ବନ୍ୟ ଗୟଳର ପ୍ରାଣୀବିଜ୍ଞାନ ନାମ ହେଲା Bos gaurus । ହିନ୍ଦୀରେ ଏମାନଙ୍କୁ “ଗୌର୍” ବୋଲି କୁହାଯାଏ । କେତେକ ବନ୍ୟ ଗୟଳକୁ “ଭାରତୀୟ ଗୟଳ” ମଧ୍ୟ କୁହନ୍ତି । ଭାରତୀୟ ଉପମହାଦ୍ୱୀପ ଓ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ବନ୍ୟ ଗୋରୁ ଜାତୀୟ ପ୍ରାଣୀଙ୍କ ମଧ୍ୟରେ ଗୟଳ ଆକାରରେ ସବୁଠାରୁ ବଡ଼ । ୧୯୮୬ ମସିହାରୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (International Union for Conservation of Nature - IUCN)ଦ୍ୱାରା ପ୍ରକାଶିତ ଲାଲ୍ ତାଲିକାରେ ଗୟଳକୁ “Vulnerable” ଶ୍ରେଣୀଭୁକ୍ତ କରାଯାଇଛି । ସାମ୍ପ୍ରତିକ ସମୟରେ ଗୟଳମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ତେବେ ସଂରକ୍ଷିତ ଜଙ୍ଗଲମାନଙ୍କରେ ଏମାନଙ୍କ ସଂଖ୍ୟା ସ୍ଥିର ରହିଛି ବା ବଢୁଛି । ପୂର୍ହରୁ ଅବହେଳିତ ଥିବା କେତେକ ଅଞ୍ଚଳରେ ଏବେ ଗୟଳମାନଙ୍କର ପୁନରୁତ୍ଥାନ କରାଯାଇପାରିଛି ।[]

ବନ୍ୟ ଗୟଳ, ବଣୁଆ ଗୟଳ, ଭାରତୀୟ ଗୟଳ, ବଣ ମଇଁଷି
Bos gaurus ପ୍ରଜାତିର ଏକ ଅଣ୍ଡିରା ଗୟଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
Family: Bovidae
Subfamily: Bovinae
Genus: Bos
ଜାତି: B. gaurus
ବାଇନୋମିଆଲ ନାମ
Bos gaurus
ଚାର୍ଲ୍‍ସ୍ ହାମିଲ୍‍ଟନ୍ ସ୍ମିଥ୍, ୧୮୨୭
ଗୟଳମାନଙ୍କ ବ୍ୟାପ୍ତି

ବନ୍ୟ ଗୋରୁ ଜାତୀୟ ପ୍ରାଣୀମାନଙ୍କ ମଧ୍ୟରେ ଗୟଳ ଉଚ୍ଚତମ ।

ମାଳୟ ଗୟଳମାନଙ୍କୁ “ସେଲାଡାଂଗ୍” ବୋଲି କୁହାଯାଏ । ବ୍ରହ୍ମଦେଶୀୟ ଗୟଳମାନେ ପ୍ୟୌଂଗ୍ (ବ୍ରହ୍ମଦେଶୀୟ ଭାଷାରେ ပြောင်) ଭାବେ ପରିଚିତ । ପୋଷା ଗୟଳର ପ୍ରାଣୀବିଜ୍ଞାନ ନାମ Bos frontalis । ଏମାନଙ୍କୁ ଲୋକେ ଗୟଳ ବା ମିଥୁନ ବୋଲି ମଧ୍ୟ ଡାକନ୍ତି । ସାଧାରଣତଃ ବନ୍ୟ ଗୟଳ ସ୍ୱତଃପ୍ରବୃତ୍ତ ଗୃହପାଳିତ ପଶୁ ନୁହଁ । କିନ୍ତୁ ବନ୍ୟ ଗୟଳ ଓ ଗୃହପାଳିତ ମଇଁଷିର ମିଳନରୁ ବନ୍ୟ ଗୟଳ ପରି ଦିଶୁଥିବା ପ୍ରାଣୀର ସୃଷ୍ଟି ହୋଇଛି । ପ୍ରଜନନର ଏପରି ପ୍ରଣାଳୀ ହେତୁ ଏମାନଙ୍କୁ ମିଥୁନ ଏବଂ ବନ୍ୟ ଗୟଳ ପରି ଦିଶୁଥିବାରୁ ଏମାନଙ୍କୁ ମଧ୍ୟ ଗୟଳ କୁହାଯାଏ । ଏହି ପୃଷ୍ଠାରେ ଗୟଳ ଶବ୍ଦଟି ବନ୍ୟ ଗୟଳ ପାଇଁ ବ୍ୟବହୃତ ହୋଇଛି ।

ଆକୃତି ଏବଂ ପ୍ରକୃତି

ସମ୍ପାଦନା
 
ଅଣ୍ଡିରା ଗୟଳର କୁବ୍‍ଜ ଅତି ବଡ଼ ଓ ସାଧାରଣ ମଇଁଷିମାନଙ୍କଠାରୁ ଭିନ୍ନ
 
ଗୟଳର ଶିଙ୍ଗର ଆକାର
 
କେରଳର ପରାମ୍ବିକୁଲମ୍ ନିକଟରୁ ମିଳିଥିବା ଏକ ଗୟଳର ଖପୁରୀ

ଗୟଳମାନଙ୍କ ଶରୀର ଗଠନ ଖୁବ୍ ବଳିଷ୍ଠ ଓ ଆକାରରେ ବଡ଼ । ଏମାନଙ୍କ କପାଳ ବା ଦୁଇ ଶିଙ୍ଗ ମଧ୍ୟରେ ଏକ ଉତ୍ତଳ ଢେପୁଆ ଅଂଶ ରହିଥାଏ । ଏହି ଅଂଶଟି ଟିକେ ଆଗକୁ ବାହାରିଥାଏ, ତେଣୁ ମୁଣ୍ଡର ଉପର ପାଖ ବା ଦୁଇ ଆଖି ମଝି ଖାଲୁଆ ହୋଇଥାଏ । ଗୟଳମାନଙ୍କ ପିଠିରେ ମଧ୍ୟ ଏକ ସ୍ପଷ୍ଟ କୁବ୍‍ଜ ରହିଥାଏ । ଏମାନଙ୍କ କାନଗୁଡିକ ବଡ଼ ବଡ଼ । ଲାଞ୍ଜଟି ଛୋଟ ଓ ଗୋଡର ଅଧା ପର୍ଯ୍ୟନ୍ତ । ଅତି ବୟସ୍କ ଗୟଳମାନଙ୍କ ପିଠିର ଲୋମ ଝଡିଯାଇଥାଏ । ଏକ ପୂର୍ଣ ବିକଶିତ ଅଣ୍ଡିରା ଗୟଳର ଶରୀର ସାଧାରଣତଃ ଗାଢ ମାଟିଆ ରଙ୍ଗର ହୋଇଥାଏ । ବୟସ ବଢ଼ିଲେ ଏମାନଙ୍କ ରଙ୍ଗ କ୍ରମଶଃ କଳା ପଡିଯାଏ । ଆଖିରୁ ବେକର ପଛପଟ ବା ମୁଣ୍ଡର ଉପରାଂଶ ପାଉଁଶିଆ ରଙ୍ଗର (କେତେକ ଗୟଳଙ୍କ କ୍ଷେତ୍ରରେ ଏହା ମାଟିଲଗା ଧଳା ରଙ୍ଗର ମଧ୍ୟ ହୋଇପାରେ) । ନାକ ଓ ପାଟି ପାଖଟି ଫିକା ରଙ୍ଗର । ଏମାନଙ୍କ ଗୋଡର ତଳଭାଗ ମଧ୍ୟ ଧଳା ବା ଫିକା ରଙ୍ଗର । ଶୁଷ୍କ ତୃଣଭୂମି ଅଞ୍ଚଳରେ ବସବାସ କରୁଥିବା ମାଈ ଗୟଳ ଓ ବାଛୁରିମାନଙ୍କ ରଙ୍ଗ ଅତି ଫିକା । ଗୟଳମାନଙ୍କ ଲାଞ୍ଜ ବଳଦ ବା ମଇଁଷିଙ୍କ ଲାଞ୍ଜଠାରୁ ଯଥେଷ୍ଟ ଛୋଟ ଓ କେବଳ ଗୋଡର ମଝି ପର୍ଯ୍ୟନ୍ତ ଲମ୍ବିଥାଏ । କାନ୍ଧରୁ ପିଠିର ମଝିଯାଏଁ ଥିବା କୁବ୍‍ଜ ପ୍ରାୟ ୧୨ ସେଣ୍ଟିମିଟର୍ (୪.୭ ଇଞ୍ଚ୍) ଲମ୍ବା । ମେରୁଦଣ୍ଡର ଭର୍ଟିବ୍ରାର କ୍ରମବିବର୍ତ୍ତନ ହୋଇ ତାହାର ଦୈର୍ଘ୍ୟରେ ବୃଦ୍ଧି ଘଟି ଏପରି କୁବ୍‍ଜ ସୃଷ୍ଟି ହୋଇଛି । ଗୟଳମାନଙ୍କ ଲୋମ ଛୋଟ, ସୂକ୍ଷ୍ମ ଓ ଚିକ୍କଣିଆ ହୋଇଥାଏ । ସେମାନଙ୍କ ଖୁରା ସଂକୀର୍ଣ୍ଣ ଓ ଗୋଜିଆ ।

ମୁଣ୍ଡକୁ ମିଶାଇ ଗୟଳର ଶରୀରର ଲମ୍ବ ପ୍ରାୟ ୨୫୦ରୁ ୩୩୦ ସେଣ୍ଟିମିଟର୍ (୮’ ୨”ରୁ ୧୦’ ୧୦”) ମଧ୍ୟରେ ହୋଇଥାଏ । ଲାଞ୍ଜଟି ୭୦ରୁ ୧୦୫ ସେଣ୍ଟିମିଟର୍ (୨୮ରୁ ୪୧ ଇଞ୍ଚ୍) ଲମ୍ବା ହୋଇଥାଏ । ଭୂମିରୁ ଗୟଳର କାନ୍ଧ ପର୍ଯ୍ୟନ୍ତ ଉଚ୍ଚତା ପ୍ରାୟ ୧୪୨ରୁ ୨୨୦ ସେଣ୍ଟିମିଟର୍ (୪’ ୮”ରୁ ୭’ ୩”) । ମାଈ ଗୟଳମାନଙ୍କ ହାରାହାରି ଉଚ୍ଚତା ପ୍ରାୟ ୧୬୮ ସେଣ୍ଟିମିଟର୍ (୫ ଫୁଟ୍ ୬ ଇଞ୍ଚ୍) ହୋଇଥିବା ବେଳେ ଅଣ୍ଡିରା ଗୟଳମାନଙ୍କ ହାରାହାରି ଉଚ୍ଚତା ପ୍ରାୟ ୧୮୮ ସେ.ମି. (୬ ଫୁଟ୍ ୨ ଇଞ୍ଚ୍) ହୋଇଥାଏ । ଅଣ୍ଡିରା ଗୟଳର କାନ୍ଧର ଠିକ୍ ପଛକୁ କୁବ୍‍ଜ ପର୍ଯ୍ୟନ୍ତ ଭୂମିରୁ ଉଚ୍ଚତା ମୋଟାମୋଟି ଭାବେ ୨୦୦ ସେଣ୍ଟିମିଟର୍ (୬ ଫୁଟ୍ ୭ ଇଞ୍ଚ୍)ରୁ ଟିକେ କମ୍ ହୋଇଥାଏ । ଅଣ୍ଡିରା ଗୟଳର ପେଟ ପାଖର ପରିଧି ହାରାହାରି ୨୭୭ ସେ.ମି. (୯’ ୧”) ହୋଇପାରେ । ମାଈ ଗୟଳଙ୍କଠାରୁ ଅଣ୍ଡିରା ଗୟଳମାନେ ପ୍ରାୟ ୨୫% ବଡ଼ ଏବଂ ଓଜନିଆ ମଧ୍ୟ । ମାଈ ଗୟଳମାନଙ୍କ ଶରୀରର ଓଜନ ୪୦୦ରୁ ୧୦୦୦ କିଲୋଗ୍ରାମ୍ (୯୭୦ରୁ ୨୨୦୦ ପାଉଣ୍ଡ୍) ଓ ଅଣ୍ଡିରା ଗୟଳ ମାନଙ୍କ ଶରୀରର ଓଜନ ୫୮୮ରୁ ୧୫୦୦ କିଲୋଗ୍ରାମ୍ (୧୨୯୬ରୁ ୩୩୦୭ ପାଉଣ୍ଡ୍) ପର୍ଯ୍ୟନ୍ତ ହୋଇଥାଏ । ଏହି ସବୁ ମାପ ଭାରତର ଗୟଳମାନଙ୍କ ଉପରେ ହୋଇଥିବା ସର୍ବେକ୍ଷଣରୁ ନିଆଯାଇଛି । ଭାରତୀୟ ଜଙ୍ଗଲରେ ଦେଖାଯାଉଥିବା ଅଣ୍ଡିରା ଗୟଳ ପ୍ରାୟ ୮୪୦ କିଲୋଗ୍ରାମ୍ (୧୮୫୦ ପାଉଣ୍ଡ) ଓଜନର ହୋଇଥିବା ବେଳେ ମାଈ ଗୟଳର ହାରାହାରି ଓଜନ ୭୦୦ କିଲୋଗ୍ରାମ୍ (୧୫୦୦ ପାଉଣ୍ଡ) । ଅନ୍ୟ ଦେଶମାନଙ୍କ ଗୟଳ ଭାରତୀୟ ଗୟଳଙ୍କଠାରୁ ଅଧିକ ବଢ଼ିଥାନ୍ତି । ଉଦାହରଣ ସ୍ୱରୂପ ଚୀନରେ ଦେଖାଯାଉଥିବା ଗୟଳ (B. g. laosiensis) ପାଖାପାଖି ୧୨୦୦ କିଲୋଗ୍ରାମ୍ (୨୬୦୦ ପାଉଣ୍ଡ) ବା ତାହାଠାରୁ ଅଧିକ ହୋଇପାରେ । ମଲେସିଆରେ ଦେଖାଯାଉଥିବା ସେଲାଡାଂଗ୍ ଉପପ୍ରଜାତିର ଗୟଳ (B. g. hubbacki) ଭାରତୀୟ ଗୟଳଙ୍କଠାରୁ ଆକାରରେ ବଡ଼ । ସେଲାଡାଂଗ୍ ପ୍ରାୟ ୧୦୦୦ରୁ ୧୩୦୦ କି.ଗ୍ରା. (୨୨୦୦ରୁ ୨୯୦୦ ପାଉଣ୍ଡ) ଓଜନ ବିଶିଷ୍ଟ ହୋଇଥାଏ ବୋଲି କେତେକ ସୂତ୍ରରୁ ଜଣାପଡେ । ଯଦି ଏହି ତଥ୍ୟରେ ସତ୍ୟତା ଥାଏ, ତେବେ ମାଳୟ ଗୟଳ ଭାରତୀୟ ଗୟଳଙ୍କଠାରୁ ଆକାରରେ ପ୍ରାୟ ଏକ-ପଞ୍ଚମାଂଶ (୨୦%) ବଡ଼ ବୋଲି କୁହାଯାଇପାରିବ ।

