Topic on ବ୍ୟବହାରକାରୀଙ୍କ ଆଲୋଚନା:Prateek Pattanaik

Psubhashish (ଆଲୋଚନାଅବଦାନ)

@Prateek Pattanaik: ବଳଦେବ ରଥ ପ୍ରସଙ୍ଗକୁ ଘୁଞ୍ଚାଇବାକୁ ବାଧ୍ୟ ହେଲି ଆଉ ଏଠାରେ ସବିଶେଷ ଲେଖୁଛି । ଦୟାକରି ଏହାକୁ ଚେତାବନୀ ଭାବେ ଗ୍ରହଣ କରିବାକୁ ଅନୁରୋଧ । ବାରମ୍ବାର ବିନା ଆଲୋଚନାରେ ପ୍ରସଙ୍ଗର ନାମ ନ ଘୁଞ୍ଚାଇ ବରଂ ଆଲୋଚନା ସଭାରେ ଏ ବାବଦରେ ଆଲୋଚନା କଲେ ଭଲ । ଯଦି ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ମିଳିଥିବା ଉପାଧି ପ୍ରସଙ୍ଗ ନାମରେ ରହିବା ବାବଦରେ ସମସ୍ତେ ସହମତ ତାହେଲେ କେବଳ ଏ ପ୍ରସଙ୍ଗ ନୁହେଁ ବାକି ଅନେକ ପ୍ରସଙ୍ଗ ଘୁଞ୍ଚାଯାଇପାରିବ । କେବଳ ଗୋଟେ ପ୍ରସଙ୍ଗକୁ ବଦଳାଇ ବାକି ସବୁକୁ ରଖିଲେ ଅସୁବିଧା । ବିନା ଆଲୋଚନାରେ ଏମିତି ବଦଳାଇବା ଅନୁଚିତ ଆଉ ଅନୁରୋଧ କରୁଛି ଆଗକୁ ଏଭଳି ନ କରିବା ପାଇଁ ।

Prateek Pattanaik (ଆଲୋଚନାଅବଦାନ)

ଉପାଧି ନାମବାଚକ ହେଲେ ରହିବ ଏହା ଉଇକିପିଡ଼ିଆର ସର୍ବଗୃହୀତ ମାନକ ସୂତ୍ର ଥିବାରୁ ବଦଳ କରିଥିବା କିଛି ଅନୁଚିତ ମନେ କରୁ ନାହିଁ । ବଦଳ ବିବରଣୀରେ WP:NPOVNAME ସୂତ୍ର ଦେଇଥିଲି । ଆଧାର ବ୍ୟତୀତ ଆହୁରି କଣ ଆବଶ୍ୟକ?

Psubhashish (ଆଲୋଚନାଅବଦାନ)

"ଉପାଧି ନାମବାଚକ ହେଲେ ରହିବ" ବୋଲି ଓଡ଼ିଆ ପାଇଁ ଆମେ ସ୍ୱତନ୍ତ୍ର ନିୟମଟେ କରିବା ମୋ ମତରେ ଭଲ ହେବ । ହେଲେ କବିସୂର୍ଯ୍ୟଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଉପରେ ଥିବା ପ୍ରସଙ୍ଗସବୁକୁ ଏକାଥରେ ବଦଳାଇ ହେବ ଆଉ ଆଗକୁ ଏଭଳି କୌଣସି ପ୍ରସଙ୍ଗ ହେଲେ ଆଲୋଚନାର ଆବଶ୍ୟକତା ପଡ଼ିବନି । ଆଲୋଚନା ସଭାରେ କେବଳ ସମସ୍ତଙ୍କ ସହମତି ଲୋଡ଼ା । ଏଇଟା ଓଡ଼ିଆ ବ୍ୟକ୍ତିତ୍ୱ ପାଇଁ ବିଶେଷ କରି ଲାଗୁ । ଖୁବ କମ ଜାଗାରେ ଅନ୍ୟାନ୍ୟ ବ୍ୟକ୍ତିତ୍ୱଙ୍କ ପାଇଁ ଦରକାର । ହେଲେ ତମେ ଯେଉଁ କାରଣରୁ ଆଗରୁ ବଦଳାଇ ଥିଲ ସେଇଟା ଓଡ଼ିଆ ବ୍ୟକ୍ତିତ୍ୱଙ୍କ ଉପାଧି ଆଉ ଓଡ଼ିଆ ପାଠକଙ୍କ ପାଇଁ । ସେ ଆଲୋଚନାରେ ଉଦାହରଣ/ତାଲିକା ଦେଲେ ଆହୁରି ଭଲ ।

Prateek Pattanaik (ଆଲୋଚନାଅବଦାନ)

