ଜଗନ୍ନାଥ ଦାସ

ଓଡ଼ିଆ କବି ଓ ସାହିତ୍ୟିକ

ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ)[୨] ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ"‌) । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।[୩]

ଅତିବଡ଼ି

ଜଗନ୍ନାଥ ଦାସ
Atibadi Jagannatha Dasa at Bada Odia Matha, Puri.jpg
ପୁରୀର ବଡ଼ ଓଡ଼ିଆ ମଠକୁ ଜଗନ୍ନାଥ ଦାସ ନିଜେ ପ୍ରତିଷ୍ଠା କରିଥିଲେ । ସେଠାରେ ପୂଜିତ ବିଗ୍ରହ ଅତିବଡ଼ିଙ୍କ ଅଳ୍ପସଂଖ୍ୟକ ପୁରାତନ ପ୍ରତିକୃତିଙ୍କ ମଧ୍ୟରୁ ପ୍ରମୁଖ ।
ଜନ୍ମ ଓ ଜନ୍ମସ୍ଥାନଭାଦ୍ରବ ଶୁକ୍ଳ ଅଷ୍ଟମୀ (ରାଧାଷ୍ଟମୀ), ୧୪୯୦
କପିଳେଶ୍ୱର, ପୁରୀ, ଓଡ଼ିଶା
ମୃତ୍ୟୁ୧୫୫୦
ଅଲଗା ନାଆଁଅତିବଡ଼ି ଜଗନ୍ନାଥ ଦାସ
ଜୀବିକାକବି
ଜଣାଶୁଣା କାମ
ଓଡ଼ିଆ ଭାଗବତ[୧]

ଜୀବନ କାଳସମ୍ପାଦନ କରନ୍ତୁ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

୧୪୯୦ ଖ୍ରୀଷ୍ଟାଦ୍ଦ ଭାଦ୍ରବମାସ ଶୁକ୍ଲପକ୍ଷ ଅଷ୍ଟମୀ[୪] ଅନୁରାଧା ନକ୍ଷତ୍ର ବୁଧବାର ଦିନ ମଧ୍ୟାହ୍ନ ସମୟରେ କପିଳେଶ୍ୱରପୁର ଶାସନରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ । ଯେଉଁ କ୍ଷଣରେ ବୃଷଭାନୁ ନନ୍ଦିନୀ ରାଧା ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି, ଠିକ ସେହିକ୍ଷଣରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି ଲୋକେ ବିଶ୍ୱାସ କରନ୍ତି । ତାଙ୍କ ପିତାଙ୍କ ନାମ ଭଗବାନ ଦାସ ଓ ମାତାଙ୍କ ନାମ ପଦ୍ମାବତୀ । ଭଗବାନ ଦାଶ ମହାରାଜା ପୁରୁଷୋତ୍ତମ ଦେବଙ୍କର ପୌରାଣିକ ଥିଲେ ।

