମା ସଂଲଗ୍ନ ନୁହେଁ । ପାକିସ୍ଥାନ ସହ ଆଲୋଚନା ପରେ ଚୀନ ଯେଉଁ ଟ୍ରାନ୍ସ୍ କାରାକୋରମ୍ ଟ୍ରାକ୍ଟ୍ ଅଧିକାର କରିଛି ତାହା ୧୯୪୭ ପୂର୍ବର ପରାଧୀନ ଭାରତର ଜାମ୍ମୁ ଓ କାଶ୍ମୀର୍ ରାଜ୍ୟର ଅଂଶ । ଭାରତ କିନ୍ତୁ ଏହାର ଆହୁରି ଉତ୍ତରରେ ଥିବା ଜନ୍ସନ୍ ରେଖା ପର୍ଯ୍ୟନ୍ତ ଅଞ୍ଚଳ ଉପରେ ଅଧିକାର ଦାବୀ କରିନାହିଁ । ଏହି ଅଞ୍ଚଳରେ ଚୀନ ଓ ଭାରତ ମଧ୍ୟରେ ଏଯାବତ୍ ସୀମା ବିବାଦ ଲାଗି ରହିଛି ।
ମ୍ୟାକ୍-ମୋହନ ରେଖା
ସମ୍ପାଦନାପ୍ରଥମ ଇଂରାଜୀ-ବ୍ରହ୍ମଦେଶୀ ଯୁଦ୍ଧ ୧୮୨୪ ମସିହାରୁ ୧୮୨୬ ମସିହା ପର୍ଯ୍ୟନ୍ତ ଚାଲିଥିଲା । ୧୮୨୬ ମସିହାରେ ୟାନ୍ଦାବୋ ଚୁକ୍ତି ପରେ ଆସାମ ବ୍ରିଟିଶ୍ ଭାରତରେ ମିଶିଲା । ତେଣୁ ବ୍ରିଟିଶ୍ ଶାସନାଧୀନ ଭାରତ ଓ ଚୀନ ପୁଣି ପଡୋଶୀଭାବେ ସୀମାରେଖାର ଦୁଇ ପାର୍ଶ୍ୱରେ ଉଭା ହେଲେ । ପରବର୍ତ୍ତୀ ଇଂରାଜୀ-ବ୍ରହ୍ମଦେଶୀ ଯୁଦ୍ଧମାନଙ୍କରେ ବିଜୟଲାଭ କରି ବ୍ରିଟିଶ୍ମାନେ ପୂର୍ବ ଦିଗରେ ଭୂମି ଅକ୍ତିଆର କରି ଚାଲିଲେ ଓ ବ୍ରହ୍ମଦେଶ ସୀମା ପାଖରେ ପହଞ୍ଚିଗଲେ । ଏହି କାରଣରୁ ଭାରତ ଓ ଚୀନ ମଧ୍ୟରେ ଥିବା ସୀମାରେଖା ଆହୁରି ବଢିଗଲା ।
୧୯୧୩-୧୪ ମସିହାରେ ବ୍ରିଟେନ୍, ଚୀନ ଓ ତିବ୍ୱତ୍ର ପ୍ରତିନିଧିମାନେ ଭାରତର ସିମଳାଠାରେ ଏକ ବୈଠକରେ ଯୋଗଦେଇ ତିବ୍ୱତ୍ର ଅବସ୍ଥା ଓ ରାଷ୍ଟ୍ରୀୟ ସୀମା ସମ୍ପର୍କରେ ସହମତି ପାଇଁ ଚେଷ୍ଟା କରାଗଲା । ତିବ୍ୱତ୍ ଓ ଭାରତ ମଧ୍ୟବର୍ତ୍ତୀ ସୀମା ଚିହ୍ନଟ କରି ବ୍ରିଟିଶ୍ ପ୍ରତିନିଧି ହେନେରି ମ୍ୟାକ୍-ମୋହନ ଏହି ଚୁକ୍ତିପତ୍ର ସହିତ ଏକ ମାନଚିତ୍ର ସଂଲଗ୍ନ କଲେ । ଏହି ରେଖା ମ୍ୟାକ୍-ମୋହନ ରେଖା ଭାବେ ପରିଚିତ । ବୈଠକରେ ସମସ୍ତ ପ୍ରତିନିଧି ଏଥିରେ ସହମତ ହେଲେ କିନ୍ତୁ କିଛିଦିନ ପରେ ବେଜିଂ ଏହି ଭାରତ-ଚୀନ ସୀମାକୁ ଅମାନ୍ୟ କଲା ଓ ବିସ୍ତୃତ ମାନଚିତ୍ର ଓ ଚୁକ୍ତିପତ୍ରରେ ସ୍ୱାକ୍ଷର କଲାନାହିଁ । ସ୍ୱାକ୍ଷର ନକଲେ ଏହି ଚୁକ୍ତିରେ ରଖାଯାଇଥିବା ଅନ୍ୟାନ୍ୟ ସୁବିଧାରୁ ଚୀନ ବଞ୍ଚିତ ହେବ ବୋଲି ଘୋଷଣା କରି ବ୍ରିଟିଶ୍ ଓ ତିବ୍ୱତୀୟ ପ୍ରତିନିଧିମାନେ ଚୀନର ଅନୁପସ୍ଥିତି ସତ୍ତ୍ୱେ ସିମଳା ଚୁକ୍ତିରେ ସ୍ୱାକ୍ଷର କଲେ । ନେଭିଲ୍ ମ୍ୟାକ୍ସୱେଲ୍ଙ୍କ ମତରେ ଚୀନ ସ୍ୱାକ୍ଷର ନ କଲେ ତିବ୍ୱତ୍ ସହିତ ଦ୍ୱିପାକ୍ଷିକ ଭାବେ ସ୍ୱାକ୍ଷର କରାଯିବ ନାହିଁ ବୋଲି ମ୍ୟାକ୍-ମୋହନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସେ ଏହି ଆଦେଶ ମାନିନଥିଲେ ଓ ଏହାର ଘୋଷଣାନାମାକୁ ଲୁଚାଇ ରଖାଗଲା ।
