ଶ୍ରୀୟା ଚଣ୍ଡାଳୁଣୀ

ବଳରାମ ଦାସଙ୍କ "ଲକ୍ଷ୍ମୀ ପୁରାଣ"ରେ କାଳ୍ପନିକ ଚରିତ୍ର

ଶ୍ରୀୟା ଚଣ୍ଡାଳୁଣୀ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣର ମୁଖ୍ୟ ଚରିତ୍ର ଓ ଏହି ରଚନା ଅନୁସାରେ ଜଣେ ଦଳିତ ନାରୀ ଥିଲେ । ଲକ୍ଷ୍ମୀ ପୁରାଣର କାହାଣୀ ତାତ୍କାଳିକ ଓଡ଼ିଶାରେ ଦଳିତ ମହିଳାଙ୍କ ଧାର୍ମିକ ଅଧିକାରକୁ କେନ୍ଦ୍ର କରି । ଏହି କାହାଣୀ ଅନୁସାରେ ଧନର ଦେବୀ ଲକ୍ଷ୍ମୀଙ୍କୁ ନିରନ୍ତର ପୂଜା କରୁଥିବା ଶ୍ରୀୟାଙ୍କ କୁଡ଼ିଆକୁ ଲକ୍ଷ୍ମୀ ମାର୍ଗଶିର ମାସ ଗୁରୁବାରରେ ବିଜେ କରନ୍ତି । ଦଳିତମାନଙ୍କୁ ସେ ସମୟରେ ହିନ୍ଦୁ ସମାଜର ଉଚ୍ଚ ଜାତିର ଲୋକେ ଅସ୍ପୃଶ୍ୟ ବିବେଚନା କରୁଥିବା ସତ୍ତ୍ୱେ ଲକ୍ଷ୍ମୀ ଶ୍ରୀୟାଙ୍କ କୁଡ଼ିଆକୁ ଯାଇ ତାଙ୍କୁ ଆଶୀର୍ବାଦ ଦିଅନ୍ତି । କିନ୍ତୁ ଲକ୍ଷ୍ମୀ ବଡ଼ ଦେଉଳକୁ ବାହୁଡ଼ିବା ବେଳେ ତାଙ୍କ ସ୍ୱାମୀ ଜଗନ୍ନାଥ ଏବଂ ଦେଢ଼ଶୂର ବଳଭଦ୍ର ତାଙ୍କୁ ଜଣେ ଅସ୍ପୃଶ୍ଯ ଲୋକର ଘରକୁ ଯାଇଥିବାରୁ ତାଙ୍କୁ "ଦୂଷିତ" ବୋଲି କହି ଅଟକାନ୍ତି । ଲକ୍ଷ୍ମୀ କୋପରେ ଦୁଇ ଭାଇଙ୍କୁ ଅଭିଷାପ ଦିଅନ୍ତି ଓ ଉଭୟ ଜଗନ୍ନାଥ ଓ ବଳଭଦ୍ର ଅସ୍ପୃଶ୍ୟତାର ବିଶାଳ କୁପରିଣାମ ଉପଲବ୍ଧି ନ କଲା ପର୍ଯ୍ୟନ୍ତ ଖାଦ୍ୟ, ପରିଧାନ ଓ ଆଶ୍ରାହୀନ ହୋଇ ରହନ୍ତି । ଅକଥନୀୟ ଦୁଃଖ ଭୋଗିବା ପରେ ସେମାନେ କାହାକୁ "ଅସ୍ପୃଶ୍ୟ" ବୋଲି ବ୍ୟବହାର କରାଯିବ ନାହିଁ ବୋଲି ହୃଦୟଙ୍ଗମ କରନ୍ତି ।[୧]

କିମ୍ବଦନ୍ତୀସମ୍ପାଦନ କରନ୍ତୁ

ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ । ଏହା ମତେ ଦାସଦାସୀ ପରିବେଷ୍ଟିତ ଲକ୍ଷ୍ମୀ ଦିନେ ସ୍ୱାମୀଙ୍କୁ ମାଣବସା ଗୁରୁବାର ବାବଦରେ ଜଣାଇ ଦେଶ ଭ୍ରମଣରେ ବଡ଼ ଦେଉଳରୁ ବିଜେ କଲେ । କିଏ ତାଙ୍କୁ ପୂଜୁଛି ତାହା ଜାଣିବା ନିମନ୍ତେ ସେ ଘର ଘର ବୁଲିଲେ । ଅନେକ ଧନୀ, ବଡ଼ ଲୋକ ସେଦିନ ଗୁରୁବାର ବୋଲି ଭୁଲି ଯାଇଥିବା ଦେଖିବା ପରେ ସେ ଶ୍ରୀୟା ନାମକ ଜଣେ ଦଳିତ ନାରୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖିବା ଦେଖି ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ । ଏହା ଶୁଣି ବଳରାମ କୋପକଲେ । ସେତେବେଳର ସମାଜରେ ଦଳିତମାନଙ୍କୁ ଅଛୁଆଁ ଭାବେ ଗଣା ଯାଉଥିବାରୁ ଜଣେ ଦଳିତ ଲୋକର ଘରେ ପାଦ ଦେଇଥିବାକୁ ଅପରାଧ ବିବେଚନା କରି ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ଅପମାନିତ ହୋଇ ସେ ଘରୁ ବାହାରି ଗଲେ । ଯିବା ବେଳେ ପଣ କଲେ କାଳିଆ-ବଳିଆ (ଜଗନ୍ନାଥ-ବଳଭଦ୍ର) ଦୁଇ ଭାଇଙ୍କୁ ଉଚିତ ଶିକ୍ଷା ଦେବେ । ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ତାଳବେତାଳ ନାମକ ଆଉ ଏକ ପ୍ରାସାଦ ଗଢ଼ାହେଲା । ଲକ୍ଷ୍ମୀ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ତାହାକୁ ଶ୍ରୀହୀନ କରିଦେଲେ । ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ । ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମାଲିକ/ମାଲିକାଣୀଙ୍କୁ ଲୋଡ଼ିଲେ । ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ । ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ ।[୨]

