କସ୍ତୁରୀ
ଏକ ନିର୍ଦ୍ଧିଷ୍ଟ ପ୍ରଜାତିର ପୁରୁଷ ମୃଗର ନାଭି ଓ ଗୁହ୍ୟାଙ୍ଗର ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଏକ ଗୋଟାଳିଆ କୋଷରୁ କସ୍ତୁରୀ ମିଳେ । ଅତର ଓ ଔଷଧ ପାଇଁ କସ୍ତୁରୀ ବ୍ୟବହାର ହୁଏ । କସ୍ତୁରୀ କ୍ଷୁଦ୍ର କ୍ଷୁଦ୍ର ଦାନା ବିଶିଷ୍ଟ ଓ ତିବ୍ର ସୁଗନ୍ଧୟୁକ୍ତ ଏହା କଟୁତିକ୍ତ, କ୍ଷାରୟୁକ୍ତ, ଉଷ୍ଣବୀର୍ଯ୍ୟ, ଶୁକ୍ର-ବର୍ଦ୍ଧକ ଓ ଗୁରୁ, କାମୋଦ୍ଦୀପକ, ଆକ୍ଷେପ-ନାଶକ, ସ୍ୱେଦଜନ୍ମକ, ବଳକାରକ ଓ କିଞ୍ଚିତ୍ ମାଦକ ଏହା କଫ, ବାୟୁ, ବିଷଦୋଷ, ବମି, ଶୀତ, ଦୁର୍ଗନ୍ଧ ଓ ଶୋଷନାଶକ ୟେଉଁ କସ୍ତୁରୀ ନିଜ ଗନ୍ଧରେ କେତକୀ ଫୁଲର ଗନ୍ଧକୁ ନଷ୍ଟ କରେ, ଅଗ୍ନିରେ ପଡ଼ିଲେ ୟହିଁରୁ ଚମଡ଼ାପୋଡ଼ାର ଗନ୍ଧ ବାହାରେ ତାହା ଉତ୍କୃଷ୍ଟ କସ୍ତୁରୀ ।
ସ୍ଥାନଭେଦରେ କସ୍ତୁରୀ ୩ ପ୍ରକାର: କାମରୂପୀ, ନୈପାଳୀ ଓ କାଶ୍ମୀରୀ । କାମରୂପ କୃଷ୍ଣବର୍ଣ୍ଣ, ନୈପାଳୀ ନୀଳ ଓ କାଶ୍ମୀରୀ କପିଳ କାମରୂପୀ ଶ୍ରେଷ୍ଠ, ନୈପାଳୀ ମଧ୍ୟମ ଓ କାଶ୍ମୀରୀ ନିକୃଷ୍ଟ । ଆକାର ଅନୁସାରେ କସ୍ତୁରୀ ୫ପ୍ରକାର: ଧୂଳିପରି ସୁକ୍ଷ୍ମଦାନା ଥିବା କସ୍ତୁରିକୁ ଖରିକା, ରାଶିପରି ଦାନାଯୁକ୍ତ କସ୍ତୁରୀକୁ ତିଳିକା, କୋଳଥ ଆକାର କସ୍ତୁରିକୁ କୁଳତ୍ଥିକା, ଖଣ୍ଡଖଣ୍ଡ କସ୍ତୁରିକୁ ପିଣ୍ଡିକା ଓ ବଡ଼ବଡ଼ ଖଣ୍ଡ କସ୍ତୁରିକୁ ନାୟିକା କସ୍ତୁରି ବୋଲି କୁହାଯାଏ । ପିଣ୍ଡିକା ଓ ନାୟିକା ଅଧିକ ଦାମୀ ଓ ପ୍ରଭାବଶାଳୀ । କସ୍ତୁରୀ ନିଜର ସୁଗନ୍ଧିରେ କେତକୀ ଫୁଲର ଫୁଲର ସୁଗନ୍ଧି ବି ନାଶ କରିପାରେ ।
ଶ୍ରୀମନ୍ଦିରରେ କସ୍ତୁରୀ
ସମ୍ପାଦନାଏହା ଜଗନ୍ନାଥଙ୍କ ବନକଲାଗିରେ ବ୍ୟବହୃତ ହୁଏ । ଏହା ରଙ୍ଗରେ ମିଶିଥିଲେ ଏହା ରଙ୍ଗର ଔଜ୍ଜଳତା ବଢ଼ାଇଥାଏ । ଏହାଛଡ଼ା ଅଣସର ସମୟରେ ଗୁପ୍ତନୀତି ଯଥା ଖଡିଲାଗି, ଖଳିଲାଗି ଓ ଚନ୍ଦନସର୍ବାଙ୍ଗ ପାଇଁ କସ୍ତୁରୀ ନିହାତି ଆବଶ୍ୟକ । ଗୋଟିଏ ଥର ଶ୍ରୀଜୀଉମାନଙ୍କର ମୁଖସିଙ୍ଗାର ପାଇଁ ଅନ୍ୟୁନ ୫ଗ୍ରାମ କସ୍ତୁରୀ ଆବଶ୍ୟକ । ବର୍ଷକୁ ମନ୍ଦିରରେ ଅନ୍ୟୁନ ଶହେଗ୍ରାମ କସ୍ତୁରୀ ବ୍ୟବହାର କରାଯାଇଥାଏ ।
ଶ୍ରୀମୁଖ ପାଇଁ ବ୍ୟବହୃତ ରଙ୍ଗରେ ଏହା କିଞ୍ଚିତ ପରିମାଣରେ ଥିଲେ ମଧ୍ୟ କୀଟ ଓ ପୋକ ଦାଉରୁ ଶ୍ରୀମୁଖକୁ ରକ୍ଷା କରେ । ଜଗନ୍ନାଥଙ୍କ ଅନ୍ୟ ଅବତାର ଶ୍ରୀକୃଷ୍ଣଙ୍କର ଲଲାଟରେ କସ୍ତୁରୀ ତିଳକ ଶୋଭା ପାଇବାର ବର୍ଣ୍ଣନା ରହିଛି । ଅତର ଓ ଔଷଧ ପାଇଁ କସ୍ତୁରୀ ବ୍ୟବହାର ହୁଏ । ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ସଂଶୋଧିତ ଆଇନ ୧୯୯୧ରେ ଏହି କାରବାରକୁ ନିଷେଧ କରାଯାଇଛି । ତେଣୁ ଶ୍ରୀଜୀଉଙ୍କ ବନକ ଲାଗି ପାଇଁ କସ୍ତୁରୀ ମିଳିବା ସହଜ ହେଉନାହିଁ । [୧] ନେପାଳରେ ରାଜତନ୍ତ୍ର ବିଲୋପ ଏବଂ ଗଣତନ୍ତ୍ର ପ୍ରତିଷ୍ଠା ପରଠାରୁ କସ୍ତୁରୀ ଯୋଗାଣ ବନ୍ଦ ରହିଛି । ନେପାଳ ସରକାର ଶେଷ ଥର ପାଇଁ ୨୦୦୨ରେ ୩ ତୋଳା (୩୩ଗ୍ରାମ) କସ୍ତୁରୀ ଶ୍ରୀମନ୍ଦିରକୁ ପ୍ରଦାନ କରିଥିଲେ । ଏହା ପରଠାରୁ ନେପାଳରୁ କସ୍ତୁରୀ ଆସିନାହିଁ । ୨୦୧୪ ମସିହା ଶେଷ ଆଡ଼କୁ ନେପାଳ ସରକାର ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ମଧ୍ୟରେ ଚିଠିର ଆଦାନପ୍ରଦାନ ହୋଇଥିଲା । ନେପାଳରେ ଜବତ କସ୍ତୁରୀ ଠାକୁରଙ୍କ ଲାଗି ଦେବାପାଇଁ ଅନୁରୋଧ କରାଯାଇଥିଲା ମାତ୍ର କିଛି ସୁଫଳ ମିଳିନଥିଲା ।
୨୦୧୫ ମସିହା ନବକଳେବର ପୂର୍ବରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ହସ୍ତକ୍ଷେପ ପରେ ତାଙ୍କର ଜଣେ ଭକ୍ତ ୩୫ ଗ୍ରାମ କସ୍ତୁରୀ ଦାନସୂତ୍ରରେ ଶ୍ରୀମନ୍ଦିରକୁ ପ୍ରଦାନ କରିଥିଲେ ।[୨]
ଆଧାର
ସମ୍ପାଦନା- ↑ ପ୍ରମେୟ, ପୃଷ୍ଠା-୩, ସୋମବାର, ୨୭ ମେ ୨୦୧୩
- ↑ ମହାପାତ୍ର, ମାଧବ. "Consulate gen of nepal and I am thirth guru of nepal both discuss about kasturi at temple office". Retrieved 26 August 2015.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |