କାହ୍ନା ଜାତୀୟ ଉଦ୍ୟାନ
କାହ୍ନା ବ୍ୟାଘ୍ର ଅଭୟାରଣ୍ୟ ବା କାହ୍ନା ଜାତୀୟ ଉଦ୍ୟାନ ଭାରତର ପ୍ରମୁଖ ଜାତୀୟ ଉଦ୍ୟାନମାନଙ୍କ ମଧ୍ୟରୁ ଗୋଟିଏ । ଏହା ମଧ୍ୟ ପ୍ରଦେଶର ସର୍ବ ବୃହତ୍ ଅଭୟାରଣ୍ୟ । ବର୍ତ୍ତମାନର କାହ୍ନା ଅଭୟାରଣ୍ୟ ହାଲୋନ୍ (୨୫୦ ବର୍ଗ କି.ମି.) ଓ ବଞ୍ଜର୍ (୩୦୦ ବର୍ଗ କି.ମି.) - ଏପରି ଦୁଇଟି ଭାଗରେ ବିଭକ୍ତ ।[୧] ୧୯୫୫ ମସିହରେ କାହ୍ନା ଜାତୀୟ ଉଦ୍ୟାନର ସ୍ଥାପନା କରାଯାଇଥିଲା ଓ ୧୯୭୩ ମସିହାରେ ଏହାକୁ ଏକ ବ୍ୟାଘ୍ର ଅଭୟାରଣ୍ୟ ଭାବେ ମାନ୍ୟତା ଦିଆଗଲା । ୯୪୦ ବର୍ଗ କି.ମି. ପରିମିତ ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟ ପ୍ରଦେଶର ମଣ୍ଡଳ ଓ ବଳଘାଟ ଜିଲ୍ଲାରେ ବ୍ୟାପ୍ତ । କାହ୍ନାର କୋର୍ ଅଞ୍ଚଳ, ଅଣ-କୋର୍ ଜଙ୍ଗଲକୁ ମିଶାଇ ୧୦୬୭ ବର୍ଗ କି.ମି., ଆଖାପାଖି ୧୧୦ ବର୍ଗ କି.ମି. ଜଙ୍ଗଲ ଓ ଫେନ୍ ଅଭୟାରଣ୍ୟକୁ ମିଶାଇ କାହ୍ନା ବ୍ୟାଘ୍ର ଅଭୟାରଣ୍ୟ ବୋଲି କୁହାଯାଏ ।[୨][୩] ତେଣୁ ଏହା ମଧ୍ୟ ଭାରତର ସର୍ବ ବୃହତ୍ ବାଘ ଅଭୟାରଣ୍ୟ । ୨୦୧୫ ମସିହାର ଏକ ସର୍ବେକ୍ଷଣ ଅନୁସାରେ ପର୍ଯ୍ୟଟକଙ୍କ ତାଲିକାରେ ସର୍ବୋତ୍କୃଷ୍ଟ ୧୦ଟି ସ୍ଥାନ ମଧ୍ୟରୁ କାହ୍ନା ଅଭୟାରଣ୍ୟ ଅନ୍ୟତମ ଥିଲା ।[୪]
କାହ୍ନା ଜାତୀୟ ଉଦ୍ୟାନ | |
---|---|
କାହ୍ନା ବ୍ୟାଘ୍ର ଅଭୟାରଣ୍ୟ | |
IUCN Category II (National Park) | |
ଅବସ୍ଥାନ | ମଧ୍ୟ ପ୍ରଦେଶ, ଭାରତ |
ପାଖ ସହର | ମଣ୍ଡଳ |
ଦିଗବାରେଣି | 22°20′N 80°38′E / 22.333°N 80.633°E |
କ୍ଷେତ୍ରଫଳ | ୯୪୦ ବର୍ଗ କି.ମି. |
ପରିଚାଳନା | Madhya Pradesh Forest Department |