ଭି. କେ. ସିଂହ ଯୁକ୍ତି ବାଢନ୍ତି ଯେ ହିମାଳୟ ପର୍ବତଶ୍ରେଣୀ ଭାରତର ଉତ୍ତର ସୀମା ଓ ସେଠାରୁ ଦକ୍ଷିଣରେ ଥିବା ଭୂଖଣ୍ଡ ଭାରତ ଭାବେ ପରିଚିତ ବୋଲି ଭାରତର ପ୍ରାଚୀନ ଇତିହାସରେ ଉଲ୍ଲେଖ ଅଛି, ସାହିତ୍ୟ ଓ ସଂସ୍କୃତିରେ ମଧ୍ୟ ଏହାର ପ୍ରମାଣ ମିଳେ । ଏହି ସବୁ ତଥ୍ୟକୁ ଆଧାର କରି ବ୍ରିଟିଶ୍ ଭାରତ ଓ ତିବ୍ୱତ୍ ମଧ୍ୟରେ ସୀମା ନିରୂପଣ କରାଯାଇଥିଲା । ହିମାଳୟର ଉଚ୍ଚଭୂମିର ଜଳବିଭାଜକରୁ ଉତ୍ତର ପଟ ପଡୋଶୀଙ୍କ ଅଞ୍ଚଳ ବୋଲି ପ୍ରସ୍ତାବ ରଖାଗଲା । ବ୍ରିଟିଶ୍ ଭାରତ ଏବଂ ସ୍ୱାଧୀନ ଭାରତର ସରକାରମାନେ ହିମାଳୟ ଭାରତର ଅଭିନ୍ନ ଅଂଗ ଓ ଏହା ଉତ୍ତର ଭାରତର ପ୍ରକୃତ ସୀମାରେଖା ବୋଲି ମତ ରଖିଆସୁଛନ୍ତି ।
ଚୀନ ତରଫରୁ ସୀମାରେଖା ନିର୍ଣ୍ଣୟ କରୁଥିବା ସଂସ୍ଥା ୱାଲୋଂଗ୍ ଏହାର ଅଞ୍ଚଳ ବୋଲି ୧୯୧୪ ମସିହା ପର୍ଯ୍ୟନ୍ତ ଦାବୀ କରି ଆସୁଥିଲା । ଟି. ଓ’କାଲାଘାନ୍ ସେ ସମୟରେ ଉତ୍ତର-ପୂର୍ବ ଫ୍ରଣ୍ଟିୟର୍ ଏଜେନ୍ସିରେ ଜଣେ ସହ-ତତ୍ତ୍ୱାବଧାରକ ଥିଲେ । ଓ’କାଲାଘାନ୍ ଚୀନ ସୈନିକଙ୍କୁ ମ୍ୟାକ୍-ମୋହନ ରେଖା ଦିଗରେ ଆଉ ଏକ ସ୍ଥାନକୁ ସ୍ଥାନାନ୍ତରିତ କରାଇବାରେ ସଫଳ ହୋଇଥିଲେ (ତଥାପି ଏହି ସ୍ଥାନଟି ମ୍ୟାକ୍-ମୋହନ ରେଖାରୁ ଯଥେଷ୍ଟ ଦକ୍ଷିଣକୁ ରହିଥିଲା) । ତାହାପରେ ସେ ରିମା ନାମକ ସ୍ଥାନକୁ ଯାଇ ତିବ୍ୱତ୍ ଅଧିକାରୀଙ୍କ ସହିତ ସାକ୍ଷାତ କରିଥିଲେ ଓ ଏଠାରେ ଚୀନର କୌଣସି ପ୍ରଭାବ ବିସ୍ତାର ଦେଖିବାକୁ ପାଇନଥିଲେ ।
ତିବ୍ୱତ୍ ସହ ସିମଳା ଚୁକ୍ତି ସ୍ୱାକ୍ଷର କରିବାଦ୍ୱାରା ବ୍ରିଟେନ୍ ଋଷ୍ ସହିତ ପୂର୍ବରୁ କରିଥିବା ୧୯୦୭ ମସିହାର ଇଂରାଜୀ-ଋଷୀୟ ଚୁକ୍ତିନାମାକୁ ଉଲ୍ଲଂଘନ କଲା । ୧୯୦୭ରେ ଋଷ୍ ଓ ବ୍ରିଟେନ୍ “ଚୀନର ମଧ୍ୟସ୍ଥତା ବିନା ତିବ୍ୱତ୍ ସହ କୌଣସି ଚୁକ୍ତି ନକରିବା” ପାଇଁ ଏକମତ ହୋଇଥିଲେ । ୧୯୦୬ ମସିହାରେ ହୋଇଥିବା ଇଂରାଜୀ-ଚୀନୀ ଚୁକ୍ତିନାମା ଅନୁସାରେ ମଧ୍ୟ ଇଂରାଜୀ ଶାସକ ତିବ୍ୱତ୍କୁ ନିଜ ସାମ୍ରାଜ୍ୟରେ ମିଶାଇ ପାରିବେ ନାହିଁ ବୋଲି ସର୍ତ୍ତ ରହିଥିଲା ଯାହା ବ୍ରିଟେନ୍ ଉଲ୍ଲଂଘନ କଲା । ଏହି ସବୁ କାରଣରୁ ମ୍ୟାକ୍-ମୋହନ ରେଖାର ବୈଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ ଭାବି ୧୯୩୭ ମସିହା ପର୍ଯ୍ୟନ୍ତ ବ୍ରିଟିଶ୍ମାନେ ନିଜ ମାନଚିତ୍ରରେ ମ୍ୟାକ୍-ମୋହନ ରେଖା ଦର୍ଶାଇ ନଥିଲେ ଓ ସିମଳା ଚୁକ୍ତିନାମାର ସର୍ତ୍ତାବଳୀକୁ ୧୯୩୮ ମସିହା ପର୍ଯ୍ୟନ୍ତ ପ୍ରକାଶିତ କରିନଥିଲେ । ୧୯୧୩ରେ ତିବ୍ୱତ୍ର ସ୍ୱାଧୀନତା ଘୋଷଣାକୁ ଚୀନ ପ୍ରତ୍ୟାଖ୍ୟାନ କରିଥିଲା । ଚୀନ ମତ ରଖିଲା ଯେ ସିମଳା ଚୁକ୍ତି ଓ ମ୍ୟାକ୍-ମୋହନ ରେଖା