ସୁଭଦ୍ରା

ମହାଭାରତର ଏକ ଚରିତ୍ର

ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ସୁଭଦ୍ରା ଶ୍ରୀକୃଷ୍ଣଙ୍କ ବୈମାତ୍ରେୟ ଭଗିନୀ । ସୁଭଦ୍ରା ବସୁଦେବଙ୍କ ଔରସରେ ରୋହିଣିଙ୍କ ଗର୍ଭରୁ ଜାତ ହୋଇଥିଲେ ।[୧] ସୁଭଦ୍ରା ତୃତୀୟ ପାଣ୍ଡବ ଅର୍ଜୁନଙ୍କୁ ବିବାହ କରିଥିଲେ । ଏହାଙ୍କ ଗର୍ଭରୁ ଅର୍ଜୁନଙ୍କ ଔରସରେ ଅଭିମନ୍ୟୁ ଜନ୍ମହୋଇଥିଲେ । ସେ ଶ୍ରୀମନ୍ଦିରରେ ଭୁବନେଶ୍ୱରୀ ରୂପରେ ପୁଜା ହୁଅନ୍ତି ।

ନାମକରଣ ତତ୍ପର୍ଯ୍ୟସମ୍ପାଦନ କରନ୍ତୁ

ସଗୁଣରୁ ନିର୍ଗୁଣ ହେବାକୁ ହେଲେ, ସ୍ୱରାଟକୁ ବିରାଟରେ ମିଶାଇବାକୁ ହେଲେ ମାତୃ ଚେତନା ହିଁ ପ୍ରାଥମିକ ଆବଶ୍ୟକତା ହୋଇଥାଏ । ଏହି ମାତୃଶକ୍ତିର ଆମଶକ୍ତି ହେଉଛନ୍ତି ମା' ସୁଭଦ୍ରା । ସୃଷ୍ଟି ରହସ୍ୟରେ ଗୋଟିଏ ତତ୍ତ୍ୱ ରହିଥଲା । ମହାକାଳ ଚକ୍ରରେ ତା' ମଧ୍ୟରେ ଶକ୍ତିର ସୃଷ୍ଟି ହେଲା । ଏହା ସ୍ୱତନ୍ତ୍ର ଭାବେ ହୋଇଥାଏ ବୋଲି ମହର୍ଷମାନଙ୍କ ମତ ଶକ୍ତି ସୃଷ୍ଟି ହେଲେ ‘ଇଚ୍ଛାଶକ୍ତି' ପ୍ରଥମେ ଆସେ ଏକରୁ ଅନେକ ହେବି । ଏଯେଉଁ ଇଚ୍ଛା ତାହା ଶକ୍ତି ଯୋଗୁ ସମ୍ଭବ ହୋଇଥଲା । ତେଣୁ କୁହାଯାଏ ଇଚ୍ଛାଶକ୍ତି ଯୋଗ ହେବାରୁ ବହୁ ରୂପର ସୃଷ୍ଟି ହେବା ସମ୍ଭବ ହେଲା । ଏହିସବୁ ରୂପଗୁଡ଼ିକ ଦେବା ଦେବତା ରୂପେ ଭାରତୀୟ ପରମ୍ପରାରେ ଉପାସିତ ହେଲେ । ଏହି ଶକ୍ତିକୁ ଅନେକ ଶବ୍ଦରେ ବୁଝାଯାଏ । କେହି ବ୍ରହ ଶକ୍ତି କୁହନ୍ତି,କେହି ଶିବ ଶକ୍ତି କୁହନ୍ତି । ଶ୍ରୀଜଗନ୍ନାଥଙ୍କ ଉପାସନାରେ ଏହି ଶକ୍ତିକୁ ମାତୃ ଚେତନା ବା ଆତ୍ମଶକ୍ତ ଭାବରେ ଗ୍ରହଣ କରାଯାଇଛି । ଏଥରେ ମାନବିକ ମୂଲ୍ୟବୋଧକୁ ଗୁରୁତ୍ୱ ଦିଆଯାଇଛି । ସୁଭଦ୍ରା ଶବ୍ଦର ଅର୍ଥ ହେଉଛି 'ଉତ୍ତମ ଭଦ୍ରା' । ଉତ୍ତମ ହେବାକୁ ହେଲେ ଗର୍ବ ଅହଙ୍କାର ତ୍ୟାଗ କରିବାକୁ ହୁଏ । ଅହଙ୍କାର ହେଉଛି ଉଦ୍ଧତ ସ୍ୱଭାବ । ଦର୍ପ ବା ଅହଙ୍କାର ୧୨ଗୋଟି ଖରାପ ଗୁଣକୁ ନେଇ ବଳିଷ୍ଠ ହୋଇଅଛି । ଏହି ୧୨ ଗୋଟି ଖରାପ ଗୁଣର ନିରାକରଣ ନିମନ୍ତେ ଭଦ୍ରତତ୍ତ୍ୱର ଆବଶ୍ୟକ ହୋଇଥାଏ । ସେହି ଉତ୍ତମ ଭଦ୍ରତତ୍ତ୍ୱର ପ୍ରତୀକ ହେଉଛନ୍ତି ମା' ସୁଭଦ୍ରା । [୨]

