ବତିଘର

ଆଲୋକ ପ୍ରଜ୍ୱଳନ ପାଇଁ ଥିବା ସ୍ତମ୍ଭ

ବତିଘର ବା ବତିଘରା (ଇଂରାଜୀ: lighthouse – ଲାଇଟ୍ ହାଉସ୍) ଏକ ଉଚ୍ଚ ସ୍ତମ୍ଭ ବା ମୀନାର ଯାହାର ଶୀର୍ଷ ଭାଗରେ ଏକ ପ୍ରଜ୍ଜ୍ୱଳିତ ଆଲୋକ ରହିଥାଏ । ଏହି ଆଲୋକ ବା ବତୀ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଉଥିବାରୁ ସମୁଦ୍ରରୁ କୂଳ ଆଡ଼କୁ ଆସୁଥିବା ଜାହାଜର ନାବିକ, ନଦୀନାଳ ପରି ଅନ୍ୟ ଜଳପଥ ବ୍ୟବହାର କରୁଥିବା ନାବିକଙ୍କୁ ଦିଗ ଠଉରାଇବାରେ ସହାୟକ ହୋଇଥାଏ ।

ରାତିରେ ଯୁକ୍ତରାଷ୍ଟ୍ର ଆମେରିକାର ପିଜନ୍ ପଏଣ୍ଟ୍ ବତିଘରର ଆଲୋକ
ଭାରତର ମହାବଳିପୁରମ୍‍ର ବତିଘରର ଆଲୋକ ସଙ୍କେତ

ବିପଦସଙ୍କୁଳ ଉପକୂଳ, ପଥୁରିଆ ଉପକୂଳ, ବନ୍ଦର ମଧ୍ୟକୁ ପଶିବା ପାଇଁ ସୁରକ୍ଷିତ ସ୍ଥଳ ଇତ୍ୟାଦି ନିକଟରେ ବତିଘରମାନ ନିର୍ମାଣ କରାଯାଇଥାଏ । ଆକାଶପଥରେ ଉଡ଼ୁଥିବା ବିମାନ ପାଇଁ ମଧ୍ୟ ଏହା ଏକ ଦିଗବାରେଣୀ ପରି କାମ କରିଥାଏ । ପୂର୍ବ କାଳରେ ସମୁଦ୍ରପଥରେ ଯାତାୟତ ଓ ବାଣିଜ୍ୟ ପାଇଁ ସ୍ଥାନେ ସ୍ଥାନେ ବତିଘର ନିର୍ମିତ ହୋଇଥିଲା । ଆଧୁନିକ ଯୁଗରେ ବୈଷୟିକ ଜ୍ଞାନକୌଶଳ ଓ ଆଧୁନିକ ଉପକରଣ ସହାୟତାରେ ନାବିକମାନେ ଦିଗ ଓ ପଥ ନିର୍ଣ୍ଣୟ କରିପାରୁଛନ୍ତି । ତେଣୁ ରକ୍ଷଣାବେକ୍ଷଣ ଓ ଅର୍ଥାଭାବ ଯୋଗୁଁ ବର୍ତ୍ତମାନ ସମୟରେ ବହୁ ବତିଘର ଅଚଳ ହୋଇଗଲାଣି ।

ଇତିହାସ

ସମ୍ପାଦନା

ପ୍ରାଚୀନ ଯୁଗରେ ବତିଘର

ସମ୍ପାଦନା
ଫାଇଲ:PHAROS2006.jpg
୨୦୦୬ ମସିହାର ଏକ ଗବେଷଣାରେ କମ୍ପ୍ୟୁଟର୍ ମାଧ୍ୟମରେ ଆଲେକ୍‍ଜାଣ୍ଡ୍ରିଆ ବତିଘରର ପ୍ରାଚୀନ ରୂପରେଖ କଳ୍ପନା କରାଯାଇଥିଲା
 
ସ୍ପେନ୍‍ର ହର୍କ୍ୟୁଲିସ୍ ଟାୱାର ବତିଘର

ବନ୍ଦର ଓ ସାମୁଦ୍ରିକ ଯାତାୟତ ବ୍ୟବସ୍ଥା ବିକଶିତ ହେବା ପୂର୍ବରୁ ପାହାଡ଼ମାନଙ୍କ ଉପରେ ନିଆଁ ଜଳାଇ ବା ବଡ଼ ମଶାଲ ରଖାଯାଉଥିଲା ଯାହା ନାବିକମାନଙ୍କୁ ରାତିର ଅନ୍ଧାରରେ ବାଟ ଖୋଜିବାରେ ସହାୟକ ହେଉଥିଲା । ଆଲୋକ ଯେତେ ଉଚ୍ଚରେ ରହିବ, ସେତେ ଦୂରକୁ ଦେଖାଯିବ – ତେଣୁ ଉଚ୍ଚ ସ୍ଥାନରେ ବା ସ୍ତମ୍ଭରେ ଆଲୋକ ସ୍ଥାପନ କରି ବତିଘରର ଆବିଷ୍କାର ହୋଇଥିଲା ।[] ପ୍ରାଚୀନ କାଳରେ ମୁଖ୍ୟତଃ ବନ୍ଦରକୁ ରହିଥିବା ପ୍ରବେଶ ପଥରେ ବତିଘର ସ୍ଥାପିତ ହେଉଥିଲା । ଆଧୁନିକ ସମୟରେ ଯେପରି ଅନ୍ତରୀପ, ସମୁଦ୍ର ଗର୍ଭରୁ ଅକସ୍ମାତ ବାହାରି ଆସିଥିବା ପାହାଡ଼ ବା ଶିଳାଖଣ୍ଡ ପ୍ରଭୃତିରୁ ଜାହାଜକୁ ଦୂରେଇ ରହିବା ପାଇଁ ବତିଘର ସଙ୍କେତ ଦେଇଥାଏ, ସେପରି ପ୍ରାଚୀନ ସମୟରେ ହେଉନଥିବା ଅନୁମାନ କରାଯାଏ । ପ୍ରାଚୀନ ସମୟର ପ୍ରସିଦ୍ଧ ବତିଘରମାନଙ୍କରୁ ଗୋଟିଏ ହେଲା – ମିଶରର ଆଲେକ୍‍ଜାଣ୍ଡ୍ରିଆରେ ଥିବା ଫାରୋସ୍ ବତିଘର । ଖ୍ରୀ.ଅ. ୯୫୬ ଓ ୧୩୨୩ ମଧ୍ୟରେ ଘଟିଥିବା ଅନେକ ଭୂମିକମ୍ପ କାରଣରୁ ଏହି ବତିଘର ଭୁଷୁଡ଼ି ପଡ଼ିଥିଲା ।

ସ୍ପେନ୍‍ର ଆ କୋରୁନାରେ ଥିବା ହର୍‍କ୍ୟୁଲିସ୍ ବତିଘରରୁ ପ୍ରାଚୀନ ସମୟରେ ବତିଘର କିପରି ନିର୍ମିତ ହେଉଥିଲା ସେ ସମ୍ପର୍କରେ ସମ୍ୟକ୍ ସୂଚନା ମିଳିଥାଏ । ବିଭିନ୍ନ ପୁରୁଣା ମୁଦ୍ରା, ପଥର ବା ଚୀନାମାଟିରେ ଅଙ୍କିତ ଚିତ୍ରକଳାରୁ ଆଲେକ୍‍ଜାଣ୍ଡ୍ରିଆ (ଅଷ୍ଟିଆ-Ostia), ସିରିଆର ଲାଓଡିସିଆ ପ୍ରଭୃତି ପ୍ରାଚୀନ ବତିଘରର ପ୍ରମାଣ ମିଳେ ।

ଆଧୁନିକ ଯୁଗରେ ବତିଘର

ସମ୍ପାଦନା

୧୮ଶ ଶତାବ୍ଦୀରୁ ପାଶ୍ଚାତ୍ୟରେ ଆଧୁନିକ ବତିଘରମାନ ନିର୍ମିତ ହୋଇଛି । ଏହି ସମୟରେ ଆଟ୍‍ଲାଣ୍ଟିକ ମହାସାଗରରେ ସାମୁଦ୍ରିକ ବ୍ୟାପାର ଅତି ଦ୍ରୁତ ବେଗରେ ବଢ଼ୁଥିଲା । ଅଟ୍ଟାଳିକା ନିର୍ମାଣ ସମ୍ବନ୍ଧୀୟ ବୈଷୟିକ ଜ୍ଞାନ ତଥା ନୂତନ ଯୁଗର ଆଲୋକ ବ୍ୟବସ୍ଥା ଜାଣିବା ପରେ ପାଶ୍ଚାତ୍ୟ ଦେଶମାନଙ୍କରେ ଉନ୍ନତତର ଓ ଶକ୍ତିଶାଳୀ ବତିଘରମାନ ନିର୍ମିତ ହୋଇଥିଲା । ବତିଘରର ଆଲୋକ ସମୁଦ୍ର ମଧ୍ୟକୁ ଅକସ୍ମାତ ବାହାରି ଆସିଥିବା ପଥର, ସମୁଦ୍ରପତନରୁ ଅଳ୍ପ ଗଭୀରତାରେ ବୁଡ଼ି ରହିଥିବା ପଥର ପ୍ରଭୃତିରୁ ଦୂରେଇ ରହିବା ପାଇଁ ସଙ୍କେତ ଦେଉଥିଲା ।

 
ବତିଘର ନିର୍ମାଣ ଦିଗରେ ଏଡିଷ୍ଟୋନ୍ ପ୍ରସ୍ତରରେ ଥିବା ୱିନଷ୍ଟାନଲେ ବତିଘର ଏକ ନୂତନ ଅଧ୍ୟାୟ ଯୋଡ଼ିଥିଲା

ଇଂରାଜୀ କେନାଲ୍ (English Channel) ମଧ୍ୟ ଦେଇ ଯାଉଥିବା ନାବିକମାନଙ୍କ ପାଇଁ ଏଡିସନ୍ ପ୍ରସ୍ତର ଏକ ମୁଣ୍ଡବ୍ୟଥା ଥିଲା ଓ ଏହା ଯୋଗୁଁ ଅନେକ ଜାହାଜ କ୍ଷତିଗ୍ରସ୍ତ ହେଉଥିଲେ ।[] ହେନେରି ୱିନ୍‍ଷ୍ଟାନଲେ ସେଠାକାର ପ୍ରଥମ କାଷ୍ଠନିର୍ମିତ ବତିଘରର ନିର୍ମାଣ କରାଇଥିଲେ । ଏହି ବତିଘରର ଆକାର ଅଷ୍ଟଭୂଜାକାର ଥିଲା ଓ ପଥରରେ ଲାଗିଥିବା ୧୨ଟି ଲୁହା କବଜା ଓ ଶିକୁଳି ଏହାକୁ ସୁଦୃଢ଼ ଭାବେ ଧରି ରଖିଥିଲେ । ଏହି ବତିଘରର ନିର୍ମାଣ କାର୍ଯ୍ୟ ୧୬୯୬ ମସିହାରୁ ନେଇ ୧୬୯୮ ମସିହା ପର୍ଯ୍ୟନ୍ତ ଚାଲିଥିଲା ଓ ସମୁଦ୍ର ମଧ୍ୟରେ ଏହା ବିଶ୍ୱର ପ୍ରଥମ ବତିଘର ଥିଲା ବୋଲି କୁହାଯାଏ ।[]

