ଜାନୁଆରୀ ୨୦୧୩

ନେତାଜୀ ସୁଭାଷ ଚନ୍ଦ୍ର ବୋଷ (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣି ସ୍ଵାଧୀନତା ସଂଗ୍ରାମୀ ଥିଲେ । ସୁଭାଷ ବାପା ଜାନକୀ ନାଥ ବୋଷଙ୍କ ଔରସରୁ ଓ ମାଆ ପ୍ରଭାବତୀ ଦେବୀଙ୍କ ଠାରୁ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ କଟକର ଓଡ଼ିଆ ବଜାର ଠାରେ ଜନ୍ମ ନେଇଥିଲେ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ଵର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ ।

୧୯୦୨ ମସିହାରେ ପ୍ରୋଟେଷ୍ଟାଣ୍ଡ ସ୍କୁଲରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିବା ନେତାଜୀ ରେଭେନ୍ସା କଲେଜିଏଟ ସ୍କୁଲ, କଟକରୁ ମାଧ୍ୟମିକ ଶିକ୍ଷା ସମାପ୍ତ କଲାପରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥିଲେ ।

ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ଓ ୧୯୨୪ ମସିହାରେ ସେ କଲିକତା ମହାନଗରୀର ମେୟର ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ ।

ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ଵ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ଵାଧୀନ ସରକାର ଗଠନ କଲେ ।

ପୁରା ପଢ଼ନ୍ତୁ...


ଫେବୃଆରୀ ୨୦୧୩

ସରସ୍ଵତୀ

ମାଘ ଶୁକ୍ଳପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ ଭାବେ ପାଳନ କରାଯାଏ । ଏହି ଦିନ ମା'ସରସ୍ଵତୀ ସ୍ଵତନ୍ତ୍ର ରୂପରେ ପୂଜା ପାଇଥାନ୍ତି । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ସରସ୍ଵତୀଙ୍କର ପୂଜା ମୁଖ୍ୟତଃ ବିଦ୍ୟାନୁଷ୍ଠାନ ମାନଙ୍କରେ କରାଯାଏ । ମା ସରସ୍ଵତୀ ଶୁକ୍ଳ ବସ୍ତ୍ର ପରିହିତା, ବୀଣା, ପୁସ୍ତକ ହସ୍ତରେ, ହଂସାରୁଢ଼ା ।

ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ । ମାଘ ଶୁକ୍ଳ ପଞ୍ଚମୀରେ ଶ୍ରୀଜୀଉମାନଙ୍କର ଘୋଡ଼ବସ୍ତ୍ର କଢ଼ାଯାଇ ‘ଜାମାଲାଗି’ ବସ୍ତ୍ର ପିନ୍ଧାଯାଏ । ଉକ୍ତ ଦିବସରେ ଶ୍ରୀଜୀଉମାନଙ୍କର ସନ୍ଧ୍ୟାଧୂପ ପରେ ସରସ୍ଵତୀ ଦେବୀଙ୍କ ମନ୍ଦିରରେ ମାଦଳାପାଞ୍ଜି ପୂଜା କରାଯାଏ ।

କେତେକ ଅଞ୍ଚଳରେ ପବିତ୍ରତାର ସହ ଉଭୟ ସ୍ଵାମୀ-ସ୍ତ୍ରୀ ମାଘ ଶୁକ୍ଳ ପଞ୍ଚମୀକୁ ପ୍ରେମ ଦିବସ ରୂପେ ପାଳନ କରିଥାନ୍ତି । କାମଦେବ ଓ ରତିଙ୍କୁ ହଳଦିଆ ଫୁଲରେ ପ୍ରତିମା କରି ଦାମ୍ପତ୍ୟ ସୁଖପାଇଁ ପୂଜା କରିଥାନ୍ତି । ଶାସ୍ତ୍ର ଅନୁସାରେ, ଶ୍ରୀପଞ୍ଚମୀ ଦିନ ବିବାହ, ନିର୍ବନ୍ଧ କାର୍ଯ୍ୟ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