ଶିକ୍ଷାସମ୍ପାଦନ କରନ୍ତୁ

ଶିଶୁଟି ଜଗନ୍ନାଥ ଦେବଙ୍କ ପ୍ରସାଦରୁ ଲବ୍ଧ ବୋଲି ଭାବି ଭଗବାନ ଦାସ ପଣ୍ଡିତମାନଙ୍କ ପରାମର୍ଶକ୍ରମେ ତାହାର ଜଗନ୍ନାଥ ବୋଲି ନାମକରଣ କଲେ । ଶିଶୁ ଜଗନ୍ନାଥ ଚତୁର୍ଥ ବୟସରେ ପଦାର୍ପଣ କରିବା ବେଳକୁ ପିତା ତାଙ୍କର ଚୂଡ଼ାକର୍ମ, ବଣ୍ଣବୋଧ ଆଦି ଶେଷ କରିଥିଲେ । ପଞ୍ଚମ ବର୍ଷରେ ସେ ବିଦ୍ୟାରମ୍ଭ କରିଥିଲେ । ସେ ପ୍ରଥମେ ଗ୍ରାମ ଚାଟଶାଳୀରେ ବର୍ଣ୍ଣପାଠ ଓ ଅଙ୍କ ଆଦି ଶିଖିଥିଲେ । ଉପନୟନ ଉତ୍ତାରେ ପିତାଙ୍କ ନିକଟରେ ଅମରକୋଷ, ଅଭିଧାନ ଏବଂ କଳାପ ଓ ବର୍ଦ୍ଧମାନ ନାମକ ଦୁଇଟି ସଂସ୍କୃତ ବ୍ୟାକରଣ ସମ୍ପୂର୍ଣ୍ଣ କଣ୍ଠସ୍ଥ କରିଥିଲେ । ନିକଟବର୍ତ୍ତୀ ବ୍ରାହ୍ମଣ ଶାସନକୁ ପ୍ରତିଦିନ ଯାଇ ଯଜୁର୍ବେଦ ଓ ସାମବେଦର ସଂହିତାମାନ ମଧ୍ୟ ସେ ଅଧ୍ୟୟନ ଓ କଣ୍ଠସ୍ଥ କରିଥିଲେ । ନ୍ୟାୟ ବେଦାନ୍ତ ଆଦି ଦର୍ଶନଶାସ୍ତ୍ର ଏବଂ ମହାଭାରତ ରାମାୟଣ ଆଦି ଧର୍ମଶାସ୍ତ୍ର ସମସ୍ତ ପଢ଼ିବା ପରେ ସେ ଭାଗବତ ଅଧ୍ୟୟନ କରିଥିଲେ । ଏହି ସମୟରେ ପିତା ଭଗବାନ ଦାସ ଜଗନ୍ନାଥଙ୍କର ବିବାହ ପ୍ରସ୍ତାବ ଉଠାଇଲେ । ଜଗନ୍ନାଥ ଆଉ କେତେକ ଶାସ୍ତ୍ରର ଅଧ୍ୟୟନ ସମାପ୍ତ କରି ବିବାହ କରିବା ପାଇଁ ପିତାଙ୍କୁ ଅନୁରୋଧ କରିଥିଲେ । ସେ ଜଗନ୍ନାଥ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ର ପୁରୀକୁ ନିତି ଆସୁଥିଲେ । ମନ୍ଦିର ଭିତର ବେଢ଼ାରେ ସେ ବଟଗଣେଶଙ୍କ ନିକଟରେ ବସି ଶ୍ରାମଦ୍ ଭାଗବତ ପାଠ କରୁଥିଲେ । ବଟବିହାରୀ ନାମକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ପୁରାଣ ପାଠ ହେଉଅଛି ଓ ପୁରାଣ ପାଠକଙ୍କ ପାଇଁ ରାଜପ୍ରଦତ୍ତ ବୃତ୍ତି ମଧ୍ୟ ଖଞ୍ଜା ଅଛି ।

ଚୈତନ୍ୟ ଦେବଙ୍କ ସହ ସାକ୍ଷାତସମ୍ପାଦନ କରନ୍ତୁ

୧୫୦୯ ଖ୍ରୀଷ୍ଟାଦ୍ଦରେ ଶ୍ରୀ ଚୈତନ୍ୟଦେବ ସନ୍ନ୍ୟାସ ଗ୍ରହଣ କରି ଭକ୍ତି ସମେତ ଶ୍ରୀଜଗନ୍ନାଥ ଦେବଙ୍କ ଦର୍ଶନ ନିମନ୍ତେ ପୁରୀକୁ ଆଗମନ କରିଥିଲେ । ସେତେବେଳକୁ ଜଗନ୍ନାଥ ଦାସଙ୍କ ବୟସ ଉଣେଇଶ । ଶ୍ରୀଚୈତନ୍ୟ ଦେବ ବଡ଼ଦେଉଳରେ ପ୍ରବେଶ କରି ବଟ ମୂଳରେ ପ୍ରଥମେ ଏହାଙ୍କୁ ଭେଟିଥିଲେ । ଅଢ଼ାଇ ଦିନ ପର୍ଯ୍ୟନ୍ତ ଦୁହେଁ ଏକତ୍ର ବାସ କଲେ । ସେହି କାଳରେ ଅନ୍ୟ କାହା ସହିତ ସାକ୍ଷାତ ହେଉନଥିଲା ।

ଜଗନ୍ନାଥ ଦାସ ଓ ମଠସମ୍ପାଦନ କରନ୍ତୁ

 
ଭୁବନେଶ୍ୱର ଭଞ୍ଜ କଳାମଣ୍ଡପ ସମ୍ମୁଖରେ ଥିବା ଅତିବଡ଼ିଙ୍କ ଆଧୁନିକ ପ୍ରତିକୃତି

ଦିନେ ଉତ୍କଳର ମହାରାଜା ପ୍ରତାପରୁଦ୍ର ଦେବ ଜଗନ୍ନାଥ ଦର୍ଶନ କରିବାକୁ ଯାଇଥିଲେ, ଏମନ୍ତ ସମୟରେ ଶ୍ରୀଚୈତନ୍ୟଙ୍କ ସଙ୍ଗେ ମନ୍ଦିରରେ ତାଙ୍କର ଭେଟ ହେଲା ମହାରାଜ ଶ୍ରୀଚୈତନଙ୍କୁ ପଚାରିଲେ, "ଜଗନ୍ନାଥ ମୂର୍ତ୍ତିରେ କିପରି ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ଭାବ ଉପଲବ୍ଧି କରି ପାରିବି, ଏହା ମୋତେ ଅନୁଗ୍ରହ କରି ବୁଝାଇ ଦିଅନ୍ତୁ" । ଏହା ଶୁଣି ଶ୍ରୀଚୈତନ୍ୟ ଦେବ ଉତ୍ତର ଦେଲେ 'ଆମ୍ଭ ଅତିବଡ଼ି ସ୍ୱାମୀ ତାହା ଆପଣଙ୍କୁ ସ୍ପଷ୍ଟଭାବେ ବୁଝାଇ ଦେବେ" । ତହୁଁ ଅତିବଡ଼ି ସ୍ୱାମୀ ଶ୍ରୀ ଜଗନ୍ନାଥ ଦାସ ମହାରାଜ ପ୍ରତାପରୁଦ୍ର ଦେବଙ୍କୁ ତାହା ବୁଝାଇ ଦେବାରୁ ରାଜା ତାଙ୍କଠାରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କର ଭକ୍ତ ଓ ବଶୀଭୂତ ହେଲେ ଶ୍ରୀ ଜଗନ୍ନାଥ ମନ୍ଦିରର ବାୟୁ କୋଣରେ ମାର୍କଣ୍ଡେୟ ତୀର୍ଥର ଅନତିଦୂର ଦକ୍ଷିଣରେ ନିଜ ରାଣୀଙ୍କର ଶ୍ରୀକ୍ଷେତ୍ରରେ ଅବସ୍ଥାନ ନିମନ୍ତେ ମହାରାଜାଙ୍କର ଯେଉଁ ରାଜପ୍ରସାଦ ନିର୍ମିତ ହୋଇଥିଲା, ତହିଁରେ ଜଗନ୍ନାଥ ଦାସଙ୍କୁ ରହିବାକୁ ମହାରାଜ ପ୍ରାର୍ଥନା କଲେ । ଅତିବଡ଼ି ପ୍ରଥମେ ସେଠାରେ ରହିବାକୁ ଅନିଚ୍ଛୁକ ଥିଲେ ସୁଦ୍ଧା ମହରାଜଙ୍କର ସେବାରେ ଓ ଭକ୍ତିରେ ସନ୍ତୁଷ୍ଟ ହୋଇ କିଛି କାଳ ସେଠାରେ ଅବସ୍ଥାନ କଲେ ବର୍ତ୍ତମାନ ତାହା ଓଡ଼ିଆମଠ ନାମରେ ଖ୍ୟାତ ।

ଜଗନ୍ନାଥ ଦାସ ସଂସାର କୋଳାହଳ ବର୍ଜ୍ଜିତ ସମୁଦ୍ରତୀରବର୍ତ୍ତୀ ବାଲୁକାମୟ ଭୂମିରେ ଏକ ନିର୍ଜନ ଭଜନ କୁଟୀର ସ୍ଥାପନ କଲେ । ଏହାର ଆଧୁନିକ ନାମ ସାତଲହଡ଼ି ମଠ । ଏହି ମଠଟି ଶଙ୍କରାଚାର୍ଯ୍ୟ ମଠର ଦକ୍ଷିଣରେ ଅବସ୍ଥିତ । ଏଠାରେ ଜଗନ୍ନାଥ ଦାସଙ୍କର ମଣିବିଗ୍ରହ (ପ୍ରସ୍ତର—ମୂର୍ତ୍ତି) ବିଦ୍ୟମାନ । କଥିତ ଅଛି ଜଗନ୍ନାଥ ଦାସ ସମୁଦ୍ର ତରଙ୍ଗର ଘୋର ଗର୍ଜନ ଯୋଗୁଁ ଭଜନସ୍ମରଣରେ ଅସୁବିଧା ଅନୁଭବ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃପାପ୍ରାର୍ଥୀ ହେବାରୁ ପ୍ରଭୁଙ୍କ ଆଜ୍ଞାରେ ସମୁଦ୍ର ସାତ ସ୍ତର ଲହରୀର ଦୂରତା ପର୍ଯ୍ୟନ୍ତ ଦୂରକୁ ଘୁଞ୍ଚି ଯାଇଥିଲା । ତେଣୁ ସେହି ଦିନଠାରୁ ଉକ୍ତ ମଠଟିର ନାମ ସାତଲହଡ଼ି ମଠ ହୋଇଅଛି । ଗୋସ୍ୱାମୀ ମୁକୁନ୍ଦ ଦାସ ୫ ଗୋଟି ଶିଷ୍ୟ କରି ପ୍ରଧାନ ଶିଷ୍ୟଙ୍କୁ ନିଜ ମଠରେ ଗାଦିନସୀନ କରାଇ ଅପର ୪ ଗୋଟିଙ୍କୁ ମଠର ଚତୁଃପାର୍ଶ୍ୱରେ ରଖାଇ ପୁରୀ, କଟକ, ବାଲେଶ୍ୱର ଓ ଖୋରଧା ଅଞ୍ଚଳରେ ସେମାନଙ୍କ ଚଳାଚଳ ପାଇଁ କେତେକ ଭୂସମ୍ପତ୍ତି ଖଞ୍ଜି ଦେଇ ଯାଇଅଛନ୍ତି ଉକ୍ତ ୪ଗୋଟି ମଠ ଅଦ୍ୟାବଧି ବଡ଼ ଓଡ଼ିଆ ମଠର ଅଧୀନ ଥାଇ ଚଳି ଆସୁଅଛି ଯଥା:

  1. ସାନ ଓଡ଼ିଆ ମଠ
  2. ମଧୁ ଦାସ ମଠ
  3. ବନମାଳି ଦାସ ମଠ
  4. ଭାଗବତ ଦାସ ମଠ

ଏହା ଛଡ଼ା ପୁରୀ କୁଣ୍ଢାଇବେଣ୍ଟସାହୀ ଓ ଦାଣ୍ଡିମାଳ ସାହୀରେ ଆହୁରି ୧୫/୧୬ଟି ମଠ ଅଛି ସେହି ସବୁ ମଠର ଅଧିକାରିଗଣ ବଡ଼ ଓଡ଼ିଆ ମଠର ନେତୃତ୍ୱ ସ୍ୱୀକାର କରି ଥାଆନ୍ତି । ଏହି ସବୁ ମଠର ଅଧିକାରୀମାନଙ୍କ ମୁଣ୍ଡରେ ବଡ଼ ଓଡ଼ିଆ ମଠର ଅଧିକାରୀ ମହୋଦୟ ଶାଢ଼ି ବାନ୍ଧିଲେ ସେମାନେ ନିଜ ନିଜ ମଠରେ ଅଧିକାରୀ ହୁଅନ୍ତି । ଏହି ବଡ଼ ଓଡ଼ିଆ ମଠର ମତାବଲମ୍ବୀ ଶିଷ୍ୟମାନେ ମୋଗଲବନ୍ଦି ଓ ଗଡ଼ଜାତମାନଙ୍କର ନାନାସ୍ଥାନରେ ପ୍ରାୟ ୨ହଜାର ପର୍ଯ୍ୟନ୍ତ ଅଛନ୍ତି । ବର୍ତ୍ତମାନ ଅଧିକାରୀ ବୃନ୍ଦାବନ ଦାସ ଗୋସ୍ୱାମୀ ଭାଷାକୋଷର ଜଣେ ପରମସ୍ନେହୀ ପୃଷ୍ଠପୋଷକ ଅଟନ୍ତି ।

୧୫୫୦ ଖ୍ରାଷ୍ଟାଦ୍ଦରେ ମାଘ ଶୁକ୍ଲପକ୍ଷ ସପ୍ତମୀ ଦିନ ଜଗନ୍ନାଥ ଦାସଙ୍କର ତିରୋଧାନ ହେଲା ।

କିମ୍ବଦନ୍ତୀସମ୍ପାଦନ କରନ୍ତୁ

ଜଗନ୍ନାଥ ଦାସଙ୍କ ଭକ୍ତିର ଗଭୀରତାକୁ ନେଇ ଅନେକ କିମ୍ବଦନ୍ତୀ ପ୍ରଚଳିତ । ତନ୍ମଧ୍ୟରୁ ଗୋଟିଏ ଏହିଭଳି । କିମ୍ବଦନ୍ତୀ ଅଛି ଯେ ମେଧା ଓ ସୁମେଧା ନାମରେ ଦୁଇଜଣ ଦେବକନ୍ୟା ଜଗନ୍ନାଥଦାସଙ୍କର ସେବା କରିବାକୁ ଆସୁଥିଲେ । ଏଣୁ ରାଜା ଜଗନ୍ନାଥଦାସଙ୍କ ଚରିତ୍ର ଉପରେ ସନ୍ଦେହ କଲେ । ରାଜାଙ୍କ ଆଜ୍ଞାରେ ଚାରମାନେ ଛକି ଛକି ସେ ଦୁହିଙ୍କୁ ଧରିବାକୁ ଚେଷ୍ଟା କରିବାରୁ ସେମାନେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।

ଅନ୍ୟ ଏକ କିମ୍ବଦନ୍ତୀ ପ୍ରକାରେ ଏଭଳି ଆହୁରି ଏକ ଅଲୌକିକ ଘଟଣା ଘଟିଥିଲା ଜଗନ୍ନାଥଦାସଙ୍କ ଜୀବନରେ । କାଶୀରାମ ନାମକ ଜଣେ ବ୍ୟବସାୟୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିବା ନିମନ୍ତେ ଶ୍ରୀଖଣ୍ଡ ଚନ୍ଦନ ଟେଳାଟିଏ ମହାରାଜାଙ୍କୁ ଦେଇଯାଇଥିଲେ । ଏଥିରେ କସ୍ତୁରୀ, କର୍ପୂର ପ୍ରଭୃତି ବହୁବିଧ ମୂଲ୍ୟବାନ୍ ବାସଦ୍ରବ୍ୟ ମିଶ୍ରିତ ହୋଇଥିଲା । ଦିନେ ରାଜା ସେହି ଟେଳାରୁ ଖଣ୍ଡିଏ ଜଗନ୍ନାଥଦାସଙ୍କୁ ଦେଲେ ଓ ତାହାକୁ ଘୋରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବାକୁ କହିଲେ । ମାତ୍ର ଭକ୍ତ ଜଗନ୍ନାଥ ତାହାକୁ ଘୋରି ଭାବବିହ୍ୱଳ ଅବସ୍ଥାରେ ମଠ କାନ୍ଥରେ ଲେପିଦେଲେ । ରାଜା ଏ ସମାଚାର ପାଇ ଜଗନ୍ନାଥ ଦାସଙ୍କୁ ପରିବାରୁ ସେ କହିଲେ—“ମୁଁ ଠାକୁରଙ୍କ ଶ୍ରୀଅଙ୍ଗରେ ଚନ୍ଦନ ବୋଳି ଦେଇଛି । ରାଜା ପରୀକ୍ଷା ଉଦ୍ଦେଶ୍ୟରେ ମନ୍ଦିର ଯାଇ ଦେଖିଲେ ଯେ ବାସ୍ତବରେ ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲେପିତ ହୋଇଛି ଓ ମନ୍ଦିର ସୁଗନ୍ଧରେ ମହକି ଉଠୁଛି ।

ରଚନାବଳୀସମ୍ପାଦନ କରନ୍ତୁ

ଭାଗବତ ଲିଖନସମ୍ପାଦନ କରନ୍ତୁ

ବ୍ୟାସଦେବଙ୍କଦ୍ୱାରା ରଚିତ ସଂସ୍କୃତ ଶ୍ରୀମଦ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳ ଭାଷାରେ ବୁଝାଇ ଦେଉଥିଲେ । ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦିଅନ୍ତି । ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ଜଗନ୍ନାଥ ଦାସ ଗୋସ୍ୱାମୀ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ ।[୫]