୧୭୫୬ରୁ ୧୭୫୯ ମଧ୍ୟରେ ଜନ୍ ସ୍ମିଟନ୍ ନାମକ ଜଣେ ନିର୍ମାଣ ଯନ୍ତ୍ରୀ ୱିନ୍‍ଷ୍ଟାନଲେ ବତିଘରର ପୁନର୍ନିର୍ମାଣ କରିଥିଲେ ଓ ଏହାକୁ “ସ୍ମିଟନ୍ସ ଟାୱର୍ ବତିଘର” କୁହାଗଲା ।[] ତାଙ୍କ ବତିଘର ୧୮୭୭ ମସିହା ଯାଏଁ ବ୍ୟବହୃତ ହେଉଥିଲା ଓ ବତିଘର ନିର୍ମାଣ ଦିଗରେ ଏହାକୁ ଏକ ବଡ଼ ଲମ୍ଫ ବୋଲି ଧରାଯାଇଥାଏ । କଳା ମୁଗୁନି ପଥର ବ୍ୟବହାର କରି ଏକ ଓକ୍ ଗଛ ଆକାରରେ ଏକ ବତିଘର ନିର୍ମାଣ କରିଥିଲେ । ମୁଗୁନି ପଥରକୁ ଧରି ରଖିବା ପାଇଁ ସେ ଏକ ପ୍ରକାରର ଚୂନର ଉପଯୋଗ କରିଥିଲେ ।[] ତାଙ୍କ ନିର୍ମାଣ କୌଶଳ ଯୋଗୁଁ ବତିଘରଟି ସୁଦୃଢ଼ ସ୍ଥିତିରେ ରହିଥିଲା ଏବଂ ପରବର୍ତ୍ତୀ କାଳର ଯନ୍ତ୍ରୀମାନେ ସ୍ମିଟନ୍‍ଙ୍କ ନିର୍ମାଣ ଶୈଳୀ ଓ କୌଶଳରୁ ପ୍ରଭାବିତ ହୋଇଥିଲେ ।[]

 
ଏଡିଷ୍ଟୋନ୍‍ସ୍ଥିତ ପୁରୁଣା ବତିଘରର (୧୭୫୯) ଜନ୍ ସ୍ମିଟନ୍ ପୁନର୍ନିର୍ମାଣ କରିଥିଲେ ଓ ଅନେକଙ୍କୁ ପ୍ରଭାବିତ କରିଥିଲେ

ରବର୍ଟ୍ ଷ୍ଟିଭେନ୍ସନ୍ ନାମକ ଯନ୍ତ୍ରୀ ବତିଘର ନିର୍ମାଣ କ୍ଷେତ୍ରରେ ଜଣେ ପରିଚିତ ଓ ପ୍ରଭାବୀ ବ୍ୟକ୍ତି ଥିଲେ ।[] ୧୮୧୦ ମସିହାରେ ସେ ନିର୍ମାଣ କରିଥିବା ବେଲ୍ ରକ୍ ବତିଘର ତତ୍କାଳୀନ ବୈଷୟିକ ଜ୍ଞାନ କୌଶଳର ଶ୍ରେଷ୍ଠ ଉଦାହରଣମାନଙ୍କରୁ ଗୋଟିଏ ବୋଲି କୁହାଯାଏ । ଏହାର ଢାଞ୍ଚା ସ୍ମିଟନ୍‍ଙ୍କ ବତିଘରର ଢାଞ୍ଚା ପରି ଥିଲା କିନ୍ତୁ ଏଥିରେ ଅନେକ ନୂତନ କୌଶଳ ବ୍ୟବହୃତ ହୋଇଥିଲା । ଲାଲ୍ ଓ ଧଳା ରଙ୍ଗରେ ପରିବର୍ତ୍ତନ ହେଉଥିବା ଏବଂ ନିରନ୍ତର ଆବର୍ତ୍ତନ କରୁଥିବା ଆଲୋକ ମଧ୍ୟ ଏହି ବତିଘରେ ବ୍ୟବହୃତ ହୋଇଥିଲା ।[] ନର୍ଦର୍ଣ୍ଣ୍ ଲାଇଟ୍‍ହାଉସ୍ ବୋର୍ଡରେ ଷ୍ଟିଭେନ୍ସନ୍ ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ ।[] ଏହି କାର୍ଯ୍ୟକାଳରେ ସେ ଅନେକ ନୂତନ ବତିଘରର ନିର୍ମାଣ ଓ ପୁରୁଣା ବତିଘରର ଉନ୍ମତୀକରଣ କରାଇଥିଲେ । ଆଲୋକ ଉତ୍ସ, ପ୍ରତିଫଳକ, ଲେନ୍ସ, ଆବର୍ତ୍ତନଶୀଳ ଆଲୋକ, ରଙ୍ଗୀନ ଆଲୋକ ପ୍ରଭୃତିର ବ୍ୟବହାରଦ୍ୱାରା ସେ ବତିଘରମାନଙ୍କୁ ଏକ ନୂତନତ୍ୱ ପ୍ରଦାନ କରିଥିଲେ । ବତିଘରମାନଙ୍କରେ ସେ କ୍ରେନ୍ ପରି ଯନ୍ତ୍ର ମଧ୍ୟ ଖଞ୍ଜାଇଥିଲେ ।

 
ଆଲେକ୍‍ଜାଣ୍ଡାର୍ ମିଚେଲ୍‍ଙ୍କ ସ୍କ୍ରୁ-ପାଇଲ୍ ବତିଘର

ଆଲେକ୍‍ଜାଣ୍ଡାର୍ ମିଚେଲ୍ ନିର୍ମାଣ କରିଥିବା ସ୍କ୍ରୁ-ପାଇଲ୍ ମୂଳଦୁଆ ପଦ୍ଧତିବିଶିଷ୍ଟ ବତିଘର ଜଳ ମଧ୍ୟରେ ସନ୍ତସନ୍ତିଆ ପୃଷ୍ଠରେ ନିର୍ମିତ ପ୍ରଥମ ବତିଘର । ୧୮୩୮ ମସିହାରେ ଥେମ୍‍ସ୍ ନଦୀର ମୁହାଣରେ ଏହି ବତିଘର ନିର୍ମିତ ହୋଇଥିଲା ଓ ଏହାକୁ “ମ୍ୟାପେଲିନ୍ ସାଣ୍ଡ୍ସ ବତିଘର” ବୋଲି ନାମିତ କରାଯାଇଥିଲା । ୧୮୪୧ ମସିହାରୁ ଏଥିରେ ଆଲୋକ ବ୍ୟବସ୍ଥା କରାଯାଇଥିଲା ।[] ଲାଙ୍କାଶାୟାର୍‍ର ୱାୟାର୍ ଲାଇଟ୍ ବତିଘରର ନିର୍ମାଣ କାର୍ଯ୍ୟ ପରେ ଆରମ୍ଭ ହୋଇଥିଲା କିନ୍ତୁ ଏଥିରେ ୧୮୪୦ରୁ ଆଲୋକ ବ୍ୟବସ୍ଥା ଖଞ୍ଜାଯାଇଥିଲା ।[]

ବତିଘର ଆଲୋକର କ୍ରମବିକାଶ

ସମ୍ପାଦନା

ପୂର୍ବେ ଜ୍ୱଳନ୍ତ କାଠ ଓ କୋଇଲା ଇତ୍ୟାଦି ବତିଘରର ଆଲୋକ ଉତ୍ସ ରୂପେ ବ୍ୟବହୃତ ହେଉଥିଲା । ୧୭୮୨ ମସିହାରେ ସ୍ୱିସ୍ ବୈଜ୍ଞାନିକ ଆଇମି ଆର୍ଗାଣ୍ଡଙ୍କଦ୍ୱାରା ଉଦ୍ଭାବିତ ଆର୍ଗାଣ୍ଡ ବତୀ (Argand lamp) ଏକ ସ୍ଥାୟୀ ଧୂମହୀନ ଆଲୋକଶିଖା ସୃଷ୍ଟି କରୁଥିବାରୁ ଏହାକୁ ବତିଘରମାନଙ୍କରେ ବ୍ୟବହାର କରାଗଲା । ଏହି ବତୀର ପ୍ରାରମ୍ଭିକ ମଡେଲ୍‍ମାନଙ୍କରେ କାଚଗୁଣ୍ଡ ଓ ପରବର୍ତ୍ତୀ ମଡେଲ୍‍ମାନଙ୍କରେ ଥୋରିୟମ୍ ଡାଇଅକ୍ସାଇଡ୍ ବ୍ୟବହୃତ ହେଉଥିଲା ଓ ବତୀରୁ ଏକ ସ୍ଥାୟୀ ଓ ଉଜ୍ଜ୍ୱଳ ଆଲୋକ ବିଚ୍ଛୁରିତ ହେଉଥିଲା ।[୧୦] ଆର୍ଗାଣ୍ଡ ବତୀରେ ତିମିମାଛର ତେଲ, କୋଲଜା, ଜୀତ ତେଲ (ଅଲିଭ୍ ବା ଜୈତୁନ୍ ତେଲ)[୧୧] ବା ବନସ୍ପତି ତେଲ ଜାଳେଣୀ ଭାବେ ବ୍ୟବହୃତ ହେଉଥିଲା । ଏକ କ୍ଷୁଦ୍ର ସଂଗ୍ରାହକ ପାତ୍ରରୁ ବତୀର ଚୁଲିକୁ ଜାଳେଣୀ ବହି ଆସୁଥିଲା । ୧୭୮୪ ମସିହାରେ ଆର୍ଗାଣ୍ଡ ଓ ମ୍ୟାଥ୍ୟୁ ବୋଲ୍ଟନ୍ ମିଳିତ ଭାବେ ଉଦ୍ଭାବନ କରିଥିବା ବତୀ ସବୁ ବତିଘରେ ଏକ ମାନକ ଆଲୋକ ଉତ୍ସ ରୂପେ ବ୍ୟବହୃତ ହେବାକୁ ଲାଗିଲା ।

୧୮୭୫ ମସିହାରେ ସାଉଥ୍ ଫୋର୍ଲାଣ୍ଡ୍ ବତିଘରେ ପ୍ରଥମ ଥର ପାଇଁ ବୈଦ୍ୟୁତିକ ଆଲୋକର ବ୍ୟବହାର କରାଗଲା । ଏକ ବାଷ୍ପଚାଳିତ ଜେନେରେଟର୍ ଏହି ବତିଘରର କାର୍ବନ୍ ଆର୍କ୍ ବତୀକୁ ଜଳାଇ ରଖୁଥିଲା ।[୧୨] ପରେ ଜନ୍ ରିଚାର୍ଡସନ୍ ୱିଙ୍ଘାମ୍ ବତିଘରର ଆଲୋକ ପାଇଁ ଏକ ଗ୍ୟାସ୍‍ଚାଳିତ ବ୍ୟବସ୍ଥା ଉଦ୍ଭାବନ କରିଥିଲେ । ଡବ୍ଲିନ୍‍ର ବେଲି ବତିଘରେ ସେ ସ୍ଥାପନ କରିଥିବା ଆଲୋକ ତତ୍କାଳୀନ ସର୍ବାଧିକ ପ୍ରଜ୍ଜ୍ୱଳିତ ବତିଘରର ଆଲୋକଠାରୁ ୧୩ ଗୁଣ ଅଧିକ ଶକ୍ତିଶାଳୀ ଥିଲା ।[୧୩]

 
ସମ୍ବର୍ଗ୍ ହେଡ୍ ବତିଘରେ ୧୯୭୬ ପର୍ଯ୍ୟନ୍ତ ବ୍ୟବହୃତ କିରୋସିନ୍‍ଚାଳିତ ବତୀ । ୧୯୧୪ରେ ଏହି ବତୀ ଉଦ୍ଭାବିତ ହୋଇଥିଲା ।

୧୯୦୧ ମସିହାରେ ଆର୍ଥର୍ କିଟ୍ସନ୍ ଏକ ବାଷ୍ପୀକୃତ ତୈଳ ବତୀର ଉଦ୍ଭାବନ କରିଥିଲେ । ପରେ ଡେଭିଡ୍ ହୁଡ୍ ଏହାର ଉନ୍ନତୀକରଣ କରିଥିଲେ । ଉଚ୍ଚ ଚାପରେ ତୈଳ ଜାଳେଣୀର ବାଷ୍ପୀକରଣ କରି ଏହି ବତୀ ପ୍ରଜ୍ଜ୍ୱଳିତ ହେଉଥିଲା ଓ ପାରମ୍ପରିକ ଆଲୋକଠାରୁ ୬ ଗୁଣ ଅଧିକ ତୀବ୍ର ଆଲୋକ ପ୍ରଦାନ କରୁଥିଲା । ସ୍ୱିଡେନ୍‍ର ଯନ୍ତ୍ରୀ ଗୁସ୍ତାଫ୍ ଡାଲେନ୍ ମଧ୍ୟ ଗ୍ୟାସ୍‍ଚାଳିତ “ଡାଲେନ୍ ଆଲୋକବତୀ”ର ଆବିଷ୍କାର କଲେ । ଡାଲେନ୍‍ଙ୍କ ଖଚିତ “ସନ୍ ଭାଲ୍ଭ” ଯୋଗୁଁ ଦିନ ବେଳା ସ୍ୱତଃ ଲିଭିଯିବା ଏହି ଆଲୋକର ବୈଶିଷ୍ଟ୍ୟ ଥିଲା । ବୈଦ୍ୟୁତିକ ଆଲୋକର ପ୍ରଚଳନ ସତ୍ତ୍ୱେ ୧୯୦୦ରୁ ନେଇ ୧୯୬୦ ଦଶନ୍ଧି ପର୍ଯ୍ୟନ୍ତ ଡାଲେନ୍ ଆଲୋକ ବହୁ ବତିଘରେ ବ୍ୟବହୃତ ହୋଇ ଆସୁଥିଲା ।[୧୪]

ବତିଘରେ ଲେନ୍ସ ବ୍ୟବସ୍ଥା

ସମ୍ପାଦନା
 
ଗୋଲକାକାର ଫ୍ରେସ୍ନେଲ୍ ଲେନ୍ସରେ ଆଲୋକ ରଶ୍ମୀର ବିଚ୍ଛୁରଣ

ଆର୍ଗାଣ୍ଡ ବତୀ ପରି ସ୍ଥାୟୀ ଆଲୋକ ଉତ୍ସର ଉଦ୍ଭାବନ ପରେ ଲେନ୍ସ ବ୍ୟବହାର କରି ସେ ଆଲୋକକୁ ବିଚ୍ଛୁରିତ କରାଗଲା ଯେପରିକି ତାହା ଦୂରରେ ଯାଉଥିବା ଜାହାଜ ଓ ଡଙ୍ଗା ଦେଖିପାରିବେ । ୧୭୬୩ ମସିହାରେ ୱିଲିୟମ୍ ହଚିନ୍‍ସନ୍ ଏପରି ଏକ ବ୍ୟବସ୍ଥା ଆବିଷ୍କାର କରିଥିଲେ । ଏହି ବ୍ୟବସ୍ଥା ଆଲୋକକୁ କରି ଏକ ମୋଟା ରଶ୍ମୀ ରୂପରେ ରୂପାନ୍ତରିତ କରୁଥିବାରୁ ଦୂର ପର୍ଯ୍ୟନ୍ତ ଦେଖାଯାଉଥିଲା ।[୧୫] ବତିଘରର ଆଲୋକକୁ ଜଳାଇ-ଲିଭାଇ (ଧପଧପ କରାଇ) ବା କ୍ରମାଗତ ରଙ୍ଗ ପରିବର୍ତ୍ତନ କରାଇ ନାବିକମାନଙ୍କୁ ବିଭିନ୍ନ ସଙ୍କେତ ଦିଆଯାଉଥିଲା ।

ଫରାସୀ ପଦାର୍ଥ ବିଜ୍ଞାନୀ ଓ ଯନ୍ତ୍ରୀ ଅଗଷ୍ଟିନ୍ ଜ୍ୟନ୍ ଫ୍ରେସ୍ନେଲ୍ ବତିଘରେ ବ୍ୟବହାର କରିବା ପାଇଁ ଏକ ସ୍ୱତନ୍ତ୍ର ଲେନ୍ସର ଆବିଷ୍କାର କଲେ । ଏହି ଫ୍ରେସ୍ନେଲ୍ ଲେନ୍ସର ଫୋକାଲ୍ ବିନ୍ଦୁରେ ଥିବା ଆଲୋକକୁ ଅଧିକ କରି ବିଚ୍ଛୁରିତ କରାଗଲେ ତାହା ଦୂରଦୂରାନ୍ତକୁ ଦିଶୁଥିଲା । ପାରମ୍ପରିକ ଲେନ୍ସ ଅପେକ୍ଷା ଏହି ଲେନ୍ସର ବସ୍ତୁତ୍ୱ ଓ ଆୟତନ କମ୍ ଥିଲା । ତେଣୁ ଏହା ହାଲୁକା ଓ ପତଳା ମଧ୍ୟ ଥିଲା ।

ଫ୍ରାନ୍ସର ଜିରୌନ୍ଦ୍ ତ୍ରିକୋଣଭୂମିରେ ଥିବା କୋର୍ଦୌଆଁ ବତିଘରେ ୧୮୨୩ ମସିହାରେ ପ୍ରଥମେ ଫ୍ରେସ୍ନେଲ୍ ଲେନ୍ସ ବ୍ୟବହୃତ ହୋଇଥିଲା ଓ ସେ ସମୟରେ ଏହି ବତିଘରର ଆଲୋକ ୨୦ କିଲୋମିଟର୍‍ରୁ ଅଧିକ ଦୂର ପର୍ଯ୍ୟନ୍ତ ଦେଖିହେଉଥିଲା ।[୧୬] ଫ୍ରେସ୍ନେଲ୍‍ଙ୍କ ଏହି ଆବିଷ୍କାର ବତିଘର ଆଲୋକର ଉଜ୍ଜ୍ୱଳତା ୪ ଗୁଣ ପର୍ଯ୍ୟନ୍ତ ବଢ଼ାଇବାରେ ସକ୍ଷମ ହୋଇଥିଲା । ଆଜି ପର୍ଯ୍ୟନ୍ତ କିଛି ବତିଘରେ ଏହି ଲେନ୍ସ ବ୍ୟବହୃତ ହେଉଛି ।

ଅତ୍ୟାଧୁନିକ ଯୁଗରେ ଅବସ୍ଥା

ସମ୍ପାଦନା

ଅତ୍ୟାଧୁନିକ ଯୁଗରେ ବ୍ୟାପକ ବିଦ୍ୟୁତୀକରଣ ଓ ସ୍ୱତଃ ଆଲୋକ ପରିବର୍ତ୍ତନର କ୍ଷମତା ରହିଥିବାରୁ ବତିଘରେ ଆଉ ମନୁଷ୍ୟ ନିରୀକ୍ଷଣର ଆବଶ୍ୟକତା ରହିଲା ନାହିଁ । ବହୁ ସମୟ ପର୍ଯ୍ୟନ୍ତ ବତିଘର ଜଗୁଆଳୀମାନେ ବିପଦ ସମୟରେ ସହାୟତା କରିବା ପାଇଁ ନିୟୋଜିତ ହେଉଥିଲେ । ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ (ଜିପିଏସ୍) ବ୍ୟବସ୍ଥା ଆସିବା ପରେ ଅଣ-ଯାନ୍ତ୍ରିକ ବତିଘର ସବୁ ବନ୍ଦ ହୋଇଯାଇଛି ଅଥବା ସେମାନଙ୍କ ନବୀକରଣ କରାଯାଉଛି ।[୧୭] କାନାଡ଼ାରେ ବର୍ତ୍ତମାନ ସୁଦ୍ଧା ୫୦ଟି ମନୁଷ୍ୟଚାଳିତ ବତିଘର ରହିଛି ଯେଉଁଥିରୁ ୨୭ଟି ବତିଘର କେବଳ ପଶ୍ଚିମ ଉପକୂଳରେ ଅବସ୍ଥିତ ।[୧୮]

ବର୍ତ୍ତମାନ ସମୟର ଅଧିକାଂଶ ବତିଘର ସୌରଶକ୍ତିଦ୍ୱାରା ପରିଚାଳିତ ଓ ଏମାନେ ସ୍ଥାୟୀ ଭାବେ ଧପଧପ ଆଲୋକ ସୃଷ୍ଟି କରିବାରେ ସକ୍ଷମ ।[୧୯] ସୌରଶକ୍ତିଦ୍ୱାରା ବତିଘରରର ଆବଶ୍ୟକୀୟ ଚାହିଦା ନ ମେଣ୍ଟିଲେ ବା ବ୍ୟାଟେରୀ ବଦଳାଇବାର ଆବଶ୍ୟକତା ସୃଷ୍ଟି ହେଲେ କିଛି ସମୟ ପାଇଁ ଏହି ସବୁ ବତିଘରେ ଡିଜେଲ୍ ଜେନେରେଟର୍ ବ୍ୟବହାର କରାଯାଇଥାଏ ।[୨୦]