ଅନ୍ୟ ରୂପ ଏବଂ ବର୍ଣ୍ଣନାସମ୍ପାଦନ କରନ୍ତୁ

ସୁଭଦ୍ରାଙ୍କ ରଥ ଦର୍ପଦଳନରେ ୧୨ଟି ଚକ ରହିଥାଏ ।[୩] ଏହି ୧୨ଗୋଟି ଚକ ଅହଙ୍କାର ଓ ଖରାପ ଗୁଣକୁ ଦଳନ କରିଥାଏ । ବନପର୍ବ ବର୍ଣ୍ଣନା ଅନୁଯାୟୀ ସୁଭଦ୍ରାଙ୍କୁ ‘ଏକାନଂଶୀ’ ଦେବୀ ବୋଲି ମତ ଦେଇଛନ୍ତି ଏବଂ କୃଷ୍ଣବଳରାମଙ୍କ ମଝିରେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ଗ୍ରହଣ କରିବା ସମ୍ଭବ ହୁଏ ନାହିଁ । କାରଣ ସେହି ମହାଭାରତ ସମୟ ବେଳକୁ ପୁରୁଷୋତ୍ତମ ଚେତନା ସୃଷ୍ଟି ହୋଇପାରିଥଲା । ଦେବୀ ଏକାନଂଶୀ ହେଉଛନ୍ତି ଚାମୁଣ୍ଡା। ସେ ଦର୍ପଦଳନ ରଥର ସୁରକ୍ଷା ଦାୟିତ୍ୱ ନେଇ ପାର୍ଶ୍ୱଦେବୀ ଭାବେ ସ୍ଥାନିତ । ମହାନିର୍ବାଣ ତନ୍ତ୍ରରେ ମା ସୁଭଦ୍ରା ହେଉଛନ୍ତି ଦେବୀ ଭୁବନେଶ୍ୱରୀ । ଅର୍ଥାତ ଦେବା ସୁଭଦ୍ରା, ଦଶ ମହାବିଦ୍ୟା ମଧ୍ୟରେ ଅନ୍ୟତମ ଅଟନ୍ତି । ସ୍କନ୍ଦପୁରାଣ ଓ ବିଭିନ୍ନ ଶାସ୍ତ୍ରରେ ମା' ସୁଭଦ୍ରାଙ୍କୁ ଯୋଗମାୟା ଆଦି ଶକ୍ତି ବୋଲି ବର୍ଣ୍ଣନା କରାଯାଇଛି । ଆଦି ଶକ୍ତି ହିଁ ଭୁବନର ଈଶ୍ୱରୀ ହେବା ସମ୍ଭବ । ଅନେକ ଆଲୋଚକ ତାଙ୍କର ସ୍ୱରୂପ ସ୍ଥମ୍ଭ ଭଳି ମନେକରି ତାଙ୍କୁ ସ୍ତମ୍ବେଶ୍ୱରୀ ବା ଖମ୍ବେଶ୍ୱରୀ ବୋଲି ବର୍ଣ୍ଣନା କରିଛନ୍ତି । ମାତ୍ର ଭୁବନେଶ୍ୱରୀଙ୍କ ବୈଷ୍ଣବ ଉପାସକମାନେ 'ସୁଭଦ୍ରା ପ୍ରାଣନାଥସ୍ୟ ଜଗନ୍ନାଥସ୍ୟ ମଙ୍ଗଳମ’ ଭାବେ ପୂଜା କରନ୍ତି ।[୪] ଶ୍ରୀଜଗନ୍ନାଥ ତତ୍ତ୍ୱ ଜଗନ୍ନାଥ, ବଳଭଦ୍ର, ମା' ସୁଭଦ୍ରା ଓ ସୁଦର୍ଶନ ରୂପୀ ମୂର୍ତ୍ତି ଚତୁଃଷ୍ଟୟର ମନୋଜ୍ଞ ସମାହାର ଅଟନ୍ତି । ଏମାନଙ୍କ ମଧ୍ୟରୁ କେଉଁ ଜଣଙ୍କର ଅନୁପସ୍ଥିତିରେ ଜଗନ୍ନାଥ ତତ୍ତ୍ୱ ଅସମ୍ପୂର୍ଣ୍ଣ ଅଟେ । ସେଥିପାଇଁ କୁହାଯାଇଛି ଯେ, 'ଜ'କାରଶ୍ଚ ଜଗନ୍ନାଥ, 'ଗ' କାରଶ୍ଚ ବଳଭଦ୍ର, ଭଦ୍ରା 'ନ' କାର ଭାବେନ, 'ଥ' କାରଶ୍ଚ ସୁଦର୍ଶନ ହୋଇଥାନ୍ତି । ଜଗନ୍ନାଥ ତତ୍ତ୍ୱରେ ମା'ସୁଭଦ୍ରାଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଚାରିମୂର୍ତ୍ତିଙ୍କ ଉପାସନା ଆରମ୍ଭ ଆଗରୁ ପ୍ରଥମେ ବାସୁଦେବ ବିଷ୍ଣୁ ବିରାଜିତ ହୋଇଥିଲେ ବୋଲି ମହାଭାରତର ନାରାୟଣୀୟ ଉପାଖ୍ୟାନରୁ ଜଣାଯାଏ । ଦ୍ୱିବ୍ୟୁହ ତତ୍ତ୍ୱରେ ଶଙ୍କର୍ଷଣ ଶିବରୂପେ ଗୃହୀତ ହେଲେ । ପରବର୍ତ୍ତୀ କାଳରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ସହିତ ସୁଭଦ୍ରା ବିରାଜିତ ହେଲେ ।

