ରଘୁନାଥ ପାଣିଗ୍ରାହୀ
ରଘୁନାଥ ପାଣିଗ୍ରାହୀ (୧୯୩୪-୨୦୧୩) ଆଧୁନିକ ଯୁଗର ଜଣେ ଓଡ଼ିଶୀ କଣ୍ଠଶିଳ୍ପୀ । ସେ ରାୟଗଡ଼ା ଜିଲ୍ଲାର ଗୁଣପୁର ସହରରେ ୧୯୩୪ ମସିହା ଅଗଷ୍ଟ ୧୦ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ପିତା ପଣ୍ଡିତ ନୀଳମଣି ପାଣିଗ୍ରାହୀଙ୍କଠାରୁ ସେ ୫ବର୍ଷ ବୟସରେ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୪୧ରୁ ୧୯୪୮ ମସିହା ପର୍ଯ୍ୟନ୍ତ ପଣ୍ଡିତ ବିଶ୍ୱନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କଠାରୁ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ଶେଷରେ ମାଡ୍ରାସରେ ପଣ୍ଡିତ ଡି. ଭି. ପାଲୁସକରଙ୍କଠାରୁ ହିନ୍ଦୁସ୍ତାନୀ କଣ୍ଠସଂଗୀତ ଶିକ୍ଷା କରି ଓଡ଼ିଶା ଫେରିଥିଲେ ।
ସୁରମଣି ରଘୁନାଥ ପାଣିଗ୍ରାହୀ | |
---|---|
ଜନ୍ମ | |
ମୃତ୍ୟୁ | ୨୫ ଅଗଷ୍ଟ ୨୦୧୩ | (ବୟସ ୭୯)
ବୃତ୍ତି(ସମୂହ) | ଗାୟକ, ସଂଗୀତକାର |
ଶୈଳୀ | ଓଡ଼ିଶୀ ସଙ୍ଗୀତ |
ବୈବାହିକ-ସାଥୀ | ସଂଯୁକ୍ତା ପାଣିଗ୍ରାହୀ |
କଳାକାର ଜୀବନ
ସମ୍ପାଦନା୧୯୪୮ ମସିହାରେ ରଘୁନାଥ ପାଣିଗ୍ରାହୀ ଆକାଶବାଣୀ କଟକ କେନ୍ଦ୍ରରେ ଜଣେ ନିୟମିତ କଳାକାର ଭାବେ ଯୋଗ ଦେଇଥିଲେ । ଅନେକ କଥାଚିତ୍ରରେ, ଭଜନ, ଜଣାଣ ଏବଂ ଓଡ଼ିଶୀ ଛାନ୍ଦ, ଚମ୍ପୁ ଓ ଗଜଲ ଗାନ କରିଛନ୍ତି । ଆଉମଧ୍ୟ ଦକ୍ଷିଣଭାରତୀୟ ଚଳଚ୍ଚିତ୍ରରେ କଣ୍ଠଦାନ ସହିତ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ବିଶେଷ କରି ଓଡ଼ିଶୀ ସଂଗୀତ ସହିତ ଜଗନ୍ନାଥ ସଂସ୍କୃତି ଓ ଜୟଦେବଙ୍କ ଗୀତଗୋବିନ୍ଦର ପ୍ରଚାର ଓ ପ୍ରସାର ପାଇଁ ତାଙ୍କର ଭୂମିକା ଅନନ୍ୟ । ଶାସ୍ତ୍ରୀୟ ଶୈଳୀରେ ଗୀତଗୋବିନ୍ଦ ସେ ତାଙ୍କ ପିତାଙ୍କଠାରୁ ଶିଖିଥିଲେ ଯାହାକୁ ଗାନ କରି ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ସେ ଏକାଧାରରେ ଓଡ଼ିଶୀ, ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ପଦ୍ଧତିରେ ସଙ୍ଗୀତ ଗାନ କରି ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ । ସେ ଥିଲେ ୧୨ଟି ଭାଷାରେ ପ୍ରବୀଣ ସଙ୍ଗୀତଜ୍ଞ । ଶାସ୍ତ୍ରୀୟ ସଙ୍ଗୀତ ଗାଇବାରେ ପ୍ରବୀଣ ରଘୁନାଥଙ୍କ ଖ୍ୟାତି ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ସମେତ ପ୍ରାୟ ଅନେକ ରାଜ୍ୟରେ ଲୋକପ୍ରିୟତା ହାସଲ କରିପାରିଥିଲା । ଏକଦା ପଶ୍ଚିମବଙ୍ଗର ରବୀନ୍ଦ୍ର ସଦନଠାରେ ସଂଯୁକ୍ତା ପାଣିଗ୍ରାହୀ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରୁଥିବାବେଳେ ମଞ୍ଚ ଆଢୁଆଳରୁ ଭାସି ଆସୁଥିଲା ରଘୁନାଥଙ୍କ ଯାଦୁକାରୀ ସ୍ୱର । ଯାହା ଶୁଣିବା ପରେ ଉପସ୍ଥିତ ଶ୍ରୋତା ଓ ଦର୍ଶକମଣ୍ଡଳୀ ସମସ୍ତେ ଏକ ସ୍ୱରରେ କହିଥିଲେ ଯେ ପ୍ରଥମେ ଗାୟକଙ୍କୁ ମଞ୍ଚ ଉପରକୁ ଅଣାଯାଉ । ରଘୁନାଥ ଆସିବା ପରେ ଦର୍ଶକ ମଣ୍ଡଳୀ ନାଚ ଦେଖିବା ବନ୍ଦ କରି ଓଡ଼ିଶୀ ସଙ୍ଗୀତ ଶୁଣିବାକୁ ଜିଦ୍ ଧରି ବସିଥିଲେ ଓ ରଘୁନାଥ ଗୀତ ପରିବେଷଣ କରିଥିଲେ । ତାଙ୍କର ସୁମଧୁର ଗାୟନ ତାଙ୍କୁ ସୁରମଣି ବୋଲି ପରିଚିତ କରିଥିଲା ।[୧]
କଥାଚିତ୍ର
ସମ୍ପାଦନା୧୯୬୩ ମସିହାରେ ସେ ପ୍ରଥମ କରି ଓଡ଼ିଆ କଥାଚିତ୍ରରେ ତାଙ୍କର କଣ୍ଠଦାନ କରିଥିଲେ । ୧୯୬୩ରେ 'ଶ୍ରୀ ଶ୍ରୀ ପତିତପାବନ', ୧୯୭୬ରେ 'ସିନ୍ଦୂର ବିନ୍ଦୁ', ୧୯୭୭ରେ 'ମୁକ୍ତି', ୧୯୯୮ରେ 'ଅହଲ୍ୟା' ପ୍ରଭୃତି କଥାଚିଚିତ୍ରରେ ସେ କଣ୍ଠଦାନ କରିଥିଲେ । 'ଅଭିନେତ୍ରୀ' କଥାଚିତ୍ରରେ ସେ ୧୯୬୫ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୧୯୭୭ମସିହାରେ 'ମୁକ୍ତି' ଚଳଚ୍ଚିତ୍ର ପାଇଁ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଭାବରେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର । ସେହିପରି 'ଅହଲ୍ୟା' ଚଳଚ୍ଚିତ୍ର ପାଇଁ ୧୯୯୮ରେ ଶ୍ରେଷ୍ଠ ସଙ୍ଗୀତ ସଂଯୋଜନା ପାଇଁ ରାଜ୍ୟ ପୁରସ୍କାର ପାଇଥିଲେ । ୧୯୬୮ମସିହାରେ ମୁମ୍ବାଇର ସୁର୍ ସିଙ୍ଗାର ସଂସଦ (କାଲ୍କୋ କଳାକାର) ତରଫରୁ ତାଙ୍କୁ ସୁରମଣି ଉପାଧିରେ ଭୂଷିତ କରାଯାଇଥିଲା । ସେହିଦିନଠାରୁ ସେ ସୁରମଣି ନାମରେ ନାମିତ । ସେ ଗାଇଥିବା ଗୀତଗୁଡ଼ିକ ମଧ୍ୟରେ 'ଆହେ ନୀଳଶଇଳ', 'ଆକାଶେ ଦିଶେ କି ସୁନ୍ଦର', ବାଲ୍ୟକାଳୁ ଧର୍ମ ଧନମୁଁ ସଞ୍ଚିବି', 'ବିଶ୍ୱ ଦେଖ ମଧୁମୟରେ ଜୀବନ', 'ଚକାନୟନଙ୍କୁ ପତିତ କେହି', 'ଦେଖଭାଇ ମହାମାୟୀ', 'ଧୀର ସମୀରେ ଯମୁନା ତୀରେ', 'ଯାହାମୁଁ କରଇ ଯାହାମୁଁ', 'ଲଳିତ ଲବଙ୍ଗ ଲତା ପରିଶିଳନ', 'ମା ନାମ ମଧୁର ଅଟେ', 'ନମୋ ନିରଞ୍ଜନ ନିଖିଳ ନିଦାନ', 'ନ ଯା ରାଧିକା ଏକା ଏକା', 'ନାଚ ନାଚ ସଜନୀ ନାଚରେ', ପଶ୍ୟତି ଇଚ୍ଛା କରହେ ପୂର୍ଣ୍ଣ' ପ୍ରଭୃତି ଗୀତ ଅତି ଲୋକପ୍ରିୟ ।
ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ତାଙ୍କ ସହଧର୍ମିଣୀ ଥିଲେ । କଳାକ୍ଷେତ୍ର ନୃତ୍ୟ ବିଦ୍ୟାଳୟରେ ରଘୁନାଥ ପ୍ରଥମେ ଓଡ଼ିଶୀ ନୃତ୍ୟପ୍ରବୀଣା ସଂଯୁକ୍ତାଙ୍କୁ ଭେଟିଥିଲେ । ୧୯୬୦ ମସିହାରେ ସେ ୨୬ବର୍ଷ ବୟସରେ ସଂଯୁକ୍ତାଙ୍କୁ ବିବାହ କରିଥିଲେ ।[୨] ସଂଯୁକ୍ତାଙ୍କ ନୃତ୍ୟରେ ୧୯୭୦ମସିହାରୁ ଦୁଇଦଶନ୍ଧି ବ୍ୟାପି ସେ ସଙ୍ଗୀତକାର ଭାବେ ନିଜକୁ ନିୟୋଜିତ କରିଥିଲେ । ସୁରମଣିଙ୍କ କଣ୍ଠସ୍ୱରରେ ତାଳଦେଇ ଓଡ଼ିଶୀ ମୁଦ୍ରାର ସ୍ୱତନ୍ତ୍ର ଭଙ୍ଗୀ ଉପସ୍ଥାପନା କରୁଥିଲେ ସଂଯୁକ୍ତା। ଏସିଆ ଓ ୟୁରୋପ ମହାଦେଶର ବିଭିନ୍ନ ଦେଶ ଗ୍ରସ୍ତ କରି ଏହି ଦମ୍ପତି ଓଡ଼ିଶୀ ନୃତ୍ୟ ସଙ୍ଗୀତ ପରିବେଷଣ ପୂର୍ବକ ଓଡ଼ିଶା ସଂସ୍କୃତିର ମହାନତା ପ୍ରଦର୍ଶନ କରିଥିଲେ । ସଂଯୁକ୍ତାଙ୍କ ସହିତ ମିଶି ରଘୁନାଥ ଓଡ଼ିଶୀ ନୃତ୍ୟର ଅନେକ ପଲ୍ଲବୀ, ଅଭିନୟ ଓ ନୃତ୍ୟନାଟିକା ଭଳି ବିଭିନ୍ନ ବିଭବର ସଙ୍ଗୀତ ସଂଯୋଜନା କରିଥିଲେ ଯାହା ଏବେ ବି ମଞ୍ଚସ୍ଥ ହେଉଛି । ଆଜି ଓଡ଼ିଶୀ ନୃତ୍ୟର ଯେଉଁ ଅର୍ଦ୍ଧନାରୀଶ୍ୱର ବିଭବ ପୃଥିବୀବ୍ୟାପୀ ନୃତ୍ୟାଙ୍ଗନାଙ୍କଦ୍ୱାରା ପରିବେଷିତ ହେଉଛି,ରଘୁନାଥ ଥିଲେ ଏହାର ସଙ୍ଗୀତର ସ୍ରଷ୍ଟା। ଏହାଛଡା ଅଭିନୟ, ବର୍ଷା ଭଳି ଅନେକ ଓଡ଼ିଶୀ ନୃତ୍ୟର ସଙ୍ଗୀତ ପ୍ରସ୍ତୁତ କରିଯାଇଛନ୍ତି ସେ।
୧୯୯୭ ମସିହାରେ ସଂଯୁକ୍ତାଙ୍କ ବିୟୋଗ ପରେ ଓଡ଼ିଶୀ ପ୍ରଚାର ଓ ପ୍ରସାର ନିମନ୍ତେ ରଘୁନାଥ ଏକ ଟ୍ରଷ୍ଟ ଗଢ଼ିଥିଲେ ଯାହାର ନାମ ଥିଲା 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ' । ୨୦୦୧ରୁ ଏହି ଟ୍ରଷ୍ଟ ଯୁବ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କୁ ପ୍ରୋତ୍ସାହନମୂଳକ ମେଧାବୃତ୍ତି ପ୍ରଦାନ କରିଆସୁଛି। ଏହା ବ୍ୟତୀତ ସେ ପ୍ରତିମା ଦେବୀଙ୍କ ନୃତ୍ୟ ଅନୁଷ୍ଠାନ 'ନୃତ୍ୟଗ୍ରାମ' ସହିତ ସଂଶ୍ଳିଷ୍ଟ ରହି ସେ ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି । ୨୦୧୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।[୩] [୪] [୫]
ରେକର୍ଡ଼ିଂ
ସମ୍ପାଦନାତଳେ ରଘୁନାଥ ନିଜେ ଗାଇଥିବା ଗୀତଗୁଡ଼ିକର ସୂଚୀ ଦିଆଗଲା । ଏହା ଭିତରୁ ଅନେକ ଗୀତ ଇଣ୍ଟରନେଟରେ ଉପଲବ୍ଧ ।
ପାରମ୍ପାରିକ ଓଡ଼ିଶୀ ସଙ୍ଗୀତ
ସମ୍ପାଦନା- ଗୀତଗୋବିନ୍ଦ (ଜୟଦେବ)
ଓଡ଼ିଶୀ | |||
---|---|---|---|
କ୍ରମ | ଗୀତ | କବି | ସମୟ |
1. | "ମନସିଜ ମନ ମୋହନ ଘନ ଶ୍ୟାମସୁନ୍ଦର" | ଗୋପାଳକୃଷ୍ଣ ପଟ୍ଟନାୟକ | |
2. | "କେ ପଥ ବଣା କଲା ମା" | ଗୋପାଳକୃଷ୍ଣ ପଟ୍ଟନାୟକ | |
3. | "ଦୂତ ହେ କହିବ କୃଷ୍ଣଙ୍କୁ" | ସାଲବେଗ | |
4. | "କାଳିଆ କାହ୍ନୁ ମୋହନ ବେଣୁ କାହୁଁ ଖୋଜି ଖୋଜି ପାଇଲା" | ସାଲବେଗ | |
5. | "ଆସିବେକି ଶ୍ରୀହରି" | ଗୌରହରି ପରିଚ୍ଛା | |
6. | "କି ନାଦରେ ପ୍ରାଣ ସଙ୍ଗିନୀ" | ଗୋପାଳକୃଷ୍ଣ ପଟ୍ଟନାୟକ |
ଭଜନ ଓ ଜଣାଣ | |||
---|---|---|---|
କ୍ରମ | ଗୀତ | କବି | ସମୟ |
1. | "ବଂଶୀ ତେଜି ହେଲ ଶଙ୍ଖଚକ୍ରହସ୍ତ ହେ ରାଧାନାଥ" | ||
2. | "ମୋରେ ଏହି ଅନୁଗ୍ରହ କର ହେ ରାଧାବର" | ଗୌରହରି ପରିଚ୍ଛା | |
3. | "ଜୟ ଗୋକୁଳ ମଙ୍ଗଳ ମଧୁହାରି" (ସଙ୍କୀର୍ତ୍ତନ) | ଗୌରହରି ପରିଚ୍ଛା | |
4. | "ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ" | ଦୀନକୃଷ୍ଣ ଦାସ | |
5. | "ଚକାନୟନକୁ ପତିତ କେହି" | ଯଦୁମଣି ମହାପାତ୍ର (ଚନ୍ଦନ ହଜୁରୀଙ୍କ ନାମରେ ଭଣତି) | |
6. | "ଆହେ ନୀଳାଚଳବାସୀ ଶୋକ ଜଳଧିରେ ଗଲି ଭାସି" | ସାଲବେଗ | |
7. | "ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ" | ଭୀମ ଭୋଇ | |
8. | "ଶ୍ରୀପୁରୁଷୋତ୍ତମ ଯିବା ମନ ସାଙ୍ଗ ହୋଇଯିବା ପାଞ୍ଚଜଣ" | ସାଲବେଗ | |
9. | "ଆହେ ନୀଳଶଇଳ ପ୍ରବଳ ମତ୍ତ ବାରଣ" | ସାଲବେଗ | |
10. | "ହରି ନାମେ କି ରସ ଅଛି ପାନ କଲା ଲୋକ ସିନା ଜାଣିଛି" | ବାହୁଡ଼ା ଦାସ | |
11. | "ଆକାଶ ଦିଶେ କି ସୁନ୍ଦର" | ମଧୁସୂଦନ ରାଓ | |
12. | "ଶାରଦେ ବରଦେ ଶୁଭଦେ" | କାଳୀଚରଣ ପଟ୍ଟନାୟକ | |
13. | "କାହିଁ ଅଛ ନାଥ" | ଗୋପବନ୍ଧୁ ଦାସ | |
14. | "ତୁମରି ଆଡ଼କୁ ସଦା ଥିବି ହେ ଅନାଇଁ" | ||
15. | "ତୁମରି ଇଚ୍ଛା କର ହେ ପୂର୍ଣ୍ଣ" | ମଧୁସୂଦନ ରାଓ | |
16. | "ନମୋ ନିରଞ୍ଜନ ନିଖିଳ ନିଦାନ" | ଗୋପବନ୍ଧୁ ଦାସ | |
17. | "ସବୁଥିରୁ ବଞ୍ଚିତ କରି" | ଲକ୍ଷ୍ମୀକାନ୍ତ ମହାପାତ୍ର | |
18. | "ଯାହା ମୁଁ କରଇ ଯାହା ମୁଁ କହଇ" | ଗୋପବନ୍ଧୁ ଦାସ | |
19. | "ବିଶ୍ୱ ଦେଖ ମଧୁମୟରେ" | ଗଙ୍ଗାଧର ମେହେର | |
20. | "ଜୀବନରେ ଥିବି ଯଦି ଯିବି ବୃନ୍ଦାବନ" | ସାଲବେଗ |
ରାଧାନାଥ ଯୁଗ
ସମ୍ପାଦନା- ମା ନାମ ମଧୁର ଅତି (ମଧୁସୂଦନ ରାଓ)
- ମାତୃ ସ୍ନେହ ସମ (ନନ୍ଦକିଶୋର ବଳ)
ଆଧୁନିକ
ସମ୍ପାଦନା- ନ ଯା ରାଧିକା ଏକା ଏକା
- ଆଗୋ ଚନ୍ଦ୍ରିକା ଯା'ନା
- ନାଲି ନାଲି ଏଇ କୃଷ୍ଣଚୂଡ଼ା ସତେ
- ଦେଶବାସୀ ବନ୍ଧୁ
- ଝରିଯିବ ଯେବେ
- ଗୋଧୂଳି ଗଗନ ତଳେ
- ଏଇ ଫୁଲ ଲେଖନୀରେ
- କହ ଯମୁନା ନୀଳବସନା
- କାହିଁ ଅଛ ନାଥ
- କେତକୀ ଗୋ ଖୋଲ ଆଖି
- ଏ ଜୀବନେ ଯଦି ଆମେ
- କାଇଞ୍ଚ ପତର ସରୁ
- ଶାରଦେ ବରଦେ ଶୁଭଦେ
- ସରୁ ଗଛ ତଳେ ବେଙ୍ଗ ରାଜା ବସି
- ଯେତେ ଅବହେଳା ଯେତେ ସନ୍ଦେହ
- ଆଖି ନୁହେଁ ସେତ
- ନୂପୁର ବଜାଏ କିଏ ଆଜି ନାଚି ନାଚି
- ଦୂରେ ଯା ତୁମେ
- ଆଜି ରଜନୀର ବରଷା
- ନୀଳ ଆଖି
- ଆଉ ଦେଖିବିନି ସପନ
- ଆଜି ମୁଁ ଚାଲିଛି ଖାଲି
- ମାନିନୀ ଅଭାଗିନୀ
- ଏ ଆଖି ଆଇନେ କିଏ ତୁମେ
- ମାନ ତେଜି ଆଜି ସାଜେ ମାନିନୀ
- ରାମ ଜପ ରାମ ଜପ
- ନାଚ ନାଚ ସଜନୀ
- ସ୍ୱପ୍ନ ଭରା
- ଆଜି ପ୍ରୀତି
- ଚୋରା ଚୋରା ଏଇ ଚାହାଣୀରେ
- ଚତୁରୀ ରାଧିକା ଗୋରୀ
