ଶ୍ରୀମନ୍ଦିରରେ ପ୍ରଚଳିତ ଶବ୍ଦାବଳୀ

ଶ୍ରୀମନ୍ଦିରରେ ପ୍ରଚଳିତ ଶବ୍ଦାବଳୀ

ଶ୍ରୀମନ୍ଦିର, ପୁରୀ

ଶ୍ରୀମନ୍ଦିର, ଏହାର ନାଁ ଯେପରି ଅନନ୍ୟ; ନୀତିକାନ୍ତି ମଧ୍ୟ ଅନ୍ୟ ସମସ୍ତ ମନ୍ଦିରଠାରୁ ଭିନ୍ନ । ଓଡ଼ିଆ ସାହିତ୍ୟରେ ଏଠାରେ ପ୍ରଚଳିତ ଶବ୍ଦର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି ।

ତଡ଼ପସମ୍ପାଦନ କରନ୍ତୁ

ତଡ଼ପ ହେଉଛି ଏକ ପ୍ରକାଉ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ସୂତା ଲୁଗା । ଅବକାଶ ବେଶ ସମୟରେ ଶ୍ରୀ ଜଗନ୍ନାଥ, ବଳଭଦ୍ରଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ୪ଟି ତଡ଼ପ ଲାଗିହୁଏ । ଏହା ଶ୍ରୀ ଜିଉମାନଙ୍କ ସ୍ନାନବେଶ ଲାଗି ଉଦ୍ଦିଷ୍ଟ । ଠାକୁରମାନଙ୍କ ମୁଖଠାରୁ ତଳକୁ କେବଳ ଗୋଟିଏ ଲେଖାଏଁ ତଡ଼ପ ପରିଧାନ କରାଯାଇଥାଏ । ଅନ୍ୟ ପକ୍ଷରେ ୨ଟି ଉତ୍ତରୀୟ ମହାପ୍ରଭୁ ବଳଭଦ୍ର ଓ ଜଗନ୍ନାଥଙ୍କୁ ଲାଗି ହୋଇଥାଏ । ଯାହା ଶ୍ରୀ ଜିଉଙ୍କ ଉଦର ପାଖରୁ ଗୋଟିଏ ପଟ ଶ୍ରୀଭୁଜ ଦେଇ ତଳ ପର୍ଯ୍ୟନ୍ତ ଲମ୍ବି ରହିଥାଏ ।

ମଇଲମସମ୍ପାଦନ କରନ୍ତୁ

ମହାପ୍ରଭୁମାନଙ୍କ ବେଶ ବଦଳାଇବା ପ୍ରଥାକୁ ଶ୍ରୀମନ୍ଦିରର ପାରମ୍ପରିକ ଭାଷାରେ ମଇଲମ ବୋଲି କୁହାଯାଏ । ଠାକୁରମାନଙ୍କ ପୁଷ୍ପ ଅଳଙ୍କାର, ବସ୍ତ୍ର, ମାଳଚୂଳ ପରିବର୍ତ୍ତନ କରାଗଲେ ମଧ୍ୟ ଏହାକୁ ମଇଲମ କୁହାଯାଏ । ପୁଷ୍ପାଳକ ସେବକମାନେ ଏହି କାର୍ଯ୍ୟ ସମ୍ପାଦନ କରିଥାଆନ୍ତି । ପ୍ରତି ଧୂପ, ବେଶ ଓ ମହାସ୍ନାନ ପରେ ଠାକୁରମାନଙ୍କୁ ମଇଲମ କରାଯାଇଥାଏ ।

ମଇଲମ ଭୋଗସମ୍ପାଦନ କରନ୍ତୁ

ଠାକୁରମାନେ ଅଣସରରେ ଥିବା ବେଳେ ଏହି ଭୋଗ ଲାଗିହୁଏ । ମୁଗନଡ଼ିଆକୁ କୋରାଇ ଏକତ୍ର ପ୍ରସ୍ତୁତ ମଇଲମ ଭୋଗ ହେଉଛି ଏକ ପ୍ରକାର ଚକଟା; ଯାହା କେବଳ ଅଣସର ସମୟରେ ଲାଗି ହୋଇଥାଏ ।

ଟେରାସମ୍ପାଦନ କରନ୍ତୁ

ଧୂପ ବା ଭୋଗ ହେଉଥିବା ସମୟରେ ଏକ ପରଦା ପକାଇ ଦିଆଯାଏ; ଯେପରି ଶ୍ରୀ ଜିଉମାନଙ୍କ ଅଧର ଦେଖାଯିବ ନାହିଁ । ଭୋଗ ସମୟରେ ଆଢ଼ୁଆଳ ପାଇଁ ପକାଯାଉଥିବା କନାର ପରଦା ବା ଯବନିକା ହେଉଛି, ଶ୍ରୀମନ୍ଦିର ଭାଷାରେ ଟେରା । ରଥ ଉପରେ ମଧ୍ୟ ପ୍ରସାଦ ଲାଗି ସମୟରେ ଟେରା ପଡ଼ିବାର ବିଧି ଅଛି ।

