ଫକୀର ମୋହନ ସେନାପତି

ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ

ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।[୧]

ବ୍ୟାସକବି
ଫକୀରମୋହନ ସେନାପତି
FakirMohan Senapati.jpg
ଜନ୍ମ୧୩ ଜାନୁଆରୀ ୧୮୪୩(1843-01-13)
ବାଲେଶ୍ୱର , ଭାରତ
ମୃତ୍ୟୁ୧୪ ଜୁନ ୧୯୧୮ (୭୫ ବର୍ଷ)
ବୃତ୍ତିଗାଳ୍ପିକ, ଲେଖକ, କବି, ସାହିତ୍ୟିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟଊନବିଂଶ ଶତାବ୍ଦୀ
ସାହିତ୍ୟ କୃତିଛ ମାଣ ଆଠ ଗୁଣ୍ଠ

ଦସ୍ତଖତ

ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।

ଜୀବନ କାଳସମ୍ପାଦନ କରନ୍ତୁ

ପିଲାବେଳସମ୍ପାଦନ କରନ୍ତୁ

୧୩ ଜାନୁଆରୀ ୧୮୪୩ରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗାଆଁର ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀ ସେନାପତିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଏକ ବର୍ଷ ପାଞ୍ଚ ମାସ ବୟସ ବେଳେ ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତିଙ୍କର ମୃତ୍ୟୁ ଘଟିଲା । ଏହାର ମାତ୍ର ୧୪ ମାସ ପରେ ତାଙ୍କ ମାତା ତୁଳସୀ ଦେବୀ ସେନାପତି ମଧ୍ୟ ଈହଧାମ ତ୍ୟାଗ କରିଥିଲେ । ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ତାଙ୍କର ଜେଜେମା ସମ୍ଭାଳିଥିଲେ ।[୧]

ଫକୀରମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ । ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେ ତାଙ୍କୁ ଫକୀରମାନଙ୍କ ପାଖକୁ ନେଇଯାଉଥିଲେ । ସେହି ଫକୀରମାନଙ୍କ ସମ୍ମାନାର୍ଥେ ତାଙ୍କ ଜେଜେମା’ ତାଙ୍କ ନାଁ ବଦଳାଇ କରିଦେଲେ ଫକୀରମୋହନ ।

ଫକୀରମୋହନଙ୍କର ଦାଦା ପୁରୁଷୋତ୍ତମ ସେନାପତି ଅତ୍ୟନ୍ତ ଇର୍ଷାପରାୟଣୀ ବ୍ୟକ୍ତି ଥିଲେ । ସେ ଫକୀରମୋହନଙ୍କୁ ପାଠ ପଢ଼ିବାର ଅନୁମତି ଦେଉ ନ ଥିଲେ । ଫକୀରମୋହନ ବାଲ୍ୟକାଳରେ ସବୁବେଳେ ଅସୁସ୍ଥ ରହୁଥିବାରୁ, ସେ ୯ବର୍ଷ ବୟସରେ ଫଳା ଶିଖିବା ଆରମ୍ଭ କରିଥିଲେ । ପାଠ ପଢ଼ି ପଇସା ଦେବାର କ୍ଷମତା ନ ଥିବାରୁ ସେ ଶିକ୍ଷକଙ୍କ ଘରେ କାମ କରି ପଢ଼ୁଥିଲେ । ବିଦ୍ୟା ଆହରାଣ କରିବାରେ ସେ କେବେ ସନ୍ତୁଷ୍ଟ ନ ଥିଲେ । ଯେତେ ବିଦ୍ୟା ଅଧ୍ୟୟନ କଲେ ବି ସେ ଆହୁରି ଆଧିକ ଜ୍ଞାନ ପ୍ରାପ୍ତ କରିବାରେ ଲାଗୁଥିଲେ । ନିଜ ମାତୃଭାଷାରେ ଜ୍ଞାନ‌କୋଷ ଭରିବା ସ‌ହିତ ସେ ପ୍ୟାରିସ ଭାଷା ମଧ୍ୟ ଶିକ୍ଷା କରିଥିଲେ । ପିଲାଦିନେ ସେ ଶ୍ରମିକ ଭାବରେ ବାଲେଶ୍ୱରରେ ଥିବା ବନ୍ଦରରେ ମଧ୍ୟ କାର୍ଯ୍ୟ କରୁଥିଲେ ଏବଂ ସେଠାରେ ସେ ବଙ୍ଗାଳୀ ଓ ସଂସ୍କୃତ ଭାଷା ମଧ୍ୟ ଶିକ୍ଷା କରିଥିଲେ ।[୧]

