ଚିତି ସାପ
ଚିଟି ସାପ ବା ଚିତି ସାପ (ଇଂରାଜୀ ଭାଷାରେ Common Krait, ଜୀବବିଜ୍ଞାନ ନାମ Bungarus caeruleus) ଭାରତୀୟ ଉପମହାଦେଶରେ ଦେଖାଯାଉଥିବା ବଙ୍ଗାରସ୍ ପ୍ରଜାତିର ଏକ ବିଷଯୁକ୍ତ ସାପ ।[୧] ଇଂରାଜୀ ଭାଷାରେ ଏହି ସାପର ଆଉ କିଛି ସାଧାରଣ ନାମ ହେଲା - ଇଣ୍ଡିଆନ୍ କ୍ରେଟ୍ ଓ ବ୍ଲୁ କ୍ରେଟ୍ । ଭାରତରେ ଯେଉଁ ୪ ପ୍ରଜାତିର ସାପ କାମୁଡ଼ାରେ ସର୍ବାଧିକ ଲୋକ ପ୍ରାଣ ହରାଇଥାନ୍ତି, ସେମାନଙ୍କ ମଧ୍ୟରେ ଚିତି ସାପ ଅନ୍ୟତମ । ଏମାନଙ୍କର ଫଣା ନାହିଁ ।[୨]
ଚିତି ସାପ ଚିଟି ସାପ କଲେଁତ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
Order: | Squamata |
Suborder: | Serpentes |
Family: | Elapidae |
Genus: | Bungarus |
ଜାତି: | B. caeruleus |
ବାଇନୋମିଆଲ ନାମ | |
Bungarus caeruleus ୟୋହାନ୍ ଗୋଟଲୋବ୍ ଶ୍ନାଇଡର୍ (୧୮୦୧)
| |
Synonyms | |
ସ୍ୟୁଡୋବୋଆ କେରୁଲିଆ (Pseudoboa caerulea) ୟୋହାନ୍ ଗୋଟଲୋବ୍ ଶ୍ନାଇଡର୍ (୧୮୦୧) |
ବର୍ଣ୍ଣନା
ସମ୍ପାଦନାଚିତି ସାପର ହାରାହାରି ଦୈର୍ଘ୍ୟ ୦.୯ ମିଟର୍ । କିନ୍ତୁ କିଛି ସାପ ୧.୭୫ ମିଟର୍ ପର୍ଯ୍ୟନ୍ତ ଲମ୍ବା ହେବା ଦେଖାଯାଇଛି ।[୧] ଚିତି ସାପ ପ୍ରାୟ ହାତେ ପର୍ଯ୍ୟନ୍ତ ଲମ୍ବ ହୁଅନ୍ତି ।[୨] ଅଣ୍ଡିରାମାନଙ୍କ ଶରୀର ଓ ଲାଞ୍ଜର ଦୈର୍ଘ୍ୟ ମାଈମାନଙ୍କଠାରୁ ଲମ୍ବା । ଏମାନଙ୍କ ମୁଣ୍ଡ ଚେପଟା ଓ ବେକଟି ମୁଣ୍ଡ ଓ ଦେହ ସହିତ ପ୍ରାୟ ମିଶି ଯାଇଥାଏ । ଚିତି ସାପର ଶରୀରଟି ସିଲିଣ୍ଡରାକୃତି ଯାହା ଲାଞ୍ଜ ଆଡ଼କୁ କ୍ରମଶଃ ପତଳା ହୋଇଯାଏ । ଚିତି ସାପର ଆଖିଗୁଡ଼ିକ ଛୋଟ ଓ ଡୋଳା ଗୋଲାକାର । ଏହାର କାତି ଅତି ଚିକ୍କଣିଆ ଓ ଦେହରେ ପ୍ରାୟ ୧୫-୧୭ ଧାଡ଼ିରେ କାତି ରହିଥାଏ । ଚିତି ସାପର ୧୮୫-୨୨୫ଟି ଭେଣ୍ଟ୍ରାଲ୍ ରହିଥାଏ ।[୩]
ଚିତିର ରଙ୍ଗ କଳା ବା ନୀଳ ମିଶା କଳା । କିଛି ସାପଙ୍କ ଶରୀରରେ ୪୦ଟି ପତଳା ଦାଗ ରହିଥାଏ ଓ କିଛି ସାପର ଶରୀରରେ ଏହି ଦାଗ ଦେଖାଯାଇ ନଥାଏ । କିଛି ଚିତିର ଦେହ ଖଇରା ରଙ୍ଗ ଓ ଦେହରେ ସାଧା ଦାଗମାନ ରହିଥାଏ ।[୨] ଏହାର ପେଟ ପଟଟି ଧଳା ରଙ୍ଗର ହୋଇଥାଏ ।[୩]
ସ୍ଥାନୀୟ ନାମ
ସମ୍ପାଦନା- ତାମିଲ ଭାଷା - கட்டு விரியன் (କଟ୍ଟୁ ୱିରିୟନ୍), புடையன் (ପୁଟ୍ଟୟନ୍)
- ନେପାଳୀ ଭାଷା - करेट (କରେଟ୍)
- ବଙ୍ଗଳା ଭାଷା - কালাচ (କାଲାଚ୍), ডোমনাচিতি (ଡୋମ୍ନାଚିଟି), শঙ্খিনি (ଶୋଙ୍ଖିନୀ), শিয়াল চাঁদা (ଶିୟାଲ୍ ଚାନ୍ଦା), "ଶିଆର୍ ଚିଟି", শাহ-কানন (ଶାହ-କାନୋନ୍)
- କନ୍ନଡ଼ ଭାଷା - ಕಟ್ಟಿಗೆ ಹಾವು (କଟ୍ଟିଗେ ହାଭୁ)
- ହବ୍ୟକ ଭାଷା – କଟ୍ଟା ମଲକ୍କଡ଼ି
- ତେଲୁଗୁ ଭାଷା - కట్ల పాము (କାଟଲା ପାମୁ)
- ଗୁଜରାଟୀ ଭାଷା - કાળોતરો (କାଲୋତାରୋ)
- ରାଜସ୍ଥାନୀ ଭାଷା - ପିୱାନୋ
- ମରାଠୀ ଭାଷା - मण्यार (ମଣ୍ୟାର), କଣଦର'
- ଓଡ଼ିଆ ଭାଷା - କଲେଁତ, ଚିତି ଓ ଚିଟି
- ମାଲାୟାଲମ୍ ଭାଷା - വെള്ളിക്കെട്ടൻ (ୱେଲିକେଟ୍ଟନ), എട്ടടിവീരൻ (ଏଟ୍ଟାଟି ୱୀରନ୍, ଟ୍ରାଭାଂକୋର୍ ଅଞ୍ଚଳରେ ଅହିରାଜକୁ ମଧ୍ୟ ଏହି ନାମରେ ଡକାଯାଏ), ശംഖുവരയൻ (ଶମଖୁ ୱରାୟନ୍)
- ସିଂହଳୀ ଭାଷା –තෙල් කරවලා (ତେଲ୍ କରୱଲା)
- ତୁଳୁ ଭାଷା – କଟ୍ଟା କଦମ୍ବଲେ
- ଉର୍ଦ୍ଦୁ ଭାଷା - سنگ چور (ସଂଗ୍ ଚୁର୍)
- ବ୍ରହ୍ମଦେଶୀୟ ଭାଷା - ဂျက်မြွေ (ଗ୍ୟେଟମ୍ବେ)
- କୋଙ୍କଣୀ ଭାଷା- କାଲୋ ଆଗ୍ୟୋଭ୍
- ଉତ୍ତର ଭାରତ – ସଖରା, କରୈତ, ଘୋର କରୈତ
ଭୌଗୋଳିକ ବିତରଣ ଓ ପରିବାସ
ସମ୍ପାଦନାଭାରତୀୟ ଉପମହାଦ୍ୱୀପରେ ପାକିସ୍ତାନର ସିନ୍ଧ ଅଞ୍ଚଳରୁ ନେଇ ପଶ୍ଚିମ ବଙ୍ଗ ପର୍ଯ୍ୟନ୍ତ ଏହି ପ୍ରଜାତିର ସାପ ଦେଖିବାକୁ ମିଳନ୍ତି । ସମଗ୍ର ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାରେ ମଧ୍ୟ ଏହି ସାପ ସମୁଦ୍ରପତନରୁ ୧୬୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବାସ କରିବା ଦେଖାଯାଏ ।[୧] ଆଫଗାନିସ୍ତାନ, ବଙ୍ଗଳାଦେଶ ଓ ନେପାଳରେ ମଧ୍ୟ ଚିତି ସାପ ଦେଖାଯାଆନ୍ତି ।[୪]
ବିବିଧ ପ୍ରକାରର ପରିବାସରେ ଚିତି ସାପ ରହିପାରେ । ପଡ଼ିଆ, ବୁଦାଳିଆ ଜଙ୍ଗଲ ଓ ଜନ ବସତି ନିକଟରେ ଚିତି ସାପଙ୍କୁ ଦେଖି ହେବ । ଊଈ ହୁଙ୍କା, ଇଟା ଗଦା, ମୂଷା ଗାତ ଓ ଏପରିକି ମନୁଷ୍ୟଙ୍କ ଘର ଭିତରେ ମଧ୍ୟ ଚିତି ସାପ ଲୁଚି ରହିପାରେ ।[୧] ଅଧିକାଂଶରେ କୌଣସି ଜଳାଶୟ ବା ଜଳ ସ୍ରୋତ ନିକଟରେ ଚିତି ସାପଙ୍କୁ ଦେଖିବାକୁ ମିଳେ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଶ ଅନୁସାରେ, ଏମାନେ ଘରର ଚାଳରେ ଓ କାନ୍ଥ ଉପରେ ରହିପାରନ୍ତି ।[୨]
ଆହାର
ସମ୍ପାଦନାଚିତି ସାପ ଅନ୍ୟ ଛୋଟ ସାପ ପ୍ରଜାତିମାନଙ୍କୁ ଖାଇଥାଏ । ଏମାନେ ଟାଇଫୋଲ୍ପ୍ସ ପ୍ରଜାତିର ଚକ୍ଷୁହୀନ ସାପଙ୍କୁ ଏପରିକି ନିଜ ପ୍ରଜାତିର ଛୋଟ ଚିତି ସାପଙ୍କୁ ମଧ୍ୟ ଖାଆନ୍ତି । ଏଣ୍ଡୁଅ, ଝିଟିପିଟି, ବେଙ୍ଗ, ବିଭିନ୍ନ ପ୍ରକାରର କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀ (ଯଥା – ମୂଷା) ମଧ୍ୟ ଚିତି ସାପର ଆହାର । ଅଳ୍ପ ବୟସ୍କ ଚିତି ସାପ ଅଷ୍ଟପଦୀ ପରି କୀଟପତଙ୍ଗ ଖାଇବା ଦେଖାଯାଏ ।
ବ୍ୟବହାର
ସମ୍ପାଦନାଦିନ ବା ରାତି ଅନୁସାରେ ଚିତି ସାପର ବ୍ୟବହାରରେ ପରିବର୍ତ୍ତନ ଦେଖାଦିଏ । ଦିନ ବେଳେ ଚିତି ସାପ ଅଳସୁଆ ଓ ନିରୀହ ବ୍ୟବହାର ଦେଖାଏ । ଏହା ମୂଷା ଗାତ, ମାଟି ଗଦା ବା କୌଣସି ପଦାର୍ଥ ତଳେ ଲୁଚି ରହିଥିବାରୁ ପ୍ରାୟ ଦେଖାଯାଏ ନାହିଁ । ଦେହର କୁଣ୍ଡଳୀରେ ମୁଣ୍ଡକୁ ଲୁଚାଇ ଶୋଇ ରହିଥାଏ । କୁଣ୍ଡଳୀ ଅବସ୍ଥାରେ ଥିବା ବେଳେ ଏହାକୁ ଛୁଇଁଲେ ଅଧିକାଂଶ ସମୟରେ ଚିତି ସାପ ପ୍ରତିକ୍ରିୟା ଦେଖାଏ ନାହିଁ । କିନ୍ତୁ ଅଧିକ ଛୁଆଁ ଛୁଇଁ କଲେ ସାପ ଉତ୍ୟକ୍ତ ହୋଇ କାମୁଡ଼ି ପାରେ ।
ରାତ୍ରି ସମୟରେ ଚିତି ସାପ ଖୁବ୍ ସକ୍ରିୟ ଥାଏ, ହିସ୍-ହିସ୍ ଶବ୍ଦ କରୁଥାଏ ଓ ଯେକୌଣସି କାରଣରୁ ବିରକ୍ତ ବା ଉତ୍ୟକ୍ତ ହେଲେ କାମୁଡ଼ିବାକୁ ଚେଷ୍ଟା କରେ ।
ଉତ୍ୟକ୍ତ ହେଲେ ଚିତି ସାପ କୁଣ୍ଡଳୀରେ ମୁଣ୍ଡ ଲୁଚାଇ ରଖେ, ଶରୀର ଚେପଟା ରଖେ ଓ ଶରୀରକୁ ହଲାଏ । ବେଳେବେଳେ ନିଜ ଲାଞ୍ଜ ମଧ୍ୟ ଉଠାଇ ରଖେ । ପ୍ରାୟତଃ କାମୁଡ଼ିବାକୁ କୁଣ୍ଠା ପ୍ରକାଶ କରେ । କିନ୍ତୁ ଅତି ଉତ୍ୟକ୍ତ ହୋଇ କାମୁଡ଼ିଲେ ସାପ ବହୁତ ସମୟ ଧରି ତା’ର ଶିକାରକୁ ଧରି ରଖେ । ଏହା ଫଳରେ ଅଧିକରୁ ଅଧିକ ବିଷ ସଞ୍ଚରଣ ହେବାରେ ସମୟ ମିଳିଥାଏ । ରାତିରେ ସାମାନ୍ୟ ବିପଦ ଆଶଙ୍କା ହେଲେ ସାପ ଆକ୍ରମଣାତ୍ମକ ହୋଇପାରେ । ଭାରତରେ ସର୍ବମୋଟ ସାପ କାମୁଡ଼ା ଘଟଣା ମଧ୍ୟରୁ ଚିତି ସାପ କାମୁଡ଼ା ଦ୍ୱିତୀୟ ସର୍ବାଧିକ । ବଙ୍ଗଳାଦେଶରେ ସବୁ ସାପ କାମୁଡ଼ାରୁ ୨୮% ଚିତି ସାପ ଯୋଗୁଁ ଘଟିଥାଏ ।
ଚିତି ସାପର ବିଷ
ସମ୍ପାଦନାଚିତି ସାପର ବିଷ ସ୍ନାୟୁ ତନ୍ତ୍ରିକା କ୍ଷୟକାରୀ ଓ ଏହାର ପ୍ରଭାବରେ ମାଂସପେଶୀ ମଧ୍ୟ ଅଚଳ ହୋଇପାରେ । ଏହାର ବିଷରେ ପ୍ରିସିନାପ୍ଟିକ୍ ଓ ପୋଷ୍ଟ-ସିନାପ୍ଟିକ୍ ନ୍ୟୁରୋଟକ୍ସିନ୍ ରହିଥାଏ ।[୧]
ଚିତି କାମୁଡ଼ିଥିବା ମୂଷାମାନଙ୍କ ଶରୀରରେ ବିଷର LD୫୦ର ମାନ ୦.୩୨୫ ମି.ଗ୍ରା./କି.ଗ୍ରା. SC, ୦.୧୬୯ ମି.ଗ୍ରା./କି.ଗ୍ରା. IV ଓ ୦.୦୮୯ ମି.ଗ୍ରା./କି.ଗ୍ରା. IP ହୋଇଥାଏ ।[୫][୬] ଚିତି ସାପର ହାରାହାରି ୧୦ ମିଲିଗ୍ରାମ୍ ବିଷ ପ୍ରସ୍ତୁତ ହୋଇଥାଏ ।[୭]
ଚିତି ସାପ ରାତ୍ରିଚର ଏବଂ ଦିନ ବେଳେ ମନୁଷ୍ୟ ସହିତ କମ୍ ସମୟରେ ମୁହାଁ ମୁହିଁ ହୋଇଥାନ୍ତି । ଚିତି ସାପ କାମୁଡ଼ା ଘଟଣା ସବୁ ମୁଖ୍ୟତଃ ରାତିରେ ହୋଇଥାଏ । ଚିତି ସାପ କାମୁଡ଼ିଲେ ବେଶୀ ଦଂଶନ ପୀଡ଼ା ହୁଏନାହିଁ ଯାହା ଫଳରେ ମନୁଷ୍ୟ କିଛି କ୍ଷତି ନହୋଇଥିବା ଭାବେ । କିନ୍ତୁ କିଛି ସମୟ ପରେ ଭୀଷଣ ପେଟ ବ୍ୟଥା ଓ ଶରୀର ଅଚଳ ହେବା ଆରମ୍ଭ ହୁଏ । ଚିତି ସାପ କାମୁଡ଼ାର ୪-୮ ଘଣ୍ଟାରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିପାରେ ।[୮]
ବର୍ଷା ଦିନେ ଚିତି ସାପ ନିଜ ଲୁଚିଥିବା ସ୍ଥାନରୁ ବାହାରି କୌଣସି ଶୁଷ୍କ ସ୍ଥାନ ବା ଘରେ ପଶିବାକୁ ଚେଷ୍ଟା କରନ୍ତି । ଶୋଇଥିବା ଅବସ୍ଥାରେ ମଣିଷକୁ ଚିତି ସାପ କାମୁଡ଼ିଲେ ମଶା ବା ପିମ୍ପୁଡ଼ି କାମୁଡ଼ିବା ପରି ଅନୁଭୂତ ହେଉଥିବାରୁ ଲୋକକୁ ଜଣା ମଧ୍ୟ ପଡ଼ିବ ନାହିଁ ଯେ ସାପ କାମୁଡ଼ିଛି । ଶୋଇଥିବା ଅବସ୍ଥାରେ ମଧ୍ୟ ଲୋକର ମୃତ୍ୟୁ ହେବା ସମ୍ଭବପର ।
ଚିତି କାମୁଡ଼ିଲେ ୧-୨ ଘଣ୍ଟା ପରେ ମାଂସପେଶୀ ଭିଡ଼ିହେବା, ଦୃଷ୍ଟି ଓ ବାକ୍ ଶକ୍ତି କ୍ଷୀଣ ହେବା ପରି ପ୍ରଭାବ ଦେଖାଯାଏ । ସର୍ପ ଦଂଶ ରୋଗୀକୁ ସେପରି ଅବସ୍ଥାରେ ଛାଡ଼ି ଦେଲେ ଶ୍ୱାସ ଅବରୁଦ୍ଧ ହୋଇ ୪-୫ ଘଣ୍ଟା ମଧ୍ୟରେ ମୃତ୍ୟୁ ଘଟିବା ସମ୍ଭବପର । ସର୍ବେକ୍ଷଣରୁ ଜଣାଯାଏ ଯେ ବିନା ଆଶୁ ଚିକିତ୍ସାରେ ଚିତି ସାପ କାମୁଡ଼ାରୁ ମୃତ୍ୟୁ ହାର ପ୍ରାୟ ୭୦-୮୦% । ବଙ୍ଗଳାଦେଶରେ ସାପ କାମୁଡ଼ାଜନିତ ମୃତ୍ୟୁ ସଂଖ୍ୟାର ୫୦%ରୁ ଅଧିକ ମୃତ୍ୟୁ ଚିତି ସାପ ଯୋଗୁଁ ହେଉଥିବା ଜଣାଯାଏ ।[୧]
ସାହିତ୍ୟରେ ଉଲ୍ଲେଖ
ସମ୍ପାଦନାଇଂରାଜୀରେ ଲିଖିତ ଦ ଜଙ୍ଗଲ ବୁକ୍ ଗଳ୍ପରେ “ରିକି ଟିକି ଟେଭି” ପ୍ରସଙ୍ଗରେ ଏକ ଚିତି ସାପ କରୈଟ୍ର ଧମକ ଓ ଯୁବା ନେଉଳ ରିକିର ତା’ ସହିତ ଯୁଦ୍ଧ ବିଷୟ ବର୍ଣ୍ଣିତ । ଚିତି ସାପଟି ନାଗଠାରୁ ମଧ୍ୟ ଅଧିକ ଭୟଙ୍କର ପ୍ରତିଦ୍ୱନ୍ଦୀ ହୋଇଥିବା ଏବଂ ଯୁବା ନେଉଳ ରିକି ତାହାକୁ ପରାସ୍ତ କରିଥିବା ଏହି କାହାଣୀରେ କୁହାଯାଇଛି ।
ଜେମ୍ସ୍ ପ୍ୟାଟର୍ସନ୍ଙ୍କ ଲିଖିତ ୱିମେନ୍ସ ମର୍ଡରର୍ କ୍ଲବ୍ ଉପନ୍ୟାସର ୮ମ ସଂଖ୍ୟା “ଏଇଟ୍ଥ୍ କନଫେସନ୍”ରେ ହତ୍ୟାକାରିଣୀ ଚିତି ବିଷର ବ୍ୟବହାର କରି ହତ୍ୟା କରୁଥିବା ବିଷୟ ଲିଖିତ ।
ରୋଆଲ୍ଡ୍ ଡାଲ୍ଙ୍କ ସମ୍ୱନ୍ ଲାଇକ୍ ୟୁ (ଗଳ୍ପ ସଂକଳନ)ରେ “ପୋଇଜନ୍” ନାମକ ଏକ କ୍ଷୁଦ୍ର ଗଳ୍ପ ରହିଛି ଯେଉଁଥିରେ ଖଟରେ ଶୋଇ ବହି ପଢ଼ୁଥିବା ଲୋକର ପେଟ ଉପରକୁ ଏକ ଚିତି ସାପ ଚଢ଼ିବା ବର୍ଣ୍ଣିତ ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Clinical Toxinology-Bungarus caeruleus". Archived from the original on 2016-10-16. Retrieved 2011-11-10.
- ↑ ୨.୦ ୨.୧ ୨.୨ ୨.୩ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.
- ↑ ୩.୦ ୩.୧ Gopalakrishnakone, Chou, P, LM (1990). Snakes of Medical Importance (Asia-Pacific Region). Singapore: Venom and Toxin Research Group National University of Singapore and International Society on Toxinology (Asia-Pacific section). pp. 284–285. ISBN 9971-62-217-3.
{{cite book}}
: CS1 maint: multiple names: authors list (link) - ↑ Bungarus caeruleus at the Reptarium.cz Reptile Database. Accessed 18 November 2013.
- ↑ "LD50". Archived from the original on 2012-02-01.
- ↑ "LD50 menu". Archived from the original on 2012-04-13.
- ↑ Engelmann, Wolf-Eberhard (1981). Snakes: Biology, Behavior, and Relationship to Man. Leipzig; English version NY, USA: Leipzig Publishing; English version published by Exeter Books (1982). pp. 51. ISBN 0-89673-110-3.
- ↑ "Medical Management for bites by Kraits (Bungarus species)". Archived from the original on 2012-04-02.
ଅନ୍ୟାନ୍ୟ ଆଧାର
ସମ୍ପାଦନାRomulus Whitaker (1978). COMMON INDIAN SNAKES: A Field Guide. Macmillan India Limited.