ପଖାଳ

ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ଏକ ଓଡ଼ିଆ ଖାଦ୍ୟ

ପଖାଳ (ପଖାଳ ଭାତ ନାମରେ ମଧ୍ୟ ଜଣା) ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ଏକ ଓଡ଼ିଆ ଖାଦ୍ୟ । ଏହା ଜଗନ୍ନାଥ ମନ୍ଦିରରେ ତିଆରି ଛପନ ଭୋଗ ଭିତରୁ ଏକ ।[୧] ପଖାଳ ଖରା ଦିନରେ ଓଡ଼ିଆ ଘରମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଖିଆଯାଇଥାଏ । ଭାତକୁ ପାଣିରେ ପଖାଳି ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣିକୁ ତୋରାଣି କୁହାଯାଏ ।[୨] ସାଧାରଣତଃ ଖରାବେଳେ ବା ଉପରଓଳି ପଖାଳ ଖିଆଯାଏ । ପଖାଳର ଲୋକାଦୃତି ଓ ପ୍ରସାର ଉଦ୍ଦେଶ୍ୟରେ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ନାମିତ କରାଯାଇଛି ।

ପଖାଳ
ଉଇକି ଲଭସ ଫୁଡ଼ - ଏକ ଆନ୍ତର୍ଜାତିକ ସ୍ତରର ଖାଦ୍ୟ ଫଟୋ ଅପଲୋଡ଼ ପ୍ରତିଯୋଗିତାରେ ଶେଷ ପର୍ଯ୍ୟାୟକୁ ଉନ୍ନିତ ହୋଇଥିବା ପଖାଳ ଭାତର ଫଟୋ ।
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ଖାଇବାର ମେଳଣଗରମ ପଖାଳ, ଜିରା ପଖାଳ, ବାସି ପଖାଳ
ବାଢ଼ିବାର ତାତିଥଣ୍ଡା, ଗରମ
ମୂଳ ଉପାଦାନଭାତ
ଓଡ଼ିଶାରେ ତିଆରି ପଖାଳ ।

ନାମକରଣ ଓ ନିରୁକ୍ତିସମ୍ପାଦନ କରନ୍ତୁ

ପଖାଳ ଓଡ଼ିଆ ଶବ୍ଦ "ପଖାଳିବା/ପଖାଳିତ"ରୁ ଆସିଛି ଯାହାର ଅର୍ଥ ଧୋଇବା । ଭାତକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ନାମ ଏମିତି ହୋଇଅଛି । ସଂସ୍କୃତରେ ଧୋଇବାକୁ ପ୍ରକ୍ଷାଳନ କୁହାଯାଇଥାଏ । ଭାତକୁ ଜଳରେ ଧୋଇଦେଲେ ତାହା ପଖାଳ ହୋଇଯାଏ । ଅର୍ଜୁନ ଦାସଙ୍କ କବିତା ସଙ୍କଳନ କଳ୍ପଲତା (୧୫୨୦-୧୫୩୦)ରେ ପଖାଳ ଶବ୍ଦଟି ବହୁବାର ବ୍ୟବହୃତ ହୋଇଛି।

ଅନ୍ୟ ରାଜ୍ୟରେ ପଖାଳସମ୍ପାଦନ କରନ୍ତୁ

ପଖାଳ ଓଡ଼ିଶା ବ୍ୟତୀତ ଆସାମ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାରଛତିଶଗଡ଼, ଆନ୍ଧ୍ର ପ୍ରଦେଶରେ ମଧ୍ୟ ପ୍ରଚଳିତ । ଆସାମରେ ଏହାକୁ "ପୋଇତା ଭାତ", ପଶ୍ଚିମ ବଙ୍ଗରେ "ପନ୍ତ ଭାତ", ଝାଡ଼ଖଣ୍ଡ ଓ ବିହାରରେ "ମାରା ଭାତ" ଓ ଛତିଶଗଡ଼ରେ ପଖାଳ ବା "ବୋରେ ଭାତ" କହନ୍ତି । [୩] ତାମିଲନାଡୁରେ ଏହା ବକାଳ ବାତ ନାମରେ ଜଣା । ସେଠାରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ଏବେ ମଧ୍ୟ ପରଷା ଯାଏ ।