ଏହି ଜାତୀୟ ଉଦ୍ୟାନରେ ମହାବଳ ବାଘ, କଲରାପତରିଆ ବାଘ, ଭାଲୁ, ବାରାଶିଂଘା ହରିଣ, ବଳିଆ କୁକୁର ଆଦି ପ୍ରାଣୀ ବହୁ ସଂଖ୍ୟାରେ ଦେଖାଯାନ୍ତି । କାହ୍ନା ଓ ଆଖାପାଖି ଜଙ୍ଗଲରୁ ଅନୁପ୍ରାଣୀତ ହୋଇ ରୁଡ୍ୟାର୍ଡ୍ କିପ୍ଲିଂଗ୍ ପ୍ରସିଦ୍ଧ ଦ ଜଙ୍ଗଲ୍ ବୁକ୍ ପୁସ୍ତକ ଲେଖିଥିଲେ ବୋଲି କୁହଯାଏ ।[୫] ଭୁର୍ସିଂ ନାମକ ଏକ ବାରାଶିଂଘା ହରିଣକୁ କାହ୍ନା ଅଭୟାରଣ୍ୟର ମାସ୍କଟ୍ ରୂପେ ବ୍ୟବହାର କରାଯାଏ ଓ ଏପରି କରିବାରେ କାହ୍ନା ଭାରତର ପ୍ରଥମ ଜାତୀୟ ଉଦ୍ୟାନ ।[୬]
ଉଦ୍ଭିଦ ଜଗତ
ସମ୍ପାଦନାକାହ୍ନା ବ୍ୟାଘ୍ର ଅଭୟାରଣ୍ୟରେ ୧୦୦୦ରୁ ଅଧିକ ପ୍ରଜାତିର ଫୁଲଗଛ ଦେଖାଯାଏ ।[୭] ଶାଳ (Shorea robusta) ଓ ଅନ୍ୟାନ୍ୟ ଜଙ୍ଗଲି ଗଛ ତଥା ତୃଣଭୂମି ସମୁଦ୍ର ପତନରୁ କମ୍ ଉଚ୍ଚତାରେ ଥିବା ଏହି ଜଙ୍ଗଲର ଶୋଭା ବୃଦ୍ଧି କରନ୍ତି । ପାହାଡ଼ିଆ ଅଞ୍ଚଳର ଉଚ୍ଚ ଜଙ୍ଗଲ କ୍ରାନ୍ତୀୟ ଆର୍ଦ୍ର ଓ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ ଶ୍ରେଣୀଭୁକ୍ତ । ପାହାଡ଼ର ବା ଉଚ୍ଚଭୂମିର ଢାଲୁଆ ଅଞ୍ଚଳରେ ବାଉଁଶ (Dendrocalamus strictus) ବୁଦାମାନ ଦେଖିବାକୁ ମିଳେ । ଏହି ବଣରେ ଏକ ସୁନ୍ଦର କପୋତ ଗଛ (Davidia involucrata) ରହିଛି ବୋଲି ଶୁଣାଯାଏ ।
କାହ୍ନା ବ୍ୟାଘ୍ର ଅଭୟାରଣ୍ୟରେ ଅନେକ ଖୋଲା ତୃଣଭୂମି ରହିଛି । ଜଙ୍ଗଲ ମଧ୍ୟରୁ ସ୍ଥାନାନ୍ତରିତ ଗ୍ରାମ ଗୁଡ଼ିକର କୃଷିକ୍ଷେତ୍ର ଇତ୍ୟାଦି ବର୍ତ୍ତମାନ ବିସ୍ତୃତ ତୃଣଭୂମିର ରୂପ ବହନ କରିଛି । ଜଙ୍ଗଲର ଜୀବଙ୍କ ଅଧିବାସ ବୃଦ୍ଧି ପାଇଁ ଏଠାରେ ପୂର୍ବରୁ ରହିଆସିଥିବା କିଛି ଗ୍ରାମର ଲୋକଙ୍କର ଥଇଥାନ କରାଯାଇଥିଲା । ଏହି ଜଙ୍ଗଲରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ତୃଣ ବାରାଶିଂଘା ହରିଣ ଓ ବନ୍ୟ ଗୟଳ ପରି ପ୍ରାଣୀଙ୍କ ପ୍ରିୟ ଓ ଆବଶ୍ୟକ ଖାଦ୍ୟ । ଘଞ୍ଚ ଜଙ୍ଗଲରେ ଲତା, ବୁଦା ଓ ନାନା ଔଷଧୀୟ ବୃକ୍ଷ ବହୁ ପରିମାଣରେ ମିଳେ । ସେହିପରି ଜାତୀୟ ଉଦ୍ୟାନ ପରିସରରେ ରହିଥିବା ବିରାଟ ହ୍ରଦ ଓ ଜଳାଶୟରେ ଜଳଜ ଉଦ୍ଭିଦ ଦେଖାଯାନ୍ତି । ପ୍ରବାସୀ ଓ ଆର୍ଦ୍ର ଅଞ୍ଚଳର ପକ୍ଷୀମାନେ ଏହି ଜଳଜ ଉଦ୍ଭିଦକୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି ।