ପ୍ରସିଦ୍ଧ ବତିଘର ନିର୍ମାତା

ସମ୍ପାଦନା

ପାଶ୍ଚାତ୍ୟ ଦେଶମାନଙ୍କରେ ନିର୍ମିତ ବତିଘରମାନଙ୍କ ମଧ୍ୟରେ ଏଡିଷ୍ଟୋନ୍ ବତିଘର ଓ ଏହାର ନିର୍ମାତା ଜନ୍ ସ୍ମିଟନ୍ ଉଲ୍ଲେଖଯୋଗ୍ୟ । ତେବେ କିଛି ବତିଘର ନିର୍ମାତା ଏକାଧିକ ବତିଘର ନିର୍ମାଣ କରିଯାଇଛନ୍ତି । ନିର୍ମାଣ ଯନ୍ତ୍ରୀ ରବର୍ଟ୍ ଷ୍ଟିଭେନ୍‍ସନ୍ ଓ ତାଙ୍କ ବଂଶର ଅନ୍ୟ କିଛି ନିର୍ମାତା ଯଥା – ଆଲାନ୍ ଷ୍ଟିଭେନ୍‍ସନ୍, ଡେଭିଡ୍ ଷ୍ଟିଭେନ୍‍ସନ୍, ଚାର୍ଲସ୍ ଆଲେକ୍‍ଜାଣ୍ଡାର୍ ଷ୍ଟିଭେନ୍‍ସନ୍, ଥୋମାସ୍ ଷ୍ଟିଭେନ୍‍ସନ୍ ପ୍ରଭୃତି ତିନି ପିଢ଼ୀ ଧରି ସ୍କଟଲ୍ୟାଣ୍ଡରେ ଅନେକ ବତିଘରର ନିର୍ମାଣ କରିଥିଲେ । ଆୟାର୍ଲ୍ୟାଣ୍ଡର ଅନ୍ଧ ଯନ୍ତ୍ରୀ ଆଲେକ୍‍ଜାଣ୍ଡାର୍ ମିଚେଲ୍ ସ୍କ୍ରୁ-ପାଇଲ୍ ମୂଳଦୁଆବିଶିଷ୍ଟ ବତିଘର ବ୍ୟବସ୍ଥାର ଆବିଷ୍କାର କରିଥିଲେ ଓ ଏକ ବତିଘରର ନିର୍ମାଣ ମଧ୍ୟ କରିଥିଲେ । ଇଂଲଣ୍ଡର ଜେମ୍‍ସ୍ ଡଗ୍ଲାସ୍‍ଙ୍କ ବତିଘର ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ନାଇଟ୍‍ହୁଡ୍ (Knighthood) ପ୍ରଦାନ କରାଯାଇଥିଲା ।

ଯୁକ୍ତରାଷ୍ଟ୍ର ଆମେରିକା ସୈନ୍ୟବାହିନୀର ଯନ୍ତ୍ରୀ ବିଭାଗର ଲିଉଟେନାଣ୍ଟ୍ ଜର୍ଜ୍ ମିଡ୍ ଆଟ୍‍ଲାଣ୍ଟିକ୍ ମହାସାଗର ଓ ଭୂମଧ୍ୟସାଗର ତଟରେ ଅନେକ ବତିଘରର ନିର୍ମାଣ କରିଥିଲେ । ପରେ ଜର୍ଜ୍ ଗେଟିସ୍‍ବର୍ଗ୍ ଯୁଦ୍ଧର ବିଜୟୀ ସେନାପତି ଭାବେ ଅଧିକ ପ୍ରସିଦ୍ଧ ହୋଇଥିଲେ । ସେନାପତି ୱିଲିୟମ୍ ଟେକୁମ୍ସେ ଶର୍ମାନଙ୍କ ଯନ୍ତ୍ରୀ କର୍ଣ୍ଣେଲ୍ ଓର୍ଲାଣ୍ଡୋ ପୋ ଯୁକ୍ତରାଷ୍ଟ୍ର ଆମେରିକାର ଗ୍ରେଟ୍ ଲେକ୍‍ସ୍ ଅଞ୍ଚଳରେ ଅତି ମନୋରମ ଓ ଦର୍ଶନୀୟ ବତିଘରମାନ ନିର୍ମାଣ କରିଯାଇଛନ୍ତି ।[୨୧]

ଫରାସୀ ବାଣିଜ୍ୟ ନୌବାହିନୀ ଅଧିକାରୀ ମେରିୟସ୍ ମିଶେଲ୍ ପାଶା ୨୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ବତିଘର ନିର୍ମାଣ କରିଥିଲେ ।[୨୨]

ବତିଘର ଓ ସମ୍ବନ୍ଧୀୟ ବିଜ୍ଞାନ

ସମ୍ପାଦନା

ବତିଘରର ଆଲୋକ ଉତ୍ସ ବା ବତି ବିଦ୍ୟୁତ ବା ତୈଳଦ୍ୱାରା ଜଳିଥାଏ ଓ ଲେନ୍ସମାନଙ୍କ ସହାୟତାରେ ଏହାକୁ ଅଧିକ ଦୃଶ୍ୟମାନ କରାଯାଏ । ପ୍ରଥମେ କାଠରେ ନିଆଁ ଲଗାଇ, ମହମ ବତୀଦ୍ୱାରାଦ୍ୱାରା ବତିଘରର ଆଲୋକ ସୃଷ୍ଟି କରାଯାଉଥିଲା । ୧୮ଶ ଶତାବ୍ଦୀରେ ଆର୍ଗାଣ୍ଡ ବତି ଓ ପାରାବୋଲିକ୍ ପ୍ରତିଫଳକ ବ୍ୟବହାର କରିବା ଆରମ୍ଭ ହେଲା ।

ପୂର୍ବେ ଆଲୋକକୁ ଜଳାଇ ରଖିବା ପାଇଁ ତିମି ମାଛରୁ ବାହାର କରାଯାଉଥିବା ତେଲ ବ୍ୟବହୃତ ହେଉଥିଲା । ୧୮୭୦ ଦଶନ୍ଧିରେ କିରୋସିନ୍ ଲୋକପ୍ରିୟତା ହାସଲ କଲା । ବିଂଶ ଶତାବ୍ଦୀର ଆରମ୍ଭ ବେଳକୁ କାର୍ବାଇଡ୍ (ଏସିଟିଲିନ୍ ଗ୍ୟାସ୍) ଓ ବିଦ୍ୟୁତ୍ ଶକ୍ତିର ଉପଯୋଗ ଆରମ୍ଭ ହେଲା ।[୧୯] ଡାଲେନ୍ ବତୀରେ କାର୍ବାଇଡ୍ ବ୍ୟବହୃତ ହେଉଥିଲା । ସନ୍ଧ୍ୟା ହେଲେ ଏହି ବତୀ ସ୍ୱତଃ ଜଳି ଉଠୁଥିଲା ଏବଂ ସକାଳ ହେଲେ ସ୍ୱତଃ ବନ୍ଦ ହୋଇଯାଉଥିଲା ।

ଶୀତଳ ଯୁଦ୍ଧ କାଳରେ ସୋଭିଏତ୍ ସଂଘରେ ରେଡ଼ିଓଆଇସୋଟୋପ୍ ଥର୍ମୋଇଲେକ୍ଟ୍ରିକ୍ ଜେନେରେଟର୍ (RTG) ବ୍ୟବହାର କରି ଅନେକ ବତିଘର ନିର୍ମାଣ କରାଇଥିଲା । ଏସବୁ ବତିଘର ସ୍ୱଚାଳିତ ଥିଲା ଓ ଏଥିରେ ଜାଳେଣୀ ପରିବର୍ତ୍ତନ କରିବାର ଆବଶ୍ୟକତା ନଥିଲା । ସୋଭିଏତ୍ ସଂଘର ବିଭାଜନ ପରେ କୌଣସି ବତିଘରର ନଥିପତ୍ର ମିଳୁନାହିଁ କି ସେମାନଙ୍କୁ ଠାବ କରାଯାଇପାରୁ ନାହିଁ ।[୨୩] ସମୟକ୍ରମେ ଏଥିରୁ କିଛି ଅଚଳ ହେବାପରେ ଲୋକେ ଏହାର ଉପକରଣ ଚୋରି କରିନେଲେ ଓ ଭଙ୍ଗାରୁଜା କରି ଅବଶେଷ ବିକ୍ରି କରିଦେଲେ ।[୨୪]

ଲେଜର୍ ଆଲୋକ

ସମ୍ପାଦନା
 
୧୯୭୧ରେ କ୍ୱିନ୍ସଲ୍ୟାଣ୍ଡର ପଏଣ୍ଟ୍ ଡେଞ୍ଜର୍ ବତିଘରେ ଲେଜର୍ ଆଲୋକ ବ୍ୟବହୃତ ହୋଇଥିଲା କିନ୍ତୁ ପରେ ୧୯୭୫ରେ ପାରମ୍ପରିକ ବୈଦ୍ୟୁତିକ ଆଲୋକ ବ୍ୟବହୃତ ହେବାକୁ ଲାଗିଲା

ପରୀକ୍ଷାମୂଳକ ଭାବେ କେତେକ ବତିଘରେ ଲେଜର୍ ଆଲୋକ ଖଞ୍ଜା ଯାଇଥିଲା କିନ୍ତୁ ଏହି ବ୍ୟବସ୍ଥା ଅଧିକ ଜଟିଳ ଥିଲା, ଶକ୍ତି ଆବଶ୍ୟକତା ଅଧିକ ଥିଲା ଓ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ଅଧିକ ଥିଲା ।[୨୫]

ବତିଘରର ଅଟ୍ଟାଳିକା

ସମ୍ପାଦନା

ବ୍ୟବହୃତ ଅଂଶ

ସମ୍ପାଦନା
 
ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଏକ ବତିଘରର ଆଲୁଅ

ଏକା ଉପକରଣ ରହିଥିଲେ ହେଁ ସ୍ଥାନ ଓ ବ୍ୟବହାର ଅନୁସାରେ ବତିଘର ଅଟ୍ଟାଳିକା ଭିନ୍ନ ଭିନ୍ନ ହୋଇଥାଏ । ସମ୍ପୂର୍ଣ୍ଣ ବତିଘର ବ୍ୟବସ୍ଥାରେ ବତିଘର ଅଟ୍ଟାଳିକା, ପାଚେରୀ, ଜଗୁଆଳୀଙ୍କ ଘର, ଜାଳେଣୀ ଘର, ଡଙ୍ଗା ରଖିବାପାଇଁ ସ୍ଥାନ, କୁହୁଡ଼ି ହର୍ଣ୍ଣ୍ ବ୍ୟବସ୍ଥା ଇତ୍ୟାଦି ରହିଥାନ୍ତି । ବତିଘର ଅଟ୍ଟାଳିକା ବା ମୀନାରରେ ଆଲୋକ ପାଇଁ ଏକ ସ୍ୱତନ୍ତ୍ର କୋଠରୀ ଥାଏ ।

