ଲଡୁବାବା ମନ୍ଦିର
ଲଡୁବାବା ମନ୍ଦିର ଭାରତରେ ଥିବା ଏକ ହିନ୍ଦୁ ହରିହର ମନ୍ଦିର ଓ ଏହା ଓଡ଼ିଶାର ନୟାଗଡ଼ ଜିଲ୍ଲାର ଶରଣକୁଳର ଭଣ୍ଡାର ପାହାଡ଼ ପାଦଦେଶରେ ଅବସ୍ଥିତ । ଏହି ମନ୍ଦିର ଉଭୟ କଳିଙ୍ଗ ଓ ଦ୍ରାବିଡ଼ ଶୈଳୀରେ ନିର୍ମିତ ଓ ନୟାଗଡ଼ ରାଜ୍ୟର ତତ୍କାଳୀନ ରାଜା ଲଡୁକେଶ୍ୱର ସିଂହ ମାନ୍ଧାତା ଏହାର ନିର୍ମାଣ କରାଇଥିଲେ ।
ଅବସ୍ଥିତି
ସମ୍ପାଦନାଓଡ଼ିଶାର ନୟାଗଡ଼ ସଦର ମହକୁମାଠାରୁ ୧୨ କିମି ଦୂର ଶରଣକୁଳର[୧] ଭଣ୍ଡାର ପାହାଡ଼ ପାଦଦେଶରେ ଲଡୁବାବାଙ୍କ ପୀଠ ଅବସ୍ଥିତ ଭୁବନେଶ୍ୱରଠାରୁ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ୧୦୦ କିମି ଆସିଲେ ଏହି ପୀଠ ପଡ଼େ ।
ଇତିହାସ
ସମ୍ପାଦନାନୟାଗଡ଼ ରାଜ୍ୟର ରାଜା ଲଡୁକେଶ୍ୱର ସିଂହ ମାନ୍ଧାତା ଏହି ପୀଠର ନିର୍ମାଣ କରିଥିଲେ ।[୨] ଏହି ମନ୍ଦିର ଉଭୟ କଳିଙ୍ଗ ଓ ଦ୍ରାବିଡ଼ ଶୈଳୀରେ ନିର୍ମିତ ।[୩] ଆରମ୍ଭରେ ଏଠାର ଅଧୀଷ୍ଠ ଠାକୁର "ନକୁଳେଶ୍ବର" ନାମରେ ପରିଚିତ ଥିଲେ ଓ କାଳକ୍ରମେ ସେହି ନାମ "ଲଡୁବାବା" ହୋଇଥିବା ବିଶ୍ୱାସ କରାଯାଏ । ମୂର୍ତ୍ତି ଖୋଦନ ଶିଳ୍ପରୁ ମନ୍ଦିରଟି ପଞ୍ଚଦଶ ଶତାଦ୍ଦୀରେ ନିର୍ମିତ ହୋଇଥିବାର ବିଶ୍ବାସ କରାଯାଏ । ଏଠାରେ ଥିବା ଶିବ ଲିଙ୍ଗର ଗୋଟିଏ ପାର୍ଶ୍ୱରେ ଚକ୍ର ଚିହ୍ନ ରହିଥିବା ବେଳେ ଅପର ପାର୍ଶ୍ୱରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ରହିଛି ମନ୍ଦିରର ଚତୁଃପାର୍ଶ୍ବରେ ଗଣେଶ, ବାସୁଦେବ, କାର୍ତ୍ତିକେୟ, ଗଙ୍ଗାଦେବୀ ଅଦି ପାର୍ଶ୍ବ ଦେବାଦେବୀଙ୍କ ମୂର୍ତ୍ତି ପୁଜାପାଇଥାନ୍ତି । ମନ୍ଦିରର ଦ୍ବାରପାଳ ନନ୍ଦୀ ଓ ଭୁକୁଟି । ମନ୍ଦିରର ବେଢ଼ାରେ ନବଗ୍ରହ, ଶ୍ରୀଜଗନ୍ନାଥ, ପାର୍ବତୀ, ସୂର୍ଯ୍ୟ, ବାବା ବୈଦ୍ୟନାଥ, ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ପୂଜା ପାଆନ୍ତି ।[୪]
