ଥାଇ ଲାଲ୍ ତରକାରୀ ବା ଥାଇ ରେଡ୍ କରି (ଇଂରାଜୀ ଭାଷାରେ Thai Red curry, ଥାଇ ଭାଷାରେ แกงเผ็ด, ଉଚ୍ଚାରଣ - କେନ୍ ଫେଟ୍}}, ଅର୍ଥ: 'ମସଲାଯୁକ୍ତ ତରକାରୀ') ଏକ ଥାଇ ରାନ୍ଧଣା ଯେଉଁଥିରେ ଲାଲ୍ ରଙ୍ଗର ବଟା ମସଲା ଓ ନଡ଼ିଆ କ୍ଷୀର ବ୍ୟବହୃତ ହୁଏ । କୁକୁଡ଼ା ମାଂସ, ଗୋମାଂସ, ଘୁଷୁରୀ ମାଂସ, ବତକ ମାଂସ କିମ୍ବା ଚିଙ୍ଗୁଡ଼ି ପକାଇ ଆମିଷ ଓ ବିଭିନ୍ନ ପନିପରିବା, ଟୋଫୁ ଇତ୍ୟାଦି ପକାଇ ନିରାମିଷ ଲାଲ୍ ତରକାରୀ ପ୍ରସ୍ତୁତ କରାଯାଏ ।

ଥାଇ ଲାଲ୍ ତରକାରୀ
ଥାଇ ଲାଲ୍ ଘୁଷୁରୀ ମାଂସ ତରକାରୀ
ପ୍ରକାରତରକାରୀ
ମୂଳ ସ୍ଥାନଥାଇଲାଣ୍ଡ
ମୁଖ୍ୟ ଉପାଦାନତରକାରୀ ପାଇଁ ବଟା ମସଲା (ରସୁଣ, ଶାଲଟ୍ ପିଆଜ, ଶୁଖିରା ଲଙ୍କା, ଗାଲାଙ୍ଗଲ, ଛୋଟ ଚିଙ୍ଗୁଡ଼ି ବଟା, ଲୁଣ, କାଫିର୍ ଲେମ୍ବୁ କୋରା, ଧନିଆ ଚେର, ଧନିଆ, ଗୋଲ ମରିଚ, ଶତବେଧି (ଲେମନ୍ ଗ୍ରାସ୍), ନଡ଼ିଆ କ୍ଷୀର
ଲାଲ୍ ତରକାରୀ ବଟା ମସଲା ପାଇଁ ଆବଶ୍ୟକ ହେଉଥିବା କିଛି ଉପାଦାନ

ଲାଲ୍ ତରକାରୀ ପାଇଁ ବଟା ମସଲା ସମ୍ପାଦନା

ଥାଇ ଲାଲ୍ ତରକାରୀରେ ବ୍ୟବହୃତ ମସଲାକୁ ଫ୍ରିକ୍ କେନ୍ ଫେଟ୍ କୁହନ୍ତି ଓ ଏହାକୁ ପାରମ୍ପରିକ ଭାବେ ଶିଳରେ ବାଟି ପ୍ରସ୍ତୁତ କରାଯାଏ । ଫ୍ରିକ୍ ଚି ଫା ନାମକ ଲାଲ୍ ମରିଚକୁ ଶୁଖାଇବା ପରେ ତାହାକୁ ଅନ୍ୟ ଉପାଦାନଙ୍କ ସହିତ ବଟାଗଲେ ଏହି ଲାଲ୍ ବଟା ମସଲାଟି ପ୍ରସ୍ତୁତ ହୁଏ । ଶୁଖିଲା ଲଙ୍କା, ରସୁଣ, ଅଦା, ଶାଲଟ୍ ପିଆଜ, ଶୁଖିରା ଲଙ୍କା, ଗାଲାଙ୍ଗଲ, ଛୋଟ ଚିଙ୍ଗୁଡ଼ି ବଟା, ଲୁଣ, କାଫିର୍ ଲେମ୍ବୁ କୋରା ବା ପତ୍ର, ଧନିଆ ଚେର, ଧନିଆ, ଗୋଲ ମରିଚ, ଜୀରା, ଶତବେଧି ଇତ୍ୟାଦି ଏହି ବଟା ମସଲାର ମୁଖ୍ୟ ଉପାଦାନ ।[୧] ଆଜିକାଲି ଥାଇ ଲାଲ୍ ତରକାରୀର ମସଲା ପ୍ରସ୍ତୁତ କରି ତା’କୁ ବୋତଲରେ ବିକ୍ରି କରାଯାଉଛି । ବଜାରରେ ଏହି ମସଲା ବୋତଲ ବହୁ ସଂଖ୍ୟାରେ ଉପଲବ୍ଧ ଓ ଏହାକୁ ସିଧାସଳଖ ଭାବେ ତରକାରୀ ପ୍ରସ୍ତୁତିରେ ବ୍ୟବହାର କରିହେବ ।