ବତିଘରର ଶୀର୍ଷରେ ଥିବା ଆଲୋକ ବା ବତି ପ୍ରକୋଷ୍ଠଟି ଚତୁର୍ଦିଗରେ କାଚଦ୍ୱାରା ଘେରା ଏବଂ ତାହା ଭିତରେ ବତି, ଲେନ୍ସ ପ୍ରଭୃତି ରହିଥାଏ । ବଜ୍ରପାତରୁ ସୁରକ୍ଷା ପାଇଁ ମୀନାର ଉପରେ ଏକ ଲାଇଟେନିଂ ରଡ୍ ଖଞ୍ଜା ଯାଇଥାଏ । ବତି ପ୍ରକୋଷ୍ଠର କାଚକୁ ବିଭିନ୍ନ ଧାତବ ବନ୍ଧନୀଦ୍ୱାରା ଧରି ରଖାଯାଏ ଏବଂ ଏହା ଝଡ଼ବାତ୍ୟାରୁ ବତି ପ୍ରକୋଷ୍ଠକୁ ସୁରକ୍ଷିତ ରଖେ । ବତି ପ୍ରକୋଷ୍ଠ ମଧ୍ୟରେ ଉତ୍ପନ୍ନ ଧୂଆଁ ଓ ତାପ ନିୟନ୍ତ୍ରଣ କରିବା ପାଇଁ ବାତ୍ୟାନିରୋଧକ ଭେଣ୍ଟିଲେଟର୍ ମଧ୍ୟ ରହିଥାଏ ।

ବତି ପ୍ରକୋଷ୍ଠର ଠିକ୍ ତଳେ ନିରୀକ୍ଷଣ ପ୍ରକୋଷ୍ଠ ଓ ରକ୍ଷଣାବେକ୍ଷଣ ପ୍ରକୋଷ୍ଠ ଥାଏ । ରକ୍ଷଣାବେକ୍ଷଣ ପ୍ରକୋଷ୍ଠରେ ଜାଳେଣୀ, ସଫେଇ ସାମଗ୍ରୀ ଓ ଅନ୍ୟାନ୍ୟ ଦରକାରୀ ଜିନିଷ ରଖାଯାଇଥାଏ । ପୂର୍ବ କାଳରେ ବତିଘର ଜଗୁଆଳୀ ଏଠାରେ ରହି ବତିକୁ ଜଳାଇ ରଖିବା ଓ ସମୁଦ୍ର ଉପରେ ନଜର ରଖିବା କାମ କରୁଥିଲେ । ଲେନ୍ସ ବୁଲାଇ ସଙ୍କେତ ଦେବା ଉପକରଣ ମଧ୍ୟ ଏହି ପ୍ରକୋଷ୍ଠରେ ରହୁଥିଲା । ବତି ପ୍ରକୋଷ୍ଠ ଓ ନିରୀକ୍ଷଣ ପ୍ରକୋଷ୍ଠ ବାହାରେ ଗ୍ୟାଲେରୀମାନ ରହିଥାଏ । ବାହାର ପଟରୁ ପ୍ରକୋଷ୍ଠମାନଙ୍କ କାଚ ସଫା କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଥାଏ ।[୨୬]

ଅତି ନିକଟରେ ଥିବା ଦୁଇଟି ବତିଘରର ଆକାର ଓ ରଙ୍ଗ ପ୍ରାୟତଃ ସମାନ ରଖାଯାଏ । ଦିନ ବେଳା ଏମାନଙ୍କୁ ରଙ୍ଗରୁ ଚିହ୍ନି ହେଉଥିବାରୁ ଏହି ରଙ୍ଗକୁ ଇଂରାଜୀରେ “ଡେ ମାର୍କ୍ (daymark)” ବୋଲି କୁହନ୍ତି । କେପ୍ ହାଟ୍ଟେରାସ୍ ବତିଘରେ କୁଣ୍ଡଳାକାର କଳାଧଳା ରଙ୍ଗ ଦିଆଯାଇଛି । ଦିଗବଳୟ ପୃଷ୍ଠଭୂମିରେ ରେସ୍ ରକ୍ ବତିଘରର (ପଶ୍ଚିମ କାନାଡ଼ା) ଭୂସମାନ୍ତରାଳ କଳାଧଳା ପଟାଦାଗ ଦେଖି ବତିଘରଟିଏ ଥିବା ଜଣା ପଡ଼ିଥାଏ ।

ଢାଞ୍ଚା ବା ନିର୍ମାଣ ଶୈଳୀ

ସମ୍ପାଦନା

ବତିଘରର ଆଲୋକ ଅଟ୍ଟାଳିକାର ଶୀର୍ଷରେ ରହିବା ଉଚିତ୍ ଯେପରିକି ବିପଦସଙ୍କୁଳ ପରିସ୍ଥିତି ନିକଟ ହେବାର ବହୁ ପୂର୍ବରୁ ନାବିକଙ୍କୁ ସଚେତ କରାଯାଇପାରିବ । ଯଦି ଯେଉଁ ଜଳପୃଷ୍ଠରୁ ବତିଘରର ଉଚ୍ଚତାକୁ H ଫୁଟ୍ ଧରାଯାଏ ଓ ଦିଗବଳୟର ଦୂରତା d ନୌଟିକାଲ୍ ମାଇଲ୍ ହୁଏ, ତେବେ ତ୍ରିକୋଣମିତି ସୂତ୍ର  ଦ୍ୱାରା ଏହି ଦୁଇ ସଂଖ୍ୟାର ଫଳନ ପ୍ରକାଶିତ ହୋଇଥାଏ ।[୨୭]

ଯଦି ଭୂଭାଗରୁ କିଛି ଦୂରତାରେ ସମୁଦ୍ର ମଧ୍ୟରେ ନିମଗ୍ନ ପାହାଡ଼ ଥାଏ ତେବେ ସମୁଦ୍ର କୂଳରେ ପଥର ବା ଇଟାରେ ସୁଉଚ୍ଚ ମୀନାର ବିଶିଷ୍ଟ ବତିଘର ନିର୍ମାଣ କରାଯାଏ । ବତିଘର ଉପରେ ବାୟୁ ଶକ୍ତିର ପ୍ରଭାବ କମ୍ କରିବା ପାଇଁ ଏହି ବତିଘର ଆକାରରେ ସିଲିଣ୍ଡରାକୃତି ହୋଇଥାଏ । ଯୁକ୍ତରାଷ୍ଟ୍ର ଆମେରିକାର କେପ୍ ମେ ବତିଘର (Cape May Light) ଏହି ନିର୍ମାଣ ଶୈଳୀର ଏକ ଉଦାହରଣ । ବନ୍ଦର ପ୍ରବେଶ ପଥରେ ଏପରି ଆକାରର ଛୋଟ ବତିଘର ମଧ୍ୟ ନିର୍ମିତ ହୋଇଥାଏ । ଉଦାହରଣ ସ୍ୱରୂପ ନ୍ୟୁ ଲଣ୍ଡନ ବନ୍ଦର ବତିଘର ।

ଯଦି ସମୁଦ୍ର କୂଳରେ ଏକ ଉଚ୍ଚ ଶିଖର ବା ପାହାଡ଼ ଥାଏ ତେବେ ସେହି ପାହାଡ଼ ଉପରେ ଏକ ଅଳ୍ପ ଉଚ୍ଚତା ବିଶିଷ୍ଟ ବତିଘର ନିର୍ମାଣ କରାଯାଇପାରିବ (ଯଥା – ହର୍ଟନ୍ ପଏଣ୍ଟ୍ ବତିଘର, ଯୁକ୍ତରାଷ୍ଟ୍ର ଆମେରିକା) । ଏହି ପାହାଡ଼ମାନଙ୍କ ଉଚ୍ଚତା ଅଧିକ ହୋଇଥିଲେ ନିମ୍ନସ୍ତରର ମେଘମାଳା ବତିଘରର ଆଲୋକକୁ ଆଚ୍ଛାଦିତ କରିବାର ଆଶଙ୍କା ଥାଏ । ଏପରି ଅବସ୍ଥାରେ ଶିଖରରୁ କିଛି ତଳକୁ ବତିଘର ନିର୍ମାଣ କରିବା ଉଚିତ୍ (ଉଦାହରଣ – ପଏଣ୍ଟ୍ ରେଇସ୍ ବତିଘର, ଯୁକ୍ତରାଷ୍ଟ୍ର ଆମେରିକା) । କାଲିଫର୍ଣ୍ଣିଆର ଓଲ୍‍ଡ୍ ପଏଣ୍ଟ୍ ଲୋମା ବତିଘରର ଆଲୁଅ କୁହୁଡ଼ି ଯୋଗୁଁ ବାଧାପ୍ରାପ୍ତ ହୋଇ ଦୁର୍ଘଟଣା ଘଟୁଥିବାରୁ ତାହାଠାରୁ ନିମ୍ନ ଉଚ୍ଚତାରେ ୧୮୯୧ ମସିହାରେ ନ୍ୟୁ ପଏଣ୍ଟ୍ ଲୋମା ବତିଘର ନିର୍ମିତ ହୋଇଥିଲା ।

ବିଂଶ ଶତାବ୍ଦୀରେ ନିର୍ମାଣ ବୈଷୟିକ ଜ୍ଞାନ କୌଶଳ ବିକଶିତ ହେବାପରେ ଲୁହା ଓ ଷ୍ଟିଲ୍ ପରି ଧାତୁରେ ବତିଘର ଢାଞ୍ଚାର ବିଭିନ୍ନ ଅଂଗ ନିର୍ମିତ ହୋଇପାରିଲା ଓ ଛାଞ୍ଚ ପରି ଏମାନଙ୍କୁ ଯୋଡ଼ି ବତିଘର ନିର୍ମାଣ କରାଯାଇପାରିଲା । ଫିନ୍ସ ପଏଣ୍ଟ୍ ରେଞ୍ଜ୍ ବତିଘର ଏହାର ଏକ ଉଦାହରଣ ।

ବେଳେବେଳେ ପାଣି ମଧ୍ୟରେ ବତିଘର ନିର୍ମାଣ କରିବା ଆବଶ୍ୟକୀୟ । ଲହଡ଼ିକୁ ପ୍ରତିରୋଧ କରିବା ପାଇଁ ଏପରି ବତିଘରର ନିର୍ମାଣରେ ଇଟା, କଂକ୍ରିଟ୍ ବ୍ୟବହୃତ ହୁଏ । ଇଂଲଣ୍ଡର ଏଡିଷ୍ଟୋନ୍ ବତିଘର ଓ ଯୁକ୍ତରାଷ୍ଟ୍ର ଆମେରିକାର ସେଣ୍ଟ୍ ଜର୍ଜ୍ ରିଫ୍ ବତିଘର ଏପରି ବତିଘରର ଉଦାହରଣ । ଅଗଭୀର ସମୁଦ୍ରରେ ସ୍କ୍ର-ପାଇଲ୍ ବ୍ୟବସ୍ଥା ଉପଯୋଗୀ ହୋଇଥାଏ । ଅତି ଥଣ୍ଡାରେ ପାଣି ବରଫ ହୋଇଗଲେ ସ୍କ୍ରୁ-ପାଇଲ୍ ଭିତ୍ତି ଅକାମୀ ହୋଇଯାଇପାରେ । ତେଣୁ ଅଧିକ ଥଣ୍ଡା ଅଞ୍ଚଳରେ ଷ୍ଟିଲ୍ କେଶନ୍ (ଷ୍ଟିଲ୍ ନିର୍ମିତ ଫମ୍ପା ସ୍ତମ୍ଭ) ବ୍ୟବହାର କରି ବତିଘର ନିର୍ମିତ ହୁଏ । ଆମେରିକାର ବଗ୍ ଲାଇଟ୍ ବତିଘରକୁ ସ୍କ୍ରୁ-ପାଇଲ୍‍ରୁ ଷ୍ଟିଲ୍ କେଶନ୍ ବ୍ୟବସ୍ଥାକୁ ପରିବର୍ତ୍ତିତ କରାଯାଇଥିଲା ।[୨୮]

