ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ
ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (୧୮୭୦-୧୯୧୨)[୧] ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମିତ ଜଣେ ସୁଶାସକ ଓ ଭାଷା ଆନ୍ଦୋଳନର ପୁରୋଧା ଥିଲେ । ସେ ରାଜ୍ୟର ମଙ୍ଗଳ ତଥା ପ୍ରଜାଙ୍କ ହିତ ପାଇଁ ସର୍ବଦା ଚେଷ୍ଟିତ ଥିଲେ। ଶ୍ରୀରାମଚନ୍ଦ୍ର ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଭାବେ ପରିଚିତ ଥିଲେ। ଛାତ୍ର ବୟସରେ ସହପାଠୀଙ୍କ ସହିତ ସରଳ ଭାବରେ ମିଶୁଥିଲେ । ପାଠ ପଢୁଥିବା ସମୟରେ ସେ ଅନେକ ସ୍ଥାନ ବୁଲି ଯାଇଥିଲେ। ମାତ୍ର ରାଜବେଶ ବା ରାଜ ଢଙ୍ଗଢାଙ୍ଗରେ ସେ ଯିବାକୁ ଇଚ୍ଛା କରୁନଥିଲେ। ତାଙ୍କର ଏହି ସରଳ ପ୍ରକୃତି ଯୋଗୁଁ ସେ ସବୁଠାରେ ସମସ୍ତଙ୍କର ଅତି ପ୍ରିୟପାତ୍ର ହୋଇଥିଲେ । ପ୍ରଜା ପାଳନ ରାଜାର ଧର୍ମ ଏ କଥା ଶ୍ରୀରାମଚନ୍ଦ୍ରଙ୍କୁ ଖୁବ୍ ଭଲଭାବେ ଜଣାଥିଲା । ରାଜଦଣ୍ଡ ଧରିବା ପରେ ଶ୍ରୀରାମଚନ୍ଦ୍ର ରାଜନୀତି ଓ ଦର୍ଶନଶାସ୍ତ୍ରକୁ ଭଲକରି ପଢ଼ିବାରେ ଲାଗିଲେ । ନିଜ ରାଜ୍ୟକୁ ଏକ ଆଦର୍ଶ ରାଜ୍ୟ କରି ଗଢ଼ିବା ପାଇଁ ସେ ବରାବର ଚେଷ୍ଟା କରୁଥିଲେ । ଗୁଣି ଓ ଉଦାର ଲୋକଙ୍କୁ ପାଖରେ ରଖି ସୁଚାରୁ ରୂପେ ରାଜ୍ୟ ଶାସନ କରୁଥିଲେ । ଏହି ସମୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କାର୍ଯ୍ୟଶୈଳୀ ସମଗ୍ର ରାଜ୍ୟରେ ଗୁଞ୍ଜରିତ ହେଉଥିଲା। ତାଙ୍କ ଗୁଣରେ ମୁଗ୍ଧ ହୋଇ ଶ୍ରୀରାମଚନ୍ଦ୍ର ତାଙ୍କୁ ରାଜ୍ୟ ସରକାରଙ୍କ ଓକିଲ ପଦରେ ନିଯୁକ୍ତି କରିଥିଲେ। ପଣ୍ଡିତ ଗୋପବନ୍ଧୁ ସେତେବେଳେ ସକଳ କାର୍ଯ୍ୟରେ ତାଙ୍କର ପରମ ସଖା ରୂପେ ପରାମର୍ଶଦାତା ଥିଲେ । ଶ୍ରୀରାମଚନ୍ଦ୍ର ଓ ଗୋପବନ୍ଧୁଙ୍କ ମଧ୍ୟରେ ଏପରି ଘନିଷ୍ଠ ବନ୍ଧୁତା ଥିଲାଯେ, କୌଣସି କାର୍ଯ୍ୟ କଲାବେଳେ ଶ୍ରୀରାମଚନ୍ଦ୍ର, ଗୋପବନ୍ଧୁଙ୍କ ପରାମର୍ଶ ନେଉଥିଲେ ।
ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ | |
---|---|
ଜନ୍ମ | ୧୭ ଡିସେମ୍ବର ୧୮୭୧ |
