ଜାନୁଆରୀ ୨୦୧୪

ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଆଦର୍ଶ ଶିକ୍ଷକ, କବି, ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ ଥିଲେ। ସେ ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା ।

ମଧୁସୂଦନ ୧୮୫୩ ମସିହା ଜାନୁଆରୀ ୧୯ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ସେ ଭକ୍ତକବି ଭାବେ ଲୋକଙ୍କ ନିକଟରେ ପରିଚିତ । କଟକରେ ଅଧ୍ୟୟନ କାଳରେ ମଧୁସୂଦନ ଓ ତାଙ୍କ ସହପାଠୀ ବନ୍ଧୁ ପିଆରୀମୋହନ ଆଚାର୍ଯ୍ୟ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ ।

ବାଲେଶ୍ଵର ଜିଲ୍ଲାସ୍କୁଲରେ ଦ୍ଵିତୀୟ ଶିକ୍ଷକ ପଦବୀରେ ଯୋଗଦେବା ପରେ ଫକୀର ମୋହନ ସେନାପତିରାଧାନାଥ ରାୟଙ୍କ ସାନ୍ନିଧ୍ୟ ଲାଭ କଲେ । ଏହି ସମୟରେ ସେ ସୁଲେଖକ ଭାବେ ପ୍ରସିଦ୍ଧି ଲାଭ କଲେ । ମଧୁସୂଦନ ଶିକ୍ଷାବିଭାଗର ବିଭିନ୍ନ ପଦବୀରେ କାର୍ଯ୍ୟ କରି ଶେଷରେ ମାସିକ ପାଞ୍ଚଶହ ବେତନରେ ଇନ୍ସପେକ୍ଟର ପଦବୀରୁ ଅବସର ଗ୍ରହଣ କରିଥିଲେ ।

ମଧୁସୂଦନ, ଉତ୍କଳ ସାହିତ୍ୟ ସମାଜ ଓ ଭିକ୍ଟୋରିଆ ସ୍କୁଲ (ଭକ୍ତ ମଧୁ ବିଦ୍ୟାପୀଠ) ଅନୁଷ୍ଠାନ ଦ୍ଵୟର ପ୍ରାଣପ୍ରତିଷ୍ଠାତା ଥିଲେ। ୧୯୧୨ ମସିହା ଡିସେମ୍ବର ୨୮ ତାରିଖରେ ସକାଳ ନ' ଘଣ୍ଟା ସମୟରେ ମଧୁସୂଦନ ରାଓ ମୃତ୍ୟୁବରଣ କରିଥିଲେ ।

ପୁରା ପଢ଼ନ୍ତୁ...


ଫେବୃଆରୀ ୨୦୧୪
 

ସାହିତ୍ୟ ଭାରତୀ କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଏକା ଧାରରେ ଜଣେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ ।

ସେ ରେଭେନସା ଗାର୍ଲ ସ୍କୁଲରେ ଶିକ୍ଷା ଲାଭ କଲା ପରେ କଟକ ମେଡିକାଲ ସ୍କୁଲରେ ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ଵର୍ଣ୍ଣ ପଦକ ସହ ଏଲ୍.ଏମ୍.ପି, ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହେଇଥିଲେ ।

ଓଡ଼ିଆରେ ଲେଖିବା ସହ ସେ ହିନ୍ଦୀ ସାହିତ୍ୟରେ ମଧ୍ୟ ଲେଖା ଲେଖି କରୁଥିଲେ । ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରୁଥିଲେ । ପରଦା ପ୍ରଥା, ବାଲ୍ୟ ବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ ଲେଖୁଥିଲେ । ସେ ଦେଶାତ୍ମବୋଧକ କବିତା ମଧ୍ୟ ଲେଖୁଥିଲେ । ଏହା ଛଡ଼ା ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ କାମ କରୁଥିଲେ ।

ପୁରା ପଢ଼ନ୍ତୁ...