ଅବୈଧ, ତା’ଛଡା ତିବ୍ୱତ୍ର ସରକାର ଏକ ସ୍ଥାନୀୟ ସରକାର ଓ ଏହାର ଚୁକ୍ତି ସ୍ୱାକ୍ଷର କରିପାରିବାର କ୍ଷମତା ନାହିଁ । ୧୯୪୭ ମସିହାରେ ମ୍ୟାକ୍-ମୋହନ ରେଖାର ଦକ୍ଷିଣରେ ଅବସ୍ଥିତ ତୱାଂଗ୍ ସହରରେ ତିବ୍ୱତ୍ ଓ ଭାରତ ମଧ୍ୟରେ ସୀମା ଓ ନିୟନ୍ତ୍ରଣ କ୍ଷେତ୍ରକୁ ନେଇ ଆପୋଷ ଆଲୋଚନା ହୋଇଥିଲା । ତିବ୍ୱତ୍ର ଅନୁରୋଧ କ୍ରମେ ଭାରତ ଏହାର ସୀମା ଓ ଅଧିକାରକୁ ସମ୍ମାନ ଦେବ ବୋଲି ରାଜି ହେଲା, ତିବ୍ୱତ୍ ମ୍ୟାକ୍-ମୋହନ ରେଖାକୁ ନେଇ କୌଣସି ଆପତ୍ତି କଲାନାହିଁ ଓ ବ୍ରିଟିଶ୍-ଭାରତ ସରକାର ପରି ସ୍ୱାଧୀନ ଭାରତ ସରକାର ଓ ତିବ୍ୱତ୍ ନିଜ ସମ୍ପର୍କ ବଜାୟ ରଖିବାକୁ ରାଜି ହେଲେ ।
ବ୍ରିଟିଶ୍ ସୂତ୍ରରୁ ଓ ସରକାରୀ କାଗଜରୁ ଜଣାପଡେ ଯେ ତିବ୍ୱତ୍ ୧୯୧୪ ମସିହାରେ ନିର୍ଣ୍ଣିତ ନୂତନ ସୀମା ଗ୍ରହଣ କରିବା ପାଇଁ ଏକ ସର୍ତ୍ତ ରହିଥିଲା ଓ ଏହି ସର୍ତ୍ତ ହେଲା ଚୀନ ସିମଳା ଚୁକ୍ତିନାମାରେ ସହମତି ପ୍ରକାଶ କରିବ । କିନ୍ତୁ ଚୀନର ସହମତି ନ ମିଳିବାରୁ ତିବ୍ୱତୀୟମାନେ ମ୍ୟାକ୍-ମୋହନ ରେଖାକୁ ଅକାମୀ ବୋଲି ବିଚାର କଲେ । ୧୯୩୮ ମସିହା ବେଳକୁ ତିବ୍ୱତୀୟ ସେନା ତୱାଂଗ୍ ଅଞ୍ଚଳ ନିୟନ୍ତ୍ରଣ କରୁଥିଲା ଓ ସେହି ବର୍ଷ ହୋଇଥିବା ଏକ ଆଲୋଚନାରେ ଏହି ଅଞ୍ଚଳ ଛାଡିବାକୁ ମଙ୍ଗିଲା ନାହିଁ । ତତ୍କାଳୀନ ଆସାମ ଗଭର୍ଣ୍ଣର୍ “ତୱାଂଗ୍ ନିଶ୍ଚିତ ଭାବେ ବ୍ରିଟିଶ୍ ଅଞ୍ଚଳ ଯାହା ତିବ୍ୱତ୍ ନିୟନ୍ତ୍ରଣରେ ଅଛି” ବୋଲି କହିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ ଆଜାଦ୍ ହିନ୍ଦ ଫୌଜ ଓ ଜାପାନୀ ସେନା ପୂର୍ବ ପଟୁ ଆକ୍ରମଣ କରିପାରନ୍ତି ଓ ତୱାଂଗ୍ ଅଞ୍ଚଳରୁ ଭଲଭାବେ ସେମାନଙ୍କ ଆକ୍ରମଣକୁ ପ୍ରତିରୋଧ କରିହେବ ବୋଲି ବ୍ରିଟିଶ୍ମାନେ ବଳପୂର୍ବକ ତୱାଂଗ୍ ଅକ୍ତିଆର କଲେ ।
ପୂର୍ବେ NEFA ପରିସରଭୁକ୍ତ ମ୍ୟାକ୍-ମୋହନ ରେଖାର ଦକ୍ଷିଣାଂଶ ଚୀନର ପାରମ୍ପରିକ ସୀମା ବୋଲି ଚୀନ ମତ ରଖେ । ଭାରତର ଯୁକ୍ତି ହେଲା ଯେ ଲଦାଖ୍ ଓ ଅରୁଣାଚଳପ୍ରଦେଶ ଅଞ୍ଚଳରେ ଚୀନ ଦାବୀ କରୁଥିବା କ୍ଷେତ୍ର ଚୀନର ବୋଲି ତା’ ନିଜ ଛଡା ଆଉ କେହି କୁହନ୍ତି ନାହିଁ ଓ ଏଗୁଡିକ ଚୀନର କ୍ଷେତ୍ର ବୋଲି କେଉଁଠାରେ ମଧ୍ୟ ଲିଖିତ ପ୍ରମାଣ ନାହିଁ । ଚୀନ ଏହି କ୍ଷେତ୍ର ପୂର୍ବେ କବ୍ଜା କରିରଖିଥିଲା ବୋଲି ଏବେ ମଧ୍ୟ ନିଜର ବୋଲି ଦାବୀ କରୁଛି । ଅପର ପକ୍ଷେ ଚୀନର ଯୁକ୍ତି ହେଲା ଯେ ଏହି ଅଞ୍ଚଳ ଚୀନର ଓପୂର୍ବେ ଏହା ବ୍ରିଟିଶ୍ମାନଙ୍କ ଅଧୀନରେ ଥିବାରୁ ଭାରତ ଏହାକୁ ନିଜର ବୋଲି ଦାବୀ କରୁଛି । ଶେଷ ଚିଂଗ୍ ସମ୍ରାଟଙ୍କ ଅଭିଲେଖରେ ଆଗାମୀ ସରକାରଙ୍କୁ ଚୀନର ପାଞ୍ଚୋଟି ଅଞ୍ଚଳରେ (ଯଥା : ମାଞ୍ଚୁସ୍, ହାନ୍ ଚାଇନିଜ୍, ମଂଗୋଲ୍, ମୁସଲିମ୍ ଓ ତିବ୍ୱତୀୟ) ବସବାସ କରୁଥିବା ସମ୍ପ୍ରଦାୟମାନଙ୍କୁ ସେମାନଙ୍କ ବାସସ୍ଥାନ ସହିତ ରାଷ୍ଟ୍ରରେ ସମ୍ମିଳିତ କରାଇବାର କ୍ଷମତା ଦେଇଛନ୍ତି । କିନ୍ତୁ ପୂର୍ବ ସମୟରେ ମୌର୍ଯ୍ୟ ଓ ଚୋଳ ବଂଶର ସାମ୍ରାଜ୍ୟର ଅନେକ ଅଂଶ ଯେଉଁଠାରେ ବର୍ତ୍ତମାନ ଚୀନର ନିୟନ୍ତ୍ରଣ ରହିଛି ଓ ଯେଉଁଠାରେ ଭାରତୀୟ ପରମ୍ପରା ଆଜି ବି ଉଦ୍ଜୀବିତ, ସେହି ସବୁ ସ୍ଥାନ ଉପରେ ଭାରତ ନିଜର ଅଧିକାର ଦାବୀ କରେ ନାହିଁ । ଏହା ପରିସ୍ଥିତିକୁ ଆହୁରି ଜଟିଳ କରିପକାଇଛି ।
ପୂର୍ବ ପଟରେ ସୀମା ମ୍ୟାକ୍-ମୋହନ ରେଖା ଅନୁସରଣ କରେ ବୋଲି ଭାରତ ଦାବୀ କରୁଛି । ୧୯୧୪ ମସିହା, ୨୪ ଓ ୨୫ ମାର୍ଚ୍ଚ୍ ମାସରେ ମ୍ୟାକ୍-ମୋହନ ଯେଉଁ ବିସ୍ତୃତ ମାନଚିତ୍ର ଓ ସିମଳା ଚୁକ୍ତିନାମା ପ୍ରସ୍ତୁତ କରିଥିଲେ ତାହା ଅନୁସାରେ ମ୍ୟାକ୍-ମୋହନ ରେଖା ୨୭° ୪୫’ ୪୦"ଉତ୍ତର ଅକ୍ଷାଂଶରୁ ଆରମ୍ଭ ହୋଇ ଭୁଟାନ୍, ଚୀନ ଓ ଭାରତର ତ୍ରିରାଷ୍ଟ୍ରୀୟ ମିଳନ ବିନ୍ଦୁକୁ ଅତିକ୍ରମ କରି ପୂର୍ବ ଦିଗଆଡକୁ ଅଗ୍ରସର ହୋଇଛି । ଯୁଦ୍ଧ ଆଗରୁ ପୂର୍ବାଞ୍ଚଳରେ ହୋଇଥିବା ସମସ୍ତ ସଂଗ୍ରାମ ଏହି ରେଖାର ଉତ୍ତର ପାର୍ଶ୍ୱରେ ହୋଇଥିଲା । ଭାରତ ସବୁବେଳେ କହି ଆସିଛି ଯେ ମ୍ୟାକ୍-ମୋହନଙ୍କ ଲିଖିତ ରିପୋର୍ଟରୁ ଜଣାପଡେ ଯେ ହିମାଳୟ ଅଞ୍ଚଳର ଜଳବିଭାଜକକୁ ଅନୁସରଣ କରିବା ହିଁ ମ୍ୟାକ୍-ମୋହନ ରେଖାର ମୂଳ ଲକ୍ଷ୍ୟ । ଅନୁଧ୍ୟାନ କଲେ ଜଣାପଡେ ଯେ ମ୍ୟାକ୍-ମୋହନ ରେଖାର ୯୦% ହିମାଳୟର ଜଳବିଭାଜକକୁ ଅନୁସରଣ କରେ । ଭାରତର ଯୁକ୍ତି ଅନୁସାରେ ଭୁଟାନ୍ ନିକଟବର୍ତ୍ତୀ ସ୍ଥାନମାନଙ୍କରେ ଓ ମ୍ୟାକ୍-ମୋହନ ରେଖାର ଅନ୍ୟ ସ୍ଥାନମାନଙ୍କରେ ପର୍ବତମାଳାର ଉତ୍ତର ପଟ ଚୀନ ଓ ଦକ୍ଷିଣ ପଟ ଭାରତୀୟ କ୍ଷେତ୍ର ରୂପେ ଚିହ୍ନଟ ହେବା ଉଚିତ୍ । ଦୁଇ ପକ୍ଷର ସେନା ମଧ୍ୟ ପର୍ବତମାଳାଦ୍ୱାରା ପୃଥକ୍ ହୋଇ ରହିବେ ।
୧୯୫୦ ଦଶନ୍ଧି ଓ ତାହା ପରେ ଭାରତୀୟ ସେନା ଏହି ଅଞ୍ଚଳର ନିରୀକ୍ଷଣ କରିବାକୁ ଲାଗିଲେ ଓ ବିସ୍ତୃତ ଭାବେ ମାନଚିତ୍ର ପ୍ରସ୍ତୁତ କଲେ । ଭାରତୀୟ ଅଧିକାରୀମାନେ ୧୯୧୪ର ସିମଳା ଚୁକ୍ତିର ପୁଷ୍ଟି କରି କହିଲେ ଯେ ୬ଟି ନଦୀ ହିମାଳୟର ଏହି ଜଳବିଭାଜକ ରେଖାରେ ବ୍ୟତିକ୍ରମ ସୃଷ୍ଟି କରୁଥିଲେ । ତୱାଂଗ୍ର ଉତ୍ତରକୁ ଭୁଟାନ୍ ନିକଟବର୍ତ୍ତୀ ସ୍ଥାନରେ ମାନଚିତ୍ର ସାମାନ୍ୟ ପରିବର୍ତ୍ତିତ କରାଯାଇ ଥାଗ୍ ଲା, ଲୋଂଗ୍ଜୁ ଓ ଖିଞ୍ଜେମାନେ ଭାରତୀୟ କ୍ଷେତ୍ରର ଅନ୍ତର୍ଗତ ବୋଲି କୁହାଗଲା । ତେଣୁ ଭାରତୀୟ ମତାନୁସାରେ ଭୁଟାନ୍-ଚୀନ-ଭାରତର ତ୍ରିରାଷ୍ଟ୍ରୀୟ ମିଳନ ବିନ୍ଦୁ ୨୭° ୫୧’ ୩୦"ଉତ୍ତରରେ ଅବସ୍ଥିତ । ଭାରତୀୟ ଦାବୀ ଅନୁସାରେ ମ୍ୟାକ୍-ମୋହନ ରେଖା ଥାଗ୍ ଲା ପରି ପର୍ବତ ଉପତ୍ୟକା ଦେଇ ଗତି କରିଛି । କିନ୍ତୁ ପ୍ରକୃତ ଚୁକ୍ତିନାମା ଓ ମାନଚିତ୍ରରେ କିଛି ସଠିକ୍ ରୂପରେଖ ବା ଭୌଗୋଳିକ ବର୍ଣ୍ଣନା କରାଯାଇନାହିଁ ।
ସୀମାରେଖା ସମ୍ବନ୍ଧୀୟ ଆଲୋଚନା ଓ ବିବାଦ
ସମ୍ପାଦନା୧୯୪୭ରୁ ୧୯୬୨
ସମ୍ପାଦନା୧୯୫୦ ମସିହାରେ ଚୀନ ଜିନ୍ଜିଆଂଗ୍ରୁ ପଶ୍ଚିମ ତିବ୍ୱତ୍ ପର୍ଯ୍ୟନ୍ତ ପ୍ରାୟ ୧୨୦୦ କି.ମି. (୭୫୦ ମାଇଲ୍)ର ଏକ ସଡକ ନିର୍ମାଣ କଲା । ଏହି ସଡକର ପ୍ରାୟ ୧୭୯ କି.ମି. ଜନ୍ସନ୍ ରେଖାର ଦକ୍ଷିଣ ଭାଗରେ ଅକ୍ସାଇ ଚୀନ ଅଞ୍ଚଳରେ ନିର୍ମିତ ହେଲା ଯାହାକୁ ଭାରତ ନିଜର କ୍ଷେତ୍ର ବୋଲି କହିଆସୁଥିଲା । ଅକ୍ସାଇ ଚୀନ ଅଞ୍ଚଳକୁ ଚୀନ ପଟରୁ ପହଞ୍ଚିବା ସହଜ ହୋଇଥିବା ବେଳେ ଭାରତ ପଟରୁ ପହଞ୍ଚିବା ପାଇଁ କାରାକୋରମ୍ ପର୍ବତ ଲଂଘିବାକୁ ହୁଏ । ୧୯୫୭ ମସିହା ପର୍ଯ୍ୟନ୍ତ ଭାରତୀୟ ସେନା ଏହି ସଡକ ବିଷୟରେ ଜାଣି ନଥିଲା । ୧୯୫୮ ମସିହାରେ ଚୀନରୁ ମୁଦ୍ରିତ ମାନଚିତ୍ରରେ ଏହି ସଡକ ସ୍ଥାନ ପାଇବା ପରେ ସଡକର ଉପସ୍ଥିତି ନିଶ୍ଚିତ ହୋଇଗଲା ।
ଭାରତୀୟ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଭାରତୀୟ ପକ୍ଷ ରଖିଲେ ଯେ ଅକ୍ସାଇ ଚୀନ ଅନେକ କାଳରୁ ଭାରତର ଲଦାଖ୍ ଅଞ୍ଚଳର ଅଂଶ ଭାବେ ପରିଗଣିତ ହୋଇଆସିଛି, ଏହା ନିଶ୍ଚିତ ରୂପେ ଭାରତର ଅଂଶ ଓ ଏହି ଅଂଶ ବିଷୟରେ କୌଣସି ଦେଶ ସହିତ ଭାରତ ଆଲୋଚନା କରିବ ନାହିଁ । ଚୀନର ମନ୍ତ୍ରୀ ଝୋଉ ଏନ୍ଲାଇ ଯୁକ୍ତି ରଖିଲେ ଯେ ଏହି ଅଞ୍ଚଳ କେବେହେଲେ ବାଡ ବା ପାଚେରୀଦ୍ୱାରା ନିର୍ଣ୍ଣିତ ହୋଇନାହିଁ । ଚୀନ ସରକାରକୁ କେବଳ ମକାର୍ଟ୍ନେ-ମ୍ୟାକ୍ଡନାଲ୍ଡ୍ ରେଖାର ପ୍ରସ୍ତାବ ଦିଆଯାଇଥିଲା ଓ ଏହି ରେଖା ଅନୁସାରେ ଅକ୍ସାଇ ଚୀନ ଅଞ୍ଚଳ ଚୀନର ଇଲାକା । ଯେକୌଣସି ଆଲୋଚନା ଯଥାସ୍ଥିତିକୁ ବିଚାର କରି କରାଯିବା ଉଚିତ୍ ।
୧୯୬୦ ମସିହାରେ ନେହେରୁ, ଝୋଉ ଏନ୍ଲାଇ ଓ ଉଭୟ ଦେଶର ପ୍ରତିନିଧି ଦଳ ଏହି ସୀମା ବିବାଦର ସମାଧାନ ପାଇଁ ଆଲୋଚନାରେ ଯୋଗଦେଲେ । ପଶ୍ଚିମ ପାର୍ଶ୍ୱରେ ଜଳବିଭାଜକ ଓ ସୀମା ନିରୂପଣ ବେଳେ ଦୁହେଁ ଅସହମତି ପ୍ରକାଶ କଲେ । ଦେଖାଯାଇଛି ଯେ ସୀମାରେଖା ସମ୍ବନ୍ଧୀୟ ଚୀନର ମନ୍ତବ୍ୟ ଅନେକ ସମୟରେ ତଥ୍ୟର ଭୁଲ ରୂପ ପ୍ରକାଶ କରିଥାଏ ।
୧୯୬୩ରୁ ବର୍ତ୍ତମାନ