ସାହିତ୍ୟିକ ସମାଲୋଚନାସମ୍ପାଦନ କରନ୍ତୁ

ବଳରାମ ଦାସ ଓ ପଞ୍ଚସଖା ସମାଜରେ ବ୍ରାହ୍ମଣ୍ୟବାଦ, ମଠ-ମନ୍ଦିର ଜାତିଭିତ୍ତିକ ଭେଦଭାବ ଓ ଲୋକଭାଷାକୁ ଗୌଣ କରି ସଂସ୍କୃତକୁ ଅଗ୍ରାଧିକାରକୁ ବିରୋଧ କରି ସରଳ ଓ ସାଧାରଣ ବୋଧ୍ଯ ଓଡ଼ିଆରେ ସାହିତ୍ୟ ରଚନା କରୁଥିଲେ । ଦଳିତ ଲେଖକ ରାଜ କୁମାର ଲକ୍ଷ୍ମୀ ପୁରାଣକୁ ସମାଲୋଚନା କରି ଲେଖିଛନ୍ତି ଯେ ପଞ୍ଚସଖାଙ୍କ ମଧ୍ୟରୁ ଜଗନ୍ନାଥ ଦାସଙ୍କ ବ୍ୟତୀତ ଚାରିଜଣ କବି ନିଜେ ଦଳିତ ଥିଲେ । ପାଞ୍ଚଜଣ ଯାକ କବିଙ୍କ ରଚନାସମୂହ ହିନ୍ଦୁ ଦେବଦେବୀ ଓ ଶାସ୍ତ୍ରପୁରାଣକୁ ଆଧାର କରି ହୋଇଥିଲେ ମଧ୍ୟ ତାତ୍କାଳିକ ସମାଜର ଦଳିତ ଓ ସାଧାରଣ ଲୋକଙ୍କ ଜୀବନର ଆଲେଖକୁ ଭିତ୍ତିକରି । ଲକ୍ଷ୍ମୀପୁରାଣର କାହାଣୀରେ ବଳରାମ ଦାସଙ୍କ ଓଡ଼ିଆ ସମାଜରେ ଦଳିତମାନଙ୍କ ଉପରେ ଅସ୍ପୃଶ୍ୟତା ଭଳି ଅମାନବୀୟ ବ୍ୟବହାରକୁ ସ୍ପଷ୍ଟ ଭାବେ ଚିତ୍ରଣ କରିବା ସହ ଦଳିତ ନାରୀମାନେ କିଭଳି ଆହୁରି ଅଧିକ ସାମାଜିକ ପ୍ରତାଡ଼ନା ସହୁଥିଲେ ବୋଲି ରାଜ କୁମାର ବର୍ଣ୍ଣନା କରିଛନ୍ତି ।[୧] ସମାଲୋଚକ ସତ୍ୟପ୍ରକାଶ ମହାନ୍ତି ଲକ୍ଷ୍ମୀ ପୁରାଣକୁ ଏକ ନାରୀବାଦୀ ରଚନା ବୋଲି ଅଭିହିତ କରିଛନ୍ତି ।[୩]

ଜନପ୍ରିୟ ରଚନାରେସମ୍ପାଦନ କରନ୍ତୁ

ଲକ୍ଷ୍ମୀ ପୁରାଣରେ ଶ୍ରୀୟା ଚଣ୍ଡାଳୁଣୀଙ୍କ ଚରିତ୍ରକୁ ଭିତ୍ତିକରି ବିଭିନ୍ନ ରଚୟିତା ଭିନ୍ନ ଭିନ୍ନ କାହାଣୀ ରଚନା କରିଛନ୍ତି । ତନ୍ମଧ୍ୟରୁ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ "ଲକ୍ଷ୍ମୀ-ଚଣ୍ଡାଳୁଣୀ" ନାଟକ ଅନ୍ୟତମ ।[୪] ବୈଷ୍ଣବ ପାଣି ମଧ୍ୟ "ଶ୍ରୀୟା ଚଣ୍ଡାଳୁଣୀ" ନାମରେ ଏକ ଗୀତିନାଟ୍ୟ ରଚନା କରିଥିଲେ ।

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ Women reinventing development the Odisha experience. Asha Hans, Amrita M. Patel, Bidyut Mohanty, Swarnamayee Tripathy. London. 2021. ISBN 978-1-000-42220-7. OCLC 1256677005.{{cite book}}: CS1 maint: others (link)
  2. "ମାଣବସା ଗୁରୁବାର". ଆମ ବିବେକ. Retrieved 13 November 2014.
  3. Mohanty, Satya P. (2008). "Alternative Modernities and Medieval Indian Literature: The Oriya "Lakshmi Purana" as Radical Pedagogy". Diacritics. 38 (3): 3–21. ISSN 0300-7162.
  4. ଲକ୍ଷ୍ମୀକାନ୍ତ ମହାପାତ୍ର; Laxmikanta Mahapatra (1958). ଲକ୍ଷ୍ମୀ-ଚଣ୍ଡାଳୁଣୀ.