ଶ୍ରୀଜଗନ୍ନାଥ ହେଉଛନ୍ତି ବ୍ରହ୍ମାଣ୍ଡର ଦେବତା । ତାଙ୍କର ରୋଷଶାଳାକୁ ବିଶ୍ୱର ସବୁଠୁ ବଡ଼ ରୋଷଶାଳା ଭାଗରେ ଗ୍ରହଣ କରାଯାଏ ।[୧] ଶ୍ରୀମନ୍ଦିରର ବାହାରପାର୍ଶ୍ୱର ଦକ୍ଷିଣ-ପୂର୍ବଦିଗରେ ମହାପ୍ରଭୁଙ୍କର ଏହି ପବିତ୍ର ରୋଷଶାଳ ଅବସ୍ଥିତ । ପ୍ରବାଦ ଅନୁସାରେ ମାଆ ମହାଲକ୍ଷ୍ମୀ ଏହି ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ ରୋଷେଇ କରନ୍ତି । ଏହି ମନ୍ଦିରରେ ପ୍ରସ୍ତୁତ ପ୍ରସାଦରେ ଏମିତି ଶୁଦ୍ଧ ଏବଂ ଅଲୌକିକ ଶକ୍ତି ଥାଏ ଯେ, ପ୍ରସ୍ତୁତ କରୁଥିବା ଲୋକ ଏବଂ ପ୍ରସାଦ ସେବନ କରୁଥିବା ଲୋକ ଏହାକୁ ଜାଣିପାରିବ ।[୨] ଏହି ରୋଷଶାଳାର ଏକ‌କ ଗୁଣ ହେଉଛି ଯେ, ପାଟି ପାତ୍ରଗୁଡ଼ିକ ଚୁଲୀ ଉପରେ ଗୋଟିକ ପରେ ଗୋଟିଏ କରି ୭ଟି ଲେଖାଏଁ ବସାଯାଏ । ଏବଂ ସବୁଠାରୁ ଉପରେ ଥିବା ପାତ୍ରଟିର ପ୍ରସାଦ ପ୍ରଥମେ ହିଁ ପ୍ରସ୍ତୁତ ହୋଇଥାଏ ।[୩]

ଅବସ୍ଥିତି ଏବଂ ଆକାର ସମ୍ପାଦନା

ପୁରୁଣା ରୋଷଶାଳ ସତ୍ୟନାରୟଣ ମନ୍ଦିର ପଛ ଦକ୍ଷିଣ କୋଣରେ ଥିଲା । ଜାଗାର ଅଭାବ ଯୋଗୁଁ ବର୍ତ୍ତମାନର ରୋଷେଶାଳାଟି ଦିବ୍ୟସିଂହଦେବ(୧୬୮୨-୧୭୧୩)ଙ୍କ ରାଜତ୍ୱ କାଳରେ ନିର୍ମାଣ କରାଯାଇଥିଲା । ରୋଷଶାଳାର ଗଳିଟି ନାଟମନ୍ଦିରକୁ ଲାଗି ୧୭୨୦ରୁ ୧୭୨୫ ମଧ୍ୟରେ ନିର୍ମାଣ ହୋଇଥିଲା । ସତ୍ୟନାରାୟଣ ମନ୍ଦିରକୁ ଲାଗି ଏକ ସ‌ହୟକ ରୋଷେଇଶାଳା ଏବ ମଧ୍ୟ ଅଛି । ସେଠାରେ ଲକ୍ଷ୍ମୀ ଏବଂ ସୂର୍ଯ୍ୟଙ୍କର ବିଶେଷ ରୋଷେଇଶାଳା ଅଛି ।

