ଯଶୋବନ୍ତ ଦାସ
ଯଶୋବନ୍ତ ଦାସ ଓଡ଼ିଶାରେ ଜନ୍ମିତ ଜଣେ ସାଧକ ଓ ଭକ୍ତକବି ଥିଲେ । ଯଶୋବନ୍ତ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ଭିତରୁ ଜଣେ । ସେ ଅନେକ ଗ୍ରନ୍ଥ, ଭଜନ, ମାଳିକା ଓ ପଦ୍ୟ ରଚନା କରିଥିଲେ । ତାଙ୍କ ରଚନାମାନଙ୍କ ଭିତରୁ ଅଧିକାଂଶ ମୁଦ୍ରିତ ହୋଇନାହିଁ ।[୪]
ମହାପୁରୁଷ ଯଶୋବନ୍ତ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୪୮୭[୧] ନନ୍ଦିଗ୍ରାମ, ଅଢ଼ଙ୍ଗଗଡ଼, ଜଗତସିଂହପୁର, ଓଡ଼ିଶା [୨] |
ମୃତ୍ୟୁ | ମାଘ ଶୁକ୍ଳ ଷଷ୍ଠୀ |
ବୃତ୍ତି | କବି |
ଭାଷା | ଓଡ଼ିଆ |
ସମୟ | ପଞ୍ଚସଖା ଯୁଗ |
ସାହିତ୍ୟ କୃତି | ଗୋବିନ୍ଦଚନ୍ଦ୍ର [୩] |
ଜୀବନସାଥୀ | ଅଞ୍ଜନା ଦେବୀ |
ସନ୍ତାନ | କହ୍ନେଇ ଦାସ |
ସମ୍ପର୍କୀୟ | ବଳଭଦ୍ର ମଲ୍ଲ (ଅନ୍ୟମତେ ଜଗନ୍ନାଥ 'ଜଗୁ' ମଲ୍ଲିକ) (ପିତା) ରେଖା ଦେବୀ (ମାତା) |
ଜୀବନ
ସମ୍ପାଦନାଯଶୋବନ୍ତ ଚୈତନ୍ୟଙ୍କ ସମସାମୟିକ ଥିଲେ ।
ଭଗବାନ ମଲ୍ଲ | |||||||||||||||||||||||||
ଦୁର୍ଲ୍ଲଭ ମଲ୍ଲ | |||||||||||||||||||||||||
ନିରଞ୍ଜନ ମଲ୍ଲ | |||||||||||||||||||||||||
ପୁରୁଷୋତ୍ତମ ମଲ୍ଲ | |||||||||||||||||||||||||
ନନ୍ଦ ମଲ୍ଲ | |||||||||||||||||||||||||
ବଳଭଦ୍ର ମଲ୍ଲ | ରେଖାଦେବୀ | ||||||||||||||||||||||||
ଯଶୋବନ୍ତ ଦାସ | ଅଞ୍ଜନା | ||||||||||||||||||||||||
କହ୍ନେଇ ଦାସ | |||||||||||||||||||||||||
ଦଣ୍ଡପାଣି ଦାସ | |||||||||||||||||||||||||
ବକ୍ଷପାଣି ଦାସ | |||||||||||||||||||||||||
ନିର୍ମଳ ଦାସ | |||||||||||||||||||||||||
ପୁରୁଷୋତ୍ତମ ଦାସ | |||||||||||||||||||||||||
ଭରତ ଦାସ | |||||||||||||||||||||||||
ଲକ୍ଷ୍ମଣ ଦାସ | |||||||||||||||||||||||||