ପରମ୍ପରାସମ୍ପାଦନ କରନ୍ତୁ

  • ତ୍ରିପିଟକର ମଝିମ ନିକାୟ ଅନୁସାରେ ବୁଦ୍ଧଙ୍କର ଜଣେ ସାନବାପାଙ୍କ ନାଁ ଥିଲା ଧୋତଦନ (ଧୋତ ଉଦନ), ଯାହାର ଅର୍ଥ ହେଉଛି 'ଧୁଆ ବା ପଖାଳ ଭାତରେ ଶ୍ରଦ୍ଧା ଯାହାର ସେ' । ପାଖାପାଖି ଅଢ଼େଇ ହଜାର ବର୍ଷ ଆଗରୁ ବୁଦ୍ଧଙ୍କ ଅମଳରେ ପଖାଳର ଲୋକପ୍ରିୟତା ଥିଲା ।
  • ଖ୍ରୀଅ ୬୦୦ ଠାରୁ ୧୨୦୦ ପର୍ଯ୍ୟନ୍ତ[ଆଧାର ଲୋଡ଼ା] ଓଡ଼ିଶାରେ ମୁଖ୍ୟ ଖାଦ୍ୟ ଧାରାରେ ଥିଲା ଧାନ,ଗହମ ଓ ବାର୍ଲି । କଳିଙ୍ଗର ଧାନର ପ୍ରସିଦ୍ଧି ସୋମେଶ୍ୱରଙ୍କ ବିରଚିତ "ମାନସୋଲ୍ଲାସ"ରେ ବର୍ଣ୍ଣିତ ହୋଇ ଅଛି । ଶ୍ରୀମଦ ଶଙ୍କରଦେବଙ୍କ ଶ୍ରୀରାମଭାଗବତ ଗ୍ରନ୍ଥରେ (ଖ୍ରୀଅ ପଂଚଦଶ ଶତାଦ୍ଦୀରେ) ଚାଉଳକୁ ସିଝାଇ ସେଥିରେ ପାଣି ପକାଇ ରାତି ସାରା ରଖି ତାହାପରଦିନ ବାଇଗଣ ପୋଡ଼ା ଆଉ ମାଛ ପୋଡ଼ା ସହ ଖାଇବା ଅଧିକ ଜନପ୍ରିୟ ହୋଇଥିଲା । ଏଇ ସମାନ ଖାଦ୍ୟଟି ବଂଗଳାରେ ସମାନ ସମୟରେ ପ୍ରଚଳିତ ଥିଲା ।
  • ମହାପ୍ରଭୁଙ୍କ ମହାପ୍ରସାଦରେ ପଖାଳ ଅନ୍ତର୍ଭୁକ୍ତ ।

ପ୍ରକାର ଭେଦସମ୍ପାଦନ କରନ୍ତୁ

  • ସଜ ପଖାଳ: ଗରମ ଭାତରୁ ପେଜ ନ ଗାଳି, ସେଥିରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ କୁହାଯାଏ । ସଜପଖାଳରେ କାଗିଜି ଲେମ୍ବୁ ଚିପୁଡ଼ି କିମ୍ବା ଦହି ଗୋଳାଇ ଖାଇଲେ ସ୍ୱାଦିଷ୍ଟ ହୋଇଥାଏ ।

ଏହାକୁ ଭୃସଙ୍ଗ ପତ୍ର (ଭୁର୍ସୁଙ୍ଗା ପତ୍ର ବା ଭେରସୁଙ୍ଗା ପତ୍ର), ଟଭାଗଛର ପତ୍ର ଛୁଙ୍କ ଦେଇ ସେଥିରେ କଟା ଦେଶୀ ପିଆଜ, ବସାଦହି, ଆମ୍ବକସିଆ ଅଦା, କଞ୍ଚାଲଙ୍କା ଓ ଦରକାର ମୁତାବକ ଲୁଣ ପକାଇଲେ ଏହାର ସ୍ୱାଦ ଆହୁରି ବଢ଼ିଯାଏ ।

