ମୁଖ୍ୟ ସୂଚୀ ଦେଖିବେ

ସାଲବେଗ

ଜଣେ ମୁସଲମାନ ଜଗନ୍ନାଥ ଭକ୍ତ

ସାଲବେଗ ୧୬୦୭/୦୮ରେ ଜନ୍ମିତ ଜଗନ୍ନାଥଙ୍କର ଜଣେ ମହାନ ଭକ୍ତ ଓ ଓଡ଼ିଆ କବି ଥିଲେ । ସେ ଅନେକ ଭକ୍ତି କବିତା ରଚନା କରିଯାଇଛନ୍ତି ।

ଭକ୍ତ

ସାଲବେଗ
ଜନ୍ମ ଓ ଜନ୍ମସ୍ଥାନ
ମୃତ୍ୟୁ୧୬୦୭-୦୮
ସମାଧି  ସ୍ଥଳପୁରୀ, ଓଡ଼ିଶା ଓ ଦାଣ୍ଡମୁକୁନ୍ଦପୁର, ପିପିଲି
ଘରପୁରୀ, ଓଡ଼ିଶା
ଜାତୀୟତା ଭାରତୀୟ
ଶିକ୍ଷାଶିକ୍ଷାଲାଭରୁ ବଞ୍ଚିତ
ପ୍ରସିଦ୍ଧିଭକ୍ତି ରଚନା
ବାପା ବୋଉଲାଲବେଗ, ଫତିମା ବିବି

ଜୀବନକାଳସମ୍ପାଦନ କରନ୍ତୁ

ସାଲବେଗ ଏକ ଗରିବ ମୁସଲମାନ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଲାଲବେଗ ବିହାରରେ ଜାହାଙ୍ଗିରଙ୍କ ରାଜଦରବାରରେ ୧୬୦୫-୧୬୨୭ ଭିତରେ ଜଣେ ମୋଗଲ କର୍ମଚାରି ଥିଲେ । ପୁରୀଠାରେ ମୋଗଲ ଆକ୍ରମଣ ବେଳରେ ଲାଲବେଗ ସାଲବେଗଙ୍କ ମାଆଙ୍କୁ ବିବାହ କରିଥିଲେ । ତାଙ୍କ ମାଆ ଫତିମା ବିବି ଜଣେ ଓଡ଼ିଆ ବ୍ରାହ୍ମଣୀ ଥିଲେ ଯାହାଙ୍କୁ ଲାଲବେଗ ଅପହରଣ କରି ବଳପୂର୍ବକ ବିବାହ କରିଥିଲେ ଓ ବିବାହ ପରେ ତାଙ୍କ ନାମ ଫତିମା ବିବି ହୋଇଥିଲା । ଲାଲବେଗଙ୍କ ଔରସରୁ ସାଲବେଗ ଜନ୍ମ ନେଇଥିଲେ ।[୧]ସାଲବେଗ ଶୁଣି ଶୁଣି ହିନ୍ଦୁ ଧର୍ମର ଶାସ୍ତ୍ର ପୁରାଣ ସବୁ ମନେ ରଖୁଥିଲେ ।ବୟସ ବଢ଼ିବା ପରେ ସେ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ହୋଇଥିଲେ । ସେ ଅନେକ ଭଜନ, ଜଣାଣ ଜଗନ୍ନାଥଙ୍କ ଉପରେ ରଚନା କରିଯାଇଛନ୍ତି ।[୨] ଭକ୍ତ ସାଲବେଗଙ୍କ ସମାଧୀ ପୁରୀ ମୁଖ୍ୟ ଚିକିତ୍ସାଳୟ ନିକଟରେ ଅଛି ।

 
ସାଲବେଗଙ୍କ ସମାଧୀ

ଦାଣ୍ଡମୁକୁନ୍ଦପୁର ଗ୍ରାମ ସହ ସାଲବେଗଙ୍କ ସମ୍ପର୍କସମ୍ପାଦନ କରନ୍ତୁ

ସାଲବେଗଙ୍କ ମାମୁଁ ଘର ପୁରୀ ଜିଲ୍ଲାର ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମରେ ଅଟେ। [୩]ଏହି ସ୍ଥାନ ସାଲବେଗଙ୍କ ସ୍ମୃତିପୀଠ ରୂପେ ପ୍ରସିଦ୍ଧି ଲାଭ କରିଛି।ଦାଣ୍ଡମୁକୁନ୍ଦପୁର ସାଲବେଗଙ୍କ ମାମୁଁ ଘର ବୋଲି କେତେକ ପୁସ୍ତକରେ ମଧ୍ୟ ବର୍ଣ୍ଣନା କରାଯାଇଛି।ରାମଦାସ 'ଦାଢ୍ୟତା ଭକ୍ତି'ରେ ସାଲବେଗଙ୍କ ମା' ଦାଣ୍ଡମୁକୁନ୍ଦପୁର ଗ୍ରାମକୁ ଉତ୍ତମ ଗ୍ରାମ ବୋଲି କହିବା ସହିତ ଶାଶୁ ଶଶୁରଙ୍କ ଅନୁପସ୍ଥିତିରେ ସ୍ନାନ କରୁଥିବା ସମୟରେ ସାଲବେଗଙ୍କ ପିତା ତାଙ୍କୁ ଅପହରଣ କରିଛନ୍ତି କହିବା କଥାକୁ କବିତା ମାଧ୍ୟମରେ ପ୍ରକାଶ କରିଛନ୍ତି।୧୬୦୭ ଖ୍ରୀଷ୍ଟବ୍ଦରେ ତତ୍କାଳୀନ ବିହାରର ସୁବେଦାର ଥିଲେ ଲାଲବାଗ।ଲାଲବାଗ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ଏକାନ୍ତ ଅନୁଗତ କୁଲୀ ଖାଁ ଅଟନ୍ତି।ଏହି ସମୟରେ ଲାଲବେଗ ମୋଗଲ ସେନା ସହ ପୁରୀ ଜଗନ୍ନାଥ ମନ୍ଦିର ଆକ୍ରମଣ କରିବାକୁ ଯାଉଥିଲେ।ସେହି ସମୟରେ ଦାଣ୍ଡମୁକୁନ୍ଦପୁର ଗ୍ରାମରାସ୍ତା ପାର୍ଶ୍ୱରେ ଥିବା ବଡ଼ ପୋଖରୀରେ ଜଣେ ବାଲ୍ୟ ବିଧବା ବ୍ରାହ୍ମଣ ଯୁବତୀ ସ୍ନାନ କରୁଥିଲେ।ଲାଲବାଗ ତାଙ୍କୁ ଦେଖି ଆକର୍ଷିତ ହୋଇ ଅପହରଣ କରିନେଇଥିଲେ।କିନ୍ତୁ ସେହି ବିଧବା ଲାଲବାଗଙ୍କ ନିକଟରେ ନିଜକୁ ସମର୍ପଣ ନକରି ଆତ୍ମହତ୍ୟା କରିବାକୁ ସଂକଳ୍ପ ବଦ୍ଧ ହେଲେ।ଏହାଦ୍ୱାରା ଲାଲବେଗ ବିଚଳିତ ହୋଇପଡିଥିଲେ।ତେଣୁ ସେ ବ୍ରାହ୍ମଣୀଙ୍କ ସମସ୍ତ ସର୍ତ୍ତ ମାନିନେଇ ତାଙ୍କୁ ନିଜର ପତ୍ନୀ ରୂପେ ଗ୍ରହଣ କଲେ।ବ୍ରାହ୍ମଣୀଙ୍କ ସର୍ତ୍ତ ଥିଲା ଯେ, ଲାଲବେଗ ପୁରୀ ଜଗନ୍ନାଥ ମନ୍ଦିର କି ଅନ୍ୟ କୌଣସି ହିନ୍ଦୁ ଦେବାଦେବୀ ମନ୍ଦିର ଉପରେ ଆକ୍ରମଣ କରିବେ ନାହିଁ ଓ ତାଙ୍କୁ କୌଣସି ମୁସଲମାନ ବିଧିବିଧାନ ମାନିବା ପାଇଁ ବାଧ୍ୟ କରିବେ ନାହିଁ।ତେଣୁ ଲାଲବାଗ ପୁରୀର ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ ନକରି ଦାଣ୍ଡମୁକୁନ୍ଦପୁର ଠାରୁ ଫେରିଯାଇଥିଲେ।ଏହି ବ୍ରାହ୍ମଣୀ ଲାଲବେଗଙ୍କ ପତ୍ନୀ ହୋଇକି ମଧ୍ୟ ପବିତ୍ର ମନରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତି କରୁଥିଲେ। କିଛିଦିନ ପରେ ତାଙ୍କ ଏକ ପୁତ୍ର ସନ୍ତାନ ଜାତ ହେଲେ ଯା'ର ନାଁ ସାଲବେଗ।ଏକଦା ସାଲବେଗ ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ପକ୍ଷରୁ ଆକ୍ରମଣର ଶିକାର ହୋଇ ସାଙ୍ଘାତିକ ଭାବେ କ୍ଷତାକ୍ତ ହୋଇ ବିଛଣାରୁ ଉଠିପାରୁନଥିଲେ।ସେ ବଞ୍ଚିବାର ଆଶା ହରେଇ ବସିଥିଲେ।ସାଲବେଗ ତାଙ୍କ ମା'ଙ୍କୁ କହିଥିଲେ କି ଯଦି କିଛି ବଞ୍ଚିବାର ମାର୍ଗ ଅଛି ସେ କୁହନ୍ତୁ ନଚେତ୍ ସେ ଆତ୍ମହତ୍ୟା କରିଦେବେ।ଏକଥା ଶୁଣି ମା' ପୁଅକୁ ଈଶ୍ୱର ବିଶ୍ୱାସୀ ହେବାକୁ ଉପଦେଶ ଦେଲେ ଆଉ ମଧ୍ୟ ପୁରାଣର ଧ୍ରୁବ କଥା ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା କଥା କହିଥିଲେ।ଏହା ସାଲବେଗଙ୍କ ମନରେ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଭକ୍ତି ଭାବ ସୃଷ୍ଟି କରିଥିଲା।କିନ୍ତୁ ଏଥିରେ ତାଙ୍କ ଦେହ ଭଲ ହେଲା ନାହିଁ।ମା' ତାଙ୍କୁ କୃଷ୍ଣ ନାମ ଜପିବା ପାଇଁ ଉପଦେଶ ଦେଇଥିଲେ।ତେଣୁ ସାଲବେଗ ବୃନ୍ଦାବନବାଗଠାରେ ତିନିଦିନ ତିନିରାତି କୃଷ୍ଣ ନାମ ଜପିଥିଲେ।ଏହାପରେ ତାଙ୍କ ଦେହ ସୁସ୍ଥ ହୋଇଯାଇଥିଲା।ପରେ ବୃନ୍ଦାବନବାଗର ନାମ ବୈଶିଙ୍ଗା ହୋଇଛି।ଏହାପରେ ସାଲବେଗ ଓ ତାଙ୍କ ମା' ପୁରୀ ଆସିଥିଲେ।କିନ୍ତୁ ସେମାନଙ୍କୁ ଶ୍ରୀମନ୍ଦିରେ ପ୍ରବେଶ କରାଇ ଦିଆଗଲାନାହିଁ।ତେଣୁ ସାଲବେଗ ତାଙ୍କ କବିତାରେ ସ୍ପଷ୍ଟ କରିଥିଲେ ଯେ, "ପିତା ମୋ ମୋଗଲ ବେଟା,ମାତା ମୋ ବ୍ରାହ୍ମଣୀ, ଏ କୁଳେ ଜନ୍ମିଲି ହିନ୍ଦୁ ନ ଛୁଏଁ ମୋ ପାଣି।"ସାଲବେଗଙ୍କ ମନରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରବଳ ଅଭିଳାଷ ଥିବା ସତ୍ତ୍ୱେ ବି ସେ ସେଥିରୁ ବଞ୍ଚିତ ହୋଇଥିଲେ।