ଥାଇଲ୍ୟାଣ୍ଡ, (ଆନୁଷ୍ଠାନିକ ନାମ ଥାଇଲ୍ୟାଣ୍ଡ ରାଜ୍ୟ) ଦକ୍ଷିଣ ପୂର୍ବ ଏସିଆର ଏକ ଦେଶ । ଏହା ପୂର୍ବରୁ ସିଆମ୍ ଭାବରେ ଜଣାଥିଲା। | ଇଣ୍ଡୋଚିନ୍ ଉପଦ୍ୱୀପର ମଧ୍ୟ ଭାଗରେ ଏହା ୭୬ଟି ପ୍ରଦେଶକୁ ନେଇ ଗଠିତ । ଏହାର କ୍ଷେତ୍ରଫଳ ୫୧୩,୧୨୦ ବର୍ଗ କିଲୋମିଟର (୧୯୮,୧୨୦ ବର୍ଗ ମାଇଲ) ଏବଂ ଏହାର ଜନସଂଖ୍ୟା ୬୬ ନିୟୁତରୁ ଅଧିକ | କ୍ଷେତ୍ରଫଳ ଅନୁଯାୟୀ ଥାଇଲ୍ୟାଣ୍ଡ ହେଉଛି ବିଶ୍ୱର ୫୦ତମ ବୃହତ୍ତମ ଦେଶ ଏବଂ ବିଶ୍ ୨୨ ତମ ଜନବହୁଳ ଦେଶ |ବ୍ୟାଙ୍କକ୍ ହେଉଛି ଦେଶର ରାଜଧାନୀ ଏବଂ ବୃହତ୍ତମ ସହର | ଥାଇଲ୍ୟାଣ୍ଡର ଉତ୍ତରରେ ମ୍ୟାଁମାର ଏବଂ ଲାଓସ୍, ପୂର୍ବରେ ଲାଓସ୍ ଏବଂ କାମ୍ବୋଡିଆ, ଦକ୍ଷିଣରେ ଥାଇଲ୍ୟାଣ୍ଡ ଉପସାଗର ଏବଂ ମାଲେସିଆ ଏବଂ ପଶ୍ଚିମରେ ଆଣ୍ଡାମାନ ସାଗର ଏବଂ ମ୍ୟାଁମାରର ଦକ୍ଷିଣ ସୀମା ଅବସ୍ଥିତ | ଏହାର ସାମୁଦ୍ରିକ ସୀମା ଦକ୍ଷିଣ-ପୂର୍ବରେ ଥାଇଲ୍ୟାଣ୍ଡର ଉପସାଗର, ଭିଏତନାମ ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ ଆଣ୍ଡାମାନ ସାଗରରେ ଇଣ୍ଡୋନେସିଆ ଏବଂ ଭାରତ ସହ ଅଛି | ଥାଇଲ୍ୟାଣ୍ଡ ହେଉଛି ଏକ ସାମ୍ବିଧାନିକ ରାଜତନ୍ତ୍ର ଏବଂ ସଂସଦୀୟ ଗଣତନ୍ତ୍ର; ସାମ୍ପ୍ରତିକ ଇତିହାସରେ, ଏହା ଏକାଧିକ ସାମରିକ ସତ୍ତା ପରିବର୍ତ୍ତନ ଏବଂ ସାମରିକ ଏକଛତ୍ରବାଦୀ ଶାସନ ଘଟିଛି|

ଇତିହାସସମ୍ପାଦନ କରନ୍ତୁ

 
ଅୟୁଧ୍ୟା ଐତିହାସିକ ଉଦ୍ୟାନ

ପ୍ରଥମ ଶତାବ୍ଦିରୁ ଷଷ୍ଠ ଶତାବ୍ଦି ମଧ୍ୟରେ ମେକୋଙ୍ଗ ତ୍ରିକୋଣଭୁମିରେକୁ କେନ୍ଦ୍ର କରି ଅନେକ ରାଜ୍ୟର ଅଭିବୃଦ୍ଧି ହୋଇଥିଲ। ଆଧୁନିକ ଥାଇଲ୍ୟାଣ୍ଡର କିଛି ଭାଗ ସେହି ଅଞ୍ଚଳଗୁଡ଼ିକୁ ନେଇ ଗଠିତ |[୧]

ଏହି ଅଞ୍ଚଳରେ ଅନେକ ସ୍ଥାନୀୟ ଅଷ୍ଟ୍ରୋଏସିଆଟିକ୍ ଭାଷାଭାଷୀ ଏବଂ ମାଲାୟୋ-ସୁମ୍ବାବାନ୍ ଭାଷାଭାଷୀ ସଭ୍ୟତାର ଅଭିବୃଦ୍ଧି ହୋଇଥିଲା | ତ୍ରୟୋଦଶ ଶତାବ୍ଦୀ ପୂର୍ବରୁ ଥାଇଲାଣ୍ଡ ଇତିହାସ ବିଷୟରେ ବିଶେଷ କିଛି ଜଣା ନାହିଁ ।ଏହି ସମୟ ବିଷୟରେ ଅଧିକାଂଶ ଜ୍ଞାନ ପ୍ରତ୍ନତାତ୍ତ୍ୱିକ ପ୍ରମାଣରୁ ମିଳିଥାଏ | ଦକ୍ଷିଣ ପୂର୍ବ ଏସିଆର ଅନ୍ୟାନ୍ୟ ଅଞ୍ଚଳ ପରି ଥାଇଲ୍ୟାଣ୍ଡ ମଧ୍ୟ ଭାରତୀୟ ସଂସ୍କୃତି ଏବଂ ଧର୍ମଦ୍ୱାରା ପ୍ରଭାବିତ ହୋଇଥିଲା । ଏହି ପ୍ରଭାବର ପ୍ରମାଣ ପ୍ରଥମ ଶତାବ୍ଦୀରେ ଫୁନାନ ସମ୍ରାଜ୍ୟଠାରୁ ଆରମ୍ଭ କରି ଖେମର ସାମ୍ରାଜ୍ୟ ପର୍ଯ୍ୟନ୍ତ ଦେଖିବକୁ ମିଳେ । ଏହି ଭାରତୀୟ ସଂସ୍କୃତିଦ୍ୱାରା ପ୍ରଭାବିତ ରାଜ୍ୟଗୁଡିକ ମଧ୍ୟରେ ଦ୍ୱାରାବତୀ, ଶ୍ରୀବିଜୟା ଏବଂ ଖେମର ସାମ୍ରାଜ୍ୟର ଅନ୍ତର୍ଭୁକ୍ତ । ଥାଇଲ୍ୟାଣ୍ଡରେ ଦକ୍ଷିଣ ଭାରତୀୟ ପଲ୍ଲବ ରାଜବଂଶ ଏବଂ ଉତ୍ତର ଭାରତୀୟ ଗୁପ୍ତ ସାମ୍ରାଜ୍ୟଦ୍ୱାରା ପ୍ରଭାବିତ ହେବାର ସୁଚନା ମିଳେ ।[୨]

ସୁଖୋଥାଇ ରାଜ୍ୟ ଉତ୍ତର-ମଧ୍ୟ ଥାଇଲ୍ୟାଣ୍ଡର ସୁଖୋଥାଇ ସହର ନିକଟବର୍ତି ଅଞ୍ଚଳର ଏକ ରାଜ୍ୟ ଥିଲା | ୧୨୩୮ରୁ ୧୪୩୮ ପର୍ଯ୍ୟନ୍ତ ଏହି ରାଜ୍ୟ ବିଦ୍ୟମାନ ଥିଲା |

ଅୟୁଧ୍ୟା ରାଜ୍ୟ ଅୟୁଧ୍ୟା ସହରକୁ କେନ୍ଦ୍ର କରି ୧୩୫୦ରୁ ୧୭୬୭ ପର୍ଯ୍ୟନ୍ତ ବିଦ୍ୟମାନ ଥିଲା |ଏହି ରାଜ୍ୟକୁ ଆଧୁନିକ ଥାଇଲ୍ୟାଣ୍ଡର ପୂର୍ବପୁରୁଷ ଭାବରେ ବିବେଚନା କରାଯାଏ । ଏହାର ବିକାଶ ଥାଇଲ୍ୟାଣ୍ଡ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ |

ଅୟୁଧ୍ୟା ରାଜ୍ୟର ପ୍ରଥମ ଶାସକ ରାଜା ଉଥୋଙ୍ଗ ଥାଇ ଇତିହାସରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ପ୍ରଥମ ଅବଦାନ ହେଉଛି ପଡୋଶୀ ହିନ୍ଦୁ ରାଜ୍ୟ ଆଙ୍ଗକୋରରୁ ତାଙ୍କ ରାଜ୍ୟକୁ ପୃଥକ କରିବା ପାଇଁ ସରକାରୀ ଧର୍ମ ଭାବରେ ଥେରାବଦ ବୌଦ୍ଧ ଧର୍ମ ପ୍ରତିଷ୍ଠା ଏବଂ ପ୍ରଚାର । ଦ୍ୱିତୀୟ ଅବଦାନ , ଧର୍ମଶାସ୍ତ୍ରର ସଂକଳନ ଯାହ ଏକ ହିନ୍ଦୁ ମୂଳ ଏବଂ ପାରମ୍ପରିକ ଥାଇ ରୀତିନୀତି ଉପରେ ଆଧାରିତ ଏକ ଆଇନଗତ ସଂକଳନ | ଧର୍ମଶାସ୍ତ୍ର ଉନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଥାଇ ଆଇନର ଏକ ଭାଗ ହୋଇ ରହିଥିଲା।[୧]

ରାଜନୀତିସମ୍ପାଦନ କରନ୍ତୁ

ସମ୍ବିଧାନଦ୍ୱାରା ରାଜାଙ୍କର ଶକ୍ତି ସୀମିତ । ରାଜା ସଶସ୍ତ୍ର ବାହିନୀର ମୁଖ୍ୟ । ତାଙ୍କ ହାତରେ ଉତ୍ତରାଧିକାରୀ ନିଯୁକ୍ତ କରିବାର କ୍ଷମତା, ରାଜକ୍ଷମା ଦେବାର କ୍ଷମତା ଏବଂ ରାଜକୀୟ ସମ୍ମତି ଦେବାର କ୍ଷମତା ଅଛି |

ବୈଧନିକ ଶାଖା: ଥାଇଲାଣ୍ଡର ସଂସଦ ଜାତୀୟ ସଭା ଦୁଇଟି ଗୃହରେ ବିଭକ୍ତ। ୧୫୦ ସଦସ୍ୟ ବିଶିଷ୍ଟ ଉପର ଗୃହ ସିନେଟ ଏବଂ ୩୫୦ ସଦସ୍ୟ ବିଶିଷ୍ଟ ନିମ୍ନ ଗୃହ ପ୍ରତିନିଧି ସଭା ।

ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ କାର୍ଯ୍ୟନିର୍ବାହୀ ଶାଖାର ମୁଖ୍ୟ। ସେ ଏବଂ 35 ଜଣ ପର୍ଯ୍ୟନ୍ତ ଅନ୍ୟ କ୍ୟାବିନେଟ୍ ସଦସ୍ୟ ଜାତୀୟ ସଭାଦ୍ୱାରା ନିର୍ବାଚିତ ହୋଇଥାନ୍ତି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ରାଜାଙ୍କଦ୍ୱାରା କ୍ୟାବିନେଟ ନିଯୁକ୍ତ କରାଯାଇଥାଏ। [୩]