ପ୍ରାଚୀନ କାଳରେ ରାଜା ମହାରାଜାମାନେ ଶ୍ରୀ ପଞ୍ଚମୀକୁ 'ରତିକାମ ମହୋତ୍ସବ' ବା କୌମୁଦୀ ମହୋତ୍ସବ ରୂପେ ପାଳନ କରୁଥିଲେ । ଫୁଲରେ ରାଜଉଆସ ସଜା ହେଉଥିଲା, ଫୁଲର ଦୋଳିରେ ରାଜାରାଣୀ ଦୋଳି ଖେଳୁଥିଲେ, ପ୍ରଜାମାନେ ଆସି ରାଜ ଉଆସରେ ଭୋଜନ କରୁଥିଲେ । ମାଘ ପଞ୍ଚମୀରେ ଗୋପୀମାନେ ମଧ୍ୟ କୃଷ୍ଣଙ୍କ ସହ ରାସ ଉତ୍ସବ ମନାଉଥିଲେ ।

ପୁରା ପଢ଼ନ୍ତୁ...


ମାର୍ଚ ୨୦୧୩

ଶିବ

ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳିତ ମହା ଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହି ଦିନ ଶିବଙ୍କ ପୂଜା କରଯାଏ । ଭାରତର ବିଭିନ୍ନ ସ୍ଥାନରେ ଏହାକୁ ବଡ଼ ଆଡମ୍ବର ସହକାରେ ପାଳନ କରାଯାଏ ।

ପୌରାଣିକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କ ଦ୍ଵାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ଵାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ ।

ପୁରା ପଢ଼ନ୍ତୁ...


ଅପ୍ରେଲ ୨୦୧୩
The featured article for this month has not yet been chosen.
You can make new requests or comment on current requests at ଉଇକିପିଡ଼ିଆ:ମାସର ବଛା ଲେଖା/ଅନୁରୋଧ. See ଉଇକିପିଡ଼ିଆ:ମାସର ବଛା ଲେଖା for full guidelines.

ମଇ ୨୦୧୩

ରଥ ନିର୍ମାଣ କାମ

ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ଅକ୍ଷୟ ତୃତୀୟାର ଉଲ୍ଲେଖ ଦେଖିବାକୁ ମିଳେ ବୋଲି କେତେକ ଆଲୋଚକ ମତ ଦିଅନ୍ତି । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି । ଏହି ଦିନଠାରୁ ଶ୍ରୀଜଗନ୍ନାଥଙ୍କର ଚନ୍ଦନଯାତ୍ରାର ଶୁଭାରମ୍ଭ ହେବା ସହ ରଥଯାତ୍ରା ପାଇଁ ଉଦ୍ଧିଷ୍ଟ ରଥ ନିର୍ମାଣ କାମ ଆରମ୍ଭ ହେଇଥାଏ ।


ପୁରା ପଢ଼ନ୍ତୁ...


ଜୁନ ୨୦୧୩

ଶିବ ବିବାହ

ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଶିବ ବିବାହୋତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ I କିଛି ଭକ୍ତ ମା’ ପାର୍ବତୀଙ୍କ ମା’ ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶଙ୍କରଙ୍କର ମା’ ବାପା ହୋଇ ଉଭୟଙ୍କର ବିବାହକାର୍ଯ୍ୟ ସମାପନ କରନ୍ତି । ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ଼ ଧୂମ୍​ଧାମ୍​ରେ ମା’ ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ । ରଙ୍ଗବେରଙ୍ଗ ଚିତ୍ରରେ ସୁଶୋଭିତ ରଥରେ ଶିବ ଓ ମା’ ପାର୍ବତୀଙ୍କୁ ଅଣାଯାଏ । ମଧ୍ୟରାତ୍ରୀରୁ ଏଇ ପଟୁଆର ଆରମ୍ଭ ହୋଇ ପରଦିନ ଦିପହର ବେଳକୁ ଶିବପାର୍ବତୀଙ୍କ ପୂଜାରେ ଶେଷହୁଏ । ଏଇ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ସଙ୍ଗୀତ ଓ ନାଚ । ଏହା ସମ୍ବଲପୁର, ବିଶେଷକରି ପଶ୍ଚିମ ଓଡ଼ିଶାର ଲୋକନୃତ୍ୟକୁ ଉପଭୋଗ କରିବାରେ ଏକ ଦୁର୍ଲଭ ଅବସର ।

ପୁରା ପଢ଼ନ୍ତୁ...


