ସୁନାରାମ ସୋରେନ
ଭଞ୍ଜ ବୀର ସୁନାରାମ ସୋରେନ (୪ ଫେବୃଆରୀ ୧୯୧୮–୧୯ ଜୁଲାଇ ୧୯୮୮) ଜଣେ ଭାରତୀୟ ରାଜନେତା, ଆଦିବାସୀ ରାଜନୈତିକ କର୍ମୀ ଓ ସମାଜ ସଂସ୍କାରକ ଥିଲେ । ସେ ଓଡ଼ିଶାର ପ୍ରଥମ ସାନ୍ତାଳ ଓ ପ୍ରଥମ ଆଦିବାସୀ ମନ୍ତ୍ରୀ ଥିଲେ । ସେ ଓଡ଼ିଶାର ବହଳଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁ ଓଡ଼ିଶା ବିଧାନ ସଭାକୁ ବିଧାୟକ[୨] ଭାବେ ନିର୍ବାଚିତ ହୋଇ ପରେ ମନ୍ତ୍ରୀ ହୋଇଥିଲେ । ସେ ଜଣେ କବି, ସଙ୍ଗୀତକାର ଓ ମୃଦଙ୍ଗ ବାଦକ ମଧ୍ୟ ଥିଲେ । ତାଙ୍କର କେତେକ ଉଲ୍ଲେଖନୀୟ ସାନ୍ତାଳୀ ରଚନାବଳୀ ମଧ୍ୟରେ "ଭଞ୍ଜ କଙ୍କା କୁଙ୍କି", "ଆଦିବାସୀର ଆନ୍ଦର", "ସିବିଲ ସେରେଞ୍ଜ" ଓ "ଯାତ୍ରା ପଟ ବାଗି ଗିରା" ଆଦି ଅନ୍ୟତମ ।[୧]
ସୁନାରାମ ସୋରେନ | |
---|---|
ବିଧାୟକ | |
ନିର୍ବାଚନ ମଣ୍ଡଳୀ | ବହଳଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ) |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ହେସେଳା, ମୟୂରଭଞ୍ଜ ରାଜ୍ୟ, ବ୍ରିଟିଶ ଭାରତ | ୪ ଫେବୃଆରୀ ୧୯୧୮
ମୃତ୍ୟୁ | ୧୯ ଜୁଲାଇ ୧୯୮୮ | (ବୟସ ୭୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ବାପା/ବୋଉ | ଦୁର୍ଗୀ ସୋରେନ (ମାଆ) ଚମ୍ପାଇ ସୋରେନ (ବାପା)[୧] |
ଶିକ୍ଷାନୁଷ୍ଠାନ | ରେଭେନ୍ସା କଲେଜ |
ବୃତ୍ତି | ରାଜନୀତି |
ଲେଖକ ଜୟରାମ ଟୁଡ଼ୁ ତାଙ୍କ ଜୀବନୀ ଉପରେ ସାନ୍ତାଳୀରେ ଏକ ଆତ୍ମଜୀବନୀମୂଳକ ପୁସ୍ତକ "ଭଞ୍ଜ କୁଲ୍ ଭୁର୍କା: ଇପିଲ ସୁନାରାମ ସୋରେନ" ରଚନା କରି ୨୦୨୦ ମସିହାରେ କେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
୧୯୮୮ ଜୁଲାଇ ୧୯ ତାରିଖରେ ୭୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ଜୀବନୀ
ସମ୍ପାଦନାପ୍ରାରମ୍ଭିକ ଜୀବନ
ସମ୍ପାଦନାସୁନାରାମ ସୋରେନ ୧୯୧୮ ମସିହା ଫେବୃଆରୀ ୪ ତାରିଖରେ ମୟୂରଭଞ୍ଜ ରାଜ୍ୟସ୍ଥିତ (ଅଧୁନା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା) ବହଳଦା ନିକଟସ୍ଥ ହେସଳା ଗ୍ରାମରେ ଜନ୍ମିତ ଓ ପାଳିତ ହୋଇଥିଲେ । ତାଙ୍କ ମାଆଙ୍କ ନାମ ଥିଲା ଦୁର୍ଗୀ ସୋରେନ ଓ ବାପାଙ୍କ ନାମ ଥିଲା ଚମ୍ପାଇ ସୋରେନ । ସାନ୍ତାଳ ସମ୍ପ୍ରଦାୟର ସାମାଜିକ ପ୍ରଥା ଅନୁଯାୟୀ ତାଙ୍କର ନାମ ତାଙ୍କ ଜେଜେବାପା ସୁନାରାମ ସୋରେନଙ୍କ ନାମ ଅନୁସାରେ ରଖାଯାଇଥିଲା । ତାଙ୍କ ପିତାମାତାଙ୍କ ସାତ ପୁଅ ଏବଂ ଚାରି ଝିଅଙ୍କ ମଧ୍ୟରେ ସେ ଜୈଷ୍ଠତମ ଥିଲେ ।
ଶିକ୍ଷା
ସମ୍ପାଦନାତାଙ୍କ ପିତା ବ୍ରିଟିଶ ଭାରତ ସରକାର ଅଧୀନରେ ପୋଲିସ ବିଭାଗରେ ଜଣେ ଲେଖକ ଥିଲେ ଓ ନିଜେ ସାକ୍ଷର ଏବଂ ଆନୁଷ୍ଠାନିକ ଭାବରେ ଶିକ୍ଷିତ ହୋଇଥିବାରୁ ପୁଅ ସୁନାରାମଙ୍କୁ ମଧ୍ୟ ଉଚ୍ଚଶିକ୍ଷା ପାଇଁ ସୁବିଧାସୁଯୋଗ ଯୋଗାଇ ଦେଇଥିଲେ । ସୁନାରାମ ଯଥାକ୍ରମେ ଲଜରା, ବହଳଦା ଏବଂ ବାରିପଦାଠାରେରେ ତାଙ୍କର ପ୍ରାଥମିକ, ମାଧ୍ୟମିକ ଏବଂ ହାଇସ୍କଲ ଶିକ୍ଷାଲାଭ କରିଥିଲେ ।[୧] ସେ କଟକର ରେଭେନ୍ସା କଲେଜରେ (ଅଧୁନା ରେଭେନ୍ସା ବିଶ୍ୱବିଦ୍ୟାଳୟ) କଳାରେ ତାଙ୍କର ଇଣ୍ଟରମିଡ଼ିଏଟ ଏବଂ ଡିଗ୍ରୀ ଅଧ୍ୟୟନ ସମାପ୍ତ କରିଥିଲେ ଏବଂ ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ବ୍ୟାଚେଲର ଅଫ୍ ଲ (ଆଇନ ଡିଗ୍ରୀ) ସମାପ୍ତ କରିଥିଲେ ।[୩]
ଓକିଲାତି
ସମ୍ପାଦନା୧୯୪୦ ମସିହାଠାରୁ ସେ ବାରିପଦା ସଦର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ ।[୩][୧]
ସାନ୍ତାଳୀ ଭାଷା ଓ ଓଲ ଚିକି
ସମ୍ପାଦନାସ୍କୁଲରେ ପଢ଼ିବା ସମୟରେ ସେ ଅଲ ଚିକି ଲିପିର ପ୍ରତିଷ୍ଠାତା ରଘୁନାଥ ମୁର୍ମୁଙ୍କ ସଂସ୍ପର୍ଶରେ ଆସିଥିଲେ । ପରବର୍ତ୍ତୀ ସମୟରେ ସହକର୍ମୀ ଭୀମ ଚରଣ ଟୁଡୁଙ୍କ ସହ ମିଶି ସେ ଅଲ ଚିକିର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିଥିଲେ । ୧୯୪୬ ମସିହାରେ ରଘୁନାଥ ମୁର୍ମୁ ଏବଂ ସାଉନା ମୁର୍ମୁଙ୍କ ସହ ମିଶି ସେ ସାନ୍ତାଳ ଏବଂ ଅନ୍ୟ ଆଦିବାସୀ ଲୋକଙ୍କ ମଧ୍ୟରେ ଓଲ ଚିକି ଲିପିର ପ୍ରଚଳନ ସମ୍ପର୍କରେ ଆଲୋଚନା କରିବା ପାଇଁ ବାରିପଦା ରାଜପ୍ରାସାଦରେ ମୟୂରଭଞ୍ଜର ମହାରାଜାଙ୍କୁ ଭେଟିଥିଲେ । ଏହି ଆଲୋଚନାର ପ୍ରଭାବସ୍ୱରୂପ ସାନ୍ତାଳୀ ଭାଷା ଓ ଅଲ ଚିକିର ପ୍ରଚଳନ ପାଇଁ ମହାରାଜା ସହଯୋଗ କରିଥିଲେ ।[୧]
ରାଜନୈତିକ ନେତୃତ୍ୱ
ସମ୍ପାଦନାଗଡ଼ଜାତ ଓ ଅନ୍ୟାନ୍ୟ ସ୍ୱାଧୀନ ରାଜ୍ୟମାନଙ୍କୁ ଭାରତର ବିଭିନ୍ନ ପ୍ରଦେଶମାନଙ୍କ ଭିତରେ ମିଶାଇବା ପାଇଁ ବଲ୍ଲଭଭାଇ ପଟେଲଙ୍କ ସହ ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଉଦ୍ୟମ କରିଥିଲେ । ସୁନାରାମ ସୋରେନ ବିଭିନ୍ନ ପର୍ଯ୍ୟାୟରେ ଏହି ମିଶ୍ରଣକୁ ବିରୋଧ କରି ଆନ୍ଦୋଳନ କରିବା ସହ ଅନ୍ତିମ ମିଶ୍ରଣରେ ଆଦିବାସୀମାନଙ୍କ ପାଇଁ ଦାବୀ ଉପସ୍ଥାପନ କରି କିଛି ପରିମାଣରେ ସଫଳ ହୋଇଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରଭାବିତ ହୋଇ ସେ ୧୯୩୯ ମସିହାରେ ରାଇରଙ୍ଗପୁର ନିକଟସ୍ଥ ବଡ଼ମଟାଳିଆଠାରେ ଆଦିବାସୀମାନଙ୍କଦ୍ୱାରା ଗଠିତ ଏକ ସଭାର ଆୟୋଜନ କରିଥିଲେ । ବ୍ରିଟିଶ ସରକାରଙ୍କ ପ୍ରତିବନ୍ଧକ ସତ୍ତ୍ୱେ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରୁ ୫,୦୦୦ରୁ ଅଧିକ ଆଦିବାସୀ ଏଥିରେ ଯୋଗଦେଇଥିଲେ । "ଜନ୍ମମାଟିର ରକ୍ଷା ନିମନ୍ତେ ଜଙ୍ଗଲ ଓ ଜମି ଛାଡ଼ି ଏକଜୁଟ ହୁଅ ଓ ରାସ୍ତାକୁ ଆସ" ବୋଲି ସେ ଆଦିବାସୀମାନଙ୍କୁ ସମ୍ବୋଧିତ କରିଥିଲେ । ତାଙ୍କର ଭାଷଣ ଆଦିବାସୀମାନଙ୍କ ଭିତରେ ସଚେତନତା ଏବଂ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା । ଜଣେ ଆଦିବାସୀ ନେତା ଭାବରେ ସୁନାରାମ ସୋରେନ ଜଣାଶୁଣା ରାଜନୈତିକ କର୍ମୀ ଯଶପାଳ ସିଂଙ୍କ ରାଜନୈତିକ ଦର୍ଶନରୁ ବହୁଭାବେ ପ୍ରଭାବିତ ହୋଇଥିଲେ ଓ ୧୯୪୬ ମସିହାରେ "ମୟୂରଭଞ୍ଜ ଆଦିବାସୀ ମହାସଭା" ଗଠନ କରି ରାଇରଙ୍ଗପୁରକୁ ତାହାର ମୁଖ୍ୟାଳୟ ଭାବେ ବାଛିଥିଲେ । ସେ ସର୍ବସମ୍ମତିକ୍ରମେ ଏହାର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ସହିତ ଏଥିରେ ମହେନ୍ଦ୍ରନାଥ ମୁର୍ମୁ ଉପସଭାପତି, ଶ୍ୟାମ ଚରଣ ମୁର୍ମୁ ସାଧାରଣ ସମ୍ପାଦକ ଓ ସୁନ୍ଦର ମୋହନ ହାଁସଦା କାଉନସିଲର ଏବଂ ଘସିରାମ ସାଣ୍ଡିଲ ମୁଖ୍ୟ କମାଣ୍ଡର ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ନେତୃତ୍ୱରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ମହାସଭା ସବଡିଭିଜନାଲ ଏବଂ ଗ୍ରାମ ୟୁନିଟ ଗଠନ କରିଥିଲା ଏବଂ ଜାତି, ଧର୍ମ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସଦସ୍ୟତା ଖୋଲିଥିଲା । କାଳକ୍ରମରେ ମୟୂରଭଞ୍ଜ ଆଦିବାସୀ ମହାସଭା ପ୍ରଜାମଣ୍ଡଳ ପରି ଏକ ରାଜନୈତିକ ଦଳ ଭାବରେ ଉଭା ହୋଇଥିଲା । ସୁନରାମ ସୋରେନ ଆଦିବାସୀ ଗ୍ରାମବାସୀମାନଙ୍କୁ ଏକଯୁଟ କରିବା ପାଇଁ ଗାଁରୁ ଗାଁକୁ ଯାଇଥିଲେ । ପ୍ରମୋଦ ଘୋଷ, ନୀଳମଣି ତ୍ରିପାଠୀ ଏବଂ ଜୟନାରାୟଣ ସିଂବାବୁ ଆଦି ଅଣ-ଆଦିବାସୀ ନେତାଗଣ ମଧ୍ୟ ସୋରେନଙ୍କ ଆଦିବାସୀ ଆନ୍ଦୋଳନଦ୍ୱାରା ପ୍ରଭାବିତ ହୋଇଥିଲେ ।[୩]
