ସରିସ୍କା ଜାତୀୟ ଉଦ୍ୟାନ

ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ ଭାରତର ଜାତୀୟ ଉଦ୍ୟାନମାନଙ୍କ ମଧ୍ୟରୁ ଅନ୍ୟତମ ଓ ରାଜସ୍ଥାନର ଅଲୱର୍ ଜିଲ୍ଲାରେ ଅବସ୍ଥିତ । ୮୬୬ ବର୍ଗ କି.ମି. ପରିମିତ ଏହି ସଂରକ୍ଷିତ ଅଞ୍ଚଳର ଜଙ୍ଗଲ ମୁଖ୍ୟତଃ କଣ୍ଟକମୟ ଓ ବୁଦାଳିଆ, ଭୂମି ପଥୁରିଆ, ଗଛଗୁଡ଼ିକ ଶୁଷ୍କ ପର୍ଣ୍ଣମୋଚୀ ଶ୍ରେଣୀର । ଏଠାରେ ଠାଏ ଠାଏ ପଥର, ତୃଣଭୂମି ଓ ଛୋଟବଡ଼ ପାହାଡ଼ମାନ ମଧ୍ୟ ରହିଛନ୍ତି । ଏହି ଜଙ୍ଗଲ ପୂର୍ବେ ଅଲୱର୍ ରାଜ୍ୟର ଶିକାର କ୍ଷେତ୍ର ରୂପେ ପରିଚିତ ଥିଲା । ୧୯୫୫ ମସିହାରେ ଏହାକୁ ଏକ ଅଭୟାରଣ୍ୟର ମାନ୍ୟତା ପ୍ରାପ୍ତ ହେଲା । ବ୍ୟାଘ୍ର ପ୍ରକଳ୍ପ (ପ୍ରୋଜେକ୍ଟ୍ ଟାଇଗର୍) ଆରମ୍ଭ ହେବାପରେ ୧୯୭୮ ମସିହାରେ ଏହା ଏକ ବ୍ୟାଘ୍ର ଅଭୟାରଣ୍ୟ ଭାବେ ପରିଗଣିତ ହେଲା । ୧୯୮୨ ମସିହାରେ ଏହି ଅଭୟାରଣ୍ୟ ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା । ଜାତୀୟ ଉଦ୍ୟାନର କ୍ଷେତ୍ରଫଳ ପ୍ରାୟ ୨୭୩.୮ ବର୍ଗ କି.ମି. ।[୧] ଅନ୍ୟ ଜଙ୍ଗଲରୁ ସ୍ଥାନାନ୍ତରିତ ବାଘଙ୍କ ପୁନର୍ବିକାଶ ଓ ବଂଶବୃଦ୍ଧିରେ ସଫଳ ପ୍ରଚେଷ୍ଟା କରିଥିବା ବିଶ୍ୱର ପ୍ରଥମ ଅଭୟାରଣ୍ୟ ହେଉଛି ସରିସ୍କା ।

ସରିସ୍କା ଜାତୀୟ ଉଦ୍ୟାନ
ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ
IUCN Category II (National Park)
ସରିସ୍କା ଅଭୟାରଣ୍ୟର ଏକ ବାଘୁଣୀ
Map showing the location of ସରିସ୍କା ଜାତୀୟ ଉଦ୍ୟାନ.
Map showing the location of ସରିସ୍କା ଜାତୀୟ ଉଦ୍ୟାନ.
ଅବସ୍ଥାନଅଲୱର୍ ଜିଲ୍ଲା, ରାଜସ୍ଥାନ, ଭାରତ
ପାଖ ସହରଅଲୱର୍
ଦିଗବାରେଣି27°19′03″N 76°26′13″E / 27.31750°N 76.43694°E / 27.31750; 76.43694
କ୍ଷେତ୍ରଫଳ୮୬୬ ବର୍ଗ କିଲୋମିଟର୍
ସ୍ଥାପିତ୧୯୫୫
ପରିଚାଳନାବ୍ୟାଘ୍ର ପ୍ରକଳ୍ପ, ରାଜସ୍ଥାନ ସରକାର, ବନ୍ୟପ୍ରାଣୀ ନିରୀକ୍ଷକ (ସରିସ୍କା ଜାତୀୟ ଉଦ୍ୟାନ)

