ଗୋପାଳ ଘୋଷ

ଅଭିନେତା ଓ ନିର୍ଦ୍ଦେଶକ
(ଗୋପାଳ ଚନ୍ଦ୍ର ଘୋଷରୁ ଲେଉଟି ଆସିଛି)

ଗୋପାଳ ଘୋଷ (୧୯୨୦-୨୦୧୫) ଜଣେ ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ୧ ମଇ ୧୯୨୦, ଶନିବାର ଦିନ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁରର ଏକ ଜମିଦାର ପରିବାରରେ ଗୋପାଳ ଘୋଷ ଜନ୍ମ ଗ୍ରହଣ କରିଥିଲେ ।[୧] ତାଙ୍କୁ ମାତ୍ର ୬ବର୍ଷ ବୟସ ହୋଇଥିବାବେଳେ ଭକ୍ତ ଧ୍ରୁବ ନାଟକରେ ମୁଖ୍ୟ ଚରିତ୍ର ଧ୍ରୁବ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୧୦୦ରୁ ଅଧିକ ଡ୍ରାମାରେ ଅଭିନୟ କରିଥିବାବେଳେ ଭାରତୀ ଥିଏଟର, ଜନତା ରଙ୍ଗ ମଞ୍ଚ, ଏଚ୍‍ଏମ୍‍ଭି ଗ୍ରାମଫୋନ୍‍ରେ ନିୟମିତ କଳାକାର ଭାବରେ କାର୍ଯ୍ୟ କରୁଥିଲେ । ଶ୍ରୀ ଜଗନ୍ନାଥ ଥିଲା ତାଙ୍କର ଅଭିନୀତ ପ୍ରଥମ ସିନେମା । ସେଥିରେ ସେ ବିଦ୍ୟାପତି ଭୂମିକାରେ ଅଭିନୟ କରି ବେଶ୍‍ ପ୍ରଶଂସିତ ହୋଇଥିଲେ । ଯେତେବେଳେ ଓଡ଼ିଶାରେ ସିନେମା ହଲ୍‍ ନଥିଲା ସେହି ସମୟରେ ସେ ୧୨ଟି ଭ୍ରାମ୍ୟମାଣ ଥିଏଟର ଅାରମ୍ଭ କରିଥିଲେ । ୨୦୦୪ରେ ଇଟିଭିରେ ପ୍ରସାରିତ ବୁଢ଼ା ଶଙ୍ଖାରିରେ ୮୪ ବର୍ଷ ବୟସରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଗୋପାଳ ଘୋଷ
ଜନ୍ମ
ଗୋପାଳ ଚନ୍ଦ୍ର ଘୋଷ
ବୃତ୍ତି(ସମୂହ)ଅଭିନେତା, ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୫୦- ୨୦୦୪

ସେ ବାଳକୃଷ୍ଣ ଦାସ, ଭୁବନେଶ୍ୱରୀ ମିଶ୍ର, ରାଖାଲ ଚନ୍ଦ୍ର ମହାନ୍ତି,ଶ୍ୟାମ ସୁନ୍ଦର ଦାସ ପ୍ରମୁଖଙ୍କୁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ପ୍ରଥମେ ସୁଯୋଗ ଦେଇଥିଲେ । ସେହିପରି ଶ୍ୟାମାମଣି ପଟ୍ଟନାୟକ, ପ୍ରଣବ ପଟ୍ଟନାୟକ, ପାର୍ବତୀ ଘୋଷ, ଝରଣା ଦାସଙ୍କୁ ସେ ଚଳଚ୍ଚିତ୍ର ଜଗତରେ ନୂତନ ପରିଚୟ ଦେଇଥିଲେ । ସେ ଆମରି ଗାଁ ଝିଅ, ଶ୍ରୀ ଲୋକନାଥ, ଭାଇ ଭାଉଜ, ଘର ସଂସାରଅମର ପ୍ରେମରେ ନିର୍ଦ୍ଦେଶନା ଦେଇଥିଲେ ।

ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା । ୧୯୪୯ରେ କୋଣାର୍କ ଉପରେ ଅାଧାରିତ ବ୍ଲାକ୍‍ ପାଗୋଡା ପାଇଁ ତାଙ୍କୁ ବହୁ ପ୍ରଶଂସା ମିଳିଥିଲା । ଭାରତରେ ଥିବା ଅାମେରିକାର ତତ୍କାଳୀନ ରାଷ୍ଟଦୂତ ଏଲ୍‍ ଅାଣ୍ଡରସନ୍‍ ଏଥିରେ ପ୍ରଭାବିତ ହୋଇ ତାହାକୁ ଅାମେରିକା ପଠାଇଥିଲେ ।[୨] ଗୋପାଳ ଘୋଷ ୪୦ରୁ ଅଧିକ ଡକୁମେଣ୍ଟାରି ପ୍ରସ୍ତୁତ କରିଛନ୍ତି । ଦୂରଦର୍ଶନ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପାଇଁ ବହୁ ଡକୁମେଣ୍ଟାରୀ ନିର୍ମାଣ କରି ସେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲୋ ହୀରାକୁଦ ବନ୍ଧ ଶିଳାନ୍ୟାଶ, ନୂଅା ରାଜଧାନୀ, ସିଅାର୍‍ଅାର୍‍ଅାଇ୍‍, ଅଲ୍‍ ଇଣ୍ଡିଅା ରେଡିଓ ଓ ହାଇକୋର୍ଟର ଲୋକାର୍ପଣର ଡକୁମେଣ୍ଟାରୀରେ ନିର୍ଦ୍ଦେଶନା ସହ ପ୍ରଯୋଜନା ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀଉପରେ ଅାଧାରିତ ଏଇ ମାଟିର ସନ୍ତାନ, ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରାମାଣିକ ଚିତ୍ର ମଧ୍ୟ ନିର୍ମାଣ କରିଥିଲେ । କେବଳ ଅଭିନୟ ନୁହେଁ ଖେଳରେ ମଧ୍ୟ ଗୋପାଳ ଘୋଷଙ୍କର ବେଶ ଦକ୍ଷତା ରହିଥିଲା । ୧୯୩୬ରୁ ୧୯୫୪ ମଧ୍ୟରେ ରୋଭର୍ସ କ୍ଲବ, କଟକ ଫୁଟବଲ କ୍ଲବ, ୟଙ୍ଗ୍‍ ଉତ୍କଳ କ୍ଲବ, ଓଡ଼ିଶା ଅାଥଲେଟିକ୍‍ କ୍ଲବର ସେ ସକ୍ରିୟ ସଦସ୍ୟ ଥିଲେ ।

ପୁରସ୍କାର ଓ ସମ୍ମାନ ସମ୍ପାଦନା

୧୯୬୦ରେ ଶ୍ରୀ ଲୋକନାଥ ଫିଲ୍ମର ନିର୍ଦ୍ଦେଶନା ପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ରୌପ୍ୟ ପଦକ ମିଳିଥିବା ବେଳେ ସଙ୍ଗୀତ ନାଟକ ଏକାଡେମୀ, କବିବର ଗୌରୀଶଙ୍କର ପୁରସ୍କାର ଓ ଉତ୍କଳ ସାହିତ୍ୟ ସମାଜ ପୁରସ୍କାର ପରି ସେ ଶହେରୁ ଅଧିକ ପୁରସ୍କାର ପାଇଥିଲେ ।

ମୃତ୍ୟୁ ସମ୍ପାଦନା

ଅଭିନେତା ଗୋପାଳ ଘୋଷ ୨୭ ଫେବୃଆରୀ ୨୦୧୫, ଶୁକ୍ରବାର ଦିନ ଭୋର ୪ଟା ୫୦ ସମୟରେ ମୃତ୍ୟୁବରଣ କରିଥିଲେ । ତାଙ୍କୁ ୯୪ ବର୍ଷ ହୋଇଥିଲା । ଅସୁସ୍ଥତା କାରଣରୁ ତାଙ୍କୁ କଟକ ବଡ଼ ବେଡିକାଲକୁ ନିଅାଯାଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ବହୁ ଚଳଚ୍ଚିତ୍ର ତାରକା ଓ ଶୁଭେଚ୍ଛୁ ନନ୍ଦି ସାହିସ୍ଥିତ ବାସ ଭବନକୁ ଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ । ସନ୍ଧ୍ୟାରେ ଖାନନଗରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ସେଠାରେ ତାଙ୍କ ବଡପୁଅ ଅଭିଜିତ୍‍ ମୁଖାଗ୍ନୀ ଦେଇଥିଲେ ।

ଆଧାର ସମ୍ପାଦନା

  1. "Odisha's veteran actor-director Gopal Ghosh passes away". Odisha Sun Times. Retrieved 28 February 2015.
  2. "Filmmaker Gopal Ghosh Passes Away". The New Indian Express. Archived from the original on 26 November 2015. Retrieved 28 February 2015.

ଅଧିକ ତଥ୍ୟ ସମ୍ପାଦନା