ଯଦୁମଣି ମହାପାତ୍ର

ଓଡ଼ିଆ କବି

ଯଦୁମଣି ମହାପାତ୍ର (୮ ଜାନୁଆରୀ ୧୭୮୧[୧] - ୨ ଜୁଲାଇ ୧୮୬୬)[୨]ନୟାଗଡ଼ ଜିଲ୍ଲାର ଇଟାମାଟି ଗାଁରେ ୧୭୮୩ ମସିହାରେ ଜନ୍ମିତ ଜଣେ କବି ଥିଲେ । ସେ ଉତ୍କଳଘଣ୍ଟ ଭାବରେ ଖ୍ୟାତ ।[୩] ସେ ରାଘବ ବିଳାସପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ନାମକ ଦୁଇଗୋଟି ବୃହତ୍ କାବ୍ୟ, ଅନେକ ଚଉପଦୀ ଓ କ୍ଷୁଦ୍ରଗୀତ ରଚନା କରିଛନ୍ତି । ଯଦୁମଣିଙ୍କ ରଚନା ରୀତିଯୁଗୀୟ ଶୈଳୀରେ ଲିଖିତ ଓ ଅତ୍ୟନ୍ତ ପାଣ୍ଡିତ୍ୟପୂର୍ଣ୍ଣ । ଏହା ଛଡ଼ା ନିଜର ହାସ୍ୟୋଦ୍ଦୀପକ ଛୋଟ ଛୋଟ ଗୀତ ଓ ଆଶୁକବିତ୍ୱ ଲାଗି ଯଦୁମଣି ଓଡ଼ିଶାର ପୁରପଲ୍ଲୀରେ ଭାରି ପ୍ରସିଦ୍ଧ ।

ଉତ୍କଳ ଘଣ୍ଟ

ଯଦୁମଣି ମହାପାତ୍ର
Utkala Ghanta Jadumani Mahapatra.jpg
ଜନ୍ମ ଓ ଜନ୍ମସ୍ଥାନ୮ ଜାନୁଆରୀ ୧୭୮୧(1781-01-08)
ମୃତ୍ୟୁ୨ ଜୁଲାଇ ୧୮୬୬(1866-07-02) (ବୟସ ୮୫)
ଜାତୀୟତାଭାରତୀୟ
ଜୀବିକାକବି

ଜୀବନସମ୍ପାଦନ କରନ୍ତୁ

ଜନ୍ମସମ୍ପାଦନ କରନ୍ତୁ

ଆଠଗଡ଼ ରାଜସଭାରେ ମୁକୁନ୍ଦ ମହାପାତ୍ର ନାମକ ଜଣେ କୁଶଳୀ ଚିତ୍ରକାର ଓ ସ୍ଥପତି ବାସ କରୁଥିଲେ । ସେ ରଣପୁରଗଡ଼ର ଯୋଶୀ ରତ୍ନାକରଙ୍କ କନ୍ୟା ଶୋଭାଙ୍କୁ ବିବାହ କରିଥିଲେ । ବିବାହର ପାଞ୍ଚ ବର୍ଷ ପରେ ମଧ୍ୟ ଶୋଭାଙ୍କର ସନ୍ତାନ କେହି ନ ହେବାରୁ ଉଭୟେ ଯଦୁକୃଷ୍ଣ ନାମକ ବିଗ୍ରହଙ୍କୁ ଆରାଧନା କରୁଥିଲେ । ପରେ ୧୭୮୧ ମସିହା ଜାନୁଆରୀ ଆଠତାରିଖରେ ତାଙ୍କର ପୁତ୍ର ଜନ୍ମ ହେଲା । ଯଦୁକୃଷ୍ଣଙ୍କ ଅନୁକମ୍ପାରୁ ପୁତ୍ର ହୋଇଥିବାରୁ ମୁକୁନ୍ଦ ନିଜ ପୁଅର ନାଆଁ 'ଯଦୁମଣି' ରଖିଲେ ।[୪] ସ୍ଥପତି ବଂଶରେ ଜନ୍ମଲାଭ କରିଥିବାରୁ ଯଦୁମଣି ପ୍ରତିମା ନିର୍ମାଣ ଓ ଚିତ୍ରାଙ୍କନ ଇତ୍ୟାଦିରେ ଦକ୍ଷ ଥିଲେ ।[୫]

ବଢ଼ାଇ ଜାତିରେ ଜନ୍ମିତ ହୋଇଥିବାରୁ ସେ ଆରମ୍ଭରେ ଅନେକ ନିର୍ଯ୍ୟାତିତ ହୋଇଥିଲେ ମଧ୍ୟ ପରେ ପରେ ତାଙ୍କ ପାଣ୍ଡିତ୍ୟ ହେତୁ ସେ ରାଜଦରବାରମାନଙ୍କରେ ଆଦର ଲାଭ କଲେ ।[୬] ଏହି କଥାକୁ ସେ ନିଜ କାବ୍ୟର ପ୍ରଥମାଂଶରେ ଲେଖିଛନ୍ତି :