  • ବାସି ପଖାଳ: ଭାତ ପଖାଳିବାର ୧୦-୧୨ ଘଣ୍ଟା ବା ୧ ଦିନ ବା ଆହୁରି କିଛି ସମୟ ରଖି ଏହା ତିଆରି କରାଯାଇଥାଏ । ଏହା କିଛି ପରିମାଣରେ ଟଙ୍କ (ଖଟା) ମଧ୍ୟ ଲାଗିଥାଏ । ଏହା ଖଟା ହୋଇଥିବାରୁ ଏଥିରେ ଲେମ୍ବୁ ବା ଦହି ପକାଇବାର ଆବଶ୍ୟକତା ନ ଥାଏ ।
  • ଜିରା ପଖାଳ: ଜିରା, ଭୃସଙ୍ଗ ପତ୍ର ଆଦିକୁ ଭାଜି ପଖାଳରେ ମିଶାଇ ଏହା ତିଆରି କରାଯାଇଥାଏ ।[୪][୫][୬]
  • ଦହି ପଖାଳ: ଏହା ସଜ ବା ବାସି ପଖାଳରେ ଦହି ଓ ଭଜା ଜିରା, ରସୁଣ, ଭୃଷଙ୍ଗ ପତ୍ର ଆଦି ଛୁଙ୍କ ଦେଇ ତିଆରି କରାଯାଇଥାଏ ।[୭]
     
    ପଖାଳ ସହ ଆମ୍ବ, ଆଳୁଚକଟା ଓ ଛତୁ ତାଟିଆବସା
  • ଚାଇଁ ପଖାଳବା ଗରମ ପଖାଳ : ଏହା ସଜ ଭାତରେ ଗରମ ନ ଛାଡ଼ୁଣୁ ପାଣି ମିଶାଇ ତିଆରି କରାଯାଇଥାଏ ଓ ଗରମ ଗରମ ଖିଆଯାଇଥାଏ । ଏଥିରେ ଗାଈ କ୍ଷୀର ବା ମିଇଁଷି ଘିଅ ପକାଇ ମଧ୍ୟ କେହି କେହି ଖାଇଥାନ୍ତି।
  • ଟଭା ପଖାଳ
  • ଅଦା ପଖାଳ
  • କଞ୍ଚାଆମ୍ବ ପଖାଳ
  • କାକୁଡ଼ିକୋରା ପଖାଳ
  • ବଡ଼ି ପଖାଳ

ସହ-ଖାଦ୍ୟସମ୍ପାଦନ କରନ୍ତୁ

ପଖାଳ ସହ ବଡ଼ିଚୁରା ଓ ଭଜା ତଥା ଧନିଆ, ନଡ଼ିଆ, ପୋଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି, ଆମ୍ବୁଲ ଆଦିରେ ତିଆରି ଚଟଣି ଖିଆଯାଇଥାଏ । ରସୁଣ, ଲଙ୍କାପଞ୍ଚୁ ଫୁଟଣରେ ଛୁଙ୍କଦେଇ ପ୍ରସ୍ତୁତ କରାଯାଇଥିବା ସୁନୁସୁନିଆ, ଲେଉଟିଆ, କୋଶଳା, ମଦରଙ୍ଗା, ଖଡ଼ା, ସଜନା, କଳମ ଆଦି ଶାଗ ମଧ୍ୟ ଖିଆଯାଇଥାଏ । ବିଭିନ୍ନ ପ୍ରକାରର ପତର ପୋଡ଼ା, ମାଛ, କଙ୍କଡ଼ା ଛେଚା, ବିଶେଷ କରି ରସୁଣ ବା ପିଆଜ ଯୁକ୍ତ ଭେଣ୍ଡି, ଜହ୍ନି, ସାରୁ ଚକଟା, ବଡ଼ିଚୁରା ସହିତ ପଖାଳ ଖିଆଯାଏ । ପଖାଳକୁ ବିଭିନ୍ନ ପ୍ରକାରର ଆଚାର ସହିତ ମଧ୍ୟ ଖିଆ ଯାଇଥାଏ । ଆମ୍ବ ସମୟରେ ଆମ୍ବ କଷିକୁ ଛିଡ଼ାଇଦେଲେ ତା’ ଡେମ୍ଫରୁ ଯେଉଁ ନସି ବା ନସା ବାହାରେ ତାହା ପଖାଳ ଭାତରେ ବ୍ୟବହାର କରାଯାଏ ।