ସାଧାରଣ ମଇଁଷିଙ୍କ ପରି ଗୟଳମାନଙ୍କ ଗଳା ଓ ଛାତି ତଳେ ମାଂସପିତୁଳା ଝୁଲି ନଥାଏ । ଉଭୟ ମାଈ ଓ ଅଣ୍ଡିରା ଗୟଳଙ୍କର ଶିଙ୍ଗ ଥାଏ । ଶିଙ୍ଗ ମୁଣ୍ଡର ଦୁଇପଟରୁ ବାହାରି ଉପର ପଟକୁ ମୋଡି ହୋଇଥାଏ । ଦୁଇ ଶିଙ୍ଗ ମଧ୍ୟରେ କପାଳର ଉତ୍ତଳ ଢେପୁଆ ହାଡ ରହିଥାଏ । ଶିଙ୍ଗଗୁଡ଼ିକ ପରସ୍ପର ଆଡକୁ ଓ ଟିକିଏ ପଛପଟକୁ ମୋଡି ହୋଇଥାନ୍ତି । ଶିଙ୍ଗର ଫିକା ସବୁଜ ବା ହଳଦିଆ ରଙ୍ଗର ଓ ଉପରାଂଶ କଳା ରଙ୍ଗର । ଗୋରୁ ପ୍ରଜାତିର ଅନ୍ୟ ପ୍ରାଣୀଙ୍କ ତୁଳନାରେ ଏମାନଙ୍କ ଶିଙ୍ଗ ସାମାନ୍ୟ ବଡ଼ ଓ ୬୦ରୁ ୧୧୫ ସେ.ମି. (୨୪ରୁ ୪୫ ଇଞ୍ଚ୍) ପର୍ଯ୍ୟନ୍ତ ବଢ଼ିପାରେ ।

ମାଈ ଗୟଳ ଅଣ୍ଡିରା ଗୟଳଠାରୁ ଗଠନରେ ହାଲୁକା ଓ ଏହାର ରଙ୍ଗ ମଧ୍ୟ ସାମାନ୍ୟ ଫିକା । ମାଈ ଗୟଳର ଶିଙ୍ଗ ପତଳା ଓ ସୁଗଠିତ । ମାଈ ଗୟଳମାନଙ୍କ କପାଳର ଢେପୁଆ ହାଡ ବାହାରକୁ ସ୍ପଷ୍ଟଭାବେ ଦେଖାଯାଏ ନାହିଁ । ଯୁବ ଗୟଳମାନଙ୍କ ଶିଙ୍ଗ ଚିକ୍କଣିଆ ହୋଇଥାଏ । ବୟସ୍କ ଗୟଳମାନଙ୍କ ଶିଙ୍ଗ କର୍କଶ ଓ ମୂଳ ପାଖରେ ଦନ୍ତୁରିତ ।

ଗୟଳମାନେ ବୃହତ୍ ସ୍ଥଳଚର ଜୀବଙ୍କ ତାଲିକାରେ ସ୍ଥାନ ପାଇପାରିବେ । କେବଳ ହାତୀ, ଗଣ୍ଡା, ଉଭୟଚର ଜଳହସ୍ତୀ ଓ ଜିରାଫ୍ ଏମାନଙ୍କଠାରୁ ଆକାରରେ ବଡ଼ ହୋଇଥାନ୍ତି । ଭାରତୀୟ ଜଙ୍ଗଲରେ ଏସୀୟ ହାତୀ ଓ ଭାରତୀୟ ଗଣ୍ଡା ପରି ବୃହଦାକାର ସ୍ଥଳଚର ପ୍ରଜାତିଙ୍କ ସହିତ ଗୟଳମାନେ ଏକା ବାସସ୍ଥାନରେ ରହିପାରନ୍ତି । ବିଶ୍ୱର ସମସ୍ତ ବନ୍ୟ ଗୋରୁଙ୍କ ମଧ୍ୟରେ ଗୟଳ ବୃହତ୍ତମ । ବନ୍ୟ ଜଳ ମଇଁଷି (Bubalus arnee)ର ଆକାର ଗୟଳର ନିକଟତମ ।

ଗୟଳମାନଙ୍କ ବିତରଣ ଓ ଅଧିବାସ

ସମ୍ପାଦନା
 
ମାଳୟର ଗୟଳମାନଙ୍କୁ ସ୍ଥାନୀୟ ଲୋକେ ସେଲାଡାଂଗ୍ ବୋଲି କୁହନ୍ତି
 
ନାଗାରହୋଳେ ଜାତୀୟ ଉଦ୍ୟାନର ଏକ ଅଣ୍ଡିରା ଗୟଳ
 
ବନ୍ଦିପୁର ଜାତୀୟ ଉଦ୍ୟାନରେ ଏକ ଭାରତୀୟ ଗୟଳ
 
କେରଳର ପେରିୟାର୍ ଜାତୀୟ ଉଦ୍ୟାନରେ ଗୟଳମାନଙ୍କ ଏକ ଗୋଠ

ପରିସ୍ଥିତିକ ବ୍ୟବହାର

ସମ୍ପାଦନା

ସଂରକ୍ଷିତ ଓ ଅପରିବର୍ତ୍ତିତ ଜଙ୍ଗଲରେ ବସବାସ କରୁଥିବା ଗୟଳମାନେ ଦିବାଚର ହୋଇଥାନ୍ତି । କିନ୍ତୁ ମନୁଷ୍ୟର ଅନୁପ୍ରବେଶ ଓ ହସ୍ତକ୍ଷେପ ଯୋଗୁଁ ନଷ୍ଟ ହୋଇଯାଉଥିବା ଜଙ୍ଗଲରେ ଗୟଳମାନେ ନିଶାଚର ହେବା ପରିଲକ୍ଷିତ ହୋଇଛି । ମଧ୍ୟ ଭାରତୀୟ ଜଙ୍ଗଲରେ ଗୟଳମାନେ ରାତ୍ରି ସମୟରେ ଅଧିକ ସକ୍ରିୟ ଥାଆନ୍ତି ଓ ସକାଳ ୮ଟା ପରେ ଖୋଲା ଅଞ୍ଚଳରେ କାଁ ଭାଁ ଦେଖାଯାନ୍ତି । ଶୁଷ୍କ ସମୟରେ ଗୟଳମାନଙ୍କ ଗୋଠ ଏକତ୍ରିତ ହୋଇ ଛୋଟ କ୍ଷେତ୍ରରେ ସୀମିତ ହୋଇ ରହନ୍ତି । ମୌସୁମୀ ଆସିଲେ ଏମାନେ ପାହାଡ଼ିଆ ଅଞ୍ଚଳକୁ ଚାଲି ଯାଆନ୍ତି । ଗୟଳମାନେ ମୁଖ୍ୟତଃ ପିଇବା ପାଇଁ ପାଣିର ବ୍ୟବହାର କରନ୍ତି । ଏମାନେ ପାଣିରେ ଗାଧୋଇବା ଦେଖାଯାଏ ନାହିଁ । ବଣର କୀଟ, ମଶା, ଟିଙ୍କ ଇତ୍ୟାଦିଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ହାତୀ, ଗୃହପାଳିତ ମଇଁଷି କାଦୁଅରେ ଗଡ଼ି ଲେସି ହୁଅନ୍ତି । ଗୟଳଙ୍କ କ୍ଷେତ୍ରରେ ଏପରି ବ୍ୟବହାର ଦେଖାଯାଇ ନଥାଏ । 