ମଧୁସୂଦନ ଦାସ | |||||||||||||||||||||||||
ଜୟରାମ ଦାସ | |||||||||||||||||||||||||
ହରେକୃଷ୍ଣ ଦାସ | |||||||||||||||||||||||||
ଜୟକୃଷ୍ଣ ଦାସ | |||||||||||||||||||||||||
ରଘୁନାଥ ଦାସ | |||||||||||||||||||||||||
ରାଧାବଲ୍ଲଭ ଦାସ | |||||||||||||||||||||||||
ସୁକାନ୍ତ ବଲ୍ଲଭ ଦାସ | |||||||||||||||||||||||||
ପ୍ରଶାନ୍ତ ବଲ୍ଲଭ ଦାସ | |||||||||||||||||||||||||
ଯଶୋବନ୍ତଙ୍କ ବଂଶର ପ୍ରଶାନ୍ତ ବଲ୍ଲଭ ଦାସ ବର୍ତ୍ତମାନ ପୀଠର ମହନ୍ତ ଅଟନ୍ତି ।[୫]
ଜନ୍ମ
ସମ୍ପାଦନାଅଚ୍ୟୁତାନନ୍ଦଙ୍କ 'ଉଦୟ କାହାଣୀ' ଅନୁସାରେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ । ବଳରାମ ଦାସ ଏହି ଉଭୟଙ୍କଠୁଁ ଚାରିବର୍ଷ ବଡ଼ । ଏଣୁ 'ଉଦୟ କାହାଣୀ' ଅନୁସାରେ ଯଶୋବନ୍ତ ଖ୍ରୀଷ୍ଟାବ୍ଦ ୧୪୮୭ରେ ଜନ୍ମଗ୍ରହଣ କରିଥିଲେ ବୋଲି ଧରାଯାଏ ।[୪]
କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିକଟସ୍ଥ ଅଢ଼ଙ୍ଗଗଡ଼ ଅନ୍ତର୍ଗତ ନନ୍ଦୀଗ୍ରାମରେ ଯଶୋବନ୍ତ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖାଦେବୀ । ଯଶୋବନ୍ତ ଦାସ ନିଜ ବା ନିଜ ପରିବାର ବିଷୟରେ କୌଣସି ସନ୍ତୋଷଜନକ ପରିଚୟ ନିଜ ଗ୍ରନ୍ଥମାନଙ୍କରେ ଦେଇନାହାନ୍ତି ।
ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ । କ୍ଷତ୍ରିୟ କୁଳ ସେ କଲେ ପବିତ୍ର ।।
— ଅବତାର ମାଳିକା
ସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେତେକଙ୍କ ମତ ରହିଛି ।[୪][୬] ଅନ୍ୟମତେ ସେ କୃଷକ ପରିବାରରେ ଜନ୍ମଲାଭ କରିଥିଲେ ।[୧]
ବାଲ୍ୟ ଜୀବନ
ସମ୍ପାଦନାଯଶୋବନ୍ତଙ୍କ ପିତା ମାତା ବହୁତ ଧର୍ମ ପରାୟଣ ଥିଲେ । ଯଶୋବନ୍ତଙ୍କ ଉପରେ ସେମାନଙ୍କ ଗଭୀର ପ୍ରଭାବ ପଡ଼ିଥିଲା । ଏଣୁ ସେ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ।[୭]