ସେ ମା'ଙ୍କ ସହ ବାଲେଶ୍ୱର ଯାଇ ୧୬୦୮ରୁ ୧୬୧୫ ମସିହା ଯାଏ ଦାମୋଦରପୁରର ଶ୍ୟାମସୁନ୍ଦର ମନ୍ଦିର ନିକଟସ୍ଥ ବାସ କରିଥିଲେ।ଏହାପରେ ସାଲବେଗ ଯଶୋବନ୍ତ ଦାସଙ୍କ ଶିଷତ୍ୱ ଗ୍ରହଣ କରିଥିଲେ।ଏହା ସୁଦର୍ଶନ ଦାସଙ୍କ ରଚିତ 'ଯଶୋବନ୍ତ ଦାସଙ୍କ ଚଉରାଶିଆଜ୍ଞା' ଗ୍ରନ୍ଥରେ ଉଲ୍ଲେଖିତ।ରାମଦାସଙ୍କ 'ଦାଢ୍ୟତା ଭକ୍ତି'ରେ ୧୬୨୨ ରୁ୧୬୪୭ ଖ୍ରୀଷ୍ଟବ୍ଦ ମଧ୍ୟରେ ସାଲବେଗ ଭଜନ ଜଣାଣ ରଚନା କରିଥିବା କଥା ଉଲ୍ଲେଖ ହୋଇଛି।ନାଗା ସନ୍ନ୍ୟାସୀ ମାନେ ମୋଗଲଙ୍କ ପୁରୀ ଆକ୍ରମଣ ସମୟରେ ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ନିଜ ପ୍ରାଣାହୂତି ଦେଇଥିଲେ।ସେବାୟତମାନେ ପ୍ରଭୁଙ୍କ ଅନିଷ୍ଟ ନ ହେବା ପାଇଁ ଶ୍ରୀମନ୍ଦିରର ପଛପଟେ ଲୁଚାଇ ନେଇ ପ୍ରଭୁଙ୍କୁ ଚିଲିକାର ଗୋପନ ଆଶ୍ରୟସ୍ଥଳୀରେ ରଖିଥିଲେ।ଏହି ଘଟଣାର କିଛି ଦିନ ପରେ ବଙ୍ଗରେ ଯୁଦ୍ଧ ହୋଇଥିଲା।ବଙ୍ଗ ଅଭିମୁଖେ ଯାତ୍ରା ସମୟରେ ଲାଲବେଗଙ୍କ କଲିକତାଠାରେ ମୃତ୍ୟୁ ହୋଇଥିଲା।ଏହାପରେ ଲାଲବେଗଙ୍କ ସମ୍ପର୍କୀୟ ସାଲବେଗ ଓ ତାଙ୍କ ମା'ଙ୍କୁ ଘରୁ ତଡ଼ିଦେବାରୁ ସେମାନେ ଦକ୍ଷିଣ ଆଡେ ଚାଲିଗଲେ।ଏହା ପରବର୍ଷ ସାଲବେଗ ରଥଯାତ୍ରାରେ ପ୍ରଭୁଙ୍କ ଦର୍ଶନ ପାଇଁ ଇଚ୍ଛା କରିଥିଲେ।ତେଣୁ କିମ୍ବଦନ୍ତୀରୁ ଜଣାପଡେ ଯେ, ସେହି ବର୍ଷ ରଥଯାତ୍ରାରେ ସାଲବେଗଙ୍କ ଅପେକ୍ଷାରେ ନନ୍ଦିଘୋଷ ବଡ଼ ଦାଣ୍ଡରେ ଅଟକିଯାଇଥିଲା ଏବଂ ସାଲବେଗ ବଡ଼ ଦାଣ୍ଡରେ ପହଞ୍ଚି ରଥେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ରଥ ଗଡିଥିଲା।ସାଲବେଗ ମହାପ୍ରଭୁଙ୍କର ଏହିପରି ଏକ ବଡ଼ ଭକ୍ତ ଥିଲେ।ତେଣୁ ତାଙ୍କ ପରଲୋକ ପରେ ପୁରୀ ବଡ଼ ଦାଣ୍ଡରେ ବଳଗଣ୍ଡିଠାରେ ତାଙ୍କ ସମାଧି ତିଆରି ହୋଇଛି।ଏବେ ସ୍ମାରକୀ ବା ସ୍ମୃତିପୀଠ ସ୍ୱରୂପ ଦାଣ୍ଡମୁକୁନ୍ଦପୁର ଗ୍ରାମରେ 'ସାଲବେଗଙ୍କ ପୀଠ' ନାମରେ ଏକ ସ୍ଥାନ ଅଛି।ଏବେ ଏହି ଗ୍ରାମରେ ଅନୁଷ୍ଠିତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସାଲବେଗଙ୍କ ନାମରେ ନାମିତ ହେଉଛି।