ଜୁଲାଇ ୨୦୧୩

ବଡ଼ଦାଣ୍ଡରେ ତିନିରଥ

ରଥଯାତ୍ରା ଜଗନ୍ନାଥଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହାକି ପୁରୀଠାରେ ଜଗନ୍ନାଥ ମନ୍ଦିରରେରେ ତଥା ବିଶ୍ଵର ବାକି ଅନେକ ଜାଗାରେ ପାଳନ କରାଯାଏ ।

ପୁରୀର ଜଗନ୍ନାଥ, ବଳଭଦ୍ରସୁଭଦ୍ରା ତିନିଗୋଟି ରଥରେ ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ବିଜେ କରି ଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ସପ୍ତାହକାଳ ଅବସ୍ଥାନ କରି ଦଶମୀ ଦିନ ସେଠାରୁ ବଡ଼ଦେଉଳକୁ ଆସିଥାନ୍ତି । ପରମ୍ପରା ଅନୁସାରେ ଘୋଷଯାତ୍ରାର ଆଗେ ଆଗେ ବଡ଼ଭାଇ ବଳଭଦ୍ରଙ୍କ ରଥ 'ତାଳଧ୍ଵଜ' ଯାଏ । ତାଙ୍କ ପଛେ ପଛେ ଦେବୀ ସୁଭଦ୍ରାଙ୍କ 'ଦର୍ପଦଳନ' ଓ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ 'ନନ୍ଦିଘୋଷ' ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ।

ପୁରା ପଢ଼ନ୍ତୁ...


ଅଗଷ୍ଟ ୨୦୧୩

ନୀଳକଣ୍ଠ ଦାସ (୧୮୮୪-୧୯୬୭) ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଠାରେ ୧୮୮୪ରେ ଜନ୍ମିତ ଜଣେ ପ୍ରକ୍ଷାତ ଲେଖକ, ସାମ୍ବାଦିକ ଓ ସ୍ଵାଧିନତା ସଂଗ୍ରାମୀ ଓ ରାଜନେତା। ତାଙ୍କୁ ଶ୍ରଦ୍ଧାରେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମଧ୍ୟ ଡକାଯାଇଥାଏ ।

ପଣ୍ଡିତ ନୀଳକଣ୍ଠ ଦର୍ଶନ ଶାସ୍ତ୍ରରେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିବା ପରେ, ଫିରିଙ୍ଗି ସରକାରଙ୍କ ଅଧିନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ପ୍ରତ୍ୟାଖ୍ୟାନ କରି ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ ।

ଓଡ଼ିଆ ଭାଷାକୁ ବାକି ପଡ଼ୋଶୀ ଭାଷାଭାଷି ମାନଙ୍କ ଆକ୍ରମଣରୁ ଅଲଗା କରି ସ୍ଵତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ସ୍ଵଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ ଓ ଏମିତି ଅନେକ କର୍ମୀ ମାନଙ୍କ ସହ ସେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆନ୍ଦୋଳନରେ ଯୋଗ ଦେଇଥିଲେ ଯାହାର ଫଳ ସ୍ୱରୂପ ୧ ଅପ୍ରେଲ ୧୯୩୬ରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଇଥିଲା ।

ପୁରା ପଢ଼ନ୍ତୁ...


ସେପଟେମ୍ବର ୨୦୧୩

ରାଧାନାଥ ରାୟ (୧୮୪୮-୧୯୦୮) ଓଡ଼ିଆ ସାହିତ୍ୟର ରୀତିଯୁଗର ଜଣେ ଓଡ଼ିଆ କବି ଥିଲେ । ସେ ତାହାଙ୍କର କାବ୍ୟକବିତା ରଚନା ନିମନ୍ତେ କବିବର ଉପାଧିରେ ଭୂଷିତ ।

ରାଧାନାଥ ରାୟ ବାଲେଶ୍ଵର ଜିଲ୍ଲାର ସୋର ଅନ୍ତର୍ଗତ କେଦାରପୁର ଗ୍ରାମରେ ୧୮୪୮ ସାଲ ସେପ୍ଟେମ୍ବର ମାସ ୨୮ ତାରିଖରେ, ସୁନ୍ଦରନାରାୟଣ ରାୟ ଓ ତାରିଣୀ ଦାସୀଙ୍କର ଜ୍ୟେଷ୍ଠ ସନ୍ତାନ ରୂପେ ଜନ୍ମ ଗ୍ରହଣ କରିଥିଲେ । ସୋରଠାରେ ନୂଆକରି ତିଆରି ହୋଇଥିବା ଭର୍ଣ୍ଣାକୁଲାର ବିଦ୍ୟାଳୟରେ ରାଧାନାଥ ପାଠପଢ଼ା ଆରମ୍ଭ କରିଥିଲେ । କଲିକତା ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ବୃତ୍ତି ଲାଭ କରି ପ୍ରେସିଡେନ୍ସି କଲେଜରେ ଏଫ୍. ଏ. ପଢ଼ିବାକୁ କଲିକତା ଯାଇଥିଲେ । ସେଠାରେ ସ୍ଵାସ୍ଥ୍ୟହାନି ଘଟିବାରୁ, ସେ ନିଜ ଯତ୍ନରେ ଘରେ ପାଠ ପଢ଼ି ଏଫ୍. ଏ. ପାସ୍ କଲେ ଓ ବି. ଏ. ପରୀକ୍ଷାରେ ସମସ୍ତ ପାଠ୍ୟବିଷୟ ନିଜ ଉଦ୍ୟମରେ ଘରେ ପଢ଼ିଲେ । ତାଙ୍କ ସାହିତ୍ୟସେବାର ଓ ଉତ୍କଳରେ ଶିକ୍ଷା ବିସ୍ତାର ପ୍ରତି ସ୍ପୃହାର ପୁରସ୍କାର ସ୍ଵରୂପ ଗଭର୍ଣ୍ଣମେଣ୍ଟ୍ ତାଙ୍କୁ ରାୟ ବାହାଦୁର୍ ଉପାଧିରେ ଭୂଷିତ କରିଥିଲେ।

ପୁରା ପଢ଼ନ୍ତୁ...


ଅକ୍ଟୋବର ୨୦୧୩

ଜୟୀ ରାଜଗୁରୁ

ଭାରତର ପ୍ରଥମ ଶହୀଦ ଜୟୀ ରାଜଗୁରୁ ୧୭୩୯ ମସିହା ଅକ୍ଟୋବର ମାସ ୨୯ ତାରିଖ (କାର୍ତ୍ତିକ ଶୁକ୍ଳ ନବମୀ) ଦିନ ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ଚାନ୍ଦ ରାଜଗୁରୁଙ୍କ ଅନ୍ତେ ସେ ଖୋରଧା ରାଜା ଦିବ୍ୟସିଂହ ଦେବ(ଦ୍ୱିତୀୟ)ଙ୍କ ରାଜ ସଭାରେ ରାଜଗୁରୁ ତଥା ମନ୍ତ୍ରୀ ଭାବରେ ପ୍ରତିଷ୍ଠିତ ହୋଇଥିଲେ। ଏହା ପରଠାରୁ ସେ ଜୟୀ ରାଜଗୁରୁ ରୂପେ ପରିଚିତ ହେଲେ। ରାଜ୍ୟରେ ବିଭିନ୍ନ ପ୍ରକାରର ଦୁଃସ୍ଥିତି, ଅରାଜକତା ଓ ଦୁର୍ଭିକ୍ଷ ସମୟରେ ରାଜା ଦିବ୍ୟସିଂହ ଦେବ(ଦ୍ୱିତୀୟ) ଦେହତ୍ୟାଗ କରିଥିଲେ। ତାଙ୍କ ଅନ୍ତେ ତାଙ୍କ ନାବାଳକ ପୁତ୍ର ମୁକୁନ୍ଦଦେବ (ଦ୍ୱିତୀୟ)ଙ୍କୁ ସିଂହାସନରେ ବସାଇ ସେ ୧୭୯୮ରେ ପ୍ରକୃତରେ ରାଜକାର୍ଯ୍ୟ ନିଜ ହାତକୁ ନେଇଥିଲେ। ଓଡ଼ିଶାକୁ ବହିର୍ଶତୃ ଆକ୍ରମଣରୁ ରକ୍ଷା କରିବାପାଇଁ ସେ ବରୁଣାଇ ଗଡ଼କୁ ସୁଦୃଢ଼ କରିଥିଲେ। ସେହିଠାରେ ବାସକରି ସେ ଖୋରଧା ଅଞ୍ଚଳରେ ପାଇକ ଜାଗରଣର ଚେଷ୍ଟା କରିଥିଲେ।

ପୁରା ପଢ଼ନ୍ତୁ...


ନଭେମ୍ବର ୨୦୧୩

ମନୋରମା ବିଶ୍ଵାଳ ମହାପାତ୍ର ଜଣେ ଓଡ଼ିଆ ଗାଳ୍ପିକା, କବି, ଔପନ୍ୟାସିକା ଓ ଶିଶୁସାହିତ୍ୟିକା । କବି ମନୋରମା ଓଡ଼ିଶାର ବାଲେଶ୍ଵର ଜିଲ୍ଲାରେ ଥିବା ଜଗାଇ ଗାଁରେ ନଭେମ୍ବର ୨୭, ୧୯୪୮ରେ ଜନ୍ମଗ୍ରହଣ କରିଥିଲେ। ସେ ନବମ ଶ୍ରେଣୀରେ ପାଠ ପଢୁଥିବା ସମୟରେ, ତାଙ୍କ ରଚିତ ପ୍ରଥମ କବିତା ସଂକଳନ 'କିଶଳୟ' ପ୍ରକାଶ ପାଇଥିଲା । ଓଡ଼ିଆ ସାହିତ୍ୟରେ ନାରୀ ଓ ନାରୀପଣକୁ କେନ୍ଦ୍ର କରି ଗଢ଼ିଉଠିଥିବା ଅନେକ ସାହିତ୍ୟ ସେ ତିଆରି କରିଛନ୍ତି ।

ସେ କଲିକତାର ଶାନ୍ତିନିକେତନ ଠାରେ ଶିକ୍ଷାଲାଭ କରିଥିଲେ। ସେ ଭୁବନେଶ୍ଵରର ବି.ଜେ.ବି ମହାବିଦ୍ୟାଳୟରେ ପ୍ରାଧ୍ୟାପିକା ଭାବରେ କାମ କରିଥିଲେ । ଗୀତିକାର ଭାବରେ ମନୋରମା ବିଶ୍ଵାଳ ମହାପାତ୍ରଙ୍କର 'ଅଧାଲେଖା ଚିଠି' ନାମରେ ଏକ ଆଲବମ ପ୍ରସ୍ତୁତ ହୋଇ ଖୁବ ଲୋକପ୍ରିୟ ହୋଇପାରିଛି। ତାଙ୍କ କବିତା ସଙ୍କଳନକୁ ତାମିଲ ଭାଷାରେ ଅନୁବାଦ କରି, ବିଶିଷ୍ଟ ଅନୁବାଦକ ଇନ୍ଦ୍ରନ (ବି.ଜି.ରାଜେନ୍ଦ୍ରନ) ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।


ପୁରା ପଢନ୍ତୁ...


ଡିସେମ୍ବର ୨୦୧୩
ଧ୍ୟାନଚାନ୍ଦ

ମେଜର ଧ୍ୟାନଚାନ୍ଦ ସିଂହ ବିଶ୍ଵ ହକିରେ ଯାଦୁଗର ଓ କିମ୍ବଦନ୍ତୀ। ତାଙ୍କର ଅସାଧାରଣ ହକିଷ୍ଟିକ ଚାଳନା ବଳରେ ଭାରତ ଏକଦା ବିଶ୍ଵ ହକିରେ ଆଧିପତ୍ୟ ବିସ୍ତାର କରିଥିଲା। ୧୯୦୫ ମସିହା ଅଗଷ୍ଟ ୨୯ ତାରିଖରେ ଉତ୍ତର ପ୍ରଦେଶର ଆହ୍ଲାବାଦ (ପ୍ରୟାଗ) ଠାରେ ଏକ ରାଜପୁତ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ୧୯୨୮ରେ ନେଦରଲାଣ୍ତରେ ଆୟୋଜିତ ଅଲିମ୍ପିକ୍ସ, ୧୯୩୨ରେ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ଓ ୧୯୩୬ରେ ବର୍ଲିନ ଅଲିମ୍ପିକ୍ସରେ ଭାରତକୁ ସ୍ଵର୍ଣ୍ଣପଦକ ବିଜୟୀ କରାଇବାରେ ଧ୍ୟାନଚାନ୍ଦଙ୍କ ଭୂମିକା ଅବିସ୍ମରଣୀୟ । ୧୯୨୬ ରୁ ଆରମ୍ଭ କରି ୧୯୪୮ ରେ ଅବସର ନେବା ମଧ୍ୟରେ ଏକ ହଜାର ରୁ ଅଧିକ ଗୋଲ ସ୍କୋର କରିଥିଲେ। ତାଙ୍କ ଜନ୍ମଦିନ ଅଗଷ୍ଟ ୨୯ କୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଉଅଛି ।


ପୁରା ପଢ଼ନ୍ତୁ...