ପୂଜା ଓ ନୀତି
ସମ୍ପାଦନାଲଡୁବାବା ମନ୍ଦିର ଏକ ହରିହର ମନ୍ଦିର ଓ ଏଠାରେ ବିଭିନ୍ନ ପାର୍ଶ୍ୱଦେବଦେବୀ ପୂଜା ପାଇଥାନ୍ତି । ଲିଙ୍ଗର ଗୋଟିଏ ପାର୍ଶ୍ୱରେ ତୁଳସୀ ଓ ଅପରପାର୍ଶ୍ୱରେ ବେଲପତ୍ର ଲାଗି ହୁଏ ଏଠାରେ ପ୍ରତିଦିନ ତିନି ଧୂପ ଓ ପାଞ୍ଚ ଅବକାଶ ନୀତି ପାଳନ ହୋଇଥାଏ । ଚନ୍ଦନଯାତ୍ରା, ଶୀତଳଷଷ୍ଠି, ଶିବରାତ୍ରି, ଝୁଲଣଯାତ୍ରା, ବଡ଼ଓଷା ଅଦି ଲଡ଼ୁବାବାଙ୍କ ମୁଖ୍ୟ ପର୍ବ ।
ଦୈନିକ ନୀତି
ସମ୍ପାଦନାଲଡୁବାବା ମନ୍ଦିର ହେଉଥିବା ଦୈନିକ ନୀତି[୫] ମଙ୍ଗଳ ଆରତୀରୁ ଆରମ୍ଭ ହୋଇଥାଏ ଓ ମୋଟ ୨୩ ଗୋଟି ନୀତି ପାଳନ କରାଯାଏ । ଏହା ବାଦ ସୋମବାରରେ ଲଡୁବାବାଙ୍କଠାରେ, ମଙ୍ଗଳବାରରେ ପାର୍ବତୀଙ୍କ ପାଖରେ ଓ ଗୁରୁବାରରେ ଲକ୍ଷ୍ମୀଙ୍କଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୁଏ । ଦୈନିକ ନୀତିଗୁଡ଼ିକ ହେଲା:
- ମଙ୍ଗଳ ଆରତୀ: ଏହା ସକାଳ ୪.୩୦ରୁ ୫ଟା ମଧ୍ୟରେ ପ୍ରଥମେ କର୍ପୂର ଆଳତି କରାଯାଏ ତା'ପରେ ଦୁଇଗୋଟା ଆଳତି କାଠି ଆଳତି ହୁଏ ।
- ଉଲାଗୀ: ଲାଗି ହୋଇଥିବା ବାସି ବେଲପତ୍ର, ଫୁଲ ଓ ଚନ୍ଦନ ଇତ୍ୟାଦି କାଢ଼ି ମୂର୍ତ୍ତିଙ୍କୁ ଅନାବରଣ କରାଯାଏ ।
- ଜଳ ଲାଗି: ମାଳୀ ସେବକମାନେ ମୂର୍ତ୍ତିରେ ଜଳ ଲାଗି କରନ୍ତି ।
- ଦନ୍ତ ଧାବନ: ବ୍ରାହ୍ମଣ ସେବକମାନେ ମୂର୍ତ୍ତିଙ୍କୁ କୁମ୍ଭାଟୁଆ ବା ମୃତୁରୀ ଦାନ୍ତକାଠିରେ ଦନ୍ତ ଧାବନ କରନ୍ତି ।
- ସ୍ନାନ: ଦନ୍ତ ଧାବନ ପରେ ମାଳୀ ସେବକମାନେ ସ୍ନାନକରାନ୍ତି ।