-
କାହ୍ନା ଜଙ୍ଗଲର ତୃଣଭୂମି
-
କାହ୍ନାର ଖୋଲା ଜଙ୍ଗଲ
-
ବାଉଁଶ ବୁଦାରେ ବାଘଟିଏ ଲୁଚି ରହିଛି
-
କାହ୍ନାର ଚିତଲ୍ ହରିଣ
ବନ୍ୟଜନ୍ତୁ
ସମ୍ପାଦନାକାହ୍ନା ବ୍ୟାଘ୍ର ଅଭୟାରଣ୍ୟରେ ମହାବଳ ବାଘ, କଲରାପତରିଆ ବାଘ, ବଳିଆ କୁକୁର, କଟାସ, ବିଲୁଆ, ଶିଆଳ ଆଦି ମାଂସାସୀ ସ୍ତନ୍ୟପାୟୀ ଜୀବ ଦେଖିବାକୁ ମିଳେ । ସନ୍ତସନ୍ତିଆ ଜମିରେ ବିଚରଣ କରୁଥିବା ବାରାଶିଂଘା ହରିଣ ଏହି ଜଙ୍ଗଲର ଗୌରବ ବା ଏକ ବିଶେଷ ହରିଣ ଜାତୀୟ ଜୀବ । ସନ୍ତସନ୍ତିଆ ଅଞ୍ଚଳର ହରିଣ ଶ୍ରେଣୀରେ ଏହା ଭାରତରେ ଦେଖିବକୁ ମିଳୁଥିବା ଏକମାତ୍ର ପ୍ରଜାତି । ଏହାକୁ ଛାଡ଼ିଦେଲେ ସନ୍ତସନ୍ତିଆ ସ୍ଥାନରେ ରହୁଥିବା ହରିଣ କେବଳ ସୁନ୍ଦରବନରେ ଦେଖିହେବ । କିନ୍ତୁ ବାରାଶିଂଘା ହରିଣ ପଥୁରିଆ ଜମିରେ ମଧ୍ୟ ଆରାମରେ ଚଲାବୁଲା କରିପାରେ । ଏହି ଜଙ୍ଗଲରେ ଆରମ୍ଭ କରାଯାଇଥିବା ପୁନରୁଦ୍ଧାର ପ୍ରଚେଷ୍ଟା ବାରାଶିଂଘା ହରିଣକୁ ଲୁପ୍ତ ଅବସ୍ଥାରୁ ପୁନରୁଦ୍ଜୀବିତ କରିଛି । ଭାରତୀୟ ବନ୍ୟ ଗୟଳ (Bos guarus) ମଧ୍ୟ କାହ୍ନାରେ ରହିଛନ୍ତି କିନ୍ତୁ କେବଳ ଶୀତଋତୁ ପରେ ଏମାନେ ଦୃଷ୍ଟିଗୋଚର ହୁଅନ୍ତି । ଗ୍ରୀଷ୍ମ ଋତୁରେ ବନ୍ୟଗୟଳମାନେ ଜଳାଶୟ ଓ ତୃଣଭୂମି ଅଞ୍ଚଳରେ ଚରାବୁଲା କରନ୍ତି ।
ଜାତୀୟ ଉଦ୍ୟାନ ମଧ୍ୟରେ ରହିଥିବା ଅନ୍ୟ ହରିଣ ପ୍ରଜାତିମାନ ହେଲେ : ଚିତଲ୍ ହରିଣ, ସମ୍ବର ହରିଣ, କୁଟୁରା, ଚଉଶିଂଘା ହରିଣ । ବାମନୀ ଦାଦର ଚଢ଼ାଣିରେ ଚଉଶିଂଘା ହରିଣ ଦେଖାଯାନ୍ତି । ନିକଟ ଅତୀତରେ ଜାତୀୟ ଉଦ୍ୟାନ ମଧ୍ୟରେ କସ୍ତୁରୀ ମୃଗ ରହିଥିବା ଶୁଣାଯାଇଥିଲା ।
ଏହି ଜଙ୍ଗଲରେ କୃଷ୍ଣସାର ମୃଗ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଛି ।[୮] ଜଙ୍ଗଲରୁ ଏହି ପ୍ରଜାତି ନିଶ୍ଚିହ୍ନ ହୋଇଯିବା ପରେ ଅନ୍ୟ ସ୍ଥାନରୁ ଅଣାଯାଇ ଏକ ତାରବାଡ଼ ଘେରା ସ୍ଥାନରେ କିଛି କୃଷ୍ଣସାର ମୃଗଙ୍କୁ ରଖାଯାଇଛି । ଜଙ୍ଗଲର ସରାହି ପ୍ରବେଶ ନିକଟରେ ନୀଳଗାଈ ଦେଖାଯାନ୍ତି । କିନ୍ତୁ ଏକଦା କାହ୍ନାରେ ବହୁ ସଂଖ୍ୟାରେ ଦେଖାଯାଉଥିବା ଗଧିଆ ବର୍ତ୍ତମାନ ଏକ ବିରଳ ଜୀବ । ହେଟା ବାଘ, ଭାଲୁ ସମୟ ସମୟରେ ଦୃଶ୍ୟମାନ ହୁଅନ୍ତି । ହନୁ ମାଙ୍କଡ଼ ଓ ବାର୍ହା ଦେଖାଯିବା ସାଧାରଣ କଥା ହୋଇଥିବା ବେଳେ ପାତି ମାଙ୍କଡ଼ କ୍ୱଚିତ୍ ଦେଖାଯାନ୍ତି ।
କୋକିଶିଆଳୀ, ହେଟା ବାଘ, କଟାସ, ବଣଭୁଆ, ଝିଙ୍କ, ଗାଡ଼ଭାଲୁ ଓ ଠେକୁଆ ପରି ରାତ୍ରିଚର ପ୍ରାଣୀ ଜାତୀୟ ଉଦ୍ୟାନ ପରିସୀମାର ବାହାରେ ମଧ୍ୟ ଦେଖାଯାନ୍ତି ।
ଅଭୟାରଣ୍ୟ ମଧ୍ୟରେ ଜଣା ଅଜଣା ୩୦୦ ପ୍ରଜାତିର ପକ୍ଷୀ ଦୃଶ୍ୟମାନ ହୁଅନ୍ତି । କାଳକଣ୍ଟକ (black ibis), ବି-ଇଟର୍, ଗୋରୁସାଥୀ ବଗ, ଶୁଆ, ପୋଖରୀ ବଗ, ଡ୍ରୋଂଗୋ, ବତକ, ସାପଖିଆ ଚିଲ, କୋଚିଲାଖାଇ, ପାରା, କାଠହଣା, ମୟୂର, ମୈନା, ବଣ କୁକୁଡ଼ା, ମାଛରଙ୍କା, ନୀଳକଣ୍ଠ ଇତ୍ୟାଦି ପ୍ରଜାତିର ପକ୍ଷୀ ଏହି ଜଙ୍ଗଲରେ ଦେଖିହେବ ।
ଅଜଗର ସାପ, ନାଗ ସାପ, ଚିଟି ସାପ, ବୋଡ଼ା ସାପ, ମୂଷାଖିଆ ସାପ ଇତ୍ୟାଦି ସରୀସୃପ ମୁଖ୍ୟତଃ ରାତ୍ରିଚର । ତେଣୁ ଏମାନେ ବହୁ କମ୍ ସମୟରେ ଦେଖାଯାନ୍ତି । କଇଁଛ ଓ ଅନ୍ୟ କିଛି ଉଭୟଚର ପ୍ରାଣୀ ଜଳାଶୟମାନଙ୍କ ନିକଟରେ ଦେଖାଯାନ୍ତି ।
ଗଣ୍ଡୱାନାର ଅଂଶ କାହ୍ନା ଏବଂ ସାତପୁରା ଜାତୀୟ ଉଦ୍ୟାନ ଏବେ ବ୍ୟାଘ୍ର ଅଭୟାରଣ୍ୟରେ ପରିଣତ ହୋଇଥିଲେ ହେଁ ଏକଦା ଭାରତୀୟ ହାତୀମାନଙ୍କ ଶାସନ କ୍ଷେତ୍ର ଓ ପ୍ରିୟ ଅଧିବାସ ଥିଲା ।[୯]
-
ବାଘମନେ ଏକ ବାର୍ହାର ଶିକାର କରୁଛନ୍ତି
-
ଗଛକୁ ରାମ୍ପୁଡ଼ି ନିଜ କ୍ଷେତ୍ର ଚିହ୍ନିତ କରିବା ବାଘମାନଙ୍କ ଦୈନନ୍ଦିନ କାର୍ଯ୍ୟ
-
ବନ୍ୟ ଗୟଳ
-
କାହ୍ନା ଜଙ୍ଗଲର ଦୁଇଟି ବଳିଆ କୁକୁର
-