ମା‍ଇନର ପାଶ୍ କଲା ପରେ ସେ ବାଲେଶ୍ୱରର ବାରବାଟୀ ସ୍କୁଲରେ ବିଦ୍ୟାଧ୍ୟୟନ ଜାରି ରଖିଥିଲେ । ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତ ଶିକ୍ଷା କରୁଥିଲେ । ସେ ନିଜର ପାରଦର୍ଶିତା ଯୋଗୁଁ ଶିକ୍ଷକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆର୍ଥିକ ଦୁରବସ୍ଥା ଯୋଗୁଁ ବିଦ୍ୟାଳୟର ମାସିକ ଖର୍ଚ୍ଚ ୨୫ ପଇସା ଦେଇ ନ ପାରି ତାଙ୍କୁ ପାଠପଢ଼ା ତ୍ୟାଗ କରିବାକୁ ପଡ଼ିଥିଲା ଏବଂ ସେହି ବାରବାଟୀ ସ୍କୁଲରେ ତାଙ୍କୁ ମାସିକ ୨.୫୦ ଟଙ୍କା ଦରମାରେ ଶିକ୍ଷକ ଚାକିରୀ କରିବାକୁ ହୋ‍ଇଥିଲା ।[୧] ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତରେ ଶିକ୍ଷାଦାନ ଆରମ୍ଭ କରିଦେଲେ । ଏହି ସବୁ ବିଷୟରେ ସେ ନିଜେ ନିଜର ଜ୍ଞାନ‌କୁ ପ୍ରଗାଢ଼ କରିପାରିଥିଲେ । ବାଲେଶ୍ୱର କଲେକ୍ଟରେଟ୍‌ରେ କିଛି କାଳ ପାଇଁ ସେ କିରାଣୀ ଚାକିରି କରିଥିଲେ । ପରବର୍ତ୍ତୀ କାଳରେ ସେ ବାଲେଶ୍ୱର ମିଶନ ସ୍କୁଲରେ ୧୮୭୧ ଯାଏଁ ଶିକ୍ଷକତା କରିଥିଲେ ।

ଫକୀରମୋହନ ନିଜ ପରିଶ୍ରମ ବଳରେ ଇଂରାଜୀ ଶିକ୍ଷା କରିଥିଲେ । ଆରବିଆନ ନାଇଟସ୍, ରବିନସନ କୃଷେ, ଇଂରାଜୀ ବାଇବେଳ ଭଳି କିଛି ଇଂରାଜୀ ବ‌ହି ପଢ଼ିବା ବେଳେ ସେ ଇଂରାଜୀ ଅଭିଧାନର ସାହାଯ୍ୟ ନେଇଥିଲେ । ଯଦିଓ ଫକୀରମୋହନ ୨୩ ବର୍ଷ ବୟସରେ ଇଂରାଜୀ ଶିକ୍ଷା ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ପ୍ରକୃତିଦତ୍ତ ଦକ୍ଷତା ପାଇଁ ସେ ବିଦେଶୀମାନଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।[୧]

ଉତ୍ତର ଜୀବନସମ୍ପାଦନ କରନ୍ତୁ

ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ସେ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ବଙ୍ଗାଳୀ ଆଦି ଭାଷାରେ ଦକ୍ଷତା ହାସଲ କରିଥିଲେ ଓ ବିଭିନ୍ନ ଆଲୋଚନାମାନଙ୍କରେ ଭାଗ ନେଇ ବାଲେଶ୍ୱରର ବୁଦ୍ଧିଜୀବି ମହଲରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିଲେ ।