ମାର୍ଚ ୨୦୧୪

'ଜଗନ୍ନାଥ ଦାସ' ପୁରୀ ଜିଲ୍ଲାର କପିଳେଶ୍ଵର ଗ୍ରାମରେ ୧୪୯୦ ସାଲରେ ପିତା ଭଗବାନ ଦାସ ଓ ମାତା ପଦ୍ମାବତୀଙ୍କ ଠାରୁ ଜନ୍ମଲାଭ କରିଥିଲେ । ଯେଉଁ କ୍ଷଣରେ ବୃଷଭାନୁ ନନ୍ଦିନୀ ରାଧା ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି, ଠିକ୍ ସେହିକ୍ଷଣରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି ଲୋକେ ବିଶ୍ଵାସ କରନ୍ତି । ଶିଶୁଟି ଜଗନ୍ନାଥ ଦେବଙ୍କ ପ୍ରସାଦରୁ ଲବ୍ଧ ବୋଲି ଭାବି ଭଗବାନ ଦାଶ ପଣ୍ଡିତମାନଙ୍କ ପରାମର୍ଶକ୍ରମେ ପୁଅର ନାମ ଜଗନ୍ନାଥ ବୋଲି ନାମକରଣ କଲେ ।

ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ଭିତରୁ ଜଣେ ଥିବା ଜଗନ୍ନାଥ ଜଣେ କବି ଥିଲେ ଓ ଓଡ଼ିଆରେ ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ । ଜଗନ୍ନାଥ ଦାସ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ ଅଦ୍ୟାବଧି ତାହା ଓଡ଼ିଶାରେ ପୁରପଲ୍ଲୀମାନଙ୍କରେ ସର୍ବତ୍ର ପାଠ କରାଯାଉଥିବା ଦେଖାଯାଏ । ଏହା ଛଡ଼ା ସେ ସଂସ୍କୃତ ଓ ଓଡ଼ିଆ ଭାଷାରେ ଭକ୍ତିରସପୂର୍ଣ୍ଣ ବହୁତ ଗ୍ରନ୍ଥ ଲେଖିଯାଇଅଛନ୍ତି ।

ଶ୍ରୀଚୈତନ୍ୟ ତାଙ୍କର ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ "ଅତିବଡ଼" ଡାକୁଥିଲେ ଯାହାର ଅର୍ଥ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ" ।

ପୁରା ପଢ଼ନ୍ତୁ...


ଅପ୍ରେଲ ୨୦୧୪

ମଧୁବାବୁଙ୍କ ଉପରେ ଜାରିକରାଯାଇଥିବା ଡାକଟିକଟ

ମଧୁସୂଦନ ଦାସ (ମଧୁବାବୁ ଭାବେ ଜଣାଶୁଣା) କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଦେଶାତ୍ମବୋଧକ କବି ତଥା ଓଡ଼ିଶାର ପ୍ରଥମ ବାରିଷ୍ଟର । ମଧୁସୂଦନଙ୍କ ପ୍ରଥମ ନାଆଁ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାଆଁକୁ ବଦଳାଇ ମଧୁସୂଦନ ରଖିଥିଲେ ।

ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଯାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ଵିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ ।

ଓକିଲ ଭାବେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କରିଥିଲେ ।

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀ ମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।


ପୁରା ପଢ଼ନ୍ତୁ...