୧୯୪୭ ସେପ୍ଟେମ୍ବର ୧୬ରେ ସୁନାରାମ ସୋରେନ ମୟୂରଭଞ୍ଜ ମହାରାଜା ପ୍ରତାପଚନ୍ଦ୍ର ଭଂଜଦେଓଙ୍କୁ ଲେଖିଥିଲେ, "ମୟୂରଭଂଜ ବଂଶଗତ, ଅର୍ଥନୈତିକ, ସାଂସ୍କୃତିକ ଏବଂ ଭୌଗୋଳିକ ଭାବରେ ଛୋଟନାଗପୁର ସହ ସମାନ । ତେଣୁ ଓଡ଼ିଶା ପ୍ରଦେଶ ସହିତ ମୟୂରଭଞ୍ଜ ରାଜ୍ୟର ମିଶ୍ରଣର ଆବଶ୍ୟକତା ନାହିଁ । ତେବେ ମୟୂରଭଞ୍ଜ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ହେଲେ ଆଦିବାସୀ ବହୁଳ ପ୍ରସ୍ତାବିତ ଝାଡ଼ଖଣ୍ଡ ସହିତ ମିଶ୍ରଣ କରିବା ଉଚିତ୍ ହେବ ଏହା ଆଦିବାସୀମାନଙ୍କର ଇଚ୍ଛା" । ଭଂଜଦେଓ ପରେ ବ୍ୟବସ୍ଥା ପରିଷଦର ମୋଟ ୫୧ ଜଣ ସଭ୍ୟଙ୍କ ଭିତରୁ ସୁନାରାମ ସୋରେନଙ୍କ ସମେତ ୧୨ ଜଣ ଆଦିବାସୀ ନେତାଙ୍କୁ ମନୋନୟନ କରିଥିଲେ । ୧୯୪୮ ସେପ୍ଟେମ୍ବର ୧୫ରେ ଓଡ଼ିଶା ସହିତ ମୟୂରଭଞ୍ଜ ରାଜ୍ୟର ମିଶ୍ରଣ ଘୋଷଣା ପରେ ଆଦିବାସୀମାନେ ସେପ୍ଟେମ୍ବର ୧୬ରେ ବାରିପଦାଠାରେ ଏହି ବୈଠକ ଆୟୋଜନ କରିଥିଲେ । ଏହି ବୈଠକର ସଭାପତି ଭାବେ ସୁନାରାମ ସୋରେନ ମିଶ୍ରଣ ଏକ ଜନମତଦ୍ୱାରା ଏହି ସମସ୍ୟାର ସମାଧାନ ହେବ ବୋଲି ଦାବି କରିଥିଲେ । ସେ ଯୁକ୍ତି କରିଥିଲେ ଯେ ଓଡ଼ିଶା ଅଧୀନରେ ମୟୂରଭଞ୍ଜର କୌଣସି ବିକାଶ କାର୍ଯ୍ୟ ହେବନାହିଁ କାରଣ ମୟୂରଭଞ୍ଜ ରାଜ୍ୟର ବାର୍ଷିକ ଆୟ ୪୫ ଲକ୍ଷ ଟଙ୍କା ସମଗ୍ର ଓଡ଼ିଶାର ଲୋକଙ୍କ ପାଇଁ ଖର୍ଚ୍ଚ ହେବ ଏବଂ ମୟୂରଭଞ୍ଜବାସୀଙ୍କ ଘର ଜାଳେଣି କାଠ, ନିର୍ମାଣ ସାମଗ୍ରୀ ମଧ୍ୟ ଦୁର୍ଲଭ ହେବ, ମୟୂରଭଞ୍ଜ ଅର୍ଥନୈତିକ ଦୃଷ୍ଟିରୁ ଶୋଷିତ ହେବ, ମୟୂରଭଞ୍ଜର ଜମି ଚଢ଼ା ଦରରେ ବାହାର ଲୋକ କିଣିବେ ତଥା କୋରାପୁଟ ଓ ଅନୁଗୋଳ ଭଳି ସରକାରୀ ଅଫିସର ରାଜା ଭଳି ବ୍ୟବହାର କରିବେ । ତାଙ୍କର ରାଜନୈତିକ ଦୂରଦୃଷ୍ଟି ପ୍ରଥମେ ବିହାର ସହ ମିଶ୍ରଣ ଓ ପରେ ଆଦିବାସୀ ରାଜ୍ୟ ଝାଡ଼ଖଣ୍ଡ ଗଠନ ସପକ୍ଷରେ ଥିଲା । ଆଦିବାସୀ ନେତାଗଣ ବଲ୍ଲଭଭାଇ ପଟେଲ ଓ ଭି. କେ. ମେନନଙ୍କଦ୍ୱାରା