ଏହି ଜାତୀୟ ଉଦ୍ୟାନ ହିନ୍ଦାଉଁଠାରୁ ୧୦୬ କିଲୋମିଟର୍, ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ୧୦୭ କିଲୋମିଟର୍ ଓ ଦେଶର ରାଜଧାନୀ ଦିଲ୍ଲୀଠାରୁ ୨୦୦ କିଲୋମିଟର୍ ଦୂରରେ ଅବସ୍ଥିତ ।[୨] ଭୌଗୋଳିକ ଦୃଷ୍ଟିକୋଣରୁ ଏହି ଅଞ୍ଚଳ ଆରାବଳୀ ପର୍ବତଶ୍ରେଣୀର ଏବଂ କାଥିଆୱାଡ୍-ଗିର୍ ପର୍ଣ୍ଣମୋଚୀ ଜଙ୍ଗଲର ଅଂଶ ।[୩] ତମ୍ବା ପରି ଧାତବ ଖଣିଜ ଏଠାରେ ବହୁମାତ୍ରାରେ ଗଚ୍ଛିତ ହୋଇ ରହିଛି । ୧୯୯୧ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କଦ୍ୱାରା ଖଣି ପାଇଁ ଖନନ, ବିସ୍ଫୋରଣ ଇତ୍ୟାଦି ଉପରେ ଲାଗୁ କରାଯାଇଥିବା ନିଷିଦ୍ଧାଦେଶ ସତ୍ତ୍ୱେ ଏଠାରେ ମାର୍ବଲ୍ ପଥର ଖନନ ଚାଲିଛି ଯାହା ଏଠାକାର ପରିବେଶ ପ୍ରତି ବିପଦ ସୃଷ୍ଟି କରିଛି ।[୪]

ବାଘ ସଂଖ୍ୟା ସମ୍ପାଦନା

 
ସରିସ୍କା ଅଭୟାରଣ୍ୟର ଏକ ବାଘ
 
ରେଡ଼ିଓ କଲାର୍ ବନ୍ଧା ହୋଇଥିବା ସରିସ୍କାର ଏକ ବାଘୁଣୀ

୨୦୦୪ ମସିହାରେ ବିଭିନ୍ନ ଗବେଷକ ଦୃଢ଼ ଭାବରେ ମତ ରଖିଲେ ଯେ ସରିସ୍କା ଜାତୀୟ ଉଦ୍ୟାନରେ ଆଉ ଗୋଟିଏ ବି ମହାବଳ ବାଘ ନାହାନ୍ତି । ଜଙ୍ଗଲରେ ବୁଲିବା ବେଳେ ମହାବଳ ବାଘ ଦେଖାଯାଉ ନଥିଲେ । ଏପରିକି ଜଙ୍ଗଲରେ ବାଘର ପଞ୍ଝାଦାଗ, ଗଛରେ ରାମ୍ପୁଡ଼ା ଚିହ୍ନ ମଧ୍ୟ ଦେଖିବାକୁ ମିଳୁନଥିଲା । ତେଣୁ ବାଘ ରହିଥିବାର କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରମାଣ ନ ମିଳିବାରୁ ତତ୍କାଳୀନ ରାଜସ୍ଥାନ ବନ ବିଭାଗ ବେପରୁଆ ଭାବେ ମତ ରଖିଲା ଯେ ଶୁଷ୍କ ଋତୁରେ ବାଘମାନେ ସାମୟିକ ଭାବେ ଅନ୍ୟ କୌଣସି ସ୍ଥାନକୁ ଚାଲିଯାଇଛନ୍ତି ଏବଂ ବର୍ଷା ଋତୁରେ ପୁଣି ଅଭୟାରଣ୍ୟକୁ ଫେରି ଆସିବେ । ବ୍ୟାଘ୍ର ପ୍ରକଳ୍ପ ଦଳ(ଏବେକାର ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ) ମଧ୍ୟ ଏହାର ସମର୍ଥନ କଲା । ୧୬ଟି ବାଘ ରହିଥିବା କଥା କୁହାଗଲା । ୨୦୦୫ ମସିହାରେ ଜୟ ମଜୁମ୍‍ଦାର୍ ନାମକ ଜଣେ ସାମ୍ବାଦିକ[୫] ସରିସ୍କାରେ ଗୋଟିଏ ବି ବାଘ ନଥିବା ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଥିଲେ । ଏହା ପରେ ରାଜସ୍ଥାନ ବନ ବିଭାଗ ଓ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ତୁରନ୍ତ ସରିସ୍କାରେ ଏକ ଆପାତକାଳୀନ ବ୍ୟାଘ୍ର ଗଣନା କରାଇଲେ । କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (CBI) ମଧ୍ୟ ତଦନ୍ତ ଆରମ୍ଭ କରିଥିଲା । ଦୁଇ ମାସର ତଦନ୍ତ ପରେ ଜଣା ପଡ଼ିଲା ଯେ ପ୍ରକୃତରେ ସରିସ୍କା ଜଙ୍ଗଲରେ ଆଉ ମହାବଳ ବାଘ ନଥିଲେ । ଅବୈଧ ଶିକାର ଯୋଗୁଁ ଏଠାରେ ଥିବା ସମସ୍ତ ବାଘ ପ୍ରାଣ ହରାଇଥିଲେ । ସରିସ୍କାରେ ପୁଣି ବାଘ ସାମ୍ରାଜ୍ୟର ପୁନରୁତ୍ଥାନ ପାଇଁ ଅନ୍ୟ ଜଙ୍ଗଲରୁ ୩ଟି ବାଘଙ୍କୁ ଆଣି ଏଠାରେ ଛଡ଼ାଗଲା । ଆଉ ୨ଟି ବାଘଙ୍କୁ ପରବର୍ତ୍ତୀ ବର୍ଷ ଅଣାଯିବାର ଯୋଜନା ହେଲା ।

