ଅପର୍ଣ୍ଣା ପାଣିଗ୍ରାହୀ

ଓଡ଼ିଆ ଗାୟକ ଓ ବୀଣାକାର

ଅପର୍ଣ୍ଣା ପାଣିଗ୍ରାହୀ (୧୮୯୩-୧୯୩୬) ଜଣେ ସୁପ୍ରସିଦ୍ଧ ପୁରାତନ ଓଡ଼ିଶୀ ସଙ୍ଗୀତଜ୍ଞ, ଗାୟକ ଓ ଓଡ଼ିଶୀ ପରମ୍ପରାର ବୀଣାକାର । ସେ ଜଣେ ବିଶିଷ୍ଟ ଗ୍ରାମୋଫୋନ କଳାକାର ଥିଲେ । ଅଳ୍ପ ବୟସରୁ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ସେ ଅନ୍ଧ ହୋଇଯାଇଥିଲେ । ଏଥିପାଇଁ ଲୋକେ ତାଙ୍କୁ 'ଅନ୍ଧ ଆପନ୍ନା' ଓ 'ଉତ୍କଳର ସୁରଦାସ' ବୋଲି ଡାକୁଥିଲେ । ସେହି ସମୟରେ ସମଗ୍ର ଓଡ଼ିଶାର ସର୍ବଶ୍ରେଷ୍ଠ ବୀଣାକାର ଭାବେ ତାଙ୍କର ଖ୍ୟାତି ଥିଲା ।[୧] ଓଡ଼ିଶୀ ସଙ୍ଗୀତର ଦକ୍ଷିଣ ଓଡ଼ିଶା ଶୈଳୀର ଜଣେ ପ୍ରମୁଖ କଳାକାର ଥିଲେ ଅପର୍ଣ୍ଣା ।

ଗାୟକ ଶିରୋମଣି

ଅପର୍ଣ୍ଣା ପାଣିଗ୍ରାହୀ

'ଉତ୍କଳର ସୁରଦାସ'
ଜନ୍ମ
ଅପର୍ଣ୍ଣା ପାଣିଗ୍ରାହୀ

୧୮୯୩ ମାର୍ଗଶିର ଶୁକ୍ଳ ଗୁରୁବାର
ନାଡ଼ସାଦ୍ରା, ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ
ପାରଳାଖେମୁଣ୍ଡିଠୁଁ ୮ କିଲୋମିଟର ଦୂରତାରେ ସ୍ଥିତ
ମୃତ୍ୟୁ୧୯୩୬
ପାରଳାଖେମୁଣ୍ଡି
ଜାତୀୟତା ଭାରତୀୟ
ଅନ୍ୟ ନାମଆପନ୍ନା ପାଣିଗ୍ରାହୀ, ଅନ୍ଧ ଆପନ୍ନା
ବୃତ୍ତିକଣ୍ଠଶିଳ୍ପୀ ଓ ସଙ୍ଗୀତବିଦ
ଉଲ୍ଲେଖନୀୟ କୃତି
  • ମୋ ନିଦ କେଣେ ଦେଲୁ ଭାଙ୍ଗି
  • ମନୁ ଯାଉ ନାହିଁ ମା
  • ରାଧାଧର ସୁମଧୁରା
  • ବ୍ରଜରାଜ ତନୟ ଗୁଣ ଗାଆରେ
ଶୈଳୀଓଡ଼ିଶୀ ସଙ୍ଗୀତ
Titleଉତ୍କଳର ସୁରଦାସ, ଅନ୍ଧ ଆପନ୍ନା
ପିତାମାତା(s)ଗୋପାଳ କୃଷ୍ଣ ପାଣିଗ୍ରାହୀ (ପିତା)
ରୂପମଞ୍ଜରୀ (ମାତା)
Notes
ପାରଳାଖେମୁଣ୍ଡିରେ ଅପର୍ଣ୍ଣା/ଆପନ୍ନା ଏକ ପୁରୁଷ ନାମ

ଜୀବନୀ ସମ୍ପାଦନା

ଅପର୍ଣ୍ଣା ପାଣିଗ୍ରାହୀ ଓଡ଼ିଶାର ତତ୍କାଳୀନ ପାରଳାଖେମୁଣ୍ଡି ଏଷ୍ଟେଟର (ଆଧୁନିକ ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ସହର) କରଣ ସାହିରେ ୧୮୯୩ ମସିହାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ନଅ-ଦଶ ବର୍ଷ ହୋଇଥିବା ବେଳେ ସେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ଅନ୍ଧ ହୋଇଯାଇଥିଲେ ।

ବୃତ୍ତି ସମ୍ପାଦନା

ସେ ପାରଳାଖେମୁଣ୍ଡି ରାଜଦରବାରର ସଙ୍ଗୀତଜ୍ଞ, ଗାୟକ ଓ ବାଦକ ଭାବେ କାର୍ଯ୍ୟ କରିଥିଲେ ।

ସେ ନିଜ ବୁଢ଼ୀମା, ଧର୍ମପତ୍ନୀ ଓ ଦୁଇଗୋଟି ଝିଅଙ୍କ ସଙ୍ଗେ ରହୁଥିଲେ ।

ସଙ୍ଗୀତ ସମ୍ପାଦନା

ବିଜୟନଗରର ସୂର୍ଯ୍ୟନାରାୟଣ ଓସ୍ତାଦଙ୍କ ଛଅ ସାତ ବର୍ଷ ପାରଳାଖେମୁଣ୍ଡି ରହଣି କାଳରେ ଅପର୍ଣ୍ଣା ତାଙ୍କଠାରୁ ବୀଣାବାଦନ ଶିକ୍ଷା କରିଥିଲେ ।[୧] ସେ କଣ୍ଠସଂଗୀତ ସହ ବୀଣାବାଦନରେ ପଟୁତା ଲାଭକରିଥିଲେ ।

ଗ୍ରାମୋଫୋନ ରେକର୍ଡ଼ ସମ୍ପାଦନା

ସେ ପାଖାପାଖି ଆଠଗୋଟି ଗୀତ କଲିକତାର ଗ୍ରାମୋଫୋନ କମ୍ପାନୀ ପାଇଁ ରେକର୍ଡ଼ କରିଥିବା ଜଣାଯାଏ । ଏହି ମଧ୍ୟରୁ ତାଙ୍କର ରାଧାଧର ସୁମଧୁରା ଗୀତଟି ସେହି ସମୟର ଓଡ଼ିଶାରେ ପ୍ରସିଦ୍ଧି ଲାଭକରିଥିଲା । ସେ ପାରଳାଖେମୁଣ୍ଡିର ତତ୍କାଳୀନ ଓ ପୂର୍ବବର୍ତ୍ତୀ ଗଜପତି ରାଜାମାନଙ୍କ ରଚିତ ଅନେକ ଓଡ଼ିଶୀ ଗୀତ ଗାଇଛନ୍ତି । ତାଙ୍କର କେତେକ ଜଣାଶୁଣା ଗୀତ ହେଲା:

କ୍ରମଗୀତକବିସମୟ
1."ମୋ ନିଦ କେଣେ ଦେଲୁ ଭାଙ୍ଗି"ଗୋପାଳକୃଷ୍ଣ ପଟ୍ଟନାୟକ୨:୫୬
2."ବ୍ରଜରାଜ ତନୟ ଗୁଣ ଗାଆରେ"ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ୨:୫୭
3."ରାଧାଧର ସୁମଧୁରା"ବୃନ୍ଦାବନ ଚନ୍ଦ୍ର ପାଣିଗ୍ରାହୀ
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ଭଣିତ
୨:୫୬
4."ମନୁ ଯାଉ ନାହିଁ ମା"କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୨:୫୫
5."କୁଞ୍ଜକୁ ଯିବୁ ପରା"ଗୌରହରି ପରିଚ୍ଛା୨:୫୫
6."ରାଧା ଧରି ସଖୀ କର"ଅଭିମନ୍ୟୁ ସାମନ୍ତସିଂହାର୨:୫୫
7."ମୋହନ ମାଧୁରୀ ଦେଖିଥିଲା ନାରୀ"ଗୋପାଳକୃଷ୍ଣ ପଟ୍ଟନାୟକ୨:୫୮
8."ପ୍ରଣୟରେ ଦୁଃଖୀ ହୋଇ ପକ୍ଷ୍ମଳାକ୍ଷୀ"ଅଭିମନ୍ୟୁ ସାମନ୍ତସିଂହାର୨:୪୭