ଭୂଗୋଳସମ୍ପାଦନ କରନ୍ତୁ

 
ଥାଇଲ୍ୟାଣ୍ଡର ସାଟେଲାଇଟ୍ ଫଟୋ

ଥାଇଲ୍ୟାଣ୍ଡର ସମୁଦାୟ କ୍ଷେତ୍ରଫଳ ୫୧୩,୧୨୦ ବର୍ଗ କିଲୋମିଟର (୧୯୮,୧୨୦ ବର୍ଗ ମାଇଲ)। ଏହା ୫୦ତମ ବୃହତ୍ତମ ଦେଶ | ଥାଇଲ୍ୟାଣ୍ଡ ବିଭିନ୍ନ ଭୌଗୋଳିକ ଅଞ୍ଚଳକୁ ନେଇ ଗଠିତ । ଦେଶର ଉତ୍ତର ହେଉଛି ଥାଇ ମାଳଭୂମିର ପାର୍ବତ୍ୟ ଅଞ୍ଚଳ। ଏହାର ସବୋଚ୍ଚ ସ୍ଥାନ ସମୁଦ୍ର ପତ୍ତନଠାରୁ ୨୫୬୫ ମିଟର (୮,୪୧୫ ଫୁଟ) ଉଚ୍ଚତାରେ ଥିବା ଥାନନ୍ ଥଙ୍ଗ ଚା ପର୍ବତ ମାଳାର ଡୋଇ ଇଁଥାନନ୍ । ଉତ୍ତର-ପୂର୍ବ ଅଞ୍ଚଳ ଖୋରାଟ ମାଳଭୂମିକୁ ନେଇ ଗଠିତ ଯାହା ପୂର୍ବରେ ମେକୋଙ୍ଗ ନଦୀ ସୀମାବର୍ତ୍ତୀ | ଚାଓ ଫ୍ରାୟା ନଦୀ ଉପତ୍ୟକା ଦେଶର କେନ୍ଦ୍ରରେ ସ୍ଥାନ ଅଧିକାର କରିଛି । ଦକ୍ଷିଣ ଥାଇଲ୍ୟାଣ୍ଡ ଏକ ସଂକୀର୍ଣ୍ଣ ସ୍ଥଳଭାଗ (ଇଷ୍ଟମସ୍) ଯାହା ମାଳ୍ୟୟ ଉପଦ୍ୱୀପ ପର୍ଯ୍ୟନ୍ତ ବିସ୍ତୃତ । [୪]

ଥାଇଲ୍ୟାଣ୍ଡର ଜଳବାୟୁ ମୋୖସୁମୀ ବାୟୁଦ୍ୱାରା ପ୍ରଭାବିତ ହୋଇଥାଏ । ଉଭୟ ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର-ପୂର୍ବ ମୋୖସୁମୀ ଥାଇଲ୍ୟାଣ୍ଡର ଋତୁକୁ ପ୍ରଭବିତ କରିଥାନ୍ତି ।

ପ୍ରଶାସନିକ ବିଭାଜନସମ୍ପାଦନ କରନ୍ତୁ

ଥାଇଲ୍ୟାଣ୍ଡ ୭୬ଟି ପ୍ରଦେଶ (ଚାଙ୍ଗୱାଟ)କୁ ନେଇ ଗଠିତ, ଯାହା ପ୍ରଥମ ସ୍ତରୀୟ ପ୍ରଶାସନିକ ବିଭାଜନ ଅଟେ। ପ୍ରତ୍ୟେକ ପ୍ରଦେଶକୁ ଜିଲ୍ଲା (ଆମ୍ଫୋ)ରେ ବିଭକ୍ତ କରାଯାଇଛି ଏବଂ ଜିଲ୍ଲାଗୁଡ଼ିକୁ ଉପ-ଜିଲ୍ଲା (ଟାମ୍ବନ୍)ରେ ବିଭକ୍ତ କରାଯାଇଛି |

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ Higham, C. (1989). The Archaeology of Mainland Southeast Asia: From 10,000 B.C. to the Fall of Angkor. Cambridge World Archaeology. Cambridge University Press. p. 355. ISBN 978-0-521-27525-5. Retrieved 2020-11-11.
  2. Higham, C. (1989). The Archaeology of Mainland Southeast Asia: From 10,000 B.C. to the Fall of Angkor. Cambridge World Archaeology. Cambridge University Press. p. 263. ISBN 978-0-521-27525-5. Retrieved 2020-11-11.
  3. "New Mandala". New Mandala. 2014-05-17. Retrieved 2020-11-11.
  4. "East Asia/Southeast Asia :: Thailand - The World Factbook". Central Intelligence Agency. 2020-11-04. Retrieved 2020-11-11.