ଜାନୁଆରୀ-ଫେବୃଆରୀ ମାସ ବେଳକୁ ଗୟଳମାନେ ୮ରୁ ୧୧ ଜଣିଆ ଛୋଟ ଗୋଠରେ ରହନ୍ତି । ଏହି ଗୋଠରେ ଏକ ସର୍ଦାର ଅଣ୍ଡିରା ଗୟଳ ରହିଥାଏ । ଏପ୍ରିଲ୍-ମଇ ମାସ ବେଳକୁ ଗୋଠରେ ମିଳନ ଆଶାରେ ଅଧିକ ଅଣ୍ଡିରା ଗୟଳ ଯୋଗଦାନ କରନ୍ତି । ଗୋଟିଏ ଅଣ୍ଡିରା ଗୟଳ ବାରମ୍ବାର ଗୋଠ ପରିବର୍ତ୍ତନ କରିବା ଆଶ୍ଚର୍ଯ୍ୟଜନକ ନୁହେଁ । ଏପରି କରିବାଦ୍ୱାରା ଗୋଟିଏ ଅଣ୍ଡିରା ଗୟଳର ଅନେକ ମାଈ ଗୟଳଙ୍କ ସହିତ ମିଳନ ହୋଇଥାଏ । ମଇ-ଜୁନ୍ ମାସ ବେଳକୁ ଅଣ୍ଡିରା ଗୟଳମାନେ ଗୋଠ ଛାଡି ଚାଲିଯାଆନ୍ତି । ଅଣ୍ଡିରା ଗୟଳମାନେ ଏହି ସମୟରେ ଏକ ସ୍ୱତନ୍ତ୍ର ଅଣ୍ଡିରା ଗୋଠ ତିଆରି କରିପାରନ୍ତି ବା ଏକାକୀ ମଧ୍ୟ ରହି ପାରନ୍ତି । ଗୋଠଗୁଡିକ ଦୈନିକ ୨ରୁ ୫ କି.ମି. (୧.୨ରୁ ୩.୧ ମାଇଲ୍) ବୁଲନ୍ତି । ସମୟ ସମୟରେ ଗୋଠରେ ୫୦ରୁ ଅଧିକ ସଦସ୍ୟ ଥିବା ମଧ୍ୟ ଦେଖାଯାଇଛି । ବର୍ଗ କି.ମି. ପ୍ରତି ଏମାନଙ୍କ ସଂଖ୍ୟାର ଘନତ୍ୱ ହାରାହାରି ୦.୬ ହୋଇପାରେ ଓ ଗୋଟିଏ ଗୋଠର ଇଲାକା ୮୦ ବର୍ଗ କି.ମି. ପର୍ଯ୍ୟନ୍ତ ହୋଇପାରେ । 

ଏକ ବୟସ୍କ ମାତୃକା ଗୟଳ ସାଧାରଣତଃ ଗୋଠର ନେତୃତ୍ୱ ନିଏ । ବୟସ୍କ ଅଣ୍ଡିରା ଗୟଳମାନେ ଏକାକୀ ରହିବା ମଧ୍ୟ ଦେଖାଯାଇଛି ।  ପ୍ରଜନନ ଋତୁରେ ଏକାକୀ ବୁଲୁଥିବା ଅଣ୍ଡିରା ଗୟଳମାନେ ପ୍ରଣୟ ପ୍ରାର୍ଥିନୀ ସନ୍ଧାନରେ ଘୁରି ବୁଲନ୍ତି । ମାଈ ଗୟଳଙ୍କ ପାଇଁ ଅଣ୍ଡିରା ଗୟଳଙ୍କ ମଧ୍ୟରେ ଲଢେଇ ହେବା ଅତ୍ୟନ୍ତ ବିରଳ । ଅଣ୍ଡିରାମାନଙ୍କ ଲଢେଇରେ ସେମାନଙ୍କ ଆକାର ହିଁ ପ୍ରଭୁତ୍ୱ ଜାହିର କରେ । ଅଣ୍ଡିରା ଗୟଳଙ୍କ ପ୍ରଣୟ ନିବେଦନର ଧ୍ୱନି ଅତି ସ୍ପଷ୍ଟ, ଗମ୍ଭୀର ଓ ୧.୬ କିଲୋମିଟର୍ ଦୂରରୁ ଶୁଣାଯାଏ । ଅନ୍ୟମାନଙ୍କୁ ସତର୍କ କରିବା ସମୟରେ ଗୟଳମାନେ ହ୍ୱିସିଲ୍ ପରି ବା ଗାଈର ବୋବାଳି ପରି ଧ୍ୱନି ସୃଷ୍ଟି କରନ୍ତି । 

ଭାରତର କେତେକ ସ୍ଥାନରେ ରହୁଥିବା ଗୟଳ ନିଜ ବୃହତ୍ ଶରୀର ଓ ପ୍ରଚୁର ବଳ ସତ୍ତ୍ୱେ ଅତି ଲାଜକୁଳା ଓ ଡରକୁଳା ସ୍ୱଭାବର ହୋଇଥାନ୍ତି । ଏହି ସବୁ ଜଙ୍ଗଲରେ ମନୁଷ୍ୟମାନେ ମଧ୍ୟ ବାଧା ବିଘ୍ନ ସୃଷ୍ଟି ନ କରୁଥିବା ଜଣାପଡିଛି । ଆତଙ୍କିତ ହୋଇଗଲେ ଗୟଳମାନେ ଘଞ୍ଚ ଜଙ୍ଗଲ ଭିତରକୁ ତୀବ୍ର ଗତିରେ ଦୌଡି ପଳାନ୍ତି । ଦକ୍ଷିଣ-ପୂର୍ବ ଏସିଆ ଓ ଦକ୍ଷିଣ ଭାରତରେ ଗୟଳମାନେ ମନୁଷ୍ୟଙ୍କ ଉପସ୍ଥିତି ବିଷୟରେ ଅବଗତ ଓ ଅଭ୍ୟସ୍ତ । ସ୍ଥାନୀୟ ଲୋକଙ୍କ ମତରେ ଏହି ଗୟଳମାନେ ସ୍ୱଭାବରେ ଅତି ସାହସୀ ଓ ଆକ୍ରାମକ ମଧ୍ୟ । ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ତୃଣଭୂମିରେ ସାଧାରଣ ଗୃହପାଳିତ ଗୋରୁଙ୍କ ସହିତ ଚରିବା ଓ ସଂଘର୍ଷରେ ସେମାନଙ୍କୁ ବଧ ବା କ୍ଷତାକ୍ତ କରିବା ମଧ୍ୟ ଦେଖାଯାଇଛି । ବୟସ୍କ ଅଣ୍ଡିରା ଗୟଳ ବିନା କାରଣରେ ଗୋଡାଇ ଆସିବା ପରିଲକ୍ଷିତ ହୋଇଥାଏ । ବିଶେଷ କରି ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ଖରା ଓ ଦେହରେ ଲାଗିଥିବା କୀଟଙ୍କ ଦଂଶନରୁ ବିରକ୍ତ ହୋଇ ଏମାନେ ଅତ୍ୟନ୍ତ ବଦ୍‍ରାଗୀ ବା କ୍ଷଣକୋପୀ ହୋଇ ଉଠନ୍ତି । ଆସନ୍ନ ବିପଦ ସମ୍ପର୍କରେ ଗୋଠର ସଦସ୍ୟଙ୍କୁ ସତର୍କ କରିବା ପାଇଁ ଏମାନେ ହ୍ୱିସିଲ୍ ଶବ୍ଦ କରନ୍ତି । 