ଶୂଦ୍ରମୁଖୁ ଏ ହୋଇଛି ବାହାର
ରୌଦ୍ରତା ବହି କେହି ନ ବିଚାର
ବିଧୁ ବିଧୁନ୍ତୁଦ ଉଚ୍ଛିଷ୍ଟ ଜଣା
ଶିବେ ବାଜେ ଚନ୍ଦ୍ରଚୂଡ଼ ବାଜଣା ସେ
ପଦ୍ମାପତିଙ୍କର ପଦ ଯେ
ସମ୍ଭବ ସମ୍ପଦ ପଦାର୍ଥରେ ବ୍ୟର୍ଥ ଖଣ୍ଡିବାର ଅପବାଦ ଯେ ।

—ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର

ଶ୍ରୀ ଚକ୍ରଧର ମହାପାତ୍ର ଏହାକୁ ଅର୍ଥ କରିଛନ୍ତି : "ଏହି ଗ୍ରନ୍ଥ ଜଣେ ଶୂଦ୍ର ବ୍ୟକ୍ତିର ମୁଖରୁ ପ୍ରକାଶ ହୋଇଛି ବୋଲି କେହି ରୌଦ୍ର ଭାବରେ ବିଚାର କର ନାହିଁ । ଚନ୍ଦ୍ର ରାହୁର ଉଚ୍ଛିଷ୍ଟ ହେଲେ ସୁଦ୍ଧା ମହାଦେବ ଶିବଙ୍କ ମସ୍ତକରେ ଶୋଭିତ; ସେହିପରି ଏହି କାବ୍ୟ କୃଷ୍ଣ-ବିଷ୍ଣୁଙ୍କ ଚରିତ ବିଷୟରେ ହୋଇଥିବାରୁ ସବୁ ଅପବାଦରୁ ଊର୍ଦ୍ଧ୍ୱରେ ।"[୭]

ଶିକ୍ଷାସମ୍ପାଦନ କରନ୍ତୁ

ଯଦୁମଣିଙ୍କ ମାତା ଶୋଭା ଛାନ୍ଦ ଓ ପୁରାତନ ସାହିତ୍ୟରେ ନିପୁଣ ଥିବାରୁ ବାଲ୍ୟକାଳରୁ ସେ ଏସବୁ ଶୁଣିବାକୁ ପାଉଥିଲେ । ବାର ବର୍ଷ ବୟସରେ ଇଟାମାଟି ନିକଟସ୍ଥ ମାନ୍ଧାତାପୁରରେ ଜଣେ ସଂସ୍କୃତ ପଣ୍ଡିତଙ୍କଠାରୁ ଯଦୁମଣି ସଂସ୍କୃତ ଶିକ୍ଷା ଆରମ୍ଭ କରିଥିଲେ । ଚାରି ବର୍ଷ ଅଧ୍ୟୟନ ପରେ ସେ ପଣ୍ଡିତ ବିଦ୍ୟାଧର ମହାପାତ୍ରଙ୍କ ଉପଦେଶ ଅନୁଯାୟୀ ଘୁମୁସର ଯାତ୍ରା କରିଥିଲେ ।