ମୃତ୍ୟୁ | ୨୨ ଫେବୃଆରୀ ୧୯୧୨ | (ବୟସ ୪୧)
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ(s) | ଲକ୍ଷ୍ମୀ କୁମାରୀ ଦେବୀ ସୁଚାରୁ ଦେବୀ |
ସନ୍ତାନ | ପୂର୍ଣ୍ଣ ଚନ୍ଦ୍ର ଭଞ୍ଜଦେଓ, ପ୍ରତାପ ଚନ୍ଦ୍ର ଭଞ୍ଜଦେଓ, ଧୃବେନ୍ଦ୍ର ଚନ୍ଦ୍ର ଭଞ୍ଜଦେଓ, ଜ୍ୟୋତି ମଞ୍ଜରୀ ଦେବୀ |
ପିତାମାତା | କୃଷ୍ଣଚନ୍ଦ୍ର ଭଞ୍ଜଦେଓ |
ଜୀବନ କାଳ
ସମ୍ପାଦନାଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ୧୭ ଡିସେମ୍ବର ୧୮୭୦ରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଏକ ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା କୃଷ୍ଣଚନ୍ଦ୍ର ଭଞ୍ଜ । ମହାରାଜାଙ୍କ ବାଲ୍ୟଶିକ୍ଷା ବାରିପଦାରେ ସମାପ୍ତ ହୋଇଥିଲା । ମାତ୍ର ୯ ବର୍ଷ ବୟସରେ ସେ ପିତୃହରା ହୋଇଥିଲେ । ପିତାଙ୍କ ମୃତ୍ୟୁ ପରେ ତତ୍କାଳୀନ ବଙ୍ଗ-ବିହାର-ଓଡ଼ିଶାର ଛୋଟ ଲାଟସାହେବଙ୍କ ସହାୟତାରେ ସେ ବିଦ୍ୟା ଅଧ୍ୟୟନ କରିଥିଲେ। ଶ୍ରୀରାମଚନ୍ଦ୍ର ମୟୂରଭଞ୍ଜରୁ ଯାଇ କଟକରେ ଥିବା ମୟୂରଭଞ୍ଜ ଭବନରେ ଗୁରୁ ବ୍ରେଟାମ୍ କିଡ଼େଲ୍ ସାହାବଙ୍କ ପାଖରେ ଦୀର୍ଘ ୧୨ବର୍ଷ କାଳ ରହି ବିଦ୍ୟା ଅଧ୍ୟୟନ କରିଥିଲେ। ସେ ଉଭୟ ଗୋବିନ୍ଦଚନ୍ଦ୍ର ମହାପାତ୍ର ଓ ମିଷ୍ଟର କିଡେଲ୍ଙ୍କ ତତ୍ତ୍ୱାବଧାନରେ ଅଧ୍ୟୟନ କରି ୧୮୮୮ ମସିହାରେ ରେଭେନ୍ସା କଲେଜିଏଟ୍ ସ୍କୁଲରୁ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଏହାପରେ ସେ ରେଭେନ୍ସା କଲେଜରେ ଏଫ.ଏ. ପଢ଼ି ପାଶ୍ କରିଥିଲେ। ବି.ଏ. ପଢ଼ୁଥିବା ସମୟରେ ସେ ସାବାଳକ ହୋଇ ରାଜଗାଦିରେ ବସିବାରୁ ସେ ବି.ଏ. ପରୀକ୍ଷା ଦେଇ ପାରିନଥିଲେ। ତାଙ୍କର ଇଂରାଜୀରେ ବଡ଼ ଦକ୍ଷତା ଥିଲା, ଖେଳିବା ଏବଂ ଶିକାର କରିବାରେ ତାଙ୍କର ପିଲାଦିନୁ ପ୍ରିୟତା ଥିଲା । ସେ ଜଣେ ନିର୍ଭୀକ ସାହସୀ ରାଜକୁମାର ହିସାବରେ ଓଡ଼ିଶାରେ ପରିଚିତ ଥିଲେ ।