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଡି ଲିଟ ଉପାଧୀ
- ରେଭେନ୍ସା ବିଶ୍ୱବିଦ୍ୟାଳୟ-୨୦୧୩
- ଉତ୍କଳ ବିଶ୍ୱବିଦ୍ୟାଳୟ-୨୦୦୯
- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ- ୨୦୦୬
- ପଦ୍ମଶ୍ରୀ ସମ୍ମାନ, ୨୦୧୦[୬]
- ଜୟଦେବ ସମ୍ମାନ, ୨୦୦୮
- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୧୯୯୯
- ରାଜ୍ୟପାଳ ସମ୍ମାନ, ୧୯୯୫
- ସେବା ପୁରସ୍କାର, ୧୯୯୪
- ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୯୩
- ଗ୍ରାଁ ପ୍ରି ପୁରସ୍କାର, ୧୯୮୨[୭]
- ଅଲ ଇଣ୍ଡିଆ କ୍ରିଟିକ୍ସ ପୁରସ୍କାର, ୧୯୭୭
- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୬
- ଗଣ କଳାନିଧି ସମ୍ମାନ, ୧୯୭୨
- ସୁରମଣି ସମ୍ମାନ, ୧୯୬୮
ଆଧାର
ସମ୍ପାଦନା- ↑ "Pandit Raghunath Panigrahi passes away". The Hindu. Retrieved 31 July 2016.
- ↑ "Stint in Chennai proved to be the game changer for Raghunath Panigrahi". The New Indian Express. Archived from the original on 4 September 2013. Retrieved 31 July 2016.
- ↑ ଓଡ଼ିଶା ଏକ୍ସପ୍ରେସ, ସଂଚାର, ପ୍ରମେୟ, ୨୬.୮୨୦୧୩
- ↑ "ଆର୍କାଇଭ୍ କପି". Archived from the original on 2013-08-25. Retrieved 2013-08-25.
{{cite web}}
: Cite has empty unknown parameter:|1=
(help) - ↑ ଧରିତ୍ରୀ ଖବର କାଗଜ, ତା ୨୬-୦୮-୧୩, ପୃ. ୩
- ↑ "This Year's Padma Awards announced". Press Information Bureau. 25 January 2010. Retrieved 24 January 2015.
- ↑ "A YEAR AFTER: REMEMBERING PANDIT RAGHUNATH PANIGRAHI". OdishaSunTimes.com. 24 August 2014. Retrieved 31 July 2016.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରଘୁନାଥ ପାଣିଗ୍ରାହୀ