ବାରବାଟୀ ସ୍କୁଲରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଫକୀରମୋହନ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟୀଆନ ମିଶନ ସ୍କୁଲର ପ୍ରଧାନଶିକ୍ଷକ ରୂପେ ନିଜୁକ୍ତି ପାଇଥିଲେ । ସେହି ସମୟରେ ଓଡ଼ିଆ ଛାତ୍ରମାନେ ସମସ୍ତ ପାଠ ବଙ୍ଗଳାରେ ପଢ଼ୁଥିଲେ, ତେଣୁ ସେ ଓଡ଼ିଆରେ ବିଭିନ୍ନ ବିଷୟରେ ପାଠ୍ୟପୁସ୍ତକମାନ ରଚନା କରଥିଲେ । ଜଣେ ଗର୍ବିତ ଓଡ଼ିଆ ଭାବରେ ସେ ଓଡ଼ିଆରେ ପାଠ୍ୟପୁସ୍ତକ ସବୁକୁ ଅନୁବାଦ କରି ଓଡ଼ିଶାର ଏବଂ ଓଡ଼ିଆ ଭାଷାର ସମ୍ମାନ ବ‌ହୁତ ଉପରକୁ କରିଦେଇଥିଲେ ।[୧] ଖ୍ରୀଷ୍ଟୀଆନ ମିଶନ ସ୍କୁଲରେ ସେ ୧୮୭୧ ଯାଏ କାର୍ଯ୍ୟ କରିଆସିଥିଲେ ।[୨]

ଏହି ସୂତ୍ରରେ ତାଙ୍କର ପରିଚୟ ହୁଏ ବାଲେଶ୍ୱରର ତତ୍କାଳୀନ କଲେକ୍ଟର ଜନ୍ ବିମ୍ସଙ୍କ ସହ । ’ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ’ ପରି ବିମ୍ସ ସାହେବ ଯିଏ ନିଜେ ଜଣେ ପଣ୍ଡିତ ଥିଲେ, ଫକୀରମୋହନଙ୍କ ଅନ୍ତର୍ନିହିତ ପାଣ୍ଡିତ୍ୟକୁ ଚିହ୍ନିପାରିଥିଲେ । ଏହି କାଳରେ ବିମ୍ସ ସାହେବ ବିଭିନ୍ନ ଭାରତୀୟ ଭାଷାର ତୁଳନାତ୍ମକ ବ୍ୟାକରଣ ଉପରେ ଗୋଟିଏ ପୁସ୍ତକ ରଚନା କରୁଥିଲେ । ସେ ଫକୀରମୋହନଙ୍କଠାରୁ ଏଥିଲାଗି ଓଡ଼ିଆ ଶିକ୍ଷା କରିଥିଲେ । ଫକୀରମୋହନଙ୍କ ପାଣ୍ଡିତ୍ୟରେ ପ୍ରଭାବିତ ବିମ୍ସ ସାହେବ ତାଙ୍କୁ ନୀଳଗିରିର ଦେୱାନ ପଦ ଗ୍ରହଣ କରିବା ଲାଗି ଆଗ୍ରହ କଲେ । ଫକୀରମୋହନ ମଧ୍ୟ ଏହି ପ୍ରସ୍ତାବ ଗ୍ରହଣ କଲେ । ତାଙ୍କର ମାସିକ ଦରମା ରହିଲା ୧୦୦୦ ଟଙ୍କା । ଏହା ପରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ଦେୱାନ ଦାୟିତ୍ୱ ତୁଲାଇଥିଲେ । ୧୮୭୧ରୁ ୧୮୭୫ ଯାଏଁ ନୀଳଗିରିରେ, ୧୮୭୬-୭୭ ଯାଏଁ ଡମପଡାରେ, ୧୮୭୭-୮୩ ଯାଏଁ ଢେଙ୍କାନାଳରେ, ୧୮୮୪-୮୬ ଯାଏଁ ଦଶପଲ୍ଲାରେ, ୧୮୮୬-୮୭ ଯାଏଁ ପାଲଲହଡ଼ାରେ, ୧୮୮୭-୯୨ ଯାଏଁ କେଉଁଝରରେ ଓ ୧୮୮୪-୮୬ ଯାଏଁ ପୁନର୍ବାର ଡମପଡାରେ ସେ ଏହି ଦାୟିତ୍ୱ ତୁଲାଇଥିଲେ । [୩]