ସମ୍ପାଦନାପ୍ରକୃତ ନିୟନ୍ତ୍ରଣ ସୀମା କେଉଁଟି ସେ ବିଷୟରେ ଭାରତ ଓ ଚୀନର ମତ ଭିନ୍ନଭିନ୍ନ । ୨୦୧୩ ମସିହାରେ ଚୀନର ସୈନିକମାନେ ପ୍ରକୃତ ନିୟନ୍ତ୍ରଣ ସୀମାରୁ ପ୍ରାୟ ୧୦ କି.ମି. ଭିତରକୁ ଅତିକ୍ରମ କରି ଦୌଲତ ବେଗ୍ ଓଲ୍ଡି ଅଞ୍ଚଳରେ ଶିବିର ସ୍ଥାପନା କରିଛନ୍ତି ବୋଲି ଭାରତ ଅଭିଯୋଗ କଲା । ପରବର୍ତ୍ତୀ ସମୟରେ ଏହି ଅନୁପ୍ରବେଶ ପ୍ରାୟ ୧୯ କି.ମି. ଭିତର ପର୍ଯ୍ୟନ୍ତ ବୋଲି କୁହାଗଲା । ଭାରତୀୟ ଗଣମାଧ୍ୟମ ଅନୁସାରେ, ଅନୁପ୍ରବେଶରେ କେବଳ ସ୍ଥଳସେନା ସାମିଲ ନୁହଁନ୍ତି ବରଂ ଚୀନୀ ହେଲିକପ୍ଟର୍ ଭାରତୀୟ ଆକାଶ କ୍ଷେତ୍ରରେ ପ୍ରବେଶ କରି ଖାଦ୍ୟପଦାର୍ଥ ଯୋଗାଉଛନ୍ତି ବୋଲି ପ୍ରକାଶ ପାଇଲା । ଚୀନର ସେନା ଅଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ତା’ ପରେ ଦୁଇ ପକ୍ଷର ସୈନିକ ଛାଉଣୀ ତିଆରି କରି ଏହି କ୍ଷେତ୍ରରେ ଜଗି ରହିଲେ । ମଇ ମାସରେ ଉଭୟ ଦେଶ ନିଜ ସୈନିକମାନଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେବା ପରେ ପରିସ୍ଥିତିରେ ସୁଧାର ଆସିଲା । ୨୦୧୪ ମସିହା ସେପ୍ଟେମ୍ବର୍ ମାସରେ ଭାରତୀୟମାନେ ସୀମାନ୍ତ ଗାଁ ଡେଂଚୋକ୍ ନିକଟରେ ଏକ କେନାଲ୍ ନିର୍ମାଣ କରିବା ଅଭିଯୋଗରେ ପୁଣି ଚୀନର ସୈନ୍ୟ ଓ ସାଧାରଣ ଜନତା ବିଦ୍ରୋହ କଲେ । ସୀମା ନିକଟରେ ସୈନ୍ୟବଳ ପୁଣି ଠିଆ ହେଲେ । ପ୍ରାୟ ୩ ସପ୍ତାହ ପରେ ଦୁଇ ପକ୍ଷ ସେନା ଅପସାରଣ କରିବାରୁ ବିବାଦ ଥମିଲା । ଭାରତୀୟ ସେନାର ଅଭିଯୋଗ ଅନୁସାରେ ସୀମାରୁ ୩ କି.ମି. ଭିତରକୁ ଚୀନର ଏକ ସୈନ୍ୟ ଶିବିର ରହିଛି । ବି. ବି. ସି. ୱେବ୍ସାଇଟରେ ଥିବା ଏକ ସମ୍ପାଦକୀୟରେ ଲେଖାଯାଇଛି ଯେ ପ୍ରତି ଥର ଅନୁପ୍ରବେଶ ବେଳେ ଚୀନ କିଛି ନୂଆ କ୍ଷେତ୍ର ଅକ୍ତିଆର କରିନିଏ ।
ଭାରତୀୟ ସେନାଦ୍ୱାରା ଏକ ବିବାଦୀୟ ଚୀନୀ ନିରୀକ୍ଷଣ ମଞ୍ଚା (watchtower) ଭାଙ୍ଗିଦିଆଯିବା ଅଭିଯୋଗ କରି ଉତ୍ତର ଲଦାଖ୍ର ବୁର୍ସ୍ତେ ଅଞ୍ଚଳରେ ଦୁଇ ପକ୍ଷର ସେନା ୨୦୧୫ ମସିହା ସେପ୍ଟେମ୍ବର୍ ମାସରେ ମୁହାଁମୁହିଁ ହୋଇଥିଲେ । ଚୀନ ଏହି ନିରୀକ୍ଷଣ ମଞ୍ଚଟିକୁ ପ୍ରକୃତ ନିୟନ୍ତ୍ରଣ ରେଖାର ଅତି ସମୀପରେ ନିର୍ମାଣ କରୁଥିବା ଭାରତର ଅଭିଯୋଗ ରହିଥିଲା ।
୨୦୧୭ ମସିହା ଜୁନ୍ ମାସରେ ଡୋକଲାମ୍ ମାଳଭୂମିର ଦକ୍ଷିଣ ପାର୍ଶ୍ୱରେସ୍ଥିତ ଡୋକା ଲା ଗିରିପଥ ନିକଟରେ ଚୀନର ସେନା ଏକ ସଡକର ପ୍ରସାରଣ କରୁଥିବା ସମୟରେ ଭାରତୀୟ ସେନା ଏହାର ବିରୋଧ କଲେ ଓ ଦୁଇ ସେନା ସେଠାରେ ମୁହାଁମୁହିଁ ହୋଇଥିଲେ । ଏହା ଡୋକଲାମ୍ ବିବାଦ ନାମରେ ଜଣାଶୁଣା । ଭାରତ ଭୁଟାନ୍କୁ ସାମରିକ ସାହାଯ୍ୟ ଦେଇଆସିଛି ଓ ଭାରତ ଏବଂ ଭୁଟାନ୍ ମଧ୍ୟରେ ଅନେକ “ବିଶେଷ ବୁଝାମଣା” ରହିଛି । ଡୋକଲାମ୍ ନିକଟରେ ବିବାଦୀୟ କ୍ଷେତ୍ରରେ ଚୀନ କରୁଥିବା ସଡକ ସମ୍ପ୍ରସାରଣକୁ ଭୁଟାନ ପୂର୍ବରୁ ବିରୋଧ କରିଆସୁଥିଲା । ଭାରତ ଭୁଟାନ୍ର ଅନୁରୋଧ କ୍ରମେ ଚୀନର ଏହି ସମ୍ପ୍ରସାରଣ ବିରୋଧରେ ସୈନ୍ୟ ନିୟୋଜିତ କରିଥିବାର ଦାବୀ କରିଥିଲା । ୨୦୧୭ ମସିହା ଅଗଷ୍ଟ ୨୮ ତାରିଖରେ ଦୁଇ ଦେଶ ଡୋକଲାମ୍ରୁ ନିଜ ନିଜ ସୈନ୍ୟ ପ୍ରତ୍ୟାହାର କରିଥିଲେ । ଗୋଟିଏ ଦିନରେ ଦୁଇ ପକ୍ଷରୁ ସୈନ୍ୟବାହିନୀ ପ୍ରତ୍ୟାହାର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଯାଇଥିଲା ।
ସିକ୍କିମକୁ ନେଇ ବିବାଦ
ସମ୍ପାଦନା୧୯୬୭ ମସିହାରେ ଚୀନ ଓ ଭାରତ ମଧ୍ୟରେ ନାଥୁ-ଲା ଓ ଚୋ-ଲା ଗିରିପଥରେ ଓ ସିକ୍କିମ୍ ରାଜ୍ୟର କେତେକ ଅଂଶରେ ଅନେକ ସଂଘର୍ଷ ଘଟିଥିଲା । ସେହି ସମୟରେ ସିକ୍କିମ୍କୁ ଭାରତର ସୁରକ୍ଷା ପ୍ରଦାନ କରୁଥିଲା । ସଂଘର୍ଷ ସମାପ୍ତି ପରେ ସିକ୍କିମ୍ରୁ ଚୀନୀ ସେନା ପ୍ରତ୍ୟାହାର ହୋଇଥିଲା । ୧୯୭୫ ମସିହାରେ ନିଜ ରାଜ୍ୟବାସୀଙ୍କ ବହୁମତ କ୍ରମେ ସିକ୍କିମ୍ର ରାଜା ନିଜ ରାଜ୍ୟକୁ ଭାରତ ଦେଶରେ ମିଶାଇବାକୁ ମନସ୍ଥ କଲେ । ଚୀନ ଏହାକୁ ଅବୈଧ କହି ଏହାର ବିରୋଧ କଲା । ୨୦୦୩ରେ ଚୀନ-ଭାରତ ମେମୋରାଣ୍ଡମ୍ ସମୟରେ ଭାରତର ସିକ୍କିମ୍ ଅଧିକାରକୁ ଚୀନ ସ୍ୱୀକୃତି ଦେବାପରେ ଚୀନର ମାନଚିତ୍ରରେ ସିକ୍କିମ୍ ଏକ ଭାରତୀୟ ରାଜ୍ୟ ଭାବେ ଦର୍ଶିତ ହେଲା ଓ ଚୀନର ବିଦେଶ ମନ୍ତ୍ରଣାଳୟ ନିଜର “ସୀମାନ୍ତବର୍ତ୍ତୀ ସ୍ୱାୟତ୍ତ ଦେଶ ଓ ରାଜ୍ୟର” ତାଲିକାରୁ ସିକ୍କିମ୍ର ନାମ ବାହାର କଲା । କିନ୍ତୁ “ଅଙ୍ଗୁଳି (The Finger)” ନାମରେ ଜଣାଶୁଣା ସିକ୍କିମ୍ର ଉତ୍ତରତମ ବିନ୍ଦୁ ବର୍ତ୍ତମାନ ସୁଦ୍ଧା ବିବାଦୀୟ ଓ ସାମରିକ କାର୍ଯ୍ୟକଳାପର କେନ୍ଦ୍ର ହୋଇ ରହିଛି ।
ଚୀନୀ ପ୍ରଧାନମନ୍ତ୍ରୀ ୱେନ୍ ଜିଆବାଓ ୨୦୦୫ ମସିହାରେ ମତ ପୋଷଣ କରିଥିଲେ ଯେ ସିକ୍କିମ୍କୁ ନେଇ ଭାରତ ଓ ଚୀନ ମଧ୍ୟରେ କୌଣସି ବିବାଦ ରହିନାହିଁ ।
ଆଧାର
ସମ୍ପାଦନା- ↑ "Arunachal Pradesh is our territory": Chinese envoy Rediff India Abroad, 14 November 2006. Archived 8 November 2011 at the Wayback Machine.
- ↑ Subir Bhaumik, "India to deploy 36,000 extra troops on Chinese border", BBC, 23 November 2010. Archived 2 January 2012 at the Wayback Machine.
- ↑ Sudha Ramachandran, "China toys with India's border", Asia Times Online, 27 June 2008. Archived 22 November 2009 at the Stanford Web Archive
