ଅଲେଖ ପ୍ରସାଦ ଦାସ
ଅଲେଖ ପ୍ରସାଦ ଦାସ (୮ ଜାନୁଆରୀ ୧୯୦୨ - ୧୭ ଜାନୁଆରୀ ୨୦୦୦) ଜଣେ ଭାରତୀୟ ସ୍ୱାଧିନତା ସଂଗ୍ରାମୀ ଓ ଓଡ଼ିଆ ସାହିତ୍ୟିକ ଥିଲେ । ସେ ନିଜ ଆତ୍ମଜୀବନୀ ପୁସ୍ତକ ଜୀବନର ଡାକ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[୧]
ଅଲେଖ ପ୍ରସାଦ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବୈଦ୍ୟକାଟେଣି, ଲାଉଲଈ, ଢେଙ୍କାନାଳ ଜିଲ୍ଲା | ୮ ଜାନୁଆରୀ ୧୯୦୨
ମୃତ୍ୟୁ | ୧୭ ଜାନୁଆରୀ ୨୦୦୦ | (ବୟସ ୯୮)
ବୃତ୍ତି | ସ୍ୱାଧିନତା ସଂଗ୍ରାମୀ, ସାହିତ୍ୟିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ଜୀବନର ଡାକ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (୧୯୯୫) |
ସନ୍ତାନ | ଦେବେନ୍ଦ୍ର ପ୍ରସାଦ ଦାସ |
ପିତାମାତା | ଗଣେଶ୍ୱର ଦାସ (ପିତା), ଭାନୁମତୀ ଦେବୀ (ମାତା) |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାଅଲେଖ ପ୍ରସାଦ ଦାସ ୧୯୦୨ ଜାନୁଆରୀ ୮ରେ ଢେଙ୍କାନାଳ ଜିଲ୍ଲାର ଲାଉଲଈ ଅନ୍ତର୍ଗତ ବୈଦ୍ୟକାଟେଣିରେ ଜନ୍ମଗ୍ରହଣ କରିଥିଲେ ଓ ଯାଜପୁର ଜିଲ୍ଲାର କଳକଳାଠାରେ ବଡ଼ହୋଇଥିଲେ । ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗଦେବାକୁ ୧୯୨୧ ଅପ୍ରେଲ ୧୩ରେ ସେ ବିଦ୍ୟାଳୟ ପରିତ୍ୟାଗ ଇରିଥିଲେ । ପରେ ସେ ବନ୍ଧୁମାନଙ୍କ ସହ ମିଶି କଟକର ସ୍ୱରାଜ ଆଶ୍ରମରେ ଯୋଗ ଦେଲେ । ସେଠାରେ ସେ ହାତଲେଖା ପତ୍ରିକା ସ୍ୱରାଜ ପାଇଁ ଖବର ସଂଗ୍ରହ କରିବା ସହ ସମାଜର ବିଭିନ୍ନ ସ୍ତରରେ ସଚେତନତା ଓ ଶିକ୍ଷାର ପ୍ରଚାର ଓ ପ୍ରସାର ଚଳେଇଲେ । ସେତେବେଳେ ସେ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସହ ବଡ଼ମ୍ବାରେ ମିଶି କାର୍ଯ୍ୟକରିବା ସମୟରେ ବ୍ରିଟିଶ ପୁଲିସଦ୍ୱାରା ଗିରଫ ହୋଇଥିଲେ । ପରେ ସ୍ୱାଧୀନତା ସଂଗ୍ରାମୀ ହରମୋହନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଫଳରେ ସେ ପୁଣି ଥରେ ଢେଙ୍କାନାଳ ଫେରିଯାଇ ମାଟ୍ରିକ୍ ଓ ରେଭେନ୍ସା ମହାବିଦ୍ୟାଳୟରୁ ଇଣ୍ଟରମିଡ଼ିଏଟ୍ ପାସକଲେ । ସ୍ନାତକରେ ନାମ ଲେଖାଇଥିଲେ ମଧ୍ୟ ପିତାଙ୍କ ମୃତ୍ୟୁ ଯୋଗୁଁ ତାଙ୍କୁ ତାହା ଅସଂପୂର୍ଣ୍ଣ ରଖିବାକୁ ପଡ଼ିଥିଲା । ପରେ ଭାରତ ସେବକ ସମିତି ପକ୍ଷରୁ ଦଳିତମାନଙ୍କ ସାମାଜିକ ଓ ଆର୍ଥିକ ପ୍ରଗତି ପାଇଁ ପ୍ରଚେଷ୍ଟା ଚଳାଇଥିଲେ । ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ସେ ଆଉଥରେ ଗିରଫ ହୋଇଥିଲେ । ଜେଲରୁ ମୁକୁଳିବା ମାତ୍ରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ କାର୍ଯ୍ୟ କଲେ । କିନ୍ତୁ ଢେଙ୍କାନାଳ ପ୍ରଜାମଣ୍ଡଳ ବିଦ୍ରୋହରେ ଯୋଗଦେଇ ଗିରଫ ହୋଇଥିଲେ । ଭାରତ ସ୍ୱାଧୀନ ହେବା ପରେ ସେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ନ ଦେଇ ବିଭିନ୍ନ ସମାଜ ସଂସ୍କାରମୂଳକ କାର୍ଯ୍ୟରେ ଯୋଗଦେଇଥିଲେ ।[୨]
ସାହିତ୍ୟ ରଚନା
ସମ୍ପାଦନାସେ ଉଭୟ ଶିଶୁ ଓ ବୟସ୍କଙ୍କ ପାଇଁ ଲେଖୁଥିଲେ । ସେ ସ୍ନାତକ ପତ୍ରିକାର ସମ୍ପାଦକ ଥିଲେ । ତାଙ୍କ ଆତ୍ମଜୀବନୀ ଜୀବନର ଡାକ ପାଇଁ ସେ ୧୯୯୫ ବର୍ଷରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ଏଥିରେ ସେ ସମକାଳୀନ ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଅବସ୍ଥାର ବିବରଣୀ ଉଲ୍ଲେଖ କରିଥିଲେ । ସେ ନିଜର ଶିଶୁ ସାହିତ୍ୟ ପୁସ୍ତକ ସାତଟି ସଞ୍ଜଦୀପ ପାଇଁ ଓଡ଼ିଶା ସରକାରଙ୍କ ଶିଶୁ ସାହିତ୍ୟ ସମିତି ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇଥିଲେ ।[୩][୪]
ରଚନାବଳୀ
ସମ୍ପାଦନା- ଜୀବନର ଡାକ (ଆତ୍ମଜୀବନୀ)[୫]
- ବାଇଆମଣି (ଶିଶୁସାହିତ୍ୟ)
- ଶ୍ରୀରାଧା ରସର ଧାରାଶ୍ରୀ (କବିତା)
- ସାତଟି ସଞ୍ଜଦୀପ
- ସରଳ ଓଡ଼ିଆ ଶ୍ରୀରାମଚରିତମାନସ
- ଶ୍ରୀମତ୍ ଭଗବତ୍ ଗୀତାର ଝଲକ
- ଅଭିମନ୍ୟୁ ବଧ (କାବ୍ୟ)
- ସୀତା ଅନୁଚନ୍ତା (କାବ୍ୟ)
- ଶ୍ରୀରାମଚନ୍ଦ୍ରଦେବ (କାବ୍ୟ)
- କୋଣାର୍କ ଦର୍ଶନ
- ବ୍ୟାସକବି ଫକୀରମୋହନ
- ଭକ୍ତ ମଧୁସୁଦନ
- ବୁଦ୍ଧ ଚରିତ
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୯୫, ଆତ୍ମଜୀବନୀ ଜୀବନର ଡାକ ପାଇଁ[୬])
- ଶିଶୁ ସାହିତ୍ୟ ସମିତି ସମ୍ମାନ (ସାତଟି ସଞ୍ଜଦୀପ ପାଇଁ)
ଆଧାର
ସମ୍ପାଦନା- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୬୮-୬୯. ISBN 81-903352-1-9.
- ↑ https://orissamatters.wordpress.com/2013/01/14/addicts-must-be-kept-off-offices-insists-debendra-prasad-das/
- ↑ https://amritmahotsav.nic.in/district-reopsitory-detail.htm?26200
- ↑ ପତି, ଶରତ ଚନ୍ଦ୍ର ଡଃ (୨୦୧୫). ଢେଙ୍କାନାଳ ସାହିତ୍ୟର ଇତିହାସ. ଢେଙ୍କାନାଳ: ଲେଙ୍କା ପ୍ରକାଶନ. pp. ୬୯-୭୦.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୪୪୦-୪୧, ୮୨୦. ISBN 81-7400-331-2.
- ↑ http://odishasahityaakademi.org/English/sahitya-award7.php