ଉପାଦାନ ଓ ପ୍ରସ୍ତୁତି ପ୍ରଣାଳୀ ସମ୍ପାଦନା

ଏକ ପାତ୍ରରେ ତେଲ ପକାଇ ଗରମ କରିବା ପରେ ସେଥିରେ ଲାଲ୍ ବଟା ମସଲା ପକାଇ କସାଯାଏ । ତା’ ପରେ ସେଥିରେ ନଡ଼ିଆ କ୍ଷୀର ମିଶାଯାଏ ।[୧] ତା’ ପରେ ସେହି ମିଶ୍ରଣରେ ମାଂସ ମିଶାଇ ରାନ୍ଧିବା ପାଇଁ ଛାଡ଼ି ଦିଆଯାଏ । ଥାଇ ଲାଲ୍ ତରକାରୀରେ କୁକୁଡ଼ା, ବତକ, ଗୋରୁ, ଘୁଷୁରୀ, ଚିଙ୍ଗୁଡ଼ି ପ୍ରଭୃତି ମାଂସ ବ୍ୟବହାର କରାଯାଇପାରିବ । କେତେକ ସ୍ଥାନରେ ବେଙ୍ଗ ଓ ସାପ ମାଂସ ମଧ୍ୟ ପକାଯାଏ । କିନ୍ତୁ କୁକୁଡ଼ା ମାଂସ, ଘୁଷୁରୀ ମାଂସ ଓ ଗୋମାଂସର ବ୍ୟବହାର ସବୁଠାରୁ ଅଧିକ ପ୍ରଚଳିତ । ଏହି ତରକାରୀ ପାଇଁ ମାଂସକୁ ଛୋଟରୁ ମଧ୍ୟମାକାର ଖଣ୍ଡରେ କଟାଯାଏ । ଥାଇ ଲାଲ୍ ତରକାରୀରେ ମାଛ ସସ୍, ଚିନି, କଟାଯାଇଥିବା କାଫିର୍ ଲେମ୍ବୁ ପତ୍ର, ବାଇଗଣ, କରଡ଼ି, ଥାଇ ତୁଳସୀ (ବେସିଲ୍) ପତ୍ର ମଧ୍ୟ ପକାଯାଏ ।[୨]

ନିରାମିଷାଶୀଙ୍କ ପାଇଁ ମାଂସ ସ୍ଥାନରେ ଟୋଫୁ, କଖାରୁ ଓ ଅନ୍ୟ ପନିପରିବା ଉପାଦାନ ରୂପେ ନିଆଯାଏ । କିନ୍ତୁ ଲାଲ୍ ବଟା ମସଲାରେ ମାଛ ସସ୍ ବା ଚିଙ୍ଗୁଡ଼ି ବଟା ମିଶାଇଲେ ତାହା ସମ୍ପୂର୍ଣ୍ଣ ନିରାମିଷ ତରକାରୀ ହେବ ନାହିଁ । ବଜାରରେ ସମ୍ପୂର୍ଣ୍ଣ ନିରାମିଷ ଲାଲ୍ ତରକାରୀ ବଟା ମସଲା ମଧ୍ୟ ଉପଲବ୍ଧ ।[୩]

ଏହି ତରକାରୀର ଝୋଳ ସୁପ୍ ପରି ପାଣିଆ । ସାଧାରଣତଃ ଭାତ ସହିତ ଖାଇବା ପାଇଁ ଏହି ତରକାରୀ ପ୍ରସ୍ତୁତ କରାଯାଏ ଓ ଗିନା କିମ୍ବା ସାନ କଂସା ପରି ପାତ୍ରରେ ବଢ଼ାଯାଏ ।

ଲାଲ୍ ତରକାରୀର ବଟା ମସଲା ଅନ୍ୟ କିଛି ବ୍ୟଞ୍ଜନରେ ମଧ୍ୟ ବ୍ୟବହୃତ ହୁଏ । ଥୋଟ୍ ମାନ୍ ପ୍ଲା ମାଛ କେକ୍ ଓ ଚିଆଂଗ୍ ମାଇ ଅଞ୍ଚଳର ସାଇ ଉଆ ଗ୍ରିଲ୍‍ଡ୍ ସସେଜ୍ ପ୍ରଭୃତିରେ ଥାଇ ଲାଲ୍ ବଟା ମସଲା ବ୍ୟବହାର କରାଯାଏ ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ Mark Wiens (June 20, 2014). "Authentic Thai Red Curry Paste Recipe (พริกแกงเผ็ด)". Eating Thaifood. Archived from the original on 24 May 2015. Retrieved 20 May 2015.
  2. surfin' chef. "Scrumptious Thai Coconut Red Curry". Food.com. Retrieved 20 May 2015.
  3. "Food sources of Protein". Archived from the original on 2021-01-27. Retrieved 2020-11-16.

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା