ବିବୁଧେନ୍ଦ୍ର ମିଶ୍ର

ଓଡ଼ିଆ ରାଜନୀତିଜ୍ଞ, ସାହିତ୍ୟିକ

ବିବୁଧେନ୍ଦ୍ର ମିଶ୍ର (କୁନି ଭାଇନା ଭାବେ ପରିଚିତ, ୩୦ ନଭେମ୍ବର ୧୯୨୦ - ୧୫ ଫେବୃଆରୀ, ୨୦୧୨) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଆଇନଜୀବୀ, କ୍ରୀଡ଼ା ସଂଗଠକ, ଲେଖକ ତଥା ସାମ୍ବାଦିକ ଥିଲେ । ସେ ଓଡ଼ିଶାର ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

ବିବୁଧେନ୍ଦ୍ର ମିଶ୍ର
ଜନ୍ମ(1920-11-30)୩୦ ନଭେମ୍ବର ୧୯୨୦
ମୃତ୍ୟୁ୧୫ ଫେବୃଆରୀ ୨୦୧୨(2012-02-15) (ବୟସ ୯୧)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ (ଆଇନ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବୃତ୍ତି(ସମୂହ)ଆଇନଜୀବୀ, ଲେଖକ ତଥା ସାମ୍ବାଦିକ
ବୈବାହିକ-ସାଥୀଉମା ରାୟ
ପିତାମାତାଗୋପିନାଥ ମିଶ୍ର ଓ ମୁକ୍ତାବାଳା ଦେବୀ
ପୁରସ୍କାରଉତ୍କଳ ରତ୍ନ
ୱେବସାଇଟhttp://bibudhendramisra.com/aboutus.html

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ବିବୁଧେନ୍ଦ୍ର ମିଶ୍ର ୧୯୨୦ ମସିହା ନଭେମ୍ବର ୩୦ ତାରିଖରେ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ କୁଣ୍ଢେଇବେଣ୍ଟ ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଗୋପିନାଥ ମିଶ୍ର ଓ ମାତାଙ୍କ ନାମ ମୁକ୍ତାବାଳା ଦେବୀ । ପୁରୀ ଜିଲ୍ଲା ସ୍କୁଲରୁ ୧୯୩୬ ମସିହାରେ ମାଟ୍ରିକ ପଢ଼ିସାରିବା ପରେ ସେ ରେଭେନ୍ସା କଲେଜରୁ ୧୯୪୧ ମସିହାରେ ସ୍ନାତକ ଓ ପାଟନା ଲ' କଲେଜରୁ ୧୯୪୯ ମସିହାରେ ଆଇନରେ ସ୍ନାତକ ଉପାଧି ହାସଲ କରିଥିଲେ ।

ସେ ଉମା ରାୟଙ୍କୁ ବିବାହ କରିଥିଲେ । ଉମା ରାୟ ଥିଲେ ତତ୍କାଳୀନ ପାର୍ଲାମେଣ୍ଟାରୀ ସେକ୍ରେଟାରୀ ପ୍ୟାରୀଶଙ୍କର ରାୟଙ୍କ ଭଉଣୀ ଓ ଗୌରୀଶଙ୍କର ରାୟଙ୍କ ଅଣନାତୁଣୀ, ଏବଂ ୨୦୦୦ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ବିବୁଧେନ୍ଦ୍ର ଓ ଉମାଙ୍କର ଝିଅଙ୍କ ନାମ ତାପସୀ ଓ ପୁଅଙ୍କ ନାମ ମାନବେନ୍ଦ୍ର ।

