ରାଧାନାଥ ରାୟ

ଓଡ଼ିଆ କବି କବିବର ରାଧାନାଥରାୟ
(ରାଧାନାଥ ରାଏରୁ ଲେଉଟି ଆସିଛି)

କବିବର ରାଧାନାଥ ରାୟ (୧୮୪୮-୧୯୦୮) ଜଣେ ଭାରତୀୟ ଓଡ଼ିଆ ସାହିତ୍ୟିକ ଥିଲେ ଏବଂ ସେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା ଭାବରେ ପରିଚିତ ।[]

କବିବର ରାଧାନାଥ ରାୟ
କବିବର ରାଧାନାଥ ରାୟ
କବିବର ରାଧାନାଥ ରାୟ
ଜନ୍ମ ଓ ଜନ୍ମସ୍ଥାନ(1848-09-28)୨୮ ସେପ୍ଟେମ୍ବର ୧୮୪୮
କେଦାରପୁର, ସୋର, ବାଲେଶ୍ୱର
ମୃତ୍ୟୁ୧୭ ଅପ୍ରେଲ ୧୯୦୮(1908-04-17) (ବୟସ ୫୯)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାଏଫ. ଏ
ଶିକ୍ଷାନୁଷ୍ଠାନପ୍ରେସିଡେନ୍ସି କଲେଜ, କଲିକତା
ସମୟଆଧୁନିକ ଯୁଗ
ସାହିତ୍ୟ କୃତିଚିଲିକା ଖଣ୍ଡକାବ୍ୟ
ଜୀବନସାଥୀପରଶମଣୀ
ସନ୍ତାନଶଶି ଭୂଷଣ, ରଜନୀ ଭୂଷଣ