ଏହି ରୋଷଶାଳାର ଲମ୍ବ ୧୫୦ଫୁଟ, ପ୍ରସ୍ଥ ୧୦୦ଫୁଟ ଏବଂ ଉଚ୍ଚତା ୨୦ଫୁଟ । ରୋଷଶାଳାରେ ୩୨ଟି ବଖରା ରହିଛି ଯେଉଁଥିରେ ୨୫୦ଟି ମାଟି ଚୁଲୀ ରହିଛି । ରୋଷଶାଳାରେ ଥିବା ୨୫୦ ଚୁଲୀକୁ ଅନ୍ନ ଚୁଲୀ, ଅହିଆ ଚୁଲୀ ଏବଂ ପିଠା ଚୁଲୀ ଭଳି ତିନି ଭାଗରେ ବିଭକ୍ତ କରାଯାଇଛି । ଅନ୍ନ ପ୍ରସ୍ତୁତ କରାଯାଉଥିବା ଚୁଲୀର ଲମ୍ବ ୪ଫୁଟ, ପ୍ରସ୍ଥ ୨.୫ଫୁଟ ଏବଂ ଉଚ୍ଚତା ୨ଫୁଟ । ଦୁଇଟି ଅନ୍ନ ଚୁଲୀ ମଧ୍ୟରେ ଥିବା ଲମ୍ବାଳିଆ ଦୂରତାକୁ ଅହିଆ କୁହାଯାଏ । ଅହିଆ ଚୁଲୀରେ ସମସ୍ତପ୍ରକାରର ଡାଲି ଏବଂ ତରକାରୀ ପ୍ରସ୍ତୁତ କରାଯାଏ । ଶ୍ରୀଜଗନ୍ନାଥଙ୍କର ରୋଷଶାଳାରେ ମାତ୍ର ୧୦ଟି ପିଠା ଚୁଲୀ ରହିଛି ଯାହାକି ସିମେଣ୍ଟରେ ତିଆରି ହୋଇଛି । ଏହି ରୋଷଶାଳାର ନିଆଁକୁ ବୈଷ୍ଣବ ଅଗ୍ନି କୁହାଯାଏ, କାରଣ ଏହା ଶ୍ରୀଜଗନ୍ନାଥଙ୍କର ରୋଷେଇଘରର ଅଗ୍ନି ଯାହାକି ସ୍ୱୟଂ ଭଗବାନ ବିଷ୍ଣୁଙ୍କର ସେବାରେ ଲାଗେ । ଏହି ନିଆଁ କେବେ ବାହାରକୁ ଆସେ ନାହିଁ ।

ରୋଷଶାଳା ପ୍ରାଙ୍ଗଣରେ ଗଙ୍ଗା ଏବଂ ଯମୁନା ନାମରେ ଦୁଇଟି କୂଅ ଅଛି ଯାହାକି ରୋଷେଇ କାର୍ଯ୍ୟରେ ବ୍ୟବ‌ହୃତ ଜଳ ଯୋଗାଇଥାଏ । କୂଅଦୁଇଟିର ୨୦ମିଟର ଓସାରର ଏବଂ ୧୦୦ ଫୁଟ ଲମ୍ବର ।

କିମ୍ବଦନ୍ତୀ ସମ୍ପାଦନା

ଚାରିଧାମ ପୁରୀ, ରାମେଶ୍ୱର, ଦ୍ୱାରିକ ଏବଂ ବଦ୍ରିନାଥରେ ଭବବାନ ବିଷ୍ଣୁ ଅଙ୍ଗାଅଙ୍ଗୀଭାବେ ଜଡ଼ିତ ବୋଲି ବିଶ୍ୱାସ ରହିଛି । କୁହାଯାଏ ଯେ, ଭଗବାନ ବିଷ୍ଣୁ ରାମେଶ୍ୱରରେ ସ୍ନାନ କରି ବଦ୍ରିନାଥରେ ଧ୍ୟାନ କରନ୍ତି । ଏବଂ ଭୋଜନ ପାଇଁ ପୁରୀକୁ ଆସିଥାନ୍ତି । ଏହା ପରେ ଦ୍ୱାରିକାରେ ବିଶ୍ରାମ ନିୟନ୍ତି । ସେଥିପାଇଁ ପୁରୀରେ ପ୍ରସ୍ତୁତ ପ୍ରସାଦ ସାଧାରଣ ପ୍ରସାଦ ନୁହେଁ, ମହାପ୍ରସାଦ ।[୪] ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଏହି ମହାପ୍ରସାଦ ସ୍ୱୟଂ ମହାଲକ୍ଷ୍ମୀ ରୋଷଶାଳାରେ ରୋଷେଇ କରନ୍ତି ବୋଲି ବିଶ୍ୱାସ ରହିଛି । ଯେହେତୁ ରଥଯାତ୍ର ପୂର୍ବରୁ ଅଣସର ସମୟରେ ମହାଲକ୍ଷ୍ମୀ ରୋଷେଇ ଶାଳାକୁ ଆସନ୍ତି ନାହିଁ, ସେଥିପାଇଁ ସେହି ସମୟରେ ସେଠାରେ ରୋଷେଇ ହେଉଥିବା ପ୍ରସାଦର ସ୍ୱାଦ କମିଯାଏ । ରଥଯାତ୍ରା ସମୟରେ ଯେତେବେଳେ ଭଗବାନ ଜଗନ୍ନାଥ ଶ୍ରୀଗୁଣ୍ଡିଚା ଘରେ ଥାଆନ୍ତି, ସେହିସମୟରେ ଦେବୀଙ୍କର ରୋଷେଇରେ ମନ ଲାଗେନି ଯାହାଫଳରେ ପ୍ରସ୍ତୁତ ହେଉଥିବା ପ୍ରସାଦ ସ୍ୱାଦ‌ହୀନ ହୋଇଯାଏ । ଏହା ମଧ୍ୟ କୁହାଯାଇଛି ଯେ, ଯଦି ମାତା ଲକ୍ଷ୍ମୀ ରୋଷେୟାଙ୍କଦ୍ୱାରା ପ୍ରସ୍ତୁତ ରୋଷେଇରେ ଖୁସି ନ ହୁଅନ୍ତି ତେବେ ରହସ୍ୟମୟ ଭଙ୍ଗୀରେ ଶ୍ରୀମନ୍ଦିରର ପଡ଼ିଆରେ ଏକ କୁକୁର ଦେଖାଦିଏ । ଯଦି ଏପରି ଭାବେ କେବେ କୁକୁର ଦେଖାଦିଏ, ତେବେ ପ୍ରସ୍ତୁତ ପ୍ରସାଦକୁ ନଷ୍ଟ କରିଦିଆଯାଏ ଏବଂ ପୁଣିଥରେ ମହାପ୍ରସାଦ ପ୍ରସ୍ତୁତି କରାଯାଏ । ଯେହେତୁ ଶ୍ରୀମନ୍ଦିର ଭିତରକୁ କୌଣସି କୁକୁରକୁ ପ୍ରବେଶ ନାହିଁ, ସେଥିପାଇଁ ଏହି କୁକୁରକୁ କୁତମ୍ମା ଚଣ୍ଡି ବୋଲି କୁହାଯାଏ ଯିଏକି ଖାଦ୍ୟର ଶୁଦ୍ଧିକରଣ ଯାଞ୍ଚ କରିବାର ଦାୟିତ୍ୱ ନେଇଛନ୍ତି ।