କିମ୍ବଦନ୍ତୀ ସମ୍ପାଦନା

ଏକ କିମ୍ବଦନ୍ତୀ ଅନୁସାରେ ପୂର୍ବକାଳରେ ଏକ ଭ୍ରାନ୍ତ ଧାରଣା ଥିଲା ଯେ ଗ୍ରାମୋଫୋନରେ କଣ୍ଠ ରେକର୍ଡ଼ କରାଗଲେ ଗାୟକଙ୍କ କଣ୍ଠସ୍ୱର ଆଉ ରହିବ ନାହିଁ । ଦେଶରେ ନୂଆ ନୂଆ ଗ୍ରାମୋଫୋନ ଆସିଥିବାରୁ ଲୋକଙ୍କ ମଧ୍ୟରେ ଏହି ଅମୂଳକ ଭୟ ସୃଷ୍ଟି ହୋଇଥିଲା । ଅପର୍ଣ୍ଣାଙ୍କ ବିଷୟରେ କୁହାଯାଏ ଯେ ସେ ଏହି କାରଣରୁ ଗ୍ରାମୋଫୋନ ରେକର୍ଡ଼ କରିବାରୁ ବିମୁଖ ଥିଲେ । ସେ ଅନ୍ଧ ଥିବାରୁ ଥରେ ରାଜଦରବାରରେ ତାଙ୍କ ଗାୟନ ବେଳେ ଜଣେ ଭବିଷ୍ୟତ ସଂରକ୍ଷଣ ଦୃଷ୍ଟିରୁ ତାଙ୍କର ଆଠଗୋଟି ଗୀତ ରେକର୍ଡ଼ କରିଦେଇଥିଲେ । ନିଜ କଣ୍ଠକୁ ଗ୍ରାମୋଫୋନରେ ଶୁଣି ଅତିଦୁଃଖିତ ହୋଇ ଅପର୍ଣ୍ଣାଙ୍କ ସ୍ୱର୍ଗବାସ ହୋଇଥିଲା ବୋଲି କୁହାଯାଏ ।[ଆଧାର ଲୋଡ଼ା]

ଏହି କିମ୍ବଦନ୍ତୀ ସମ୍ପୂର୍ଣ୍ଣ ଅମୂଳକ ମନେ ହୁଏ ଓ ଏହାର କୌଣସି ଆଧାର ଥିବା ଜଣାଯାଏ ନାହିଁ । ଅପର୍ଣ୍ଣାଙ୍କ ଇଚ୍ଛା ବିରୁଦ୍ଧରେ ରେକର୍ଡ଼ କରାଯାଇଥିଲେ ସମସ୍ତ ଗୀତ ଗ୍ରାମୋଫୋନର ସମୟ ସୀମା ଯାଏଁ ରେକର୍ଡ଼ ହୋଇଥିବା ଅତ୍ୟନ୍ତ ଅସମ୍ଭବ । ପୁଣି ରେକର୍ଡ଼ ନିମନ୍ତେ କଲିକତା ଯିବା ଆବଶ୍ୟକ ଥିଲା । ପାରଳାଖେମୁଣ୍ଡିର ରାଜଦରବାରରେ ରେକର୍ଡ଼ିଂ ପାଇଁ ଆବଶ୍ୟକ ଯନ୍ତ୍ରପାତି ଆସିବା କଥା ମଧ୍ୟ ଅସମ୍ଭବ ମନେ ହୁଏ ।[ଆଧାର ଲୋଡ଼ା]

ଗୋପାଳକୃଷ୍ଣଙ୍କ ରଚନା ସମ୍ପାଦନା

କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ ପାରଳାଖେମୁଣ୍ଡିର ଜଣେ ପୁରାତନ କବି । ସେ ସହସ୍ରାଧିକ ଓଡ଼ିଶୀ ଚଉପଦୀ, ଛାନ୍ଦ, ଜଣାଣ ଆଦି ରଚନା କରିଥିଲେ । ଅପର୍ଣ୍ଣା ଗୋପାଳକୃଷ୍ଣ ଅନେକ ଗୀତକୁ ଗାୟନ କରି ପ୍ରସିଦ୍ଧି ଲାଭ କରିଥିଲେ । ୧୯୧୯ ମସିହାରେ ଅପର୍ଣ୍ଣାଙ୍କ କଣ୍ଠରେ ଗୋପାଳକୃଷ୍ଣଙ୍କ ଏକ ଓଡ଼ିଶୀ ଗୀତ ଶୁଣି ଉତ୍କଳମଣି ଗୋପବନ୍ଧୁ ଦାସ ଅପର୍ଣ୍ଣାଙ୍କୁ ପାରଳାଖେମୁଣ୍ଡିରୁ ସାକ୍ଷୀଗୋପାଳକୁ ଆଣିଥିଲେ । ଅପର୍ଣ୍ଣା ତିନି ମାସ ଧରି ସାକ୍ଷୀଗୋପାଳର ବନବିଦ୍ୟାଳୟଠାରେ ଛାତ୍ରମାନଙ୍କୁ ଓଡ଼ିଶୀ ସଙ୍ଗୀତ ଶିକ୍ଷା ପ୍ରଦାନ କରିଥିଲେ । ଗୋପାଳକୃଷ୍ଣଙ୍କ ରଚନା ମାଧ୍ୟମରେ ଅପର୍ଣ୍ଣା ଗାୟନ, ବୀଣା ବାଦନ, ବୋଲିଭଙ୍ଗୀ କବିତାର ଶୈଳୀ ଦର୍ଶାଇ ଓଡ଼ିଶୀ ସଙ୍ଗୀତ ଶିଖାଇଥିଲେ ।[୨]

