ପାରାଦ୍ୱୀପ

ଓଡ଼ିଶାର ଜିଲ୍ଲା, ଭାରତ

ପାରାଦୀପ , ଜଗତସିଂହପୁର ଜିଲ୍ଲାର ଏକ ପ୍ରମୂଖ ସହର ଓ ବାଣିଜ୍ୟ କେନ୍ଦ୍ର । ଏଠାରେ ଭାରତର ଏକ ପ୍ରଧାନ ବନ୍ଦର ରହିଛି । ପାରାଦୀପ ପୂର୍ବ ଭାରତରେ ସାମୁଦ୍ରିକ ବାଣିଜ୍ୟର ଏକ ପ୍ରମୁଖ ସ୍ଥାନ । ଏଠାରେ ବନ୍ଦର ବ୍ୟତୀତ ଅନେକ ଛୋଟ ବଡ଼ କଳ କାରଖାନା ଗଢ଼ି ଉଠିଛି । କଞ୍ଚାମାଲ ଆମଦାନୀର ସୁବିଧା ହେତୁ ସାର କାରଖାନା, ତୈଳ ବିଶୋଧନାଗାର ଆଦି ଶିଳ୍ପ ସ୍ଥାପିତ ହୋଇଛି ।କ୍ରମବର୍ଦ୍ଧିଷ୍ଣୁ ଶିଳ୍ପ ଓ ଜନସଂଖ୍ୟା ଯୋଗୁ ଏହି ସହର ଧୀରେ ଧୀରେ ପ୍ରସାରିତ ହେଉଛି । ଏହି ସହର ଓଡ଼ିଶାର ଏକ ପ୍ରମୁଖ ଜାତୀୟ ଓ ଅନ୍ତର୍ଜାତୀୟ ବାଣିଜ୍ୟ ସ୍ଥାନ ରୂପେ ଓଡ଼ିଶା ଅର୍ଥନୀତିକୁ ବିପୁଳ ଭାବେ ପ୍ରଭାବିତ କରିଛି । [୧]

ପାରାଦ୍ୱୀପ
ସହର (ପୌରପାଳିକା)
ପାରାଦ୍ୱୀପରେ ଅବସ୍ଥିତ ଜଗନ୍ନାଥ ମନ୍ଦିର
ପାରାଦ୍ୱୀପରେ ଅବସ୍ଥିତ ଜଗନ୍ନାଥ ମନ୍ଦିର
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାଜଗତସିଂହପୁର
Elevation
1 m (3 ft)
ଜନସଂଖ୍ୟା
 (2001)
 • ମୋଟ୭୩,୬୩୩
ଭାଷା
 • ସରକାରୀଓଡ଼ିଆ
ସମୟ ମଣ୍ଡଳUTC+5:30 (IST)

ଭୌଗୋଳିକ ଅବସ୍ଥିତିସମ୍ପାଦନ କରନ୍ତୁ

ଏହି ସ୍ଥାନଟି ୨୦.୧୬° ଉ. ଓ ୮୬.୪୦° ପୂ.ରେ ଅବସ୍ଥିତ । ଏଠାରେ ଓଡ଼ିଶାର ପ୍ରଧାନ ନଦୀ ମହାନଦୀ ବଙ୍ଗୋପସାଗରରେ ମିଶିଅଛି । ୧୯୯୩ ମସିହାରେ ଜିଲ୍ଲା ବିଭାଜନ [୨]ପୂର୍ବରୁ ଅବିଭକ୍ତ କଟକ ଜିଲ୍ଲାର ଅଂଶ ଥିବା ଏହି ସହର ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ରହିଛି । ପାରାଦୀପ ସଡ଼କ ପଥଦ୍ୱାରା କଟକ ଓ ଭୁବନେଶ୍ୱର ସହ ସଂଯୁକ୍ତ । ରାଜ୍ୟ ରାଜପଥ ବ୍ୟତୀତ ଏକ ଦ୍ରୁତଗାମୀ ଜାତୀୟ ରାଜପଥଦ୍ୱାରା ଏହା ଚଣ୍ଡିଖୋଲ, ଦୈତାରୀ, ଡୁବୁରୀ ଆଦି ସ୍ଥାନ ସହ ସଂଯୁକ୍ତ । କଟକରୁ ଏଠାକୁ ରେଳପଥର ସଂଯୋଗ ରହିଛି । ଜିଲ୍ଲା ସଦରମହକୁମା ଜଗତସିଂହପୁର ସହର ଠାରୁ ଏହା ୬୦ କି.ମି. ଓ କଟକ ସହର ଠାରୁ ୯୦ କି.ମି. ଦୂର । ବିଭିନ୍ନ ମାଲ ରପ୍ତାନୀ ଓ ଆମଦାନୀ ପାରାଦୀପ ବନ୍ଦର ମଧ୍ୟଦେଇ ହେଉଥିବାରୁ ଉଭୟ ସଡ଼କ ଓ ରେଳପଥର ଗୁରୁତ୍ତ୍ୱ ବୃଦ୍ଧି ପାଇଛି ।