କାହ୍ନା ଜଙ୍ଗଲରେ ବାରାଶିଂଘା ହରିଣର ପୁନର୍ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି
-
ଅଣ୍ଡିରା ବାରାଶିଂଘା ହରିଣ
-
କାହ୍ନା ଜଙ୍ଗଲର ଏକ ଗର୍ଭବତୀ ବାଘୁଣୀ
-
କାହ୍ନାର ଏକ ସୁବର୍ଣ୍ଣ ଶିଆଳ
-
କାହ୍ନା ଜଙ୍ଗଲର ଭାଲୁ
-
କାହ୍ନା ଅଭୟାରଣ୍ୟର ଦୁଇ ସୁରକ୍ଷା କର୍ମୀ ଦୈନିକ ପଇଁତରା ମାରୁଛନ୍ତି
-
କାହ୍ନା ଅଭୟାରଣ୍ୟରେ ମୟୂର
ବାରାଶିଂଘା ହରିଣର ପୁନରୁତ୍ଥାନ
ସମ୍ପାଦନାବାରାଶିଂଘା ହରିଣ ବଂଶର ପୁନରୁତ୍ଥାନ କରାଇବା ଏହି ଅଭୟାରଣ୍ୟରେ ନିଆଯାଇଥିବା ଏକ ରୋମାଞ୍ଚକ ପଦକ୍ଷେପ । ଏହି ଜଙ୍ଗଲରେ ଥିବା ବନ୍ୟ ଗୟଳମାନଙ୍କୁ ବାନ୍ଧବଗଡ଼ ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତରିତ କରିବାର ଯୋଜନା ରହିଥିଲା । କିଛି ବାରାଶିଂଘା ହରିଣଙ୍କୁ ନିକଟବର୍ତ୍ତୀ ସାତପୁରା ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତର କରାଇବାକୁ ମଧ୍ୟ ଯୋଜନା କରାଯାଇଥିଲା । ଏହି ଯୋଜନା ଅନୁସାରେ ପ୍ରାୟ ୫୦୦ ବାରାଶିଂଘା ହରିଣ ସାତପୁରାର ୮-୯ଟି ଭିନ୍ନ ଭିନ୍ନ ସ୍ଥାନରେ ଛଡ଼ାଯିବ । କାହ୍ନାରୁ ୨୦ଟି ବାଘଙ୍କୁ ସାତପୁରା ଜଙ୍ଗଲକୁ ଥଇଥାନ କରାଇବା ପାଇଁ ଏକ ପ୍ରକଳ୍ପ ଚାଲିଛି ।[୧୦]
ବ୍ୟାଘ୍ର ସଂରକ୍ଷଣ ଓ ବାଇଗା ଜନଜାତି
ସମ୍ପାଦନା୧୯୬୮ ମସିହା ପର୍ଯ୍ୟନ୍ତ ବାଇଗା ଜନଜାତିର ଲୋକେ କାହ୍ନାର ଜଙ୍ଗଲରେ ଯାଯାବର ଜୀବନଯାପନ କରୁଥିଲେ ଓ ଜଙ୍ଗଲଜାତ ଦ୍ରବ୍ୟରୁ ନିଜର ପରିବାର ପୋଷଣ କରୁଥିଲେ । ଏହି ସମୟରେ ଏମାନଙ୍କୁ କାହ୍ନାରେ ରହିଥିବା ୨୮ଟି ଗ୍ରାମରୁ ସ୍ଥାନାନ୍ତରିତ କରାଗଲା । ବାଘମାନଙ୍କୁ ନିରଙ୍କୁଶ ଓ ଉପଯୁକ୍ତ ଅଧିବାସ ଯୋଗାଇବା ପାଇଁ ଏହି ସ୍ଥାନାନ୍ତରଣ ଅତ୍ୟନ୍ତ ଜରୁରୀ ଥିଲା ।[୧୧] ବାଇଗା ସମୁଦାୟ ଲୋକମାନଙ୍କ ନୂତନ ରହିବା ସ୍ଥାନ ଅତ୍ୟନ୍ତ ଅନୁର୍ବର ଜମି । ସେମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ନିଶାସକ୍ତି ତଥା ପୁଷ୍ଟିହୀନତାଦ୍ୱାରା କବଳିତ ଓ ଭିକ୍ଷାବୃତ୍ତି କରି ବଞ୍ଚୁଛନ୍ତି ।[୧୧] କାହ୍ନାରୁ ସବୁଠାରୁ ଶେଷରେ ସ୍ଥାନାନ୍ତରିତ ଗ୍ରାମ ଅଭୟାରଣ୍ୟର କୋର୍ ଅଞ୍ଚଳରେ ରହିଥିଲା ।[୧୧] ଗୋଣ୍ଡ ଓ ବାଇଗା ଜନଜାତିର ଲୋକଙ୍କ ପାଇଁ ଏହା ତାଙ୍କର ବଂଶଗତ ଘର ।
୨୦୧୦ ଜାନୁଆରୀ ମାସରେ ବାଇଗା ସମ୍ପ୍ରଦାୟର ଲୋକଙ୍କୁ ସରକାର କୌଣସି କ୍ଷତିପୂରଣ ନଦେଇ ଜାତୀୟ ଉଦ୍ୟାନ ମଧ୍ୟରୁ ଅବୈଧ ଉପାୟରେ ଉଠାଇଦେବା କଥା ସର୍ଭାଇଭାଲ୍ ଇଣ୍ଟର୍ନ୍ୟାସ୍ନାଲ୍ ପ୍ରକାଶ କରିଥିଲା ।[୧୨][୧୩]
ବାଘଙ୍କ ଅଧିବାସର ପୁନରୁଦ୍ଧାର ଓ ବିକାଶ ପାଇଁ ଭାରତୀୟ WWF ସଂସ୍ଥା କିଛି ସୁସଂରକ୍ଷିତ ବଳୟ ଚିହ୍ନଟ କରିଛି । ଏହି ଅଞ୍ଚଳରେ ଶିକାର ଜନ୍ତୁ ଓ ବାଘଙ୍କ ଦୈନନ୍ଦିନ ଜୀବନ ଉପରେ ଦୃଷ୍ଟି ରଖାଯାଉଥିବାରୁ ଏଠାରେ ବାଘସଂଖ୍ୟା ପ୍ରାୟ ସ୍ଥିର ହୋଇ ରହିଛି । ମନୁଷ୍ୟଙ୍କ ଜୀବନ ରକ୍ଷା, ଜଙ୍ଗଲଜାତ ସାମଗ୍ରୀ ଉପରେ ନିର୍ଭରତା କମ୍ କରିବା, ଗୋରୁଗାଈଙ୍କ ହତ୍ୟାରେ ଲୋକେ ବାଘଙ୍କ ପ୍ରତି ଯେପରି ଅତ୍ୟନ୍ତ ଅସହିଷ୍ଣୁ ନ ହୁଅନ୍ତୁ ସେଥିପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ।[୧୪]
କିଛି ଜାଣିବା କଥା
ସମ୍ପାଦନାକାହ୍ନା ବ୍ୟାଘ୍ର ଅଭୟାରଣ୍ୟରେ :
- କୋର୍ ଅଞ୍ଚଳର କ୍ଷେତ୍ରଫଳ : ୯୪୦ (କି.ମି.)୨
- ଭୌଗୋଳିକ ରୂପ : ଶାଳ ଓ ବାଉଁଶ ଜଙ୍ଗଲ, ମାଳ ଓ ପଥୁରିଆ ଭୂମି, ତୃଣଭୂମିରେ ପୂର୍ଣ୍ଣ, ଅନେକ ଛୋଟବଡ଼ ଝରଣା ଓ ନଦୀନାଳଦ୍ୱାରା ବିଖଣ୍ଡିତ
- ପର୍ଯ୍ୟଟନ ପାଇଁ ସର୍ବୋତ୍କୃଷ୍ଟ ସମୟ : ଫେବୃଆରୀରୁ ଜୁନ୍।
- ସକାଳେ ଅଭୟାରଣ୍ୟ ଭ୍ରମଣ ସମୟ : ପ୍ରାତଃ ୬:୩୦ରୁ ୧୧:୩୦
- ସନ୍ଧ୍ୟାରେ ଅଭୟାରଣ୍ୟ ଭ୍ରମଣ ସମୟ : ଅପରାହ୍ନ ୩:୦୦ରୁ ସନ୍ଧ୍ୟା ୬:୦୦।