ଏଠାରେ ପ୍ରସ୍ତୁତ ପ୍ରସାଦ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଭୋଗଲାଗି ହୁଏ ଓ ତା'ପରେ ମାଆ ବିମଳାଙ୍କ ପାଖରେ ଭୋଗ ଲାଗେ ଏବଂ ଏହା ମହାପ୍ରସାଦରେ ପରିଣତ ହୁଏ । ଏହି ମହାପ୍ରସାଦକୁ ଅନ୍ନବ୍ରହ୍ମ ବୋଲି କୁହାଯାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ମହାପ୍ରସାଦକୁ ଗ୍ରହଣ କରିଥାନ୍ତି । ଭୋଗଲାଗି ହେବା ପୂରାବରୁ ଯେତେବେଳେ ଏହି ପ୍ରସାଦ ବୁହାହୋଇଯାଇଥାଏ, ସେତେବେଳେ ତା' ମଧ୍ୟରୁ କୌଣସି ବାସ୍ନା ଆଶେ ନାହିଁ, କିନ୍ତୁ ଭୋଗଲାଗି ହେଲା ପରେ ଯେତେବେଳେ ମନ୍ଦରରୁ ଏହା ବାହାରକୁ ଆସେ ସେତେବେଳେ ଏଥିରୁ ଭାସିଆଶେ ବିଭିନ୍ନ ସ୍ୱାଦର ବାସ୍ନା । ଆନନ୍ଦ ବଜାରରେ ଏହି ମହାପ୍ରସାଦର ବିକ୍ରୟ କରାଯାଏ ।[୫] ମନ୍ଦିରରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦ କୌଣସି ଦିନ ବି ନଷ୍ଟ ହୁଏ ନାହିଁ ।[୬]

ରୋଷଶାଳାରେ ପାଳୁଥିବା ନିୟମ ସମ୍ପାଦନା

ରୋଷଶାଳାରେ ପ୍ରତିଦିନ ମହାପ୍ରସାଦ ପ୍ରସ୍ତୁତ କରିବା ପାଇଁ ୬୦୦ ସୁଅର ସେବକ ଏବଂ ୪୦୦ ଜଣ ସ‌ହାୟତା କରିଥାନ୍ତି । ରୋଷେଇ ଆରମ୍ଭ କରିବା ପୂର୍ବରୁ ଏହି ସମସ୍ତ ସେବକମାନେ ପେଟଭରି ଖାଦ୍ୟଗ୍ରହଣ କରିଥାନ୍ତି, କାରଣ ଏହି ସେବକମାନେ ମହାପ୍ରସାଦ ତିଆରି କଲାବେଳେ ଯେମିତି ସେହି ପ୍ରସାଦ ପ୍ରତି ସେମାନଙ୍କର ଲୋଭ ନ ଆଶେ । ଏହି ସମସ୍ତ ସୁଅର ସେବକମାନେ ଲକ୍ଷ୍ମୀଙ୍କର ସ୍ୱରୂପାବୋଲି ବିଶ୍ୱାସ କରାଯାଏ ।