- ↑ "The China-India Border Brawl", Wall Street Journal, 24 June 2009, archived from the original on 23 September 2011
- ↑ 何, 宏儒 (12 ଜୁନ 2014). "外長會 印向陸提一個印度政策". 中央通訊社. 新德里. Archived from the original on 27 ଫେବୃଆରୀ 2017. Retrieved 27 ଫେବୃଆରୀ 2017.
- ↑ "印度外長敦促中國重申「一個印度」政策". BBC 中文网. Archived from the original on 27 ଫେବୃଆରୀ 2017. Retrieved 27 ଫେବୃଆରୀ 2017.
- ↑ ୭.୦ ୭.୧ Maxwell, India's China War (1970)
- ↑ The Sino-Indian Border Disputes, by Alfred P. Rubin, The International and Comparative Law Quarterly, Vol. 9, No. 1. (Jan. 1960), pp. 96–125. JSTOR 756256.
- ↑ Guruswamy, Mohan (2006). Emerging Trends in India-China Relations. India: Hope India Publications. p. 222. ISBN 978-81-7871-101-0.
- ↑ ୧୦.୦ ୧୦.୧ Mohan Guruswamy, Mohan, "The Great India-China Game", Rediff, 23 June 2003. Archived 30 September 2016 at the Wayback Machine..
- ↑ Calvin, James Barnard (ଅପ୍ରେଲ 1984). "The China-India Border War". Marine Corps Command and Staff College. Archived from the original on 11 ନଭେମ୍ବର 2011.
- ↑ Noorani, A.G. (30 August), "Fact of History", Frontline, vol. 26, no. 18, archived from the original on 2 October 2011
{{citation}}
: Check date values in:|date=
(help) - ↑ Younghusband, Francis E. (1896). The Heart of a Continent. John Murray, London. Facsimile reprint: (2005) Elbiron Classics, pp. 223–224.
- ↑ Grenard, Fernand (1904). Tibet: The Country and its Inhabitants. Fernand Grenard. Translated by A. Teixeira de Mattos. Originally published by Hutchison and Co., London. 1904. Reprint: Cosmo Publications. Delhi. 1974, pp. 28–30.
- ↑ Woodman, Himalayan Frontiers (1970), pp. 101, 360–