ଖାଦ୍ୟପେୟ

ସମ୍ପାଦନା
 
ନାଗାରହୋଳେ ଜାତୀୟ ଉଦ୍ୟାନର କବିନୀ ଇଲାକାରେ ଗୟଳ ଗୋଠ ଖଣିଜ ଲବଣ ଚାଟିବା ସ୍ଥାନରେ ଏକତ୍ରିତ

ଅନ୍ୟ ତୃଣଭୋଜୀ ପ୍ରାଣୀଙ୍କ ତୁଳନାରେ ବନ୍ୟ ଗୟଳମାନଙ୍କ ଖାଦ୍ୟରେ ଅଧିକ ବିବିଧତା ଦେଖାଦିଏ । ଖାଇବା ବେଳେ ଗୟଳମାନେ ଗଛ, ଲତା ଇତ୍ୟାଦିର ଉପର ଅଂଶ ଖାଇବା ପସନ୍ଦ କରନ୍ତି । ସେମାନେ ପତ୍ର, ଘାସ, ନାଡ, ମଞ୍ଜି, ଛୋଟ ଫୁଲ ; ଏପରିକି କଦମ୍ବ ଫୁଲ ମଧ୍ୟ ଖାଆନ୍ତି ।

ଭଗବାନ ମହାବୀର ଅଭୟାରଣ୍ୟ ଓ ମୋଲେମ୍ ଜାତୀୟ ଉଦ୍ୟାନରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣା ପଡିଥିଲା ଯେ ଗୟଳମାନେ ସେହି ଅଞ୍ଚଳର ପ୍ରାୟ ୩୨ଟି ପ୍ରକାରର ଗଛର ପତ୍ର ଓ ଘାସ ଖାଉଥିଲେ । ଗୟଳମାନେ ଛୋଟ ଗଛ, କରଡି, ଫୁଲ, ଫଳ ସବୁ କିଛି ଖାଉଥିଲେ କିନ୍ତୁ ପତ୍ର ଖାଇବା ଅଧିକ ପସନ୍ଦ କରିଥିଲେ । ପୁଣି ଋତୁ ଅନୁସାରେ ଖାଇବା ମଧ୍ୟ ବଦଳିଥାଏ । ମୌସୁମୀ ଓ ଶୀତଋତୁରେ ସେମାନେ ବିଭିନ୍ନ ପ୍ରକାରର ସଜ ଘାସ ଯଥା – ଟିକ୍ କ୍ଲୋଭର୍ (Desmodium triflorum), କାରୱି (Strobilanthes callosus), କୁର୍ଲୁ (Gardenia latifolia), ରୈନା (Grewia abutifolia), ମୁଡମୁଡିକା ଗଛ (Helicteres ssp.), ସତୀଗଛ (Vitex negundo), ଇତ୍ୟାଦି ଖାଇବା ପସନ୍ଦ କରନ୍ତି । ଗ୍ରୀଷ୍ମଋତୁରେ ଶାଗୁଆନ୍ (Tectona grandis) ଗଛର ବକ୍କଳ, ସୁନାରି (Cassia fistula) ଗଛର ଫଳ, ଭାଲିଆ (Anacardium occidentale) ଫଳ ଓ ମଞ୍ଜିର ଚୋପା ଇତ୍ୟାଦି ଖାଆନ୍ତି । ଦିନବେଳେ ଗୟଳମାନେ ଅଧିକାଂଶ ସମୟ ଖାଇବାରେ ବ୍ୟତୀତ କରନ୍ତି । ଖାଦ୍ୟଗ୍ରହଣର ହାର ସକାଳ ୬:୩୦ରୁ ୮:୩୦ ଓ ସନ୍ଧ୍ୟା ୫:୩୦ରୁ ୬:୪୫ ମଧ୍ୟରେ ଅଧିକ ହୋଇଥାଏ । ଦିନର ସବୁଠାରୁ ଉତ୍ତପ୍ତ ସମୟ ଅପରାହ୍ନ ୧:୩୦ରୁ ୩:୩୦ ପର୍ଯ୍ୟନ୍ତ ସେମାନେ ଗଛ ଛାଇରେ ବସି ଥକ୍କା ମାରନ୍ତି ।

ମନପସନ୍ଦ ଘାସ ଓ ତୃଣ ଜାତୀୟ ଉଦ୍ଭିଦ, ଆବଶ୍ୟକୀୟ ପୌଷ୍ଟିକ ଉପାଦାନର ଅଭାବ ହେଲେ ସେମାନେ ଗଛର ବକ୍କଳ ଇତ୍ୟାଦି ଖାଆନ୍ତି । ଗୟଳମାନଙ୍କ ଶରୀରରେ ଫାଇବର୍ ଓ ପୁଷ୍ଟିସାରର ସଠିକ୍ ଅନୁପାତ ସେମାନଙ୍କୁ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ପତ୍ର ଘାସ ଆଦି ଶୁଖିଗଲେ ସେମାନେ ଶାଗୁଆନ୍ ଗଛର ବକ୍କଳ ଓ ଅନ୍ୟ ଉପଲବ୍ଧ ଖାଦ୍ୟ ଖାଇ ରହିପାରନ୍ତି । ଶାଗୁଆନ୍ ଗଛର ବକ୍କଳରେ ଉଚ୍ଚ ମାତ୍ରାରେ କ୍ୟାଲସିୟମ୍ (୨୨୪୦୦ ppm) ଓ ଫସ୍‍ଫରସ୍ (୪୦୦ ppm) ରହିଥାଏ । ତେଣୁ ଶାଗୁଆନ୍ ବକ୍କଳ ଖାଇବାଦ୍ୱାରା ଗୟଳମାନଙ୍କ ଭୋକ ମେଣ୍ଟିବା ସହିତ ସେମାନଙ୍କୁ ଆବଶ୍ୟକୀୟ ପୌଷ୍ଟିକ ଉପାଦାନ ମଧ୍ୟ ମିଳିଥାଏ । ଗୟଳମାନଙ୍କ ସଂରକ୍ଷଣ ଓ ଜୀବନଯାପନ ପାଇଁ ସେମାନେ ପସନ୍ଦ କରୁଥିବା ତୃଣ ଓ ଉଦ୍ଭିଦ ଉପଲବ୍ଧ ହେବା ଅତି ଜରୁରୀ । ତେଣୁ ଗୟଳମାନଙ୍କ ସଂରକ୍ଷଣ ପାଇଁ ସେମାନେ ପାରମ୍ପରିକ ଭାବେ ରହୁଥିବା ଅଞ୍ଚଳରେ ସେଠାକାର ଉଦ୍ଭିଦ ଜଗତର ସଂରକ୍ଷଣ ଆବଶ୍ୟକ ।

ପ୍ରଜନନ

ସମ୍ପାଦନା
 
ମାଈ ଗୟଳ ନିଜ ବାଛୁରି ସହିତ

ପ୍ରାୟତଃ ମାଈ ଗୟଳମାନେ ଗୋଟିଏ ବାଛୁରିକୁ ଜନ୍ମ ଦିଅନ୍ତି । ସମୟ ସମୟରେ ଦୁଇଟି ବାଛୁରି ଜନ୍ମ ହେବା ଦେଖାଯାଇଛି । ଗୟଳମାନଙ୍କ ଗର୍ଭଧାରଣ ସମୟ ପ୍ରାୟ ନଅ ମାସ (୨୭୫ ଦିନ), ଯାହାକି ଗୃହପାଳିତ ଗୋରୁଗାଈଙ୍କ ଗର୍ଭଧାରଣ ସମୟଠାରୁ ଟିକେ କମ୍ । ବାଛୁରିଗୁଡିକ ୭ରୁ ୧୨ ମାସ ପରେ ମା’ କ୍ଷୀର ଖାଇବା ଛାଡିଦିଅନ୍ତି । ନିଜର ଦ୍ୱିତୀୟ ବା ତୃତୀୟ ବର୍ଷରେ ଉପନୀତ ହେଲେ ବାଛୁରିମାନେ ଯୌନ କ୍ଷମତା ପ୍ରାପ୍ତ କରନ୍ତି । ବର୍ଷର ସବୁ ସମୟରେ ଗୟଳମାନେ ପ୍ରଜନନ କରନ୍ତି କିନ୍ତୁ ଡିସେମ୍ବରରୁ ଜୁନ୍ ମଧ୍ୟରେ ଏହାର ହାର ସର୍ବାଧିକ ହୋଇଥାଏ । ପୋଷା ବା ଯନ୍ତାରେ ଥିବା ଗୟଳ ପ୍ରାୟ ୩୦ ବର୍ଷ ବଞ୍ଚିଥାଏ ।