୧୮୯୬ରୁ ୧୯୦୫ ଯାଏଁ ସେ କଟକରେ ଅବସ୍ଥାନ କରିଥିଲେ ଓ ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନମାନଙ୍କରେ ଅଂଶଗ୍ରହଣ କରିଥିଲେ । ଏତଦ୍ ପରେ ସେ ମୃତ୍ୟୁ ପର୍ଯ୍ୟନ୍ତ ବାଲେଶ୍ୱରରେ ଅବସ୍ଥାନ କରିଥିଲେ ।

ବ୍ୟକ୍ତିଗତ ଜୀବନସମ୍ପାଦନ କରନ୍ତୁ

ଫକୀରମୋହନ ୧୮୫୬ରେ ବିବାହ କରିଥିଲେ । ତେବେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ୧୮୭୧ରେ ପୁନର୍ବାର ବିବାହ କରିଥିଲେ । ତାଙ୍କର ପ୍ରଥମ ପୁତ୍ରର ୧୮୭୭ରେ ଛ’ ବର୍ଷ ବୟସରେ ଅକାଳ ମୃତ୍ୟୁ ଘଟିଲା । ୧୮୮୧ରେ ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ଔରସରୁ ଦ୍ୱିତୀୟ ପୁତ୍ର ଜନ୍ମଗ୍ରହଣ କରିଥିଲା । ତାଙ୍କର ଦ୍ୱିତୀୟ ସ୍ତ୍ରୀ ମଧ୍ୟ ୧୮୯୪ରେ ହ‌ଇଜାରେ ପରଲୋକଗାମୀ ହୋ‍ଇଥିଲେ । ପରବର୍ତ୍ତୀ କାଳରେ ନିଜ ପୁତ୍ର ସହ ମଧ୍ୟ ତାଙ୍କର ମନାନ୍ତର ଘଟିଥିଲା । ଏହିପରି ତାଙ୍କର ପାରିବାରିକ ଜୀବନ ନିତାନ୍ତ କଷ୍ଟଦାୟକ ଓ ଦୁର୍ଘଟଣାପୂର୍ଣ୍ଣ ଥିଲା ।

ସାହିତ୍ୟ ସର୍ଜନାସମ୍ପାଦନ କରନ୍ତୁ

ଉପନ୍ୟାସସମ୍ପାଦନ କରନ୍ତୁ

ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ । ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ - ’ଛ’ ମାଣ ଆଠ ଗୁଣ୍ଠ’, ’ମାମୁଁ’, ’ପ୍ରାୟଶ୍ଚିତ’ ଓ ’ଲଛମା’ ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ । ଛ’ ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଜମିଦାରମାନଙ୍କ ଦେଇ ଗରିବ ଚାଷୀମାନଙ୍କର ଶୋଷଣର କାହାଣୀ ବର୍ଣ୍ଣିତ ହୋ‍ଇଛି । ଓଡ଼ିଆର ପ୍ରଥମ ଆତ୍ମଜୀବନୀର ମଧ୍ୟ ସେ ଥିଲେ ରଚୟିତା । ଏହାର ନାମ ଥିଲା ’ଆତ୍ମ ଜୀବନ ଚରିତ’ ।

କ୍ଷୁଦ୍ରଗଳ୍ପସମ୍ପାଦନ କରନ୍ତୁ

ଫକୀରମୋହନ ସେନାପତି ଓଡ଼ିଆ ଗଳ୍ପ ସାହିତ୍ୟର ଜନକ । ଫକୀରମୋହନ ତାଙ୍କ ଜୀବନର ଶେଷ ୨୧ ବର୍ଷ ମଧ୍ୟରେ ଗଳ୍ପ ଏବଂ ଉପନ୍ୟାସ ରଚନା କରିଛନ୍ତି । ୧୮୬୦ରେ ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପ ’ଲଛମନିଆ’, ତାଙ୍କରିଦ୍ୱାରା ସମ୍ପାଦିତ ଓ ବାଲେଶ୍ୱରରୁ ପ୍ରକାଶିତ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋ‍ଇଥିଲା । ତେବେ ଦୁର୍ଭାଗ୍ୟବଶତଃ ତାଙ୍କର ଆତ୍ମଜୀବନୀରେ ଏହା ବିଷୟରେ ସାମନ୍ୟ ଟିକିଏ ବର୍ଣ୍ଣନା ବ୍ୟତୀତ ଏହି ଗଳ୍ପର ସ୍ରୋତ ସମ୍ବନ୍ଧରେ ଅନ୍ୟ କୌଣସି ଖିଅ ମିଳେନାହିଁ, ନଚେତ୍ ସମଗ୍ର ଭାରତବର୍ଷରେ ଏହି ସାହିତ୍ୟିକ ବିଭାଗର ସ୍ରଷ୍ଟା ରୂପେ ସେ ବିବେଚିତ ହୋ‍ଇଥା’ନ୍ତେ । ୧୮୯୮ରେ ତାଙ୍କ ରଚିତ ’ରେବତୀ’ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଏ । ’ରେବତୀ’ ଗଳ୍ପଟିରେ ଗୋଟିଏ ଛୋଟ ଝିଅର ପାଠ ପଢିବାର ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପଗୁଡିକ :

  • ରେବତୀ (୧୮୯୮)
  • ବାଲେଶ୍ୱରୀ ପଙ୍ଗାଲୁଣ (୧୯୦୭)
  • ବାଲେଶ୍ୱରୀ ରାହାଜାନୀ (୧୯୦୭)
  • ମୌନାମୌନୀ (୧୯୦୭)
  • ପୁନର୍ମୂଷିକୋଭବ (୧୯୦୯)
  • ଡାକମୁନିସୀ (୧୯୧୨)
  • କାଳିକାପ୍ରସାଦ ଗୋରାପ (୧୯୧୩)
  • କମଳାପ୍ରସାଦ ଗୋରାପ (୧୯୧୩)[୪]
  • ଧୂଳିଆ ବାବା (୧୯୧୩)
  • ପେଟେଣ୍ଟ ମେଡିସିନ (୧୯୧୩)
  • ସୁନାବୋହୂ (୧୯୧୩)
  • ବିରେଇ ବିଶାଳ (୧୯୧୩)
  • ରାଣ୍ଡିପୁଅ ଅନନ୍ତା (୧୯୧୩)
  • ବଗଲାବଗୁଲୀ (୧୯୧୪)
  • ସଭ୍ୟ ଜମିଦାର (୧୯୧୪)
  • ଅଜାନାତି କଥା (୧୯୧୫)
  • ମାଧମହାନ୍ତିଙ୍କ କନ୍ୟାସୁନା (୧୯୧୫)
  • ଅଧର୍ମ ବିତ୍ତ (୧୯୧୫)
  • ପାଠୋଈ ବୋହୂ (୧୯୧୫)
  • ଗାରୁଡିମନ୍ତ୍ର (୧୯୧୬)

କବିତାସମ୍ପାଦନ କରନ୍ତୁ

ଫକୀରମୋହନଙ୍କ ପ୍ରଥମ କବିତା ସଙ୍କଳନ ’ଉତ୍କଳ ଭ୍ରମଣ' ୧୮୯୨ରେ ପ୍ରକାଶ ପାଇଥିଲା। ତାଙ୍କର ଅନ୍ୟାନ୍ୟ ପଦ୍ୟ କୃତିମାନଙ୍କ ମଧ୍ୟରେ ’ପୁଷ୍ପମାଳା’, ’ଉପହାର’, ’ପୂଜା ଫୁଲ’, ’ପ୍ରାର୍ଥନା’ ଓ ’ଧୂଳି’ ପ୍ରଧାନ । ନିଜସ୍ୱ କୃତି ବ୍ୟତୀତ ସେ ମଧ୍ୟ ସଂସ୍କୃତ ’ମହାଭାରତ’ ଓ ’ରାମାୟଣ’କୁ ଓଡ଼ିଆରେ ଅନୁବାଦ କରିଥିଲେ । ଏ ଦୁଇଟିଯାକ ଆକ୍ଷରିକ ଅନୁବାଦ ନୁହେଁ ବରଂ ଭାବାନୁବାଦ । ତାଙ୍କର ପ୍ରଥମ ସ୍ତ୍ରୀ ରୋଗଶଯ୍ୟାରେ ଥିବାବେଳେ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ଶୁଣିବାକୁ ଇଚ୍ଛା କରିବାରୁ ସେ ଏହି ଅନୁବାଦ ଦ୍ୱୟ କରିଥିଲେ । ତେବେ ତାଙ୍କର ଏହି ରଚନା ଦ୍ୱୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବାରୁ ତାଙ୍କର ଏହି ମହତ ପ୍ରଚେଷ୍ଟା ଲାଗି ତାଙ୍କୁ ବ୍ୟାସକବିର ଆଖ୍ୟା ଦିଆଯା‍ଇଛି । ତତ୍କାଳୀନ ବାମରାର ରାଜାଙ୍କଦ୍ୱାରା ସେ ମଧ୍ୟ "ସରସ୍ୱତୀ" ଉପାଧିରେ ଭୂଷିତ ହୋ‍ଇଥିଲେ ।