ଆଗତ ଓଡ଼ିଶା ସହ ମିଶ୍ରଣ ପ୍ରସ୍ତାବରେ ଅସହମତ ଥିଲେ ଓ ଦିଲ୍ଲୀଠାରେ ହୋଇଥିବା ଏକ ଆଲୋଚନାରେ ନିଜ ବିରୋଧ ମତ ସାବ୍ୟସ୍ତ କରିବାରେ ବିଫଳ ହୋଇଥିଲେ । ୧୯୪୮ ନଭେମ୍ବର ୪-୬ ତାରିଖ ପର୍ଯ୍ୟନ୍ତ ସୋରେନ ଏକ ବିଶାଳ ଆଦିବାସୀ ସଭାର ପାଇଁ "ଗିରା ଡାକ୍" (ଏକ ଦଉଡ଼ିରେ ଗଣ୍ଠି ପକାଇ ଦୁଆରରୁ ଦୁଆର ଜରୁରୀକାଳୀ ଆହ୍ୱାନ) ଦେଇଥିଲେ । ଏହା ଅମଳ ଋତୁ ଥିବାରୁ ସୁନାରାମଙ୍କ ଆହ୍ୱାନ ଥିଲା, "ପ୍ରଥମେ ଦେଶ ଏବଂ ପରଏ ଅମଳ" । ୬ ଦିନ ଧରି ଦିନରାତି ସାରା ସୋରେନ ଓ ଅନ୍ୟାନ୍ୟ ଆଦିବାସୀ ନେତାଙ୍କ ନେତୃତ୍ୱରେ ରାଇରଙ୍ଗପୁର ନିକଟସ୍ଥ ଗୁଣ୍ଡୁରିଆଠାରେ ସ୍ଥାନୀୟ ଆଦିବାସୀମାନଙ୍କର ସାଂସ୍କୃତିକ ଚିହ୍ନସ୍ୱରୂପ ମାଦଳ ବାଦନ ଓ ଧନୁ-ତୀର-ବର୍ଚ୍ଛା ସହ ବିରାଟ ଶୋଭାଯାତ୍ରା ସହିତ ଏହି ସଭା ଚାଲିଥିଲା । ରାଇରଙ୍ଗପୁରର ତତ୍କାଳୀନ ସବଡିଭିଜନାଲ ଅଫିସର ଅମର ସିଂହ ଏହାକୁ ବଳପୂର୍ବକ ଦମନ କରିବା ନିମନ୍ତେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗୁଳିମାଡ଼ରେ ୨,୦୦୦ରୁ ଅଧିକ ଆଦିବାସୀ ଆନ୍ଦୋଳନକାରୀଙ୍କର ମୃତ୍ୟ ହୋଇଥିଲା । ଏହା ଗୁଣ୍ଡୁରିଆ ହତ୍ୟାକାଣ୍ଡ ନାମରେ ଜଣା ।[୪] ୧୯୪୮ ଡିସେମ୍ବର ୧୬ ତାରିଖରେ ସେକ୍ରେଟେରୀ ଅଫ ଷ୍ଟେଟ ଭି. ପି. ମେନନ ବାରିପଦା ଆସି ମୟୁରଭଞ୍ଜ ୧୯୪୯ ଜାନୁଆରୀ ୧ ତାରିଖରେ ଓଡ଼ିଶା ସହ ମିଶ୍ରଣ ହେବ ବୋଲି ଘୋଷଣା କରିଥିଲେ । ସେ ଗାଁରୁ ଗାକୁ ପାଦରେ ଚାଲିଚାଲି ଗିରା ଡାକଦ୍ୱାରା ସଦର ସବଡିଭିଜନର ଅନ୍ୟାନ୍ୟ ଆଦିବାସୀ ନେତାଙ୍କ ସହ ମିଶି ଆଦିବାସୀମାନଙ୍କୁ ଏକଜୁଟ କରାଇଥିଲେ । ୧୯୪୯ ଜାନୁଆରୀ ୮ ଓ ୯ ତାରିଖରେ ଆଦିବାସୀ ମହାସଭା ଗାନ୍ଧୀଙ୍କଦ୍ୱାରା ଅନୁପ୍ରାଣୀତ ହୋଇ ଆଇନ ଅମାନ୍ୟ ଆନ୍ଦୋଳନ କରିଥିଲା । ୧୯୪୯ ଫେବୃଆରୀ ୪ରେ ସୋରେଙ୍କ ସମେତ ୧୯ ଜଣ ଆଦିବାସୀ ନେତା ଓ ୨ ଜଣ ଅଣ-ଆଦିବାସୀ ନେତା ଗିରଫ ହୋଇଥିଲେ । ହରେକୃଷ୍ଣ ମହତାବ ବାରିପଦା ଯାଇ ଜେଲରେ ଥିବା ଆଦିବାସୀ ନେତାମାନଙ୍କ ଚତୁରତାର ସହ ଆଲୋଚନା କରିଥିଲେ । ଆଦିବାସୀମାନେ ଆନ୍ଦୋଳନ ବନ୍ଦ କଲେ ଗିରଫ ହୋଇଥିବା ନେତାମାନଙ୍କୁ ଜେଲରୁ ମୁକୁଳାଇ ଦିଆଯିବ ବୋଲି ପ୍ରଲୋଭନ ମଧ୍ୟ ଦେଖାଇଥିଲେ । ଆଦିବାସୀ ମହାସଭାର ମୁଖିଆମାନେ ଗିରଫ ହୋଇଥିବା ବେଳେ ଅନ୍ୟ ବାଟ ନ ପାଇ ସୁନାରାମ ସୋରେନ, ରାମଚନ୍ଦ୍ର ମାଝି ଓ ଅନ୍ୟାନ୍ୟ ଆଦିବାସୀ ନେତା ମହତାବଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ ଓ ଜେଲରୁ ଖଲାସ ହୋଇଥିଲେ । ପରେ ମୟୂରଭଞ୍ଜ ଓଡ଼ିଶା ପ୍ରଦେଶ ସହ ମିଶିଥିଲା ।[୩]
