ମୁଖ୍ୟ ସୂଚୀ ଦେଖିବେ

ଗୋପବନ୍ଧୁ ଦାସ

ସ୍ଵାଧୀନତା ସଂଗ୍ରାମୀ, କବି, ଲେଖକ

ଗୋପବନ୍ଧୁ ଦାସ (୧୮୭୭–୧୯୨୮) ଉତ୍କଳମଣି (ଓଡ଼ିଶାର ମଣି) ନାମରେ ଖ୍ୟାତ । ଓଡ଼ିଶାର ଜଣେ ସ୍ୱାଧିନତା ସଂଗ୍ରାମୀ, କବି, ଲେଖକ ଓ ଦୈନିକ ଖବର କାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ ।[୨]

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ
Kolkata Dharmatal4.jpg
ସତ୍ୟବାଦୀ ଯୁଗର ପୁରୋଧା
ଜନ୍ମ ଓ ଜନ୍ମସ୍ଥାନ୯ ଅକ୍ଟୋବର ୧୮୭୭(1877-10-09)
ସୁଆଣ୍ଡୋ, ପୁରୀ
ମୃତ୍ୟୁ୧୭ ଜୁନ ୧୯୨୮ (୫୦ ବର୍ଷ)
ସମାଧି  ସ୍ଥଳସତ୍ୟବାଦୀ
ଜାତୀୟତା ଭାରତୀୟ
ଅଲଗା ନାଆଁସ୍ୱଦେଶହିତୈଷୀ, ପଣ୍ତିତ ଗୋପବନ୍ଧୁ [୧]
ଶିକ୍ଷାବି.ଏଲ.
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପ୍ରସିଦ୍ଧିସ୍ୱାଧୀନତା ସଂଗ୍ରାମୀ, କବି,
'ସମାଜ'ର ପ୍ରତିଷ୍ଠାତା
ଜୀବନସାଥିଅପତୀ ଦେବୀ
ବାପା ବୋଉଦୈତାରି ଦାସ
ସ୍ୱର୍ଣ୍ଣମୟୀ ଦେବୀ

ପିଲାବେଳ ଓ ଛାତ୍ରାବସ୍ଥାସମ୍ପାଦନ କରନ୍ତୁ

ଗୋପବନ୍ଧୁ, ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ମାତାଙ୍କ ମୃତ୍ୟୁ ପରେ, ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହେଲା, ଯାହଙ୍କ ଠାରୁ ପରେ ସେ ଦେଶ ସେବାର ଶିକ୍ଷା ପାଇଲେ । ଗୋପବନ୍ଧୁଙ୍କଦ୍ୱାରା ହିଁ ପୁରୀରେ ସେତେବେଳେ, ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରାଯାଇଥିଲା । ପୁରୀ ସେବା ସମିତି ଗଠନ କରି, ସେ ଆପଣା ଜୀବନକୁ ବିପନ୍ନ କରି

             ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ 

ପଣ୍ଡିତେ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠ ପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ । ଏହି ସମୟରେ ତାଙ୍କର ପିତୃବିୟୋଗ ଘଟିଥିଲା । କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, 'କର୍ତବ୍ୟ ବୋଧିନୀ ସମିତି' ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ । ତାଙ୍କର ଆହ୍ୱାନ ଥିଲା, 'ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ ।' ରମ୍ଭାଠାରେ ରାମଚନ୍ଦ୍ର ଦାଶ ଓ ଗୋପବନ୍ଧୁଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ୧୯୦୩ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ରସନ୍ତାନଟିର ମୃତ୍ୟୁ ଘଟିଥିଲା । ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ୱେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ କଲିକତାରେ ବିଏଲ ପଢ଼ିଲେ ।[୩] ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ 'ଓଡ଼ିଆ ଶ୍ରମିକ ସଂଘ' ଓ 'ସାନ୍ଧ୍ୟ ବିଦ୍ୟାଳୟ' ପ୍ରତିଷ୍ଠା କରିଥିଲେ । ଇତି ମଧ୍ୟରେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରିକି, ଯେଉଁଦିନ ସେ ବିଏଲ ପାସ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା । ଏତେ ସବୁ ଦୁଃଖ କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରିପାରିନଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା ।

