ପେଞ୍ଚ୍ ଜାତୀୟ ଉଦ୍ୟାନ
ପେଞ୍ଚ୍ ଜାତୀୟ ଉଦ୍ୟାନ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ରାଜ୍ୟର ସୀମାରେ ଅବସ୍ଥିତ । ସାତପୁରା ବା ସାତପୁଡ଼ା ପାହାଡ଼ର ଦକ୍ଷିଣ ଭାଗରେ ଏହି ଜାତୀୟ ଉଦ୍ୟାନ ଗଢ଼ି ଉଠିଛି । ଜାତୀୟ ଉଦ୍ୟାନର ଉତ୍ତରରୁ ଦକ୍ଷିଣକୁ ପେଞ୍ଚ୍ ନଦୀ ପ୍ରବାହିତ ହେଉଛି ଯାହା ନାମରେ ଏହି ଉଦ୍ୟାନକୁ ନାମିତ କରାଯାଇଛି ।
ପେଞ୍ଚ୍ ଜାତୀୟ ଉଦ୍ୟାନ | |
---|---|
ପେଞ୍ଚ୍ ବ୍ୟାଘ୍ର ଅଭୟାରଣ୍ୟ | |
IUCN Category II (National Park) | |
ଭାରତ ମାନଚିତ୍ରରେ ପେଞ୍ଚ୍ ଜାତୀୟ ଉଦ୍ୟାନର ଅବସ୍ଥିତି | |
ଅବସ୍ଥାନ | ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ର ସୀମା |
ପାଖ ସହର | ସିଓନି ଜିଲ୍ଲା ଓ ଛିନ୍ଦୱାଡ଼ା ଜିଲ୍ଲା |
ଦିଗବାରେଣି | 21°40′17.76″N 79°18′11.88″E / 21.6716000°N 79.3033000°E |
କ୍ଷେତ୍ରଫଳ | ୭୫୭.୮୫ ବର୍ଗ କିଲୋମିଟର୍ |
ସ୍ଥାପିତ | ୧୯୭୭ |
ପରିଚାଳନା | ଭାରତ ସରକାର, ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ, ବ୍ୟାଘ୍ର ପ୍ରକଳ୍ପ, ମଧ୍ୟ ପ୍ରଦେଶ ସରକାର |
ଇତିହାସ
ସମ୍ପାଦନାଆକବରଙ୍କ ସମୟର ଆଇନ୍-ଇ-ଆକବରୀରେ ପେଞ୍ଚ୍ ଜଙ୍ଗଲର ଉଲ୍ଲେଖ ରହିଛି । ପୁଣି ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ୍ ଆଦି ଜଙ୍ଗଲ ରୁଡ୍ୟାର୍ଡ୍ କିପ୍ଲିଂଗ୍ଙ୍କ ଦ ଜଙ୍ଗଲ ବୁକ୍ ପୁସ୍ତକର କାହାଣୀର ପୃଷ୍ଠଭୂମି ବୋଲି କୁହାଯାଏ ।[୧] ତେବେ ବୋଧହୁଏ କିପ୍ଲିଂଗ୍ ଏହି ସବୁ ଜଙ୍ଗଲ ନିଜେ ବୁଲିନଥାଇ ପାରନ୍ତି ଓ ତାଙ୍କ ଲେଖା ସେ ବୁଲିଥିବା ଅଞ୍ଚଳର ହୋଇଥାଇପାରେ ।[୨]