ହୟଗ୍ରୀବ ମନ୍ତ୍ରସମ୍ପାଦନ କରନ୍ତୁ

ଘୁମୁସରର ପଞ୍ଚମୁଖ ଭଗବାନ କବିରାଜ ବାହିନୀପତି ଓଡ଼ିଶାର ବିଖ୍ୟାତ ପଣ୍ଡିତ ଥିଲେ । ଶିଷ୍ୟର ଏକାଗ୍ରତା ପରୀକ୍ଷା କରିବା ପାଇଁ ବାହିନୀପତି ଯଦୁମଣିଙ୍କୁ ହୟଗ୍ରୀବ ମନ୍ତ୍ର ସାଧନ କରିବା ପାଇଁ ନିର୍ଦ୍ଦେଶ ଦେଲେ । ଶହେ ଦଶଦିନ ଏହି ମନ୍ତ୍ରଜପ କରିବା ପରେ ଯଦୁମଣି ଜ୍ୱରପୀଡ଼ିତ ହୋଇ ଅବଶିଷ୍ଟ ଦଶଲକ୍ଷ ଥର ମନ୍ତ୍ରଜପ କରିପାରିନଥିଲେ । ଏଣୁ ସେ ଆରାଧ୍ୟ ଦେବତାଙ୍କ ଅନୁକମ୍ପା ଲାଭ କରିପାରିନଥିଲେ ଓ ଜୀବନସାରା ଦରିଦ୍ର ହୋଇ ରହିଥିଲେ ବୋଲି ଜନଶ୍ରୁତିରେ ରହିଛି । ଅଠର ବର୍ଷ ବୟସରେ ଯଦୁମଣି ଘୁମୁସରରୁ ଫେରିଲା ବେଳକୁ ଦଶପଲ୍ଲା କୁଞ୍ଜଗଡ଼କୁ ଯାଇଥିଲେ । ସେଠାରେ ତାଙ୍କ ଅଜା ରହୁଥିଲେ । କୁଞ୍ଜଗଡ଼ରେ ପିଣ୍ଡିକ ରାୟଗୁରୁ ନାମକ ବିଖ୍ୟାତ ଶାସ୍ତ୍ରବିତ୍‌ଙ୍କ ସହ ଯଦୁମଣିଙ୍କ ପରିଚୟ ହୋଇଥିଲା । ଏହାଙ୍କ ସଂସ୍ପର୍ଶରେ ଆସି ଶାସ୍ତ୍ର, ପୁରାଣ, କାବ୍ୟଚର୍ଚ୍ଚା ଇତ୍ୟାଦିରେ ଯଦୁମଣି ଯୋଗ ଦେଇଥିଲେ ।[୪]

ଖଞ୍ଜନାସମ୍ପାଦନ କରନ୍ତୁ

ଯଦୁମଣି ପ୍ରତିଦିନ ଯାଇ ରାୟଗୁରୁଙ୍କ ଘରେ ପୁରାଣ ଗାନ କରୁଥିଲେ । ତାଙ୍କୁ ଶୁଣିବା ପାଇଁ ସେଠାକୁ ଅନେକ ଲୋକ ଆସନ୍ତି । ଏମାନଙ୍କ ମଧ୍ୟରୁ ରଘୁନାଥ ସୂତ୍ରଧାରଙ୍କ ଝିଅ ଖଞ୍ଜନା ଅନ୍ୟତମ । ରାୟଗୁରୁ ଓ ସୂତ୍ରଧାରଙ୍କ ଆଶୀର୍ବାଦ ସହ ଯଦୁମଣି ଓ ଖଞ୍ଜନାଙ୍କ ବିବାହ ଅନୁଷ୍ଠିତ ହେଲା । ଖଞ୍ଜନା ନିଜେ ନୃତ୍ୟରେ ନିପୁଣ ଓ ଭଲ ଗାୟିକା ଥିଲେ । ପରବର୍ତ୍ତୀ ଜୀବନରେ ଯଦୁମଣିଙ୍କ ରଚିତ ଅନେକ ଚଉପଦୀ ଗୀତ ଏହି ଖଞ୍ଜନାଙ୍କ ଲାଗି ଉଦ୍ଦିଷ୍ଟ ।[୪]

ଯଦୁମଣି ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତାଙ୍କ ଦରବାରରେ ସେ ସଭା ଓ ରାଜକବି ଥିଲେ । ଆଠଗଡ଼ର କବିସୂର୍ଯ୍ୟ ବଳଦେବ ରଥଙ୍କର ସମକାଳୀନ ଥିଲେ । ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ମଧ୍ୟ ଥିଲା । ୧୮୬୬ରେ ତାଙ୍କର ପରଲୋକ ହୋଇଥିଲା ।[୮]

ରଚନାବଳୀସମ୍ପାଦନ କରନ୍ତୁ

ସାହିତ୍ୟିକ କୃତିସମ୍ପାଦନ କରନ୍ତୁ

ଯଦୁମଣି ଦୁଇଗୋଟି ପାଣ୍ଡିତ୍ୟପୂର୍ଣ୍ଣ କାବ୍ୟ ରଚନା କରିଥିବା ଜଣାଯାଏ ।

ରାଘବ ବିଳାସସମ୍ପାଦନ କରନ୍ତୁ

ରାଘବ ବିଳାସ ରାମାୟଣ ଆଧାରିତ କାବ୍ୟ । ଏହା ୪୧ଟି ଛାନ୍ଦରେ ଲିଖିତ ।

ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରସମ୍ପାଦନ କରନ୍ତୁ

ଏହା ଆଠଗୋଟି କଳାରେ ରଚିତ । କୃଷ୍ଣଲୀଳା ଆଧାରିତ ।

ଅନ୍ୟାନ୍ୟ ରଚନାସମ୍ପାଦନ କରନ୍ତୁ

ଏହା ଛଡ଼ା ଯଦୁମଣି କେତେକ ଭଜନ, ଚଉପଦୀ ଇତ୍ୟାଦି ରଚନା କରିଛନ୍ତି । ସେ ଖଣ୍ଡପଡ଼ା ଓ ନୟାଗଡ଼ (ନବଦୁର୍ଗ) ରାଜାଙ୍କ ଭଣତିରେ କେତେକ ଗୀତ ରଚନା କରିଥିବା ଜଣାଯାଏ ।

ସଙ୍ଗୀତସମ୍ପାଦନ କରନ୍ତୁ

ଯଦୁମଣିଙ୍କ ରଚନାବଳୀର ବର୍ତ୍ତମାନ ପ୍ରକାଶିତ ସଂସ୍କରଣଗୁଡ଼ିକରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ରାଗତାଳ ନିର୍ଦ୍ଦେଶ ଦେଖାଯାଏ, ଯଥା ରାଗ ମଧ୍ୟରେ : ତୋଡ଼ି ପରଜ, ପୂରବୀ, ରସକେଦାର, ମୁଖାବରୀ, ଆହାରି, କଲ୍ୟାଣ, ପରଜ, କାଫି, ସାରଙ୍ଗ, ସୁରଠ, ଆଶାବରୀ, ଯମକରାଜ, ଆଷାଢ଼ ଶୁକ୍ଳ, ମଙ୍ଗଳ ଗୁଜ୍ଜରୀ, ରେଗୁପ୍ତ, ଭାଟିଆରି ଓ ତାଳରେ : ସରିମାନ, ଝୁଲା, ଆଠତାଳୀ, ଏକତାଳୀ, ଆଡ଼ଖେମଟା, ନାତି । ତାଙ୍କ କାବ୍ୟଗୁଡ଼ିକ ଛାନ୍ଦ ରୀତିରେ ପାରମ୍ପରିକ ଓଡ଼ିଆ ଛନ୍ଦ-ବୃତ୍ତରେ ରଚିତ ।

ସଂକଳନ ଓ ପ୍ରକାଶନସମ୍ପାଦନ କରନ୍ତୁ

ଯଦୁମଣିଙ୍କ ରଚନାସବୁକୁ ଚକ୍ରଧର ମହାପାତ୍ର ସଂକଳିତ କରି ଯଦୁମଣି ଗ୍ରନ୍ଥାବଳୀ ନାମରେ ୧୯୬୪ ମସିହାରେ ପ୍ରକାଶିତ କରିଛନ୍ତି । ଏହି ବହିରେ ଯଦୁମଣିଙ୍କ ଜୀବନୀ, କିମ୍ବଦନ୍ତୀ, ହାସ୍ୟଗୀତ, ଭଜନ, ଚଉପଦୀ, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଓ ରାଘବ ବିଳାସ ରହିଛି ।[୭]

ଆଧାରସମ୍ପାଦନ କରନ୍ତୁ

  1. "ଯଦୁମଣିଙ୍କୁ ଭୁଲିଗଲେ କି ସରକାର?". ସମ୍ବାଦ. ୮ ଜାନୁଆରୀ ୨୦୨୧. Archived from the original on ୧୬/୦୧/୨୦୨୧. Retrieved 16 January 2021.
  2. "ଉତ୍କଳଘଣ୍ଟ କବି ଯଦୁମଣି" (୮ ଜାନୁଆରୀ ୨୦୨୧). ପ୍ରଗତିବାଦୀ. Archived from the original on ୧୯/୦୧/୨୦୨୧. Retrieved 19 January 2021.
  3. "Of art and artists". The Telegraph. Retrieved 23 August 2015.
  4. ୪.୦ ୪.୧ ୪.୨ ଯଦୁମଣି ମହାପାତ୍ର, ଡକ୍ଟର କୁଳମଣି ରାଉତ । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୯୬ ।
  5. ଯଦୁମଣି ଗ୍ରନ୍ଥାବଳୀ, ପଣ୍ଡିତ ବିନାୟକ ମିଶ୍ର ।
  6. ପ୍ରାଚୀନ ଉତ୍କଳ, ଜଗବନ୍ଧୁ ସିଂହ । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୬୪ ।
  7. ୭.୦ ୭.୧ ଯଦୁମଣି ଗ୍ରନ୍ଥାବଳୀ, ଚକ୍ରଧର ମହାପାତ୍ରଙ୍କଦ୍ୱାରା ସଂଗୃହୀତ ଓ ଟୀକାକୃତ । ଦାସ ବ୍ରଦର୍ସ, ବ୍ରହ୍ମପୁର-କଟକ, ୧୯୬୫ ।
  8. Eminent Personalities: Kabi Jadumani Mohapatra. Nayagarh district portal