ପ୍ରାକୃତିକ ଶିକାରୀ

ସମ୍ପାଦନା

ବଳଶାଳୀ ଓ ବୃହତ୍ ଆକାର ପାଇଁ ଖୁବ୍ କମ୍ ମାଂସଭୋଜୀ ପ୍ରାଣୀ ଗୟଳମାନଙ୍କୁ ଶିକାର କରିଥାନ୍ତି । ମୁଖ୍ୟତଃ ମଣିଷ ଗୟଳମାନଙ୍କୁ ଶିକାର କରନ୍ତି । ସମୟ ସମୟରେ କଲରାପତରିଆ ବାଘ ଓ ବଳିଆ କୁକୁର ଦଳ ଆକାରରେ ଛୋଟ ବା ଗୟଳ ଛୁଆମାନଙ୍କୁ ଶିକାର କରିବାକୁ ଚେଷ୍ଟା କରନ୍ତି । ଗୟଳଟି ଅସୁସ୍ଥ ବା ଆହତ ଥିଲେ, ଗୟଳ ବାଛୁରି ତା’ ମାଁର ସୁରକ୍ଷା ଦୃଷ୍ଟିରେ ନଥିଲେ ଆକ୍ରମଣ କରିବା ସହଜ ହୁଏ । ଆଜି ପର୍ଯ୍ୟନ୍ତ କେବଳ ମହାବଳ ବାଘ କିମ୍ବା ଲୁଣିପାଣିରେ ବସବାସ କରୁଥିବା କୁମ୍ଭୀରମାନେ ପ୍ରାପ୍ତବୟସ୍କ ଗୟଳମାନଙ୍କ ଶିକାର କରିବା ଦେଖାଯାଇଛି । ସାମ୍ପ୍ରତିକ ସ୍ଥିତିରେ ଲୁଣିପାଣି କୁମ୍ଭୀର ଓ ଗୟଳମାନଙ୍କ ବାସସ୍ଥାନ ବହୁମାତ୍ରାରେ ହ୍ରାସ ପାଇଛି ; ଉଭୟଙ୍କୁ ଏକ ସ୍ଥାନରେ ଦେଖିବାକୁ ମିଳେନାହିଁ । ତେଣୁ ଏପରି ଶିକାରର ସମ୍ଭାବନା କମ୍ । ଅନ୍ୟ ପକ୍ଷରେ ପ୍ରାପ୍ତବୟସ୍କ ସୁସ୍ଥ ଗୟଳକୁ ଆକ୍ରମଣ କରିବା ପାଇଁ କୁମ୍ଭୀର ମଧ୍ୟ ଆକାରରେ ବଡ଼ (ପ୍ରାୟ ୩.୭ ମିଟର୍ ଲମ୍ବା ଓ ୩୦୦ କିଲୋଗ୍ରାମ୍ ଓଜନର) ହେବା ଦରକାର ।

ମହାବଳ ବାଘମାନେ ଶିଶୁ ବା ଦୁର୍ବଳ ଗୟଳମାନଙ୍କ ଶିକାର କରନ୍ତି । ମହାବଳ ବାଘମାନେ ୧୦୦୦ କିଲୋଗ୍ରାମ୍ (୨୨୦୦ ପାଉଣ୍ଡ୍) ଓଜନର ସୁସ୍ଥ ଗୟଳମାନଙ୍କୁ ମଧ୍ୟ ଶିକାର କରିବା ଦେଖାଯାଇଛି । ୨୦୧୩ ଅକ୍ଟୋବରରେ ବନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟରେ ଗୋଟିଏ ମହାବଳ ବାଘ ଏକ ମାଈ ଗୟଳକୁ ଶିକାର କରିବାର ଭିଡିଓ ରେକର୍ଡ୍ କରାଯାଇଥିଲା । ବାଘ ଆକ୍ରମଣର ପରିସ୍ଥିତି ସୃଷ୍ଟି ହେଲେ ବୟସ୍କ ଗୟଳମାନେ ଶିଶୁ ଓ ଦୁର୍ବଳ ସଦସ୍ୟମାନଙ୍କୁ ଏକ ସୁରକ୍ଷା ବଳୟ ଘେରି ଓ ବାଘପଟକୁ ମୁହଁ କରି ଛିଡା ହୁଅନ୍ତି । ମହାବଳ ବାଘମାନେ ଛପି ଆକ୍ରମଣ କରିବା ପସନ୍ଦ କରନ୍ତି । ଜଙ୍ଗଲର ବୁଦା ଆଢୁଆଳ ମଧ୍ୟରେ ରହି ମଧ୍ୟ ଗୟଳ ଗୋଠଦ୍ୱାରା ଏପରି ଭାବେ ଚିହ୍ନଟ ହୋଇଗଲେ ମହାବଳ ବାଘ ଶିକାରରେ ଆଉ ଆଗକୁ ନ ବଢ଼ି ଶିକାର ପରିତ୍ୟାଗ କରନ୍ତି । ମାଲେସିଆରେ ଘଟିତ ଏକ ଦୃଷ୍ଟାନ୍ତରେ ବାଘଦ୍ୱାରା ନିହତ ଏକ ଶିଶୁ ଗୟଳର ଶବକୁ ଗୟଳଙ୍କ ଦଳ ଘେରି ଅନେକ ସମୟ ଜଗି ବସି ରହିଲେ ଓ ବାଘକୁ ଶବ ଖାଇବାକୁ ଦେଇନଥିଲେ । ଭାରତର ନାଗାରହୋଳେ ଜାତୀୟ ଉଦ୍ୟାନରେ ଘଟିତ ଏକ ଉଦାହରଣରେ ଛପି ଛପି ପିଛା କରୁଥିବା ମହାବଳ ବାଘକୁ ଗୟଳ ଗୋଠ ଦେଖିଦେବା ପରେ ଦଳବଦ୍ଧ ଭାବେ ବାଘଆଡକୁ ଶିଙ୍ଗ କରି ମାଡି ଚାଲିଲେ । ଗୋଠର ଏପରି ଅତର୍କିତ ଆକ୍ରମଣରେ ବାଘକୁ ବାଧ୍ୟ ହୋଇ ଶିକାରରୁ ବ୍ୟାହତ ହେବାକୁ ପଡିଲା ।

ବଣୁଆ ପାଣି ମଇଁଷିମାନଙ୍କ ପରି ଗୟଳମାନେ ମଣିଷମାନଙ୍କୁ ଆକ୍ରମଣ କରନ୍ତି ନାହିଁ ।

ଗୟଳଙ୍କ ପ୍ରତି ବିପଦ

ସମ୍ପାଦନା

ମୃତ ଗୟଳର ଚମଡା, ମାଂସ, ଶିଙ୍ଗ ଓ ହାଡ ବିକ୍ରି କରି ଅନ୍ତର୍ଜାତିକ ବଜାରରେ ବହୁଳ ମୂଲ୍ୟ ଅର୍ଜନ କରିପାରୁଥିବାରୁ ଲାଓସ୍‍ରେ ଗୟଳମାନଙ୍କ ଅବୈଧ ଶିକାର ସେମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି । ସେଠାରେ ଅବୈଧ ଶିକାର ସହିତ ମାଂସ ଖାଇବା ଓ କ୍ରୀଡ଼ା ପାଇଁ ମଧ୍ୟ ଶିକାର ହେବା ଗୟଳଙ୍କ ପ୍ରତି ବିପଦ ବୃଦ୍ଧି କରିଛି । । ୧୯୯୦ ଦଶକରେ ଭିଏତନାମୀ ଅବୈଧ ଶିକାରୀମାନେ ବ୍ୟବସାୟିକ ମୂଲ୍ୟ ପାଇଁ ଅନେକ ଗୟଳ ହତ୍ୟା କରିଥିଲେ ।