ବଇଠାସମ୍ପାଦନ କରନ୍ତୁ

ଦୀପ ରଖିବା ପାଇଁ କାଠରେ ନିର୍ମିତ ହୋଇଥିବା ଏକ ସାଜ । ଦୁଇଟି ଚଟକା ତଥା ବର୍ଗାକାର ପଟା ମଧ୍ୟରେ ଏକ କାଠ ଦଣ୍ଡ ଯୋଡି ଏହି ସାଜ ପ୍ରସ୍ତୁତ ହୋଇଥାଏ; ଯେପରି ଏହା ଉପରେ ଦୀପ ରଖା ଯାଇପାରିବ ।[୧]

ଗୁଣ୍ଡିଚା ମାର୍ଜନାସମ୍ପାଦନ କରନ୍ତୁ

ଗୌଡ଼ୀୟ ବୈଷ୍ଣବମାନେ ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମାର୍ଜନା କରିଥାନ୍ତି । ହାତରେ ଖଡ଼ିକା ନେଇ ଶ୍ରୀଗୁଣ୍ଡିଚା ପୂର୍ବଦିନ ଏହି ମତାବଲମ୍ବୀମାନେ ଗୁଣ୍ଡିଚା ଘର ସଫା କରିଥାନ୍ତି । ଶ୍ରୀ ଚୈତନ୍ୟ ଦେବ ଏହାର ପ୍ରବର୍ତ୍ତକ । ଏବେ ମଧ୍ୟ ବହୁ ସଂଖ୍ୟାରେ ଗୌଡ଼ୀୟ ବୈଷ୍ଣବଙ୍କ ସହ ବଙ୍ଗୀୟ ଭକ୍ତ ଓ ଶ୍ରଦ୍ଧାଳୁ ଗୁଣ୍ଡିଚା ମାର୍ଜନା କରୁଥିବାର ଦେଖିବାକୁ ମିଳେ ।

ଗରାବଡୁସମ୍ପାଦନ କରନ୍ତୁ

ମଙ୍ଗଳ ଆଳତି, ଅବକାଶ, ସକାଳ ଧୂପ ସମୟରେ ନୀତି ପାଇଁ ପୂଜାପଣ୍ଡାଙ୍କୁ ରୂପା ଝରିରେ ଜଳ ଯୋଗାଉଥିବା ସେବକ । ଏମାନେ ଘଷା ଜଳ ପ୍ରସ୍ତୁତ କରନ୍ତି ।

ହାତୁଆଣିସମ୍ପାଦନ କରନ୍ତୁ

ଏହାର ପ୍ରକୃତ ଅର୍ଥ ହେଉଛି ହାତ ଧୋଇବା ପାଣି । ଗରାବଡୁ ସେବାକ ମଇଲମ ଓ ଚନ୍ଦନ ଲାଗି ସମୟରେ ପୁଷ୍ପାଳକଙ୍କୁ ହାତ ଧୋଇବାକୁ ପାନି ଯୋଗାଇଥାନ୍ତି । ଏହାକୁ ହାତୁଆଣି ବୋଲି କୁହାଯାଏ ।

ରୋଷ ହୋମସମ୍ପାଦନ କରନ୍ତୁ

ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ରୋଷଘରେ ଏକ ହୋମ ଅନୁଷ୍ଠିତ ହୋଇଥାଏ । ଚୂଲାରେ ଅଗ୍ନି ସଂଯୋଗ ପାଇଁ ସମ୍ଭବତଃ ଏହି ଅନୁଷ୍ଠିତ ହେଉଥିବାରୁ ଏହାକୁ ରୋଷ ହୋମ ବୋଲି କୁହାଯାଇଥାଏ ।

ଓଲାରସମ୍ପାଦନ କରନ୍ତୁ

ଏହା ଏକ ପ୍ରକାରର ଛତ୍ର । ଜଗନ୍ନାଥ ମହାପ୍ରଭୁଙ୍କ ବିଜେ ସମୟରେ ଧଳା ରଙ୍ଗର ଓ ବଳଭଦ୍ରଙ୍କ ସାମ୍ନାରେ କଳା ରଙ୍ଗର ଛତ୍ର ଯାଉଥିବା ବେଳେ ଦେବୀ ସୁଭଦ୍ରାଙ୍କ ସମ୍ମୁଖରେ ଯୌଥିବା ଛତ୍ରୀକୁ ଓଲାର ବୋଲି କୁହାଯାଇଥାଏ । ଏହା ହଳଦିଆ ଓ ନାଲି ରଙ୍ଗର କନାରେ ପ୍ରସ୍ତୁତ ହୋଇଥାଏ ।

ବଜନ୍ତରି ବା ବୈଜୟନ୍ତୀସମ୍ପାଦନ କରନ୍ତୁ

ବିଭିନ୍ନ ପୂଜାପର୍ବାଣି ସମୟରେ ଅଥବା ଶ୍ରୀ ଜିଉମାନଙ୍କ ବାହାର ବିଜେ ବେଳେ ବାଜା ବଜୌଥିବା ଏକ ସେବକ ସମ୍ପ୍ରଦାୟ । ଏହି ସେବକ ରଥକୁ ଠାକୁରଙ୍କ ସମ୍ମୁଖରେ ଅନ୍ୟ ଏକ ଡଙ୍ଗା ବା ଚିପରେ ବସି ବାଜା ବଜାନ୍ତି । ଆଜ୍ଞାମାଳ ବିଜେ ସମୟରେ ମଧ୍ୟ ସେମାନେ ବାଜା ବଜାଇ ସର୍ବାଗ୍ରେ ଯାଇଥାନ୍ତି ।[୨]