୧୬ଶ ଶତାବ୍ଦୀ ବେଳକୁ ଏହି ଜଙ୍ଗଲ ଦେବଗଡ଼ ବା ଦେଓଗଡ଼ ରାଜ୍ୟର ଅଂଶ ଥିଲା ଏବଂ ପ୍ରାକୃତିକ ସମ୍ପଦ ଓ ଜୀବଜନ୍ତୁରେ ପରିପୂର୍ଣ୍ଣ ଥିଲା (କୁମାର ୧୯୮୯) । ସପ୍ତଦଶ ଶତାବ୍ଦୀର ଶେଷବେଳକୁ ଅନେକ ବ୍ରିଟିଶ୍ ଲେଖକ ମଧ୍ୟ ଭାରତର କେନ୍ଦ୍ରୀୟ ଉଚ୍ଚଭୂମି ଓ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଉଦ୍ଭିଦ ଜଗତ ଓ ଜୀବଜନ୍ତୁଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ଫୋର୍ସାଇଥ୍, ଷ୍ଟର୍ଣ୍ଣଡେଲ୍ ଓ ବ୍ରାଣ୍ଡର୍ ସେମାନଙ୍କ ମଧ୍ୟରୁ ଉଲ୍ଲେଖଯୋଗ୍ୟ ।
୧୭ଶ ଶତାବ୍ଦୀରେ ଏଠାକାର ଗୋଣ୍ଡ ଶାସକମାନେ ଏଠାରେ ବସବାସ ଓ କୃଷିକାର୍ଯ୍ୟ କରୁଥିବା ଜଙ୍ଗଲୀ ଲୋକଙ୍କୁ ବିତାଡ଼ିତ କରିଥିଲେ । ସେମାନଙ୍କ ପରେ ଏହି ଅଞ୍ଚଳ ମରହଟ୍ଟା ଓ ତାଙ୍କ ପରେ ଈଂରେଜମାନଙ୍କ ଅଧୀନକୁ ଆସିଥିଲା । ୧୮୬୨ ମସିହା ପରେ ଏହି ଅଞ୍ଚଳର ସଂରକ୍ଷଣ ପ୍ରତି ଦୃଷ୍ଟି ଦିଆଯିବା ଆରମ୍ଭ ହେଲା (କୁମାର ୧୯୮୯) ।
୧୯୭୭ ମସିହାରେ ପେଞ୍ଚ୍ ଅଭୟାରଣ୍ୟର ସ୍ଥାପନା କରାଗଲା । ସେତେବେଳେ ଏହାର ସମୁଦାୟ କ୍ଷେତ୍ରଫଳ ୪୪୯.୩୯ ବର୍ଗ କି.ମି. ଥିଲା । ୧୯୮୩ ମସିହାରେ ଏହାକୁ ଜାତୀୟ ଉଦ୍ୟାନର ମାନ୍ୟତା ଦିଆଯାଇ “ଇନ୍ଦିରା ପ୍ରିୟଦର୍ଶିନୀ ଜାତୀୟ ଉଦ୍ୟାନ” ବୋଲି ନାମିତ କରାଗଲା । ୧୯୯୨ ମସିହାରେ ବ୍ୟାଘ୍ର ପରିଯୋଜନା ଅନୁସାରେ ଏହାକୁ ଭାରତର ୧୯ତମ ବ୍ୟାଘ୍ର ଅଭୟାରଣ୍ୟ ବୋଲି ଘୋଷିତ କରାଗଲା ।
ପାର୍ଶ୍ୱରେ ରହିଥିବା ବୋର୍ ବନ୍ୟଜୀବ ଅଭୟାରଣ୍ୟକୁ ପେଞ୍ଚ୍ ଜାତୀୟ ଉଦ୍ୟାନର ମହାରାଷ୍ଟ୍ର ଭାଗ ସହିତ ମିଶାଇ ଏହାର କ୍ଷେତ୍ର ବୃଦ୍ଧି କରାଯିବାର ଯୋଜନା ରହିଛି ।[୩]
ଭୌଗୋଳିକ ରୂପ
ସମ୍ପାଦନାସାତପୁରା ପାହାଡ଼ର ଦକ୍ଷିଣ ପଟକୁ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ଏଠାକାର ଭୂମି ଛୋଟ ଛୋଟ ପାହାଡ଼, ଉପତ୍ୟକା ଓ ଢାଲୁଆ ଭୂମିରେ ଗଠିତ । ଜାତୀୟ ଉଦ୍ୟାନର ସମଗ୍ର ଅଞ୍ଚଳ ଅନେକ ଛୋଟ ଛୋଟ ନଦୀନାଳ ଓ ପାହାଡ଼ିଆ ସ୍ରୋତମାନଙ୍କଦ୍ୱାରା ବିଖଣ୍ଡିତ । ପେଞ୍ଚ୍ ନଦୀ ନିକଟରେ ଭୂମି କ୍ରମଶଃ ସମତଳ ହୋଇଯାଇଛି । ବ୍ୟାଘ୍ର ଅଭୟାରଣ୍ୟର ଭୂମି ସାମାନ୍ୟ ଢାଲୁଆ (୦-୨୨°) । ଏହି ଅଭୟାରଣ୍ୟର ହାରାହାରି ଉଚ୍ଚତା ସମୁଦ୍ର ପତନରୁ ପ୍ରାୟ ୫୫୦ ମିଟର୍ । ଆଗ୍ନେୟ ଓ ବାସାଲ୍ଟ୍ ଶିଳାଦ୍ୱାରା ଏଠାକାର ପାହାଡ଼ିଆ ଭୂମିର ବିନ୍ୟାସ ହୋଇଛି ।