ଥାଇଲ୍ୟାଣ୍ଡରେ ମାଂସ ଓ ଶିକାର ଟ୍ରଫି ହିସାବରେ ରଖିବା ପାଇଁ ଅବାଧ ଗୟଳ ଶିକାର ଯୋଗୁଁ ଗୟଳମାନଙ୍କ ସତ୍ତା ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି ।

ସଂରକ୍ଷଣ

ସମ୍ପାଦନା

ବନ୍ୟ ଗୟଳ (Bos gaurus) ସାଇଟେସ୍ ତାଲିକାର ପ୍ରଥମ ଅନୁଚ୍ଛେଦ(CITES Appendix I)ରେ ସ୍ଥାନ ପାଇଛି ; ତେଣୁ ପ୍ରାୟ ସମସ୍ତ ଅଞ୍ଚଳରେ ଆଇନ ଅନୁସାରେ ଏହା ଏକ ସଂରକ୍ଷିତ ଜୀବ । ଗୟଳଙ୍କ ସଂଖ୍ୟାବୃଦ୍ଧି ପାଇଁ ଜେନେଟିକ୍ ସମ୍ବଳର କ୍ରାୟୋ-ସଂରକ୍ଷଣ ମଧ୍ୟ ଅବଲମ୍ବନ କରାଯାଏ ।

ପାଳିତ ବନ୍ୟ ଗୟଳ ସମ୍ବନ୍ଧୀୟ କିଛି ତଥ୍ୟ

ସମ୍ପାଦନା

୨୦୧୧ ମସିହା ଅଗଷ୍ଟ ୨ ତାରିଖରେ ଚେନ୍ନାଇର ଅରିଗ୍ନାର୍ ଆନ୍ନା ଜୀବ ଉଦ୍ୟାନର ଯନ୍ତା ମଧ୍ୟରୁ ୧୭ ବର୍ଷୀୟ ଗୟଳ ମଣିର କ୍ଷତବିକ୍ଷତ ମୃତଦେହ ମିଳିଥିଲା । ମାଈ ଗୟଳ ସହିତ ସହବାସ ନିମନ୍ତେ ଯୋଗ୍ୟତା ପ୍ରଦର୍ଶନ ପାଇଁ ଏକ ଯୁବକ ଗୟଳ ସହିତ ହୋଇଥିବା ସଂଘର୍ଷ ମଣିର ମୃତ୍ୟୁର କାରଣ ଥିଲା ବୋଲି ଜଣା ପଡିଥିଲା । ମଣି ସେଠାକାର ସର୍ବାଧିକ ବୟସ୍କ ଗୟଳ ଥିଲା ଓ ଏହା ଏକ ଅତି ଅସ୍ୱାଭାବିକ ଘଟଣା ଜୀବ ଉଦ୍ୟାନ ଅଧିକାରୀମାନେ ମତ ରଖିଥିଲେ ।

୨୦୦୧ ମସିହା ଜାନୁଆରୀ ୮ ତାରିଖରେ ଆଇଓୱାର ସିଓକ୍ସ୍ କେନ୍ଦ୍ରସ୍ଥିତ ଟ୍ରାନ୍‍ସ୍ ଓଭା ଜେନେଟିକ୍‍ସ୍‍ରେ ପ୍ରଥମ କ୍ଲୋନ୍ ଗୟଳର ଜନ୍ମ ହୋଇଥିଲା । ଏକ ଗୃହପାଳି ଗାଈକୁ ସରୋଗେଟ୍ ମାଁ ଭାବେ ବ୍ୟବହାର କରି ଏହାର ଜନ୍ମ ସମ୍ଭବ ହୋଇପାରିଲା । ଜନ୍ମ ସମୟରେ ସୁସ୍ଥ ଥିଲେ ମଧ୍ୟ ୪୮ ଘଣ୍ଟା ମଧ୍ୟରେ ହଇଜା ଯୋଗୁଁ ପ୍ରାଣ ହରାଇଥିଲା ।

ଗୟଳମାନଙ୍କ ବର୍ଗୀକରଣ

ସମ୍ପାଦନା
 
Bos gaurus grangeriର କଙ୍କାଳ
 
ଆଲ୍‍ବିନୋ ଗୟଳ ବା ଲ୍ୟୁକିଷ୍ଟିକ୍ ଗୟଳ ବା ମଞ୍ଜମପଟ୍ଟି ଧଳା ଗୟଳ । ଧଳା ଗୟଳମାନେ ଖୁବ୍ ବିରଳ ଓ ମେଲାନିନ୍‍ର ଅଭାବ ଯୋଗୁଁ ଏପରି ଅବସ୍ଥା ଦେଖାଦିଏ । ଚିନ୍ନାର ବନ୍ୟପ୍ରାଣୀ ଅଭୟାରଣ୍ୟରେ ଏହି ଚିତ୍ରଟି ଉତ୍ତୋଳନ କରାଯାଇଛି

୧୮୦୪ ମସିହାରେ ଲିଖିତ ନିଜର ପ୍ରଥମ ବିବରଣୀରେ ଐଲ୍‍ମର୍ ବୁର୍କ୍ ଲାମ୍ବର୍ଟ୍ ପୂର୍ବ ବଙ୍ଗର ଚଟ୍ଟଗ୍ରାମରେ ଦେଖିଥିବା ପାଳିତ ଗୟଳ ପ୍ରଜାତିକୁ Bos frontalis ବୋଲି କହିଥିଲେ । ୧୮୨୭ ମସିହାରେ ଚାର୍ଲ୍‍ସ୍ ହାମିଲ୍‍ଟନ୍ ସ୍ମିଥ୍ ମଧ୍ୟ ଭାରତରେ ଅବସ୍ଥିତ ସରଗୁଜା ପ୍ରଦେଶର ମୈନପାଟଠାରେ ବନ୍ୟଗୟଳ ଦେଖି ତାହାକୁ Bos gaurus ବୋଲି ନାମିତ କରିଥିଲେ । ପରବର୍ତ୍ତୀ ସମୟର ଲେଖକମାନେ ଅନ୍ୟ ଉପପ୍ରଜାତିଙ୍କୁ Bos ବା Bibos ଶ୍ରେଣୀଭୁକ୍ତ କରିଛନ୍ତି ।

୨୦୦୩ ମସିହାରେ ଅନ୍ତର୍ଜାତୀୟ ପ୍ରାଣୀ ନାମକରଣ ସମିତି (International Commission on Zoological Nomenclature) ଗୟଳମାନଙ୍କ ପୋଷା, ବନ୍ୟ ଇତ୍ୟାଦି ପ୍ରଜାତିର ସମୀକ୍ଷା କରି ଓ ସେମାନଙ୍କ ବର୍ଗୀକରଣ କରି ସେମାନଙ୍କ ନାମ ଦେଇଥିଲା । ପ୍ରାୟ ସଭିଏଁ ବୋସ୍ ଗୌରସ୍ (Bos gaurus) ବାଇନୋମିଆଲ୍ ନାମକୁ ବନ୍ୟ ଗୟଳଙ୍କ ପାଇଁ ପ୍ରଯୁଜ୍ୟ ବୋଲି ଗ୍ରହଣ କରିଛନ୍ତି ।