କର୍ମଜୀବନସମ୍ପାଦନ କରନ୍ତୁ

ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ । ଭକ୍ତକବି, ମଧୁସୂଦନ ରାଓଙ୍କ ନିଷ୍ପତି କ୍ରମେ, ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା ।[୪] ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା । ସେ ଚୁଡ଼ା, ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିଥିଲେ ।

ସମାଜ ସମ୍ବାଦପତ୍ର , ଓଡ଼ିଆ ଜାତି ପାଇଁ ଏକ ଅନୁଷ୍ଠାନସମ୍ପାଦନ କରନ୍ତୁ

ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବାର ଅଭିପ୍ରାୟରେ, ଗୋପବନ୍ଧୁ ୧୯୧୯ ଅକ୍ଟୋବର ମାସ ୪ ତାରିଖ, ଦଶହରା ତିଥିରେ ପ୍ରକାଶ କଲେ 'ସାପ୍ତାହିକ ସମାଜ' ।[୫] ପ୍ରଥମେ ଏହା ସତ୍ୟବାଦୀରୁ, ୧୯୨୪ ମସିହାରେ ପୁରୀରୁ ଓ ୧୯୨୭ ମସିହାରେ କଟକରୁ ପ୍ରକାଶିତ ହେଉଥିଲା । 'ସମାଜ'ର ପ୍ରଥମ ସମ୍ପାଦକୀୟରେ, ମାନବବାଦୀ ଗୋପବନ୍ଧୁ ସମାଜର ସକଳ ଶ୍ରେଣୀ ମାନବଙ୍କର ସ୍ନେହ, ପ୍ରୀତି ଓ ସଦିଚ୍ଛା କାମନା କରିଥିଲେ । ୧୯୩୦ରେ 'ସାପ୍ତାହିକ ସମାଜ', 'ଦୈନିକ ସମାଜ'ରେ ପରିଣତ ହୋଇଥିଲା । 'ସମାଜ'ରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ନିର୍ଭୀକ ସମ୍ବାଦ ପରିବେଷଣ କରି, ସେ ୧୯୨୨ ମସିହାରେ କାରାବରଣ କରିଥିଲେ । କାରାଗାରରେ ତାଙ୍କ ଲେଖନୀରୁ ନିଃସୃତ ହୋଇଥିଲା 'କାରାକବିତା' ଓ 'ବନ୍ଦୀର ଆତ୍ମକଥା' । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ବିଶାଳ ସମ୍ବର୍ଦ୍ଧନା ସଭାରେ, ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ 'ଉତ୍କଳମଣି' ବୋଲି ସମ୍ବୋଧନ କରିଥିଲେ ।[୬] ସମବେତ ଜନତା କରତାଳି ମାଧ୍ୟମରେ ଏହି ଉପାଧିକୁ ସ୍ୱିକୃତି ଦେଇଥିଲେ । ଗୋପବନ୍ଧୁଙ୍କ ସେବା, ତ୍ୟାଗ ଓ ଦରଦୀ ହୃଦୟରେ ପ୍ରୀତ ହୋଇ, ଲାଲା ଲାଜପତ ରାୟ, ତାଙ୍କୁ ଲୋକସେବକ ମଣ୍ଡଳର ସଦସ୍ୟ ରୂପେ ଗ୍ରହଣ କରିଥିଲେ । ପରେ, ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ ।

ଗୋପବନ୍ଧୁଙ୍କ ଅନ୍ତିମ ଜୀବନସମ୍ପାଦନ କରନ୍ତୁ

୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ, ଲାହୋର ଯିବାବାଟରେ, ଗୋପବନ୍ଧୁ କଲିକତାଠାରେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ମୃତ୍ୟୁ ପୂର୍ବରୁ, ସେ ନିଜର ଇଚ୍ଛାପତ୍ରରେ, 'ସମାଜ' ଓ 'ସତ୍ୟବାଦୀ ପ୍ରେସ'ର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ । ଇଚ୍ଛାପତ୍ର ସମ୍ପାଦନର ଦୁଇ ଘଣ୍ଟାପରେ ୧୯୨୮ ମସିହା ଜୁନ ୧୭ ତାରିଖ, ରବିବାର ସନ୍ଧ୍ୟା ଘ.୭-୨୫ମିନିଟରେ, ଗୋପବନ୍ଧୁ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।[୭][୮]

ରାଜନୀତି ଜୀବନସମ୍ପାଦନ କରନ୍ତୁ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରରୋଚନାରେ ଗୋପବନ୍ଧୁ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ ମସିହାରେ ଗୋପବନ୍ଧୁ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ।

ସାହିତ୍ୟ ସର୍ଜନାସମ୍ପାଦନ କରନ୍ତୁ

  • ଅବକାଶ ଚିନ୍ତା (୧୮୯୯)
  • କାରାକବିତା
  • ବନ୍ଦୀର ଆତ୍ମକଥା
  • ଧର୍ମପଦ
  • ବ୍ରହ୍ମତତ୍ତ୍ବ ବା ନଚିକେତା ଉପାଖ୍ୟାନ
  • ଗୋମହାତ୍ମ୍ୟ
  • (ପ୍ରବନ୍ଧ) ଓଡ଼ିଆର ଜାତୀୟତା

ଗୋପବନ୍ଧୁଙ୍କ ଲେଖନୀରୁସମ୍ପାଦନ କରନ୍ତୁ

  • ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ |
  • ଗୁଣ ଥିଲେ ରୂପରେ କି ଅଛି ପ୍ରୟୋଜନ
ରୂପ ଅଟଇ କେବଳ ବାହ୍ୟ ଆବରଣ ।
  • ନ ହୋଇ ବ୍ୟାକୁଳ ଗ୍ରାମହିତେ କୁଳ,
ବରଜନ୍ତି ସାଧୁଜନ,
ଦେଶହିତେ ଗ୍ରାମ, ଜଗତ କଲ୍ୟାଣ,
କର ଦେଶ ବିସର୍ଜନ ।
  • କାପୁରୁଷ ପରି ମରିବା ଜଗତେ,
ନୁହେଁ ନର-ପଉରୁଷ
ପରହିତ ସାଧି ମରେ ଯେ ମହୀରେ,
ସେହି ଏକା ସୁପୁରୁଷ ।
  • ଏ ଜଗତେ କାହା ପୁଅ ବା କାହାର,
ସମସ୍ତେ ମାୟା ଭିଆଣ
ସାର୍ଥକ ଜନମ ତାର ଏକା ସିନା,
ପରହିତେ ଯାର ପ୍ରାଣ ।
                 ଲେଖକ- ଗୋପବନ୍ଧୁ ଦାସ

ଆଧାରସମ୍ପାଦନ କରନ୍ତୁ

  1. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 14 April 2013. ସ୍ୱଦେଶହିତୈଷୀ ପଣ୍ତିତ ଗୋପବନ୍ଧୁ ଏହି ନାମରେ ପରିଚିତ ହୋଇଥିଲେ
  2. http://thesamaja.com/home.php
  3. "UTKALAMANI PUNDIT GOPABANDHU DAS". 123orissa.com. Retrieved 9 October 2012. He passed his B.A from Revenshaw College in 1904 and later passed B.L. from Calcutta University in 1906.
  4. "An experiment in nationalist education: Satyavadi school in Orissa(1909-1926) (Krishan Shri) - Academia.edu". academia.edu. 2012. Retrieved 20 June 2012. Satyavadi was a uniqueexperimental school in the history of modern Orissa. Establishedby Gopabandhu Das (1877-1928),
  5. "Biography of Utkalmani Gopabandhu Das | Biography | Knowledge Hub". publishyourarticles.org. 2012. Retrieved 23 May 2012. He started the newspaper Samaja
  6. Biswal, Chandra Sekhar. "UTKALAMANI PANDIT GOPABANDHU DAS". talentodisha.com. Retrieved 9 October 2012. Acharya Prafulla Chandra Ray on 28.6.1924 the veteran scientist and patriot of Bengal assigned the title of Utkalamani, (Jewel of Utakala) to his name.
  7. "Utkalmani Gopabandhu Das". odisha360.com. 2009. Retrieved 23 May 2012. He died on 17th June, 1928
  8. ଦୈନିକ ସମାଜ ୦୯/୧୦/୨୦୧୨ରେ ପ୍ରକାଶିତ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଲେଖା

ଅଧିକ ତଥ୍ୟସମ୍ପାଦନ କରନ୍ତୁ