କୃଷ୍ଣଚନ୍ଦ୍ର ମିଶ୍ର

ଓଡ଼ିଆ ଶିକ୍ଷାବିତ ଓ ସ୍ତମ୍ଭକାର

କୃଷ୍ଣଚନ୍ଦ୍ର ମିଶ୍ର ଓଡ଼ିଆ ଓ ଈଂରାଜୀ ଭାଷାର ଜଣେ ପ୍ରାବନ୍ଧିକ ତଥା ଅବସରପ୍ରାପ୍ତ ଅର୍ଥନୀତି ପ୍ରାଧ୍ୟାପକ । ତାଙ୍କର ଗବେଷଣାତ୍ମକ ରଚନା ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ (ଏକ ତାତ୍ତ୍ୱିକ ବିଶ୍ଳେଷଣ) ପୁସ୍ତକ ପାଇଁ ତାଙ୍କୁ ୨୦୧୨ ମସିହାର ପ୍ରବନ୍ଧ ଓ ସମାଲୋଚନା ବର୍ଗରେ “ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର” ପାଇଁ ମନୋନୀତ କରାଯାଇଥିଲା ।[୧] ୨୦୧୫ ମସିହା ନଭେମ୍ବର ୨୦ ତାରିଖ ଦିନ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ସେ ଏହି ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ ।[୨] ଚାକିରୀ ଜୀବନରୁ ଅବସର ନେବା ପରେ ବର୍ତ୍ତମାନ ସେ ଭାରତୀୟ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା କରୁଛନ୍ତି । ତାଙ୍କ ପତ୍ନୀ ଡଃ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ପୁରୀର ସରକାରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ତଥା ଜଣେ ଲେଖିକା ।

କୃଷ୍ଣଚନ୍ଦ୍ର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1948-08-28) ୨୮ ଅଗଷ୍ଟ ୧୯୪୮ (ବୟସ ୭୩)
ପୁରୀ
ବୃତ୍ତିପ୍ରାଧ୍ୟାପକ (ବିଭାଗୀୟ ମୁଖ୍ୟ - ଅର୍ଥନୀତି ବିଭାଗ, ରେଭେନ୍‍ସା ବିଶ୍ୱବିଦ୍ୟାଳୟ ପରେ ଚାକିରୀରୁ ଅବସରପ୍ରାପ୍ତ)
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ଶିକ୍ଷାଅର୍ଥନୀତିରେ ସ୍ନାତକୋତ୍ତର (୧୯୭୩), ଅର୍ଥନୀତିରେ ଡକ୍ଟରେଟ୍ (୧୯୮୮)
ଶିକ୍ଷାନୁଷ୍ଠାନପୁରୀ ଜିଲ୍ଲା ସ୍କୁଲ
ଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ
Land Systems and Land Reforms
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୨)
ଜୀବନ ସାଥିଡ଼ଃ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ
ଜ୍ଞାତି କୁଟୁମ୍ବସ୍ୱର୍ଗତ ଚକ୍ରଧର ମିଶ୍ର (ବାପା),
ସ୍ୱର୍ଗତ କମଳା ଦେବୀ (ମାଆ)

ବାଲ୍ୟ ଓ ଶିକ୍ଷା ଜୀବନସମ୍ପାଦନ କରନ୍ତୁ

୧୯୪୮ ମସିହା ଜନ୍ମାଷ୍ଟମୀ ଦିନ କୃଷ୍ଣଚନ୍ଦ୍ର ମିଶ୍ର ପୁରୀରେ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ହେଲା - ଚକ୍ରଧର ମିଶ୍ର ଓ ମାତାଙ୍କ ନାମ ହେଲା - କମଳା ଦେବୀ । ପୁରୀ ଜିଲ୍ଲା ସ୍କୁଲରେ ସେ ନିଜର ମାଧ୍ୟମିକ ଶିକ୍ଷା ଲାଭ କରିଥିଲେ । ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ସେ ଅଧ୍ୟାପକ ଜୟକୃଷ୍ଣ ମିଶ୍ରଙ୍କ ଲିଖିତ ଏକ ପ୍ରବନ୍ଧ ପଢ଼ି ବିଶେଷ ପ୍ରଭାବିତ ହୋଇଥିଲେ ।[୩] ଉକ୍ତ ପ୍ରବନ୍ଧଟି ଭୁବନେଶ୍ୱରର ପ୍ରାଚୀନ ମନ୍ଦିରମାନଙ୍କ ଉପରେ ପର୍ଯ୍ୟବେଶିତ ଥିଲା । ନିଜର କିଛି ସହପାଠୀଙ୍କ ସହିତ ମିଶି ସେ “କୋଣାର୍କ” ନାମକ ଏକ ହାତଲେଖା ପତ୍ରିକା ବାହାର କରାଇଥିଲେ । କିଛି ବର୍ଷ ପରେ ଏହି ପତ୍ରିକା ବନ୍ଦ ହୋଇଯାଇଥିଲା ।

୧୯୭୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର)ରୁ ଅର୍ଥନୀତିରେ ସ୍ନାତକୋତ୍ତର (ଏମ୍.ଏ.) ଡିଗ୍ରୀ ହାସଲ କରିଥିଲେ । ୧୯୮୮ ମସିହାରେ ସେ ଅର୍ଥନୀତିରେ ଡକ୍ଟରେଟ୍ (Ph.D.) ଡିଗ୍ରୀ ମଧ୍ୟ ହାସଲ କରିଥିଲେ ।

କର୍ମ ଜୀବନସମ୍ପାଦନ କରନ୍ତୁ

ଡଃ କୃଷ୍ଣଚନ୍ଦ୍ର ମିଶ୍ର ୧୯୭୪ ମସିହାରୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟାରମ୍ଭ କରିଥିଲେ । ନିଜ କର୍ମ ଜୀବନରେ ସେ ଓଡ଼ିଶାର ବିଭିନ୍ନ ମହାହିଦ୍ୟାଳୟ ଯଥା – ରାଜେନ୍ଦ୍ର କଲେଜ, ବଲାଙ୍ଗୀର, ଭଦ୍ରଖ କଲେଜ, ସମ୍ବଲପୁରଗଙ୍ଗାଧର ମେହେର ମହାବିଦ୍ୟାଳୟ, କଟକର ରେଭେନ୍ସା ମହାବିଦ୍ୟାଳୟ, ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଓ କେନ୍ଦୁଝରର ସରକାରୀ ମହିଳା ମହାବିଦ୍ୟାଳୟ ପ୍ରଭୁତିରେ ଅଧ୍ୟାପକ, ପ୍ରାଧ୍ୟାପକ ତଥା ଅଧ୍ୟକ୍ଷର ଦାୟିତ୍ୱ ତୁଲାଇ ଆସିଛନ୍ତି । ସରକାରୀ ଚାକିରୀର ଶେଷ ବେଳକୁ ସେ ରେଭେନ୍‍ସା ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ତଥା ବିଭାଗୀୟ ମୁଖ୍ୟର ପଦଭାର ବହନ କରୁଥିଲେ । ୨୦୦୮ ମସିହାରେ ସେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିଲେ ।[୩]


ଅବସର ପରେ ସେ “ମହୋଦଧି” ନାମକ ଏକ ଦ୍ୱିମାସିକ ସାହିତ୍ୟ ପତ୍ରିକାର ପରିଚାଳନା ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।[୩] ତାଙ୍କ ପତ୍ନୀ ଡଃ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ଏହି ପତ୍ରିକାର ସମ୍ପାଦିକା ଭୂମିକା ଗ୍ରହଣ କରିଥିଲେ ।[୪]

ରଚନାବଳୀସମ୍ପାଦନ କରନ୍ତୁ

କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସାହିତ୍ୟ କୃତି
ପୁସ୍ତକ ପ୍ରକାଶକ ପ୍ରକାଶନ ବର୍ଷ
Land Systems and Land Reforms ହିମାଳୟ ପବ୍ଲିଶିଂ ହାଉସ୍ ୧୯୯୦
ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ (ଏକ ତାତ୍ତ୍ୱିକ ବିଶ୍ଳେଷଣ) ଅଗ୍ରଦୂତ ୨୦୧୦


୧୯୯୦ ମସିହାରେ ବମ୍ବେସ୍ଥିତ (ଆଧୁନିକ ମୁମ୍ବାଇ) ହିମାଳୟ ପବ୍ଲିଶିଂ ହାଉସଦ୍ୱାରା ଡଃ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଭୂମି ବ୍ୟବସ୍ଥା ଉପରେ ଏକ ଗବେଷଣାତ୍ମକ ପୁସ୍ତକ Land Systems and Land Reforms (ଲ୍ୟାଣ୍ଡ୍ ସିଷ୍ଟମ୍‍ସ୍ ଏଣ୍ଡ୍ ଲ୍ୟାଣ୍ଡ୍ ରିଫର୍ମ୍ସ୍ – ଭୂବ୍ୟବସ୍ଥା ଓ ଭୂସଂସ୍କାର) ପ୍ରକାଶିତ ହୋଇଥିଲା । ଇଂରାଜୀ ଭାଷାରେ ଲିଖିତ ଏହି ପୁସ୍ତକଟି ଭୂମି ସମ୍ପର୍କିତ ନିୟମ, ବ୍ୟବସ୍ଥା ଯୋଗୁଁ ଓଡ଼ିଶାର ଗରୀବ କୃଷକମାନେ କିପରି ଦୁଃଖଦୁର୍ଦ୍ଦଶା ଭୋଗ କରୁଛନ୍ତି ଓ କେଉଁ ପ୍ରକାରର ସୁଧାରଦ୍ୱାରା ସେମାନଙ୍କୁ ସାମାଜିକ ତଥା ଅର୍ଥନୈତିକ ନ୍ୟାୟ ମିଳିପାରିବ, ତାହା ଉପରେ ପର୍ଯ୍ୟବେଶିତ ଥିଲା ।

୨୦୧୦ ମସିହାରେ ତାଙ୍କ ଲିଖିତ ପୁସ୍ତକ ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ (ଏକ ତାତ୍ତ୍ୱିକ ବିଶ୍ଳେଷଣ)ର ଦୁଇଟି ଖଣ୍ଡ କଟକର ପ୍ରକାଶକ ସଂସ୍ଥା ଅଗ୍ରଦୂତଦ୍ୱାରା ଲୋକଲୋଚନକୁ ଆସିଥିଲା । ଶ୍ରୀ ଜଗନ୍ମାଥଙ୍କ ପରମ୍ପରା, ସଂସ୍କୃତି, ଧର୍ମ ତଥା ନୀତିନିୟମକୁ ନେଇ ବହୁ ସଂଖ୍ୟକ ପୁସ୍ତକ ପ୍ରକାଶିତ ହୋଇଥିଲେ ହେଁ ତାଙ୍କ ସୁନ୍ଦର ମନ୍ଦିରର ସ୍ଥାପତ୍ୟ ଓ କଳା ବିଷୟରେ ବିଶେଷ କୌଣସି ପୁସ୍ତକ ପ୍ରକାଶ ପାଇ ନଥିବାରୁ ଡଃ କୃଷ୍ଣଚନ୍ଦ୍ର ମିଶ୍ର ଏହି ଦିଗରେ ସମୟ ବିନିଯୋଗ କରିଥିଲେ । ଏହି ପୁସ୍ତକରେ ହିନ୍ଦୁ ମନ୍ଦିର ସ୍ଥାପତ୍ୟ କଳା, କଳିଙ୍ଗ ସ୍ଥାପତ୍ୟ କଳା ବିଷୟରେ ଏକ ତୁଳନାତ୍ମକ ଓ ତାତ୍ତ୍ୱିକ ବିଶ୍ଳେଷଣ କରାଯାଇଛି । ଶ୍ରୀମନ୍ଦିରର ବିମାନ, ଗଣ୍ଡି, ମସ୍ତକ, ଗର୍ଭଗୃହ, ମୁଖଶାଳା, ନାଟ୍ୟ ମଣ୍ଡପ, ଭୋଗମଣ୍ଡପ ଇତ୍ୟାଦିର ସ୍ଥାପତ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ସମ୍ବଳିତ ଏହି ଦୁଇ ଖଣ୍ଡ ପୁସ୍ତକରେ ଶ୍ରୀମନ୍ଦିରର ସ୍ଥାପତ୍ୟ କଳାରେ ରହିଥିବା ମଧ୍ୟଯୁଗୀୟ ଛାପ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି ।

ଏତତ୍ ବ୍ୟତୀତ ସମାଜ, ସମ୍ବାଦ, ଧରିତ୍ରୀ, ପ୍ରଜାତନ୍ତ୍ର, ସମୟ, ଯୋଜନା ଓ ମହୋଦଧି ପ୍ରଭୃତିରେ ତାଙ୍କ ଲିଖିତ ଅନେକ ପ୍ରବନ୍ଧ ପ୍ରକାଶିତ ହୋଇଛି ।[୩]

ଆଧାରସମ୍ପାଦନ କରନ୍ତୁ

  1. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ".
  2. "ମଧୁସୂଦନ ପତିଙ୍କୁ ଅତିବଡ଼ୀ ପୁରସ୍କାର ପ୍ରଦାନ - 'ଆତ୍ମସ୍ଥ ହେଲେ କାଳଜୟୀ ସାହିତ୍ୟ ସୃଷ୍ଟି ହୁଏ'" (PDF).
  3. ୩.୦ ୩.୧ ୩.୨ ୩.୩ ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ (ଏକ ତାତ୍ତ୍ୱିକ ବିଶ୍ଳେଷଣ). ଅଗ୍ରଦୂତ, କଟକ.
  4. "Laxmi Priya Acharya".