ମଇ ୨୦୧୪

ଗୋଟିଏ କମ୍ପ୍ୟୁଟର କିବୋର୍ଡ଼

କିବୋର୍ଡ଼ କମ୍ପ୍ୟୁଟର ପାଇଁ ଏକ ନିବେଶକାରୀ ଉପକରଣ ଅଟେ । କିବୋର୍ଡ଼କୁ ଓଡ଼ିଆରେ କୁଞ୍ଚିପଟା କୁହାଯାଇଥାଏ । ଅନେକ ବିକଳ୍ପ ନିବେଶକାରୀ ଉପକରଣ ଯଥା କମ୍ପ୍ୟୁଟର ମାଉସ, ପଞ୍ଚଡ଼ କାର୍ଡ଼, କାର୍ଡ଼ ରିଡ଼ର, ଜୟଷ୍ଟିକ,, ଲାଇଟ ପେନ, ସ୍କାନର, ଟାବଲେଟ ଉପକରଣ, ଅକ୍ଷର ଚିହ୍ନକ ଯନ୍ତ୍ର, ଶବ୍ଦ ଚିହ୍ନକ ଯନ୍ତ୍ର ଇତ୍ୟାଦି ବାହାରିଥିଲେ ମଧ୍ୟ କି-ବୋର୍ଡ଼ ଆଜି ମଧ୍ୟ ମଣିଷ ଦ୍ଵାରା ସର୍ବାଧିକ ବ୍ୟବହୃତ ନିବେଶକାରୀ ଉପକରଣ ଭାବେ ପରିଚିତ ।

କିବୋର୍ଡ଼ ଅନେକ ଗୁଡିଏ "କି" ବା କୁଞ୍ଚିର ସମାହାର । କମ୍ପ୍ୟୁଟରରେ ଯେଉଁ କିବୋର୍ଡ଼ ବ୍ୟବହାର ହୁଏ ତାହା ଦେଖିବାକୁ ଠିକ ଟାଇପ ରାଇଟରର କିବୋର୍ଡ଼ ଭଳି । ଏହାକୁ ସାଧାରଣତଃ "କ୍ଵେରଟି"(QWERTY) କିବୋର୍ଡ଼ କୁହାଯାଏ କାରଣ ଏହାର ଅକ୍ଷର କୁଞ୍ଚି ଗୁଡ଼ିକ ଇଂରାଜୀ ଅକ୍ଷର Q, W, E, R, T, Yରୁ ଆରମ୍ଭ ହେଇଥାଏ । ଏକ କମ୍ପ୍ୟୁଟର କିବୋର୍ଡ଼ ଅକ୍ଷର (a-z/ A-Z), ସଂଖ୍ୟା (0-9), ଚିହ୍ନାକ୍ଷର(!,@,# ,+ ଇତ୍ୟାଦି) ଏବଂ ଅନ୍ୟ "କି" ର ସମାହାର, ଯାହାକୁ ଦବେଇ କମ୍ପ୍ୟୁଟର ମଧ୍ୟକୁ ସୂଚନା ତଥା ଆଦେଶ ଦିଆଯାଇଥାଏ । ଏହା କମ୍ପ୍ୟୁଟରକୁ ଯାନ୍ତ୍ରୀକ ଯକୃତ ଭାବେ ବୈଦ୍ୟୁତିକ ସୁଇଚ ଦ୍ଵାରା ପରିଚାଳିତ କରେ ।


ପୁରା ପଢ଼ନ୍ତୁ...


ଜୁନ ୨୦୧୪
ରତ୍ନବେଦୀରେ ତିନିଠାକୁର 

ଦେବ ସ୍ନାନ ପୂର୍ଣ୍ଣିମା ପରଦିନ ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ଯାତ୍ରୀମାନେ ସକ୍ଷାତ ଦର୍ଶନ କରିବାକୁ ପାଆନ୍ତି ନାହିଁ , ଏହି ସମୟକୁ ଅଣସର ବା ଅନବସର କହାଯାଏ । ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ । ବଡ଼ଠାକୁରଙ୍କର ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ଵରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇଥାନ୍ତି । ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁରୂପରେ ଦର୍ଶନ କରିଥାନ୍ତି ।

ପୁରା ପଢ଼ନ୍ତୁ...