୨୦୧୨ ମସିହାରେ ଏକ ବାଘୁଣୀକୁ ତା’ର ଦୁଇଟି ଛୁଆଙ୍କ ସହିତ ଦେଖିବାକୁ ମିଳିଥିଲା । ଏମାନଙ୍କୁ ମିଶାଇ ଅଭୟାରଣ୍ୟର ବାଘସଂଖ୍ୟା ସେତେବେଳକୁ ଥିଲା ୫ଟି ବୟସ୍କ ବାଘ ଓ ଦୁଇଟି ଶାବକ (ସର୍ବମୋଟ ୭ଟି ବାଘ) ।[୬] ୨୦୧୪ ଜୁଲାଇ ମାସରେ ଆଉ ଦୁଇଟି ବାଘଛୁଆଙ୍କୁ ଠାବ କରାଯାଇଥିଲା । ସେ ସମୟରେ ଜଙ୍ଗଲରେ ୯ଟି ବୟସ୍କ ବାଘ ଓ ୨ଟି ତରୁଣ ବାଘ (ସର୍ବମୋଟ ୧୧ଟି ବାଘ) ରହିଥିଲେ ।[୭] ୨୦୧୪ ଅଗଷ୍ଟ ମାସରେ ଆଉ ଦୁଇଟି ବାଘଛୁଆ ଦେଖାଯିବା ପରେ ସରିସ୍କାର ବାଘସଂଖ୍ୟା ୧୩ (୭ ବାଘୁଣୀ, ୨ଟି ବାଘ ଓ ୪ଟି ବାଘଛୁଆ) ବୋଲି ଜଣା ପଡ଼ିଲା । ବାଘସଂଖ୍ୟାରେ ବୃଦ୍ଧି ବନ୍ୟଜୀବ ବିଶେଷଜ୍ଞ ଓ ପରିବେଶବିତ୍‍ମାନଙ୍କୁ ଉତ୍ସାହିତ କରିଛି । ବଣକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ।