ପାରମ୍ପରିକ ଭାବେ ବୋସ୍ ଗୌରସ୍ ପ୍ରଜାତିର ତିନୋଟି ଉପପ୍ରଜାତି ନିର୍ଣ୍ଣିତ ହୋଇଛି :

  • ବୋସ୍ ଗୌରସ୍ ଗୌରସ୍ (B. g. gaurus) ପ୍ରଜାତି ଭାରତ, ନେପାଳ ଓ ଭୁଟାନରେ ବସବାସ କରନ୍ତି । ୧୮୨୭ ମସିହାରେ ସ୍ମିଥ୍ ଏହି ଉପପ୍ରଜାତିକୁ ଚିହ୍ନଟ କରିଥିଲେ ।
  • ବୋସ୍ ଗୌରସ୍ ରେଡେଇ (B. g. readei) ଉତ୍ତର ବ୍ରହ୍ମଦେଶର ପାହାଡ଼ିଆ ଜଙ୍ଗଲରୁ ତେନାସେରିମ୍ ପର୍ଯ୍ୟନ୍ତ ଦେଖିବାକୁ ମିଳନ୍ତି । ୧୯୦୩ ମସିହାରେ ଲାଇଡେକ୍କର୍ ସର୍ବ ପ୍ରଥମେ ଏହି ଉପପ୍ରଜାତି ସମ୍ପର୍କରେ ଲେଖିଥିଲେ ।
  • ବୋସ୍ ଗୌରସ୍ ହୁବ୍ୱାକି (B. g. hubbacki) ମାଲେସିଆର ପାହାଙ୍ଗ୍‍ରୁ ଉତ୍ତରକୁ ତେନାସେରିନ୍ ପର୍ଯ୍ୟନ୍ତ ଦେଖାଯାନ୍ତି । ଲାଇଡେକର୍ ୧୯୦୭ ମସିହାରେ ଏହା ବିଷୟରେ ଲେଖିଥିଲେ ।

କିନ୍ତୁ ଏହି ବର୍ଗୀକରଣ ଜିନ୍ ସମ୍ବନ୍ଧୀୟ ତଥ୍ୟ ଉପରେ ଆଧାରିତ ନ ହୋଇ, ଶରୀରର ଆକାର, ରଙ୍ଗ ଭିତ୍ତିରେ କରାଯାଇଥିବାରୁ ସମସ୍ତଙ୍କଦ୍ୱାରା ଗ୍ରହଣୀୟ ହୋଇପାରିନାହିଁ ।

ଭାରତୀୟ ଓ ଦକ୍ଷିଣ-ପୂର୍ବ ଏସୀୟ ଉପପ୍ରଜାତିଙ୍କ ମଧ୍ୟରେ ଥିବା ଦୃଶ୍ୟମାନ ତଫାତ୍ ଯୋଗୁଁ ବୋସ୍ ଗୌରସ୍ ଗୌରସ୍ ଓ ବୋସ୍ ଗୌରସ୍ ଲାଓସିଏଂସିସ୍ ବର୍ଗୀକରଣ କିଛି ମାତ୍ରାରେ ଗୃହୀତ ହୋଇଛି ଓ ଏହି ସମ୍ପର୍କରେ ଅଧିକ ଗବେଷଣା ଚାଲିଛି ।

ନାମକରଣ

ସମ୍ପାଦନା

ସଂସ୍କୃତ ଓ ହିନ୍ଦୀ ଶବ୍ଦ ଗୌରର ଅର୍ଥ ହେଲା ଗୋରା, ଧଳା ।[] ଏକ ପ୍ରକାରର ମଇଁଷିକୁ ସଂସ୍କୃତରେ ଗୌରମୃଗ ବୋଲି କୁହାଯାଏ ।[]

ଏହାର ନାମକରଣ ସହିତ ଗୌ ବା ଗୋ (ଗାଈ) ଶବ୍ଦର ମଧ୍ୟ ସମ୍ପର୍କ ଥାଇପାରେ ।

ସଂସ୍କୃତି ଓ ଜନଜୀବନରେ ଗୟଳ

ସମ୍ପାଦନା

ଗୟଳକୁ ଭାରତୀୟ ରାଜ୍ୟ ଗୋଆରେ ପ୍ରାଦେଶିକ ପଶୁ ରୂପେ ଅଭିହିତ କରାଯାଇଛି ।[]

ଥାଇଲାଣ୍ଡରେ ୧୯୭୦ ଦଶକରେ ଏକ ଦକ୍ଷିଣପନ୍ଥୀ ରାଜନୈତିକ ଦଳ ନିଜକୁ ଲାଲ୍ ଗୟଳ (ଥାଇ ଭାଷାରେ กระทิงแดง - କ୍ରେଥିଂଗ୍ ଡାଏଂଗ୍) ବୋଲି କହୁଥିଲେ । ବର୍ତ୍ତମାନ ସମୟରେ “କ୍ରେଥିଂଗ୍ ଡାଏଂଗ୍”ର ଚିତ୍ରକୁ ଏକ ଶକ୍ତିବର୍ଦ୍ଧକ ପାନୀୟ ବ୍ରାଣ୍ଡ୍‍ରେ ବ୍ୟବହାର କରାଯାଏ । ଏହି ପାନୀୟର ନାମ “ରେଡ୍ ବୁଲ୍ (Red Bull)” ଓ ଏହାର ଲୋଗୋରେ ଦୁଇଟି ଗୟଳ ପରସ୍ପର ଆଡକୁ ମାଡି ଆସୁଥିବାର ଚିତ୍ର ଦେଖିବାକୁ ମିଳେ ।

ମାଲେସିଆର ସୁପର୍ ଲିଗ୍‍ରେ ଅଂଶଗ୍ରହଣ କରୁଥିବା ପେରାକ୍ ଫୁଟ୍‍ବଲ୍ ଦଳ ନିଜ ସମର୍ଥକ ଓ ପ୍ରତିଦ୍ୱନ୍ଦୀ ମହଲରେ “ଦ ବୋସ୍ ଗୌରସ୍ - The Bos Gaurus” ନାମରେ ଜଣାଶୁଣା ।

ଭାରତୀୟ ଚଳଚ୍ଚିତ୍ର “ବାହୁବଳୀ”ର କାହାଣୀରେ ମୁଖ୍ୟ ଖଳନାୟକ ଭଲ୍ଲାଳଦେବ କମ୍ପ୍ୟୁଟର୍ ଗ୍ରାଫିକ୍ସରେ ତିଆରି ଏକ ଗୟଳ ସହିତ ଲଢିବା ଓ ଭଲ୍ଲାଳଦେବର ଚକ୍ରଯୁକ୍ତ ରଥ ଗୟଳମାନଙ୍କଦ୍ୱାରା ଟଣାହେବା ପ୍ରଦର୍ଶିତ ହୋଇଛି ।

ରଥଯାତ୍ରା ପାଇଁ ରଥ ନିର୍ମିତ ହେଉଥିବା ବେଳେ ଗୟଳବନ୍ଧା ବିଧି କରାଯାଏ ।

  1. ୧.୦ ୧.୧ "Bos gaurus". IUCN Red List of Threatened Species. Version 2016-3. International Union for Conservation of Nature. 2016. {{cite web}}: Invalid |ref=harv (help)
  2. Caturvedi, M. (1970). गौर gaur[permanent dead link]. A practical Hindi-English dictionary. National Publishing House, Delhi. Page 184.
  3. Macdonell, A. A. (1929). गौर gaura Archived 2013-04-03 at Archive.is. A practical Sanskrit dictionary with transliteration, accentuation, and etymological analysis throughout. Oxford University Press, London.
  4. "ଆର୍କାଇଭ୍ କପି". Archived from the original on 2014-03-16. Retrieved 2017-11-01. {{cite web}}: Cite has empty unknown parameter: |1= (help)