ଅତି ଗଭୀର ପାଣିରେ ବତିଘର ନିର୍ମାଣ କରିବା ସମ୍ଭବପର ନୁହେଁ ; ତେଣୁ ବତିଘର ପରିବର୍ତ୍ତେ ଆଲୋକ ଦେଖାଉଥିବା ଏକ ଜାହାଜ ସମୁଦ୍ର ମଧ୍ୟରେ ନିଯୋଜିତ ହୋଇଥାଏ ।[୨୯]

ଦିଗବାରେଣୀ ରେଞ୍ଜ୍ ଆଲୋକ

ସମ୍ପାଦନା
 
ନୋଭା ସ୍କଟିଆର ମାର୍ଗାରି ବନ୍ଦରର ବତିଘର । ଉପର ଓ ତଳ ଆଲୋକ ଏକ ଦିଗରେ ରହିଲେ ଜାହାଜଟି ଠିକ୍ ରାସ୍ତାରେ ଯାଉଛି ବୋଲି ସଙ୍କେତ ପାଇଥାଏ ।

ପୃଥିବୀ ପୃଷ୍ଠରେ ଜାହାଜଟିଏ ଦୁଇଟି ବିନ୍ଦୁ ମଧ୍ୟରେ ଗତିପଥ ନିର୍ଦ୍ଧାରଣ କରେ । ଆମେରିକୀୟ ଭାଷାରେ ଏହାକୁ ରେଞ୍ଜ୍ (range) ଓ ବ୍ରିଟିଶ୍‍ମାନେ ଏହାକୁ ଟ୍ରାଞ୍ଜିଟ୍ (transit) ବୋଲି କୁହନ୍ତି । ନଦୀ ବା ନାଳରେ ଏହି ଗତିପଥ ସୁରୁଖୁରୁରେ ନିର୍ଦ୍ଧାରିତ ହୁଏ । ଦୁଇଟି ବତିଘରର ଆଲୋକ ସହାୟତାରେ ମଧ୍ୟ ଗତିପଥ ନିର୍ଦ୍ଧାରଣ ସହଜ ହୋଇଥାଏ ଓ ରାତିରେ ଦିଗବାରେଣୀ ପରି କାମ କରେ ।

ଯୋଡ଼ା ଯୋଡ଼ା ହୋଇ ରହିଥିବା ବତିଘରମାନଙ୍କୁ ଆମେରିକା ଓ ବ୍ରିଟେନରେ ଯଥାକ୍ରମେ ରେଞ୍ଜ୍ ଆଲୋକ (range lights) ଓ ଲିଡିଂ ଆଲୋକ (leading lights) ବୋଲି କୁହାଯାଏ । ନିକଟତମ ବତିଘରକୁ ଫ୍ରଣ୍ଟ୍ ରେଞ୍ଜ୍ (front range) ଓ ଦୂରତମ ବତିଘରକୁ ରିଅର୍ ରେଞ୍ଜ୍ (rear range) ବୋଲି କୁହାଯାଏ । ସାଧାରଣତଃ ରିଅର୍ ରେଞ୍ଜ୍ ବତିଘର ଫ୍ରଣ୍ଟ୍ ରେଞ୍ଜ୍ ବତିଘରଠାରୁ ଉଚ୍ଚତର ହୋଇଥାଏ ।

ଜାହାଜଟି ଠିକ୍ ରାସ୍ତାରେ ଆସୁଥିଲେ ଉଭୟ ବତିଘରର ଆଲୋକ ଅଭିଲମ୍ବ ଭାବେ ସମରେଖାରେ ଅବସ୍ଥାନ କରନ୍ତି । ଭୁଲ ରାସ୍ତାରେ ଯିବାବେଳେ ଦୁଇ ଆଲୋକ ସମରେଖାରେ ରହନ୍ତି ନାହିଁ । ଆଲୋକର ରୈଖିକ ସଜ୍ଜା ଅନୁଯାୟୀ ଦିଗ ପରିବର୍ତ୍ତନ କରାଯାଇଥାଏ ।

ସ୍ଥାନ ନିର୍ଣ୍ଣୟ

ସମ୍ପାଦନା
 
କର୍ଣ୍ଣାଟକର କାପୁସ୍ଥିତ ବତିଘର ଏକ ପାହାଡ଼ ଉପରେ ନିର୍ମିତ

ଅବସ୍ଥିତି ଅନୁସାରେ ବତିଘରମାନଙ୍କୁ ମୋଟାମୋଟି ଦୁଇଟି ଶ୍ରେଣୀରେ ବିଭକ୍ତ କରିହେବ । (୧) ସ୍ଥଳ ବତିଘର ଓ (୨) ଜଳ ବତିଘର । ଆଖପାଖରେ ନଦୀ, ହ୍ରଦ ବା ସମୁଦ୍ର ନଥାଇ ମଧ୍ୟ କିଛି ସ୍ଥାନରେ ବତିଘର ନିର୍ମିତ ହୋଇଛି । ଶୀତପ୍ରଧାନ ସମତଳ ଅଞ୍ଚଳରେ କୁହୁଡ଼ି ଯୋଗୁଁ ଲୋକେ ବାଟ ଠାବ କରିନପାରନ୍ତି । ସେହି ଅଞ୍ଚଳରେ ସ୍ଥଳଭାଗରେ ଗମନାଗମନ ଓ ଦିଗବାରେଣୀ ପାଇଁ କିଛି ବତିଘର (ଉଚ୍ଚ ସ୍ଥାନରେ ଆଲୋକ) ନିର୍ମିତ ହୋଇଥିଲା ଯାହାକୁ ଲୋକେ ଦୂରରୁ ଦେଖି ବାଟ ଜାଣିପାରିବେ ।

୧୮ଶ ଶତାବ୍ଦୀରେ ନିର୍ମିତ “ଡନ୍‍ଷ୍ଟନ୍ ପିଲର୍ (Dunston Pillar)” ଏହି ପ୍ରକାରର ସ୍ଥଳ ବତିଘରର ଏକ ଉଦାହରଣ । ମଧ୍ୟ-ଲିଙ୍କନ୍‍ଶାୟାର୍‍ର ଲୋକଙ୍କୁ “ହିଥ୍‍ଲ୍ୟାଣ୍ଡ୍” ନାମକ ଏକ ଜଙ୍ଗଲିଆ ଅଞ୍ଚଳ ଅତିକ୍ରମ କରି ଯିବାକୁ ପଡ଼ୁଥିଲା ଓ ସେଠାକାର ଡାକୁମାନଙ୍କଠାରୁ ବଞ୍ଚି ସହର ଅଭିମୁଖେ ପଳାଇ ଆସିବାରେ ଏହି ସ୍ଥଳ ବତିଘର ସହାୟକ ହେଉଥିଲା । ୧୯ଶ ଶତାବ୍ଦୀରେ ପରିବହନ ଓ ଦିଗବାରେଣୀ ବ୍ୟବସ୍ଥା ବହୁ ମାତ୍ରାରେ ଉନ୍ନତ ହୋଇଯିବାରୁ ଏହି ସ୍ଥଳ ବତିଘରଗୁଡ଼ିକ ଅଦରକାରୀ ଓ ଅଚଳ ହୋଇଗଲା ।

ଜଳ ବତିଘର ଭୂଖଣ୍ଡରୁ ଦୂରରେ ରହିଥାନ୍ତି ।[୩୦] ଏପରି ବତିଘର ନିର୍ମାଣ ପଛରେ ରହିଥିବା ମୁଖ୍ୟ କାରଣ ହେଲା – ମୂଳ ଭୂଖଣ୍ଡରୁ କିଛି ଦୂର ସମୁଦ୍ର ମଧ୍ୟରେ ଜଳନିମଗ୍ନ ପାହାଡ଼, ଦ୍ୱୀପ ବା ପ୍ରସ୍ତରଖଣ୍ଡ ରହିଥାଏ ଯାହାଠାରୁ ଜାହାଜ ଦୂରେଇ ରହିବା ଆବଶ୍ୟକ ।

୧୬୧୧ରେ ନିର୍ମିତ କୋର୍ଦୌଆଁ ବତିଘର ମୂଳ ଭୂଖଣ୍ଡରୁ ୭ କିଲୋମିଟର୍ ଦୂରରେ ସମୁଦ୍ର ମଧ୍ୟରେ ଅବସ୍ଥିତ । ଖ୍ରୀ.ଅ. ୮୮୦ରେ ନିର୍ମିତ ଏକ ବତିଘରକୁ ପରିବର୍ତ୍ତିତ କରି ଏହାର ନିର୍ମାଣ ହୋଇଥିଲା ଓ ଏହା ସର୍ବପୁରାତନ ଫରାସୀ ବତିଘର । ସେହିପରି ଉତ୍ତର ସାଗରରେ ସ୍କଟ୍‍ଲାଣ୍ଡ୍ ଉପକୂଳରୁ କିଛି ଦୂରରେ ବେଲ୍ ରକ୍ ବତିଘର ନାମକ ଆଉ ଏକ ଜଳ ବତିଘର ରହିଛି ।[୩୧]

ରକ୍ଷଣାବେକ୍ଷଣ

ସମ୍ପାଦନା

ଯୁକ୍ତରାଷ୍ଟ୍ର ଆମେରିକାର ବତିଘରମାନଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ଯୁକ୍ତରାଷ୍ଟ୍ର ଆମେରିକା ତଟରକ୍ଷକ (United States Coast Guard - USCG) ବହନ କରିଥାଏ ।[୩୨] ଇଂଲଣ୍ଡ ଓ ୱେଲ୍ସରେ ଟ୍ରିନିଟି ହାଉସ୍ (Trinity House); ସ୍କଟଲ୍ୟାଣ୍ଡରେ ନର୍ଦର୍ଣ୍ଣ୍ ଲାଇଟ୍‍ହାଉସ୍ ବୋର୍ଡ୍ (Northern Lighthouse Board); ଆୟାର୍ଲ୍ୟାଣ୍ଡରେ କମିଶନର୍ସ୍ ଅଫ୍ ଆଇରିଶ୍ ଲାଇଟ୍ସ୍ (Commissioners of Irish Lights); କାନାଡ଼ାରେ କାନାଡ଼ା ତଟରକ୍ଷକ (Canadian Coast Guard); ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆନ୍ ମେରିଟାଇମ୍ ସେଫ୍‍ଟି ଅଥୋରିଟି (Australian Maritime Safety Authority) ସ୍ଥାନୀୟ ବତିଘରମାନଙ୍କ ରକ୍ଷଣାବେକ୍ଷଣ ବିଷୟ ବୁଝନ୍ତି ।