ସ୍ୱାଧୀନତା ସଂଗ୍ରାମ

ସମ୍ପାଦନା

୧୯୩୭ ମସିହାରେ ସେ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେସନର ଓଡ଼ିଶା ଶାଖାର ପ୍ରତିଷ୍ଠାତା ସଦସ୍ୟ ଥିଲେ । ୧୯୪୦ ମସିହାରେ ଜାନୁଆରୀ ୨୬ ତାରିଖ ଦିନ ରେଭେନ୍ସା ମହାବିଦ୍ୟାଳୟ ପରିସରରେ ବ୍ରିଟିଶ ପତାକା ୟୁନିଅନ ଜ୍ୟାକକୁ ବାହାର କରି କଂଗ୍ରେସର ତ୍ରିରଙ୍ଗା ପତାକା ଉଡ଼ାଇବା ଯୋଗୁଁ ମହାବିଦ୍ୟାଳୟରୁ ନିଲମ୍ବିତ ଓ ପୁଲିସଦ୍ୱାରା ଗିରଫ ହୋଇ କାରାବରଣ କରି ଥିଲେ । [] ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ବ୍ରହ୍ମପୁର ଜେଲରେ ବନ୍ଦୀଜୀବନ ଅତିବାହିତ କରିଥିଲେ । [] ସ୍ୱାଧୀନତା ପରବର୍ତ୍ତୀ ସମୟରେ ସେ ସୀମା ଆନ୍ଦୋଳନ, ଏଆଇଏସଏଫ, ଏବଂ ବିଭିନ୍ନ ଶ୍ରମିକ ସଂଗଠନ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ସେ କଂଗ୍ରେସରେ ଥିଲେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଅପେକ୍ଷା ସୁଭାଷ ବୋଷ ତାଙ୍କୁ ବେଶୀ ଆକର୍ଷିତ କରିଥିଲେ । ବୋଷଙ୍କ ପରି ସେ ମଧ୍ୟ ବିଶ୍ୱାସ କରୁଥିଲେ ଯେ କେବଳ ଅହିଂସା ଉପାୟରେ ସ୍ୱାଧୀନତା ମିଳିବ ନାହିଁ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ୱାନରେ ସେ ଫରୱାର୍ଡ଼ ବ୍ଳକରେ ଯୋଗଦେଇ ଓଡ଼ିଶା ଶାଖାର ସଭାପତି ହୋଇଥିଲେ । ପରବର୍ତ୍ତୀ ସମୟରେ ଆଜାଦ ହୀନ୍ଦ ଫୌଜର ପୁନର୍ବସନ ଓ ଥଇଥାନ କମିଟିର ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ହୋଇଥିଲେ ।

ରାଜନୀତି

ସମ୍ପାଦନା

୧୯୫୮ରୁ ୧୦୬୨ ପର୍ଯ୍ୟନ୍ତ ସେ କଂଗ୍ରେସ ଦଳ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ [] ଓ ୧୯୬୨ରୁ ୧୯୬୬ ପର୍ଯ୍ୟନ୍ତ ପୁରୀରୁ ସେ ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୮ରୁ ୧୯୬୯ ଇଣ୍ଡିଆନ ଟେଲିଫୋନ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥିଲେ । ଜବାହରଲାଲ ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ଆଇନ ବିଭାଗର ଉପମନ୍ତ୍ରୀ, ଗୁଲଜରୀଲାଲ ନନ୍ଦାଙ୍କ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଶିଳ୍ପ ବିଭାଗର ଉପମନ୍ତ୍ରୀ ଓ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳରେ ଶିଳ୍ପ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ୧୯୬୭ ଓ ୧୯୭୧ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିଲେ । ୧୯୭୧ ମସିହାରେ ସେ ବିଜୁ ପଟ୍ଟନାୟକଙ୍କ ସହ ଉତ୍କଳ କଂଗ୍ରେସରେ ସାମିଲ ହୋଇଥିଲେ ।

ସେ ନିଜ ଆତ୍ମଜୀବନୀ ଜୀବନ ଯାତ୍ରା ପଥରେ, ମଣିଷ ପରି ମଣିଷ, ଜେଲ-୧୯୪୨, ସ୍ୱାଧୀନତା ସଂଗ୍ରାମର କେତେକ ମୁଖ୍ୟ ନେତାଙ୍କ ଜୀବନୀ ଯଥା ଆମ ନେତା ସିରିଜ, ଖିଆଲି, ଅସମାପ୍ତ, ମାଟ୍ରିକୁଲେସନର ଇତିହାସ, ଭାରତର ଇତିହାସ ଆଦି ଅନେକ ପୁସ୍ତକ ରଚନା କରିଯାଇଛନ୍ତି ।