ପତ୍ରପତ୍ରିକା ଓ ସଙ୍ଗଠନସମ୍ପାଦନ କରନ୍ତୁ

୧୮୬୮ରେ ନିଜସ୍ୱ ପ୍ରଚେଷ୍ଟା ବଳରେ ସେ ବାଲେଶ୍ୱରରେ ’ଉତ୍କଳ ପ୍ରେସ’ ନାମରେ ଏକ ଛାପାଖାନା ପ୍ରତିଷ୍ଠା କଲେ, ଯାହା ହେଉଛି ଓଡ଼ିଶାର ଦ୍ୱିତୀୟ ଛାପାଖାନା । ଏହିଠାରୁ ସେ ଓଡ଼ିଆରେ ବିଭିନ୍ନ ପତ୍ରିକା ଓ ସମ୍ବାଦପତ୍ରମାନ ସମ୍ପାଦନା ଓ ପ୍ରକାଶନ କଲେ । ଏଥିମଧ୍ୟରୁ "ବୋଧଦାୟିନୀ", "ନବସମ୍ବାଦ" ଓ "ସମ୍ବାଦ ବାହିକା" ଆଦି ପ୍ରଧାନ । ପ୍ରଥମାବସ୍ଥାରେ ସେ ପ୍ରକାଶକ, ଲେଖକ, ସମ୍ପାଦକ, ମୁଦ୍ରଣକାରୀ, ବଣ୍ଟନ‌କାରୀ ଏବଂ ମାଲିକ ଥିଲେ । ପରବର୍ତ୍ତୀ ସମୟରେ ସେ ରାଧାନାଥ ରାୟ ଏବଂ ମଧୁସୂଦନ ରାଓଙ୍କୁ ନିଜର ସ‌ହକର୍ମୀ ଭାବରେ ନେଇଥିଲେ ଏବଂ ସେମାନେ ବୋଧଦାୟିନୀ ପାଇଁ ଗଳ୍ପ ଲେଖୁଥିଲେ ।[୧]

ଓଡ଼ିଆ ଭାଷାର ଉନ୍ନତି ଓ ପ୍ରଚାର ନିମନ୍ତେ ସେ ୧୮୬୭ରେ "ଉତ୍କଳ ଭାଷା ଉନ୍ନତି ବିଧାନି ସଭା" ନାମକ ଏକ ସଙ୍ଗଠନ ଗଢ଼ିଥିଲେ । ’ଉତ୍କଳ ସାହିତ୍ୟ ସମାଜର’ ୧୯୧୨ ଓ ୧୯୧୭ର ବାର୍ଷିକ ସଭାରେ ସେ ସଭାପତି ଦାୟିତ୍ୱ ତୁଲାଇଥିଲେ । [୨] ୧୯୧୫ ମସିହାରେ ଫକୀରମୋହନ ସତ୍ୟବାଦୀ ବିଦ୍ୟାଳୟକୁ ପରିଭ୍ରମଣରେ ଯାଇଥିଲେ ଏବଂ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର କାର୍ଯ୍ୟ ଦେଖି ଅତ୍ୟନ୍ତ ଖୁସି ହୋଇଥିଲେ ।

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Jain, Bhushan. "Short biography of Fakir Mohan Senapati". Retrieved 20 July 2016.
  2. ୨.୦ ୨.୧ "FAKIR MOHAN SENAPATI". Balesore Offical Website. Retrieved 20 July 2016.
  3. http://orissa.gov.in/e-magazine/Orissareview/2008/feb-march-2008/engpdf/56-61.pdf
  4. "About Fakir Mohan Senapati" (PDF). Retrieved 30 April 2018.

ବାହାର ଆଧାରସମ୍ପାଦନ କରନ୍ତୁ