ରଘୁନାଥ ପରିଚ୍ଛା
କବିଚନ୍ଦ୍ର ରଘୁନାଥ ପରିଚ୍ଛା (୧୮୦୨-୭୨) ଓଡ଼ିଶାର ଜଣେ ପୁରାତନ କବି । ସେ ପାରଳାଖେମୁଣ୍ଡିରେ ଜନ୍ମିତ । ସେ ଗୋପୀନାଥ ମହାପ୍ରଭୁଙ୍କ ସମ୍ବନ୍ଧିତ ଅନେକ ଛାନ୍ଦ, କାବ୍ୟ ଲେଖି ଓଡ଼ିଶୀ ସଙ୍ଗୀତ, ନାଟକ ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ରଘୁନାଥ ପରିଚ୍ଛା ପାରଳାଖେମୁଣ୍ଡିର ଅନ୍ୟତମ ପ୍ରସିଦ୍ଧ କବି ଗୌରହରି ପରିଚ୍ଛାଙ୍କ ସମସାମୟିକ ଥିଲେ । ନିଜ କବିତ୍ୱ ଛଡ଼ା ଜ୍ୟୋତିଷ ଓ ଗାୟକ ଭାବେ ସେ ଖ୍ୟାତି ଲାଭ କରିଥିଲେ ।[୧]
କବିଚନ୍ଦ୍ର ରଘୁନାଥ ପରିଚ୍ଛା | |
---|---|
ଜନ୍ମ | ୧୮୦୨ କଟକିଆ ସାହି,ବର୍ତ୍ତମାନର କବିଚନ୍ଦ୍ର ସାହି ପାରଳାଖେମୁଣ୍ଡି, ଗଞ୍ଜାମ ଜିଲ୍ଲା,ବର୍ତ୍ତମାନର ଗଜପତି ଜିଲ୍ଲା ଓଡ଼ିଶା |
ମୃତ୍ୟୁ | ୧୮୭୨ ପାରଳାଖେମୁଣ୍ଡି |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ରଘୁନାଥ ପରୀକ୍ଷା |
ବୃତ୍ତି(ସମୂହ) | କବି, ନାଟ୍ୟକାର,ଜ୍ୟୋତିଷ ବିଶାରଦ |
ଉଲ୍ଲେଖନୀୟ କୃତି | |
ସନ୍ତାନ | ପଦ୍ମନାଭ ପରିଚ୍ଛା |
ପିତାମାତା(s) | ଚନ୍ଦ୍ରଶେଖର ପରିଚ୍ଛା, ହାରାମଣି |
ପରିବାର | ପରିଚ୍ଛା ବଂଶ |
ଜୀବନ
ସମ୍ପାଦନାରଘୁନାଥ ପରିଚ୍ଛା ପାରଳାଖେମୁଣ୍ଡିର କଟକିଆ ସାହିରେ ପିତା ଚନ୍ଦ୍ରଶେଖର ପରିଚ୍ଛା ଓ ମାତା ହାରାମଣୀଙ୍କ ଔରସରୁ ପାରଳାଖେମୁଣ୍ଡିର ପ୍ରସିଦ୍ଧ 'ପରିଚ୍ଛା' ବଂଶରେ ଜନ୍ମଗ୍ରହଣ କରିଥିଲେ । ରଘୁନାଥ ୧୮୬୮ ମସିହାରେ ଶ୍ରୀ ଗୋପୀନାଥ ବଲ୍ଲଭ ନାଟକ ରଚନା କରିଥିଲେ । ଏହା ଏକ ଉଚ୍ଚାଙ୍ଗ ନାଟକ ହେବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷାର ପ୍ରଥମ ନାଟକ । ଏହି ଶ୍ରୀ ଗୋପୀନାଥ ବଲ୍ଲଭ ନାଟକର ପ୍ରଭାବ ଗୌରହରିଙ୍କ ରଚିତ ପ୍ରହ୍ଲାଦ ନାଟକରେ ଲକ୍ଷ୍ୟ କରାଯାଏ । ତାଙ୍କ ପୂର୍ବ ପୁରୁଷ ଲିହୁରି ଗୋପୀନାଥ ମନ୍ଦିରରେ ରାଜ ନିଯୋଗରେ ଯୋଗ୍ୟତା