ବାସୁଦେବ ସୁଢ଼ଳଦେବ, ଦେଶୀୟ ରାଜ୍ୟ ବାମଣ୍ଡାର ୨୭ତମ ରାଜା ଥିଲେ । ତାଙ୍କ ରାଜତ୍ଵ କାଳରେ, ବାମଣ୍ଡାର ସର୍ବାଙ୍ଗୀନ ଉନ୍ନତି ଘଟିଥିଲା । ଓଡ଼ିଆ ଭାଷାସାହିତ୍ୟର ସେ ଜଣେ ପୃଷ୍ଟପୋଷକ ଥିଲେ ।[୧]

ବାସୁଦେବ ସୁଢ଼ଳଦେବ
Basudev Sudhaldev.jpg
ଜନ୍ମ ଓ ଜନ୍ମସ୍ଥାନ ୧୬ ମଇ ୧୮୫୦(1850-05-16)
ମୃତ୍ୟୁ ୧୯ ନଭେମ୍ବର ୧୯୦୩ (୫୩ ବର୍ଷ)
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ

ବିଷୟସୂଚୀ

ବାଲ୍ୟଜୀବନସମ୍ପାଦନ କରନ୍ତୁ

ବାସୁଦେବ, ୧୮୫୦ ମସିହା ମେ ୧୬ତାରିଖରେ ବାମଣ୍ଡାର ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଅପୁତ୍ରିକ ବଡ଼ ଭାଇ ବ୍ରଜସୁନ୍ଦର ତ୍ରିଭୂବନ ଦେବ ତାଙ୍କୁ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରିଥିଲେ । ତ୍ରିଭୂବନ ଦେବଙ୍କ ଅନ୍ତେ, ବାସୁଦେବ ମାତ୍ର ୧୮ବର୍ଷ ବୟସରେ ବାମଣ୍ଡାର ରାଜ୍ୟଭାର ଗ୍ରହଣ କରିଥିଲେ ।

ବାସୁଦେବ, ପ୍ରାଥମିକ ଶିକ୍ଷା ଗାଁ ଚାଟଶାଳିରେ ଗ୍ରହଣ କରିଥିଲେ । ରାଜ୍ୟ ଶାସନ ଭାର ଗ୍ରହଣ କରିବା ଆଗରୁ, ପଣ୍ଡିତ ଆନନ୍ଦ ବ୍ରହ୍ମାଙ୍କଠାରୁ ସଂସ୍କୃତ ଓ ବ୍ୟକରଣ, ପଣ୍ଡିତ ପୁରୁଷୋତ୍ତମ ଏବଂ ପଣ୍ଡିତ ଭୁବନେଶ୍ଵର ବଡ଼ପଣ୍ଡାଙ୍କଠାରୁ ବେଦ, ଉପନିଷେଦ ଆଦିର ଜ୍ଞାନ ଆହରଣ କରିଥିଲେ ।

ରାଜତ୍ଵସମ୍ପାଦନ କରନ୍ତୁ

ସୁଢ଼ଳଦେବଙ୍କ ରାଜତ୍ଵକାଳ ବାମଣ୍ଡା ଇତିହାସର ସ୍ଵର୍ଣ୍ଣୀମ ସମୟ ଥିଲା । ରାଜା ଭାବରେ, ସେ କୃଷି ଓ ପ୍ରଶାସନ କ୍ଷେତ୍ରରେ ଅନେକ ସୁଧାର ଓ ପରିବର୍ତ୍ତନ ଆଣିଥିଲେ । ଭୂମୀ ସୁଧାର ଓ ଭୂରାଜସ୍ଵ ତାଙ୍କ ରାଜତ୍ଵକାଳରେ ଆରମ୍ଭ ହୋଇଥିଲା । ତାଙ୍କ ପୂର୍ବରୁ ବାମଣ୍ଡାରେ ଏକମାତ୍ର ପ୍ରାଥମିକ ବିଦ୍ୟାଳୟ ଥିଲା । ସେ ୨୮ଟି ପ୍ରାଥମିକ ଓ ବାମଣ୍ଡାର ରାଜଧାନୀ ଦେଓଗଡ଼ଠାରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ଉଚ୍ଚବିଦ୍ୟାଳୟଟି କଲିକତା ବିଶ୍ଵବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଥିଲା । ବହୁ ଉଚ୍ଚଶିକ୍ଷିତ ଓ ଯୋଗ୍ୟ ଶିକ୍ଷକମାନଙ୍କୁ ଆଣି ପାଠ ପଢାଯାଉଥିଲା । ବାମଣ୍ଡାର ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ସୁବିଧା ପାଇଁ, ସେ ବ୍ରାହ୍ମଣୀ ନଦୀ ଦେଇ କଟକ ସହ ରାସ୍ତା ସଂଯୋଗ କରିଥିଲେ । ଅନ୍ୟ ଦେଶୀୟ ରାଜ୍ୟମାନଙ୍କ ସହ ସଡ଼କପଥରେ ସଂଯୋଗ ସାଧନ କରାଯାଇଥିଲା । ବାମଣ୍ଡାରେ ଏକ ବୃହତ କରତ କଳ ସ୍ଥାପନା କରି, ସେ ରୋଜଗାରର ସୁଯୋଗ ସୃଷ୍ଟି କରିଥିଲେ । ବିଜ୍ଞାନ ଓ ପ୍ରାଦ୍ୟୋଗିକୀ କ୍ଷେତ୍ରରେ ସେ ତାଙ୍କ ସମୟଠାରୁ ବହୁ ଆଗରେ ଥିଲେ । ଦେଓଗଡ଼ଠାରେ ସେ ଏକ ଅବସର୍ଭେଟରି ପ୍ରତିଷ୍ଠା କରିଥିଲେ । ଏକ୍ସ-ରେ ଓ ଟେଲିସ୍କୋପ ମେସିନ କ୍ରୟ କରି ଲୋକର୍ପିତ କରିଥିଲେ । ୧୮୯୪ମସିହାରେ ବାମଣ୍ଡାରେ ପୋଷ୍ଟ ଅଫିସ ପ୍ରତିଷ୍ଠା କରାଯାଇଥିଲା ଓ ୧୯୦୦ମସିହାରେ ବାମଣ୍ଡାକୁ ଟେଲିଫୋନ ସଂଯୋଗ କରାଯାଇଥିଲା । ବାଲ୍ୟବିବାହ ଓ ଯୌତୁକ ପ୍ରଥାର ବିଲୋପ କରିଥିଲେ । ଅନାଥ ପିଲା ଓ ବିଧବାମାନଙ୍କ ଥଇଥାନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିଥିଲେ । ନିଶାଦ୍ରବ୍ୟର ସେ ଘୋର ବିରୋଧୀ ଥିଲେ । ରାଜା ହୋଇ ମଧ୍ୟ, ସେ ନିରାଡମ୍ବର ଜୀବନ ଯାପନ କରୁଥିଲେ । ଛତ୍ର-ଚାମରଧାରୀ ବା ଅଙ୍ଗରକ୍ଷୀ ଆଦି ସୀମିତ ବ୍ୟବହାର କରୁଥିଲେ । କଳା ଭାସ୍କର୍ଯ୍ୟର ସେ ପ୍ରଂଶସକ ଥିଲେ ।[୨]

ଭାଷା ଓ ସାହିତ୍ୟକୁ ଅବଦାନସମ୍ପାଦନ କରନ୍ତୁ

ଓଡ଼ିଆ ଓ ସଂସ୍କୃତ ଭାଷା ସାହିତ୍ୟର ଉନ୍ନତି ପ୍ରତି ସୁଢ଼ଳଦେବଙ୍କ ପ୍ରମୁଖ ଅବଦାନ ରହିଥିଲା । ସଂସ୍କୃତ ଭାଷାରେ ଶିକ୍ଷାଦାନ ପାଇଁ ସଂସ୍କୃତ ଟୋଲମାନ ପ୍ରତିଷ୍ଠା କରିଥିଲେ । ୧୮୮୬ମସିହାରେ ଦେଓଗଡ଼ରେ ଜଗନ୍ନାଥ ବଲ୍ଲଭ ପ୍ରେସ ପ୍ରତିଷ୍ଠା କରିଥିଲେ ।[୩] ସମ୍ବଲପୁର ହିତୈଷିଣୀ ନାମକ ଏକ ସାପ୍ତାହିକ ସମ୍ବାଦପତ୍ର ପ୍ରଚଳନ ଆରମ୍ଭ କରିଥିଲେ । ନୀଳମଣି ବିଦ୍ୟାରତ୍ନ ଏହି ସମ୍ବାଦପତ୍ରରେ ସମ୍ପାଦନା କରୁଥିଲେ । ପତ୍ରିକାଟି ସମଗ୍ର ଓଡ଼ିଶାରେ ଆଦୃତି ହାସଲ କରିଥିଲା । ଫକୀର ମୋହନ ସେନାପତି, ରାଧାନାଥ ରାୟ, ମଧୁସୂଦନ ରାଓ, ବିଶ୍ଵନାଥ କର ପ୍ରମୂଖ ଏହି ପତ୍ରିକାରେ ଲେଖାଲେଖି କରୁଥିଲେ । ଫକୀର ମୋହନ ସୁଢ଼ଳଦେବଙ୍କ ଉଦ୍ଦେଶ୍ୟରେ କହିଥିଲେ

ହେ ସୁଢ଼ଳ ମହାରାଜ କରେଁ ନମସ୍କାର
ହିତୈଷିଣୀ ତୁମ୍ଭ ଯଶ କରୁଛି ପ୍ରଚାର
ବାମଣ୍ଡା ରାଜ୍ୟରେ କରୁଅଛ ରାଜପଣ
ମାତ୍ର ଜ୍ଞାନରାଜ୍ୟେ ଅଟ ନୃପତି ଆପଣ
ହେ ରାଜନ ମାତୃଭାଷା ଉନ୍ନତି କରଣେ
ଉତ୍ସାହିତ କରୁଅଛ ଗ୍ରନ୍ଥକର୍ତ୍ତା ଗଣେ ॥

ତାଙ୍କ ଶାସନକାଳରେ ବାମଣ୍ଡା ଥିଲା ଓଡ଼ିଆ ସାହିତ୍ୟର ପ୍ରାଣକେନ୍ଦ୍ର । ଏହାକୁ ଲୋକମୁଖରେ "ବୁଧହଂସ କେଳିସର" କୁହାଯାଉଥିଲା । ତାଙ୍କ ଦରବାରରେ ରାଧାନାଥ ରାୟଙ୍କୁ କବିବର ଉପାଧୀ ପ୍ରଦାନ କରାଯାଇଥିଲା । ସେ ନିଜେ ମଧ୍ୟ କବିତା ରଚନା କରୁଥିଲେ । ରାଧାନାଥ ରାୟ ତାଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ

ତୁମ୍ଭ ଶୁଭ ଆବିର୍ଭାବ ହୋଇଛି ଉତ୍କଳେ, ଦେବଦୁର୍ଗ ଦେବ!
ଏବେ ତୀର୍ଥ ସାରସ୍ଵତ, ବୁଧହଂସ କେଳିସରଃ, ଅବିଦ୍ୟା ଉଷରେ॥

ରଚନାବଳୀସମ୍ପାଦନ କରନ୍ତୁ

  • ଚିତ୍ରୋତ୍ପଳା
  • ବୀରବାମା
  • କିସ୍କିନ୍ଧ୍ୟା
  • ଜହ୍ନମାମୁଁ କବିତା

ସୁଢ଼ଳଦେବଙ୍କ ସୁଶାସନ ଓ ସର୍ବାଙ୍ଗୀନ ଉନ୍ନତିକୁ ସ୍ଵୀକୃତି ପ୍ରଦାନ କରି ୧୮୯୫ ମସିହା ମାର୍ଚ୍ଚ ୬ ତାରିଖରେ ବ୍ରିଟିଶ ସରକାର ତାଙ୍କୁ 'Knight Commander of Indian Empire' ବା "ସାର୍" ଉପାଧୀ ପ୍ରଦାନ କରିଥିଲା ।[୪] ଏହି ଉପାଧୀ ହାସଲ କରିବାରେ ସେ ପ୍ରଥମ ଓଡ଼ିଆ ଥିଲେ ।[୫] ଉତ୍କଳ ଗୌରବ ମଧୁସୂଦନ ରାଓ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେସନରେ ତାଙ୍କୁ ସଭାପତି ଭାବରେ ନିମନ୍ତ୍ରଣ କରିଥିଲେ । କିନ୍ତୁ ସେ ଅଧିବେଶନ ପୂର୍ବରୁ ୧୯୦୩ମସିହା ନଭେମ୍ବର ୧୯ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[୬]

ଆଧାରସମ୍ପାଦନ କରନ୍ତୁ