ଏହି ରୋଷଶାଳରେ କାର୍ଯ୍ୟକରୁଥିବା ସମସ୍ତ ସେବକମାନେ ୧୨ ବର୍ଷ ବୟସରୁ ହିଁ ରୋଷେଇ ପଦ୍ଧତି ଶିକ୍ଷା କରିଥାନ୍ତି ଏବଂ ବ‌ହୁତ ବୟସ୍କ ହେବା ଯାଏଁ ସେମାନେ ଏଠାରେ ରୋଷେଇ କରୁଥାନ୍ତି ।[୭]

ରୋଷଶାଳାରେ ପ୍ରସ୍ତୁତ ମହାପ୍ରସାଦ ସମ୍ପାଦନା

 
ଜଗନ୍ନାଥଙ୍କ ପାଖରେ ଭୋଗଲାଗି ହେବା ପରେ ଭକ୍ତମାନଙ୍କ ପାଇଁ ମହାପ୍ରସାଦ
 
କଦଳୀରେ ବଢ଼ାହୋଇଥିବା ମହାପ୍ରସାଦ

ଶ୍ରୀମନ୍ଦିରର ରୋଷଶାଳାରେ ମୁଖ୍ୟତଃ ଚାରିପ୍ରକାର ପ୍ରସାଦ ପ୍ରସ୍ତୁତ କରାଯାଏ । ସେଗୁଡ଼ିକ ହେଲା, ଭିମ‌ପାକ, ନାଳପାକ, ସୌରୀପାକ ଏବଂ ଗୌରୀପାକ । ଭୀମ‌ପାକରେ ପ୍ରସ୍ତୁତ ପ୍ରସାଦଯାକ ହେଲେ ବଡ଼ତିଅଣ, ଗୁଡ଼ଖୁଆର, ପାକଳ ନଡ଼ିଆ ରସ, ପୁରପିଠା, ବିରିପିଠା ଏବଂ ଗୁଡ଼କାଞ୍ଜି । ନାଳପାକରେ ପ୍ରସ୍ତୁତ ପ୍ରସାଦଯାକ ହେଲେ ଶକର, ତିଅଣଲାପରା, ଅଦଙ୍ଗ ଏବଂ ବିଭିନ୍ନ ପ୍ରକାରର ମିଠା ତୋରାଣିମାନ । ସୌରୀପାକରେ ପ୍ରସ୍ତୁତ ପ୍ରସାଦମାନ ହେଲା ମ‌ହୁର, ଦେଶିଆଳଭଜା, କଡ଼ାଲିଭଜା, ଅଦା ପାଚେଡ଼ି, ଘିଅଲବଙ୍ଗ ଏବଂ ବିଭିନ୍ନ ପ୍ରକାର ପଠି । ଗୌରୀପାକରେ ପ୍ରସ୍ତୁତ ପ୍ରସାଦମାନ ହେଲା ମୁଗତିଅଣ, ଲେଉଟିଆ, କୋଷଳା ଏବଂ ମଧୁର ଲଳିତା ଶାଗ ।

ଶ୍ରୀମନ୍ଦିରର ରୋଷଶାଳାରେ ଚାରିପ୍ରକାର ଅନ୍ନ ପ୍ରସ୍ତୁତ କରାଯାଏ । ସେଗୁଡ଼ିକ ହେଲା ସାଲି ଅନ୍ନ, ଖିର ଅନ୍ନ, ଦଧି ଅନ୍ନ ଏବଂ ଶିତଳ ଅନ୍ନ । ସୁନାଖିଲ ଚାଉଳ ସ‌ହ ଘିଅ ଏବଂ ଫଳଟଭା ଖରଦା ଲାଭନ ଆଦି ମିଶାଇ ସାଲି ଅନ୍ନ ପ୍ରସ୍ତୁତ କରାଯାଏ । ଖିର ଅନ୍ନ ପ୍ରସ୍ତୁତ କରିବା ପାଇଁ ବାସୁମତି ଚାଉଳ, ଗାଈ ଖିର, ଘିଅ ଏବଂ ଖରଦା ଲାଭନ ଆଦି ମିଶାଇକି ପ୍ରସ୍ତୁତ କରାଯାଏ । ସେହିଭଳି ସାଧା ଭାତରେ ଦ‌ହି ମିଶାଯାଇ ଦ‌ଧି ଅନ୍ନ ପ୍ରସ୍ତୁତ କରାଯାଏ । ଟଭାରସ ଏବଂ ଖରଦା ଲାଭନ‌କୁ ଭାତ ସ‌ହ ମିଶାଯାଇ ଶିତଳ ଅନ୍ନ ପ୍ରସ୍ତୁତ କରାଯାଏ ।