ହାସଲ କରି ପରିକ୍ଷା ଶାଢି ପାଇଥିବା ଶୁଣାଯାଏ । ସେଥି ନିମନ୍ତେ ସେମାନେ ପଣ୍ଡାରୁ ପରିଚ୍ଛା ବୋଲାଇଲେ । ପରିଚ୍ଛା ଶବ୍ଦଟି ପରୀକ୍ଷା ଶବ୍ଦର ଅପଭ୍ରଂଶ ମାତ୍ର । ମହାରାଜଙ୍କଠାରୁ ବ୍ରାହ୍ମଣ କୁଳର ସଭାପତି ରୂପେ ନିଯୁକ୍ତି ପାଇଥିଲେ ।
ପରଳା ଗୁଣ୍ଡିଚା ଯାତ୍ରାରେ ସେ ଶାସନୀ ବ୍ରାହ୍ମଣମାନଙ୍କୁ ଘିଅ ପରଷୁଥିଲେ । ଏହା ପାରଳାର ରଜାରାଜୁଡ଼ା ଅମଳର ପ୍ରଚଳିତ ପ୍ରଥା ଥିଲା । ରଘୁନାଥଙ୍କ ପୂର୍ବଜ ବକ୍ରେଶ୍ୱର ପଣ୍ଡିତ ପାରଳାର ଏକ ଜଣାଶୁଣା କବି ଥିଲେ । ଲିହୁରି ଗୋପୀନାଥ ଜୀଉ ତାଙ୍କର କୁଳଦେବତା ଥିଲେ ଓ ସେ ସେଠାରେ ନୀଳସରସ୍ୱତୀ ମନ୍ତ୍ର ସାଧନା କରିଥିଲେ । ଏହି ତଥ୍ୟ ତାଙ୍କଦ୍ୱାରା ଲିଖିତ 'ରାଧାମାଧାବ ବିଳାସ'ର ସପ୍ତମ ପୃଷ୍ଠାରେ ଲିଖିତ ।
ଉପାଧି
ସମ୍ପାଦନାପୁରୀ ମୁକ୍ତିମଣ୍ଡପରେ ରଘୁନାଥ କବିଚନ୍ଦ୍ର ଉପାଧି ପାଇଥିଲେ । ସେ ସେଠାରେ ନିଜା ପ୍ରଗାଢ଼ ଜ୍ଞାନର ପରିଚୟ ଦେଇ କିଛି ଗୀତ ଗାଇଥିଲେ । ଏଥି ମଧ୍ୟରୁ ଗୋଟିଏ ଗୀତ ପ୍ରଭାତ ଅବକାଶରେ ବୋଲାଯାଏ । ଉପାଧି ପ୍ରାପ୍ତ ହେବା ୧୮୩୮ ଦିନ ସେ ଗୌରୀଶଙ୍କର ରାୟଙ୍କ ସହ ଦେଖା ହୋଇଥିଲେ, ଯେ ତାଙ୍କୁ କଟକ ଡାକି ଅଭ୍ୟର୍ଥନା ଜଣାଇଥିଲେ ।
ରଚନା
ସମ୍ପାଦନାକବିଚନ୍ଦ୍ରଙ୍କ ଅଧିକାଂଶ ଗ୍ରନ୍ଥ ଓଡ଼ିଆ ଭାଷାରେ ରଚିତ । ଏହି ପ୍ରକାଶିତ ଗ୍ରନ୍ଥଗୁଡ଼ିକ ହେଲା- ଲକ୍ଷଣଚନ୍ଦ୍ରୋଦୟ, ରାଧାମାଧବ ବିଳାସ, ସଙ୍ଗୀତ ରାମାୟଣ, ରାଧାକୃଷ୍ଣ ଲୀଳା,ତାଳ ସର୍ବସାର ଓ ଗ୍ରନ୍ଥୋଦୟ ।[୪] ଏହାଙ୍କ ଅଧିକାଂଶ ରଚନା ଅପ୍ରକାଶିତ ଯଥା: ସଙ୍ଗୀତ ରାମଲୀଳା, ସଙ୍ଗୀତ କୃଷ୍ଣଲୀଳା, ସଙ୍ଗୀତ ରତ୍ନାକର, ବାସୁଦେବ ନାଟକ, କୃଷ୍ଣ ଛାନ୍ଦ, ରାମ ଓ ମୁକ୍ତା ନାଟିକା ।
ଲକ୍ଷଣ ଚନ୍ଦ୍ରୋଦୟ
ସମ୍ପାଦନାରଘୁନାଥଙ୍କର ପ୍ରମୁଖ ଏକ କୃତି ହେଲା ଲକ୍ଷଣ ଚନ୍ଦ୍ରୋଦୟ ଗ୍ରନ୍ଥ । ଏହି ଗ୍ରନ୍ଥରେ କାବ୍ୟ ଓ ସଙ୍ଗୀତର ସୂକ୍ଷ୍ମ ଲକ୍ଷଣଗୁଡ଼ିକ ବର୍ଣ୍ଣିତ । ଯାହା ଲିପି, ପ୍ରାସାନୁପ୍ରାସ, ବିଶ୍ରାମ ଯତି, ଗଦ୍ୟପଦ୍ୟ, ଛାନ୍ଦ, ନାଦ, ଶ୍ରୁତି, ରାଗ, ଅଳଙ୍କାର ଇତ୍ୟାଦି ଅନେକ ବିଷୟରେ ଗଠିତ । ଏହା ୧୯୫୭ରେ ଓଡ଼ିଶା ସାହିତ୍ୟା ଏକାଡେମୀ ପକ୍ଷରୁ ପ୍ରକାଶିତ ହୋଇଥିଲା ।
ଶ୍ରୀ ଗୋପୀନାଥ ବଲ୍ଲଭ
ସମ୍ପାଦନା୧୮୬୮ ମସିହାରେ କବି ଏହି ନାଟକ ଲେଖିଥିଲେ । ଏହାକୁ ପ୍ରମାଣ କରି ଆପନ୍ନା ପଣ୍ଡାଙ୍କ 'କବି ଜୀବନି'ରେ ପ୍ରଥମ ନାଟକର ପ୍ରଶଂସା କରିଛନ୍ତି । ଏହା ପରେ କଟକର ଜଗମୋହନ ଲାଲ ବାବାଜୀ ନାଟକ ୧୮୭୭ରେ ଲେଖିଥିଲେ । ଗୋପୀନାଥ ବଲ୍ଲଭ ନାଟକ ଲିହୁରି ଗୋପୀନାଥଙ୍କୁ ସମର୍ପିତ ଥିଲା । ଗୋପୀନାଥ ବଲ୍ଲଭ ନାଟକରେ ରାଧାକୃଷ୍ଣଙ୍କ ପ୍ରେମଲୀଳା ବର୍ଣ୍ଣିତ । ଏହି ଗ୍ରନ୍ଥର ପ୍ରଥମ ପ୍ରକାଶକ ଗୌରୀଶଙ୍କର ରାୟ ଗ୍ରନ୍ଥର ବିଜ୍ଞାପନରେ ଏହାକୁ 'ଶ୍ରୀରାଧାକୃଷ୍ଣଙ୍କର ରାସଲୀଳା ଚରିତ୍ର' ବୋଲି ଉଲ୍ଲେଖ କରିଛନ୍ତି । ସମଗ୍ର ଗ୍ରନ୍ଥରେ ବିଭିନ୍ନ ଓଡ଼ିଶୀ ରାଗ ଓ ତାଳ ବ୍ୟବହାର କରାଯାଇଛି । ରାଧା, କୃଷ୍ଣ, ଲଳିତା, ବିଶାଖା, ମଧୁମଙ୍ଗଳ ଆଦି ଚରିତ୍ରଙ୍କ ମୁଖରେ କବି କ୍ଳିଷ୍ଟ ଶବ୍ଦମାନଙ୍କର ଦୀର୍ଘ ସଂଳାପ ବ୍ୟବହାର କରିଛନ୍ତି । ଏହାର ଭାଷା ସାଧାରଣ ଲୋକଙ୍କ ପକ୍ଷରେ ଅତ୍ୟନ୍ତ ଦୁର୍ବୋଧ୍ୟ । ସଙ୍ଗୀତମାନଙ୍କରେ ମଧ୍ୟ କ୍ଳିଷ୍ଟ ଭାବେ ସଂଯୋଜିତ ହୋଇଥିବାରୁ ସାଧାରଣ ଗାୟକମାନଙ୍କ ପକ୍ଷରେ ଗାନ କରିବା କଷ୍ଟସାଧ୍ୟ । ଦୃଷ୍ଟାନ୍ତ ସ୍ୱରୂପ ମଧୁମଙ୍ଗଳ ଓ ଶ୍ରୀକୃଷ୍ଣଙ୍କ ବାର୍ତ୍ତାଳାପରୁ କିୟଦଂଶ :
ଅଥ ଶାନ୍ତ ଦାନ୍ତ ଧୀମନ୍ତ ନିତାନ୍ତ ବିହାରି ମଧୁହାରି । କଳିକା କାନ୍ତ କଳିକା କାନ୍ତ ପର ଦୁରନ୍ତ ବୃତ୍ତାନ୍ତ କୁନ୍ତସମ କେତକୀ ବସନ୍ତ ବାସ ବନ ବିଲୋକି ଅତ୍ୟନ୍ତରେ ସନ୍ତାପରେ । ଚିନ୍ତାମଣି ଚିନ୍ତାମଣି କାନ୍ତାମଣି । କୁମୁଦ ବନ୍ଧୁ କରବିନ୍ଦ କୁନ୍ଦଗନ୍ଧ ଫଳ ମନ୍ଦାର ସିନ୍ଧୁ ବଦନ ଚନ୍ଦନ ଗନ୍ଧବହ ସମ ହାସ ଅଧର ମୁଖ ଦଶନ ନାସାବଦନ ଗମନ ଗଭୀର ଶୀତଳ ଅଙ୍ଗିରେ ।
— ୧୪୯, ଗୋପୀନାଥ ବଲ୍ଲଭ ନାଟକ
ସେହିପରି ସ୍ରଗ୍ଧାରା, ମନ୍ଦାକ୍ରାନ୍ତା, ମାଳିନୀ, ବସନ୍ତତିଳକ, ପୃଥ୍ୱୀ, ଶାର୍ଦ୍ଦୂଳବିକ୍ରୀଡ଼ିତ, ରଥୋଦ୍ଧତା, ଶିଖରିଣୀ ଆଦି ସଂସ୍କୃତ ବୃତ୍ତର ବ୍ୟବହାର କରି ଓଡ଼ିଆରେ ଅନେକ ବଚନିକା ରଚନା କରିଛନ୍ତି । ଏଗୁଡ଼ିକ ମଧ୍ୟ ଗାନ ନିମନ୍ତେ କ୍ଳେଶପ୍ରଦ ହୋଇଯାଇଛି । ଉଦାହରଣ ସ୍ୱରୂପ ସ୍ରଗ୍ଧାରା ବୃତ୍ତରେ କବି ଲେଖିଛନ୍ତି :
କେ ବା ରେବାଦି ତୀର୍ଥେ ତପକରି ଜପରେ ତୋଷିବାରେ ଶିବାରେ
ଯେବା ତା କାମ ପୂର୍ଣ୍ଣେ ରଖିଅଛି ସହିଗୋ ଭାବହା ବାଦିରଙ୍ଗେ
ସଂକଳ୍ପେ କଳ୍ପନାକୁ ଦୃଢ଼କରି ମଣି ସେ ଧୃଷ୍ଟ ସଂଜଳ୍ପନାକୁ
କଳ୍ପପ୍ରାୟ କ୍ଷଣାର୍ଦ୍ଧେ ବିରହରୁ ନସରେ ତଳ୍ପରେ ନାଳ୍ପଦୁଃଖେ ।
— ୧୫୦, ଗୋପୀନାଥ ବଲ୍ଲଭ ନାଟକ
କବି ନିଜେ ଜଣେ ବୈଷ୍ଣବ ଥିବାରୁ ରାଧାକୃଷ୍ଣଙ୍କ ବର୍ଣ୍ଣନା କରୁ କରୁ ଭକ୍ତିଭାବରେ ତଲ୍ଲୀନ ହୋଇପଡ଼ିଛନ୍ତି । ନାଟକୀୟତା, ଉପସ୍ଥାପନା ଶୈଳରେ ନୂତନତ୍ୱ ଇତ୍ୟାଦି ଦୃଷ୍ଟିରୁ ଗୋପୀନାଥ ବଲ୍ଲଭ ନାଟକ ଆଧୁନିକ ଓଡ଼ିଆ ରାସ ଓ ନାଟକ ପରମ୍ପରାରେ ଏକ ଅନବଦ୍ୟ ଗ୍ରନ୍ଥ ।[୨]
ମୁକ୍ତା ନାଟିକା
ସମ୍ପାଦନା୪୩ ଛାନ୍ଦରେ ରଚିତ ଗ୍ରନ୍ଥ । ଅପ୍ରକାଶିତ ।
ରାଧା ମାଧବ ବିଳାସ
ସମ୍ପାଦନାରାଧାକୃଷ୍ଣ ଯୁଗଳ ରାସଲୀଳା ଆଧାରିତ କାବ୍ୟ । ୧୯୫୭ରେ ପ୍ରକାଶିତ ।
ଆଧାର
ସମ୍ପାଦନା- ↑ A Dictionary of Indian Literature: Beginnings-1850. Orient Longman. 1999. pp. https://books.google.co.in/books?id=YCJrUfVtZxoC&lpg=PA118&ots=Kwnvi4BITG&dq=gaurahari%20parichha&pg=PA118#v=onepage&q=raghunath%20parichha&f=false.
- ↑ ଓଡ଼ିଆ ରାସ ପରମ୍ପରା, ଡଃ ପ୍ରଦୀପ୍ତ କୁମାର ପଣ୍ଡା । ବୁକ୍ସ ଏଣ୍ଡ୍ ବୁକ୍ସ, ବିନୋଦବିହାରୀ, କଟକ । ୧୯୯୦ ସଂସ୍କରଣ ।