କାଞ୍ଜି ପାଣିସମ୍ପାଦନ କରନ୍ତୁ

 
କାଞ୍ଜି

ମାଟି ହାଣ୍ଡିରେ ପଖାଳକୁ ବାସି କରି ତା’ର ତୋରାଣିରୁ ପ୍ରସ୍ତୁତ କାଞ୍ଜିକୁ ହାଣ୍ଡି କାଞ୍ଜି ବୋଲି କହିଥାନ୍ତି। ଏହା ଭେଣ୍ଡି, ବୁଢା ବାଇଗଣ ବା କାକୁଡ଼ି, ଭୃସଙ୍ଗ ପତ୍ର ଓ ପଞ୍ଚୁ ଫୁଟଣ ଦେଇ ଛୁଙ୍କ କରାଯାଏ । ଏହା ଔଷଧୀୟ ଗୁଣ ଯୁକ୍ତ ।

ଓଡ଼ିଆ ଚଳଣିରେସମ୍ପାଦନ କରନ୍ତୁ

ଶ୍ରୀମନ୍ଦିରରେସମ୍ପାଦନ କରନ୍ତୁ

ଓଡ଼ିଆ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ୱ ରହିଛି ତାହା ମଧ୍ୟରୁ ପଖାଳ ଅନ୍ୟତମ । ଉଷୁନା ପଖାଳ ଓ ଅରୁଆ ପଖାଳ ମଧ୍ୟରୁ ମହାପ୍ରଭୁଙ୍କର ଉପାସନାରେ କେବଳ ଅରୁଆ ପଖାଳ ପ୍ରଚଳନର ବ୍ୟବସ୍ଥା ରହିଛି । ସାଧାରଣ ଜୀବନରେ ଆବଶ୍ୟକତା ଅନୁଯାୟୀ ମଣିଷଟିଏ ଦିନରେ ଏବଂ ରାତିରେ ପଖାଳ ଗ୍ରହଣ କରୁଥବା ବେଳେ ମହାପ୍ରଭୁ କେବଳ ସନ୍ଧ୍ୟାଧୂପରେ ପଖାଳ ଭୋଗ ଗ୍ରହଣ କରନ୍ତି । ପ୍ରକାର ଭେଦରେ ଏଗୁଡ଼ିକ ବିଭିନ୍ନ ପ୍ରକାରର ରହିଥାଏ । ଅଦା ପକାଯାଇ ଚୁପୁଡ଼ା ପଖାଳ, ଟଭାରେ ଟଭା ପଖାଳ, ଜିରା, ଅଦା ଓ ମସଲାଦ୍ୱାରା ପ୍ରସୂତ ସୁବାସିତ ପଖାଳ ଏବଂ ଦହିରେ ହୋଇଥାଏ ଦହି ପଖାଳ । ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥାନ୍ତି ।[୮] ଗ୍ରୀଷ୍ମଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ କରାଯାଇଥାଏ । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାପାଇଁ ଚନ୍ଦନଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନମୋହନ ଚାପଖେଳ ପାଇଁ ବାହାରନ୍ତି । ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇବାର ଦେଖାଯାଏ । ପ୍ରତିଦିନ ସକାଳୁ ଶ୍ରୀମନ୍ଦିରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହା ପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ ।