ଅନ୍ୟାନ୍ୟ ରଚନାବଳୀସମ୍ପାଦନ କରନ୍ତୁ

ଏହା ଛଡ଼ା ସେ ସଂସ୍କୃତ ଓ ଓଡ଼ିଆ ଭାଷାରେ ଭକ୍ତି-ଗ୍ରନ୍ଥମାନ ରଚନା କରିଥିଲେ ।

  1. ଅର୍ଥ କୋଇଲି [୬][୭]
  2. ଫୁଲତୋଳା ଚଉତିଶା[୬]
  3. ଦୁତି ବୋଧ[୬]
  4. ଶ୍ରୀ ସତସଙ୍ଗ[୬]
  5. ତୁଳା ଭିଣା (ଗଦ୍ୟ)[୬]
  6. ପସନ୍ଦ ଦଳନ[୬]
  7. ଗଜ ନିସ୍ତରଣ[୬]
  8. ଶ୍ରୀମଦ ଭାଗବତ[୬]
  9. ଜଗନ୍ନାଥ କରିକ[୬]
  10. ଧ୍ରୁବ ସ୍ତୁତି[୬]
  11. ମନଶିକ୍ଷା[୬]
  12. କୃଷ୍ଣ ଭକ୍ତି କଳ୍ପଲତା[୮]
  13. କୃଷ୍ଣ ଭକ୍ତି କଳ୍ପଲତା ଫଳମ[୮]
  14. ନିତ୍ୟ ଗୁପ୍ତମାଳା[୮]
  15. ଉପସନା ଶତକ[୮]
  16. ପ୍ରେମ ସୁଧମ୍ବୁଧା[୮]
  17. ନିତ୍ୟାଚାର ଦିକ୍ଷା ସହିତ ଉପାସନା ବିଧି[୮]
  18. ଶୀର ରାଧା ରସମଞ୍ଜରୀ[୮]
  19. ନିଳାଦ୍ରିଶତକମ[୮]
  20. ନାମ ଚନ୍ଦ୍ରିକା[୯]
  21. ଅନାମୟ କୁଣ୍ଠଳି[୯]
  22. ଭୂଗୋଳ ଏକାଦଶ ସ୍କନ୍ଦ[୯]
  23. ବ୍ରହ୍ମ ଗୀତା[୯]
  24. ଗୁପ୍ତ ଗୀତା[୯]
  25. ଦାରୁବ୍ରହ୍ମ ଗୀତା[୯]
  26. ପଞ୍ଚଭୂତ ଗୀତା[୯]
  27. ଷଡ଼ରସ ଭାଗବତ[୯]
  28. ନିତ୍ୟ ନୀଳାଦ୍ରି ବିଳାସ[୯]
  29. ମୃଗୁଣୀ ସ୍ତୁତି[୯]
  30. ପାହାନ୍ତି ଅବକାଶ[୯]
  31. ଗୁଣ୍ଡିଚା ବିଜେ[୯]
  32. ହାତୀ ଝୁଲେରେ[୯]
  33. ଉଷା ହରଣ[୯]

ସର୍ଜନା[୧୦]ସମ୍ପାଦନ କରନ୍ତୁ

ସଂସ୍କୃତସମ୍ପାଦନ କରନ୍ତୁ

  • ଉପାସନାଶତକମ୍
  • କୃଷ୍ଣଭକ୍ତି-କଳ୍ପଲତା
  • ଜଗନ୍ନାଥ ଚରଣମ୍ବୋଧି ସରଣୀ
  • ନିତ୍ୟ ଗୁପ୍ତମାଳା
  • ନିଳାଦ୍ରିଶତକମ୍
  • ପ୍ରେମସୂଧାମ୍ବୁଧି
  • ଶ୍ରୀରାଧା ରସମଞ୍ଜରୀ
  • ମୃଗୁଣୀ ସ୍ତୁତି

ଓଡ଼ିଆସମ୍ପାଦନ କରନ୍ତୁ

  • ଭାଗବତ (ମୂଳ ଭାଗବତର ଏଗାରଗୋଟି ସ୍କନ୍ଧର ଓଡ଼ିଆଭାଷାରେ ବ୍ୟାଖ୍ୟା ପ୍ରଦାନ କରିଅଛନ୍ତି)
  • ଗୁପ୍ତଭାଗବତ
  • ଦାରୁବ୍ରହ୍ମଗୀତା
  • ଗୁଣ୍ଡିଚାବିଜେ
  • ଗୋଲକ ସାରୋଦ୍ଧାର
  • ଶୈବାଗମ ଭାଗବତ
  • ଷୋଳ ଚଉପଦୀ
  • ସତ୍‌ସଙ୍ଗ ବର୍ଣ୍ଣନ
  • ଅର୍ଥକୋଇଲି (କବି ମାର୍କଣ୍ଡଙ୍କ ରଚିତ କେଶବକୋଇଲିର ଆଧ୍ୟାତ୍ମିକ ବ୍ୟାଖ୍ୟା)
  • ତୁଳାଭିଣା (ଶିବ-ପାର୍ବତୀଙ୍କ କଥୋପକଥନ ଛଳରେ ଉତ୍କଳୀୟ ବୈଷ୍ଣବ ଧର୍ମର ବିଶେତ୍ୱମାନ ବର୍ଣ୍ଣିତ ହୋଇଅଛି ୤ )