ସାମ୍ବାଦିକତା

ସମ୍ପାଦନା

ସେ ସୁଭାଷ ବୋଷଙ୍କ ଭାଇ ଶରତ ଚନ୍ଦ୍ର ବୋଷଙ୍କ ଇଂରାଜୀ ପତ୍ରିକା ନେସନର ଓଡ଼ିଶା ଆଞ୍ଚଳିକ ସାମ୍ବାଦିକ ଭାବେ ଓ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ଼ର ଓଡ଼ିଶା ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ସେ ବିଭିନ୍ନ ସମୟରେ ସମାଜର ସହ-ସମ୍ପାଦନା ସହ ଦିନଲିପି ଓ ମାତୃଭୂମିର ସମ୍ପାଦନା ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ୧୯୫୪ରୁ ୧୯୬୩ ଯାଏଁ ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ, ସିଣ୍ଡିକେଟ ଓ ଏକାଡେମିକ କାଉନ୍ସିଲର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ୧୯୫୮ରେ ଟ୍ରେଡ଼ ୟୁନିଅନ କଂଗ୍ରେସ ଓଡ଼ିଶା ଶାଖାର ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୮୭ରେ ଭିଏନାଠାରେ ଅନୁଷ୍ଠିତ ବିଶ୍ୱ ଶାନ୍ତି ସମାବେଶରେ ଭାରତ ପକ୍ଷରୁ ୯ ଜଣିଆ ପ୍ରତିନିଧି ମଣ୍ଡଳର ସଦସ୍ୟ ଭାବେ ଯୋଗ ଦେଇଥିଲେ ।

ଆଇନଜୀବୀ

ସମ୍ପାଦନା

ସେ ୧୯୪୯ରେ ଓଡ଼ିଶାର ତତ୍କାଳୀନ ବିଶିଷ୍ଟ ଆଇନଜ୍ଞ ହରିହର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଜୁନିଅର କାଉନ୍ସେଲର ଭାବେ ଓକିଲାତି ଆରମ୍ଭ କରିଥିଲେ । ନିର୍ବାଚନ ଓ ସମ୍ବିଧାନ ସଂକ୍ରାନ୍ତ ମକଦ୍ଦମା ପରିଚାଳନାରେ ସେ ଦକ୍ଷ ଥିଲେ । ଦଳମତ ନିର୍ବିଶେଷରେ ସେ ବିଭିନ୍ନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ବିରୋଧରେ ବସିଥିବା ସରଜୁ ପ୍ରସାଦ କମିସନ ମାମଲା, ବୀରେନ ମିତ୍ରଙ୍କ ନିର୍ବାଚନ ମାମଲା, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କ ନିର୍ବାଚନ ମାମଲା ପରିଚାଳନା କରିଥିଲେ । ସେ ବୁର୍ଲା ଗୁଳିକାଣ୍ଡ ଓ ଛାତ୍ର ଆନ୍ଦୋଳନ ମାମଲା ତଥା ସରକାରଙ୍କ ପକ୍ଷରୁ କଟକ ମଦମୃତ୍ୟୁ ମାମଲା ଭଳି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ମାମଲାର ପରିଚାଳନା କରିଥିଲେ । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବାର ଆସୋସିଏସନର ତିନିଥର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

କ୍ରୀଡ଼ା ସଙ୍ଗଠକ

ସମ୍ପାଦନା
  • ଓଡ଼ିଶା ଆଥଲେଟିକ ଆସୋସିଏସନର ସଭାପତି
  • ସନସାଇନ ଫୁଟବଲ କ୍ଳବର ସଭାପତି
  • ଓଡ଼ିଶା କ୍ରିକେଟ ଆସୋସିଏସନର ପ୍ରତିଷ୍ଠାତା ସଦସ୍ୟ
  • କଟକ ଫୁଟବଲ କ୍ଳବର ପ୍ରତିଷ୍ଠାତା ସଦସ୍ୟ
  • ଉତ୍କଳ ସଙ୍ଗୀତ ସମାଜର ସଭାପତି

ପୁରସ୍କାର ଓ ସମ୍ମାନ

ସମ୍ପାଦନା

ମୃତ୍ୟୁ

ସମ୍ପାଦନା

୨୦୧୨ ମସିହା ଫେବୃଆରୀ ୧୫ ତାରିଖ ଦିନ କଟକର ଏକ ଘରୋଇ ନର୍ସିଂହୋମରେ ବିବୁଧେନ୍ଦ୍ର ମିଶ୍ରଙ୍କର ଦେହାନ୍ତ ହୋଇଥିଲା । ଖାନନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।[]

  1. "articles.timesofindia.indiatimes.com: Bibhudhendra Mishra passes away at 91". Archived from the original on 2013-10-06. Retrieved 2012-03-09.
  2. ibnlive.in.com: Freedom fighter, former Union minister Bibhudendra Mishra dies[permanent dead link]
  3. "Alphabetical List Of All Members Of Rajya Sabha Since 1952". 164.100.47.5. Retrieved 30 December 2012. Misra Shri Bibudhendra Odisha INC 03/04/1958 02/04/1964 {{cite web}}: horizontal tab character in |quote= at position 24 (help)
  4. ibnlive.in.com: Bibhudendra Mishra cremated with state honour[permanent dead link]