ସୋଭିଏତ୍ ସଂଘ ରେଡ଼ିଓଆଇସୋଟୋପ୍ ଥର୍ମୋଇଲେକ୍ଟ୍ରିକ୍ ଜେନେରେଟର୍ ବ୍ୟବହାର କରି ଅନେକ ସ୍ୱଚାଳିତ ବତିଘର ନିର୍ମାଣ କରାଇଥିଲା । ଏହି ବତିଘର ସବୁ ମନୁଷ୍ୟଙ୍କ ଅନୁପସ୍ଥିତିରେ ବହୁ ବର୍ଷ ଧରି ସୁଚାରୁ ରୂପେ କାର୍ଯ୍ୟ କରିଥିଲେ ।[୩୩] ପରେ ଏଥିରୁ କିଛି ଅଚଳ ହେଲେ ବା ଦୁର୍ବୃତ୍ତଙ୍କଦ୍ୱାରା କ୍ଷତିଗ୍ରସ୍ତ ହେଲେ ବା ଏମାନଙ୍କ ଉପକରଣ ଚୋରି ହୋଇଗଲା । ସଠିକ୍ ନଥିପତ୍ର ଅଭାବରୁ ବହୁ ବତିଘର ଆଉ ଠାବ ହୋଇପାରୁ ନାହିଁ ।[୩୪]

ସଂରକ୍ଷଣ

ସମ୍ପାଦନା

ଆଧୁନିକ ଦିଗବାରେଣୀ ବ୍ୟବସ୍ଥା ତଥା ଜିପିଏସ୍ ଜ୍ଞାନ କୌଶଳର ବ୍ୟବହାର ପରେ ନାବିକମାନଙ୍କ ପାଇଁ ବତିଘରର ମହତ୍ତ୍ୱ ହ୍ରାସ ପାଇଛି । ଏହି କାରଣରୁ ଅନେକ ବତିଘର ଧ୍ୱଂସ କରିଦିଆଯାଇଛି ଅଥବା ଅବହେଳିତ ହୋଇ କ୍ଷୟପ୍ରାପ୍ତ ହୋଇଯାଇଛି । ୨୦୦୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଜାତୀୟ ଐତିହାସିକ ବତିଘର ସଂରକ୍ଷଣ ନିୟମ ପ୍ରଣୟନ କରାଯାଇ ଅନେକ ବତିଘରକୁ ସ୍ଥାନୀୟ ସରକାର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ନିୟନ୍ତ୍ରଣାଧୀନ କରାଯାଇଛି । କାନାଡ଼ାରେ “ନୋଭା ସ୍କଟିଆ ବତିଘର ସଂରକ୍ଷଣ ସମାଜ”ର (Nova Scotia Lighthouse Preservation Society) ଚେଷ୍ଟା ଯୋଗୁଁ ସାମ୍ବ୍ରୋ ଦ୍ୱୀପ ବତିଘରକୁ ଐତିହ୍ୟ ମାନ୍ୟତା ପ୍ରାପ୍ତ ହୋଇଥିଲା । ଐତିହ୍ୟ ବତିଘର ସଂରକ୍ଷଣ ନିୟମ ଲାଗୁ କରାଯାଇ ଏପରି ବତିଘରମାନଙ୍କୁ ସଂରକ୍ଷଣ କରିବା ପାଇଁ ଚେଷ୍ଟା କରାଯାଉଛି ।[୩୫]

ବିଶ୍ୱର ଅନେକ ସ୍ଥାନରେ ଏପରି ସଂସ୍ଥାମାନ ଗଠିତ ହୋଇ ବତିଘରମାନଙ୍କର ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏପରି କିଛି ସଂସ୍ଥାର ଉଦାହରଣ ହେଲା - ବିଶ୍ୱ ବତିଘର ସମାଜ (World Lighthouse Society) ଓ ଯୁକ୍ତରାଷ୍ଟ୍ର ଆମେରିକା ବତିଘର ସମାଜ (United States Lighthouse Society) ।[୩୬] “ଆମେଚର୍ ରେଡ଼ିଓ ଲାଇଟ୍‍ହାଉସ୍ ସୋସାଇଟି (Amateur Radio Lighthouse Society)” ନାମକ ଏପରି ଆଉ ଏକ ସଂସ୍ଥା ରହିଛି ଯିଏ ନୂତନ ରେଡ଼ିଓ ପରିଚାଳନାକାରୀଙ୍କୁ ବିଶ୍ୱର ବିଭିନ୍ନ ଦେଶରେ ରହିଥିବା ବତିଘରକୁ ପଠାନ୍ତି ଓ ସେମାନଙ୍କ ସୁରକ୍ଷା ପାଇଁ ଚେଷ୍ଟା କରନ୍ତି ।[୩୭]

ଜନକଲ୍ୟାଣ ପାଇଁ ବତିଘର

ସମ୍ପାଦନା

ପୂର୍ବେ ବତିଘରକୁ ଜନକଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ବ୍ୟବସ୍ଥା ବୋଲି କୁହାଯାଉଥିଲା । ଏହାର ଆଲୋକ ସେବା ପାଇଁ କୌଣସି ଜାହାଜକୁ କର ଦେବାକୁ ପଡ଼ିନଥାଏ । ଆମେରିକୀୟ ମହାଦେଶରେ ଲୋକଙ୍କଠାରୁ ସଂଗୃହୀତ ଆୟକର ବତିଘରମାନଙ୍କ ରକ୍ଷଣାବେକ୍ଷଣ ଓ ଆଲୋକ ସେବା ପାଇଁ ବ୍ୟବହୃତ ହେଉଥିଲା ।[୩୮]

ଭାରତରେ ବତିଘର

ସମ୍ପାଦନା

ଭାରତର ସୁଦୀର୍ଘ ସମୁଦ୍ରତଟରେ ଓ ଭାରତୀୟ ମୁଖ୍ୟ ଭୂଖଣ୍ଡ ନିକଟସ୍ଥ ବିଭିନ୍ନ ଦ୍ୱୀପରେ ଅନେକ ବତିଘର ରହିଛି । ଭାରତ ସରକାରଙ୍କ ବତିଘର ଓ ଆଲୋକ-ଜାହାଜ ଦାୟିତ୍ୱରେ ଥିବା ସାଧାରଣ ମହାନିର୍ଦ୍ଦେଶକଙ୍କ ନୋଏଡ଼ାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ଏହି ସମସ୍ତ ବତିଘରର କାର୍ଯ୍ୟ ପରିଚାଳନା ଓ ନିୟନ୍ତ୍ରଣ କରାଯାଇଥାଏ । ଏହି ବିଭାଗର ୯ଟି ଶାଖା ରହିଛି । ସେଗୁଡ଼ିକ ହେଲେ – ଗାନ୍ଧୀଧାମ, ଜାମନଗର, ମୁମ୍ବାଇ, ଗୋଆ, ତ୍ରିଭେନ୍ଦ୍ରମ୍, ଚେନ୍ନାଇ, ବିଶାଖପାଟଣା, କୋଲକାତା ଓ ପୋର୍ଟ୍ ବ୍ଲେୟର୍ ।[୩୯]

ଓଡ଼ିଶା ଓ ଓଡ଼ିଆ ପରମ୍ପରାରେ ବତିଘର

ସମ୍ପାଦନା
ପାରାଦୀପ ବତିଘର
ଗୋପାଳପୁର ବନ୍ଦର ବତିଘର
ଫଲ୍‍ସ୍ ପଏଣ୍ଟ୍ ବତିଘର

ପ୍ରାଚୀନ କାଳରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବାଣିଜ୍ୟ ସଂସ୍କୃତି ସହ ବିଶେଷ ଭାବେ ଜଡ଼ିତ । ଓଡ଼ିଶାର ବହୁ ଛୋଟବଡ଼ ବନ୍ଦର, ନଦୀ ଓ ସମୁଦ୍ର ଉପକୂଳବର୍ତ୍ତୀ ସହରମାନଙ୍କରେ ଅନେକ ବତିଘର ରହିଛି । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଶରେ ବତିଘରର ଅର୍ଥ ସମୁଦ୍ରଗାମୀ ଜାହାଜର ନାବିକମାନଙ୍କୁ ସାବଧାନ କରାଇବା ଉଦ୍ଦେଶ୍ୟରେ ସମୁଦ୍ରକୂଳରେ ଏବଂ ବିପଦସଙ୍କୁଳ ସ୍ଥାନ ନିକଟରେ ଉଚ୍ଚ ସ୍ତମ୍ଭ ଉପରେ ଦିଆଯାଇଥିବା ଆଲୋକ ବୋଲି ଉଲ୍ଲିଖିତ ।[୪୦] ପାରାଦ୍ୱୀପ, ଗୋପାଳପୁର ଆଦି ବନ୍ଦରମାନଙ୍କରେ ବତିଘର ଦେଖିବାକୁ ମିଳେ । ଚନ୍ଦ୍ରଭାଗାରେ ମଧ୍ୟ ଏକ ବତିଘର ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାର ହୁକିଟୋଲା ଦ୍ୱୀପରେ ଏକ ବହୁତ ପୁରୁଣା ବତିଘର ରହିଛି । ବ୍ରିଟିଶ୍ ଶାସନ କାଳରେ ଅଧିକାଂଶ ଇଂରେଜ ଜାହାଜ ମହାନଦୀ ମୁହାଣକୁ ହୁଗୁଳି ନଦୀର ମୁହାଣ ଭାବି ରହିଯାଉଥିବାରୁ ୧୯୩୦ ମସିହାରେ ଓଡ଼ିଶା ତଟରେ ଫଲ୍‍ସ ପଏଣ୍ଟ୍ (False Point) ନାମକ ସ୍ଥାନରେ ଏକ ବତିଘର ନିର୍ମିତ ହୋଇଥିଲା ।[୪୧][୪୨] ୨୦୧୮ ମସିହାରେ ଓଡ଼ିଶା ଉପକୂଳରେ ଗଞ୍ଜାମର ପ୍ରୟାଗୀ, କେନ୍ଦ୍ରାପଡ଼ାର ଦେବୀ ପଏଣ୍ଟ୍ ଓ ଭଦ୍ରକର ମାୟିପୁରଠାରେ ନୂତନ ବତିଘର ନିର୍ମାଣ କରିବାର ପ୍ରସ୍ତାବ ରଖାଯାଇଥିଲା ।[୪୩] କିଛି ବତିଘର ପର୍ଯ୍ୟଟନ ସ୍ଥଳ ରୂପେ ମଧ୍ୟ ପରିଗଣିତ ହୋଇଥାନ୍ତି ।[୪୪]