ଜୁଲାଇ ୨୦୧୪

ନିମାଇଁ ଚରଣ ହରିଚନ୍ଦନ ଓଡ଼ିଶାର ଜଣେ ଜଣାଶୁଣା କଣ୍ଠଶିଳ୍ପୀ । ୯ ଜୁଲାଇ ୧୯୦୧ରେ ଜନ୍ମ ଗ୍ରହଣ କରିଥିବା ନିମାଇଁଙ୍କ ପିତା ଥିଲେ କେନ୍ଦ୍ରାପଡ଼ାର ଜମିଦାର ବୃନ୍ଦାବନ ହରିଚନ୍ଦନ ଓ ପିତାମହ ଥିଲେ ରାଧାଶ୍ୟାମ ନରେନ୍ଦ୍ର ।

୧୯୧୬ ମସିହାରେ ସେ ଗୁରୁ ଗୋକୂଳ ଶ୍ରୀଚନ୍ଦନଙ୍କ ଠାରୁ ମୃଦଙ୍ଗ ଓ ହାରମୋନିଅମ ସହ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ସେ ମୁଖ୍ୟତଃ ଜଗନ୍ନାଥଙ୍କ ଉପରେ ଆଧାରିତ ଭଜନ ଓ ଜଣାଣ ଗାଇଛନ୍ତି । ଏହା ଛଡ଼ା ସେ ଓଡ଼ିଶି, ଛାନ୍ଦ, ଚମ୍ପୁ, ପଲ୍ଲୀଗୀତ ଓ ପ୍ରେରଣାପ୍ରଦ ଗୀତ ମଧ୍ୟ ଗାଇଛନ୍ତି । ୧୯୨୪ ମସିହାରେ ଆଠଗଡ଼ର ରାଜକୁମାରୀ ଲକ୍ଷ୍ମୀପ୍ରିୟାଦେବୀଙ୍କ ସହ ତାଙ୍କର ବିବାହ ହେଇଥିଲା ।

୧୧ ଜାନୁଆରୀ ୧୯୩୩ରେ ତାଙ୍କର ପ୍ରଥମ ଗୀତ ବିତଳକୁ ଆଲିଙ୍ଗନ ରେକର୍ଡ଼ କରାଯାଇଥିଲା । ୧୯୩୮ରେ ଶ୍ରେଷ୍ଠ ଓଡ଼ିଶୀ ସଂଗୀତ ଗାନ ପାଇଁ ତାଙ୍କୁ ମିଳିଲା ଉତ୍କଳ ସଂଗୀତ ସମାଜ ସ୍ୱର୍ଣ୍ଣ ପଦକ ଓ ଆଠଗଡ଼ ରାଜଦରବାର ସ୍ୱର୍ଣ୍ଣପଦକ । ୧୯୭୬ ମସିହାରେ ପ୍ରଥମ ଓଡ଼ିଆ ଗାୟକ ଭାବେ ସେ ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନିତ ହେଇଥିଲେ । ୧୯୭୦ ମସିହାରେ ଗଜପତି ମହାରାଜାଙ୍କ ଦ୍ଵାରା ତାଙ୍କୁ ଚାମରସେବାର ଅଧିକାର ପ୍ରଦାନ କରାଯାଇଥିଲା ।

ଜୀବନର ଶେଷ ବାରବର୍ଷ ସେ ପୁରୀରେ ଅବସ୍ଥାନ କରିଥିଲେ । ୧୯ ଜୁଲାଇ ୧୯୮୩ (ବାହୁଡ଼ା ଯାତ୍ରା) ଦିନ ସେ ଦେହତ୍ୟାଗ କରିଥିଲେ ।


ପୁରା ପଢ଼ନ୍ତୁ...


ଅଗଷ୍ଟ ୨୦୧୪

ଶିଶୁ କୃଷ୍ଣ

ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ପୌରାଣିକ ମତେ ଭଗବାନ ଶ୍ରୀକୃଷ୍ଣ ଦ୍ଵାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ ।

ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣୀମାନଙ୍କ ଭିତରେ ଜନ୍ମାଷ୍ଟମୀ ଅନ୍ୟତମ । ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ।

'ଜନ୍ମାଷ୍ଟମୀ'କୁ ମହାରାଷ୍ଟ୍ରର ଲୋକେ 'ଦହି ହାଣ୍ଡି'ନାମରେ ବେଶି ଜାଣିଥାନ୍ତି । ଗୋଟିଏ ମାଟିହାଣ୍ଡିରେ ଘୋଳଦହି ପୁରାଇ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଏହାକୁ ଓହଳାଇ ଦିଆଯାଇଥାଏ । ଏହାପରେ ଲୋକମାନେ ସମୂହ ତିଆରି କରି ଜଣକ ଉପରେ ଜଣେ ଠିଆହୋଇ ଏକ ମିନାର ଗଠନ କରନ୍ତି ଓ ଉପରେ ଥିବା ଲୋକଟି ଏକ ନଡ଼ିଆରେ ବାଡ଼େଇ ସେହି ହାଣ୍ଡିକୁ ଭାଙ୍ଗିଥାଏ ।

ପୁରା ପଢ଼ନ୍ତୁ...


ସେପଟେମ୍ବର ୨୦୧୪

ଧନେଶ୍ଵର ମହାପାତ୍ର ୧୯୩୧ ମସିହା ସେପ୍ଟେମ୍ବର ୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା କନିକା ଅନ୍ତର୍ଗତ ଆୟତନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ନିଜ ଗାଁ ସ୍କୁଲରେ ମାତ୍ର ଚତୁର୍ଥ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ଘରୋଇ ଭାବେ ପରୀକ୍ଷାଦେଇ, ସେ ଓଡ଼ିଆରେ ସ୍ନାତକୋତ୍ତର, ସଂସ୍କୃତରେ ସ୍ନାତକୋତ୍ତର, ସାହିତ୍ୟାଚାର୍ଯ୍ୟ ଓ ବି.ଇ.ଡି ପାଠ ପଢ଼ିଥିଲେ । ସେ ଓଡ଼ିଆ ଭାଷାତତ୍ତ୍ଵରେ ପିଏଚଡି କରି, ଡକ୍ଟରେଟ ମଧ୍ୟ ହାସଲ କରିଛନ୍ତି ।

ଧନେଶ୍ଵର ମହାପାତ୍ର, ୧୯୫୨ ମସିହାରେ ନିଜ ଗ୍ରାମ ଆୟତନ ଏମ.ଇ ସ୍କୁଲରୁ ଶିକ୍ଷକତା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ସେ ରେଭେନ୍ସା କଲିଜିଏଅଟ ସ୍କୁଲ ଓ କଟକ ସେକେଣ୍ଡାରୀ ଟ୍ରେନିଂ ସ୍କୁଲରେ ମଧ୍ୟ ଶିକ୍ଷକତା କରିଥିଲେ । ଏହାପରେ, ସେ ସୁନ୍ଦରଗଡ଼ କଲେଜ, ରେଭେନ୍ସା କଲେଜ ଓ ଭଦ୍ରକ କଲେଜରେ ଅଧ୍ୟାପନା କରିଥିଲେ । ଏହାପରେ ସେ ଭୁବନେଶ୍ଵରସ୍ଥିତ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାରେ କାମକରି ୧୯୮୪ ମସିହାରେ ଅବସର ଗ୍ରହଣ କରିଥିଲେ ।

ପୁରା ପଢ଼ନ୍ତୁ...


ଅକ୍ଟୋବର ୨୦୧୪

ମାୟାଧର ମାନସିଂହ (୧୯୦୫-୧୯୭୩) ଖୋର୍ଦ୍ଧା ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ ।

ସେ ବିଲାତର ଡରହାମ ବିଶ୍ଵବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି. ଉପାଧି ଲାଭ କରିଥିଲେ । ସେ ଓଡ଼ିଶାର ପ୍ରଥମ ଡକ୍ଟରେଟ ଉପାଧିଧାରୀ ଶିକ୍ଷାବିତ ।

