ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଶାର ଦ୍ୱିତୀୟ ପୁରାତନ ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷାର ପ୍ରସାର ନିମିତ୍ତ ସଦାଶିବ ତ୍ରିପାଠୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୧୯୬୭ ମସିହା ଜାନୁଆରୀ ୨ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏହା ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଡ଼ାଃ ଅଯୋଧ୍ୟା ନାଥ ଖୋସଲାଙ୍କଦ୍ୱାରା ଉଦଘାଟିତ ହୋଇଥିଲା । ବ୍ରହ୍ମପୁର ସହରଠୁ ୧୨କିଲୋମିଟର ଦୂରରେ ଗୋପାଳପୁର ବେଳାଭୂମି ପାଖରେ ଏହାର ୨୫୦ଏକର ପରିମିତ ପରିସର ଅବସ୍ଥିତ। ଭଞ୍ଜବିହାର ଭାବେ ପରିଚିତ ଏହାର ପରିସର ଓଡ଼ିଶାର ବରପୁତ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ହୋଇଛି । ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଥିଲେ ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ | |
---|---|
ଲକ୍ଷ୍ୟ | "ତମସୋମା ଜ୍ୟୋତିର୍ଗମୟ" |
ସ୍ଥାପିତ | ୨ ଜାନୁଆରୀ ୧୯୬୩ |
ପ୍ରକାର | ସାର୍ବଜନିକ |
କୁଳାଧିପତି | ଏସ. ସି. ଜମିର |
କୁଳପତି | ପ୍ରଫେସର ଡ଼ାଃ ଦୀପକ କୁମାର ବେହେରା |
ଅବସ୍ଥାନ | ବ୍ରହ୍ମପୁର, ଓଡ଼ିଶା, ଭାରତ |
ପରିସର | ଭଞ୍ଜବିହାର, ନଗର |
ଅନୁବନ୍ଧନ | ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ) |
ୱେବସାଇଟ | www |
ବ୍ରହ୍ମପୁର ସହର ଉପକଣ୍ଠରେ ଏହାର ସ୍ଥାୟୀ ପରିସରର ଭିତ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କୁଳପତି ରଘୁନାଥ ପ୍ରସାଦ ପାଢ଼ୀଙ୍କଦ୍ୱାରା ୧୯୬୯ ମସିହା ଅକ୍ଟୋବର ମାସ ୧୯ ତାରିଖରେ ସ୍ଥାପିତ ହୋଇଥିଲା । ୧୯୭୨ ମସିହା ମାର୍ଚ୍ଚ ୪ ତାରିଖରେ ଏହି ବିଶ୍ୱବିଦ୍ୟାଳୟର ନିଜସ୍ୱ ପ୍ରଶାସନିକ ଭବନ ଓ ଅନ୍ୟାନ୍ୟ ପାଠ୍ୟ ଭବନକୁ ତତ୍କାଳୀନ ରାଷ୍ଟ୍ରପତି ଭି. ଭି. ଗିରି ଉଦଘାଟନ କରିଥିଲେ ।[୧]
ମାତ୍ର ୧୧ଟି ମହାବିଦ୍ୟାଳୟ ଅନୁବନ୍ଧନରେ ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟ ସହ ବର୍ତ୍ତମାନ ରାଜ୍ୟର ୮ଟି ଦକ୍ଷିଣାଞ୍ଚଳ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା , ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧର ପାଖାପାଖି ପ୍ରାୟ ୧୦୦ ମହାବିଦ୍ୟାଳୟ ଅନୁବନ୍ଧିତ ହୋଇଛନ୍ତି।
ବିଶ୍ୱବିଦ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଞ୍ଜବିହାରଠାରେ ସ୍ନାତକୋତ୍ତର ପରିଷଦ ଆନୁକୂଲ୍ୟରେ ୨୦ଟି ବିଷୟରେ ନିୟମିତ ଶିକ୍ଷାଦାନ ଚାଲୁଅଛି । ସ୍ନାତକୋତ୍ତର ପରିଷଦ ଆନୁକୂଲ୍ୟରେ ଏମ୍.ଏ., ଏମ୍.ଏସ୍.ସି., ଏମ୍.କମ୍. ଓ ଏଲ୍.ଏଲ୍.ଏମ୍. ସାଙ୍ଗକୁ ଏମ୍.ଫିଲ୍. ଓ ପି.ଏଚ୍.ଡି. ଉପାଧି ପରୀକ୍ଷା ନିମନ୍ତେ ଶିକ୍ଷାଦାନ କରାଯାଇଥାଏ ।
ଭିତ୍ତିଭୂମି
ସମ୍ପାଦନା- ୧୯୮୭ରୁ ବିଶିଷ୍ଟ ଶିକ୍ଷାବିତ ଖଲ୍ଲିକୋଟର ତତ୍କାଳୀନ ମହାରାଜା ହରିହର ମର୍ଦ୍ଦରାଜଙ୍କ ନାମରେ ଆରମ୍ଭ ହୋଇଥିବା ଏହାର ଦୂରନିରନ୍ତର ଶିକ୍ଷାକେନ୍ଦ୍ର ୨୮ଟି ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଡିପ୍ଳୋମା ସହିତ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରୁଛି ।
- ଓଡ଼ିଶାର ପ୍ରବୀଣ ଆଇନଜ୍ଞ, ଶିକ୍ଷାବିତ ତଥା ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀଙ୍କ ନାମରେ ନାମିତ ହୋଇଛି ବ୍ରହ୍ମପୁରଠାରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଏକମାତ୍ର ସହବନ୍ଧିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ।
- ଏହାର କେନ୍ଦ୍ରୀୟ ପାଠାଗାର ବିଶିଷ୍ଟ ଶିକ୍ଷାବିତ ତଥା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ରଘୁନାଥ ପ୍ରସାଦ ପାଢ଼ୀଙ୍କ ନାମରେ ନାମିତ ।
- ପ୍ରାୟ ୭୦୦ ଆସନ ବିଶିଷ୍ଟ ଏହି ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଗୃହ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ନାମରେ ନାମିତ ।