ଇତିହାସସମ୍ପାଦନ କରନ୍ତୁ

ପ୍ରାଚୀନ କାଳର ପାରଦୀପ ସମ୍ପର୍କରେ ଯଦିଓ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ, ତଥାପି ଏହାକୁ ପ୍ରାଚୀନ ବନ୍ଦର ମନ୍ନଦର ସ୍ଥାନରେ ଥିବାର ବିଶ୍ୱାସ କରାଯାଏ । ଇଂରେଜ ଅଧୀନକୁ ଆସିବା ପୂର୍ବରୁ ଏହା କୁଜଙ୍ଗ ରାଜ୍ୟର ଅଂଶ ଥିଲା । ତତ୍କାଳୀନ ଦେଶୀୟ ରାଜ୍ୟ କୁଜଙ୍ଗର ରାଜଧାନୀ ଗଡ଼କୁଜଙ୍ଗ ଏହି ସ୍ଥାନ ନିକଟରେ । ପାରାଦୀପରେ ସମ୍ଭବତଃ ଏକ ଦୁର୍ଗ ବା ଗଡ଼ ରହିଥିଲା । କୁଜଙ୍ଗର ଷଣ୍ଢ ରାଜାଙ୍କ ନାମରେ ଏଠାରେ ଥିବା ଷଣ୍ଢକୂଦ ନାମିତ ହୋଇଛି ।

ସ୍ୱାଧୀନତା ପରେ ୧୯୫୬ ମସିହାରେ ଏହି ସ୍ଥାନରେ ପାରାଦୀପ ବନ୍ଦରର ଶିଳାନ୍ୟାସ ହୋଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ବନ୍ଦରର ଭିତ୍ତିପ୍ରସ୍ଥର ଜାନୁୟାରୀ ୦୩, ୧୯୬୨ରେ ସ୍ଥାପନ କରିଥିଲେ [୩]। ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ବନ୍ଦରର ବିକାଶ ହୋଇ ଏହା ଏକ ପ୍ରଧାନ ବନ୍ଦରରେ ପରିଣତ ହୋଇଥିଲା [୩]। ବିଗତ କିଛି ବର୍ଷ ମଧ୍ୟରେ ଏଠାରେ ଅନେକ ନୂତନ ଶିଳ୍ପ ସ୍ଥାପିତ ହୋଇଛି ।

ଶିଳ୍ପ ଓ ଅର୍ଥନୀତିସମ୍ପାଦନ କରନ୍ତୁ

ପାରାଦୀପ ପୂର୍ବ ଭାରତର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର । ଏଠାରେ ଥିବା ବନ୍ଦରଦ୍ୱାରା ଅନେକ ପ୍ରକାରର ମାଲ ଆମଦାନୀ ରପ୍ତାନୀ ହୋଇଥାଏ । କଞ୍ଚାମାଲର ଉପଲବ୍ଧି ଯୋଗୁ ଏଠାରେ ଅନେକ ଶିଳ୍ପ ଗଢି ଉଠିଛି । ତନ୍ମଧ୍ୟରେ ପାରାଦୀପ ଫସପେଟସ ଲିମିଟେଡ଼ ଓ ଇଫକୋର ସାର କାରଖାନା, ଇଣ୍ଡିଆନ ଅଏଲଦ୍ୱାରା ନିର୍ମିତ ତୈଳ ବିଶୋଧନାଗାର ପ୍ରମୁଖ ଅଟେ [୪]। ଏହି ବନ୍ଦର ମଧ୍ୟ ଦେଇ ଲୁହାପଥର ବିଦେଶକୁ ରପ୍ତାନୀ କରାଯାଇ ଥାଏ ତଥା କୋଇଲା ଓ ଅନ୍ୟାନ୍ୟ କଞ୍ଚାମାଲ ଓ ଭାରୀ କଳ-କବଜା ପ୍ରଭୁତି ଆମଦାନୀ ହୋଇଥାଏ । ଏଠାରେ ଥିବା ମାଛଧରା ବନ୍ଦର ବିଭିନ୍ନ ସାମୁଦ୍ରିକ ଖାଦ୍ୟର ବାଣିଜ୍ୟ ବୃଦ୍ଧି କରିଛି।

ଦର୍ଶନୀୟ ସ୍ଥାନସମ୍ପାଦନ କରନ୍ତୁ

ପାରାଦୀପ ମହାନଦୀର ସଙ୍ଗମ ସ୍ଥଳୀରେ ଅବସ୍ଥିତ । ଏହି ସ୍ଥାନଟି ଏକ ଲୋକପ୍ରିୟ ବଣଭୋଜି ସ୍ଥଳୀ । ମାଳିକାରେ ବର୍ଣ୍ଣିତ ଉଦୟବଟ ଏହା ନିକଟରେ ରହିଛି । ପାରାଦୀପ-ଚଣ୍ଡିଖୋଲ ରାସ୍ତାରେ ବୌଦ୍ଧ ପୀଠ ଲଳିତଗିରି, ରତ୍ନଗିରି ପ୍ରଭୁତି ପଡିଥାଏ । ଇଂରେଜ ଶାସନ କାଳରେ ସ୍ଥାପିତ ବତୀଘର ବା ହୁକିଟାଲାକୁ ଏଠାରୁ ଜଳପଥରେ ଯାଇହୁଏ ।

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "Paradip turning into industrial smart city". Retrieved 13 July 2017.
  2. http://dcmsme.gov.in/dips/2016-17/BIPS-Cuttack%202016-17.pdf
  3. ୩.୦ ୩.୧ https://paradipport.gov.in/port_history.aspx
  4. https://jagatsinghpur.nic.in/history/

ବାହର ତଥ୍ୟସମ୍ପାଦନ କରନ୍ତୁ