ମଣୋହିସମ୍ପାଦନ କରନ୍ତୁ

ଠାକୁରଙ୍କୁ ପ୍ରସାଦ ସମର୍ପଣ ବିଧିକୁ ମଣୋହି ବୋଲି କୁହାଯାଏ । ରାଜାଙ୍କ ଭୋଜନ ସମର୍ପଣ କ୍ଷେତ୍ରରେ ମଧ୍ୟ ଏହି ଶବ୍ଦ ବ୍ୟବହାର କରାଯାଏ । ତେବେ ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁ ସମଗ୍ର ଉତ୍କଳର ରାଜା ବୋଲି ବିବେଚିତ ହୋଇଥିବାରୁ ତାଙ୍କ ନିକଟରେ ପ୍ରସାଦ ସମର୍ପଣ ବିଧିକୁ ମଣୋହି କୁହାଯାଇଥାଏ । ଶ୍ରୀମନ୍ଦିରରେ ମଣୋହିର ପ୍ରକାର ଭେଦ ରହିଛି ।

ଅମୃତ ମଣୋହିସମ୍ପାଦନ କରନ୍ତୁ

ଶ୍ରୀ ଜଗନ୍ନାଥଙ୍କ ପ୍ରସାଦ । ଅନ୍ୟପକ୍ଷରେ ରାଜା, ଜମିଦାର, ମଠ, ମଠାଧୀଶଙ୍କ ମାର୍ଫତ୍_ରେ ଥିବା ମହାପ୍ରଭୁଋ ଭୂସମ୍ପତ୍ତି; ଯାହା ଠାକୁରଙ୍କ ନୀତିକାନ୍ତି ତଥା ଅତିଥି, ଭକ୍ତ, ଶ୍ରଦ୍ଧାଳୁଙ୍କ ସେବାରେ ବିନିଯୋଗ ହେବା ଲାଗି ଉଦ୍ଦିଷ୍ଟ ।

ବୀର ମଣୋହିସମ୍ପାଦନ କରନ୍ତୁ

ଉତ୍କଳୀୟ ରାଜାମାନେ କୌଣସି ରାଜ୍ୟ ଜୟ କରିବା ପରେ ମହାପ୍ରଭୁଙ୍କୁ ସମର୍ପଣ କରି ଅଞ୍ଚଳବାସୀଙ୍କୁ ଖାଦ୍ୟପେୟରେ ଆପ୍ୟାୟିତ କରିଥାଆନ୍ତି । ବୀରତ୍ୱର ସହ ରାଜ୍ୟ ଜୟ କରି ମହାପ୍ରଭୁଙ୍କୁ ସମର୍ପଣ ହୋଇଥିବାରୁ, ଏହି ଉପଲକ୍ଷେ ବୀର ମଣୋହି ଶ୍ରୀଜିଉଙ୍କୁ ସମର୍ପିତ ହୁଏ ।

ସର୍ପା ମଣୋହିସମ୍ପାଦନ କରନ୍ତୁ

ସମର୍ପିତ ମଣୋହି ବା ନୈବେଦ୍ୟ ଅପଭ୍ରଂଶ ହୋଇ ସର୍ପା ମଣୋହି ହୋଇଛି । ଜଗମୋହନରେ ଗୋପାଳ ବଲ୍ଲଭଠାରୁ ପହଡ଼ ପର୍ଯ୍ୟନ୍ତ, ରଥ ଉପରେ, ଗୁଣ୍ଡିଚା ମନ୍ଦିରରେ ଠାକୁର ଥିବା ବେଳେ ନୈବେଦ୍ୟକୁ ସର୍ପା ମଣୋହି କୁହାଯାଏ ।

ଚକ୍ର ମଣୋହିସମ୍ପାଦନ କରନ୍ତୁ

ଉତ୍କଳୀୟମାନେ ନୀଳଚକ୍ରକୁ ଜଗନ୍ନାଥଙ୍କ ତୁଲ୍ୟ ସମ୍ମାନ ଦିଅନ୍ତି । ତେଣୁ ଏହାକୁ ମଧ୍ୟ ପ୍ରସାଦ ସମର୍ପଣ କରାଯାଏ, ଯାହାକୁ ଚକ୍ର ମଣୋହି କୁହାଯାଏ । ନୀଳଚକ୍ର ଦିଶୁଥିବା ସ୍ଥାନ ପର୍ଯ୍ୟନ୍ତ ମଣୋହି ବା ପ୍ରସାଦ ସମର୍ପଣ ହେବାର ବିଧି ଅଛି ।[୩]