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ରାଧାନାଥ ରାୟ ଓଡ଼ିଶାର ବାଲେଶ୍ବର ଜିଲ୍ଲାର ସୋର ଅନ୍ତର୍ଗତ କେଦାରପୁର ଗ୍ରାମରେ ୨୮ ସେପ୍ଟେମ୍ବର ୧୮୪୮ (ଆଶ୍ୱିନ ପନ୍ଦରଦିନ, ୧୭୭୧ ଶକାବ୍ଦ) ତାରିଖରେ ସୁନ୍ଦରନାରାୟଣ ରାୟ ଓ ତାରିଣୀ ଦାସୀଙ୍କ ଜ୍ୟେଷ୍ଠ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ । ସୁନ୍ଦରନାରାୟଣ ଥିଲେ ଦକ୍ଷିଣ ଭାରତୀୟ କାୟସ୍ଥ ଓ ତାଙ୍କ ପୂର୍ବପୁରୁଷ ମେଦିନୀପୁର ଅନ୍ତର୍ଗତ ରାଧାନଗର ଗ୍ରାମରୁ ଆସିଥିଲେ । ତାଙ୍କର ବଂଶଗତ ଉପାଧି ଥିଲା ଦେ । ସୁନ୍ଦରନାରାୟଣ ବାଲେଶ୍ୱର କଲେକ୍ଟୋରେଟ୍‌ରେ ସଦର କାନୁନଗୋ ଥିଲେ । ଅଳ୍ପ ବର୍ଷ ବୟସରେ ତାରିଣୀ ଦାସୀଙ୍କ ଦେହାନ୍ତ ହୋଇଥିଲା । ରାଧାନାଥ ପିଲାବେଳରୁ ରୋଗୀଣା ଥିବାରୁ ଅନେକ ବର୍ଷ ଚିକିତ୍ସାରେ କଟିଥିଲା । ସେ ବାଲେଶ୍ୱର ଜିଲ୍ଲାସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେତେବେଳେ କଟକରେ ଉଚ୍ଚତର ଶିକ୍ଷା ନିମନ୍ତେ କଲେଜ ନଥିବାରୁ କଲିକତାକୁ ଏଫ୍.ଏ. ପଢ଼ିବାକୁ ଯାଇଲେ । ତେବେ ସେଠାରେ ରୋଗରେ ପୀଡ଼ିତ ହୋଇ ଉଚ୍ଚଶିକ୍ଷା ବନ୍ଦ କରି ଓଡ଼ିଶାକୁ ଫେରିଆସିଥିଲେ । କିଛିଦିନ ପରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ମାସିକ ତିନି ଟଙ୍କା ବେତନରେ ତୃତୀୟ ଶିକ୍ଷକ ପଦରେ ନିଯୁକ୍ତ ହୋଇଥିଲେ । କଲେଜରେ ପଢ଼ିବା ସୁବିଧା ଆଉ ନଘଟିବାରୁ ସେ ନିଜେ ଘରେ ପାଠ ପଢ଼ି ଏଫ୍.ଏ. ପାସ୍ କରିଥିଲେ ଓ ବି.ଏ. ପରୀକ୍ଷାରେ ସମସ୍ତ ପାଠ୍ୟ ନିଜ ଉଦ୍ୟମରେ ଘରେ ପଢ଼ିଥିଲେ । ସଦାଶିବ ନନ୍ଦଙ୍କ ପାଖରେ ରାଧାନାଥ, ଫକୀର ମୋହନ ସେନାପତିଙ୍କ ସହିତ ସଂସ୍କୃତ କାବ୍ୟ ନାଟକାଦି ଅଧ୍ୟୟନ କରିଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ରାଧାନାଥ ପାଞ୍ଚ ବର୍ଷକାଳ ଚାକିରୀ କରିଥିଲେ । ଏହି ସମୟରେ ରେମୁଣାର ଚନ୍ଦ୍ରମୋହନ ଆଦିତ୍ୟଙ୍କ କନ୍ୟା ପରଶମଣିଙ୍କୁ ସେ ବିବାହ କରିଥିଲେ । ଏହାପରେ ସେ ଦ୍ୱିତୀୟ ଶିକ୍ଷକ ପଦରେ ପୁରୀ ଜିଲ୍ଲାସ୍କୁଲକୁ ବଦଳି ହେଲେ । ସେଠାରେ ମଧୁସୂଦନ ରାଓ ତାଙ୍କର ଛାତ୍ର ଥିଲେ । ପୁରୀରୁ ସେ ପୁଣି ବାଙ୍କୁଡ଼ାକୁ ବଦଳି ହେଲେ ଓ ସେଠାରୁ ୧୮୭୬ରେ ସ୍କୁଲ ବିଭାଗୀୟ ଡ଼େପୁଟି ଇନ୍ସପେକ୍ଟର ପଦରେ ବାଲେଶ୍ୱର ଜିଲ୍ଲାକୁ ଫେରିଆସିଲେ । ତାଙ୍କ ସାହିତ୍ୟ ରଚନା ଓ ଓଡ଼ିଶାର ଶିକ୍ଷା ବିସ୍ତାର ନିମନ୍ତେ ବ୍ରିଟିଶ ସରକାର ତରଫରୁ ରାୟ ବାହାଦୁର ଉପାଧି ପାଇଥିଲେ । ଗଡ଼ଜାତ ଭ୍ରମଣରୁ ଫେରି ଜ୍ୱରରେ ଆକ୍ରାନ୍ତ ହୋଇ ସେ ୧୯୦୮ ଅପ୍ରେଲ ୧୭ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ଜୀବନପଞ୍ଜିକା

ସମ୍ପାଦନା
  • ୧୮୪୮ - ଜନ୍ମ
  • ୧୮୫୨ - ଭାଇ ଯଦୁନାଥଙ୍କ ଜନ୍ମ ; ଯଦୁନାଥ, ରାଧାନାଥଙ୍କ ଏକ ମାତ୍ର ସହୋଦର ଥିଲେ
  • ୧୮୫୩ - ମାତା ତାରିଣୀ ଦାସୀଙ୍କ ପରଲୋକ
  • ୧୮୫୪ - ସୁନ୍ଦରନାରାୟଣଙ୍କ ରୂପଦାସୀଙ୍କୁ ଦ୍ୱିତୀୟ ବିବାହ
  • ୧୮୫୬ - ସୋରଠାରେ ନୂଆକରି ତିଆରି ହୋଇଥିବା ଭର୍ଣ୍ଣାକୁଲାର ବିଦ୍ୟାଳୟରେ ରାଧାନାଥଙ୍କ ପ୍ରବେଶ
  • ୧୮୫୭ - ରାଧାନାଥ କାଶରୋଗରେ ଆକ୍ରାନ୍ତ ; ଚିକିତ୍ସା ପାଇଁ ସୁନ୍ଦରନାରାୟଣ ତାଙ୍କୁ ବାଲେଶ୍ୱର ନେଇଆସିଲେ
  • ୧୮୫୮ - ରାଧାନାଥଙ୍କ ବାଲେଶ୍ୱର ହାଇସ୍କୁଲରେ (ଫେବୃଆରୀ) ଷଷ୍ଠ ଶ୍ରେଣୀର ଛାତ୍ର ଭାବେ ଯୋଗଦାନ; ଜଣେ ମୁସଲମାନ ଆଖୁଁଜିଙ୍କଠାରୁ ପାର୍ସି ଓ ଉର୍ଦ୍ଦୁ ଶିକ୍ଷା; ଏହି ବର୍ଷ ସ୍ୱଳ୍ପକାଳ ପାଇଁ ଗୌରୀଶଙ୍କର ରାୟ ତାଙ୍କ ଶିକ୍ଷକ ଥିଲେ
  • ୧୮୬୪ - କଲିକତା ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚଉଦ ଟଙ୍କା ସରକାରୀ ବୃତ୍ତି ଲାଭ (ଜାନୁଆରୀ); ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ ଲାଗି କଲିକତା ଗଲେ କିନ୍ତୁ ଅର୍ଥାଭାବ, ରୋଗଜନିତ ପୀଡ଼ା ଓ ଅନ୍ୟାନ୍ୟ କାରଣରୁ ଫେରିଆସିଲେ; ୧-ମଇରେ, ବାଲେଶ୍ୱର ଜିଲ୍ଲା ସ୍କୁଲରେ ତୃତୀୟ ଶିକ୍ଷକ ରୂପେ ୩୦ ଟଙ୍କା ବେତନରେ ଯୋଗଦାନ ଓ ୨୬-ଜୁନରେ ସେହି ପଦବୀରେ ସ୍ଥାୟୀ ହେଲେ
  • ୧୮୬୫-୬୬ - ସେ ସମୟରେ ଫକୀରମୋହନ ବାଲେଶ୍ୱର ମିଶନ ସ୍କୁଲର ହେଡ଼ମାଷ୍ଟର ଥିଲେ ; ମଧୁସୂଦନ ଦାସ, ରାଧାନାଥଙ୍କ ସହକର୍ମୀ ଥିଲେ ; ତେଣୁ ସେ ଉଭୟଙ୍କ ସହ ଘନିଷ୍ଟ ସଂସ୍ପର୍ଶରେ ଆସିଥିଲେ
  • ୧୮୬୬ - ଉତ୍କଳ ଦୀପିକା ସାପ୍ତାହିକ ସମ୍ବାଦ ପତ୍ରର ପ୍ରକାଶ; ନଅଙ୍କ ଦୁର୍ଭିକ୍ଷ
  • ୧୮୬୮ - ବୋଧଦାୟିନୀବାଲେଶ୍ୱର ସମ୍ବାଦବାହିକାର ପ୍ରକାଶ; ରାଧାନାଥଙ୍କ ମେଘଦୂତର କେତେକାଂଶ ବୋଧଦାୟିନୀରେ ପ୍ରକାଶିତ
  • ୧୮୬୯ - ଓଡ଼ିଶାର ବିଦ୍ୟାଳୟ ଗୁଡିକରେ ଓଡ଼ିଆ ଭାଷା ଓ ସାହିତ୍ୟ ପଢ଼ା ହେବା ପାଇଁ ସରକାରୀ ଆଦେଶ; ଘୋରାଇ ପରୀକ୍ଷାର୍ଥୀ ଭାବରେ ରାଧାନାଥ ଏଲ.ଏ. (ଏଫ୍.ଏ) ପରୀକ୍ଷାରେ ଉତ୍ତୀର୍ଣ୍ଣ[] ପଦୋନ୍ନତି ପାଇ ଦ୍ୱିତୀୟ ଶିକ୍ଷକ ଭାବେ ପୁରୀ ଜିଲ୍ଲା ସ୍କୁଲରେ ଯୋଗଦାନ (ଜାନୁଆରୀ); ସେତେବେଳେ ସେଠାରେ ମଧୁସୂଦନ ରାଓ ପ୍ରଥମ ଶ୍ରେଣୀ (ଏକାଦଶ ବର୍ଷ ଶ୍ରେଣୀ)ର ଛାତ୍ର
  • ୧୮୭୦ - ପରଶମଣିଙ୍କ ସହ ରାଧାନାଥଙ୍କ ବିବାହ (ରାଧାନାଥଙ୍କ ଶ୍ୱଶୁର ଚନ୍ଦ୍ରମୋହନ ଆଦିତ୍ୟ ରେମୁଣା ନିବାସୀ ଥିଲେ)
  • ୧୮୭୨ - ପୁରୀ ଜିଲ୍ଲା ସ୍କୁଲରୁ ବଦଳି ହୋଇ ବାଙ୍କୁଡା ସ୍କୁଲରେ ଦ୍ୱିତୀୟ ଶିକ୍ଷକ ରୂପେ ଯୋଗଦାନ (ଜାନୁଆରୀ ୧୦); ପଦୋନ୍ନତି ଲାଭକରି ତୃତୀୟ ଶ୍ରେଣୀର ଡେପୁଟି ଇନ୍‌ସ୍‌ପେକ୍ଟର ଭାବେ ଯୋଗଦାନ (ଜୁନ ୨୬); ନିଜ ପୁରୁଣା ଛାତ୍ର ମଧୁସୂଦନ ରାଓ ସେତେବେଳେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକ ଥିବାରୁ ପୁଣି ଘନିଷ୍ଠତା ବଢିଲା
  • ୧୮୭୩ - କୁମାର ବୈକୁଣ୍ଠନାଥ ଦେଙ୍କଦ୍ୱାରା 'ଉତ୍କଳ-ଦର୍ପଣ' ପତ୍ରିକାର ପ୍ରକାଶ (ଜାନୁୟାରୀ)[] ରାଧାନାଥଙ୍କ ପିତା ସୁନ୍ଦରନାରାୟଣଙ୍କ ବିସୂଚିକା ରୋଗରେ ଦେହାନ୍ତ (ଜୁଲାଇ ୨୧)
  • ୧୮୭୬ - ଜ୍ୟେଷ୍ଠପୁତ୍ର ଶଶିଭୂଷଣଙ୍କ ଜନ୍ମ
  • ୧୮୭୭ - ରାଧାନାଥ, ଜଏଣ୍ଟ ଇନ୍‌ସ୍‌ପେକ୍ଟର ପଦବୀକୁ ଉନ୍ନୀତ
  • ୧୮୭୮ - କନିଷ୍ଠପୁତ୍ର ରଜନୀଭୂଷଣଙ୍କ ଜନ୍ମ
  • ୧୮୮୦ - ରାଧାନାଥଙ୍କ ଏକ ମାତ୍ର ଭଗିନୀ ସ୍ୱର୍ଣ୍ଣମୟୀଙ୍କର କଉପୁରର ଜମିଦାର ଗୋବିନ୍ଦବଲ୍ଲଭ ରାୟଙ୍କ ସହ ବିବାହ
  • ୧୯୦୮: ମୃତ୍ୟୁ[]

ରଚନାବଳୀ

ସମ୍ପାଦନା

ରାଧାନାଥ ପ୍ରଥମେ ବଙ୍ଗଳାରେ ସାହିତ୍ୟ ରଚନା ଆରମ୍ଭ କରି କବିତା ଲେଖୁଥିଲେ । ବଙ୍ଗଳା ସାହିତ୍ୟିକ ଭୂଦେବ ମୁଖପାଧ୍ୟାୟଙ୍କ ପ୍ରରୋଚନାରେ ସେ ଓଡ଼ିଆରେ ଲେଖିବା ଆରମ୍ଭ କରିଥିଲେ । ସେ ଏକ ମସିଣାରେ ବସି ଏକ ବାକ୍ସ ଉପରେ ଲେଖୁଥିଲେ । ତାଙ୍କ ରଚନାରେ ଓଡ଼ିଶାର ପ୍ରାକୃତିକ ଦୃଶ୍ୟ ଓ ଐତିହାସିକ ବିଷୟ ସ୍ଥାନୀତ ।[] ତାଙ୍କର ଖଣ୍ଡିଏ ଗଦ୍ୟ ଉପନ୍ୟାସ ଇତାଲୀୟ ଯୁବାବିବେକୀ ନାମକ ପ୍ରବନ୍ଧ ଏବଂ କେତେଗୁଡ଼ିଏ ପାଠ୍ୟ ପୁସ୍ତକ ଛଡ଼ା ଆଉ ସବୁ ପଦ୍ୟରଚନା । ୧୮୭୩ରେ ପ୍ରକାଶିତ ବିବେକୀ ତାଙ୍କର ପ୍ରଥମ ଓଡ଼ିଆ ସୃଷ୍ଟି ଏବଂ ଏହା ଏକ ଦୀର୍ଘ ପ୍ରବନ୍ଧ ତଥା ପ୍ରଥମ ଓଡ଼ିଆ ପ୍ରବନ୍ଧ ।[] ପାଶ୍ଚାତ୍ୟ ସାହିତ୍ୟଦ୍ୱାରା ଅନୁପ୍ରାଣିତ ହୋଇ ସେ ୧୮୭୩ ମସିହାରେ ଇତାଲୀୟଯୁବା ନାମକ ଏକ ବିଦେଶୀ ଗଳ୍ପର ରୂପାନ୍ତର କରିଥିଲେ । ଏହି ପ୍ରେମ ମୂଳକ ଗଳ୍ପଟି ପ୍ରଥମେ ଉତ୍କଳ ଦର୍ପଣ ପତ୍ରିକାରେ ପ୍ରକାଶ ପାଇଥିଲା । ସେ ପ୍ରାଚ୍ୟ-ପାଶ୍ଚାତ୍ୟ ସମନ୍ୱୟମୂଳକ ଆହୁରି ଛଅଗୋଟି କାବ୍ୟ ରଚନା କରିଥିଲେ । ସେଥିମଧ୍ୟରୁ କେଦାରଗୌରୀ ଅନ୍ୟତମ । ଏହା ସେ ଗ୍ରୀକ କବି ଓଭିଡ଼ଙ୍କର ମେଟାମରଫସିସ୍ କାବ୍ୟର ଏକ ଗଳ୍ପ The Legend of Thisbe of Babylonର ଅବଲମ୍ବନରେ ରଚିତ ସେକ୍ସପିଅରଙ୍କ Mid Summer Night's Dream ନାଟକ Pvramus And Thisbeର ଅବଲମ୍ବନରେ ରଚନା କରିଥିଲେ । ଏଥିରେ ସେ ପାଶ୍ଚାତ୍ୟର କଥାବସ୍ତୁକୁ ଓଡ଼ିଶାର କେଦାର ଗୌରୀ ଚରିତ୍ର ସହିତ ମିଶାଇ ଭୁବନେଶ୍ୱରର କେଦାର-ଗୌରୀ ଉପାଖ୍ୟାନ ସ୍ଥାନୀତ କରିଥିଲେ । ଏହା ଏକ ଛୋଟକାବ୍ୟ । ୧୮୯୧ରେ ମସିହାରେ ସେ ଚିଲିକା ଖଣ୍ଡକାବ୍ୟ ରଚନା କରିଥିଲେ ଓ ତାହା ୧୮୯୨ରେ ଉତ୍କଳ ପ୍ରଭାରେ ପ୍ରକାଶ ପାଇଥିଲା । ଓଡ଼ିଆ ସାହତ୍ୟରେ ଦୀର୍ଘକାଳ ଧରି ପୌରାଣିକ ଆଖ୍ୟାନକୁ ଆଧାରରେ କାବ୍ୟକବିତା ରଚନା ହେଉଥିବା ବେଳେ ସେ ସଂସ୍କୃତ ସାହିତ୍ୟକୁ ଆହ୍ବାନ ଦେଇ ମୌଳିକ ଓଡ଼ିଆ ସାହିତ୍ୟରେ ପ୍ରଥମ କରି ଏହି ଖଣ୍ଡକାବ୍ୟ ରଚନା କରିଥିଲେ । ପ୍ରାକୃତିକ ଦୃଶ୍ୟ ବର୍ଣ୍ଣିତ ଏହି ଖଣ୍ଡକାବ୍ୟରେ ଚିଲିକା ହ୍ରଦକୁ ସର୍ବୋତ୍କୃଷ୍ଟ ଦେଖାଇବା ପାଇଁ ସେ ଚିଲିକାକୁ ଲକ୍ଷ୍ମୀଙ୍କ ସହ ତୁଳନା କରିଛନ୍ତି । ସେ ସଂସ୍କୃତ ଓ ଇଂରାଜୀ ସାହିତ୍ୟ ମଧ୍ୟ ରଚନା କରିଥିଲେ ।

  • କେଦାରଗୌରୀ (୧୮୮୫)
  • ଚନ୍ଦ୍ରଭାଗା (୧୮୮୬)
  • ନନ୍ଦିକେଶ୍ୱରୀ (୧୮୮୭)
  • ଉଷା (୧୮୮୮)
  • ପାର୍ବତୀ (୧୮୯୦)
  • ଚିଲିକା (୧୮୯୨)
  • ମହାଯାତ୍ରା (୧୮୯୩)
  • ଦରବାର (୧୮୯୭)
  • ତୁଳସୀ ସ୍ତବକ (୧୮୯୪)
  • ଯଯାତିକେଶରୀ (୧୮୯୪)
  • ଉର୍ବଶୀ (୧୮୯୫)
  • ଦଶରଥ ବିୟୋଗ (୧୯୦୧)
  • ଭାରତ ଗୀତିକା (୧୯୦୩)
  • ଧବଳେଶ୍ୱର ସ୍ତୋତ୍ରମ(୧୯୦୩)
  • ସାବିତ୍ରୀ ଚରିତ୍ର (୧୯୦୬)
  • ତିନିବନ୍ଧୁ (୧୮୯୮)
  • ବନ୍ଦନା (୧୯୧୧)
  • ନିବେଦନ (୧୯୧୧)
  • ପ୍ରତାପରୁଦ୍ର (୧୯୧୧)
  • ଶ୍ମଶାନ ଦୃଶ୍ୟ (୧୯୦୪)
  • ଏକାଗ୍ରତା (୧୯୦୪)
  • ଦୁର୍ଯ୍ୟେଧନର ରକ୍ତନଦୀ ସନ୍ତରଣ(୧୯୦୫)
  • ଚିଲିକାରେ ସାୟନ୍ତନ ଦୃଶ୍ୟ
  • ବାଣହରଣ
  • ସତୀ ପ୍ରତି ସତିଦ୍ରୋହି ପତିଙ୍କ ଉକ୍ତି
  • କେତୋଟି ଉପଦେଶ ବାକ୍ୟ
  • ସତ୍ୟବାଦୀ
  • ହଂସଦୂତ
  • ଫୁଲରାଣୀ
  1. https://web.archive.org/web/20091028063820/http://www.geocities.com/varnamala/editorial.html , accessed 25 December 2007
  2. ଉତ୍କଳ ଦୀପିକା, ୪|୨; ୯|୧|୧୮୬୯
  3. ଉତ୍କଳ ଦୀପିକା, ୮|୩; ୧୮|୧|୧୮୭୩
  4. ରାଧାନାଥ ଗ୍ରନ୍ଥାବଳୀ (୧୯୯୮), ପୃ ୪୪୨-୪୬୫
  5. "ଭୂଇଁରେ ଲୁଟୁଛି କବିବରଙ୍କ ଜନ୍ମ‌ପୀଠ". ସମାଜ. 17 September 2017. Retrieved 17 September 2017.[permanent dead link]
  6. "ଆଜି ଜନ୍ମଦିନ". ସମ୍ବାଦ ୨୮/୦୯/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Archived from the original on 1 October 2016. Retrieved 28 September 2016.

ବାହାର ଆଧାର

ସମ୍ପାଦନା
  • ରାଧାନାଥ ଗ୍ରନ୍ଥାବଳୀ (ପରିବର୍ଦ୍ଧିତ ନୂତନ ସଂସ୍କରଣ-୧୯୯୮ ed.). ଗ୍ରନ୍ଥମନ୍ଦିର. ୧୯୦୨. {{cite book}}: |access-date= requires |url= (help)