- ମୌସୁମୀ ପ୍ରବାହ ସମୟରେ ପ୍ରତିବର୍ଷ ୧ ଜୁଲାଇରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଅଭୟାରଣ୍ୟ ପର୍ଯ୍ୟଟକ, ଗବେଷକ ଓ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ବନ୍ଦ ରହେ ।
ଗମନାଗମନ
ସମ୍ପାଦନାକାହ୍ନା ଅଭୟାରଣ୍ୟରୁ ୧୭୫ କି.ମି. ଦୂରରେ (ପ୍ରାୟ ୪ ଘଣ୍ଟା ୩୦ ମିନିଟ୍ ଦୂରରେ) ଅବସ୍ଥିତ ଜବଲପୁର ବିମାନ ବନ୍ଦରରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ପୁଣେ, ବେଲଗାଓଁ, ଭୋପାଳ ପ୍ରଭୃତି ସହରକୁ ଦୈନିକ ବିମାନ ଚଳାଚଳ ବ୍ୟବସ୍ଥା ରହିଛି । କାହ୍ନା ଅରଣ୍ୟକୁ ନାଗପୁର (୨୬୦ କି.ମି.) ଓ ରାଇପୁର(୨୧୯ କି.ମି.) ବିମାନ ବନ୍ଦର ମାଧ୍ୟମରେ ମଧ୍ୟ ଯାଇହେବ ।
ଜବଲପୁର ହେଉଛି କାହ୍ନାର ନିକଟବର୍ତ୍ତୀ ରେଳ ଷ୍ଟେସନ । ଏହି ରେଳ ଷ୍ଟେସନରୁ ଦେଶର ଅଧିକାଂଶ ସ୍ଥାନକୁ ରେଳ ଚଳାଚଳ ହୁଏ । ଜବଲପୁରରୁ ମଣ୍ଡଳ ସହର ଦେଇ କାହ୍ନା ଅଭୟାରଣ୍ୟକୁ ସଡ଼କପଥ ରହିଛି ।
ଜାତୀୟ ଉଦ୍ୟାନରେ ପ୍ରବେଶ କରିବା ପାଇଁ ତିନୋଟି ମୁଖ୍ୟ ଦ୍ୱାର ରହିଛି । ଜବଲପୁର ପଟରୁ କିସ୍ଲି ଦ୍ୱାର ପହଞ୍ଚିବା ସହଜ । ଦ୍ୱିତୀୟ ପ୍ରବେଶ ପଥ ମୁକ୍କି ନିକଟରେ ଓ ସଦ୍ୟ ନିର୍ମିତ ତୃତୀୟ ପ୍ରବେଶ ଦ୍ୱାର ସେରାଇ ନିକଟରେ ଅବସ୍ଥିତ ।
କାହ୍ନା ଜଙ୍ଗଲ ଓ ପରିବେଶର ମୂଲ୍ୟାଙ୍କନ
ସମ୍ପାଦନାକାହ୍ନା ଅଭୟାରଣ୍ୟର ଏକ ଅର୍ଥନୈତିକ ସର୍ବେକ୍ଷଣରୁ ଜଣା ପଡ଼ିଛି ଯେ ଏହି ଅଭୟାରଣ୍ୟରୁ ପ୍ରତିବର୍ଷ ୧୬୫୦ କୋଟି ଟଙ୍କାର ଲାଭ ମିଳେ (ହେକ୍ଟର୍ ପିଛା ପ୍ରାୟ ୮୦ ହଜାର ଟଙ୍କା) । ପ୍ରତିବର୍ଷ ଜିନ୍-ପୁଲ୍ ସୁରକ୍ଷାରୁ ୧୨୪..୧ କୋଟି, ପାଣି ବଣ୍ଟନରୁ ୫୫୮୦ ଲକ୍ଷ, ଅଣ-କୋର୍ ଅଞ୍ଚଳରେ ଖାଦ୍ୟ ଯୋଗାଇବା ଫଳରେ ୫୪୬୦ ଲକ୍ଷର ଲାଭ ହୋଇଥାଏ । ପର୍ଯ୍ୟଟନ ଓ ଅନ୍ୟ ଉତ୍ସରୁ ୯୯୨୦ ଲକ୍ଷ ଲାଭ ମିଳେ ।[୧୫]
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Kanha Tiger Reserve".