ଜଳବାୟୁ
ସମ୍ପାଦନାଭାରତର କେନ୍ଦ୍ରୀୟ ଉଚ୍ଚଭୂମିର ଜଳବାୟୁ କ୍ରାନ୍ତୀୟ ମୌସୁମୀ ଜଳବାୟୁ । ଏଠାରେ ଜୁଲାଇରୁ ସେପ୍ଟେମ୍ବର ମାସ ଯାଏଁ ମୌସୁମୀ ବର୍ଷା, ନଭେମ୍ବରରୁ ଫେବୃଆରୀ ଶୀତ ଋତୁ ଏବଂ ଅପ୍ରେଲରୁ ଜୁନ୍ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ ଅନୁଭୂତ ହୁଏ ।
ଏଠାରେ ବାର୍ଷିକ ହାରାହାରି ୧୪୦୦ ମି.ମି. ବୃଷ୍ଟିପାତ ହୋଇଥାଏ । ଭାରତର ଅଧିକାଂଶ ସ୍ଥାନ ପରି ଏଠାରେ ମଧ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ସମୟରେ ସର୍ବାଧିକ ବର୍ଷା ହୁଏ । ନଭେମ୍ବରରୁ ମଇ ମାସ ଶୁଷ୍କ ଋତୁ ଓ ଶୁଷ୍କ ସମୟରେ ୫୯.୫ ମି.ମି. ହାରାହାରି ବର୍ଷା ହୁଏ । ବର୍ଷ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଶୀତଦିନେ ୦° ସେଲ୍ସିୟସ୍ ଓ ସର୍ବାଧିକ ତାପମାତ୍ରା ଗ୍ରୀଷ୍ମଋତୁରେ ୪୫° ସେଲ୍ସିୟସ୍ ପର୍ଯ୍ୟନ୍ତ ହୋଇପାରେ ।
ଉଦ୍ଭିଦ
ସମ୍ପାଦନାପେଞ୍ଚ୍ ଜାତୀୟ ଉଦ୍ୟାନର ଅରଣ୍ୟ କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ ଶ୍ରେଣୀର ।[୪] ତେବେ ଚାମ୍ପିୟନ୍ ଓ ସେଠଙ୍କ ୧୯୬୮ ମସିହାର ବର୍ଗୀକରଣ ଅନୁସାରେ ଏଠାରେ ଥିବା ଗଛ ଗୁଡ଼ିକ ଉଭୟ କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ ଓ କ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ ଶ୍ରେଣୀର ।
ଏଠାକାର ଜଙ୍ଗଲରେ ଶାଗୁଆନ୍ ଗଛ ସର୍ବବ୍ୟାପ୍ତ । ଏହାଛଡ଼ା ସମତଳିଆ ଭୂମିରେ ମହୁଲି (Madhuca indica), କେନ୍ଦୁ (Diospyros melanoxylon), ଅସନ (Terminalia tomentosa), ଚାରୁ (Buchanania lanzan), ଭସ୍ମଗର୍ଭ (Ougeinia dalbergoides), ଇନ୍ଦ୍ରମୟୀ (Lannea coromandalica) ଇତ୍ୟାଦି ଗଛ ମଧ୍ୟ ଏଠାକାର ଜଙ୍ଗଲରେ ଦେଖାଯାନ୍ତି । ପାହାଡ଼ିଆ ଭୂମିରେ ଗୁଗ୍ଗୁଳ (Boswellia serrata), ଧାବଡ଼ା (Anogeissus latifolia), ଗୁଡ଼ାଳ (Sterculia urens), କୁର୍ଲୁ (Gardenia latifolia) ପରି ଗଛ ମଧ୍ୟ ଦେଖିବାକୁ ମିଳନ୍ତି । ନଦୀ କୂଳିଆ ଓ ଢାଲୁଆ ଅଞ୍ଚଳରେ ବାଉଁଶ ବଣ ମଧ୍ୟ ଦେଖିବାକୁ ମିଳେ । ଲମ୍ବା ଘାସ ଥିବା ଅଞ୍ଚଳରେ ସ୍ଥାନେ ସ୍ଥାନେ ପଳାଶ (Butea monosperma), ବରକୋଳି (Zizyphus mauritiana) ପରି ଗଛ ରହିଥାଏ । ପେଞ୍ଚ୍ ଜଙ୍ଗଲରେ ନଦୀକୂଳିଆ ସ୍ଥାନମାନଙ୍କରେ ଅର୍ଜୁନ (Terminalia arjuna), ଜାମୁକୋଳି (Syzygium cumini), ତେଲ୍ଲୁ (Ixora parviflora) ପରି ଚିରହରିତ୍ ଗଛ ମଧ୍ୟ ଦେଖାଯାନ୍ତି ।
ପୂର୍ବରୁ ଗ୍ରାମ ରହିଥିବା ସ୍ଥାନ, ଯେଉଁଠାରୁ ଗ୍ରାମଗୁଡ଼ିକୁ ଜାତୀୟ ଉଦ୍ୟାନର ବାହରକୁ ବିସ୍ଥାପିତ କରାଯାଇଛି, ସେଠାରେ ବର୍ତ୍ତମାନ ବିସ୍ତୀର୍ଣ୍ଣ ତୃଣଭୂମି ସୃଷ୍ଟି ହୋଇଛି । ଏହି ସବୁ ତୃଣଭୂମିର ରୂପ ଖରା ଓ ଶୀତ ଦିନ ଅନୁସାରେ ବଦଳୁଥାଏ ।
ଚିତ୍ର ଗ୍ୟାଲେରି
ସମ୍ପାଦନା-
ପେଞ୍ଚ୍ ଜାତୀୟ ଉଦ୍ୟାନର ଦଳେ ଚିତଲ୍ ହରିଣ
-
ପେଞ୍ଚ୍ ଉଦ୍ୟାନର ଏକ ସୁବର୍ଣ୍ଣ କାଠହଣା ଚଢ଼େଇ
-
ଭଦଭଦଳିଆ ଚଢ଼େଇ
-
ପେଞ୍ଚ୍ ଉଦ୍ୟାନର ଏକ ବାଘ ପରିବାର
-
ପେଞ୍ଚ୍ ଉଦ୍ୟାନର ସୁନ୍ଦର ଜଙ୍ଗଲ
-
ପେଞ୍ଚ୍ ବାଘୁଣୀ ପତଦେଓ
-
ପେଞ୍ଚ୍ ଜାତୀୟ ଉଦ୍ୟାନର ଏକ କୋଚିଲାଖାଇ ଚଢ଼େଇ
-
ସୁବର୍ଣ୍ଣ ବିଲୁଆ ବା ସୁବର୍ଣ୍ଣ ଶିଆଳ
-
କପୋତ
-
ପେଞ୍ଚ୍ ଜାତୀୟ ଉଦ୍ୟାନରେ ସୂର୍ଯ୍ୟାସ୍ତର ସୁନ୍ଦର ଦୃଶ୍ୟ
-
ପେଞ୍ଚ୍ ଉଦ୍ୟାନରେ ବୁଲୁଥିବା ଏକ ନୀଳଗାଈ
-
ଆଳସ୍ୟ ଭାଙ୍ଗୁଥିବା ମହାବଳ ବାଘ
ବନ୍ୟପ୍ରାଣୀ
ସମ୍ପାଦନାପେଞ୍ଚ୍ ଜଙ୍ଗଲରେ ଦେଖାଯାଉଥିବା କିଛି ମାଂସଭୋଜୀ ପ୍ରାଣୀ ହେଲେ ମହାବଳ ବାଘ, କଲରାପତରିଆ ବାଘ, ବଳିଆ କୁକୁର, ବଣଭୁଆ, କଟାସ ଇତ୍ୟାଦି । କିଛି ସ୍ଥାନରେ ଗଧିଆ ପରି ଜୀବ ମଧ୍ୟ ଦେଖାଯାନ୍ତି । ହେଟା ବାଘ, ଭାଲୁ, ସୁବର୍ଣ୍ଣ ବିଲୁଆ, ଶାଳିଆପତିନି ପରି ମାଂସାସୀ ଜୀବ ମଧ୍ୟ ଏଠାକାର ଜଙ୍ଗଲରେ ଦେଖିବାକୁ ମିଳେ ।
ଚିତଲ୍ ହରିଣ, ସମ୍ବର ହରିଣ, ବନ୍ୟ ଗୟଳ, ନୀଳଗାଈ, ବାର୍ହା, କୁଟୁରା, ଚୌଶିଂଘା ହରିଣ ପରି ତୃଣଭୋଜୀ ଜୀବ ପେଞ୍ଚ୍ ଜଙ୍ଗଲରେ ବହୁ ସଂଖ୍ୟାରେ ଦେଖିବାକୁ ମିଳନ୍ତି । ଜଙ୍ଗଲ ମଧ୍ୟରେ ପାଣିର ମାତ୍ରା ଏହି ଜୀବଙ୍କ ଅବସ୍ଥିତି ନିର୍ଦ୍ଧାରଣ କରିଥାଏ । ଖରା ଦିନେ ବା ଶୁଷ୍କ ଋତୁରେ ବନ୍ୟ ଗୟଳମାନେ ପାହାଡ଼ିଆ ସ୍ଥାନରୁ ତଳକୁ ଓହ୍ଲାଇ ଆସି ଜଳସ୍ରୋତମାନଙ୍କ ପାଖରେ ରହନ୍ତି ଏବଂ ବର୍ଷା ଆରମ୍ଭ ହେଲେ ପୁଣି ପାହାଡ଼ିଆ ସ୍ଥାନକୁ ଚାଲିଯାନ୍ତି । ନୀଳଗାଈମାନେ ଖୋଲା ଅଞ୍ଚଳରେ, ବୁଦାଳିଆ ଓ ଅଣ-କୋର୍ ଅଞ୍ଚଳର ଜଙ୍ଗଲରେ ରହନ୍ତି । ଚୌଶିଂଘାମାନଙ୍କ ବ୍ୟାପ୍ତି ଅତ୍ୟନ୍ତ ସୀମିତ । ଆର୍ଦ୍ର ସ୍ଥାନମାନଙ୍କରେ କୁଟୁରାମାନେ ଚଳପ୍ରଚଳ ହୁଅନ୍ତି । ଖୋଲା ସ୍ଥାନମାନଙ୍କରେ ଚିଂକାରା ହରିଣ କାଁ ଭାଁ ପରିଲକ୍ଷିତ ହୁଅନ୍ତି ।
ପେଞ୍ଚ୍ ଜଙ୍ଗଲରେ ହନୁ ମାଙ୍କଡ଼ ଓ ପାତି ମାଙ୍କଡ଼ ପରି ଆଦି ବାନର ପ୍ରଜାତି ବସବାସ କରନ୍ତି । ଝିଙ୍କ, ନେଉଳ, ଭାରତୀୟ ଠେକୁଆ ପରି ଜୀବ ମଧ୍ୟ ଏହି ଜାତୀ ଉଦ୍ୟାନରେ ସ୍ଥାନେ ସ୍ଥାନେ ଦେଖାଯାନ୍ତି ।
ପେଞ୍ଚ୍ ଉଦ୍ୟାନର ମହାବଳ ବାଘ
ସମ୍ପାଦନା- ଲଂଗ୍ଡ଼ି (ଛୋଟି) – ଲଂଗ୍ଡ଼ି ପେଞ୍ଚ୍ ଜାତୀୟ ଉଦ୍ୟାନର ଏକ ଜଣାଶୁଣା ବାଘୁଣୀ ଥିଲା । ଏହି ବାଘୁଣୀ ଚାଲିବା ବେଳେ ମନେ ହେଉଥିଲା ଯେପରି ଏହାର କୌଣସି ଶାରୀରିକ ବିକୃତି ଅଛି ବା ସେ ଆହତ ଅଛି । କିନ୍ତୁ ପ୍ରକୃତରେ ଏହି ବାଘୁଣୀର ସେପରି କୌଣସି ବିକୃତି ନଥିଲା । ଲଂଗ୍ଡ଼ି ଏକ ବିରାଟ ଇଲାକାର ନିୟନ୍ତ୍ରଣ କରୁଥିଲା । ପର୍ଯ୍ୟଟକଙ୍କ ଗାଡ଼ି ନିକଟକୁ ଆସିବା ପାଇଁ ଲଂଗ୍ଡ଼ି ମନରେ କୌଣସି ସଙ୍କୋଚ ନଥିଲା । କିଛି ବର୍ଷ ପୂର୍ବେ ସେ ୨-୩ଟି ଶାବକ ଜନ୍ମ ଦେଇଥିଲା ।
- ଶର୍ମିଳି (ଲାଜକୁଳା)- ଏହି ବାଘୁଣୀ ଅତ୍ୟନ୍ତ ଲାଜକୁଳା ପ୍ରକୃତିର ଥିଲା । ମନୁଷ୍ୟ ଆଖପାଖକୁ ସେ ସାଧାରଣତଃ ଆସୁନଥିଲା । ଜଙ୍ଗଲରେ ଏହି ବାଘୁଣୀକୁ ଠାବ କରିବା ମଧ୍ୟ ଅତି କଷ୍ଟକର ।
- ବି ଏମ୍ ଡବ୍ଲୁ (BMW) – ଏହି ବାଘଟିର ଶରୀରରେ ମୋଟରଗାଡ଼ି ନିର୍ମାତା କମ୍ପାନୀ ବି. ଏମ୍. ଡବ୍ଲୁ.ର ଲୋଗୋ ପରି ଏକ ଚିହ୍ନ ରହିଥିବାରୁ ଏହି ବାଘର ଏପରି ନାମକରଣ କରାଯାଇଥିଲା ।
- କଲାର୍ୱାଲି – ଏହି ବାଘୁଣୀ ବେକରେ ଏକ ରେଡ଼ିଓ କଲାର୍ ବା ପଟି ବନ୍ଧା ହୋଇଥିଲା । ପରେ ଏହି କଲାର୍ଟି ଭାଙ୍ଗି ଯାଇଥିଲା ଓ ଏବେ ଏହି ବାଘୁଣୀ ବକରେ କୌଣସି କଲାର୍ ପରିଲକ୍ଷିତ ହୁଏନାହିଁ । କିନ୍ତୁ ବାଘୁଣୀଟିର ନାମ ରହିଯାଇଛି । ପର୍ଯ୍ୟଟକଙ୍କ ସାମନାକୁ ଆସିବା ବା ତାଙ୍କ ଗାଡ଼ି ପାଖରେ ଚଲାବୁଲା କରିବା ପାଇଁ ଏହି ବାଘୁଣୀ କୌଣସି ଶଙ୍କା ପ୍ରଦର୍ଶନ କରେନାହିଁ ।
ପର୍ଯ୍ୟଟନ
ସମ୍ପାଦନାପେଞ୍ଚ୍ ଜାତୀୟ ଉଦ୍ୟାନ ବୁଲି ଦେଖିବା ପାଇଁ ପ୍ରକୃଷ୍ଟ ସମୟ ହେଉଛି ନଭେମ୍ବରରୁ ମଇ ମାସ । ଜାତୀୟ ଉଦ୍ୟାନ ସକାଳ ୬ରୁ ୧୦:୩୦ ଓ ଅପରାହ୍ନ ୩ରୁ ୬ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହେ । ଜୁଲାଇ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହେ । ରେଳପଥ ଓ ସଡ଼କପଥଦ୍ୱାରା ପେଞ୍ଚ୍ ଜାତୀୟ ଉଦ୍ୟାନ ନିକଟରେ ପହଞ୍ଚି ହେବ । ନାଗପୁର ସହରର ଡଃ ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନ ବନ୍ଦର ହେଉଛି ଜାତୀୟ ଉଦ୍ୟାନର ନିକଟତମ ବିମାନବନ୍ଦର । ସିଓନି ଜାତୀୟ ଉଦ୍ୟାନର ନିକଟତମ ସହର ଏବଂ ସିଓନିରୁ ବସ୍ ମାଧ୍ୟମରେ ଜାତୀୟ ଉଦ୍ୟାନରେ ପହଞ୍ଚି ହେବ । ପେଞ୍ଚ୍ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଜିପ୍ ସଫାରୀ ପ୍ରତିଦିନ ଦୁଇଥର ବାହାରେ । ଏକଦା ପେଞ୍ଚ୍ ଉଦ୍ୟାନରେ ହାତୀ ପିଠିରେ ବସି ସଫାରୀ ଉପଭୋଗ କରାଯାଉଥିଲା କିନ୍ତୁ ବର୍ତ୍ତମାନ ତାହା ବନ୍ଦ କରିଦିଆ ଯାଇଛି ।
ମଧ୍ୟପ୍ରଦେଶର ଅନ୍ୟ ଦୁଇ ଜାତୀୟ ଉଦ୍ୟାନ ବାନ୍ଧବଗଡ଼ ଜାତୀୟ ଉଦ୍ୟାନ ଓ କାହ୍ନା ଜାତୀୟ ଉଦ୍ୟାନ ସହ ତୁଳନା କଲେ ପେଞ୍ଚ୍ ସେତେଟା ଲୋକପ୍ରିୟ ନୁହେଁ କିନ୍ତୁ ତଥାପି ଏଠାକାର ଜଙ୍ଗଲ ଓ ଜୀବଜନ୍ତୁ ଦେଖିବା ପାଇଁ ଜନ ସମାଗମ ହୋଇଥାଏ । ଅନ୍ୟ ଜାତୀୟ ଉଦ୍ୟାନଙ୍କ ଭଳି କୋର୍ ଅଞ୍ଚଳର ୨୦% ଅଂଶ ପର୍ଯ୍ୟଟନ ପାଇଁ ଖୋଲାଯାଇଛି । ପ୍ରତିଦିନ କେତୋଟି ଗାଡ଼ି ସଫାରୀରେ ଜଙ୍ଗଲ ଭିତରକୁ ଯିବ ତାହା ବନ ବିଭାଗ ନିର୍ଦ୍ଧାରଣ କରିଥାଏ । ମଧ୍ୟପ୍ରଦେଶ ପଟରୁ ପେଞ୍ଚ୍ ଜାତୀୟ ଉଦ୍ୟାନ ଭିତରକୁ ପଶିବା ପାଇଁ ଦୁଇଟି ପ୍ରବେଶ ଦ୍ୱାର ରହିଛି । ଏଇ ଦୁଇଟି ମଧ୍ୟରୁ ମୁଖ୍ୟତଃ ତୁରିଆ ପ୍ରବେଶ ଦ୍ୱାର ବ୍ୟବହୃତ ହୋଇଥାଏ ।
ଆଧାର
ସମ୍ପାଦନା- ↑ "MPT - Madhya Pradesh Tourisum". www.mptourism.com. Retrieved 2016-06-11.
- ↑ "The Jungle Book with preface by W.W. Robson".
- ↑ Vijay Pinjarkar, TNN (12-11-2-11), "Bor to be 'satellite' core of Pench tiger reserve", Times of India, Nagpur: Bennett, Coleman & Co. Ltd, archived from the original on 2013-01-03, retrieved 12-3-2012
{{citation}}
: Check date values in:|accessdate=
and|date=
(help) - ↑ Wikramanayake, E. D., E. Dinerstein, J. G. Robinson, U. Karanth, A. Rabinowitz, D. Olson, T. Mathew, P. Hedao, M. Conner, G. Hemley, and D. Bolze. (1998), "An Ecology-Based Method for Defining Priorities for Large Mammal Conservation: The Tiger as Case Study" (PDF), Conservation Biology, vol. 12, pp. 865–878, doi:10.1046/j.1523-1739.1998.96428.x, retrieved 2012-03-13
{{citation}}
: CS1 maint: multiple names: authors list (link)[permanent dead link]