ରଚନାବଳୀସମ୍ପାଦନ କରନ୍ତୁ

ଭକ୍ତି ଯୁଗରେ ଭକ୍ତ ସାଲବେଗଙ୍କ ଗଭୀର ଭକ୍ତି ତାଙ୍କର ଲେଖବାଳିରେ ପ୍ରତିଫଳିତ ହେଇଥିଲା । ମନ୍ଦିରକୁ ପ୍ରବେଶ ନିଷିଦ୍ଧ ହେଇଥିଲେ ମଧ୍ୟ ମନ୍ଦିର ବାହାରେ ଥାଇ ଭକ୍ତି ପ୍ରକଟ କରୁଥିଲେ ସାଲବେଗ । ତାଙ୍କର ଓଡ଼ିଆ ଭଜନ , ଜଣାଣ ସବୁ ଓଡ଼ିଆ ସାହିତ୍ଯର ଅମୂଲ୍ୟ ସମ୍ପଦ ଭାବରେ ଆଜି ଯାଏ ରହିଛି । ତାଙ୍କ ରଚିତ " ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ ... " ଓଡ଼ିଆ ଭକ୍ତି ସଂଗୀତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଆଜି ଯାଏ ରେଡିୟୋ , ଟିଭି , ଭକ୍ତି ସଂଗୀତ ଆସର ସବୁଠାରେ ଶୁଣିବାକୁ ମିଳିଥାଏ । ଓଡ଼ିଶାର ସବୁ ପ୍ରସିଦ୍ଧ ଭଜନ ଗାୟକ , ବିଶେଷ କରି ଭିକାରି ବଳଙ୍କ ସୁମଧୁର କଣ୍ଠରେ ଏହି ଭଜନ ଓ ସାଲବେଗଙ୍କ ଅନ୍ୟ ଗୀତ ସବୁ ସାରା ଓଡ଼ିଶାରେ କେଇ ଦଶନ୍ଧି ଧରି ଜନପ୍ରିୟ ରହିଛି । ଏହି ଭଜନଟି ପୁରୀ ଶ୍ରୀମନ୍ଦିରର ଏକ ମୁଖ୍ୟ ରୀତି " ବେଢ ପରିକ୍ରମା "ର ଏକ ସୁନ୍ଦର ବର୍ଣ୍ଣନା । ଏହି ଭଜନର ଶ୍ରୀମନ୍ଦିର ଉପରେ ଜବନ ଆକ୍ରମଣ ସେମାନଙ୍କଦ୍ୱାରା ବାରମ୍ବାର ଶ୍ରୀମନ୍ଦିର ଲୁଟିବା ଓ ମନ୍ଦିର ଅପବିତ୍ର କରିବା ପାଇଁ ପାଇଁ ଆକ୍ରମଣ ମୁଖ୍ୟ ଦେଉଳରୁ ଭଗବାନଙ୍କୁ ରକ୍ଷୟା କରିବାକୁ ସ୍ଥାନାନ୍ତର କରିବା ପରି ଶ୍ରୀମନ୍ଦିରର ଏଇତିହାସିକ ଘଟନାବଳିର ବିଷାଦ ବର୍ଣ୍ଣନା ମଧ୍ୟ ଭକ୍ତ ସାଲବେଗ ଖୁବ ଆବେଗ ସହିତ ଏଥିରେ ସଂଯୋଗ କରିଛନ୍ତି ।