ନିଖିଳ ଭାରତୀୟ ସଙ୍ଗୀତ ସମ୍ମିଳନୀ ସମ୍ପାଦନା

କଟକର ଉତ୍କଳ ସଙ୍ଗୀତ ସମାଜ ଲକ୍ଷ୍ମୀକାନ୍ତ ଚୌଧୁରୀଙ୍କ ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିଲା । ଏହି ସଂସ୍ଥା ତରଫରୁ ଅପର୍ଣ୍ଣା ନିଖିଳ ଭାରତୀୟ ସଙ୍ଗୀତ ସମ୍ମିଳନୀକୁ ଯାଇଥିଲେ । ଏଠାରେ ଅପର୍ଣ୍ଣାଙ୍କ ବୀଣାବାଦନ ଓ ଗାୟନ ଶୁଣି ସମସ୍ତେ ତଟସ୍ଥ ହୋଇ ତାଙ୍କର ଅନେକ ପ୍ରଶଂସା କରିଥିଲେ ।[୧]

ପୁରୀ ଓ କଟକ ସମ୍ପାଦନା

ଅପର୍ଣ୍ଣା ଅନେକ ଥର ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଯାଇ ସେଠାରେ ମାସମାସ ଧରି ରହୁଥିଲେ । ଏହି ରହଣିଗୁଡ଼ିକ ସମୟରେ ଆଦିଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ଅପର୍ଣ୍ଣାଙ୍କଠାରୁ ଅଳ୍ପକାଳ ଧରି ସଙ୍ଗୀତ ଶିକ୍ଷା କରିଥିଲେ । କଟକର ସନ୍ଧ୍ୟାବେଳ ସଙ୍ଗୀତ ଆସରଗୁଡ଼ିକରେ ମଧ୍ୟ ଅପର୍ଣ୍ଣା ଭାଗ ନେଉଥିଲେ ।

ଓଡ଼ିଶାରେ ଅପର୍ଣ୍ଣାଙ୍କ ଗୁଣଗ୍ରାହୀଙ୍କ ସଂଖ୍ୟା ଯଥୋଚିତ ନଥିଲା ବୋଲି ଅପର୍ଣ୍ଣାଙ୍କ ଜୀବନୀ ଆଲେଖ୍ୟର ରଚକ ପଣ୍ଡିତ ଲକ୍ଷ୍ମୀନାରାୟଣ ସାହୁ ମତ ସ୍ଥାପନ କରିଛନ୍ତି ।[୧]

ଅପର୍ଣ୍ଣାଙ୍କ ଏପରି ଗୁଣ ଥିଲା ସତ୍ୟ; କିନ୍ତୁ ଓଡ଼ିଶାରେ ଅପର୍ଣ୍ଣାଙ୍କ ଗୁଣଗ୍ରାହୀ ଲୋକ ଖୁବ୍ କମ୍ ଥିଲେ ।

ପରଲୋକ ସମ୍ପାଦନା

କଲିକତାରେ ଗ୍ରାମୋଫୋନ ରେକର୍ଡ଼ ଦେଇ ଫେରୁଥିବାବେଳେ ଗାଡ଼ିରେ ତାଙ୍କୁ ଜ୍ୱର ହେଲା । ଘରେ ପହଞ୍ଚିଲା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ କୌଣସି ପ୍ରକାର ଭୂସମ୍ପତ୍ତି ରଖିନଥିବାରୁ ତାଙ୍କ ବୁଢ଼ୀମା ଓ ଧର୍ମପତ୍ନୀ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଜୀବନଯାପନ କରିଥିଲେ ।[୧]

ସଂରକ୍ଷଣ ସମ୍ପାଦନା

କଟକର ପ୍ରସିଦ୍ଧ ଗ୍ରାମୋଫୋନ ରେକର୍ଡ଼ ସଙ୍ଗ୍ରାହକ ଇନ୍ଦ୍ରମଣି ସାହୁ ୧୯୪୯ରେ ଅପର୍ଣ୍ଣାଙ୍କ ଗୀତ ଶୁଣିବା ପରେ ରେକର୍ଡ଼ ସଙ୍ଗ୍ରହ କରିବା କଥା ବିଚାରିଥିଲେ । ସେତେବେଳକୁ ଅପର୍ଣ୍ଣାଙ୍କ ପରଲୋକ ହୋଇସାରି ତେର ବର୍ଷ ଗଲାଣି । ଗ୍ରାମୋଫୋନ ଯୋଗୁଁ ଅପର୍ଣ୍ଣାଙ୍କ ଭଳି କଣ୍ଠସ୍ୱର ଭବିଷ୍ୟତ ପାଇଁ ସୁରକ୍ଷିତ ହୋଇ ରହିବା ସେ ଅନୁଭବ କଲେ । ଏହି ଭାବନାଦ୍ୱାରା ଅଭିଭୂତ ହୋଇ ଇନ୍ଦ୍ରମଣି ରେକର୍ଡ଼ ସଙ୍ଗ୍ରହ କରିଚାଲିଲେ । ଇନ୍ଦ୍ରମଣିଙ୍କ ସଙ୍ଗ୍ରହରେ ଅଧୁନା ୪୫୦୦ରୁ ଅଧିକ ରେକର୍ଡ଼ ଅଛି ।[୩]

ପୂର୍ବକଥିତ ଅପର୍ଣ୍ଣାଙ୍କ ଆଠଗୋଟି ରେକର୍ଡ଼ ମଧ୍ୟରୁ ଚାରିଗୋଟି ଅଧୁନା ପୁନରୁଦ୍ଧାର ହୋଇ ୟୁଟ୍ୟୁବରେ ଉପଲବ୍ଧ ଅଛି । ଏହା ଓଡ଼ିଆମେଲୋଡ଼ି ନାମକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରାଯାଇଛି ।

ଅଧିକ ପଠନ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ଅପର୍ଣ୍ଣା ପାଣିଗ୍ରାହୀ । ପୃଷ୍ଠା ୧୭୦, ଲକ୍ଷ୍ମୀନାରାୟଣ ଗ୍ରନ୍ଥାବଳୀ, ପ୍ରଥମ ଭାଗ । ଲକ୍ଷ୍ମୀନାରାୟଣ ସାହୁ (ଲେଖକ), ସୁରେନ୍ଦ୍ର ମହାନ୍ତି ଓ ଗୋପୀନାଥ ଦାଶ (ସମ୍ପାଦନା) । ୧୯୭୧, ଜାନୁୟାରୀ ୧୮, ଲକ୍ଷ୍ମୀନାରାୟଣ ସାହୁ ସ୍ମୃତିରକ୍ଷା ସମିତି, କଟକ ।
  2. ମେକର୍ସ ଅଫ ଇଣ୍ଡିଆନ ଲିଟରେଚର : ଭକ୍ତକବି ଗୋପାଳକୃଷ୍ଣ, ଫକୀରମୋହନ ଦାସ, ପୃଷ୍ଠା ୧୭ । ସାହିତ୍ୟ ଏକାଡେମୀ, ରବୀନ୍ଦ୍ର ଭବନ, ନୂଆ ଦିଲ୍ଲୀ ୧୧୦୦୦୧ । ପ୍ରକାଶନ ବର୍ଷ - ୨୦୦୨, ପ୍ରଥମ ସଂସ୍କରଣ । ISBN 81-260-1201-3
  3. INDRAMANI SAHU,THE RECORD-MAN OF ODISHA Archived 2018-01-21 at the Wayback Machine.– କଟକ, ତରଣୀସେନ ପଟ୍ଟନାୟକ । ଅକ୍ଟୋବର ୨୧ ୨୦୧୩, ଇଓଡ଼ିଶା ।

ବାହ୍ୟ ଲିଙ୍କ ସମ୍ପାଦନା