କାବ୍ୟସମ୍ପାଦନ କରନ୍ତୁ

  • ଉଷାହରଣ (ଅଷ୍ଟ ଛାନ୍ଦବିଶିଷ୍ଟ)

ବାଣୀସମ୍ପାଦନ କରନ୍ତୁ

ପ୍ରାଣୀର ଭଲ ମନ୍ଦ ବାଣୀ ।

ମରଣକାଳେ ତାହା ଜାଣି ॥
ମର୍ତ୍ତ୍ୟମଣ୍ଡଳେ ଦେହ ବହି ।
ଦେବତା ହୋଇଲେ ମରଇ ॥
ଉତ୍ତମ ସଙ୍ଗେ ସଙ୍ଗ ଯାର ।
ସେ କରେ ଉତ୍ତମ ବିଚାର ॥
ଗୋବିନ୍ଦ ନାମ ଭେଳାକରି ।
ହେଲେ ତରିବ ଭବ ବାରି ॥

—ଭାଗବତର ବାଣୀ

ଆଧାରସମ୍ପାଦନ କରନ୍ତୁ

  1. "Eminent Personalities". puri.nic.in. 2012 [last update]. Retrieved 7 November 2012. JAGANNATH DAS the famed translator of the Bhagabat into Oriya
  2. "ATIBADI JAGANNATHA DAS, POET THE GREAT". orissadiary.com. Retrieved 7 November 2012. Historians differ and opine that he was born in 1490 ‘Bhadra Shukla Pakhya’, Radhastami Day about 5 kms away from Puri, in Kapileswarpur Sashana. As per ‘Odissa Sahitya Academy Publication titled Jagannath Das written by Bhagabana Panda, the done of birth of poet Sait Jagannath Das is 1491 and he had a life span of 59 years (1491-1550). Others opine that his exact span of life was sixty years (1492-1552).
  3. Acharya, Shrinibasa. "ଅତିବଡ଼ୀ ଜଗନ୍ନାଥ ଦାସ". ଉତ୍କଳ ପ୍ରସଙ୍ଗ (July 2016): 53–59. Retrieved 3 August 2016.
  4. "Atibadi Jagannath Das". tattvaloka.com. Retrieved 7 November 2012. Jagannath Das was born to Bhagaban Das and Padmavathi on Bhadrapada Shukla Ashtami in 1490 AD at Kapileshwar in Orissa. |first= missing |last= (help)
  5. ଧରିତ୍ରୀ ଛୁଟିଦିନ ୭-୧୩ଜୁନ ୨୦୧୫
  6. ୬.୦୦ ୬.୦୧ ୬.୦୨ ୬.୦୩ ୬.୦୪ ୬.୦୫ ୬.୦୬ ୬.୦୭ ୬.୦୮ ୬.୦୯ ୬.୧୦ Prachina Utkal, Shri Jagabandhu Singh
  7. ଦାସ, ମାର୍କଣ୍ଡ. କେଶବ କୋଇଲି.
  8. ୮.୦ ୮.୧ ୮.୨ ୮.୩ ୮.୪ ୮.୫ ୮.୬ ୮.୭ Atibadi Jagannath Das, Pandita Sadasiva Mishra
  9. ୯.୦୦ ୯.୦୧ ୯.୦୨ ୯.୦୩ ୯.୦୪ ୯.୦୫ ୯.୦୬ ୯.୦୭ ୯.୦୮ ୯.୦୯ ୯.୧୦ ୯.୧୧ ୯.୧୨ ୯.୧୩ ଜଗନ୍ନାଥ ଦାସଙ୍କ ରଚନାବଳୀ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ. 2000.
  10. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ

ଅଧିକ ତଥ୍ୟସମ୍ପାଦନ କରନ୍ତୁ