ଛପନ ଭୋଗରେସମ୍ପାଦନ କରନ୍ତୁ

ବଡ଼ଦେଉଳରେ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଛପନ ଭୋଗରେ ସନ୍ଧ୍ୟା ଧୂପ (ତୃତୀୟ ଧୂପ)ରେ ପଖାଳ ଲାଗି ହୋଇଥାଏ । ସନ୍ଧ୍ୟା ୭.୦୦ରୁ ୮.୦୦ଟା ସମୟରେ ଜୟ ମଙ୍ଗଳ ଆଳତି (ସନ୍ଧ୍ୟା ଆଳତି) ପରେ ଏହା ଅର୍ପଣ କରାଯାଏ। ମନ୍ଦିରରେ ଦୁଇ ପ୍ରକାରର ପଖାଳ ଭୋଗ ଭାବରେ ଲାଗି କରାଯାଇଥାଏ ।

ପାଣି ପଖାଳ:୨୩ ଓଳି
ଚିପୁଡ଼ା ପଖାଳ: ୧୪ ଓଳି

ପର୍ବପର୍ବାଣୀରେସମ୍ପାଦନ କରନ୍ତୁ

  • ମାର୍ଗଶୀରମାସ ମାଣବସା ଗୁରୁବାର ଓଷାରେ ମହାଲକ୍ଷ୍ମୀଙ୍କଠାରେ ପଖାଳ ଓ କଳମଶାଗ ଭୋଗ ଦେବାର ପରମ୍ପରା ମଧ୍ୟ ରହିଅଛି ।
  • ପଶ୍ଚିମ ଓଡ଼ିଶାର ଭାଇ ଜିଉନ୍ତିଆ ଓଷା ପରଦିନ ଭଉଣୀମାନେ ପଖାଳ ଖାଇବାର ପରମ୍ପରା ରହିଛି ।
  • ବର ସହ କନ୍ୟାଘରର ପାରସ୍ପରିକ ମଧୁର ସମ୍ପର୍କ ଆରମ୍ଭ ହୋଇଥାଏ ପଖାଳରୁ । ବାହାଘର ପରେ କନ୍ୟାଘରେ ବର ଗାଧୁଆ ସାରି ନୂଆ ପୋଷାକ ପିନ୍ଧି ଶାଶୁ ବା ଭାଉଜଙ୍କଦ୍ୱାରା ଶାଳୀ ବା କନ୍ୟାର ସାଙ୍ଗସାଥିମାନଙ୍କ ଗହଣରେ ଦହି-ପଖାଳ ଖାଇଥାଏ ।

ଲିଙ୍ଗରାଜ ମନ୍ଦିରରେସମ୍ପାଦନ କରନ୍ତୁ

ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କୁ ବଡ଼ସିଂହାର ଭୋଗବେଳେ ପଖାଳ ଓ କଦଳୀ ଭଜା ଅର୍ପଣ କରାଯାଏ ।

ଓଡ଼ିଶା ଇତିହାସରେସମ୍ପାଦନ କରନ୍ତୁ

୧୯୩୪ ମସିହାରେ ଗାନ୍ଧୀଜୀଙ୍କର ଓଡ଼ିଶାରେ ପଦଯାତ୍ରା ସମୟରେ ପିପିଲି ନିକଟସ୍ଥ ଶିଉଳା ଛକଠାରେ ପଦଯାତ୍ରୀଙ୍କ ପାଇଁ ମଧ୍ୟାନ ଭୋଜନର ଆୟୋଜନ କରାଯାଇଥିଲା । ମଧ୍ୟାନ ଭୋଜନପରେ ଯେଉଁ ଭାତ ବଳିଯାଇଥିଲା, ଓଡ଼ିଆ କର୍ମୀମାନେ ତାକୁ ନଷ୍ଟ ନକରି ପଖାଳ କରିଦେଇଥିଲେ ଓ ସେଇ ପଖାଳକୁ ପଦଯାତ୍ରୀମାନେ ପୁଣି ଉପରଓଳି ଖାଇ ପାରିଥିଲେ । ଏହା ଦେଖି ମହାତ୍ମା ଗାନ୍ଧୀ କହିଥିଲେ, "ଓଡ଼ିଶାର ଲୋକ ଠିକ ଜାଣିଛନ୍ତି ଖାଦ୍ୟର ସଦବ୍ୟବହାର" ।[୯]