ସ୍ଵାଧୀନତା ପୂର୍ବବର୍ତ୍ତୀ ସମୟରେ 'ଆରତି' ପତ୍ରିକାର ସମ୍ପାଦନା ସହିତ ସେ ସଂପୃକ୍ତ ଥିଲେ । ସ୍ଵାଧୀନତା ପରେ ସେ 'ଶଙ୍ଖ' ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ମାନସିଂହ ସାଧରଣ ଜୀବନର ସମସ୍ୟାଠାରୁ ଆରମ୍ଭ କରି ସାହିତ୍ୟ, ସମାଜ, ସସ୍କୃତି ଇତ୍ୟାଦି ସମ୍ବନ୍ଧରେ ବହୁ ପ୍ରବନ୍ଧ ରଚନା କରିଛନ୍ତି । ପ୍ରାବନ୍ଧିକ ତାଙ୍କର ପ୍ରତ୍ୟେକ ପ୍ରବନ୍ଧରେ ସତ୍ୟାନୁସନ୍ଧାନ କରିଛନ୍ତି । ପୁରା ପଢ଼ନ୍ତୁ...


ନଭେମ୍ବର ୨୦୧୪

ଅକ୍ଷୟ ମହାନ୍ତି

ଅକ୍ଷୟ ମହାନ୍ତି (ଅନ୍ୟନାମ: ଖୋକା ଭାଇ) ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ସଙ୍ଗୀତକାର, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ ।

ଅକ୍ଷୟ, କଟକ ଜିଲ୍ଲାର ବାଙ୍କିମୁଣ୍ଡେଇ ଗାଁରେ ବାପା ବିଚିତ୍ରନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣ ମଞ୍ଜରି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ସେ କୌଣସି ମାନକ ସଙ୍ଗୀତ ଶିକ୍ଷା ନେଇ ନଥିଲେ । ୨୨ ବର୍ଷ ବୟସରେ ସେ ଆକାଶବାଣୀ କଟକଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ୧୯୫୯ର ମା କଥାଚିତ୍ରର ଗୋରି ଗୋରି ଗୋରି ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ଗୀତ । ୧୯୬୫ରେ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ମଲାଜହ୍ନ କଥାଚିତ୍ର ପାଇଁ ସେ ସଙ୍ଗୀତ ତିଆରି କରିଥିଲେ ।

ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି, ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଇଥାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି । ତିନୋଟି କଥାଚିତ୍ରରେ ସେ ଅଭିନୟ କରିବା ସହ ଆଉ ଗୋଟିଏ କଥାଚିତ୍ରରେ ସହନିର୍ଦେଶନା ଦେଇଥିଲେ ।

ପୁରା ପଢ଼ନ୍ତୁ...


ଡିସେମ୍ବର ୨୦୧୪

"ଧାନ ମେଣ୍ଟା" ବା "ଧାନ ଗହଣି"

ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ପୂଜା କରାଯାଏ । ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବଖଣାଯାଇଛି । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ ।

ପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ ଲକ୍ଷ୍ମୀଙ୍କ ପାଖରେ । ପିଠାପଣା ଓ ଫଳମୂଳ ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କ ପାଖରେ ଲାଗି କରାଯାଇଥାଏ ।

ଏହି ପର୍ବ ସମାନ ବିଧିରେ ଓଡ଼ିଶାର ବିଭିନ୍ନ ଆଦିବାସୀ ସମାଜରେ ମଧ୍ୟ ପାଳିତ ହୋଇଥାଏ । ସାନ୍ତାଳମାନେ "ଇରୁ ମାମଣେ", ଭୂୟାଁମାନେ "ମଗୁଶୀର ଗୁରୁବାର ହଲବା", ହୋ ଓ ଓମାନାତ୍ୟାମାନେ ଲକ୍ଷ୍ମୀ ପୂଜା କରିଥାନ୍ତି । ଏହି ସମୟରେ ସନ୍ତାନସନ୍ତତି ନଥିବା ନାରୀମାନେ ସନ୍ତାନ ଆଶାରେ କାଞ୍ଜି ଅଁଳା ବା"ଶୁଖୁଆ ବୋହୁ" ବା "ଷଠି ଓଷା" କରିଥାନ୍ତି ।


ପୁରା ପଢ଼ନ୍ତୁ...