ସ୍ଥାନାନ୍ତରଣ ପାଇଁ ପଦକ୍ଷେପ ସମ୍ପାଦନା

 
ସରିସ୍କା ରାଜପ୍ରାସାଦକୁ ଯାଇଥିବା ରାସ୍ତା
 
ଭ୍ରମଣରେ ବାହାରିଥିବା ଏକ କଲରାପତରିଆ ବାଘ

୨୦୦୫ ମସିହାରେ ରାଜସ୍ଥାନ ସରକାର, ଭାରତ ସରକାର ଓ ଭାରତୀୟ ବନ୍ୟଜନ୍ତୁ ଅନୁଷ୍ଠାନଙ୍କ (WII) ମିଳିତ ଉଦ୍ୟମରେ ଅଭୟାରଣ୍ୟ ମଧ୍ୟରେ ରହିଥିବା ଗ୍ରାମମାନଙ୍କ ଥଇଥାନ ଓ ଜଙ୍ଗଲରେ ଅନ୍ୟସ୍ଥାନରୁ ବାଘମାନଙ୍କୁ ଆଣି ରଖିବା ପାଇଁ ଯୋଜନା କରାଯାଇଥିଲା ।[୮] ଅଭୟାରଣ୍ୟ ଦେଇ ଯାଇଥିବା ସଡ଼କରୁ ଏକ ବାଇପାସ୍ ସଡ଼କ ନିର୍ମାଣ କରାଇବା ପାଇଁ ମଧ୍ୟ ଯୋଜନା କରାଗଲା ।[୯] ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନରୁ ଗୋଟିଏ ବାଘ ଓ ଦୁଇଟି ବାଘୁଣୀ ଆଣି ସରିସ୍କା ଜଙ୍ଗଲରେ ଛଡ଼ାଯିବା ପାଇଁ ସ୍ଥିର କରାଗଲା ।[୧୦] ଭାରତୀୟ ବନ୍ୟଜନ୍ତୁ ଅନୁଷ୍ଠାନ (WII) ଓ ରାଜସ୍ଥାନ ସରକାର ସ୍ଥାନାନ୍ତରିତ ବାଘଙ୍କୁ ଠାବ କରିବା ପାଇଁ ଓ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ଦ୍ୱାରା ନିର୍ମିତ ସାଟେଲାଇଟ୍ ଓ ବୈଷୟିକ ଜ୍ଞାନର ସହାୟତା ଲୋଡ଼ିଥିଲେ ।[୧୧] ୨୦୦୮ ମସିହା ଜୁନ୍ ୨୮ ତାରିଖରେ ରନ୍ଥାମ୍ବୋର୍‍ରୁ ସରିସ୍କାକୁ ସ୍ଥାନାନ୍ତରିତ ପ୍ରଥମ ମହାବଳ ବାଘ ‘’ଦାରା’’କୁ ଆକାଶମାର୍ଗରୁ ନିରୀକ୍ଷଣ କରାଗଲା । ଭାରତୀୟ ବାୟୁସେନାର ୱିଂଗ୍ କମାଣ୍ଡର୍ ବିମଳ ରାଜ ଏମ୍. ଆଇ. – ୧୭ ହେଲିକପ୍ଟର୍ ଉଡ଼ାଇ ଏହି ନିରୀକ୍ଷଣ କାର୍ଯ୍ୟ ପରିଚାଳନା କରିଥିଲେ ।[୧୨]

ବିଶେଷଜ୍ଞମାନେ ମତ ପୋଷଣ କଲେ ଯେ ଅଭୟାରଣ୍ୟର ୪ଟିରୁ କେବଳ ଦୁଇଟି ଗାଁର ସ୍ଥାନାନ୍ତରଣ ଜରୁରୀ ଥିଲା । ତନ୍ମଧ୍ୟରୁ ପ୍ରଥମେ ଭଗାନି ଗ୍ରାମ ସ୍ଥାନାନ୍ତରିତ ହେଲା ଓ ଦ୍ୱିତୀୟ ଗ୍ରାମ କଙ୍କୱାଡ଼ି[୧୩] ବାଘମାନଙ୍କୁ ଅଣାଯିବାର ବହୁ ସମୟ ପରେ ସ୍ଥାନାନ୍ତରିତ ହୋଇଥିଲା । ସ୍ଥାନାନ୍ତରିତ ଭଗାନି ଗ୍ରାମରେ ଯେଉଁ ବାଘୁଣୀ ଛଡ଼ାଗଲା ତାକୁ ଭଗାନି ବୋଲି ନାମ ଦିଆଯାଇଥିଲା (ଏହି ବାଘୁଣୀ ରନ୍ଥାମ୍ବୋର୍‍ର ପ୍ରସିଦ୍ଧ ରାଣୀ ବାଘୁଣୀ ମଛଲିର ଝିଅ ଓ ରନ୍ଥାମ୍ବୋର୍‍ ଜାତୀୟ ଉଦ୍ୟାନରେ ଏହାକୁ ଟି-୧୮ ବା ଅଠାରା ବୋଲି ନାମିତ କରାଯାଇଥିଲା ।)। କିନ୍ତୁ ରାଜ୍ୟ ପର୍ଯ୍ୟଟନ ବିଭାଗଦ୍ୱାରା କରାଯାଇଥିବା କଙ୍କୱାଡ଼ି ଦୁର୍ଗର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଫଳରେ ବନ୍ୟଜନ୍ତୁ ସଂରକ୍ଷଣ ନିୟମ ଉଲ୍ଲଂଘନ ହେବାର ସମ୍ଭାବନା ସୃଷ୍ଟି ହେଲା ।[୧୪] ଅଭୟାରଣ୍ୟ ଦେଇ ଯାଇଥିବା ସଡ଼କ ବିସ୍ଥାପିତ ହୋଇପାରିନଥିବାରୁ ବନ୍ୟଜୀବଙ୍କ ଜୀବନ ପ୍ରତି ବିପଦ କମିନାହିଁ ।[୧୫]

