ଉତ୍କଳ ଦୀପିକା
ଉତ୍କଳ ଦୀପିକା ବା ସଂକ୍ଷେପରେ ଦୀପିକା ଓଡ଼ିଶାରୁ ପ୍ରକାଶିତ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ।[୧][୨] ଏହାର ପ୍ରତିଷ୍ଠାତା ଗୌରୀଶଙ୍କର ରାୟଙ୍କ ସମ୍ପାଦକତ୍ୱରେ ପତ୍ରିକାଟି ୪ ଅଗଷ୍ଟ ୧୮୬୬ ତାରିଖରେ ପ୍ରଥମେ ପ୍ରକାଶ ପାଇଥିଲା ।[୩][୪] ପ୍ରଥମେ ସାପ୍ତାହିକ ଆକାରରେ ପ୍ରକାଶିତ ପାଇ ପରେ ଏହା ଦୈନିକ ହୋଇଥିଲା । ଗୌରୀଶଙ୍କର ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକଠାରେ ପ୍ରତିଷ୍ଠିତ କଟକ ପ୍ରିଣ୍ଟିଂ କମ୍ପାନୀରୁ ଏହି ସମ୍ବାଦପତ୍ର ପ୍ରକାଶ ପାଉଥିଲା ।[୫]ଉତ୍କଳ ଦୀପିକା ତତ୍କାଳୀନ ଓଡ଼ିଶାକୁ ନୂଆ ସାମାଜିକ, ନୈତିକ ତଥା ରାଜନୈତିକ[୬] ଦିଗଦର୍ଶନ ଦେବା, ବାଲ୍ୟବିବାହ ଭଳି ପ୍ରଥାକୁ ବିରୋଧ କରିବା[୭] ଏବଂ ଓଡ଼ିଆମାନଙ୍କ ଦାବୀ ସରକାରଙ୍କ ପାଖରେ ଉପସ୍ଥାପନ କରିଥିଲା । ଗୌରୀଶଙ୍କର ନିଜ ଜୀବନର ଶେଷ ଯାଏ ଦୀପିକା ସମ୍ପାଦନା କରିଆସୁଥିଲେ ।[୮] ଏହାର ସଫଳତା ଓଡ଼ିଶାରେ ସମ୍ବାଦପତ୍ର ପ୍ରକାଶନର ମୂଳଦୁଆ ପକାଇଥିଲା ।[୯]
ପ୍ରତିଷ୍ଠାତା | ଗୌରୀଶଙ୍କର ରାୟ |
---|---|
ସମ୍ପାଦକ | ଗୌରୀଶଙ୍କର ରାୟ |
ପ୍ରତିଷ୍ଠିତ | ୧୮୬୬ |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | କଟକ |
ଇତିହାସ
ସମ୍ପାଦନା୧୮୬୫ରେ ଗୌରୀଶଙ୍କର ରାୟଙ୍କ ନେତୃତ୍ୱରେ କଟକ ପ୍ରିଣ୍ଟିଂ କମ୍ପାନୀ ସ୍ଥାପନା କରାଯାଇଥିଲା ଏହା ଥିଲା ଓଡ଼ିଆମାନଙ୍କଦ୍ୱାରା ସ୍ଥାପିତ ଓ ପରିଚାଳିତ ପ୍ରଥମ ଛାପାକଳ । ୧୮୬୬ରେ ନଅଙ୍କ ଦୁର୍ଭିକ୍ଷ ହେତୁ ତତ୍କାଳୀନ ଓଡ଼ିଶାର ଏକ ତୃତୀୟାଂଶ ଲୋକ (ଏକ ନିୟୁତ) ନିହତ ହୋଇଥିଲେ । ଏହା ପରେ ସ୍ଥାନୀୟ ସମସ୍ୟାର ଆଲୋଚନା ଓ ଲୋକଙ୍କ ଦୃଷ୍ଟିଆକର୍ଷଣ କରିବା ପାଇଁ ଗୌରୀଶଙ୍କର, ବିଚିତ୍ରାନନ୍ଦ ଦାସ ସମୂହ ଉତ୍କଳ ଦୀପିକା ପ୍ରକାଶ କରିଥିଲେ । ପ୍ରଥମ କେତୋଟି ସଂସ୍କରଣ ଲିଥୋଗ୍ରାଫିରେ ଲେଖାଯାଇ ପରେ ଟାଇପ କରି ଲେଖାଗଲା । ଏଥିରେ ଛାପାକାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ଫଣ୍ଟ ତିଆରି କରାଯାଇଥିଲା ।[୧୦] ଏହା ଥିଲା ପ୍ରଥମ ଓଡ଼ିଆ ଖବରକାଗଜ ।[୧୧]
ସାମାଜିକ ଭୂମିକା
ସମ୍ପାଦନାଓଡ଼ିଶାର ପୁରାତନ କବିମାନଙ୍କ ରଚନା ମୁଦ୍ରଣ ଅଭାବରୁ ଲୁପ୍ତ ହୋଇଯାଉଥିବାରୁ ଉତ୍କଳ ଦୀପିକାର ୧୮୬୬ ଡିସେମ୍ବର ୧ ସଂଖ୍ୟାର ଦ୍ୱିତୀୟ ପୃଷ୍ଠାରେ ଉଲ୍ଲେଖ କରି ଜନସଚେତନା ସୃଷ୍ଟିକରାଯାଇଥିଲା ।[୧୨]