୧୫ ଅଗଷ୍ଟ ୧୮୯୨ରେ ସେ ରାଜ ସିଂହାସନ ଆରୋହଣ କରିଥିଲେ ।[୨] ରାଜା ହେବାର ୪ବର୍ଷ ପରେ ୧୮୯୬ ମସିହାରେ ଶ୍ରୀରାମଚନ୍ଦ୍ରଙ୍କର ବିବାହ ଲକ୍ଷ୍ମୀ କୁମାରୀଙ୍କ ସହିତ ହୋଇଥିଲା । ସେକାଳର ମୟୂରଭଞ୍ଜ ରାଜ୍ୟର ସର୍ବାଙ୍ଗ ଉନ୍ନତି ଓ ଜନସାଧାରଣଙ୍କ ପ୍ରଗତି ନିମନ୍ତେ ସେ ଅନେକ କାମ କରିଯାଇଛନ୍ତି । ଗଣତାନ୍ତ୍ରିକ ଉପାୟରେ ଶାସନ ପରିଚାଳନା ପାଇଁ ସେ ଷ୍ଟେଟ୍ କାଉନ୍ସିଲ୍ ଗଠନ କରିଥିଲେ ଏବଂ ସେଥିରେ ସେ ସରକାରୀ ଓ ବେସରକାରୀ ବ୍ୟକ୍ତିବିଶେଷଙ୍କୁ ସଦସ୍ୟଭାବେ ଗ୍ରହଣ କରିଥିଲେ । ପ୍ରଜା ହିତକର ସମସ୍ତ କାର୍ଯ୍ୟ ପାଇଁ କାଉନ୍ସିଲ୍ ମାଧ୍ୟମରେ ଆଇନର ସଂଶୋଧନ କରିଥିଲେ । ରାଜ୍ୟ ଶାସନର ସୁବିଧା ପାଇଁ ସେ ପ୍ରଥମ କରି ସମଗ୍ର ରାଜ୍ୟକୁ ୪ଟି ବିଭାଗରେ ବିଭକ୍ତ କରିଥିଲେ। ଇଂରେଜ ଶାସନ ଢ଼ାଞ୍ଚାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଲିସ୍ ବିଭାଗରେ ନୂତନ ସଂସ୍କାର ଆଣିଥିଲେ । ତାଙ୍କର ପିତାଙ୍କ ଅମଳରେ ରାଜ୍ୟର ରାଜସ୍ୱ ୪ଲକ୍ଷ ଟଙ୍କା ଥିଲା କିନ୍ତୁ ଶାସନକୁ ସୁନିୟନ୍ତ୍ରିତ କରିବା ପରେ ରାଜସ୍ୱ ପରିମାଣ ୧୪ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା ।
ଗୋପବନ୍ଧୁ ଦାସ ଏହାଙ୍କ ବନ୍ଧୁ ଓ ସହୋଦର ହୋଇଥିବାରୁ ଦୁହେଁ ଓଡ଼ିଶାର ଉନ୍ନତି କଳ୍ପେ ଅନେକ ଜନହିତକର କାମରେ ହାତ ଦେଇଥିଲେ । ଓଡ଼ିଆ ଭାଷା, ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଓ ପ୍ରଶାସନିକ କ୍ଷେତ୍ରରେ ଶ୍ରୀରାମ ଚନ୍ଦ୍ର ବହୁ ଉନ୍ନତି ସାଧନ କରିଯାଇଛନ୍ତି । ଶିକ୍ଷା କ୍ଷେତ୍ରରେ ସେ ପର୍ଯ୍ୟାପ୍ତ ଧନ ବ୍ୟୟ କରିଥିଲେ ଓ ନିଜ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ୪୪ରୁ ୪୦୦କୁ ବୃଦ୍ଧି କରାଇଥିଲେ। ତାଙ୍କ ଦେଇ ଓ ନାମରେ କଟକଠାରେ ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଗଠିତ ହୋଇଥିଲା ।
ସେ ରୁପସାଠାରୁ ବାରିପଦା ଯାଏଁ ଏକ ନାରୋଗେଜ ରେଳପଥର ବିକାଶ କରାଇଥିଲେ, ଏଥିପାଇଁ ୬ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା ଏବଂ ଏହାର ଶୁଭ ଉଦ୍ଘାଟନ ପାଇଁ ସେତେବେଳେ ଛୋଟ ଲାଟସାହେବ ବାରିପଦା ଆସିଥିଲେ। ଶାସନର ଅଳ୍ପ ଦିନ ମଧ୍ୟରେ ରାଜ୍ୟରେ ୫୦୦ମାଇଲ ରାସ୍ତା ନିର୍ମାଣ କରାଇଥିଲେ। ରାଜକୋଷରୁ ୬ଲକ୍ଷ ଟଙ୍କା ବ୍ୟୟ କରି ସେ ହଳଦିଆ ଓ ହଳଡିହଠାରେ ସେ ରାଜକୋଷ ପାଣ୍ଠିରୁ ୬ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଜଳ ଜଳଭଣ୍ଡାର ସ୍ଥାପନ କରିଥିଲେ ।[୩] ତାଙ୍କ ରାଜ୍ୟରେ ଥିବା ଜଳପ୍ରପାତମାନଙ୍କରୁ ବିଦ୍ୟୁତ୍ ଉତ୍ପାଦନ କରିବା ପାଇଁ ସେ ପ୍ରୟାସୀ ହୋଇଥିଲେ ।
ଖଣ୍ଡବିଖଣ୍ଡିତ ଉତ୍କଳର ଏକୀକରଣ ତଥା ଭାଷାଭିତ୍ତିରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠନ କରିବା ପାଇଁ ଯେଉଁ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ଏବଂ ଉକ୍ତ କାର୍ଯ୍ୟରେ ଉତ୍କଳଗୌରବ ମଧୁସୂଦନଙ୍କୁ ଯେଉଁ କେତେଜଣ ମନିଷୀ ସହାୟତା କରିଥିଲେ, ସେମାନଙ୍କ ମଧ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଅଗ୍ରଗଣ୍ୟ । ମଧୁସୂଦନ ଦାସଙ୍କ ବଳିଷ୍ଠ ନେତୃତ୍ୱରେ ସଂଗଠିତ ଏହି ଓଡ଼ିଆ ଭାଷା ଆନ୍ଦୋଳନରେ ଯୋଗଦାନ କରି ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସେ ସଚଳ ଯୋଗଦାନ କରିଥିଲେ । ଇଂରେଜମାନେ ୧୮୦୩ ମସିହାରେ ଓଡ଼ିଶାକୁ ଅଧିକାର କରିଥିଲେ। ଠିକ୍ ତା’ର ୧୦୦ବର୍ଷ ପରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିବା ପାଇଁ ୧୯୦୩ ମସିହା ଡିସେମ୍ବର ମାସ ୩୦ ତାରିଖରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ବସିଥିଲା । ଶ୍ରୀରାମ ଚନ୍ଦ୍ର ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ । ଏହି ସମ୍ମିଳନୀର କଠୋର ପରିଶ୍ରମ ବଳରେ ୧୯୩୬ ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ମହାରାଜା ଶ୍ରୀରାମଚନ୍ଦ୍ର ମାତୃଭୂମି ଓଡ଼ିଶାକୁ ଏପରି ପ୍ରାଣର ସହିତ ଭଲ ପାଉଥିଲେ ତାହା ତାଙ୍କର ସେହି ସମୟର ବତ୍କୃତାରୁ ଜଣାପଡ଼େ। ସେ କହିଥିଲେ “ସ୍ୱଦେଶ ପ୍ରତି ଯେପରି ସ୍ନେହ, ସେହିପରି ମାତୃଭାଷା ପ୍ରତି ସ୍ନେହ କରିବା ଦରକାର। ଓଡ଼ିଆ ଭାଷାର ଯେତେ ଦୂର ଉନ୍ନତି ହେବା କଥା ସେତେ ଦୂର ଉନ୍ନତି ହୋଇ ନାହିଁ ତଥାପି ଉତ୍କଳର ସାହିତ୍ୟାକାଶରେ ଉଜ୍ଜଳ ତାରକାର ଅଭାବ ନାହିଁ।” ଏଥିରୁ ଶ୍ରୀରାମଚନ୍ଦ୍ରଙ୍କର ସ୍ୱଦେଶ ପ୍ରୀତି ଫୁଟି ଉଠିଛି। ରାଜକୁଳରେ ଜନ୍ମ ହୋଇ ମଧ୍ୟ ସେ ଅତ୍ୟନ୍ତ ସରଳ, ନମ୍ର, ସାହସୀ ଓ ପରମ ଜ୍ଞାନୀ ଥିଲେ । ଧନ-ସମ୍ପଦ ମଧ୍ୟରେ ବଢ଼ି ରାଜ ସିଂହାସନରେ ବସି ମଧ୍ୟ ଶ୍ରୀରାମଚନ୍ଦ୍ର ଦିନେ ହେଲେ ଦେଶବାସୀଙ୍କଠାରୁ ଅଲଗା ବୋଲି ମନେ କରୁନଥିଲେ । ତାଙ୍କର ଦେଶପ୍ରୀତିର ପଟ୍ଟାନ୍ତର ନାହିଁ। ସର୍ବଧର୍ମ ସମନ୍ୱୟ ମତବାଦ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଥିଲା । ସେ କହୁଥିଲେ, “ହିନ୍ଦୁ ହେଉ ଅଥବା ମୁସଲମାନ ହେଉ, କି ଖ୍ରୀଷ୍ଟିଆନ କି ବୌଦ୍ଧ ବା ଅପର ଧର୍ମାବଲମ୍ବୀ ହେଉ, ସମସ୍ତେ ଏକ ପରମେଶ୍ୱରଙ୍କ ସନ୍ତାନ।”
ମୟୂରଭଞ୍ଜର ଅରଣ୍ୟ ସମ୍ପଦ ଓ ଖଣିଜ ସମ୍ପଦର ସେ ପୁନର୍ମୂଲ୍ୟାୟନ କରିଥିଲେ ଏବଂ ତାଙ୍କ ଅମଳରେ ବୈଜ୍ଞାନିକ ଉପାୟରେ ଲୌହ ଉତ୍ପାଦନ ଆରମ୍ଭ ହୋଇଥିଲା । କାଠ, ପଥର, ମଠା, ଟସର ଶିଳ୍ପ ଆଦି ବିଷୟରେ ସେ ଯଥେଷ୍ଟ ଆଗ୍ରହ ପ୍ରକାଶ କରି ପ୍ରଜାମାନଙ୍କୁ ଅର୍ଥ ସାହାଯ୍ୟ ଦେଇ କଳକାରଖାନାମାନ ବସାଇଥିଲେ। ସେ ରାଜଧାନୀ ବାରିପଦାରେ ଏକ ଦୁଷ୍ପ୍ରାପ୍ୟ ପୁସ୍ତକାଳୟ, ଡାକ୍ତରଖାନା ଆଦି ବହୁ ଲୋକ ହିତକର କାର୍ଯ୍ୟ କରିଥିଲେ। ଜମି ବନ୍ଦୋବସ୍ତ ଓ ସ୍ୱତ୍ତ୍ୱ ନିର୍ଦ୍ଧାରଣରେ ଚାଷୀ ଓ କୃଷକ ଯେପରି ଉପକୃତ ହେବେ ସେ ଦିଗରେ ପ୍ରଗାଢ଼ ଉଦ୍ୟମ ଚଳାଇଥିଲେ। ମାତ୍ର ୨୦ ବର୍ଷ ଶାସନ କାଳ ମଧ୍ୟରେ ଜଣେ ପ୍ରଜାନୁରଞ୍ଜନ ରାଜା ହିସାବରେ ସେ ସମଗ୍ର ଭାରତରେ ଖ୍ୟାତିଲାଭ କରିଥିଲେ। କେତେ ବର୍ଷ ଭିତରେ ଶ୍ରୀରାମଚନ୍ଦ୍ରଙ୍କର ଏହି ଶାସନ ପ୍ରଣାଳୀ ଦେଖି ଇଂରେଜ ସରକାର ତାଙ୍କୁ “ମହାରାଜା” ଉପାଧି ପ୍ରଦାନ କରିଥିଲେ। ଏକ ଆଦର୍ଶ ରାଜ୍ୟ ଗଠନ କରିବା ପାଇଁ ସେ ପୃଥିବୀ ଭ୍ରମଣରେ ବାହାରିଥିଲେ। ୧୯୧୦ ମସିହା ମେ ମାସ ୮ ତାରିଖରେ ଏହି ଯାତ୍ରା ଆରମ୍ଭ ହେଲା । ପ୍ରଥମେ ସେ ଚୀନ ପରିଭ୍ରମଣ କରି ତା’ପରେ ଜାପାନ, ଆମେରିକା ଓ ଇଂଲଣ୍ଡ ପ୍ରଭୃତି ସ୍ଥାନକୁ ଯାଇ ସେଠାରୁ ସବିଶେଷ ଜ୍ଞାନ ଆହରଣ କରିବା ପରେ ତାହା କିଭଳି ଭାବରେ ଲୋକ ହିତକର କାର୍ଯ୍ୟରେ କାର୍ଯ୍ୟକାରୀ କରାଯାଇ ପାରିବ ସେ ଦିଗରେ ପ୍ରଗାଢ଼ ଉଦ୍ୟମ କରିଥିଲେ ।
ଶ୍ରୀରାମଚନ୍ଦ୍ର ଭଞ୍ଜ ଜଣେ ଦେଶ ହିତୈଷୀ, ଜାତୀୟତାବାଦୀ ଜନନାୟକ ଥିଲେ । ଓଡ଼ିଆ ଜାତିର ଉନ୍ନତି ନିମିତ୍ତ ତାଙ୍କର ବହୁବିଧ ଉଦ୍ୟମ ଅବିସ୍ମରଣୀୟ । ଓଡ଼ିଶାର ବହୁ ଲୋକ ହିତକର ଅନୁଷ୍ଠାନ ତାଙ୍କ ଅମୂଲ୍ୟ ଅବଦାନରେ ସୁପ୍ରତିଷ୍ଠିତ ଓ ପବିତ୍ର ସ୍ମୃତିରେ ମହିମାମଣ୍ଡିତ । ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କର ଆଦର୍ଶ ଚରିତ୍ରବତ୍ତା, ସରଳତା, ନମ୍ରତା ଶୁଦ୍ଧ ସ୍ୱଭାବ ଓ ନିର୍ମଳ ବ୍ୟକ୍ତିତ୍ୱ ସର୍ବାଧିକ ପ୍ରଶଂସନୀୟ।
ଓଡ଼ିଶାର ଅନ୍ଧକାରମୟ ଯୁଗରେ ଜାତି ପ୍ରାଣର ଆଶାର ଦୀପ ଜାଳିବା ପାଇଁ ଜାତିକୁ ନୂଆ ଭାବରେ ନୂଆ ବାଟରେ ଜଳେଇବା ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ । ତାଙ୍କର ଆଶା ପୂର୍ଣ୍ଣ ହେବା ଆଗରୁ ୧୯୧୨ ମସିହା ଫେବୃଆରୀ ମାସ ୨୨ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।
ଆଧାର
ସମ୍ପାଦନା- ↑ "Orissa Government Portal". og.csm.co.in. Archived from the original on 22 September 2013. Retrieved 18 February 2013.
Shri Ramachandra Bhanja Dev ( 1870-1912)
- ↑ "Rajendra Narayan Singh Deo". orissadiary.com. Archived from the original on 12 May 2013. Retrieved 18 February 2013.
Accended the throne on 15th August 1892.
- ↑ http://www.odisha.gov.in/portal/LIWPL/event_archive/Events_Archives/133MRB.pdf
ଅଧିକ ତଥ୍ୟ
ସମ୍ପାଦନା- The Makers of Modern Orissa. Orissa Review. April 2011. pp. 11-12
- ଓଡ଼ିଶା ସରକାର, ସୂଚନା ଓ ଲୋକ ସମ୍ପର୍କ ବିଭାଗ, OGP-MP(I&P.R.)43-500-13-12-2012
- "ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ" ଉତ୍କଳ ପ୍ରସଙ୍ଗ-ଅପ୍ରେଲ୍-୨୦୧୬, ପୃ:୩୩-୩୫