ଦକ୍ଷ ପ୍ରଜାପତି ମନ୍ଦିର

ଦକ୍ଷ ପ୍ରଜାପତି ମନ୍ଦିର ହେଉଛି ଓଡ଼ିଶାର ପ୍ରାଚୀନ ମନ୍ଦିରମାନଙ୍କ ମଧ୍ୟରେ ଅନ୍ୟତମ । ଏହି ମନ୍ଦିରଟି ପ୍ରାଚୀନ ଉତ୍କଳୀୟ କାରୁକାର୍ଯ୍ୟ ନିମନ୍ତେ ପ୍ରସିଦ୍ଧ । ଏହି ମନ୍ଦିରଟି ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାର ଡାହାଣ ପାର୍ଶ୍ୱରେ ୧୬ ନଂ ଜାତୀୟ ରାଜପଥଠାରୁ ପ୍ରାୟ ୫ କିମି ଦୂରରେ ଅବସ୍ଥିତ । ଏହି ମନ୍ଦିରଟି ମଧ୍ୟ ଭୁବନେଶ୍ବରଠାରୁ ପ୍ରାୟ ୧୦୪ କିମି ଦୂର । ପୁରାଣ ଅନୁସାରେ ଦକ୍ଷ ହେଉଛନ୍ତି ବ୍ରହ୍ମାଙ୍କ ପୁତ୍ର ଓ ସତୀଙ୍କର ପିତା । ଉକ୍ତ ମନ୍ଦିରରେ ଦକ୍ଷ ପ୍ରଜାପତି ଶିବଙ୍କ ରୂପରେ 'ଦକ୍ଷେଶ୍ୱର' ନାମରେ ପୂଜା ପାଆନ୍ତି । ଏଣୁ ଏହି ମନ୍ଦିରକୁ 'ଦକ୍ଷେଶ୍ୱର ଶିବ ମନ୍ଦିର' ବୋଲି ମଧ୍ୟ କୁହାଯାଏ ।

ଦକ୍ଷ ପ୍ରଜାପତି ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଖୋର୍ଦ୍ଧା
Location
ସ୍ଥାନବାଣପୁର
Stateଓଡ଼ିଶା
Countryଭାରତ
Architecture
Typeକଳିଙ୍ଗ ସ୍ଥାପତ୍ୟ କଳା
Elevation46 m (151 ft)

ଇତିହାସ

ସମ୍ପାଦନା

ପୂର୍ବରୁ ଏହି ଅଞ୍ଚଳ ଶୈଳୋଦ୍ଭବ ରାଜବଂଶର ରାଜଧାନୀ ଥିଲା, ଯେଉଁମାନେ ଶୈବ ଓ ବୌଦ୍ଧ ଧର୍ମ ଅନୁସରଣ କରୁଥିଲେ । ଅନୁମାନ କରାଯାଏ ଯେ ପୂର୍ବ ଗଙ୍ଗ ବଂଶୀୟ (୧୧ଶ-୧୫ଶ ଶତାବ୍ଦୀ) ରାଜାମାନଙ୍କ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା । ଅର୍ଥାତ୍ ଏହା କୋଣାର୍କର ସୂର୍ଯ୍ୟ ମନ୍ଦିର ନିର୍ମାଣ ହେବା ସମୟର ମନ୍ଦିର ।

ପୂର୍ବମୁଖା ହୋଇ ରହିଥିବା ଏହି ମନ୍ଦିରଟି ଚତଃପାର୍ଶ୍ୱରେ ଏକ ପ୍ରାଚୀରଦ୍ୱାରା ଆବଦ୍ଧ ହୋଇରହିଛି । କୋଣ୍ଡାଲାଇଟ ପଥରଗୁଡ଼ିକୁ ଚୂନଦ୍ୱାରା ଯୋଡ଼ାଯାଇ ଏହି ପ୍ରାଚୀନ ମନ୍ଦିରର ନିର୍ମାଣ କରାଯାଇଥିଲା । ଏହି ମନ୍ଦିରକୁ ଚାରିଭାଗରେ ବିଭକ୍ତ କରାଯାଇପାରେ । ସେଗୁଡ଼ିକ ହେଲା ରେଖା ବିମାନ, ପିଢ଼ା ଜଗମୋହନ, ପିଢ଼ା ନାଟମଣ୍ଡପ, ସମତଳ ଛାତ ବିଶିଷ୍ଟ ଭୋଗମଣ୍ଡପ । ଏହାର ଭିତର ପାର୍ଶ୍ୱ ଏବଂ ଛାତ ସମତଳ ଅଟେ । ଏହାର ବିମାନ ଓ ଜଗମୋହନ ପଞ୍ଚରଥ ଶୈଳୀରେ ଏବଂ ନାଟମଣ୍ଡପ ପଞ୍ଚାଙ୍ଗବାଡ ଶୈଳୀରେ ନିର୍ମିତ । ଭୋଗମଣ୍ଡପ ହେଉଛି ଖୋଲା ଏବଂ ସ୍ତମ୍ଭ ବିଶିଷ୍ଟ । ଏହା ଏକ ଜୀବନ୍ତ ମନ୍ଦିର ଓ ଗୋଲାକାର ଯୋନୀପୀଠ ମଧ୍ୟରେ ଏକ ପାତାଳଫୁଟା ଶିବଲିଙ୍ଗ ରହିଛନ୍ତି ।

ଏହାର ବିମାନ ଏବଂ ଜଗମୋହନ ମୂଳ କଳାକୃତିର ଅଂଶବିଶେଷ ହୋଇଥିବାବେଳେ ଅନ୍ୟ ଅଂଶଗୁଡ଼ିକ ହରିଚନ୍ଦନ ରାଜବଂଶଦ୍ୱାରା ୧୭ଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ପରବର୍ତ୍ତୀ ସମୟରେ ବ୍ରିଟିଶ ମାନଙ୍କଦ୍ୱାରା ମଣ୍ଡପର ନିର୍ମାଣ କରାଯାଇଥିଲା ।

ମନ୍ଦିର ବେଢ଼ାରେ ଥିବା ଦେବାଦେବୀ

ସମ୍ପାଦନା

ମନ୍ଦିରର ଚାରିପାଖରେ ପାର୍ଶ୍ୱ ଦେବଦେବୀ ଯଥା ଗଣେଶ, କାର୍ତ୍ତିକେୟ, ପାର୍ବତୀଙ୍କ ବିଗ୍ରହ ଦେଖିବାକୁ ମିଳେ । ପାର୍ଶ୍ୱ ଦେବଦେବୀଙ୍କ ବ୍ୟତୀତ ପଦ୍ମାସନରେ ଆସୀନ ମା' ଲକ୍ଷ୍ମୀ, ଅଷ୍ଟଦିଗପାଳ (ଇନ୍ଦ୍ର, ଅଗ୍ନି, ଯମ, ବରୁଣ, ବାୟୁ, କୁବେର, ଇସାନ, ନୈରୁତ) ଏହାର ଖଖରାମୁଣ୍ଡିରେ, ଦଶାବତାର, ସପ୍ତମାତୃକା ମୂର୍ତ୍ତିମାନ ଦେଖିବାକୁ ମିଳେ ।

ଏହା ବ୍ୟତୀତ ମନ୍ଦିର ପରିସରରେ ବୁଢ଼ୀ ଠାକୁରାଣୀ (କିମ୍ବା ବୁଢ଼ୀ ମା' ସାଆନ୍ତାଣୀ) ମନ୍ଦିର ରହିଛି ଯେଉଁଥିରେ ଚୈତ୍ୟ ଆକୃତିର ଯାନ, କାରୁକାର୍ଯ୍ୟପୂର୍ଣ୍ଣ ଗମ୍ବୁଜ ଆଦି ଅନେକ ପଥରଖୋଦେଇ କାମ ଦେଖିବାକୁ ମିଳେ । ଆହୁରି ମଧ୍ୟ ପୂର୍ବାମୁଖା ହୋଇରହିଥିବା ମହାବୀର ମନ୍ଦିରରେ ହନୁମାନଙ୍କ ମୂର୍ତ୍ତି ରହିଛି ଯେଉଁଥିରେ ଅନେକ ପଥରଖୋଦେଇ ଅଳଙ୍କାରମାନ ଦେଖାଯାଏ । ମନ୍ଦିରର ଅନ୍ୟାନ୍ୟ ସ୍ଥାନରେ କଳସ, ମସ୍ତକ, ଲକ୍ଷ୍ମୀନୃସିଂହ, ଅବଲୋକିତେଶ୍ୱର, ହରିହରଙ୍କ ପ୍ରତିମା ରହିଛି । ଏହି ମନ୍ଦିରଟି ଏକ ଶୈବ ମନ୍ଦିର ହୋଇଥିଲେ ବି ବୌଦ୍ଧ ଏବଂ ଜୈନ ଧର୍ମର ଛାପ ଏହାର ପରିସର ମଧ୍ୟରେ ଦେଖିବାକୁ ମିଳେ ।

ମା' ଭଗବତୀଙ୍କ ସହିତ ସମ୍ପର୍କ

ସମ୍ପାଦନା

ଉକ୍ତ ମନ୍ଦିରରେ ଭଗବତୀଙ୍କୁ କାଠି ଠାକୁରାଣୀ (ମା' ଭଗବତୀଙ୍କର ଚଳନ୍ତି ପ୍ରତିମା) ଭାବରେ ପୂଜା କରାଯାଇଥାଏ । କୁହାଯାଏ ଯେ, ସେତେବେଳେ ଏହି ମନ୍ଦିର ନିକଟରେ ଏକ କଦମ୍ବ (Neolamarckia cadamba) ଗଛ ରହିଥିଲା । ଯେତେବେଳେ ଜଣେ ଗ୍ରାମବାସୀ ସେଇ ଗଛକୁ ହାଣିବାକୁ ଗଲା, ସେତେବେଳେ ସେହି ଗଛରୁ ରକ୍ତସ୍ରାବ ହେବାକୁ ଲାଗିଲା । ପରବର୍ତ୍ତୀ ସମୟରେ ଲୋକମାନେ ସେ ଗଛକୁ ପୂଜା କରିବାକୁ ଲାଗିଲେ । ଯେତେବେଳେ ସେ ଗଛଟି ପ୍ରାକୃତିକ ଭାବରେ ମୃତ୍ୟୁବରଣ କଲା, ସେତେବେଳେ ଉକ୍ତ ଗଛର ଗଣ୍ଡିକୁ ମନ୍ଦିର ଭିତରକୁ ସ୍ଥାନାନ୍ତରଣ କରିବା ପାଇଁ ରାଜାଙ୍କୁ ସ୍ୱପ୍ନାଦେଶ ହେଲା । ତେଣୁ ସେହିଦିନଠାରୁ ସେହି ଗଣ୍ଡିକୁ ଲୁଗାଦ୍ୱାରା ଆବୃତ୍ତ କରି ପୂଜା କରାଗଲା । ତେଣୁ ଦକ୍ଷ ପ୍ରଜାପତି ମନ୍ଦିରଟି ହେଲା ସେହି ଠାକୁରାଣୀଙ୍କର ପିତ୍ରାଳୟ ।

ଗ୍ୟାଲେରି

ସମ୍ପାଦନା

https://commons.m.wikimedia.org/wiki/Category:Daksha_Prajapati_Temple,_Banapur

http://bbsrpulse.com/2019/01/dakhya-prajapati-temple-the-treasure-of-banapur/

https://odishatourguide.com/temple_post/dakhya-prajapati-temple/ Archived 2021-04-23 at the Wayback Machine.