- ପ୍ରଥମ ଅବକାଶ: ଏହାକୁ ଅଁଳାଲାଗି କୁହାଯାଏ । ବ୍ରାହ୍ମଣ ସେବକ ଏହି ସମୟରେ ଅଁଳା ଲାଗି କରନ୍ତି । ଏହା ପରେ ସ୍ନାନ ଓ ଶ୍ରୀଅଙ୍ଗ ପୋଛାହୋଇ ଦ୍ୱିତୀୟ ଅବକାଶ ହୁଏ ।
- ଦ୍ୱିତୀୟ ଅବକାଶ: ବ୍ରାହ୍ମଣ ସେବକ ଠାକୁରଙ୍କ ଉପରେ ପଞ୍ଚାମୃତ ସ୍ନାନ ବା ଅବକାଶ ଘର୍ଷଣ କରାଯାଏ । ଏହା ବ୍ରାହ୍ମଣ ସେବକଙ୍କଦ୍ୱାରା ହୁଏ ।
- ଜଳଶାୟୀ: ଦ୍ୱିତୀୟ ଅବକାଶ ପରେ ମାଳୀ ସେବକ ମାନଙ୍କଦ୍ୱାରା ଭକ୍ତମାନଙ୍କ ତରଫରୁ ଜଳଶାୟୀ କରାଯାଏ । ଏହାପରେ ଚନ୍ଦନ ପୁଷ୍ପ ଓ ବେଲ ପତ୍ର ଏବଂ ବସ୍ତ୍ର ଲାଗି ହୁଏ । ତା' ପରେ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ମୁକ୍ତ କରାଯାଏ । ଏହି ସମୟରେ ପୁରୋଧା ପାକଶାଳା ହୋମ କରନ୍ତି ଓ ଠାକୁରଙ୍କ ଆସ୍ଥାନରେ ବେଦପାଠ କରାଯାଏ ।
- ବଲ୍ଲଭ: ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ବଲ୍ଲଭ ହୁଏ । ଏଥିରେ ଖଇ, ପୁର ଖୁରୁମା, ଛୋଟ ଖୁରୁମା, ଗୋପାଳ, କୋରା, ଗୋଟି ମୁଆଁ ଓ ଚକାମୁଆଁ ଭୋଗ ହୁଏ । ଠାକୁରଙ୍କ ସାମନାରେ ବୃଷଭ ପାଖରେ ଜ୍ୟୋତିଷ ପାଞ୍ଜି ପଢ଼ନ୍ତି । ପରେ ଦୁଇ ଘଣ୍ଟା ପାଇଁ ଦର୍ଶନ ନିମିତ୍ତ ମନ୍ଦିର ଖୋଲା ରହେ ।
- ସକାଳ ଧୂପ: ସକାଳ ୧୦ଘଣ୍ଟା ବେଳକୁ ସକାଳ ଧୂପ ହୁଏ । ବ୍ରାହ୍ମଣ ସେବକ ଏହି ଧୂପ କରନ୍ତି । ଏଥିରେ ଖେଚେଡ଼ି, କାନିକା, ଡାଲି, ତର୍କାରୀ, ଖଟା, କ୍ଷୀରି ଓ ଭଜା ପ୍ରଭୁଙ୍କୁ ଅର୍ପଣ କରାଯାଏ ।
- ପୁଡ଼ା ଭୋଗ: ବ୍ରାହ୍ମଣମାନେ ପ୍ରଥମେ ପୁଡ଼ାଭୋଗ ଓ ଏଣ୍ଡୁରୀ ଅର୍ପଣ କରନ୍ତି ତା ପରେ ମାଳି ସେବକମାନେ ପୂଡ଼ାରୋଗ ଅର୍ପଣ କରନ୍ତି । ଏହା ୧୦.୩୦ରୁ ୧୧ଟା ମଧ୍ୟରେ ହୁଏ।
- କ୍ଷୀରାଭିଷେକ: ପୁଡ଼ାଭୋଗ ପରେ ଉଲାଗି, ପରେ ପୁରୋଧା କ୍ଷୀରାଭିଷେକ କରନ୍ତି । ଏହା ଦିବା ୧୧ଟା ସମୟରେ ହୁଏ।
- ତୃତୀୟ ଅବକାଶ: କ୍ଷୀରାଭିଷେକ ପରେ ଟଭାରସ ମର୍ଦ୍ଦନ ପରେ ସଂପୂର୍ଣ୍ଣ ଜଳଶାୟୀ କରାଯାଇ ଶ୍ରୀଅଙ୍ଗ ପୋଛା ଓ ତୁଳସୀ ମଞ୍ଜରୀ ତଥା ଫୁଲ ଚନ୍ଦନ ଓଲାଗି କରାଯାଏ । ତା' ପରେ ବ୍ରାହ୍ମଣ ସେବକ ଝିଲ୍ଲୀ ଭୋଗ କରନ୍ତି । ଏହି ନୀତି ଦିନ୧୧.୩୦ରେ ଅନୁଷ୍ଠିତ ହୁଏ ।
- ଦ୍ୱିପ୍ରହର ଧୂପ: ଦିବା ୧୨ଘଣ୍ଟା ସମୟରେ ଏହା ହୁଏ । ଏଥିରେ ଅରୁଆ ଅନ୍ନ, ଡାଲମା, ଖିରି, କାକରା, ବିରିକାନ୍ତି, ଦଧିଅନ୍ନ ଓ ତର୍କାରୀ ଭୋଗ ହୁଏ।
- ପହଡ଼: ଦ୍ୱିପ୍ରହର ଧୂପ ପରେ ମନ୍ଦିର ସଂନ୍ଧ୍ୟା ଯାଏଁ ବନ୍ଦ ରୁହେ । ପ୍ରଭୁ ବିଶ୍ରାମ ନିଅନ୍ତି ।
- ଟେରା: ସଂନ୍ଧ୍ୟା ଆଳତି ସହ ସୂର୍ଯ୍ୟାସ୍ତ ସମୟରେ ମନ୍ଦିର ପୁଣି ଖୋଲେ । ଏହି ସମୟରେ ଅମ୍ବିକା ବିଳାସ, ଗୋପାଳ, ମାଣ୍ଡୁଅପଣା, ସାଧା ପଣା, ଭାବିଡି ଇତ୍ୟାଦି ଭୋଗ ହୁଏ।
- ଚତୁର୍ଥ ଅବକାଶ: ଟେରା ପରେ ଉଲାଗି ହୋଇ ରାଶିତେଲ ମର୍ଦ୍ଦନ ହୁଏ, ଏହାକୁ ଫୁଲୁରୀ ମର୍ଦ୍ଦନ କହନ୍ତି । ତା ପରେ ଗଙ୍ଗୋଦକରେ ସ୍ନାନ କରାଯାଏ।
- ଜଳଶାୟୀ: ଚତୁର୍ଥ ଅବକାଶ ପରେ ମାଳୀ ସେବକମାନେ ଭକ୍ତମାନଙ୍କ ତରଫରୁ ଜଳଶାୟୀ କରାନ୍ତି ।
- ସରପଣା ଭୋଗ: ଫୁଲ ଚନ୍ଦନ ଲାଗି ପରେ ସଂନ୍ଧ୍ୟା ପ୍ରାୟ ୬.୩୦ ବେଳକୁ ସରପଣା ଭୋଗ ହୁଏ।
- ସଂନ୍ଧ୍ୟା ଧୂପ: ରାତି ୭ଟାରୁ ୭.୩୦ ମଧ୍ୟରେ ସନ୍ଧ୍ୟା ଧୂପ ହୁଏ । ଏଥିରେ ଅରୁଆ ଅନ୍ନ ଓ ଡାଲମା ଅର୍ପଣ କରା ଯାଏ । ଏହାପରେ ଯାତ୍ରୀ ଦର୍ଶନ ପାଇଁ ମନ୍ଦିର ଖୋଲା ରୁହେ।
- ପଞ୍ଚମ ଅବକାଶ: ସନ୍ଧ୍ୟା ଧୂପ ପରେ ଉଲାଗି ହୋଇ ୭.୩୦ରୁ ୮ଟା ମଧ୍ୟରେ ଏହି ନୀତି ହୁଏ । ଏହାକୁ ଚତୁସମ ନୀତି କହନ୍ତି । ଏହି ସମୟରେ କାକରା ପୂଜା ହୁଏ । ପୂର୍ବରୁ ଏହି ସମୟରେ ଗୀତଗୋବିନ୍ଦ ପାଠ କରାଯାଉଥିଲା । ଏହି ନୀତି ସମୟରେ ଗଂଗାଜଳରେ ପ୍ରଭୁଙ୍କୁ ଗାଧୁଆଯାଏ ।
- ବଡ ସିଂହାର: ରାତି ୯ଘଣ୍ଟା ସମୟରେ ବଡ଼ ସିଂହାର ହୁଏ । ଏହି ସମୟରେ କଦମ୍ବା, ଗଜା, ତାଡିଆ, ପୁର ଖୁରୁମା, ସର, ବୁନ୍ଦିଆ ଓ ଛୋଟ ଖୁରୁମା ଭୋଗ ହୁଏ। ଏହା ପରେ ଶିବ-ପାର୍ବତୀଙ୍କ ମୂର୍ତ୍ତି ଆଣି ବୃଷଭ ପଛପଟେ ଏକ ଡମ୍ବରୁ ଉପରେ ବସାଇ ଖଟ ସଜ ପଣା ଭୋଗ ଓ ଆଳତି ହୁଏ । ଡମ୍ବରୁ ଉପରେ ବସିଥିବା ଉମା ମହେଶ୍ୱରଙ୍କ ପାଖରେ ପାରିଜାତକ ଭୋଗ ହୋଇ ପୁଣି ଅଳତି ହୁଏ । ତା'ପରେ ଠାକୁରମାନେ ଖଟ ଉପରେ ପହଡ଼ ଯାଆନ୍ତି । ଏହା ପରେ ସେବାସୀ ବା ଭକ୍ତ କାହାକୁ ମନ୍ଦିର ଭିତରକୁ ଛଡାଯାଏ ନାହିଁ ।
ଆଧାର
ସମ୍ପାଦନା- ↑ "ଶରଣକୁଳ | ନୟାଗଡ଼ ଜିଲ୍ଲା ଓଡ଼ିଶା ସରକାର | ଭାରତ" (in od). Retrieved 2023-10-20.
{{cite web}}
: CS1 maint: unrecognized language (link) - ↑ "କାହିଁକି ରାଜା ନିଜ ନାଆଁରେ ପ୍ରସିଦ୍ଧ ଶୈବପୀଠ 'ଲଡୁକେଶ୍ୱର ମନ୍ଦିର'ର ନିର୍ମାଣ କରିଥିଲେ ?". Sambad (in ଆମେରିକୀୟ ଇଂରାଜୀ). 2018-08-13. Retrieved 2023-10-20.
- ↑ ହୋସେନ, ଆଫତାବ (2020-10-05). "ଲଡୁବାବା". ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA. Retrieved 2023-10-20.
- ↑ admin (2020-10-05). "ଲଡୁବାବା". ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA (in ଆମେରିକୀୟ ଇଂରାଜୀ). Retrieved 2023-10-20.
- ↑ Behera, Sushreesmita (2020-02-21). "ଆଜି ମହାଶିବରାତ୍ରୀ: ଚଳଚଞ୍ଚଳ ନୟାଗଡ଼ର ଶ୍ରୀ ଶ୍ରୀ ଲଡୁବାବା ପୀଠ". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-10-20.