ଘଟୁଆରିସମ୍ପାଦନ କରନ୍ତୁ

ଶ୍ରୀ ମହାପ୍ରଭୁଙ୍କ ସେବାରେ ଚନ୍ଦନ ଲାଗି ଏକ ପ୍ରମୁଖ କାର୍ଯ୍ୟ । ଚନ୍ଦନ ଘୋରି ଯୋଗାଉଥିବା ସେବାୟତଙ୍କୁ ଘଟୁଆରି କୁହାଯାଏ । ଶ୍ରୀମନ୍ଦିର ବେହେରଣ ସମ୍ମୁଖରେ ତଥା ମୁକ୍ତି ମଣ୍ଡପ ପଛପଟେ ରହିଥିବା ଚନ୍ଦନ ଘରେ ସେମାନେ ଚନ୍ଦନ ଘୋରି ସେବାକୁ ଯୋଗାନ୍ତି ।ଏହି ସେବକ ପ୍ରତି ଏକାଦଶୀ ତିଥିରେ ଶ୍ରୀମନ୍ଦିର ଚୂଡ଼ାକୁ ଉଠୁଥିବା ମହାଦୀପ ପ୍ରସ୍ତୁତ କରିଦେଇଥାଆନ୍ତି ।

କରପଲ୍ଲବସମ୍ପାଦନ କରନ୍ତୁ

ଏହା ଦିନକର ଶେଷ ନୀତି ବଡସିଂହାର ବେଶରେ ଲାଗି ହେଉଥିବା ଏକ ପୁଷ୍ପ ଅଳଙ୍କାର । ଏହି ପୁଷ୍ପାଳଙ୍କାରରେ ଠାକୁରମାନଙ୍କ ପାଞ୍ଚୋଟି ଆଙ୍ଗୁଠି ପରିକଳ୍ପନା କରାଯାଇଥାଏ । ଜଗନ୍ନାଥ ଓ ବଳଭଦ୍ର ଦୁଇ ମୂର୍ତ୍ତିଙ୍କୁ ୨ଟି ଲେଖାଏଁ କରି ୪ଟି କରପଲ୍ଲବ ଲାଗି କରାଯାଇଥାଏ ।

ହୃଦପଦକସମ୍ପାଦନ କରନ୍ତୁ

ବଡ଼ସିଂହାର ବେଶରେ ଠାକୁରମାନଙ୍କ ହୃଦରେ ଲାଗୁଥିବା ଏକ ଗୋଲାକୃତି ପୁଷ୍ପ ଅଳଙ୍କାର । ଏହାର ପ୍ରସ୍ତୁତି ପାଇଁ ପଣସ ପତ୍ର, ଖଡ଼ିକା, ସୁଗନ୍ଧିତ ଫୁଲ ଓ କଦଳୀ ପାଟୁକା ବ୍ୟବହାର କରାଯାଇଥାଏ ।

ସେନାପଟା, ବାହୁଟକଣ୍ଟସମ୍ପାଦନ କରନ୍ତୁ

ଦେବସ୍ନାନ ପୂର୍ଣ୍ଣିମାରଥଯାତ୍ରା ସମୟରେ ଠାକୁରମାନଙ୍କ ପହଣ୍ଡି ବିଜେ ପାଇଁ ଏହି କାଠ ନିର୍ମିତ ସ୍ୱତନ୍ତ୍ର ସାଜ ଶ୍ରୀଅଙ୍ଗରେ ଲାଗି ହୋଇଥାଏ । ସେନାପଟା ବିଗ୍ରହମାନଙ୍କ ପଛପଟେ ଲାଗି ହେଉଥିବା ବେଳେ ବାହୁତକଣ୍ଟ ଶ୍ରୀହସ୍ତରେ ଲାଗି ହୋଇଥାଏ । ଏହା ବଉଳ କାଠରେ ପ୍ରସ୍ତୁତ ହୋଇଥାଏ । ସେହ୍ନା ଶବ୍ଦରୁ ସେନାପଟା ଶବ୍ଦ ଆସିଅଛି । ସେହ୍ନା ଶବ୍ଦର ଅର୍ଥ ଯୁଦ୍ଧକୁ ଯାଉଥିବା ବୀର ଦେହର ଢାଲ । ସେନାପଟା ଠାକୁରମାନଙ୍କ ପହଣ୍ଡି ସମୟର ଢାଲ ବୋଲି ବିବେଚନା କରାଯାଏ ।

ଚାରମାଳସମ୍ପାଦନ କରନ୍ତୁ

ଶ୍ରୀ ବିଗ୍ରହମାନେ ରତ୍ନସିଂହାସନକୁ ଚଢ଼ିବା, ଓହ୍ଲାଇବା ସହ ରଥକୁ ବିଜେ ପାଇଁ ଲାଗୁଥିବା ଶିଡ଼ିକୁ ଚାରମାଳ କୁହାଯାଏ । ତାଳ ଗଣ୍ଡିଗୁଡ଼ିକୁ ମଝିରୁ ଫାଳ କରି ଏକତ୍ର ବାନ୍ଧି ଏହି ଶିଡ଼ି ପ୍ରସ୍ତୁତ ହୋଇଥାଏ ।[୪]