ଔଷଧୀୟ ଗୁଣସମ୍ପାଦନ କରନ୍ତୁ

ପଖାଳ ପିତ୍ତ ନାଶକ । ଚାଇଁ ପଖାଳ ଖାଇ ତା ତୋରାଣି ମୁନ୍ଦେ ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ନିବାରିତ ହୋଇଥାଏ । ବାଧିକି ଥିବା ଲୋକର ପଥ୍ୟ ଭାବେ ଏହା ବ୍ୟବହାର କରା ଯାଇଥାଏ । ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ ।[୧୦] ପିତ୍ତ ରୋଗ ବିସୂଚିକା, ଅତିସାର (Diarrehoea) ଇତ୍ୟାଦିରେ ପଖାଳ ତୋରାଣି ଅତ୍ୟନ୍ତ ପ୍ରଶମନକାରୀ ଓ ଉପକାରୀ ଅଟେ । ମୂତ୍ରକୃଚ୍ଛ (dysurea)ରେ ପଖାଳ ଉପକାରୀ ଅଟେ । କଫ ପ୍ରଧାନ ରୋଗରେ ବାସି ପଖାଳ ଦେବା ଉଚିତ ନୁହେଁ । ପିତ୍ତ ଆଉ ବାତ ରୋଗଗୁଡ଼ିକରେ ସ୍ଥାନ ବିଶେଷରେ ପଖାଳ ଦିଆଯାଇ ପାରିବ ।

ଆସାମ କୃଷି ବିଶ୍ୱବିଦ୍ୟାଳୟର ମଧୁମିତା ବରୁଆ ଓ ଗୁଣଜିତ ଗୋସ୍ୱାମୀଙ୍କଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ । କିନ୍ତୁ ୧୨ଘଣ୍ଟା ପଖାଳ ହେଲା ପରେ ଲୌହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢି ଯାଇଥାଏ । ସେହିପରି ସୋଡ଼ିଅମ ୪୭୫ ମିଲି ଗ୍ରାମରୁ କମି ୩୦୩ମିଲି ଗ୍ରାମ, ପୋଟାସିଅମ ୮୩୯ମିଲି ଗ୍ରାମ ଓ କ୍ୟାଲ୍‌ସିଅମ ୨୧ମିଲି ଗ୍ରାମରୁ ବଢି ୮୫୦ମିଲି ଗ୍ରାମ ହୋଇ ଯାଇଥାଏ । ସାଧା ଭାତରେ ଥିବା ଫାଇଟିକ ଏସିଡ଼ ଓ ଓଲିଗୋସାକାରାଇଡ଼ସ୍ ଯୋଗୁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳାଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ । [୧୧]

ଜଣାଶୁଣା ସଂସ୍କୃତିରେସମ୍ପାଦନ କରନ୍ତୁ

ଲୋକଗୀତସମ୍ପାଦନ କରନ୍ତୁ

  • ଝିଅ ଶାଶୁ ଘରକୁ ଯିବା ଆଗରୁ ଶାଶୁଘରେ ପଖାଳଖିଆ ବନ୍ଦ ହୋଇ ଯିବାର ଆଶଙ୍କା କରି ବାହୁନିଥାଏ -
ପାହାନ୍ତା ପଖାଳ ସପନ ହେବ ଲୋ ମୋ ମାଆରାଣୀ
ବାଳ ବାନ୍ଧିବାକୁ ତେଲ ନ ଥିବ ଲୋ ମୋ ମାଆରାଣୀ ॥
  • ଝିଅ ଶାଶୁ ଘରକୁ ଯିବା ଆଗରୁ ତାକୁ ବନ୍ଧୁ ବାନ୍ଧବ ଓ ସାଇ ପଡ଼ିଶା କନିଆଁ ଡାକରା ବା ତୋରାଣି ପିଆପାଇଁ ଡାକିଥାନ୍ତି। ଝିଅଟିର ଅନ୍ତର୍ବେଦନାକୁ ପ୍ରତିଫଳିତ କରେ ଏଇ କାନ୍ଦଣା ଗୀତ-
ଦେଠେଇ ତୋହର ଥିଲେ

ତୋରାଣି ପିଇବାକୁ ଡକାଇ ନେଲେ ଲୋ ଜୀବନ
ହାତକୁ ବନ୍ଧେଇ ଦେଲେ ମୋ ଜୀବନ
ସାଇ ପଡ଼ିଶାଏ ଥିଲେ
ତୋରାଣି ପିଇବାକୁ ଡକାଇ ନେଲେ ଲୋ ମୋ ଜୀବନ
ଫରୁଆ ପାନିଆ ଦେଲେ ମୋ ଜୀବନ॥

  • ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ ପ୍ରସିଦ୍ଧ ଲୋକ ଗୀତ ‘ଆସ ଜୀବନଧନ ମୋର ପଖାଳ କଂସା’ରୁ କେଇଧାଡ଼ି:
ଓଡ଼ିଆ ଜୀବନ ଦୁଆ ଶାଗ ପଖାଳ

ଜଗନ୍ନାଥ ରସି ଖାଏ ମନେ ତୁ ଭାଳ
ଚାଖି ନାହିଁ ଯିଏ ଥରେ
ଧିକ ତା’ ଜନମରେ
ମଣିଷ ଯାକରେ ସେତ ଅଣ ପୁରୁଷା
ଆସ ଜୀବନ ଧନ ମୋର ପଖାଳ କଂସା॥

ଢଗସମ୍ପାଦନ କରନ୍ତୁ

ପଖାଳକୁ ନେଇ ବିଭିନ୍ନ ଢଗ ରହିଛି ।

ମଦରଙ୍ଗା ଶାଗ ରାଇ

ପଖାଳ ଭାତକୁ ଚିଲିକା ଶୁଖୁଆ
ମାଣିକ ପାଟଣା ଦହି॥

  • ଉପକୂଳ/ଦକ୍ଷିଣ ଓଡ଼ିଶାର ଲୋକୋକ୍ତିରେ:
ଦି ମାଇପର ଘଇତା

ତବତ ଖାଇବୁ କି ପଖାଳ ଖାଇବୁ
ବେଳ ଥାଉ ଥାଉ କହିଥା॥

  • ଝିଅଟିଏ ତା’ର ସାଙ୍ଗ, ସାଥି, ବଉଳଙ୍କ ପାଖକୁ ଚିଠି ଲେଖିଲାବେଳେ ଲେଖେ:
ପଖାଳ ଭାତରେ ଉଲି ପିଆଜ

ଅକ୍ଷର ମୋହର ବଡ଼ କଦର୍ଯ୍ୟ॥

  • ଓଡ଼ିଶାର ପଶ୍ଚିମାଞ୍ଚଳରେ ଢଗଟିଏ ଅଛି:
ଲାଲ ଟହଟହ ପାତଲଘଟାଁ, ଧାନ ମିରଚା ନୁନେ,
ଚିଟକି ଚିଟକି ଖାଏମା ପୁତା, ବାସି ପଖାଳର ସାଙ୍ଗେ ।

ଗ୍ୟାଲେରିସମ୍ପାଦନ କରନ୍ତୁ


ଅଧିକ ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. Heritage holidays, North & Central India. Outlook Publishing (India). 2004.
  2. Adibasi. Tribal Research Bureau, Orissa. 1986.
  3. http://www.rkmp.co.in/general-domain/rice-in-human-nutrition/pakhal
  4. Jeera pakhala
  5. Jeera Pakhala
  6. Jeera Pakhala
  7. Dahi Pakhala
  8. http://www.dharitri.com/Bhubaneswar/060716/p11.htm
  9. "ଓଡ଼ିଆଙ୍କ ପଖାଳ: ସେକାଳରୁ ଏକାଳ" (ଧରିତ୍ରୀ ୦୮।୦୪।୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬). ଧରିତ୍ରୀ. Retrieved 8 April 2019.
  10. ଜୀବନଧନ ମୋର ପଖାଳ କଂସା, ସଚିତ୍ର ବିଜୟା, ଜୁଲାଇ ୨୦୦୨
  11. http://www.telegraphindia.com/1110804/jsp/northeast/story_14328967.jsp