ଉତ୍କଳ ଦେଶସ୍ଥ ପୁରାତନ କବିମାନଙ୍କର ଚିରସ୍ମରଣୀୟ ନାମ ଆମ୍ଭମାନଙ୍କର ଅଯୋଗ୍ୟତାରୁ ଏତାବତ୍ କାଳ ଦେଶାନ୍ତରରେ ପ୍ରଚାର ହେବାର ଦୁସ୍ତର ଥିଲା । ଏବର୍ଷ ତାହା ଖଣ୍ଡନାଶାରେ କେତେକ ଲୋକ ଯତ୍ନବାନ ହୋଇ ଅଛନ୍ତି ଓ ଯେଋପ ସୃଷ୍ଟି ପୂର୍ବରେ କେବଳ ଜଳମୟ ଥିଲା ଓ ତହିଁରୁ ସମସ୍ତ ବସ୍ତୁ ଉଦ୍ଭବ ହେଲା ସେହିଋପ ଉତ୍କଳ ସାହିତ୍ୟର ପୁନଃ ସୃଷ୍ଟି ନିମିତ୍ତ ପ୍ରଥମେ ପ୍ରେମସୁଧାନିଧିର ସଞ୍ଚାର ହୋଇଛି ।
ପରେ ଓଡ଼ିଶାରୁ ଓଡ଼ିଆ ଭାଷା ବଦଳରେ ସ୍କୁଲମାନଙ୍କରେ ବଙ୍ଗଳାଭାଷା ଚଳାଇବା ଚେଷ୍ଟା ବିରୋଧରେ ଦୀପିକାରେ ଜନମତ ସୃଷ୍ଟିକରାଯାଇଥିଲା । ବଙ୍ଗଳା କାବ୍ୟ ବିଦ୍ୟାସୁନ୍ଦର ଓ ଓଡ଼ିଆ କାବ୍ୟ ରସକଲ୍ଲୋଳ ସମ୍ବନ୍ଧରେ ଏକ ତୁଳନାତ୍ମକ ନିବନ୍ଧ "ଓଡ଼ିଶାର ସାହିତ୍ୟ ଶିଳ୍ପ ବିଭବ ପ୍ରତି ଜାତିକୁ ସଚେତନ କରାଯିବାର" ପ୍ରକାଶ କରାଯାଇଥିଲା । ୧୮୬୬ ମସିହାରେ ପତ୍ରିକାର ୪୬-୪୭ ପୃଷ୍ଠାରେ ଛପାଯାଇଥିଲା,
ଶିଳ୍ପ ବିଦ୍ଯାରେ ମଧ୍ୟ ଉତ୍କଳୀୟମାନେ ନିପୁଣ ଥିଲେ । ପୂର୍ବେ ବାଲେଶ୍ୱରୀ ବସ୍ତ୍ର ବିଖ୍ୟାତ ଥିଲା । ବର୍ତ୍ତମାନ କଟକ ରଜତ କାଞ୍ଚନ ନିର୍ମିତ ଅଳଙ୍କାର ବିଷୟେ କେ ନଜାଣେ । ସେ ଯାହାହେଉ ଉତ୍କଳୀୟମାନେ ଯେ ପୂର୍ବେ ଭାରତ ବର୍ଷ ମଧ୍ୟରେ ସର୍ବବିଷୟରେ ବିଖ୍ୟାତ ଥିଲେ ତାହାର ସନ୍ଦେହାଭାବ । ହେ ଉତ୍କଳୀୟ ମାନେ! ଉଠ! ଆପଣମାନଙ୍କର ପୂର୍ବପୁଋଷର ଯାଥାର୍ଥ ନାମ ରକ୍ଷା ଓ ଆପଣା ଆପଣାର ଲଲାଟସ୍ଥ ଅଜ୍ଞତାପବାଦ ରୂପ କଳଙ୍କରେଖା ଉନ୍ମୋଚନ କରିବାକୁ ତତ୍ପର ହୁଅ । ଆଉ କେତେକାଳ ଆଳସ୍ୟ ସଲିଳରେ ଜୀବନ ବିସର୍ଜନ କରିବ?
ଆଧାର
ସମ୍ପାଦନା- ↑ Chatterjee, Mrinal (2012). "History of Oriya Journalism". indianfaculty.com. Retrieved 29 June 2012.
The first Oriya newspaper to be printed was the weekly Utkal Dipika by Gouri Shankar Ray in 1866
- ↑ "PRINTING INDIA". printingindia.com. 2000. Retrieved 30 June 2012.
First Oriya weekly at Cuttack Printing Company
- ↑ S. C. Patra (1979). Formation of the Province of Orissa: the success of the first linguistic movement in India. Punthi Pustak. Retrieved 29 June 2012.
- ↑ "Orissa news media". orissadiary.com. 2012. Archived from the original on 2006-10-19. Retrieved 29 June 2012.
'The Utkal Deepika' made its appearance in early 1866 under the able editorship of late Gourisankar Ray
[permanent dead link] - ↑ "Oriya Literature". indianetzone.com. 2012. Retrieved 29 June 2012.
The Utkal Deepika, made its appearance in 1866 under the editorship of late Gouri Sankar Ray, with able assistance from late Bichitrananda
- ↑ Prasanna Kumar Mishra (1983). Political unrest in Orissa in the 19th century: anti-British, anti-feudal, and agrarian risings. Punthi Pustak. Retrieved 29 June 2012.
- ↑ University of Allahabad. Dept. of Modern Indian History; University of Kerala; University of Travancore (2005). Journal of Indian history. p. 189. Retrieved 29 June 2012.
- ↑ K. M. George. Modern Indian Literature, an Anthology. Sahitya Akademi. pp. 298–. ISBN 978-81-7201-324-0. Retrieved 2 February 2013.
- ↑ Bina Kumari Sarma (1 January 1996). Development of Modern Education in India: An Empirical Study of Orissa. M.D. Publications Pvt. Ltd. pp. 97–. ISBN 978-81-85880-94-5. Retrieved 29 June 2012.
- ↑ Ranganathan, Murali (30 September 2023). "Print History: Animesh Mohapatra - Excavating Odia Print Culture". PrintWeek (in Indian English). PrintWeek India. Retrieved 2025-01-10.
- ↑ ଚାଟ୍ଟାର୍ଜୀ, ମୃଣାଳ (2012-04-10). "History of Oriya Journalism". web.archive.org. Archived from the original on 2012-04-10. Retrieved 2012-04-10.
- ↑ ଉତ୍କଳ ଦୀପିକା ୧୨।୧।୧୮୬୬ ସଂଖ୍ୟା ୨