୧୯୫୨ ମସିହାରେ ସେ ବହଳଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଉତ୍କଳ ଆଦିବାସୀ କଂଗ୍ରେସର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଆଦିବାସୀ ଏବଂ ଗ୍ରାମୀଣ କଲ୍ୟାଣ, ପରିବହନ ଏବଂ ବାଣିଜ୍ୟ ବିଭାଗ ସହିତ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ହୋଇ ୧୯୫୭ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ଓଡ଼ିଶାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ ଖାଦ୍ୟ ଏବଂ ଆବାସିକ ସୁବିଧା ଥାଇ ଆବାସିକ ବିଦ୍ୟାଳୟମାନ ପ୍ରତିଷ୍ଠା କରିବାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ତାଙ୍କର ମନ୍ତ୍ରୀକାଳ ମଧ୍ୟରେ ଓଡ଼ିଶାର ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ-ସାମାଜିକ ବିକାଶ ତ୍ୱରାନ୍ୱିତ ହୋଇଥିଲା । ୧୯୫୮ରେ ତାଙ୍କୁ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ପାଇଁ ଭାରତ ସରକାର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସହାୟକ କମିଶନର ଭାବରେ ନିଯୁକ୍ତ କରିଥିଲେ । ହରେକୃଷ୍ଣ ମହତାବ, ପବିତ୍ର ମୋହନ ପ୍ରଧାନ, ବନମାଳୀ ପଟ୍ଟନାୟକ, ମନମୋହନ ଟୁଡୁ, ସୁରେନ୍ଦ୍ରନାଥ ପଟ୍ଟନାୟକ, ଶାନ୍ତନୁ କୁମାର ଦାସ ଆଦି ପ୍ରାକ୍ତନ କଂଗ୍ରେସ ନେତାଙ୍କ ସହ ମିଶି ସୁନାରାମ ସୋରେନ କଂଗ୍ରେସ ଦଳ ପରିତ୍ୟାଗ କରି ୧୯୬୫ ମସିହା ମଇ ମାସ ୫ ତାରିଖରେ ଓଡ଼ିଶା ଜନକଂଗ୍ରେସ ନାମକ ଏକ ନୂତନ ଦଳ ଗଠନ କରିଥିଲେ ।[୫] ୧୯୬୨ ମସିହାରେ ସେ ପୁଣିଥରେ ଜନ କଂଗ୍ରେସ ପାର୍ଟିର ପ୍ରାର୍ଥୀ ଭାବେ ବହଳଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୭ରେ ସେ କଂଗ୍ରେସ ମନୋନୀତ ପ୍ରାର୍ଥୀ ଭାବରେ ତୃତୀୟ ଥର ପାଇଁ ବହଳଦାରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୧୯୭୭ରେ ସେ ଆଉଥରେ ଜନତା ପାର୍ଟି ପ୍ରାର୍ଥୀ ଭାବରେ ବହଳଦାରୁ ବିଧାନ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚିତ ହୋଇଥିଲେ । ସେ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ ।
