ଯୋରନ୍ଦା ମେଳା
ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାଠାରେ ଏହି ପର୍ବ ପାଳନ କରାଯାଏ । ଦୂରଦୂରାନ୍ତରୁ ଅନେକ ଲୋକ ଏଇ ତିନିଦିନିଆଁ ମେଳାରେ ଭାଗ ନେବାକୁ ଆସିଥାନ୍ତି। ଏହିଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ମହିମା ସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି ।ଏହି ମେଳା ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନରେ ଅନୁଷ୍ଠିତ ହୁଏ । ଏହାର ପାଞ୍ଚଦିନ ପୂର୍ବରୁ ତଥା ଦଶମୀ ତିଥିରୁ ମହିମାଗାଦିରେ ସନ୍ନ୍ୟାସୀଙ୍କର ସମାବେଶ ହୁଏ । ତ୍ରୟୋଦଶୀ ପାହାନ୍ତାରେ ମହିମା ମେଳା ଆରମ୍ଭ ହୁଏ ଏବଂ ଏହାକୁ ପାହାନ୍ତା ପୂର୍ଣ୍ଣମୀ ମଧ୍ୟ କୁହାଯାଏ । ଏହି ଉତ୍ସବରେ ବେଢା ପରିକ୍ରମା କାର୍ଯ୍ୟ ହୋଇଥାଏ । ବଳ୍କଳଧାରୀ ମହିମା ସମାଜ ତରଫରୁ ଯେଉଁ ସନ୍ନ୍ୟାସୀମାନେ ବଳ୍କଳ ପାଇବାକୁ ଯୋଗ୍ୟ ଏବଂ କୌପୀନଧାରୀ ସମାଜ ପକ୍ଷରୁ ଯେଉଁମାନେ ଆଡ଼ବନ୍ଧ ପାଇବା ପାଇଁ ମନୋନୀତ ହୁଅନ୍ତି ସେମାନଙ୍କୁ ତାହା ପ୍ରଦାନ କରାଯାଏ । ଏହି ଉତ୍ସବ ଦେଖିବା ପାଇଁ ସାଧାରଣ ଭକ୍ତଙ୍କୁ ଅନୁମତି ନଥାଏ । ତ୍ରୟୋଦଶୀ ସନ୍ଧ୍ୟାରେ କୌପୀନଧାରୀ ମହିମାସମାଜ ଏବଂ ବଳ୍କଳଧାରୀ ମହିମା ସମାଜର କର୍ମକର୍ତ୍ତାଗଣ ନିର୍ବାଚିତ ହୁଅନ୍ତି । ବିଭିନ୍ନ ଦେଶ ବୁଲି ସନ୍ନ୍ୟାସୀମାନେ ଆଦାୟ କରିଥିବା ଅର୍ଥ ଏବଂ ସାମଗ୍ରୀ ମହିମାଗାଦିର କର୍ମକର୍ତ୍ତାଙ୍କ ହାତରେ ଅର୍ପଣ କରନ୍ତି । ଚତୁର୍ଦ୍ଦଶୀ ଦିନ ଦିବା ଦୁଇଘଣ୍ଟା ସମୟରୁ ଉତ୍ସବ ପାଳନର ପ୍ରସ୍ତୁତି ହୁଏ । ଆକାଶରେ ପୂର୍ଣ୍ଣ ଚାନ୍ଦ । ମନ୍ଦିର ବେଢାରେ ବାଦ୍ୟନିନାଦ । ଲୋକାରଣ୍ୟ ହୁଏ ମହିମାପୀଠ । ମୁହୁର୍ମୁହଃ ଉଚ୍ଚାରିତ ହେଉଥାଏ ଅଲେଖ ମହିମା ଶବ୍ଦ । ଆକାଶର ପୂର୍ଣ୍ଣଚନ୍ଦ୍ର ଏବଂ ଘିଅ ଦୀପାଳିର ଆଲୋକ ମିଶି ଗାଦିମନ୍ଦିରର ଶ୍ରୀ ଯୋଗେଶ୍ୱର ମହିମାଙ୍କ ସ୍ମୃତିକୁ ଅବଲୋକନ କରୁଛନ୍ତି ଯେପରି । ମହିମା ଧର୍ମ ଏକ ସ୍ୱତନ୍ତ୍ର ଧର୍ମ ନୁହେଁ ,ଏହା ବିଶୁଦ୍ଧ ହିନ୍ଦୁ ଧର୍ମର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ । କେତେକ ସାହିତ୍ୟିକ ପଣ୍ଡିତ ମତ ଦିଅନ୍ତି ଯେ ମହିମା ଧର୍ମ ବୌଦ୍ଧ ଧର୍ମର ରୂପାନ୍ତର , କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ । କାରଣ ବୌଦ୍ଧ ଧର୍ମ ଓ ମହିମା ଧର୍ମର ଲକ୍ଷ୍ୟ ସମ୍ପୂର୍ଣ୍ଣ ଅଲଗା । ବୌଦ୍ଧ ଧର୍ମର ଲକ୍ଷ୍ୟ ନିର୍ବାଣ ପ୍ରାପ୍ତି ଏବଂ ମହିମା ଧର୍ମର ଲକ୍ଷ୍ୟ ବ୍ରହ୍ମଲାଭ । ମହିମା ଧର୍ମରେ ଦୁଇ ଶ୍ରେଣୀର ସନ୍ନ୍ୟାସୀ ଦୃଷ୍ଟିଗୋଚର ହୁଅନ୍ତି I ସେମାନେ ହେଲେ କୌପୀନଧାରୀ ଓ ବଳ୍କଳଧାରୀ । ଦୁଇଗୋଷ୍ଠି ସନ୍ନ୍ୟାସୀଙ୍କର ସୃଷ୍ଟିକର୍ତ୍ତା ନିଜେ ଯୋଗେଶ୍ୱର ମହିମାପ୍ରଭୁ । ସ୍ୱୟଂ ଯୋଗେଶ୍ୱର ମହିମାପ୍ରଭୁ ମହିମାଧର୍ମର ପ୍ରବର୍ତ୍ତକ । ତାଙ୍କର ଜନ୍ମସ୍ଥାନ, ଜନ୍ମକାଳ ଓ ପିତାମାତାଙ୍କ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ । ଯୋଗେଶ୍ୱର ମହିମାପ୍ରଭୁ ଅଯୋନିସମ୍ଭୂତ ବୋଲି ଜଣାଯାଏ ।
ଯୋରନ୍ଦା ମେଳା | |
---|---|
ଅନ୍ୟ ନାମ | ମହିମାମେଳା |
ପାଳନକାରୀ | ମହିମା ଧର୍ମାବଲମ୍ବୀ |
ପ୍ରକାର | ଧାର୍ମିକ |
ଆରମ୍ଭ | ମାଘ ତ୍ରୟୋଦଶୀ |
ଶେଷ | ମାଘ ପୂର୍ଣ୍ଣିମା |
୨୦୨୪ ତାରିଖ | ୨୩ ଫେବୃଆରୀ - ୨୫ ଫେବୃଆରୀ |
ସମ୍ପର୍କିତ | ମହିମା ଗୋସାଇଁ |
କିମ୍ବଦନ୍ତୀ
ସମ୍ପାଦନାସତ୍ୟମହିମା ଧର୍ମର ପ୍ରଚାର ପାଇଁ ଏହାର ପ୍ରତିଷ୍ଠାତା ମହିମାପ୍ରଭୁ ଯୋଗେଶ୍ୱର ପାଦରେ ସାରା ଓଡ଼ିଶା ଭ୍ରମଣ କରିଥିଲେ । ଶେଷରେ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମରେ ଉପସ୍ଥିତ ହୋଇ ଶିଷ୍ୟଙ୍କ ମଧ୍ୟରୁ ୮୪ଜଣଙ୍କୁ କୌପୀନ ଅବଂ ୯୧ଜଣଙ୍କୁ ବକ୍କଳ ପ୍ରଦାନ କରି ମହିମା ସନ୍ନ୍ୟାସୀ ନାମରେ ଅଭିହିତ କରିଥିଲେ । ଶ୍ରୀ ଦିଲ୍ଲୀଶ୍ୱରାବ୍ଦ ୧୨୮୩ ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଯୋଗେଶ୍ୱର ମହିମାପ୍ରଭୁ ପଦ୍ମାସନରେ ଉପବିଷ୍ଟ ହୋଇ ଦେହତ୍ୟାଗ କରିଥିଲେ I ତାଙ୍କର ଶରୀରକୁ ଯୋରନ୍ଦାଠାରେ ଭୂସମାଧି ଦିଆଗଲା ଏବଂ ଢେଙ୍କାନାଳ ନରେଶ ଅଲେଖ ମହିମା’ ମହାମନ୍ତ୍ର ଉଚ୍ଚାରଣ କରି ଏହି କାର୍ଯ୍ୟ ସମାପନ କରିଥିଲେ । ସେହି ସମାଧି ମନ୍ଦିର ବା ‘ସ୍ମୃତିମନ୍ଦିର’ ମହିମାଗାଦି ନାମରେ ପ୍ରସିଦ୍ଧ । ମହିମା ପ୍ରଭୁଙ୍କର ଦେହତ୍ୟାଗ ପରଠାରୁ ପ୍ରତିବର୍ଷ ମହିମାଗାଦି ପ୍ରାଙ୍ଗଣରେ ମହିମା ମେଳା ମହୋତ୍ସବ ପାଳିତ ହୋଇଆସୁଛି ।
ଯୋଗେଶ୍ୱର ମହାପ୍ରଭୁଙ୍କ ଆବିର୍ଭାବ ପୂର୍ବରୁ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ତାଙ୍କ ଭବିଷ୍ୟତ ମାଳିକାରେ ଭଗବାନ ମହିମାପ୍ରଭୁଙ୍କ ଆବିର୍ଭାବ ହେବାକଥା ସୂଚନା ଦେଇଥିଲେ
“ପୁଣି କଳି ପାପଭାର ହୋଇବ ପ୍ରବଳ I
ଅଯୋନିସମ୍ଭୂତ ହେବେ ବୁଦ୍ଧ ଅବତାର II
ବିନା ଆହାରରେ ତହୁଁ ନେବେ କିଛିଦିନ I
ଯୋଗୀବେଶ ଧରିଥିବେ କପିଳାସ ସ୍ଥାନ II
ଗ୍ରାମେଗ୍ରାମେ ବୁଲିକରି ଯାଚୁଥିବେ ଜ୍ଞାନ I
ତହୁଁ ବୁଲି ବ୍ରହ୍ମାଣ୍ଡରେ ମାଗୁଥିବେ ଅନ୍ନ II
ଅନ୍ନ ନ ଦେବଟି ଭିକ୍ଷା ନଚାହିଁଲେ ଜ୍ଞାନ I
ଥୋକେ ବୋଲୁଥିବେ ଏ ତ ପାଗଳ ବଚନ II
ସପ୍ତଦ୍ୱୀପ ମହୀ ବୁଲି ସ୍ୱାମୀ ମହାବାହୁ I
ସତ୍ୟଧର୍ମ ଯାଚୁଥିବେ ନ ଚାହିଁବେ କେହୁ II
ଏଇମାତ୍ର ଭୋଇ (ଭୀମଭୋଇ) କିଛି ମହିମା ବଖାଣି I
କହିବେ ଥୋକାଏ ଜ୍ଞାନ ପ୍ରଭୁଠାରୁ ଶୁଣି II[୧]
ପ୍ରାଣିଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ି ଥାଉ ଜଗତ ଉଦ୍ଧାର ହେଉ
ଆଧାର
ସମ୍ପାଦନା- ↑ ରବିବାର ସମାଜ, ୫-୧୧ ଫେବୃଆରୀ ୨୦୧୨, ପୃଷ୍ଠା: ୭