ଷୋଳମପୁର ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅବସ୍ଥିତ ଏକ ପୁରାତନ ବୌଦ୍ଧ ମହାବିହାର । ଏହା ତତ୍କାଳୀନ ବିରଜାମଣ୍ଡଳ ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧ ମହାବିହାର ଭାବେ ମୁଣ୍ଡ ଟେକିଥିଲା ।

ଷୋଳମପୁର
ଅବସ୍ଥାନଭଦ୍ରକ, ଓଡ଼ିଶା
ନିର୍ମାଣ କାଳଅଷ୍ଟମ ଶତାବ୍ଦୀ
ପ୍ରକାରବୌଦ୍ଧପୀଠ

ଅବସ୍ଥିତି ସମ୍ପାଦନା

ଯାଜପୁର ସହରର ଦଶାଶ୍ୱାମଧ ଘାଟର ଅପରପାର୍ଶ୍ୱରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ୍‍ରେ ବୈତରଣୀ ନଦୀ କୂଳରେ ଏହି ପ୍ରସିଦ୍ଧ ପୀଠଟି ଅବସ୍ଥିତ।

ନାମକରଣ ସମ୍ପାଦନା

ସୋମବଂଶର ଶେଷ ରାଜା କର୍ଣ୍ଣଦେବ ଏଠାରେ ରାଣୀହଂସପୁର ପ୍ରତିଷ୍ଠା କରିଥିଲେ ଏବଂ ଏହାର ଷୋହଳଟି ମୁଖ ରହିଥିଲା । ଏହି ଅନୁସାରେ ଏହାର ନାମ ଷୋଳମପୁର ହୋଇଛି ବୋଲି କୁହାଯାଏ। ଆହୁରି ମଧ୍ୟ ସୋମବଂଶୀ ସମ୍ରାଟ ପ୍ରଥମ ଯଯାତି କେଶରୀ (ଖ୍ରୀ.ଅ. ୯୨୨ - ଖ୍ରୀ.ଅ. ୯୫୫)ଙ୍କ ଏହା ୧୬ତମ ଗଡ଼ ଥିବାରୁ ଏହାର ନାମ ଷୋଳମପୁର ହୋଇଛି ବୋଲି କିଛି ଗବେଷକ ଦାବି କରନ୍ତି।

ଇତିହାସ ସମ୍ପାଦନା

ଯାଜପୁର ଜିଲ୍ଲାର ବିଶ୍ୱପ୍ରସିଦ୍ଧ ରତ୍ନଗିରି, ଉଦୟଗିରିଲଳିତଗିରି (କଟକ ଜିଲ୍ଲା) ହୀରକ ତ୍ରିଭୁଜ ସହିତ ଷୋଳମପୁର ବୌଦ୍ଧ କ୍ଷେତ୍ରର ଏକ ନିବିଡ଼ ସଂପର୍କ ରହିଛି । ଭୌମକରବଂଶୀ ରାଜା ପ୍ରଥମ ଶୁଭକର ଦେବ (ଖ୍ରୀ.ଅ.୭୯୦-ଖ୍ରୀ.ଅ.୮୦୦)ଙ୍କ ନେଉଳପୁର (ବର୍ତ୍ତମାନ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍‍ ଅନ୍ତର୍ଗତ) ତାମ୍ରଶାସନରେ ଷୋଳମପୁର ବୌଦ୍ଧକ୍ଷେତ୍ର ସଂପର୍କରେ ଉଲ୍ଲେଖ ରହିଛି[୧] । ପ୍ରଥମ ଶୁଭକର ଦେବ ଜଣେ ବୌଦ୍ଧ ଉପାସକ ଥିଲେ । ସେହିଭଳି ସୋମବଂଶର ଶେଷ ରାଜା କର୍ଣ୍ଣଦେବ (ଖ୍ରୀ.ଅ. ୧୧୦୦-ଖ୍ରୀ.ଅ. ୧୧୧୦)ଙ୍କ ରତ୍ନଗିରି ତାମ୍ରଶାସନରେ ଷୋଳମପୁର ମହାବିହାର (ବୌଦ୍ଧବିହାର) ସଂପର୍କରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଲ୍ଲେଖ ରହିଛି। ଷୋଳମପୁରରେ ପ୍ରଥମ ଶୁଭକର ଦେବ (ଖ୍ରୀ.ଅ. ୭୯୦ - ଖ୍ରୀ.ଅ. ୮୦୦) ଏକ ବୌଦ୍ଧ ବିହାର ନିର୍ମାଣ କରି ତହିଁରେ ଅବଲୋକିତେଶ୍ୱରଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ । ଏହି ମୂର୍ତ୍ତିରେ ଭୌମକର ଶାସନ ସଂପର୍କରେ ଶିଳାଲେଖ ମଧ୍ୟ ରହିଛି । ଅବଲୋକିତେଶ୍ୱର ମୂର୍ତ୍ତିଟି ବର୍ତ୍ତମାନ ଷୋଳମପୁର ରଘୁନାଥ ମନ୍ଦିରରେ ସ୍ଥାପିତ ହୋଇଥିବାର ଦେଖାଯାଏ । ଏହି ଦୃଷ୍ଟିରୁ ଷୋଳମପୁର ଦିନେ ଭୌମକରମାନଙ୍କର ପ୍ରାଚୀନ ରାଜଧାନୀ ଥିଲା ବୋଲି ବିଚାର କରାଯାଏ । ଏଠାରେ ଭୌମବଂଶୀଙ୍କର ରାଜପ୍ରାସାଦର ଧ୍ୱଂସାବଶେଷ ମଧ୍ୟ ଦେଖିବାକୁ ମିଳିଥାଏ । ଭୌମକରମାନଙ୍କ ରାଜତ୍ୱ କାଳରେ ବିରଜା ମଣ୍ଡଳରେ ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା । ତତ୍କାଳୀନ ବିରଜା ମଣ୍ଡଳ ଅନ୍ତର୍ଗତ ରତ୍ନଗିରି, ଲଳିତଗିରି, ଉଦୟଗିରି, ଲାଙ୍ଗୁଡ଼ି, ଏରଡ଼ା, ଖଡ଼ିପଦା, ଷୋଳମପୁର, ତରାଙ୍ଗ, ଶ୍ରୀରାମପୁର, ଶୀତଳେଶ୍ୱର, ସନ୍ଥମାଧବ ଓ ନପଙ୍ଗ ଆଦି ସ୍ଥାନରେ ବୌଦ୍ଧ ଧର୍ମର ଅଂଶବିଶେଷ ଦେଖିବାକୁ ମିଳିଥାଏ

ପରିଚିତି ସମ୍ପାଦନା

୧୯୬୮ ମସିହା ଡିସେମ୍ବରରେ ଚାନ୍ଦମାମା ପବ୍ଲିକେଶନଦ୍ୱାରା ପ୍ରକାଶିତ ଦି ହେରିଟେଜ୍ ନାମକ ପତ୍ରିକାର ପୃଷ୍ଠା ୪୪ରେ ଇଂଲଣ୍ଡର କ୍ଲେଭରଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ବରିଷ୍ଠ ପ୍ରାଧ୍ୟାପକ ଥୋମାସ ଇ. ଡୋନାଲଡସନଙ୍କ 'ଯାଜପୁର-ଦି ଆନିସିଏଣ୍ଟ ଶାକ୍ତପୀଠ' ଶୀର୍ଷକ ଆଲେଖ୍ୟ ଷୋଳମପୁରକୁ ଲୋକଲୋଚନଙ୍କୁ ଆଣିଥିଲା [୨]। ବୈତରଣୀ ନଦୀର ଅପର ପାର୍ଶ୍ୱର ଷୋଳମପୁର ଗ୍ରାମରେ ବିକ୍ଷିପ୍ତଭାବେ ପଡିରହିଥିବା ପ୍ରାୟ ଅନାବିଷ୍କୃତ ୨୫ଟି ବୌଦ୍ଧ ଭାସ୍କର୍ଯ୍ୟ ସମ୍ପର୍କରେ ସେ ଏହି ଲେଖା ପ୍ରସ୍ତୁତ କରିଥିଲେ। ରଘୁନାଥଜୀଉ ମନ୍ଦିରର ବାହାର କାନ୍ଥରେ ଖୋଦିତ ତାରା ମୂର୍ତ୍ତି ଓ ତହିଁରେ ତାମ୍ର ଲିଖିତ ବିବରଣୀ ଯାଜପୁରରେ ମହାଯାନ ଓ ବଜ୍ରଯାନ(ତାନ୍ତ୍ରିକ) କେନ୍ଦ୍ରର ଗୁରୁତ୍ୱକୁ ପ୍ରମାଣିତ କରେ ବୋଲି ସେ ମତ ଦେଇଥିଲେ। ଏହି ଶିରୋନାମାରେ ତାରା ମୂର୍ତ୍ତି ଓ ତାମ୍ର ଲିପିର ଫଟୋ ପ୍ରକାଶିତ କରି ଏହାର ଅଦ୍ଧୟନ ପାଇଁ ପ୍ରଥମେ ସୁଯୋଗ ସୃଷ୍ଟି କରିଥିଲେ ଥୋମାସ୍।

ଆଧାର ସମ୍ପାଦନା

  1. "ଅବହେଳିତ ବୌଦ୍ଧପୀଠ".
  2. "ଧରିତ୍ରୀ ୨୧/୦୨/୨୦୧୬ ପୃଷ୍ଠା ୧୦".