ଅନେକ ସୁଭଦ୍ରାଙ୍କୁ ବ୍ରହ୍ମାଙ୍କ ରୂପ ଭାବେ ଅଭିହିତ କରିଛନ୍ତି । ବ୍ରହ୍ମା ତୀର୍ଥଗୁରୁ ପୁଷ୍କରକୁ ନିଜ ଯଜ୍ଞ ପାଇଁ ଉପଯୁକ୍ତ ସ୍ଥାନ ବୋଲି ଭାବିଥିଲେ କିନ୍ତୁ ଏହି ସ୍ଥାନକୁ ମନୋନୀତ କରିବା ପୂର୍ବରୁ ନିଜ ସ୍ତ୍ରୀ ସାବିତ୍ରୀଙ୍କ ଜରୁରୀ ଆବଶ୍ୟକତା ମନେକରି ତାଙ୍କୁ ପୁତ୍ର ନାରଦଙ୍କଦ୍ୱାରା ଡକାଇ ଥିଲେ । କିନ୍ତୁ ନାରଦ ଓ ସାବିତ୍ରୀ ସେଠାକୁ ଆସିବାକୁ ବିଳମ୍ବ ହେତୁ ବ୍ରହ୍ମା ଗାୟତ୍ରୀଙ୍କୁ ପୁନଃବିବାହ କରି ଯଜ୍ଞ ଆରମ୍ଭ କଲେ, ପରେ ସାବିତ୍ରୀ ସେଠାରେ ପହଞ୍ଚି ଏସବୁ ଦେଖି ବ୍ରହ୍ମାଙ୍କୁ ଅଭିଶାପ ଦେଲେ । ଅଭିଶାପରେ ସାବିତ୍ରୀ କହିଥିଲେ ଯେ, ବ୍ରହ୍ମା ସୃଷ୍ଟି କର୍ତ୍ତା ହୋଇଥିଲେ ହେଁ ସେ ଏହି ପୁଷ୍କର ସ୍ଥାନ ବ୍ୟତୀତ ଆଉ କୌଣସି ଜାଗାରେ ପୂଜା ପାଇବେ ନାହିଁ । ଏବଂ ବାସ୍ତବିକ ରାଜସ୍ଥାନର ଥର ମରୁଭୂମି ନିକଟସ୍ଥ ଏହି ତୀର୍ଥ ଶ୍ରେଷ୍ଠ ପୁଷ୍କର ହ୍ରଦ ନିକଟରେ କେବଳ ଚତୁମୁଖ ବ୍ରହ୍ମା ପୂଜା ହେଉଛନ୍ତି । ଅନ୍ୟ କେଉଁଠାରେ ବ୍ରହ୍ମା ପୂଜା ହେଉନାହାଁନ୍ତି କହିଲେ ଚଳେ । ସେଥିପାଇଁ ଜଗନ୍ନାଥ, ବଳଭଦ୍ରଙ୍କ ସହିତ ବ୍ରହ୍ମା ସୁଭଦ୍ରା ରୂପେ ପୂଜା ପାଆନ୍ତି ।[୫]

ଚାରିବେଦ ମଧ୍ୟରୁ ଭକ୍ତମାନେ କିଏ ସୁଭଦ୍ରା ମା'ଙ୍କୁ ୠକବେଦ ତ କିଏ ଯର୍ଜୁବେଦ ବୋଲି ଗ୍ରହଣ କରିଛନ୍ତି । ଶ୍ରୀଜଗନ୍ନାଥ ହେଉଛନ୍ତି ୠକବେଦ କାରଣ ସେ ଅବ୍ୟକ୍ତ ଜଗତରୁ ଜୀବ ମଧ୍ୟରେ ମନ୍ତ୍ର ପ୍ରକାଶ କରୁଛନ୍ତି । ଏହି ମନ୍ତ୍ରକୁ ଦେବୀ ସୁଭଦ୍ରା ଅନୁଭବ ସ୍ତରରେ ଯୋଗ କରୁଛନ୍ତି, ତେଣୁ ସେ ହେଉଛନ୍ତି ଯଜୁର୍ବେଦ । ଏହି ସମ୍ବେଦନ କର୍ମେନ୍ଦ୍ରୀୟ ରୂପୀ ବଳରାମ ସାମ୍ୟଧାରଣ କରନ୍ତି ବୋଲି ସେ ହେଉଛନ୍ତି ସାମବେଦ ଓ ସୁଦର୍ଶନଙ୍କୁ ଅଥର୍ବ ବେଦ ଭାବରେ ଗ୍ରହଣ କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କ ବର୍ଣ୍ଣ କୃଷ୍ଣ, ବଳଭଦ୍ରଙ୍କ ବର୍ଣ୍ଣ ଶ୍ୱେତ ଓ ସୁଭଦ୍ରାଙ୍କ ବର୍ଣ୍ଣ ପୀତ ଅଟେ ।ଏହି ବର୍ଣ୍ଣ ସବୁ ବିଭିନ୍ନ ବର୍ଣ୍ଣ ଲୋକମାନଙ୍କସୂଚନା ଦେଇଥାଏ ଓ ତତ୍ସହିତ ସେମାନଙ୍କ ମଧ୍ୟରେ ଭ୍ରାତୃଭାବର ସମ୍ପର୍କ ସୃଷ୍ଟି କରିଥାଏ । ସନାତନ ଧର୍ମର ମୁଖ୍ୟ ତ୍ରିଧାରା ହେଲେ ଶାକ୍ତ, ବୈଷ୍ଣବଶୈବ । ଶାକ୍ତ ମାନଙ୍କ ଉପାସିକା ହେଉଛନ୍ତି ମା' ଦୁର୍ଗା ବା ଯୋଗମାୟା । ଏହି ଦୁର୍ଗା ବା ଯୋଗମାୟା ହେଉଛନ୍ତି ଦେବୀ ସୁଭଦ୍ରା । ସ୍କନ୍ଦ ପୁରାଣରେ ମା' ସୁଭଦ୍ରାଙ୍କର ଦୁଇଟି ହସ୍ତ ବୋଲି ବର୍ଣ୍ଣନା କରାଯାଇଛି । ଏବଂ ଏହା ମଧ୍ୟ ବର୍ଣ୍ଣିତ ଯେ ସେ ଏକ ହସ୍ତେ ପଦ୍ମ ଓ ଅନ୍ୟ ଏକ ହସ୍ତେ ଅଭୟ ପ୍ରଦାନ କରୁଛନ୍ତି । ନୀଳମାଧବ ବା ମାଧବ ତତ୍ତ୍ୱରେ ଜଗନ୍ନାଥ ଧର୍ମର ଆଦିମତା ରହିଛି ବୋଲି ମତବ୍ୟକ୍ତ କରନ୍ତି । ନୀଳ+ମା+ଧବ । ଏହି ମା' ଶବ୍ଦର ଅର୍ଥ ଦେବୀ ସୁଭଦ୍ରା ବୋଲି କେତେକ ମତ ପ୍ରଦାନ କରିଛନ୍ତି । ବୌଦ୍ଧ ଧର୍ମରେ ତ୍ରିମୂର୍ତ୍ତି ହେଲେ ବୁଦ୍ଧ, ଧର୍ମ ଓ ସଂଘ।ବୁଦ୍ଧ ହେଉଛନ୍ତି ପୁରୁଷ, ଧର୍ମ ହେଉଛନ୍ତି ପ୍ରକୃତି ଓ ସଂଘ ହେଉଛନ୍ତି ପୁରୁଷ ଓ ପ୍ରକୃତିର ମିଳନସ୍ଥଳ । ଅନ୍ୟ କେତେକ ମତ ରଖନ୍ତି ଯେ, ଏହି ତିନି ମୂର୍ତ୍ତି ହେଉଛନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଅଟନ୍ତି । ଈଶ୍ୱରୀୟ ଶକ୍ତି ତତ୍ତ୍ୱରେ ବ୍ରହ୍ମା, ବିଷ୍ଣୁମହେଶ୍ୱରଙ୍କର ସମନ୍ୱିତ ପ୍ରକୃତି ସ୍ୱରୂପା ଭାବରେ ମା' ସୁଭଦ୍ରା ପ୍ରତିଷ୍ଠିତା । ସୃଷ୍ଟି ପାଳନ ଓ ସଂହାର ତତ୍ତ୍ୱରେ ବିଚାର କଲେ ସୁଭଦ୍ରା ସାବିତ୍ରୀରୂପେ ସୃଷ୍ଟିକାରିଣୀ ଓ କାତ୍ୟାୟନୀ ଭାବରେ ସଂହାର କାରିଣୀ ଓ ମହାଲକ୍ଷ୍ମୀ ଭାବରେ ପାଳନକାରିଣୀ ଅଟନ୍ତି । ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କର ଅଙ୍ଗରେ ସେ ଜଡ଼ିତ ଥିବାର ପ୍ରମାଣ ସ୍ୱରୂପ ବର୍ଣ୍ଣନା କରାଯାଇଛି-

          ବକ୍ଷସ୍ଥଳେ ସ୍ଥିତୋ ବିଷ୍ଣୋ ଶମ୍ଭୋ ଅର୍ଦ୍ଧାଙ୍ଗ ଶୋଭିତା
          ପଦ୍ମଯୋନି ମୁଖାଦ୍ୱାସ୍ଥାମ ତାଂ ନମାମି ହରିପ୍ରିୟାମ ।

ସୁଭଦ୍ରା ଚଣ୍ଡୀରେ ଶକ୍ତି, ଜ୍ଞାନ, ବିଦ୍ୟା ଓ ଲକ୍ଷ୍ମୀ ଇତ୍ୟାଦି ସର୍ବଗୁଣରେ ଅଧିଶ୍ୱରୀ ହେଲେ ହେଁ ନାରାୟଣୀ ଭାବରେ ସମସ୍ତେ ତାଙ୍କୁ ବିନମ୍ର ପ୍ରମାଣ କରନ୍ତି । ମହାଭାରତ ସମୟରୁ ମା' ସୁଭଦ୍ରା ହିଁ ଏକାଂନସାରୂପେ ପରିଗଣିତ ହୋଇଥିଲେ । ମହାଭାରତର ବିରାଟ ପର୍ବରେ ତାଙ୍କୁ ଯଶୋଦା ଗର୍ଭ ସମ୍ଭୁତ ବିଜୁଳି କନ୍ୟା ରୂପରେ କଳ୍ପନା କରାଯାଇଛି । ଦେବୀ ସୁଭଦ୍ରା ବିଷ୍ଣୁ ପୁରାଣରେ ନିଦ୍ରାଦେବୀ ରୂପେ ବିବେଚିତା । ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରତିଷ୍ଠିତ ହେଲା ପରେ ସେ ଶାକ୍ତ ମତରେ ଦେବୀଭାବରେ ପରିଚିତ ନ ହୋଇ ବୈଷ୍ଣବ ମତ ଅନୁସାରେ ବିରାଜିତ ହୋଇ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ଭଗ୍ନୀ ରୂପରେ ସର୍ବସାଧାରଣଙ୍କ ସମ୍ମୁଖରେ ଗୃହୀତ ହୋଇଛନ୍ତି । ବରାହମିହିର ତାଙ୍କ ବୃହତ ସଂହିତାରେ ଏକାଂନସୀ ଓ ସୁଭଦ୍ରାଙ୍କ ମଧ୍ୟରେ ଅଭେଦ କଳ୍ପନା କରି କହିଛନ୍ତି । ତେଣୁ ଦେବୀ ସୁଭଦ୍ରା ଶିଳାବ୍ରହ୍ମଦାରୁବ୍ରହ୍ମ ରୂପରେ ଶକ୍ତିଭାବେ ବିରାଜିତା ହୋଇଆସୁଛନ୍ତି । ରତ୍ନସିଂହାସନରେ ସୁଦର୍ଶନ ଓ ଶ୍ରୀଜଗନ୍ନାଥଙ୍କ ବାମ ପାର୍ଶ୍ୱରେ ଶୋଭା ପାଉଛନ୍ତି । ରଥଯାତ୍ରା ସମୟରେ ସେ ଦେବୀ ସୁଭଦ୍ରାଙ୍କ ସହିତ ବନ୍ଧା ହୋଇଥାନ୍ତି । ଲିଙ୍ଗସ୍ୱରୂପ ସୁଦର୍ଶନ ସୁଭଦ୍ରାଙ୍କ ସହିତ ରୁନ୍ଧା (ବନ୍ଧା) ହୋଇଥାନ୍ତି, ତେଣୁ ତାଙ୍କୁ ଶକ୍ତିସ୍ୱରୂପା ବୋଲି କୁହାଯାଇଛି ।

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "Lady Subhadra". salagram.net. 2010. Retrieved 26 June 2012. Subhadra is the only daughter of Vasudeva, born to him by his wife Rohini Devi
  2. http://www.dharitri.com/Bhubaneswar/060716/p11.htm
  3. ୧୨ଟି, ଚକ. "ଏହି ରଥରେ ୧୨ଟି ଚକ ସଂଯୁକ୍ତ ହୋଇଥାଏ". www.odishan.com. Retrieved 17 August 2016.
  4. http://www.dharitri.com/Bhubaneswar/060716/p11.htm
  5. ପାଣିଗ୍ରାହୀ (22 August 2016). ଡ. ଲେନିନ୍ ମହାନ୍ତି (ed.). ଜଗନ୍ନାଥ ଧର୍ମରେ ସୁଭଦ୍ରା ତତ୍ତ୍ୱ. ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ. p. ୧୯୨.