ଫେବୃଆରୀ ୨୦୦୯ରେ ରନ୍ଥାମ୍ବୋର୍‍ରୁ ଆଉ ଏକ ବାଘୁଣୀ ଆଣି ସରିସ୍କାରେ ଛଡ଼ାଗଲା ।[୧୬] ୨୦୧୦ ମସିହା ଜୁଲାଇ ୨୮ ତାରିଖରେ ରନ୍ଥାମ୍ବୋର୍‍ରୁ ଆଉ ଏକ ବାଘୁଣୀ ଆଣି ସରିସ୍କାରେ ଛଡ଼ାଗଲା । ଫଳରେ ୨୦୧୦ ମସିହା ନଭେମ୍ବର ମାସ ପର୍ଯ୍ୟନ୍ତ ସରିସ୍କାର ବାଘ ସଂଖ୍ୟା ୨ ଓ ବାଘୁଣୀ ସଂଖ୍ୟା ୩ (ସର୍ବମୋଟ ୫) ଥିଲା । ନଭେମ୍ବର ମାସରେ ରନ୍ଥାମ୍ବୋର୍‍ରୁ ସ୍ଥାନାନ୍ତରିତ ବାଘ CP-୧ର ମୃତ୍ୟୁ ଘଟିଥିଲା ।[୧୭] ଏକ ମୃତ ଶିକାରର ଶବରେ ବିଷ ମିଶାଇ ଦିଆଯାଇଥିଲା ଓ ବାଘଟି ଏହାକୁ ଖାଇ ମୃତ୍ୟୁ ବରଣ କରିଥିଲା ।[୧୮]

ସ୍ଥାନାନ୍ତରିତ ପ୍ରଥମ ତିନି ବାଘ-ବାଘୁଣୀଙ୍କ ପିତା ସମାନ ଓ ପ୍ରଥମ ଦୁଇଟି ବାଘୁଣୀଙ୍କ ମା ଏକ ।[୧୯][୨୦] ସମ୍ପର୍କୀୟ ବାଘ-ବାଘୁଣୀଙ୍କ ଅନ୍ତଃ-ପ୍ରଜନନରୁ ଜାତ ଶାବକଙ୍କଠାରେ ଜେନେଟିକ୍ ଦୁର୍ବଳତା ଦେଖାଯାଏ ଓ ଏହା ବାଘଙ୍କ ବଂଶବୃଦ୍ଧି ପାଇଁ ଏକ ଚିନ୍ତାର ବିଷୟ ।

ସାଧାରଣ ତଥ୍ୟ ସମ୍ପାଦନା

 
ସରିସ୍କା ଅଭୟାରଣ୍ୟ ମଧ୍ୟରେ ରହିଥିବା ଏକ ଜଳାଶୟ
  • କ୍ଷେତ୍ରଫଳ : ୮୬୬ କି.ମି.
  • ସମୁଦ୍ରପତନରୁ ଉଚ୍ଚତା : ୩୦୦-୭୨୨ ମିଟର୍
  • ବୃଷ୍ଟିପାତ : ବର୍ଷକୁ ହାରାହାରି ୬୫୦ ମିଲିମିଟର୍
  • ଅରଣ୍ୟ ପ୍ରକାର : କ୍ରାନ୍ତୀୟ, ଶୁଷ୍କ, ପର୍ଣ୍ଣମୋଚୀ ଏବଂ କଣ୍ଟକମୟ