- ↑ "Kanha Tiger Reserve". Madhya Pradesh Forest Department. Archived from the original on 10 March 2011. Retrieved 14 April 2010.
- ↑ "Kahna Tiger Reserve: History and origin (3rd slide)". Kahna Tiger Reserve. Archived from the original on 15 March 2015. Retrieved 21 March 2015.
- ↑ Williams, Sarah. "Top 10 Must Visit Tourist Places in India". Touropia. Retrieved 10 January 2015.
- ↑ "On 'The Jungle Book' trail at Kanha National Park". DNA India. 18 April 2016. Retrieved 18 May 2017.
- ↑ Neeraj Santoshi (29 March 2017). "Meet 'Bhoorsingh the Barasingha': Kanha tiger reserve becomes first in India get official mascot". Hindustan Times. Retrieved 18 May 2017.
- ↑ "Kanha National Park". Reservation Portal Madhya Pradesh Forest Department. MPOnline Ltd., JV between MPSEDC of Govt. of Madhya Pradesh & TATA Consultancy Services. Archived from the original on 24 March 2010. Retrieved 14 April 2010.
- ↑ A. P. Dwivendi: Protected Areas of Madhya Pradesh, Government printing Press, Bhopal 2003
- ↑ https://web.archive.org/web/20130811081304/http://www.banglalive.com/News/SpecialNewsDetail/5966. Archived from the original on August 11, 2013. Retrieved August 22, 2013.
{{cite web}}
: Missing or empty|title=
(help) - ↑ sala Reintroduction of Barasingha: Kanha National Park – Satpura Tiger Reserve Archived 2013-07-21 at the Wayback Machine.
- ↑ ୧୧.୦ ୧୧.୧ ୧୧.୨ "Out of the Jungle: The Baigas - Sayantan Bera". Galli Magazine. Retrieved 21 March 2015.
- ↑ Survival International. "Tribespeople illegally evicted from 'Jungle Book' tiger reserve". survivalinternational.org. Retrieved 21 March 2015.
- ↑ "Kanha Tiger Reserve".
- ↑ "WWF India - WWF-India's work for tiger". wwfindia.org. Retrieved 21 March 2015.
- ↑ (PDF) https://web.archive.org/web/20160826050803/http://www.iifm.ac.in/sites/default/files/Newspdf/IIFM-NTCA-REPORT.compressed-min.pdf. Archived from the original (PDF) on 26 August 2016. Retrieved 14 August 2016.
{{cite web}}
: Missing or empty|title=
(help)
ଉତ୍ସ
ସମ୍ପାଦନା- K.K.Gurung, Gopal awasthi & Raj Singh: Field Guide to the Mammals of the Indian Subcontinent, Academic Press, San Diego, ISBN 0-12-309350-3
ଅନ୍ୟାନ୍ୟ ଲିଂକ୍
ସମ୍ପାଦନା- Official Site Archived 2015-03-15 at the Wayback Machine.
- କାହ୍ନା ଜାତୀୟ ଉଦ୍ୟାନ travel guide from Wikivoyage
- Safari Booking Archived 2018-03-19 at the Wayback Machine.