ସୁଦର୍ଶନ ଦାସଙ୍କ ଲିଖିତ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା' ନାମକ ଗ୍ରନ୍ଥରେ ଯଶୋବନ୍ତଙ୍କ ବାଲ୍ୟ ଜୀବନର ବର୍ଣ୍ଣନା ରହିଛି । ସୁଦର୍ଶନ ଦାସ ଯଶୋବନ୍ତଙ୍କ ନିଜ ଶିଷ୍ୟ ଥିଲେ । ଏହି ଗ୍ରନ୍ଥରେ ଯଶୋବନ୍ତଙ୍କ ବିଷୟରେ ବହୁ ବିସ୍ମୟକାରୀ କିମ୍ବଦନ୍ତୀ ରହିଛି ।[୬]
ଯଶୋବନ୍ତଙ୍କ ପିତା ଜଣେ ଦରିଦ୍ର ବ୍ୟକ୍ତି ଥିଲେ । ଦାରିଦ୍ର୍ୟ ଯୋଗୁଁ ସେ ବାଧ୍ୟ ହୋଇ ଥରେ ଧାନ ଚୋରି କରିଥିଲେ । ଚୋରି କଲାବେଳେ ଅଢ଼ଙ୍ଗଗଡ଼ର ସାମନ୍ତରାଜା ରଘୁରାମ ଚ଼ମ୍ପପତି ରାୟ ତାଙ୍କୁ ଦେଖିଦେଇଥିଲେ । ରଘୁରାମ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଜଗନ୍ନାଥଙ୍କୁ ଆକୁଳ ହୋଇ ବିନତି କଲେ । ଜଗନ୍ନାଥ ତାଙ୍କ ଡାକ ଶୁଣି ଯଶୋବନ୍ତଙ୍କ ଶରୀରରେ ପ୍ରକାଶିତ ହେଲେ । ଏହି ଦୃଶ୍ୟକୁ ରଘୁରାମ ହିଁ ଦେଖିପାରିଥିଲେ । ଏହା ଦେଖିଲାପରେ ରଘୁରାମ ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଯଶୋବନ୍ତଙ୍କ ଶିଷ୍ୟ ହୋଇଗଲେ ।[୬] ଏହି କିମ୍ବଦନ୍ତୀ ଭଳି ଅନ୍ୟ ଏକ କଥା ମଧ୍ୟ ଶୁଣାଯାଏ । ତାହା ତଳେ ଦିଆଯାଇଛି ।
ସନ୍ନ୍ୟାସ
ସମ୍ପାଦନାବାରବର୍ଷ ବୟସରୁ ଯଶୋବନ୍ତ ସଂସାର ପ୍ରତି ଉଦାସୀନ ହୋଇପଡ଼ିଥିଲେ । ଏହା ପରେ ସେ ବହୁତ ବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ 'ଦାସ' ଉପାଧି ଗ୍ରହଣ କରିଥିଲେ ।[୭]
ଚୈତନ୍ୟଙ୍କ ସହ ଭେଟ
ସମ୍ପାଦନାଯଶୋବନ୍ତ ଚୈତନ୍ୟ ଦେବଙ୍କ ସଂକୀର୍ତ୍ତନ ମଣ୍ଡଳୀଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟାବ୍ଦ ୧୫୦୯ରେ ପୁରୀ ଆସିଥିଲେ ।[୧] ଓଡ଼ିଶାରେ ଚୈତନ୍ୟ ଦେବଙ୍କ ଅବସ୍ଥାନ ସମୟରେ ଯଶୋବନ୍ତ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ପୁରୀରେ ସେ ଦୀକ୍ଷା ନେଇଥିଲେ । ଦୀକ୍ଷା ନେଇ ନିଜ ଗ୍ରାମ ଅଢ଼ଙ୍ଗକୁ ଫେରିଆସିଥିଲେ ।[୪]
ବିବାହ
ସମ୍ପାଦନାସେତେବେଳେ ଅଢ଼ଙ୍ଗଗଡ଼ର ସାମନ୍ତ ରାଜା ଥିଲେ ରଘୁରାମ ଚମ୍ପପତି ରାୟ । ରଘୁରାମଙ୍କ ଭଗିନୀ ଅଞ୍ଜନା ଦେବୀଙ୍କ ସହ ଯଶୋବନ୍ତଙ୍କ ବିବାହ ହୋଇଥିଲା । କେତେକଙ୍କ ମତରେ ସଂସାର ପ୍ରତି ଯଶୋବନ୍ତଙ୍କ ବୀତସ୍ପୃହତା ଦେଖି ତାଙ୍କ ବାପା ମା ତାଙ୍କୁ ବିବାହିତ କରିଥିଲେ ।[୧] ରଘୁରାମ ଯଶୋବନ୍ତଙ୍କ ପାଇଁ ଗୋଟିଏ ସୁନ୍ଦର ମଠ ନିର୍ମାଣ କରି ମଠର ପରିଚାଳନା ନିମନ୍ତେ ବହୁ ସମ୍ପତ୍ତି ଖଞ୍ଜିଥିଲେ । ଏ ମଠ ବର୍ତ୍ତମାନ ସୁଦ୍ଧା ଯଶୋବନ୍ତ ଦାସଙ୍କ ଉତ୍ତରାଧିକାରୀମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଛି ।[୪]
କିମ୍ବଦନ୍ତୀ
ସମ୍ପାଦନାଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଶୋବନ୍ତ ଦାସଙ୍କର ୭୫୦ ଶିଷ୍ୟ ଥିଲେ ବୋଲି ଶୁଣାଯାଏ । ଯଶୋବନ୍ତ ଜଣେ ସିଦ୍ଧ ବୈଷ୍ଣବ ଥିଲେ । ଏଣୁ ଯଶୋବନ୍ତଙ୍କ ଜୀବନ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଶୁଣାଯାଏ ।[୮]
ବ୍ରହ୍ମରାକ୍ଷସ ଓ ବାବନାଭୂତ
ସମ୍ପାଦନାଜନଶ୍ରୁତିରୁ ଶୁଣାଯାଏ ଯେ ଥରେ ଯଶୋବନ୍ତ କେତେକ ଶିଷ୍ୟଙ୍କ ସହିତ ପୁରୀ ଅଭିମୁଖରେ ଯାତ୍ରା କରୁଥିଲେ । ପଥ ମଧ୍ୟରେ ଏକ ବ୍ରହ୍ମରାକ୍ଷସ ସହ ସେମାନଙ୍କ ଭେଟ ହେଲା । ବ୍ରହ୍ମରାକ୍ଷସ ତାହାର ପୈଶାଚିକୀ ଲୀଳା ସାଧନା କରିବାକୁ ଗଲାବେଳେ ଯଶୋବନ୍ତ ନିଜ ଯୋଗ ପ୍ରଭାବରେ ଆଶାବାଡ଼ିରେ ତାହାକୁ ପଥ ଦେଖାଇ ଆଗେ ଆଗେ ଚାଲିବାକୁ ଉପଦେଶ ଦେଲେ । ଏହା ପରେ ରାକ୍ଷସ ଆଉ କୌଣସି ଅତ୍ୟାଚାରର ପ୍ରଚେଷ୍ଟା ନ କରି ଶାନ୍ତ ଶିଷ୍ଟ ଭାବରେ ଚାଲିଲା । ବ୍ରହ୍ମରାକ୍ଷସ ଆସୁଥିବାର ଜାଣି ଜନସାଧାରଣ ଘର ଛାଡ଼ି ଚାରିଆଡ଼େ ଧାଇଁବାକୁ ଲାଗିଲେ । ଅଳ୍ପକାଳ ମଧ୍ୟରେ ଏ ଖବର ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବଙ୍କ ପାଖକୁ ପହଞ୍ଚିଲା । ରାଜା ଯଶୋବନ୍ତଙ୍କ ଦେଖି ବିସ୍ମିତ ହେଲେ ଓ ତାଙ୍କ ଅଭ୍ୟର୍ଥନା ଲାଗି ଅଠରନଳା ପାଖରେ ଆସିକି ନିଜେ ଘଟଣାଟିକୁ ଦେଖିଲେ । ଅଭର୍ଥନା ଶେଷରେ ଯଶୋବନ୍ତଙ୍କ ଅନୁରୋଧ କ୍ରମେ ରାଜା ରାକ୍ଷସଟିକୁ ଜଗନ୍ନାଥଙ୍କ ଗୁଣ୍ଡିଚା ବାଡ଼ିର ରକ୍ଷଣାବେକ୍ଷଣ ଭାର ପ୍ରଦାନ କଲେ । ସେହିଦିନଠାରୁ ସେ ରାକ୍ଷସଟି ସେଠାରେ ବାବନାଭୂତ ନାମ ଧାରଣ କରି ପୂଜା ପାଇ ଆସୁଅଛି ।
ଧାନଶିଁଷାରୁ 'ରାମ ରାମ' ଶବ୍ଦ
ସମ୍ପାଦନାଅନ୍ୟ ଏକ କିମ୍ବଦନ୍ତୀ ରହିଛି ଯେ ଯଶୋବନ୍ତ କେତେକ କାଳ ରଘୁରାମଙ୍କ ଅଧୀନରେ ଗ୍ରମ କଟୁଆଳ କାର୍ଯ୍ୟ ଗ୍ରହଣ କରିଥିଲେ । ସେହି ସମୟରେ ଥରେ ଦେଶରେ ଶସ୍ୟହାନି ଘଟି ଭୀଷଣ ଦୁର୍ଭିକ୍ଷ ହୋଇଥିଲା । ଏକଦା ତାଙ୍କର ସ୍ତ୍ରୀ ପାୟସାନ୍ନ ଭୋଜନ କରିବାକୁ ଇଚ୍ଛା କରିବାରୁ ଯଶୋବନ୍ତ ଗ୍ରାମବାସୀ ଜନୈକ କୃଷକର ଧାନ କିଆରୀରେ ପଶି ଧାନ ଚୋରି କଲେ । ପାଚିଲା ଧାନ ଛିଣ୍ଡାଇଲା ବେଳେ ସେ ଶୁଣିଲେ ଯେ ପ୍ରତ୍ୟେକ ଧାନଶିଁଷା ସତେ ଯେପରି ବିକଳରେ 'ରାମ ରାମ' ଡାକୁଅଛି । ସେହି ଶବ୍ଦରେ କୃଷକ ଜାଗ୍ରତ ହୋଇ ଯଶୋବନ୍ତଙ୍କୁ ଧରିଲା ଓ ରାଜକୀୟ ବିଚାରାଳୟକୁ ନେଲା । ସେଠାରେ ରାଜା ସମସ୍ତ ବୃତ୍ତାନ୍ତ ଶୁଣି ଯଶୋବନ୍ତଙ୍କୁ ଦୋଷୀ ବୋଲି ଗ୍ରହଣ କରି ଦୋଷ ଅନୁସାରେ ଦଣ୍ଡବିଧାନ କରିଥିଲେ ।
ସାଲବେଗଙ୍କ ସହ ଭେଟ
ସମ୍ପାଦନାସୁଦର୍ଶନ ଦାସଙ୍କ ରଚିତ ଗ୍ରନ୍ଥ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା'ରେ ଲିଖିତ ଅଛି ଯେ ଥରେ ଯବନ କବି ସାଲବେଗ ବୈଷ୍ଣବ ଦୀକ୍ଷିତ ହୋଇସାରିବା ପରେ ଯଶୋବନ୍ତଙ୍କ ଶକ୍ତି ବିଷୟରେ ଶୁଣିଲେ ଓ ତାଙ୍କୁ ପରୀକ୍ଷା କରିବା ପାଇଁ ଚାହିଁଲେ । ତାଙ୍କ ପରୀକ୍ଷାରେ ଯଶୋବନ୍ତ ଉତ୍ତୀର୍ଣ୍ଣ ହେବାରୁ ସେ ତାଙ୍କ ପାଦଧୂଳି ଗ୍ରହଣ କରିଥିଲେ । ଏହି ସାଲବେଗ ଗୌଡ଼ୀୟ ସାଲବେଗଙ୍କଠାରୁ ଅଲଗା ବୋଲି ପ୍ରତୀୟମାନ ହୁଏ, ଯେହେତୁ ଗୌଡ଼ୀୟ ସାଲବେଗ ସପ୍ତଦଶ ଶତାବ୍ଦୀର ଲୋକ ଥିଲେ ଓ ତାଙ୍କ ଗୁରୁଙ୍କ ନାମ ଶ୍ୟାମାନନ୍ଦ ଥିଲା ।[୬]
ଦେହାବସାନ
ସମ୍ପାଦନାଯଶୋବନ୍ତଙ୍କ ଦେହାବସାନ କେଉଁ ବର୍ଷରେ ହୋଇଥିଲେ ଏହା ଜାଣିବା ପାଇଁ କିଛି ଉପାଦାନ ମିଳୁନାହିଁ । ସେ ମାଘ ମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତିରେ ରହିଛି । ତାଙ୍କର ତିରୋଧାନ ଦିବସରେ ଅଢ଼ଙ୍ଗରେ ଗୋଟିଏ ବଡ଼ ମେଳା ଅନୁଷ୍ଠିତ ହୁଏ ।[୪]
ସାହିତ୍ୟିକ କୃତି
ସମ୍ପାଦନାଯଶୋବନ୍ତଙ୍କ ରଚିତ ଭଜନଗୁଡ଼ିକ ବ୍ରହ୍ମଜ୍ଞାନମୂଳକ । ଏଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏଗୁଡ଼ିକ ଓଡ଼ିଶାରେ ଗ୍ରାମେ ଗ୍ରାମେ ପ୍ରସିଦ୍ଧ ।
ଗୋବିନ୍ଦଚନ୍ଦ୍ର (ଉପାଖ୍ୟାନ)
ସମ୍ପାଦନାଓଡ଼ିଆ ସାହିତ୍ୟରେ ଗାଥା କବିତା ଗୋଟିଏ ପ୍ରକାର କବିତା ଯେଉଁଥିରେ କୌଣସି ପୌରାଣିକ ଗାଥାକୁ ଗୀତିକବିତା ମାଧ୍ୟମରେ କୁହାଯାଏ । ଯଶୋବନ୍ତ ଦାସଙ୍କ 'ଗୋବିନ୍ଦଚନ୍ଦ୍ର' ଏହି ଶ୍ରେଣୀର ପ୍ରଥମ ରଚନା ବୋଲି କେତେଜଣଙ୍କ ମତ ରହିଛି । ଏହା ବଙ୍ଗଦେଶର ରାଜା ଗୋବିନ୍ଦଚନ୍ଦ୍ରଙ୍କ ଉପରେ ଆଧାରିତ । ଗୋବିନ୍ଦଚନ୍ଦ୍ରଙ୍କ ମାତା ମୁକୁତା ଦେଈ ହାଡ଼ିପାଙ୍କୁ ନିଜ ପୁତ୍ରର ଗୁରୁ କରାଇ ତାଙ୍କୁ ବ୍ରହ୍ମଜ୍ଞାନ ପ୍ରାପ୍ତି କରିବାକୁ ଉପଦେଶ ଦିଅନ୍ତି ଯଦ୍ୱାରା ତାଙ୍କ ଅକାଳମୃତ୍ୟୁ ଟଳିଯାଏ । ଯଶୋବନ୍ତଙ୍କ ପରେ ଏହି ବିଷୟରେ ଦୁଇଜଣ ଅଷ୍ଟାଦଶ ଶତାବ୍ଦୀର କବି ମଧ୍ୟ ରଚନା କରିଛନ୍ତି ।ସାହିତ୍ୟିକ ଦୃଷ୍ଟିକୋଣରୁ ଖୁବ ମୂଲ୍ୟବାନ ।ଏହା ଅନୁସରଣରେ ଟୀକାଗୋବିନ୍ଦ ଚନ୍ଦ୍ର ରଚିତ ।[୩]
ଶିବସ୍ୱରୋଦୟ
ସମ୍ପାଦନାଏହା ଏକ ଶୈବ ତାନ୍ତ୍ରିକ ଗ୍ରନ୍ଥର "ସ୍ୱରୋଦୟଲେଶ"ର ଅନୁବାଦ ଅଟେ ।ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ । ମୂଳଗ୍ରନ୍ଥ ପରି ଏହା ମଧ୍ୟ 21 ଅଧ୍ୟାୟ ବିଶିଷ୍ଟ ।ସମଗ୍ର ଗ୍ରନ୍ଥର ପଦସଂଖ୍ୟା 475 । ସ୍ୱରର ପ୍ରଶଂସା ,ନାଡିଜ୍ଞାନ,ନାଡିଚାଳନାର ଫଳାଫଳ ,ପ୍ରାଣାଦି ବାୟୁର ତତ୍ତ୍ୱ ନିରୂପଣ ,ସ୍ତ୍ରୀବଶୀକରଣ ଆଦି ଯୋଗସାଧନ ପ୍ରଣାଳୀ,ସ୍ୱରଜ୍ଞାନ ଆଦି ରଚିତ ।
ପ୍ରେମଭକ୍ତି ବ୍ରହ୍ମଗୀତା
ସମ୍ପାଦନାଏଥିରେ ଶ୍ରୀକୃଷ୍ଣ ରାଧା ଓ ଅର୍ଜ୍ଜୁନଙ୍କୁ ଯୋଗମାର୍ଗ ବିଷୟରେ କହନ୍ତି । ପ୍ରେମ ଓ ଭକ୍ତିର ଏକ ସମନ୍ୱୟ । ବିଷୟବସ୍ତୁ ଆରମ୍ଭରେ ସୃଷ୍ଟିକ୍ରିୟା ବିବରଣୀ ପ୍ରଦତ୍ତ । ରାଧାକୃଷ୍ନଙ୍କ ଜନ୍ମ, ଯୁଗଳରୂପ, ନିତ୍ୟରାସ, ଜୀବ-ପରମ ବିହାର, ଶରୀର ମଧ୍ୟସ୍ଥ ସପ୍ତାବରଣତତ୍ତ୍ୱ, ଶ୍ରୀକ୍ଷେତ୍ର ମହିମା ଆଦି ବର୍ଣ୍ଣନା କରଯାଉଛି। ପାଞ୍ଚଟି ଅଧ୍ୟାୟରେ ସମାପ୍ତ ଓ ନବାକ୍ଷରୀ ବା ଗୁଜ୍ଜରୀ ବୃତ୍ତରେ ରଚିତ ।
ଧାର୍ମିକ ମତ
ସମ୍ପାଦନାଯଶୋବନ୍ତ ଅନେକ ବ୍ରହ୍ମଜ୍ଞାନମୂଳକ ଭଜନ ରଚନା କରିଛନ୍ତି । ତାଙ୍କ ରଚନା ଭିତରୁ ଶିବସ୍ୱରୋଦୟ, ପ୍ରେମଭକ୍ତି ବ୍ରହ୍ମଗୀତା, ଦିବ୍ୟଦେହୀ, ଲୋହୀ ଗୀତା, ଗୋବିନ୍ଦଚନ୍ଦ୍ର ଓ ଯନ୍ତ୍ରବୋଲି ବିଶେଷ ଜନାଦୃତ । ଏହି ରଚନାଗୁଡ଼ିକରେ ସେ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ ଓ ଶୂନ୍ୟବ୍ରହ୍ମଙ୍କ ବିଷୟରେ ଲେଖିଛନ୍ତି । 'ଭବିଷ୍ୟ ମାଳିକା' ନାମକ ରଚନାରେ ସେ ଭବିଷ୍ୟ କାଳରେ କିପରି ଅଘଟଣ ହେବ ତାହା ବିଷୟରେ ଲେଖିଛନ୍ତି । 'ଯନ୍ତ୍ରବୋଲି'ରେ ସେ ଯନ୍ତ୍ର ଓ ଅକ୍ଷର ମାଧ୍ୟମରେ କିପରି ବ୍ରହ୍ମଙ୍କୁ ପ୍ରାପ୍ତ କରିହେବ ଲେଖିଛନ୍ତି । ଯଶୋବନ୍ତ ଶୂନ୍ୟବ୍ରହ୍ମଙ୍କ ଉପାସକ ହେଲେ ମଧ୍ୟ ଜଗନ୍ନାଥଙ୍କୁ ନିଜ ଇଷ୍ଟଦେବତା ଭାବେ ମାନୁଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ Mohan Lal (1992). Encyclopaedia of Indian Literature: sasay to zorgot. Sahitya Akademi. pp. 4628–. ISBN 978-81-260-1221-3. Retrieved 19 December 2012.
- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୬୭୮୨
- ↑ ୩.୦ ୩.୧ Ayyappappanikkar. Medieval Indian Literature: An Anthology. Sahitya Akademi. pp. 409–. ISBN 978-81-260-0365-5. Retrieved 19 December 2012.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ଓଡ଼ିଆ ସାହିତ୍ୟର ଇତିହାସ, ପ୍ରଥମ ଭାଗ - ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ । ଏପ୍ରିଲ, ୧୯୬୮, ଦ୍ୱିତୀୟ ମୁଦ୍ରଣ । ପ୍ରକାଶକ- ଶ୍ରୀ ଅଭିରାମ ମହାପାତ୍ର, ଗ୍ରନ୍ଥ ମନ୍ଦିର, କଟକ, ବ୍ରହ୍ମପୁର ।
- ↑ ୫.୦ ୫.୧ ମହାପୁରୁଷ ଯଶୋବନ୍ତ ଦାସଙ୍କ ଚୌରାଅଶୀ ଆଜ୍ଞା, ସୁଦର୍ଶନ ଦାସ, ରାଜକିଶୋର କରଣ (ଗଦ୍ୟାନୁବାଦ), ଚିତ୍ତରଞ୍ଜନ ଦାସ ଓ ଆଶିଷ ରଞ୍ଜନ ମହାପାତ୍ର (ସମ୍ପାଦନା) । ଶ୍ରୀ ଯଶୋବନ୍ତ ଗୋସ୍ୱାମୀ ଗାଦିପୀଠ ଟ୍ରଷ୍ଟ ବୋର୍ଡ, ନାଇଲୋ, ଅଢ଼ଙ୍ଗଗଡ଼, ଅଣଖିଆ, ଜଗତସିଂହପୁର, ଓଡ଼ିଶା ।
- ↑ ୬.୦ ୬.୧ ୬.୨ ୬.୩ ''The History of Medieval Vaishnavism in Orissa'', Prabhat Mukherjee. Asian Educational Services, 1981.
- ↑ ୭.୦ ୭.୧ ପଞ୍ଚସଖା ଓଡ଼ିଆ ସାହିତ୍ୟ - ଅଧ୍ୟାପକ ଦେବେନ୍ଦ୍ର ମହାନ୍ତି । ଫ୍ରେଣ୍ଡସ୍ ପବ୍ଲିଶର୍ସ, ଜୁଲାଇ ୧୯୬୫, ଶ୍ୟାମସୁନ୍ଦର ପ୍ରେସ, କଟକ-୨ ।
- ↑ ଶିବସ୍ୱରୋଦୟ - ଯଶୋବନ୍ତ ଦାସ । ପ୍ରାଚୀ ସମିତି ।
- ↑ ସମାଜ, ୧୮ ଡିସେମ୍ବର ୨୦୧୨, ପୃଷ୍ଠା: ୨
- ↑ "Odia Poets & their creations | Destination Odisha". destinationodisha.com. Archived from the original on 23 November 2015. Retrieved 19 December 2012.
Yasobanta Das: Govinda Chandra, Premabhakti, Brahma Gita, Shiva Swarodaya.
- ↑ ଡ. ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ,ପୃଷ୍ଠା: ୧୧୭