ଜୀବଜନ୍ତୁ ଓ ଉଦ୍ଭିଦ ସମ୍ପାଦନା

ମହାବଳ ବାଘ ଛଡ଼ା ସରିସ୍କା ଜାତୀୟ ଉଦ୍ୟାନରେ ଦେଖାଯାଉଥିବା ଅନ୍ୟ କେତେକ ମୁଖ୍ୟ ପ୍ରାଣୀ ହେଲେ କଲରାପତରିଆ ବାଘ, କଟାସ, ବଣଭୁଆ, ହେଟା ବାଘ, କୋକିଶିଆଳୀ, ଚିତଲ୍ ହରିଣ, ସମ୍ବର ହରିଣ, ନୀଳଗାଈ, ଚିଂକାରା ହରିଣ, ଚଉଶିଂଘା ହରିଣ,[୨୧] ବାର୍‍ହା, ଠେକୁଆ, ହନୁ ମାଙ୍କଡ଼, ପାତି ମାଙ୍କଡ଼ ଇତ୍ୟାଦି । ସରିସ୍କା ଜଙ୍ଗଲରେ ମାଟିଆ ରଙ୍ଗର ଚକୋର, ମାଛରଙ୍କା, ମୟୂର, ବୁଦା ବଟେର୍, ଟ୍ରିପାଇ, କାଠହଣା, ସାପଖିଆ ଚିଲ ଓ ଭାରତୀୟ ଚିଲ-ପେଚା ପରି ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ ଦେଖାଯାନ୍ତି ।

ଏହି ଜଙ୍ଗଲରେ ଦେଖାଯାଉଥିବା ଗଛମାନଙ୍କରେ ସର୍ବାଧିକ ଢୋକ୍ ଗଛ ରହିଛି । ଏହା ଛଡ଼ା ସାଳଇ, ବରଗଛ, ବାଉଁଶ, ବରକୋଳି ଗଛ, ଖଇର ଗଛ, ଅର୍ଜୁନ, ଗୁଗ୍‌ଗୁଳ ଆଦି ଅନ୍ୟ ପ୍ରଜାତିର ଗଛ ମଧ୍ୟ ରହିଛି । ବିଭିନ୍ନ କୋଳି ବୁଦା ଓ କଣ୍ଟାଯୁକ୍ତ ବୁଦା ମଧ୍ୟ ଦେଖାଯାଇଥାଏ ।