ସମାଜ ସଂସ୍କାରକ
ସମ୍ପାଦନାଜଣେ ସାମାଜିକ ସଂସ୍କାରକ ଭାବେ ସେ ସାନ୍ତାଳ ଏବଂ ଅନ୍ୟ ଆଦିବାସୀ ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ଚେଷ୍ଟା କରୁଥିଲେ । ସେ ମେଳା ଓ ଯାତ୍ରା ଆଦିରେ ଅତ୍ୟଧିକ ମଦ୍ୟପାଙ୍କୁ ବିରୋଧ କରିଥିଲେ ଓ ବନ୍ଦ କରିବାରେ ସଫଳ ହୋଇଥିଲେ ।[୧]
ରଚନାବଳୀ
ସମ୍ପାଦନା- ଭଞ୍ଜ କଙ୍କା କୁଙ୍କି
- ଆଦିବାସୀର ଆନ୍ଦର
- ସିବିଲ ସେରେଞ୍ଜ
- ଯାତ୍ରା ପଟ ବାଗି ଗିରା
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ Murmu, Subhajit (9 June 2021). "Bhanj Bir Sunaram Soren: The Man Determined To Lead The Tribal People Of Mayurbhanj". Youth Ki Awaaz (in ଇଂରାଜୀ). Youth Ki Awaaz. Retrieved 5 February 2022.
- ↑ Ao, P (1969). Report of the study team on Tribal Development Programmes Orissa (Report). Committee on Plan Projects, Planning Commission, New Delhi. https://dspace.gipe.ac.in/xmlui/bitstream/handle/10973/51419/GIPE-133070.pdf?sequence=1. Retrieved 2022-02-05.
- ↑ ୩.୦ ୩.୧ ୩.୨ ୩.୩ Sachan, Jatindra Nath Singh Dev (2010). "TRIBAL UPRISING OF MAYURBHANJ IN 1949". Proceedings of the Indian History Congress. 71: 712–721. ISSN 2249-1937.
- ↑ Shekhar, Hansda Sowvendra. "Do you know of the Ol-Chiki script? It could be Santhals' – and India's – route to their language". Scroll.in (in ଆମେରିକୀୟ ଇଂରାଜୀ). Retrieved 2022-02-05.
- ↑ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା. pp. ୧୬୮. ISBN 978-81-89436-54-4.