ଲିଙ୍ଗରାଜ ମିଶ୍ର (୧୮୯୪ – ୧୯୫୭) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତ୍ୟିକ ଓ ସାମ୍ବାଦିକ ଥିଲେ । ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ହୋଇଥିବା ୨ୟ ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ସେ ୧ମ ଲୋକ ସଭାକୁ ଓ ପରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।

ଲିଙ୍ଗରାଜ ମିଶ୍ର
ସାଂସଦ: ୧ମ ଲୋକ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀଖୋର୍ଦ୍ଧା
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀଉତ୍ତର ପୁରୀ ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୮୯୪
ମୃତ୍ୟୁ୧୮ ଡିସେମ୍ବର ୧୯୫୭(୧୯୫୭-୧୨-୧୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଉମା ଦେବୀ
ବାପା/ବୋଉନୀଳକଣ୍ଠ ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ଲିଙ୍ଗରାଜ ମିଶ୍ର ୧୮୯୪ ମସିହାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ନୀଳକଣ୍ଠ ମିଶ୍ର ଓ ପତ୍ନୀଙ୍କ ନାମ ଉମା ଦେବୀ ।[] ସେ ପୁରୀ ଜିଲ୍ଲା ସ୍କୁଲରୁ ମାଟ୍ରିକ ପରେ ରେଭେନ୍ସା କଲେଜରୁ କଳାରେ ସ୍ନାତକ କରିଥିଲେ ଏବଂ ୧୯୧୮ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର କରିଥିଲେ ।[] ସେ ସ୍ନାତକୋତ୍ତରରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[] କଲିକତା ବିଶ୍ୱବିଦ୍ୟାଳୟରେ ତାଙ୍କ ପାଠପଢ଼ା ପାଇଁ ମଧୁସୂଦନ ଦାସ ତାଙ୍କୁ ମାସିକ ୩୦ ଟଙ୍କା ଲେଖାଏଁ ପଠାଉଥିଲେ ।[] ସ୍ନାତକୋତ୍ତର ପରେ ତାଙ୍କୁ ଓଡ଼ିଶା-ବିହାର ସଂସ୍କୃତ ସମାଜ ତରଫରୁ ଚାକିରୀର ସୁଯୋଗ ମିଳିଥିଲେ ମଧ୍ୟ ୧୯୨୧ ମସିହାରେ ସେ ଗୋପବନ୍ଧୁ ଦାସଙ୍କ ଅନୁରୋଧ କ୍ରମେ ସତ୍ୟବାଦୀ ଜାତୀୟ ସ୍କୁଲରେ ଯୋଗ ଦେଇଥିଲେ ।[]

ସ୍ୱାଧୀନତା ସଂଗ୍ରାମରେ ଅବଦାନ

ସମ୍ପାଦନା

ଗୋପବନ୍ଧୁ ଦାସଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ୧୯୨୭ ମସିହାରେ ସେ ସର୍‌ଭେଣ୍ଟସ୍ ଅଫ୍ ପିପୁଲ୍ ସୋସାଇଟିରେ ଯୋଗ ଦେଇଥିଲେ ।[]

୧୯୩୦ ମସିହାରେ ସେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ବ୍ରିଟିଶ ସରକାରଙ୍କଦ୍ୱାରା ଗରିଫ ହୋଇ କାରାବରଣ କରିଥିଲେ । ଜେଲରୁ ମୁକୁଳିବା ପରେ ସେ ସମାଜ ଖବରକାଗଜ ଜରିଆରେ ସତ୍ୟାଗ୍ରହ ଜାରି ରଖିଥିଲେ, ଫଳରେ ୧୯୩୨ ମସିହାରେ ପୁଣିଥରେ ଗିରଫ ହୋଇଥିଲେ । ୧୯୩୪ ମସିହାରେ ସେ ଜେଲରୁ ମୁକୁଳିବା ପରେ ଓଡ଼ିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଦିଗରେ କାମ କରିଥିଲେ ।[]

୧୯୪୦ ମସିହାରେ ସେ ବାଣୀ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ପୁଣିଥରେ ଗିରଫ ହୋଇଥିଲେ । ୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଭାରତଛାଡ଼ ଆନ୍ଦୋଳନରେ ସେ ଯୋଗ ଦେଇଥିଲେ ଏବଂ ଗିରଫ ହୋଇ ୧୯୪୪ ମସିହଯାଏଁ କାରାବାସରେ ଥିଲେ ।[]

ସାମ୍ବାଦିକତା ଓ ସାହିତ୍ୟକୃତି

ସମ୍ପାଦନା

ଲିଙ୍ଗରାଜ ମିଶ୍ର ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ । ଦୈନିକ ଓଡ଼ିଆ ଖବର କାଗଜ ସମାଜର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଗୋପବନ୍ଧୁ ଦାସଙ୍କ ମୃତ୍ୟୁ ପରେ ସେ ୧୯୩୦ ମସିହାରୁ ୧୯୪୫ ଯାଏଁ ଏହାର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।[] ସେ ଦେଶର ଦାବି, ଜନ ଶକ୍ତି, ଜନନାୟକ, ଶିବାଜୀ, ଗୁରୁ ଗୋବିନ୍ଦ ସିଂହ, ଏ ଯୁଗର ନାରୀ ଆଦି ପୁସ୍ତକର ରଚନା କରିଥିଲେ ଏବଂ ବାଲ୍ମିକୀ ରାମାୟଣର ସମ୍ପୂର୍ଣ୍ଣ ଓଡ଼ିଆ ଅନୁବାଦ କରିଥିଲେ ।[]

ରଚିତ ପୁସ୍ତକ

ସମ୍ପାଦନା
  • ଦେଶର ଦାବି
  • ଜନ ଶକ୍ତି
  • ଜନନାୟକ
  • ଶିବାଜୀ
  • ଗୁରୁ ଗୋବିନ୍ଦ ସିଂହ
  • ଏ ଯୁଗର ନାରୀ

ଅନୁବାଦ

ସମ୍ପାଦନା
  • ବାଲ୍ମିକୀ ରାମାୟଣ (୭ ଖଣ୍ଡ)

ରାଜନୈତିକ ଜୀବନ

ସମ୍ପାଦନା

ଲିଙ୍ଗରାଜ ମିଶ୍ର ସ୍ୱାଧୀନତା ପୂର୍ବରୁ ଓ ପରେ ଭାରତୀୟ ଜାତୀୟ କଂଗ୍ରେସରେ ସକ୍ରିୟ ଥିଲେ । ୧୯୪୬ ମସିହାରେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ଗଠନ କରାଯାଇଥିବା ୨ୟ ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଉତ୍ତର ପୁରୀ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଏହି ବିଧାନ ସଭାରେ ସେ ୧୯୪୬ରୁ ୧୯୫୨ ମସିହାରେ ଏହି ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ । ଏହି ବିଧାନ ସଭାରେ ସେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାୟତ୍ତ ଶାସନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[]

୧୯୫୨ ଭାରତୀୟ ସାଧାରଣ ନିର୍ବାଚନରେ ସେ ଖୋର୍ଦ୍ଧା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[] ଏହି ଲୋକ ସଭାରେ ସେ ୧୯୫୭ ମସିହା ଯାଏଁ କାର୍ଯ୍ୟ କରିଥିଲେ ।[] ୧୯୫୭ ମସିହାରେ ସେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[][]

ବିଧାନ ସଭା, ଲୋକ ସଭା ଓ ରାଜ୍ୟ ସଭା ସଭ୍ୟ ବିବରଣୀ

ସମ୍ପାଦନା
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୪୬ ୧୯୫୨ ସଭ୍ୟ, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା ଉତ୍ତର ପୁରୀ ସଦର କଂଗ୍ରେସ
୧୯୫୨ ୧୯୫୭ ସଭ୍ୟ, ୧ମ ଲୋକ ସଭା ଖୋର୍ଦ୍ଧା ଭାରତୀୟ ଜାତୀୟ କଂଗ୍ରେସ
୧୯୫୭ ୧୮ ଡିସେମ୍ବର ୧୯୫୭ ସଭ୍ୟ, ରାଜ୍ୟ ସଭା ଭାରତୀୟ ଜାତୀୟ କଂଗ୍ରେସ

ମନ୍ତ୍ରୀପଦ ବିବରଣୀ

ସମ୍ପାଦନା
ପଦବୀ ବିଧାନ ସଭା ଆରମ୍ଭ ସମୟ ଶେଷ ସମୟ
ଶିକ୍ଷା ମନ୍ତ୍ରୀ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା ୨୩ ଅପ୍ରେଲ ୧୯୪୬ ୧୨ ମଇ ୧୯୫୦
ସ୍ୱାସ୍ଥ୍ୟ ମନ୍ତ୍ରୀ
ସ୍ୱାୟତ୍ତ ଶାସନ ମନ୍ତ୍ରୀ ୧୫ ମଇ ୧୯୪୯

ମୃତ୍ୟୁ

ସମ୍ପାଦନା

୧୯୫୭ ମସିହାର ଡିସେମ୍ବର ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[] ୧୭ ମାର୍ଚ୍ଚ ୧୯୫୮ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ଏବଂ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Lingaraj Mishra". Azadi Ka Amrit Mahotsav, Ministry of Culture, Government of India (in English). Archived from the original on 6 September 2023. Retrieved 6 September 2023.{{cite web}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ ୨.୩ ୨.୪ "Late Lingaraj Misra". odishaassembly.nic.in. Odisha Assembly. Retrieved 6 September 2023.
  3. ପ୍ରୀତୀଶ ଆଚାର୍ଯ୍ୟ (2011). ଓଡ଼ିଶା ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା. p. ୩୩୦. Retrieved 6 September 2023.
  4. India. Parliament. Lok Sabha (1956). Lok Sabha Debates. Lok Sabha Secretariat. pp. 2645–. Retrieved 3 July 2020.
  5. "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 21 June 2020.
  6. India. Parliament. Rajya Sabha (2003). Rajya Sabha Members: Biographical Sketches, 1952-2003. Rajya Sabha Secretariat. p. 213. Retrieved 3 July 2020.

ବାହାର ଆଧାର

ସମ୍ପାଦନା