ସାହାଣମେଲାସମ୍ପାଦନ କରନ୍ତୁ

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ବହୁ ବ୍ୟବସ୍ଥା ମଧ୍ୟରୁ ଏହା ଅନ୍ୟତମ । ପୋଖରିଆ ବା ଗର୍ଭଗୃହ ମଧ୍ୟକୁ ସବୁ ସମୟରେ ଶ୍ରଦ୍ଧାଳୁଙ୍କୁ ଛାଡ଼ିବା ସମ୍ଭବ ନୁହେଁ । ତେଣୁ ଏକ ନିର୍ଦ୍ଦିଷ୍ଟ ସମୟରେ ସମସ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯିବାର ବିଧିକୁ ସାହାଣମେଲା କୁହାଯାଏ । ଏହି ସମୟରେ ଭିତର କାଠ ପାର୍ଶ୍ୱ ଦେଇ ଶ୍ରଦ୍ଧାଳୁମାନେ ଦଳ ଦଳ କରି ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି ଓ ରତ୍ନସିଂହାସନ ପରିକ୍ରମା କରିଥାନ୍ତି । ବର୍ଷ ତମାମ ପୂର୍ବାହ୍ନରେ ସାହାଣମେଲା ଅନୁଷ୍ଠିତ ହେଥିବା ବେଳେ କାର୍ତ୍ତିକ ମାସରେ ଏହା ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥାଏ ।

ପରିମାଣିକସମ୍ପାଦନ କରନ୍ତୁ

ଠାକୁର ଦର୍ଶନ ନିମନ୍ତେ ଯାତ୍ରୀମାନେ ପ୍ରଣାମି ପଇଠ କରି ଯିବା ବ୍ୟବସ୍ଥାକୁ ପରିମାଣିକ କୁହାଯାଏ । ସାହାଣମେଲା ଦର୍ଶନ ଭଳି ଏହା ଏକ ଦର୍ଶନ ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ଏବେ ଶ୍ରୀମନ୍ଦିର ପ୍ରଶାସନକୁ ଅର୍ଥ ପଇଠ ହେଉଛି । ଦୂରଦୂରାନ୍ତରୁ ଅସୁଥିବା ଯାତ୍ରୀଙ୍କ ସୁବିଧା ପାଇଁ ସମ୍ଭବତଃ ଏହି ବ୍ୟବସ୍ଥା ହୋଇଛି ।

ଦକ୍ଷିଣ ଘରସମ୍ପାଦନ କରନ୍ତୁ

ଶ୍ରୀମନ୍ଦିର ବେହେରଣ ପାର୍ଶ୍ୱରେ ଥିବା ମନ୍ଦିରକୁ ଦକ୍ଷିଣ ଘର କୁହାଯାଏ । ଏହି ମନ୍ଦିରରେ ମହାପ୍ରଭୁମାନଙ୍କ ଚଳନ୍ତି ପ୍ରତିମାମାନେ ବିଜେ କରିଥାଆନ୍ତି । ବିଭିନ୍ନ ଯାନିଯାତ୍ରା ବେଳେ ମହାପ୍ରଭୁଙ୍କୁ ଏହି ବିଗ୍ରହମାନେ ପ୍ରତିନିଧିତ୍ୱ କରିଥାଅନ୍ତି । ଏହି ମନ୍ଦିରର ଉପାସ୍ୟ ଠାକୁର ହେଉଛନ୍ତି ମଦନମୋହନ । ତାଙ୍କ ବ୍ୟତୀତ ଦୋଳଗୋବିନ୍ଦ, ଅମାବାସ୍ୟା ନାରାୟଣ, ରାମ, ଲକ୍ଷ୍ମଣ, ସୀତା, ହନୁମାନ, ବାଡି ନୃସିଂହ ଆଦି ଠାକୁର ଏଠାରେ ପୂଜିତ ହୁଅନ୍ତି ।

ନିଉଛାଳିସମ୍ପାଦନ କରନ୍ତୁ

ଦଣ୍ଡ ପ୍ରଣାମ ବିଧିକୁ ଶ୍ରୀମନ୍ଦିର ପରିଭାଷାରେ ନିଉଛାଳି କୁହାଯାଏ । ରଥଯାତ୍ରା ପୂର୍ବଦିନ ନେତ୍ରୋତ୍ସୋବ ନୀତି ବଢ଼ିବା ପରେ ୩ ବାଡ଼ରେ ପଣ୍ଡା, ପତି, ମୁଦିରସ୍ତ ବନ୍ଦାପନା କରନ୍ତି । ଏହା ସରିବା ପରେ ମୁଦିରସ୍ତ ୩ ବାଡ଼ରେ ୩ଟି ବସ୍ତ୍ର ଦେଇ ଦଣ୍ଡ ପ୍ରଣାମ କରିଥାନ୍ତି । ଏହାକୁ ନିଉଛାଳି କୁହାଯାଏ ।

ବିଣ୍ଡୁଆସମ୍ପାଦନ କରନ୍ତୁ

ଏହା ଏକ ସେବକ ସମ୍ପ୍ରଦାୟର ନାମ । ରୋଷଶାଳାରେ ମହାପ୍ରଭୁଙ୍କ ପ୍ରସାଦ ରନ୍ଧନ ସମୟରେ ଏମାନେ ସେବା ସମର୍ପଣ କରନ୍ତି । ଭିନ୍ନ ଭିନ୍ନ ସମୟରେ ପିଠା ତିଆରି ଲାଗି ବିଣ୍ଡ ବା ବିଣ୍ଡା (ମସଲା) ପ୍ରସ୍ତୁତ କରି ଅଟା, ବିରି, ଚାଉଳ ଚୂନା ଆବଶ୍ୟକ ପରିମାଣରେ ମିଶ୍ରଣ କରିଥାନ୍ତି; ଯାହାକୁ ସୁଆର ସେବକଙ୍କୁ ଦିଆଯିବା ପରେ ପିଠା ପ୍ରସ୍ତୁତ ହୋଇ ମଣୋହି ହୁଏ ।

କରାଳ ଚନ୍ଦନସମ୍ପାଦନ କରନ୍ତୁ

ଝୁଣା, ରାଶି ତେଲରେ ପାଣି ଦେଇ ପ୍ରସ୍ତୁତ ଏକ ଅଠାକୁ କରାଳ କୁହାଯାଏ । ଏହା ସହିତ ଚନ୍ଦନ, କସ୍ତୁରୀ, ଚୁଆ, କର୍ପୁର ଆଦି ମିଶ୍ରଣ କରିଯାଇ ମହାପ୍ରଭୁମାନଙ୍କ ଶ୍ରୀଅଙ୍ଗରେ ପ୍ରଲେପ ଦିଆଯାଏ । ଏହି ପ୍ରଲେପ ଶ୍ରୀଅଙ୍ଗରୁ ଖସିପଡ଼ିବା ପରେ ଏହାର କ୍ଷୁଦ୍ର କଣିକା ପାଇ ଭକ୍ତ ଆପ୍ୟାୟିତ ହୁଅନ୍ତି । ଏହି କରାଳ ଚନ୍ଦନ ଭକ୍ତମାନଙ୍କ ଦୃଷ୍ଟିରେ ମହାପ୍ରସାଦ ତୁଲ୍ୟ ।[୫]

ଶୟନ ଠାକୁରସମ୍ପାଦନ କରନ୍ତୁ

ଶ୍ରୀ ବିଷ୍ଣୁମହାଲକ୍ଷ୍ମୀଙ୍କ ଅର୍ଦ୍ଧନାରୀଶ୍ୱର ସ୍ୱରୁପ ବା ଏକ ବିଗ୍ରହ ହେଉଛନ୍ତି ଏହି ଶୟନ ଠାକୁର । ଦିନର ସର୍ବଶେଷ ନୀତି ବଡ଼ସିଂହାର ଦେଶ, ଧୂପ ପରେ ଏହି ମୁର୍ତ୍ତି ଜୟ ବିଜୟ ଦ୍ୱାର ନିକଟରେ ଏକ ସୁସଜ୍ଜିତ ଡମ୍ବରୁ ଉପରେ ବିଜେ କରନ୍ତି । ପ୍ରତିଦିନ ରାତିରେ ଏହି ବିଗ୍ରହଙ୍କୁ ନେଇ ଶୟନ ନୀତି ଅନୁଷ୍ଠିତ ହୁଏ ଓ ପ୍ରଭୁଙ୍କ ରତ୍ନ ପଲଙ୍କ ଭିତରକୁ ବିଜେ କରିବା ପରେ ଠାକୁରମାନେ ପହୁଡ଼ିଥାଆନ୍ତି । ଏହି ପ୍ରତିମା ସାମ୍ବତ୍ସରିକ ଶୟନ ନୀତି ବା ହରିଶୟନ, ପାର୍ଶ୍ୱପରିବର୍ତ୍ତନ, ଓ ହରି ଉତ୍‌ଥାପନ ଏକାଦଶୀ ପଡ଼ୁଥିବାରୁ ରଥ ଉପରେ ଏହି ଶାମ୍ବତ୍ସରିକ ଶୟନ ନୀତି ସମ୍ପନ୍ନ ହୁଏ ।

ଓଷୁଅ ବା ଓସ୍ୱୀସମ୍ପାଦନ କରନ୍ତୁ

ଠାକୁରମାନେ ଶ୍ରୀମୁଖରେ ରାହୁରେଖା ଓ ଚିତା ଲାଗି ହୋଇଥାନ୍ତି । ଏହାକୁ ଶ୍ରୀଅଙ୍ଗରେ ଲାଗିକରିବା ଲାଗି ଝୁଣା, ରାଶି ତେଲ, ପାଣି, ଚନ୍ଦନ ଆଦି ମିଶାଯାଇ ପ୍ରସ୍ତୁତ ଏକ ଅଠାକୁ ଓଷୁଅ ବୋଲି କୁହାଯାଏ । ଯାହାକୁ ସୁଦ୍ଧ ସୁଆରମାନେ ପ୍ରସ୍ତୁତ କରିଥାଆନ୍ତି । ଏହି ଅଠାରେ ଉପରୋକ୍ତ ଦୁଇ ଅଳଙ୍କାର ଲାଗି ହୁଏ । ଦେବସ୍ନାନ ପୂର୍ଣ୍ଣିମାରେ ଠାକୁରମାନେ ସ୍ନାନ କରି ଅଣସରକୁ ଯିବା ପରେ ଏହା କାଢି ନିଆଯାଏ । ପରବର୍ତ୍ତୀ ସମୟରେ ଚିତାଲାଗି ଅମାବାସ୍ୟା ଓ ରେଖା ପଞ୍ଚମୀରେ ଓଷୁଅ ପ୍ରସ୍ତୁତ ହୋଇ ପୁନର୍ବାର ଦାରୁଦିଅଁ ଏହି ଅଳଙ୍କାର ଲାଗି ହୋଇଥାନ୍ତି, ଯାହା ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ବର୍ଷ ତମାମ୍ ଶ୍ରୀଅଙ୍ଗରେ ଲାଗି ରହିଥାଏ ।

ଯାତ୍ରାଙ୍ଗା ମହାସ୍ନାନସମ୍ପାଦନ କରନ୍ତୁ

ଯାତ୍ରା ସମୟରେ କରାଯାଉଥିବା ଅଙ୍ଗସ୍ନାନ । ଠାକୁରମାନେ ଯାତ୍ରା ସମଯରେ ବାହାରକୁ ବିଜେ କରନ୍ତି । ଭକ୍ତ ଓ ଶ୍ରଦ୍ଧାଳୁମାନେ ତାଙ୍କୁ ସ୍ପର୍ଶ କରିଥାଇ ପାରନ୍ତି । ଏଣୁ ଅଶୌଚ ସ୍ପର୍ଶ ନିବାରଣ ପାଇଁ କରାଯାଉଥିବା ସ୍ନାନ ବିଧିକୁ ଯାତ୍ରାଙ୍ଗା ମହାସ୍ନାନ ବୋଲି କୁହାଯାଏ ।

ରାଜନୀତିସମ୍ପାଦନ କରନ୍ତୁ

ରାଜା ବା ଗଜପତି ମହାପ୍ରଭୁଙ୍କ ପାଖରେ ସେବା ସମର୍ପଣ କରିବା ବିଧିକୁ ରାଜନୀତି କୁହାଯାଏ । ରାଜାଙ୍କ ଅନୁପସ୍ଥିତିରେ ମୁଦିରଥ ଏହି ସେବା କରନ୍ତି । ସୁନା ଆରତି ଦାନିରେ ମହାପ୍ରଭୁଙ୍କୁ ଆଳତି କରାଯାଏ । ସୁବର୍ଣ୍ଣ ବେଣ୍ଟ ଥିବା ଚାମର ଓ ଆଲଟ ଲାଗି ହୁଏ । ଉପରୋକ୍ତ ସେବା ସମର୍ପଣ ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥାଏ ।

ଫୁଲୁରିସମ୍ପାଦନ କରନ୍ତୁ

ଏହା ଏକପ୍ରକାର ସୁବାସିତ ତୈଳ । ବଡ଼ଓଡ଼ିଆ ମଠ ପକ୍ଷରୁ ଏହି ତେଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା ପାଇଁ ଅଣସର ପଞ୍ଚମୀରେ ଆସିଥାଏ । ରାଶି ତେଲ, ଚୁଆ, ଚନ୍ଦନ, କର୍ପୂର ଓ କେତେ ନିର୍ଦ୍ଦିଷ୍ଟ ସୁବାସିତ ଫୁଲ ମିଶ୍ରଣ କରି ଦୀର୍ଘଦିନ ପର୍ଯ୍ୟନ୍ତ ମାଟିରେ ପୋତି ରଖାଯାଇଥାଏ । ସ୍ନାନ ପୂର୍ଣ୍ଣିମାରେ ଠାକୁରମାନେ ଅଣସରକୁ ଯିବା ପରେ ଏହା ଶ୍ରୀଅଙ୍ଗ ଲାଗି ହୁଏ ।[୬]

ଚାହାଣି ମଣ୍ଡପସମ୍ପାଦନ କରନ୍ତୁ

ଶ୍ରୀମନ୍ଦିରରେ ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ମେଘନାଦ ପାଚେରି ଉପରୁ ଦିଶୁଥିବା କ୍ଷୁଦ୍ର ମନ୍ଦିର ।ଏହି ମଣ୍ଡପ ଉପରେ ରଥଯାତ୍ରା ଅନ୍ତିମ ପର୍ବରେ ଲକ୍ଷ୍ମୀ ନାରାୟଣ ଭେଟ ଅନୁଷ୍ଠିତ ହୁଏ । ଚାହାଣି ଅର୍ଥାତ୍ ଦୃଷ୍ଟି ପକାଇବା । ମା' ମହାଲକ୍ଷ୍ମୀ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସମୟରେ ଏହି ମଣ୍ଡପରେ ବସି ଚାହିଁଥାଆନ୍ତି । ବନ୍ଦାପନା ହୋଇଥାଏ । ମହାପ୍ରଭୁଙ୍କ ମାନବୀୟ ଲୀଳାରେ ଦାମ୍ପତ୍ୟ ଭାବର ଏହା ଅନନ୍ୟ ନିଦର୍ଶନ ।

ମାଣ୍ଡୁଅସମ୍ପାଦନ କରନ୍ତୁ

ଏହା ଛେନା ତିଆରି ଏକ ପ୍ରସାଦ । ଛେନାରେ ଅଟା, ଚିନି, ଗୁଜୁରାତି, ଅଳେଇଚ ଆଦି ସୁଗନ୍ଧି ଦ୍ରବ୍ୟ ମିଶାଇ ଘିଅରେ ଛାଣି ପ୍ରସ୍ତୁତ ହୋଇଥିବା ପିଠା, ଯାହା ମହାପ୍ରଭୁଙ୍କ ଅତି ପ୍ରିୟ । ଚନ୍ଦନଯାତ୍ରା ସମୟରେ ଚାପ ଖେଳିସାରିବା ପରେ ନରେନ୍ଦ୍ର ପୁଷ୍କରିଣୀର ଜଗତି ଉପରେ ଏହା ପ୍ରସ୍ତୁତ ହୋଇ ଠାକୁରଙ୍କୁ ଲାଗି ହୋଇଥାଏ । ଶ୍ରୀମନ୍ଦିରରେ ଛପନ ଭୋଗ ମଧ୍ୟରେ ଏହା ଅନ୍ୟତମ ।

ବଡ଼ମହାସ୍ନାନ, ମହାସ୍ନାନ ବା ମାଘସ୍ନାନସମ୍ପାଦନ କରନ୍ତୁ

ଦାରୁଦିଅଁ ଶ୍ରୀମନ୍ଦିରରେ ବସିଥିବା ବେଳେ ସେବକ ଭିନ୍ନ କୌଣସି ଯାତ୍ରୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସ୍ପର୍ଶ କଲେ କରାଯାଉଥିବା ସ୍ନାନବିଧି । ଏହି ସ୍ନାନକୁ ଅପଭ୍ରଂଶ କରି ସ୍ଥାନୀୟ ଲୋକେ ମାଘ ସ୍ନାନ ବୋଲି କୁହନ୍ତି । ଏହି ନୀତି ବେଲେ ଶ୍ରୀମନ୍ଦିର ଧୂଆ ଯାଏ ନାହିଁ । କେବଳ ମନ୍ତ୍ରପାଠ ପୂର୍ବକ ପଞ୍ଚାମୃତରେ ମହାସ୍ନାନ କରାଯାଏ । କୌଣସି କାରଣରୁ ମନ୍ଦିରରେ ଛେପ, ରକ୍ତ,ମୃତଦେହ ବା ମଳମୁତ୍ର ପତିତ ହେଲେ ଶ୍ରୀମନ୍ଦିର ଧୂଆଯାଇ ଠାକୁରଙ୍କୁ ମହାସ୍ନାନ କରାଗଲେ ତାହାକୁ ବଡ ମହାସ୍ନାନ କୁହାଯାଏ ।

ଶଙ୍ଖଭୂଇଁସମ୍ପାଦନ କରନ୍ତୁ

ମହାପ୍ରଭୁଙ୍କ ପବିତ୍ର ନେତ୍ର ଯୁଗଳର ଧଳା ରଙ୍ଗର ଅଂଶକୁ ଶଙ୍ଖଭୂଇଁ କୁହାଯାଏ । ଶୁଦ୍ଧ ଶଙ୍ଖ ଚୂର୍ଣ୍ଣରେ ଏହି ଅଂଶକୁ ରଙ୍ଗାୟିତ କରାଯାଇଥାଏ ।

ହେରାସମ୍ପାଦନ କରନ୍ତୁ

ଦେଖା ହେବା ବା ଦର୍ଶନ କରିବା ବିଧିକୁ ଶ୍ରୀମନ୍ଦିର ଭାଷାରେ ହେରା କୁହାଯାଏ । ଗୁଣ୍ଡିଚା ଯାତ୍ରା ସମୟରେ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଗୁଣ୍ଡିଚା ମନ୍ଦିରକୁ ବିଜେ କରୁଥିବାରୁ ଏହି ଦିବସକୁ ହେରାପଞ୍ଚମୀ ବୋଲି ନାମିତ କରାଯାଇଛି । ମହାଲକ୍ଷ୍ମୀ ଏହି ଦର୍ଶନ ଲାଗି ଯାଇ ଯେଉଁ ପଥରେ ଫେରନ୍ତି, ତାହାର ନାମ ହେରା ଗୋହିରୀ ସାହି ।[୭]

ଆଧାରସମ୍ପାଦନ କରନ୍ତୁ

  1. ଧରିତ୍ରୀ (in Odia). 4 July 2016. p. 14. Missing or empty |title= (help); |access-date= requires |url= (help)CS1 maint: unrecognized language (link)
  2. ଧରିତ୍ରୀ (in Odia). 9 July 2016. p. 11. Missing or empty |title= (help); |access-date= requires |url= (help)CS1 maint: unrecognized language (link)
  3. ଧରିତ୍ରୀ (in Odia). 10 July 2016. p. 10. Missing or empty |title= (help); |access-date= requires |url= (help)CS1 maint: unrecognized language (link)
  4. ଧରିତ୍ରୀ (in Odia). 11 July 2016. p. 14. Missing or empty |title= (help); |access-date= requires |url= (help)CS1 maint: unrecognized language (link)
  5. ଧରିତ୍ରୀ (in Odia). 12 July 2016. p. 9. Missing or empty |title= (help); |access-date= requires |url= (help)CS1 maint: unrecognized language (link)
  6. ଧରିତ୍ରୀ (in Odia). 14 July 2016. p. 10. Missing or empty |title= (help); |access-date= requires |url= (help)CS1 maint: unrecognized language (link)
  7. ଧରିତ୍ରୀ (in Odia). 17 July 2016. p. 10. Missing or empty |title= (help); |access-date= requires |url= (help)CS1 maint: unrecognized language (link)