ଇବ୍ରାହିମ ଅଲକାଜୀ

ରଙ୍ଗମଞ୍ଚ ନିର୍ଦ୍ଦେଶକ

ଇବ୍ରାହିମ ଅଲକାଜୀ (୧୮ ଅକ୍ଟୋବର ୧୯୨୫ - ୪ ଅଗଷ୍ଟ ୨୦୨୦)[୧] [୨] ଜଣେ ଭାରତୀୟ ରଙ୍ଗମଞ୍ଚ ନିର୍ଦ୍ଦେଶକ ଏବଂ ନାଟକ ଶିକ୍ଷକ ଥିଲେ । ଅଲକାଜୀ ଜଣେ କଠୋର ଶୃଙ୍ଖଳିତ ବ୍ୟକ୍ତି ଥିଲେ ଓ ସେ ଏକ ନାଟକ କରିବା ପୂର୍ବରୁ, ବିଷୟବସ୍ତୁ ଉପରେ ଯଥେଷ୍ଟ ଅନୁସନ୍ଧାନ କରୁଥିଲେ । ସେହି ଅନୁସନ୍ଧାନର ନିଷ୍କର୍ସ ନାଟକର କଳା ନିର୍ଦ୍ଦେଶନା ଓ ଦୃଶ୍ୟପଟ୍ଟ ଚିତ୍ରାୟନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରୁଥିଲା । ପରେ ତାଙ୍କର ଏହି ମାନଦଣ୍ଡ ବହୁତ ପ୍ରଭାବଶାଳୀ ହୋଇଥିଲା ଓ ଅନ୍ୟମାନେ ତାଙ୍କୁ ଅନୁସରଣ କରିଥିଲେ ।[୩] ସେ ମଧ୍ୟ ନୂଆଦିଲ୍ଲୀସ୍ଥ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ନିର୍ଦ୍ଦେଶକ(୧୯୬୨-୧୯୭୭) ଭାବରେ କାର୍ଯ୍ୟ କରିଥିଲେ ।[୪] [୫][୬] ସେ ଜଣେ ବିଶିଷ୍ଟ କଳା ସଂଯୋଜକ ଓ ସଂଗ୍ରହକାରୀ ଥିଲେ । ନିଜ ପତ୍ନୀ ରୋଶନ ଅଲକାଜୀଙ୍କ ସହ ସେ ଦିଲ୍ଲୀରେ ''ଆର୍ଟ ହେରିଟେଜ୍ ଗ୍ୟାଲେରି'' ସ୍ଥାପନା କରିଥିଲେ । [୭]

ଇବ୍ରାହିମ ଅଲକାଜୀ
Ebrahim.jpg
ଜନ୍ମ ଓ ଜନ୍ମସ୍ଥାନ୧୮ ଅକ୍ଟୋବର ୧୯୨୫(1925-10-18)
ମୃତ୍ୟୁ୪ ଅଗଷ୍ଟ ୨୦୨୦(2020-08-04) (ବୟସ ୯୪)
ଜାତୀୟତାଭାରତୀୟ
ଜୀବିକାନାଟ୍ୟ ନିର୍ଦ୍ଦେଶକ ଓ ଶିକ୍ଷାବିତ
ନିଯୁକ୍ତିଦାତାରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ
ପ୍ରସିଦ୍ଧିଆଷାଢ଼ କା ଏକ ଦିନ

ଅଲକାଜୀ ପଚାଶରୁ ଅଧିକ ନାଟକ ନିର୍ଦ୍ଦେଶନା କରିଥିଲେ । ତାଙ୍କ ନାଟକ ଉଭୟ ପରଦା ଉପରେ ଓ ମୁକ୍ତାକାଶ ମଞ୍ଚରେ ପ୍ରଦର୍ଶିତ ହେଉଥିଲା । ମୁକ୍ତାକାଶ ମଞ୍ଚରେ ତାଙ୍କର କଳା ନିର୍ଦ୍ଦେଶନା ଓ ମଞ୍ଚସଜ୍ୟା ପାଇଁ ସେ ଚର୍ଚ୍ଚିତ ହେଉଥିଲେ ଓ ସେ ସବୁଥର ମଞ୍ଚସଜ୍ୟାରେ କିଛି ନୂତନତ୍ୱ ଆଣୁଥିଲେ ।[୩] ସେ ରୟାଲ୍ ଏକାଡେମୀ ଅଫ୍ ଡ୍ରାମାଟିକ୍ ଆର୍ଟରେ (RADA) ତାଲିମ ପ୍ରାପ୍ତ ହୋଇଥିଲେ । ୧୯୫୦ ମସିହାରେ ବିବିସି ବ୍ରଡକାଷ୍ଟିଂ ପୁରସ୍କାର ଲାଭ କରିଥିଲେ । ତାଙ୍କଦ୍ୱାରା ନିର୍ଦ୍ଦେଶିତ କିଛି ପ୍ରସିଦ୍ଧ ନାଟକ ମଧ୍ୟରେ: ଗିରିଶ କର୍ଣ୍ଣାଡଙ୍କ ତୁଗଲକ, ମୋହନ ରାକେଶଙ୍କ ଆଷାଢ଼ କା ଏକ ଦିନ୍, ଧରମବୀର ଭାରତୀଙ୍କ ଅନ୍ଧ ଯୁଗ ଏବଂ ଅନେକ ସେକ୍ସପିୟର ଏବଂ ଗ୍ରୀକ ନାଟକ ଅନ୍ୟତମ । ସେ ୫୦ରୁ ଅଧିକ ନାଟକ ନିର୍ଦ୍ଦେଶନା ଦେଇଥିଲେ । [୪] ତାଙ୍କର ଅନେକ ପ୍ରାରମ୍ଭିକ ନାଟକ ପାଶ୍ଚାତ୍ୟ ଦେଶରୁ ଆସିଥିଲା ଏବଂ ଇଂରାଜୀରେ ପରିବେଷଣ କରାଯାଇଥିଲା । କିନ୍ତୁ ଅଲକାଜୀ ସେଗୁଡିକୁ ଭାରତୀୟ ଦର୍ଶକଙ୍କ ଦୃଷ୍ଟିକୋଣ ଅନୁସାରେ ପରିବେଷଣ କରିଥିଲେ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷାସମ୍ପାଦନ କରନ୍ତୁ

ଅଲକାଜୀ, ମହାରାଷ୍ଟ୍ରର ପୁଣେରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସାଉଦି ଆରବର ଜଣେ ଧନୀ ଓ ମା ଜଣେ କୁଏତର ଅଧିବାସୀ ଥିଲେ ।[୮] ସେମାନେ ନଅ ଭାଇଭଉଣୀ ଥିଲେ । ୧୯୪୭ ମସିହାରେ, ଭାରତ ବିଭାଜନ ସମୟରେ ତାଙ୍କ ଅବଶିଷ୍ଟ ପରିବାର ପାକିସ୍ତାନକୁ ଚାଲି ଯାଇଥିଲେ କିନ୍ତୁ ଅଲକାଜୀ ଭାରତରେ ରହିଥିଲେ ।[୯] ଆରବୀ, ଇଂରାଜୀ, ମରାଠୀ ଏବଂ ଗୁଜରାଟୀରେ ଶିକ୍ଷିତ ଅଲକାଜୀ ପୁଣେର ସେଣ୍ଟ ଭିନ୍ସେଣ୍ଟ ହାଇସ୍କୁଲରେ ଏବଂ ପରେ ମୁମ୍ବାଇର ସେଣ୍ଟ ଜାଭିୟର କଲେଜରେ ପଢ଼ିଥିଲେ । ସେଣ୍ଟ ଜାଭିୟରର ଛାତ୍ର ଥିବାବେଳେ ସେ ସୁଲତାନ "ବବି" ପଦମସିଙ୍କ ଇଂରାଜୀ ଥିଏଟର କମ୍ପାନୀ ''ଥିଏଟର ଗ୍ରୁପରେ'' ଯୋଗ ଦେଇଥିଲେ । ୧୯୪୭ ମସିହାରେ ସେ ଲଣ୍ଡନର ରୟାଲ ଏକାଡେମୀ ଅଫ ଡ୍ରାମାଟିକ ଆର୍ଟରେ ତାଲିମ ପ୍ରାପ୍ତ କରିଥିଲେ ।[୭] ସେ ଉଭୟ ଇଂରାଜୀ ଡ୍ରାମା ଲିଗ ଓ ବ୍ରିଟିଶ ବ୍ରୋଡ଼କାଷ୍ଟିଂ କର୍ପୋରେସନଦ୍ୱାରା ଇଂଲଣ୍ଡରେ ସମ୍ମାନୀତ ହୋଇଥିଲେ ଓ ସେଠାରେ କାମ କରିବାର ସୁଯୋଗ ପାଇଥିଲେ । ଅଲକାଜୀ, କିନ୍ତୁ ସେ ସବୁ ସୁଯୋଗକୁ ପ୍ରତ୍ୟାଖାନ କରି, ଭାରତ ଫେରି ନିଜର ପୁରୁଣା ନାଟକ କମ୍ପାନୀରେ ଯୋଗ ଦେଇଥିଲେ । [୩]

ବୃତ୍ତିଗତ ଜୀବନସମ୍ପାଦନ କରନ୍ତୁ

ନିଜ ବୃତ୍ତିଗତ ଜୀବନର ଆରମ୍ଭରେ ସେ ବମ୍ବେ ପ୍ରଗତିଶୀଳ କଳାକାର ଗୋଷ୍ଠୀ ସହିତ ଜଡ଼ିତ ହୋଇଥିଲେ, ଯେଉଁଥିରେ ଏମ ଏଫ ହୁସେନ, ଏଫ ଏନ ସୌଜା , ଏସ ଏଚ ରାଜ, ଆକବର ପଦମସି ଓ ତୟବ ମେହତା ଆଦି କଳାକାର ମାନେ ସଂଶ୍ଳିଷ୍ଟ ଥିଲେ । [୭] ୧୯୫୩ ମସିହାରେ ସେ ଥିଏଟର ୟୁନିଟ୍ ବୁଲେଟିନ୍ ନାମକ ପତ୍ରିକା ଆରମ୍ଭ କରିଥିଲେ, ସେଥିରେ ଭାରତର ଥିଏଟର ଘଟଣାଗୁଡ଼ିକ ବିଷୟରେ ବିଭିନ୍ନ ପ୍ରସଙ୍ଗ ପ୍ରକାଶ ପାଉଥିଲା । ଏହା ପରେ ସେ ସ୍କୁଲ ଅଫ୍ ଡ୍ରାମାଟିକ୍ ଆର୍ଟ୍ସ ପ୍ରତିଷ୍ଠା କରିଥିଲେ ଏବଂ ବମ୍ବେ ନାଟ୍ୟ ଏକାଡେମୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । [୩]

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ନିର୍ଦ୍ଦେଶକ ଭାବରେ ଅଲକାଜୀ ତାଙ୍କ ଦୂରଦର୍ଶିତା ଓ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରି ହିନ୍ଦୀ ନାଟକରେ ବିପ୍ଲବ ଆଣିଥିଲେ । ବିଜୟ ମହାନ୍ତି, ଅଜିତ ଦାସ ପ୍ରମୁଖ ଏଠାରେ ତାଙ୍କର ଛାତ୍ର ଥିଲେ । ସେ ୧୯୬୪ ମସିହାରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ଏକ ରେପର୍ଟୋରୀ କମ୍ପାନୀ ପ୍ରତିଷ୍ଠା କରିଥିଲେ ଏବଂ ସେଠାରେ ନାଟ୍ୟ ନିର୍ଦ୍ଦେଶନା ଦେଉଥିଲେ ।

ସେ ତାଙ୍କ ପତ୍ନୀ ରୋଶନ ଅଲକାଜୀଙ୍କ ସହ ମିଶି ଦିଲ୍ଲୀରେ ଆର୍ଟ ହେରିଟେଜ୍ ଗ୍ୟାଲେରି ପ୍ରତିଷ୍ଠା କରିଥିଲେ ।

ପୁରସ୍କାର ଏବଂ ସମ୍ମାନସମ୍ପାଦନ କରନ୍ତୁ

  • ତନବୀର ସମ୍ମାନ - ୨୦୦୪ ( ଥିଏଟରରେ ଆଜୀବନ ଅବଦାନ ପାଇଁ )[୧୦]
  • ପଦ୍ମଶ୍ରୀ - ୧୯୬୬
  • ପଦ୍ମ ଭୂଷଣ - ୧୯୯୧
  • ପଦ୍ମ ବିଭୁଷଣ - ୨୦୧୦
  • ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୬୨
  • ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ

ବ୍ୟକ୍ତିଗତ ଜୀବନସମ୍ପାଦନ କରନ୍ତୁ

ସେ ରୋଶନ ଅଲକାଜୀଙ୍କୁ ସହ ବିବାହ କରିଥିଲେ । ରୋଶନ ତାଙ୍କର ସମସ୍ତ ନାଟକ ପାଇଁ ପୋଷାକ ପରିକଳ୍ପନା କରିଥିଲେ । ରୋଶନ ଭାରତୀୟ ବସ୍ତ୍ରର ଇତିହାସ ଉପରେ ଦୁଇଟି ପୁସ୍ତକ ମଧ୍ୟ ଲେଖିଥିଲେ । ୧୯୭୭ ମସିହାରେ ରୋଶନ ଦିଲ୍ଲୀର ତ୍ରିବେଣୀ କଳା ସଙ୍ଗମରେ ଆର୍ଟ ହେରିଟେଜ୍ ଗ୍ୟାଲେରି ପ୍ରତିଷ୍ଠା କରିଥିଲେ ଓ ୨୦୦୭ ମସିହାରେ ନିଜ ଶେଷ ସମୟ ପର୍ଯ୍ୟନ୍ତ ତାର ପରିଚାଳନା କରୁଥିଲେ । ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଥିଲେ, ଅମଲ ଆଲ୍ଲାନା ଓ ଫୈଜଲ ଅଲକାଜୀ । ଉଭୟ ନାଟ୍ୟ ନିର୍ଦ୍ଦେଶକ ଅଟନ୍ତି । ଅମଲ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଅଧିକ ପଢ଼ିବାସମ୍ପାଦନ କରନ୍ତୁ

  • ଆନନ୍ଦ ଲାଲ, ଅକ୍ସଫୋର୍ଡ ସାଥୀ ଟୁ ଇଣ୍ଡିଆନ୍ ଥିଏଟର, ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ୍ (2004), ISBN 0-19-564446-8
  • ଭିଜୁଆଲ୍ ମେମୋରୀର ଆଲକାଜର୍ |
  • "Theatre is revelation (Interview)". The Hindu. 24 February 2008.

ଆଧାରସମ୍ପାଦନ କରନ୍ତୁ

  1. Rashtriya Sahara – Band 2, Ausgabe 2, 1991, p. 154
  2. Indian Express
  3. ୩.୦ ୩.୧ ୩.୨ ୩.୩ Leiter, p.32 - 33
  4. ୪.୦ ୪.୧ Meyer, p. 9
  5. Banham, p. 18
  6. Rubin, p. 158
  7. ୭.୦ ୭.୧ ୭.୨ "Theatre is revelation (Interview)". The Hindu. 24 February 2008.
  8. Karnad, Girish (26 December 2005). "Ebrahim Alkazi: The man who formed the concept of Indian theatre". India Today. Retrieved 11 May 2020. If we were to choose an individual who formed the concept of Indian theatre, it would almost certainly be Ebrahim Alkazi. But the fact that he is the offspring of a Saudi Arabian father and a Kuwaiti mother is one of those ironies with which theatre history bristles.
  9. Kalra, Vandana (15 October 2019). "Theatre doyen Ebrahim Alkazi remembered through an exhibition". Indian Express. Retrieved 11 May 2020. After the Partition, while the rest of his family moved to Pakistan, Alkazi decided to stay back in India.
  10. The Hindu, Sunday, 12 December 2004[permanent dead link].

ବାହ୍ୟ ଲିଙ୍କସମ୍ପାଦନ କରନ୍ତୁ