ଦର୍ଶନୀୟ ସ୍ଥାନ ସମ୍ପାଦନା

 
ସରିସ୍କା ରାଜପ୍ରାସାଦ
  • ସରିସ୍କା ଏଷ୍ଟ୍ରୋପୋର୍ଟ୍ – ଭାରତର ପ୍ରଥମ ଓ ସାଧାରଣ ଜନତାଙ୍କ ପାଇଁ ଉଦ୍ଦୀଷ୍ଟ ଏକମାତ୍ର ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର[୨୨]
  • ପାଣ୍ଡୁପୋଲ ହନୁମାନଜୀ ମନ୍ଦିର – ଅଭୟାରଣ୍ୟ ମଧ୍ୟରେ ରହିଥିବା ଏକ ପାହାଡ଼ ଉପରେ ଏହି ମନ୍ଦିର ଅବସ୍ଥିତ । ଲୋକକଥା ଓ କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ବନବାସ ସମୟରେ ଏଠାରେ ରହୁଥିଲେ । ଏହି ତୀର୍ଥସ୍ଥଳକୁ ଯିବା ପାଇଁ ଗାଡ଼ି ମଟର ଇତ୍ୟାଦି ବ୍ୟବହୃତ ହୁଏ ଯାହା ବନ୍ୟଜୀବଙ୍କ ପ୍ରତି ବିପଦ ସୃଷ୍ଟି କରେ ।
  • ନୀଳକଣ୍ଠ ମନ୍ଦିର
  • କଙ୍କୱାଡ଼ି ଦୁର୍ଗ – ୧୬ଶ ଶତାବ୍ଦୀରେ ରାଜା ଦ୍ୱିତୀୟ ଜୟ ସିଂହଙ୍କଦ୍ୱାରା ଏହି ଦୁର୍ଗ ନିର୍ମିତ ହୋଇଥିଲା । ଏହି ଦୁର୍ଗ ଜାତୀୟ ଉଦ୍ୟାନର ମଝାମଝିରେ ରହିଛି ।
  • ଭାଂଗଡ଼ ଦୁର୍ଗର ଭଗ୍ନାବଶେଷ
  • ସରିସ୍କା ରାଜ ପ୍ରାସାଦ – ଶିକାର ଉଦ୍ଦେଶ୍ୟରେ ଆସିଥିବା ଅଲୱର୍ ମହାରାଜାଙ୍କ ଅସ୍ଥାୟୀ ବାସସ୍ଥଳୀ ରୂପେ ଏହି ରାଜ ପ୍ରାସାଦ ବ୍ୟବହୃତ ହେଉଥିଲା ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Sariska National Park – complete detail – updated". Archived from the original on 10 December 2017. Retrieved 7 February 2017.
  2. "Sariska National Park, Sariska Tiger Reserve". Archived from the original on 2007-06-08.
  3. "Kathiawar-Gir dry deciduous forests". Terrestrial Ecoregions. World Wildlife Fund. Retrieved 2017-01-29.
  4. "Illegal mining threatens Sariska - Times Of India". The Times of India. 2010-10-13. Archived from the original on 2012-11-03. Retrieved 2011-10-06.
  5. Have you seen a tiger at Sariska since June? If yes, you’re the only one Archived 2007-09-29 at the Wayback Machine. Indian Express, January 23, 2005.
  6. Sharma, Rajendra (1 October 2012). "Sariska reserve gets tiger number 007". The Times of India. Archived from the original on 2013-10-19. Retrieved 2017-12-31.
  7. "Two tiger cubs spotted in Rajasthan's Sariska Tiger Reserve". IANS. news.biharprabha.com. Retrieved 20 July 2014.
  8. "Rajasthan plots return of big cats - Times Of India". Times of india. 2005-09-09. Archived from the original on 2012-10-23. Retrieved 2011-10-06.
  9. "Sariska on road to recovery, literally - Times Of India". Times of india. 2006-11-27. Archived from the original on 2012-10-23. Retrieved 2011-10-06.
  10. "Sariska to get three tigers - Times Of India". Times of India. 2008-03-07. Archived from the original on 2012-10-23. Retrieved 2011-10-06.
  11. Huggler, Justin (2006-01-15). "India turns to spy technology to save tigers". London: The Independent. Retrieved 2011-10-06.
  12. *Sharma, Sunayan (2015). Sariska: The Tiger Reserve Roars Again. New Delhi: Niyogi Books. ISBN 9789383098712. {{cite book}}: Invalid |ref=harv (help)
  13. "ଆର୍କାଇଭ୍ କପି". Archived from the original on 2017-09-28. Retrieved 2018-03-17. {{cite web}}: Cite has empty unknown parameter: |1= (help)
  14. Also by Jay Mazoomdaar. "Now, Who's Crouching?". OPEN Magazine. Retrieved 2011-10-06.
  15. "Sariska Tiger Reserve vetoes road conversion proposal - Times Of India". Times of India. 2008-09-04. Archived from the original on 2012-10-23. Retrieved 2011-10-06.
  16. "National : Young tigress at home in Sariska". Chennai, India: The Hindu. 2009-03-06. Archived from the original on 2009-03-10. Retrieved 2011-10-06.
  17. Also by Jay Mazoomdaar. "Dispatched to Die". OPEN Magazine. Retrieved 2011-10-06.
  18. "Sariska Tiger Was Poisoned: Forensic Report". Outlook. Retrieved 2011-10-06.
  19. Also by Jay Mazoomdaar. "Conservation: the New Killer". OPEN Magazine. Retrieved 2011-10-06.
  20. "Proved: Siblings sent to mate in Sariska". Hindustan Times. 2010-06-22. Archived from the original on 2012-10-21. Retrieved 2011-10-06.
  21. Lenin, Janaki (15 November 2010). "Creatures of a lesser God". The Financial Express (in ଆମେରିକୀୟ ଇଂରାଜୀ). Retrieved 2017-12-31.
  22. "Astroport Insight – astroport sariska". astroportsariska.com (in ଆମେରିକୀୟ ଇଂରାଜୀ). Archived from the original on 2018-01-17. Retrieved 2018-01-17.

ଆହୁରି ପଢ଼ନ୍ତୁ ସମ୍ପାଦନା

  • Dang, Himraj (2005) Sariska National Park. Indus Publishing Company, New Delhi ISBN 81-7387-177-9
  • Sharma, Sunayan (2015) Sariska: The Tiger Reserve Roars Again. Niyogi Books, New Delhi, ISBN 9789383098712.
  • 'Ziddi', Dr. Suraj (1998) A guide to the wildlife parks of Rajasthan. Photo Eye Publications, Jaipur

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା