ଗୋବିନ୍ଦ ଚନ୍ଦ୍ର ମିଶ୍ର
ଗୋବିନ୍ଦ ଚନ୍ଦ୍ର ମିଶ୍ର (୩୧ ଡିସେମ୍ବର ୧୮୮୮ - ୩୧ ଏପ୍ରିଲ ୧୯୬୬)[୧] ଜଣେ ଓଡ଼ିଆ ସ୍ୱାଧିନତା ସଂଗ୍ରାମୀ, ରାଜ୍ୟସଭା ସାଂସଦ ଓ ସାହିତ୍ୟିକ । ସେ ନିଜ ଆତ୍ମଜୀବନୀ 'ଜାତୀୟ ଜୀବନର ଆତ୍ମପ୍ରକାଶ' ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୨] ପାଇଥିଲେ । ଗାନ୍ଧୀବାଦୀ ରୀତିନୀତି, ଚିନ୍ତାଚେତନା ଦ୍ୱାରା ପ୍ରଭାବିତ ଗୋବିନ୍ଦ ଚନ୍ଦ୍ର ଜଣେ ସାମାଜିକ କର୍ମୀ, ସତ୍ୟାଗ୍ରହୀ ତଥା ରାଜନୈତିକ କର୍ମୀ ଭାବେ ମଧ୍ୟ ଜଣାଶୁଣା ।
ଗୋବିନ୍ଦ ଚନ୍ଦ୍ର ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଦଶପଲ୍ଲା, ନୟାଗଡ଼ ଜିଲ୍ଲା | ୩୧ ଡିସେମ୍ବର ୧୮୮୮
ମୃତ୍ୟୁ | ୧୩ ଅପ୍ରେଲ ୧୯୬୬ | (ବୟସ ୭୭)
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ବିଷୟ | ସ୍ୱାଧିନତା ସଂଗ୍ରାମୀ, ରାଜ୍ୟସଭା ସାଂସଦ, ଓ ସାହିତ୍ୟିକ |
ସାହିତ୍ୟ କୃତି | ଜାତୀୟ ଜୀବନର ଆତ୍ମପ୍ରକାଶ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ସମ୍ପର୍କୀୟ | ବୈଦ୍ୟନାଥ ମିଶ୍ର (ପିତା), କମଳା ଦେବୀ (ମାତ।) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଗୋବିନ୍ଦ ଚନ୍ଦ୍ର ଓଡ଼ିଶାର ପୂର୍ବତନ ଗଡ଼ଜାତ ଦଶପଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୭ ବର୍ଷ ବୟସରେ ପିତାମାତାଙ୍କୁ ହରାଇ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବାଲ୍ୟଶିକ୍ଷା ଲାଭ କଲେ । ନୟାଗଡ଼ ରାଜାଙ୍କ ସହାୟତାରେ ସେ ୧୯୧୦ରେ ମାଇନର ପାଶ୍ କଲେ । ପୁଣି କନିକା ରାଜାଙ୍କ ସହାୟତାରେ କଟକ ମିସନ ସ୍କୁଲରେ ୮ମ ରୁ ୧୧ଶ ପଢ଼ିଲେ । ୧୯୧୪ରେ ଦଶପଲ୍ଲା କନ୍ଧମେଳି ଆରମ୍ଭ ହେଲା । ସେଥିରେ ସଂପୃକ୍ତ ହେବାରୁ ସେ ଇଂରେଜଙ୍କ ଚକ୍ଷୁଶୁଳ ହେଲେ । ସେ ଗିରଫ ହେଲେ ମାତ୍ର କୌଣସି ମତେ ଖସିଯାଇ କଟକ ଛାଡ଼ି କଲିକତା ଶାନ୍ତିନିକେତନ ପଳାଇ ଗଲେ । ସେଠାରେ ସେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ପରାମର୍ଶ କ୍ରମେ ସି ଏଫ୍ ଆଣ୍ଡୃଜଙ୍କୁ ଦେଖା କଲେ । ବଡ଼ଲାଟଙ୍କୁ ଦଶପଲ୍ଲାର ପ୍ରଜା ଅତ୍ୟାଚାର ସଂପର୍କରେ ଲେଖିଲେ । ମାତ୍ର ବଡ଼ଲାଟଙ୍କ ଉଦାସୀନତା ତାଙ୍କ ସଂଗ୍ରାମୀ ଜୀବନର ଗତିପଥକୁ ବଦଳାଇଦେଲା । ସେ ନେତାଜୀ ସୁଭାଷ, ଅରବିନ୍ଦ ଘୋଷଙ୍କ ଯୋଗସୂତ୍ର ରଖି ବିପ୍ଳବାତ୍ମକ କାର୍ଯକ୍ରମରେ ଭାଗ ନେଲେ । ପୁନଶ୍ଚ ଆଣ୍ଡୃଜଙ୍କ ସୁପାରିଶ କ୍ରମେ ସେ ସାବରମତୀ ଆଶ୍ରମରେ ଗାନ୍ଧିଜୀଙ୍କୁ ଭେଟିଲେ । ୧୯୧୮ରେ ମହାତ୍ମାଙ୍କ ନିର୍ଦ୍ଦେଶରେ ସେ 'ଚରଖା ଓ ଖଦି' ଆନ୍ଦୋଳନରେ ଯୋଗ ଦେଲେ । ଏପରି କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ୧୯୧୯ରେ ସେ ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ପଞ୍ଜାବର ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ମୁମୁର୍ଷୁମାନଙ୍କ ସେବା ପାଇଁ ଗୋଟିଏ ସେବାଦଳର ନେତୃତ୍ୱ ନେଇ ସେଠାକୁ ଗଲେ । ସେଠାରୁ ଫେରି ସେ ଓଡ଼ିଶାର ଦୁର୍ଭିକ୍ଷ ଓ ମହାମାରୀ ସଂପର୍କରେ ମହାତ୍ମାଙ୍କ ଦୃଷ୍ଟି ଆକର୍ଷଣ କଲେ । ଗାନ୍ଧିଜୀଙ୍କ ଅନାଗ୍ରହ ଦେଖି ସେ ଥରେ କହିଲେ 'ବାପୁଜୀ ଜୋ ମରଗୟେ ହେଁ ଆପ ଉନକେଲିୟେ ତକଲିଫ୍ ଉଠା ସକତେ ହେଁ, ଲେକିନ ଯୋ ମର୍ ରହେହେଁ ଉନକେଲିୟେ ଆପ୍ ଜରାଭି ଶୋଚତେ ନହିଁ' ।[୩] ଫଳରେ ୧୯୨୦ରେ ଓଡ଼ିଶାରେ ଦୁର୍ଭିକ୍ଷ ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଠକ୍କର ବାପାଙ୍କ ସହିତ ଓଡ଼ିଶା ଆସିଲେ । ଓଡ଼ିଶାରେ ସେ ସେବା ସହିତ ଅସହଯୋଗ ଆନ୍ଦୋଳନର ବାର୍ତ୍ତା ପ୍ରଚାର କଲେ ।
ରାଜନୈତିକ ଜୀବନ
ସମ୍ପାଦନା୧୯୨୫ରେ କଟକର ଚମ୍ପାପୁର ଠାରେ ଗାନ୍ଧି ସେବାଶ୍ରମ ପ୍ରତିଷ୍ଠା କଲେ । ବିଦେଶି ଦ୍ରବ୍ୟ ବର୍ଜନ, ଭାରତଛାଡ଼ ଆନ୍ଦୋଳନ, ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ଜୀବନର ଅଧିକାଂଶ ସମୟ କାରାଗାରରେ କଟାଇ ଦେଇଥିଲେ । ସ୍ୱାଧିନତା ପରେ ସେ ୧୯୫୬ରେ ରାଜ୍ୟସଭାର ସାଂସଦ ହୋଇଥିଲେ । ଗ୍ରାମ ସ୍ୱରାଜ ଉପରେ ସେ ପାର୍ଲିଆମେଣ୍ଟରେ ଦେଇଥିବା ଭାଷଣ ଆଜି ବି ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଭାବେ ଗଣାହୁଏ । ଆଜୀବନ ଗ୍ରାମାଞ୍ଚଳମାନଙ୍କରେ ସେ ଖଦୀ ଆନ୍ଦୋଳନ, ଅନ୍ଧବିଶ୍ୱାସ ଦୂରୀକରଣ, କୁଷ୍ଠ ନିରାକରଣ, ଶିକ୍ଷାର ବିକାଶ, ବିଦ୍ୟାଳୟ ସ୍ଥାପନ, ସ୍ୱାସ୍ଥ୍ୟସେବାର ଉନ୍ନତିକରଣ ଭଳି ବହୁବିଧ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।[୪]
କାରାଗାରରେ ଥିଲାବେଳେ ସେ ଅନେକ ପୁସ୍ତକ ଲେଖିଥିଲେ । ବାଳଗଙ୍ଗାଧର ତଳକଙ୍କ 'ଗୀତା ରହସ୍ୟ'କୁ ଓଡ଼ିଆରେ ଅନୁବାଦ କରିବା ସହ ୩ ଭାଗରେ ନିଜ ଆତ୍ମଜୀବନୀ 'ଜାତୀୟ ଜୀବନର ଆତ୍ମପ୍ରକାଶ'[୬] ଲେଖିଥିଲେ । ସେଥିପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ ହୋଇଥିଲେ । ଉତ୍କଳ ସାହିତ୍ୟ ସମାଜ, ଶ୍ରୀରାମଚନ୍ଦ୍ର ଭବନରେ ତାଙ୍କ ପ୍ରତିକୃତି ସ୍ଥାନୀତ ।
- ଗାନ୍ଧିଙ୍କ ଜୀବନ ଚରିତ
- ଦେଶର ଆହ୍ୱାନ
- କଙ୍ଗ୍ରେସର ଆହ୍ୱାନ
- ଜାତିର ଆହ୍ୱାନ
- ଅନାସକ୍ତ ଯୋଗ
- ସତ୍ୟବାଣୀ
- କାରାଗାର କାହାଣୀ
- ହିନ୍ଦ୍ ସ୍ୱରାଜ୍ୟ
- ବାଳଗଙ୍ଗାଧର ତିଳକଙ୍କ 'ଗୀତା ରହସ୍ୟ'
- ଜାତୀୟ ଜୀବନର ଆତ୍ମପ୍ରକାଶ ୧ମ, ୨ୟ, ୩ୟ (ଆତ୍ମଜୀବନୀ)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର 'ଜାତୀୟ ଜୀବନର ଆତ୍ମପ୍ରକାଶ' ପାଇଁ ୧୯୫୬, ୧୯୫୭ ଏବଂ ୧୯୫୮ ମସିହା ପାଇଁ
ଆଧାର
ସମ୍ପାଦନା- ↑ https://amritmahotsav.nic.in/unsung-heroes-detail.htm?4706#:~:text=Govinda%20Chandra%20Mishra%20was%20the,when%20Govinda%20was%20a%20child.
- ↑ "Odisha Sahitya Akademi". odishasahityaakademi.org. Retrieved 2024-10-30.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୩୬୨-୩୬୩. ISBN 81-903352-1-9.
- ↑ https://archive.org/details/BiplavIGobindaChandraMishraTheFirstGandhianOfOdisha_201604
- ↑ ମହାନ୍ତି, ପ୍ରସନ୍ନ କୁମାର; ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ. pp. ୯୮. ISBN 81-7586-097-9.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୮୪୧. ISBN 81-7400-331-2.