ଏହି ରୋଷଶାଳାରେ ପ୍ରତିଦିନ ଛପନ ଭୋଗ ପ୍ରସ୍ତୁତ କରାଯାଏ ଏବଂ ମକର ସଂକ୍ରାନ୍ତିରେ ୮୬ ପ୍ରକାରର ଭୋଗ ପ୍ରସ୍ତୁତ କରାଯାଏ । ଏହି ରୋଷଶାଳାରେ ପ୍ରତିଦିନ ୨୫୦୦୦ ଲୋକଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ ହୁଏ କିନ୍ତୁ ବଡ଼ ବଡ଼ ପର୍ବପର୍ବାଣିରେ ଲକ୍ଷେ ଲୋକଙ୍କ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥାଏ ।[୮] ସେଥିପାଇଁ ମହାପ୍ରଭୁ ଜଗନ୍ନାଥଙ୍କର ଏହି ରୋଷଶାଳାକୁ ବିଶ୍ୱର ସବୁଠାରୁ ବଡ଼ ଭୋଜନାଳୟ ବୋଲି କୁହାଯାଏ, ଯେଉଁଠି ବିନା ସଂରକ୍ଷଣ କିମ୍ବା ପୂର୍ବ ବିଜ୍ଞପ୍ତିରେ ମଧ୍ୟ ସମସ୍ତଙ୍କୁ ଖାଦ୍ୟ ପରଷାଯାଏ ।


ରୋଷଶାଳା ପାଇଁ ଆବଶ୍ୟକ ସମସ୍ତ ବାଣିଜ୍ୟଦ୍ରବ୍ୟ ମହାଲକ୍ଷ୍ମୀ ହାଟରୁ ଆସିଥାଏ, ଯାହାକି ସୁଆର ନିଯୋଗ ସମ‌ବାୟ ସମିତିଦ୍ୱାରା ଚାଲିଛି । ରୋଷେଇ ପାଇଁ ବ୍ୟବ‌ହୃତ ସମସ୍ତ ମାଟି ପାତ୍ର କୁମ୍ଭକାର ନିଯୋଗ ସମିତିଦ୍ୱାରା ଯୋଗାଇଦିଆଯାଏ । କୁମ୍ଭାବରପଡ଼ା ଏବଂ ପାଖାପାଖି ଅଞ୍ଚଳର କୁମ୍ଭାରମାନେ ମନ୍ଦିରକୁ ଏହି ସବୁ ମାଟିପାତ୍ରମାନ ଯୋଗାଇଦେଇଥାନ୍ତି । ରୋଷଶାଳରେ ରୋଷେଇ ପାଇଁ ବ୍ୟବ‌ହୃତ ସମସ୍ତ ଜାଳେଣୀ ପୂର୍ବରୁ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଆସୁଥିଲା । ଜଙ୍ଗଲଗୁଡ଼ିକର ଜାତୀୟକରଣ ପରେ ରାଜ୍ୟ ଜଙ୍ଗଲ ବିଭାଗ ରୋଷେଇ କାର୍ଯ୍ୟ ପାଇଁ କାଠ ଯୋଗାଇ ଆସୁଛି ।

ଆଧାର ସମ୍ପାଦନା

  1. Das, Amogha. "The Kitchen of Lord Jagannath, Biggest in the World". Dandavatas. Retrieved 25 July 2016.
  2. "KITCHEN OF JAGANNATH TEMPLE". shreekhetra.com. Retrieved 25 July 2016.
  3. Panigrahi, Asutosh. "8 Wonders of the Jagannath Temple in Puri are as follows". Quora. Retrieved 25 July 2016.
  4. "Mahaprasad". Shree Jagannath Temple. Retrieved 25 July 2016.
  5. "Mahaprasad". Jagannath Temple Puri. Retrieved 25 July 2016.
  6. N, Manjunath. "Nine incredible facts about Puri Jagannath temple". ISKCON, Bangalore. Retrieved 25 July 2016.
  7. "Jagannath Puri". Hindu Pedia. Retrieved 25 July 2016.
  8. "Shree Jagannath Temple, Puri". Puri Police. Archived from the original on 29 February 2016. Retrieved 25 July 2016.