  • ଓଡ଼ିଶାର ବିଭିନ୍ନ ସ୍ଥାନରେ ମନ୍ଦିର ଉପରକୁ ମହାଦୀପ ଚଢ଼ାଯାଏ ଓ ଏପରି ପ୍ରଥା ପ୍ରାଚୀନ ସମୟର ନୌବାଣିଜ୍ୟ ସଂସ୍କୃତି ଆଡ଼କୁ ଇଙ୍ଗିତ କରିଥାଏ ବୋଲି ଅନୁମାନ କରାଯାଏ । ଗଙ୍ଗୁଆ ନାଳରୁ ଦୟା ନଦୀ ଦେଇ ସମୁଦ୍ର ଅଭିମୁଖେ ଯାଉଥିବା ପ୍ରାଚୀନ ଓଡ଼ିଶାର ନାବିକଙ୍କ ପାଇଁ ଲିଙ୍ଗରାଜ ମନ୍ଦିରର ଚତୁର୍ଦ୍ଦଶୀ ମହାଦୀପ ଏକ ବତିଘରର କାମ କରୁଥିବା ସମ୍ଭବପର ବୋଲି ଗବେଷକ ଦୀପକ ଭଟ୍ଟାଚାର୍ଯ୍ୟ ନିଜର ଏକ ଗବେଷଣା ଲେଖରେ ଲେଖିଛନ୍ତି ।[୪୫]
  • ଚିଲିକା କୂଳରେ ରଘୁନାଥପୁର ଓ ପୋଡ଼ାଘର ପରି ସ୍ଥାନମାନଙ୍କରେ ପାହାଡ଼ ଉପରେ ୨ ମିଟର୍ ଉଚ୍ଚ ପଥର ସ୍ତମ୍ଭମାନ ଦେଖିବାକୁ ମିଳେ । ଏହି ସବୁ ପଥର ସ୍ତମ୍ଭର ଉପରି ଅଂଶଟି ସାମାନ୍ୟ ଖାଲୁଆ ଯେଉଁଠାରେ ଅତୀତରେ ଆଲୋକ ରଖି ନାବିକମାନଙ୍କୁ ପଥପ୍ରଦର୍ଶନ କରାଯାଉଥିଲା । ଚିଲିକାରେ ରହିଥିବା ଏକ ପାହାଡ଼ର ନାମ ‘ଦୀପଆଡ଼ିଆ ପାହାଡ଼’ ମଧ୍ୟ ଏହି ପ୍ରାଚୀନ ପରମ୍ପରାର ମୁକସାକ୍ଷୀ ।[୪୬] [୪୭]
  • ଦୀପାବଳି ସମୟରେ ଓ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଗ୍ରାମରେ ଆକାଶଦୀପ ସ୍ଥାପନ କରିବା ଏକ ବହୁ ପ୍ରାଚୀନ ଓଡ଼ିଆ ପ୍ରଥା । ଏକ ଉଚ୍ଚ ବାଉଁଶର ଉପରି ଭାଗରେ ଏକ ଛିଦ୍ରଯୁକ୍ତ ମାଠିଆ ଓ ତା’ ମଧ୍ୟରେ ଏକ ପ୍ରଦୀପ ରଖିଦିଆଯାଏ । ପ୍ରାଚୀନ କାଳରେ ହାଣ୍ଡିର ଛିଦ୍ରରୁ ଦେଖାଯାଉଥିବା ଆଲୋକ ଆଧୁନିକ ସମୟରେ ଗଳିକନ୍ଦିର ଆଲୋକଖୁଣ୍ଟ ବା ଛୋଟ ବତିଘରର ଭୂମିକା ତୁଲାଉଥିବା ସମ୍ଭବପର ।[୪୮]

ଆହୁରି ଦେଖନ୍ତୁ

ସମ୍ପାଦନା
ଟୀକା
  1. Trethewey, K. R.:Ancient Lighthouses, Jazz-Fusion Books (2018), 326pp. ISBN 978-0-99265-736-9
  2. Smiles, Samuel (1861), The Lives of the Engineers, vol. Vol 2, p. 16 {{citation}}: |volume= has extra text (help)
  3. "lighthouse". Retrieved 2012-12-17.
  4. Majdalany, Fred: The Eddystone Light. 1960
  5. "Eddystone – Gallery". Trinity House. Archived from the original on 2006-09-09. Retrieved 2010-05-03.
  6. Douglass, James Nicholas (1878). "Note on the Eddystone Lighthouse". Minutes of proceedings of the Institution of Civil Engineers. Vol. vol. 53, part 3. London: Institution of Civil Engineers. pp. 247–248. {{cite book}}: |volume= has extra text (help)
  7. ୭.୦ ୭.୧ "NLB – Robert Stevenson". Retrieved January 28, 2013.
  8. Boucher, Cyril Thomas Goodman (1963), John Rennie, 1761–1821: The Life and Work of a Great Engineer, p. 61
  9. ୯.୦ ୯.୧ Tomlinson, ed. (1852–54). Tomlinson's Cyclopaedia of Useful Arts. London: Virtue & Co. p. 177. [Maplin Sands] was not, however, the first screw-pile lighthouse actually erected, for during the long preparation process which was carried on at Maplin Sands, a structure of the same principle had been begun and completed at Port Fleetwood...
  10. "Lamp Glass Replacement Glass Lamp Shades, Oil Lamp Shades, Oil Lamp Chimneys, Oil Lamp Spares". Archived from the original on 2014-01-06.
  11. "Lamp." Encyclopædia Britannica: or, a dictionary of Arts, Science, and Miscellaneous Literature. 6th ed. 1823 Web. 5 Dec. 2011
  12. Baird, Spencer Fullerton (1876). Annual record of science and industry. New York: Harper & Brothers. p. 460.
  13. "John Richardson Wigham 1829–1906" (PDF). BEAM. Commissioners of Irish Lights. 35: 21–22. 2006–2007. Archived from the original (PDF) on 2012-03-12.
  14. "The Linde Group - Gases Engineering Healthcare -". Retrieved 6 April 2017.
  15. "Lighthouse". Encyclopædia Britannica. Retrieved 2014-01-06.
  16. Watson, Bruce. "Science Makes a Better Lighthouse Lens." Smithsonian. August 1999 v30 i5 p30. produced in Biography Resource Center. Farmington Hills, Mich.: Thomson Gale. 2005.
  17. "Maritime Heritage Program - National Park Service". Retrieved 6 April 2017.
  18. "Lighthouses of British Columbia". Archived from the original on 2011-11-03. Retrieved 2019-11-18.
  19. ୧୯.୦ ୧୯.୧ Crompton & Rhein (2002)
  20. Nicholson, Christopher (2000). Rock lighthouses of Britain : the end of an era?. Caithness, Scotland: Whittles. p. 126. ISBN 978-1870325417.
  21. "Maritime Heritage Program - National Park Service". Retrieved 6 April 2017.
  22. Guigueno, Vincent. "Review of Thobie, Jacques, L'administration generale des phares de l'Empire ottoman et la societe Collas et Michel, 1860–1960. H-Mediterranean, H-Net Reviews. January, 2006". Humanities and Social Sciences Net Online. Retrieved 2010-09-20.
  23. lighthouses
  24. deadly
  25. "Lasers". Aids to Navigation Manual. St Germain en Laye, France: International Association of Marine Aids to Navigation and Lighthouse Authorities: 43. March 2010.
  26. "Light Station Components". nps.gov.
  27. "How far is the horizon? - BoatSafe Kids!".
  28. "Maritime Heritage Program - National Park Service". Retrieved 6 April 2017.
  29. "Maritime Heritage Program".
  30. "Lighthouse Terminology Part 2", Sea Girt Lighthouse, archived from the original on 2013-04-04, retrieved 2013-02-15, A lighthouse located offshore, built on a foundation of pilings, rocks or caissons.
  31. Cadbury, Deborah (2012), Seven Wonders of the Industrial World (Text only ed.), HarperCollins UK, p. 106, ISBN 978-0007388929.
  32. "Maritime Heritage Program".
  33. "RTG Heat Sources: Two Proven Materials - Atomic Insights". 1 September 1996. Retrieved 6 April 2017.
  34. Radioisotope Thermoelectric Generators – Bellona Archived 2006-06-13 at the Wayback Machine.
  35. Douglas Franklin. "Lighthouse Bill Protecting Our Lighthouses – The Icons of Canada's Maritime Heritage". Featured Heritage Buildings. Canadian Heritage Foundation. Archived from the original on 2008-05-13. Retrieved 2008-06-10.
  36. "The United States Lighthouse Society - Home Page".
  37. "Amateur Radio Lighthouse Society – Contacting the Light Beacons of the World". Retrieved 6 April 2017.
  38. "The Avalon Project : Constitution of the Confederate States". Yale Law Web. March 11, 1861. Archived from the original on September 17, 2012.
  39. "Location of our offices". Directorate General of Lighthouses & Lightships. Retrieved 8 April 2014.
  40. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.
  41. Maritime Heritage of India-Indian Navy.
  42. Hugh Murray, James Wilson, Robert Kaye Greville, Robert Jameson, Whitelaw Ainslie, William Wallace, and Clarence Dalrymple, Historical and descriptive account of British India (1843)
  43. https://www.thehindubusinessline.com/economy/logistics/3-new-lighthouses-to-come-up-in-orissa-coast/article23049719.ece
  44. https://odishatv.in/odisha/lighthouses-to-attract-tourists-in-orissa-24427[permanent dead link]
  45. https://hrcak.srce.hr/file/49124
  46. https://www.researchgate.net/publication/27666814_Maritime_heritage_in_and_around_Chilika_Lake_Orissa_Geological_evidences_for_its_decline
  47. "ଆର୍କାଇଭ୍ କପି" (PDF). Archived from the original (PDF) on 2021-05-11. Retrieved 2019-11-18. {{cite web}}: Cite has empty unknown parameter: |1= (help)
  48. http://www.ameodia.com/odia-prose/odia-prose-odishara-lokasanskrutire-boitaa-biraja-routray/

ଆଧାର ଭୁଲ: <references>ରେ ଦିଆଯାଇଥିବା "mhp" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।

ଆଧାର ଭୁଲ: <references>ରେ ଦିଆଯାଇଥିବା "ll" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।
ପୁସ୍ତକ ଆଧାର
  • Bathurst, Bella. The lighthouse Stevensons. New York: Perennial, 2000. ISBN 0-06-093226-0
  • Beaver, Patrick. A History of Lighthouses. London: Peter Davies Ltd, 1971. ISBN 0-432-01290-7.
  • Crompton, Samuel, W; Rhein, Michael, J. The Ultimate Book of Lighthouses. San Diego, CA: Thunder Bay Press, 2002. ISBN 1-59223-102-0.
  • Jones, Ray; Roberts, Bruce. American Lighthouses. Globe Pequot, 1998. 1st ed. ISBN 0-7627-0324-5.
  • Stevenson, D. Alan. The world's lighthouses before 1820. London: Oxford University Press, 1959.
ଆହୁରି ପଢ଼ନ୍ତୁ
  • Noble, Dennis. Lighthouses & Keepers: U. S. Lighthouse Service and Its Legacy. Annapolis: U.S. Naval Institute Press, 1997. ISBN 1-55750-638-8.
  • Putnam, George R. Lighthouses and Lightships of the United States. Boston: Houghton Mifflin Co., 1933.
  • Weiss, George. The Lighthouse Service, Its History, Activities and Organization. Baltimore: Johns Hopkins Press, 1926.

ବାହ୍ୟ ଲିଂକ୍

ସମ୍ପାଦନା