"ଆହେ ନୀଳ ଶଇଳ "ର କିଛି ଉଦ୍ଧୃତିସମ୍ପାଦନ କରନ୍ତୁ

ଆହେ ନୀଳ ଶଇଳ , ପ୍ରବଳ ମତ୍ତ ବାରଣ, ମୋ ଆରତ ନଲିନୀ ବନକୁ କର ଦଲନ । ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ, ଚକ୍ର ପେଶୀ ନକ୍ର ନାଶୀ , ଉଧାରିଲେ ଆପଣ ।

ଘୋର ବନେ ମୃଗୁଣୀକୁ ପଡିଥିଲା କଷଣ , କେତେ ବଡ ବିପତ୍ତିରୁ କରିଛ ତାରଣ । କୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଲେ ଲଜ୍ଜା କଳା ବାରଣ ।

ରବଣର ଭାଇ ବିଭୀଷଣ ଗଲା ଶରଣ , ଶରଣ ସମ୍ଭାଳି ତାଙ୍କୁ , ଲଙ୍କେ କଲ ରାଜନ । ପ୍ରହଲ୍ଲାଦ ପିତା ସେ ଯେ ବଡ ଦୁଷ୍ଟ ଦାରୁଣ , ସ୍ତମ୍ଭରୁ ବାହାରି ତାକୁ ବିଦାରିଲା ତକ୍ଷଣ । " [୪]

ପଦସମୂହସମ୍ପାଦନ କରନ୍ତୁ

କହେ ସାଲବେଗ ହୀନ ଜାତିରେ ମୁଁ ଯବନ

ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ
ଆହେ ନୀଳ ଶଇଳ

—ଆହେ ନୀଳ ଶଇଳ

ଆଧାରସମ୍ପାଦନ କରନ୍ତୁ

  1. Niranjan Mohanty (1998). White wispers: selected poems of Salabega. Sahitya Akademi. pp. 1–4.
  2. Subas Pani (19 February 2004). "Salabega". Indian Express. Retrieved 2 February 2011.
  3. ଦାଣ୍ଡମୁକୁନ୍ଦପୁର ଗ୍ରାମରେ ଅଟେ, ସାଲବେଗଙ୍କ (5 July 2015). "ସାଲବେଗଙ୍କ ସ୍ମୃତିପୀଠ". dharitri. p. 5. Retrieved 7 January 2017. More than one of |pages= and |page= specified (help)
  4. ଆହେ ନୀଳଶଇଳ ପ୍ରବଳ ମତ୍ତ ବାରଣ । ମୋ ଆରତ-ନଳିନୀବନକୁ କର ଦଳନ ।୧। ଗଜରାଜ ଡାକ ଦେଲା ଗ୍ରାହଯୁଦ୍ଧ ବେଳେଣ । ଚକ୍ର ପେଷି ନକ୍ର ନାଶି କୃପା କଲ ଆପଣ ।୨। ଦ୍ରୌପଦୀ ଯେ ଚିନ୍ତା କଲା କୁରୁସଭା ତଳେଣ । କୋଟି ବସ୍ତ୍ର ଦେଇ ତାଙ୍କ ଲଜ୍ଜା କଲ ବାରଣ ।୩। ହରିଣୀକି ଘୋରବନେ ପଡ଼ିଥିଲା କଷଣ । ଡାକିଲା ମାତ୍ରକେ ହରି ରକ୍ଷାକଲ ଆପଣ । ୪। ରାବଣର ଭାଇ ବିଭୀଷଣ ଗଲା ଶରଣ । ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ।୫। ଅଜାମିଳ ଡାକଦେଲା ଜୀବ ଯିବା ବେଳେଣ । ତେଡ଼େ ବଡ଼ ପାପୀ ଗଲା ବଇକୁଣ୍ଠ ଭୁବନ । ୬। ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ । ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ । ୭।https://or.wikisource.org/wiki/%E0%AC%AD%E0%AC%9C%E0%AC%A8_%E0%AC%AE%E0%AC%BE%E0%AC%B3%E0%AC%BE/%E0%AC%86%E0%AC%B9%E0%AD%87_%E0%AC%A8%E0%AD%80%E0%AC%B3_%E0%AC%B6%E0%AC%87%E0%AC%B3