ଉଇକିପିଡ଼ିଆର ସର୍ବସମ୍ମତ ନିୟମକୁ ପାଳନ କରିବାକୁ ବିଶେଷ ଆଲୋଚନା ମୁଁ ଆବଶ୍ୟକ ମଣୁ ନାହିଁ । ଏହା ବିଶ୍ୱସାରା ଉଇକିଆଳିଙ୍କ ସହମତି କ୍ରମେ ହୋଇଛି, ଏଭଳି ଇଂରାଜୀ ଉଇକିପିଡ଼ିଆର ପ୍ରତ୍ୟେକ ଛୋଟ ଛୋଟ ନିୟମକୁ ଗୋଟି ଗୋଟି କରି ପୁଣି ଓଡ଼ିଆ ଉଇକିଆଳିଙ୍କ ସହମତି ଲୋଡ଼ିବା ଆବଶ୍ୟକ ନୁହଁ । ଏପରି କରୁଥିଲେ ଦଶନ୍ଧିଟେ ଗଡ଼ିଯିବ । ମାନକ ନିୟମ ସମସ୍ତଙ୍କ ପାଇଁ ଲାଗୁ, ଏଥିରୁ ବ୍ୟତିକ୍ରମ ହେଲେ ସହମତି ଲୋଡ଼ା । ତଥାପି ଆପଣ ଯଦି ଏହାକୁ ଆବଶ୍ୟକ ଭାବୁଛନ୍ତି, ତେବେ ଆଲୋଚନା ସଭାରେ ଆଲୋଚନା କରି, ତା ପରେ ନିଷ୍କର୍ଷ ହେଲା ପରେ ମୋର ବଦଳକୁ ଲେଉଟାଇବା ଯୁକ୍ତିସମ୍ମତ ହୋଇଥାଆନ୍ତା । ସମ୍ପୂର୍ଣ୍ଣ ନିୟମ ଅନୁସରଣ କରିଥିଲେ ମଧ୍ୟ ବାରମ୍ବାର ମୋର ବଦଳକୁ ଲେଉଟାଇ ଦିଆଗଲେ (ତା ପୁଣି କୌଣସି ଆଧାର ବିନା), ଏଠାରେ କେବଳ ପରିଚାଳକ କ୍ଷମତାର ଚାପ ସାଧାରଣ ଅବଦାନକାରୀଙ୍କ ଉପରେ ପଡ଼ୁଛି । ଏଣୁ ମୁଁ ଆଲୋଚନା ସଭାରେ ଲେଖିବାର କୌଣସି ପ୍ରୟୋଜନ ନାହିଁ, ମୋର ଏଡିଟ ମାନକ ବା standard ନିୟମ ଅନୁସାରୀ ଥିଲା । ବରଂ ଆପଣ ଯେଉଁ ପ୍ରଚଳିତ ନାମରୁ ଅପ୍ରଚଳିତ ନାମକୁ ଘୁଞ୍ଚାଇଦେଲେ, ତାହା କେତେ ଦୂର ନିୟମ ଅନୁସାରୀ, ପ୍ରଶ୍ନବାଚୀ । ଏତଦ୍ଦ୍ୱାରା ଅନେକ ପାଠକ ପ୍ରସଙ୍ଗ ଖୋଜିବାରେ ଅସୁବିଧା ହେବ ।

Psubhashish (ଆଲୋଚନାଅବଦାନ)

କୌଣସି "ନାମବାଚକ ଉପାଧି"ର ତାଲିକା ଆଧାର ଦେଲେ ଭଲ ହେବ । ମୁଁ କୌଣସି ଚାପ ପକାଉ ନାହିଁ । କିନ୍ତୁ ତମେ ବିନା ଆଲୋଚନାରେ ଜଣେ ପରିଚାଳକର ବଦଳକୁ ଫେରାଇବା ମଧ୍ୟ ଯୁକ୍ତିସମ୍ମତ ନୁହେଁ । କେଉଁ କେଉଁ ପ୍ରସଙ୍ଗ ନାମବାଚକ ତା'ର କୌଣସି ଆଧାର ଥିଲେ ଭଲ ହୁଅନ୍ତା । ଉଇକିପିଡ଼ିଆର ସର୍ବସମ୍ମତ ନିୟମ ବୋଲି ଲେଖିଲେ ନିର୍ଦ୍ଦିଷ୍ଟ ଭାବେ ତମେ କେଉଁ ନିୟମ ବାବଦରେ କହୁଚ ତାହା ସ୍ପଷ୍ଟ ଜଣାପଡ଼ୁନି । ଲିଙ୍କ ଦେଲେ ବରଂ ଭଲହେବ । ତମେ "ମହାତ୍ମା ଗାନ୍ଧୀ" ପ୍ରସଙ୍ଗ ବିଷୟରେ ଲେଖିଥିବାରୁ କେବଳ ଉଲ୍ଲେଖ କରୁଛି । ସେଠି ଖୁବ ଏକ ଲମ୍ବା ଆଲୋଚନା ହେଲା ପରେ ଯାଇ ସିଦ୍ଧାନ୍ତ ନିଆଗଲା । ଆମର ହୁଏତ ଲୋକବଳ ବା ବେଳ ନାହିଁ । କିନ୍ତୁ ତା'ର ଅର୍ଥ ନୁହେଁ ଯେ ବାରମ୍ବାର ବିନା ଆଲୋଚନାରେ ଘୁଞ୍ଚାଘୁଞ୍ଚି ହେବ । ବରଂ ଥରେ ଆଲୋଚନା ହେଲେ ଭଲ । ମୁଁ ତମକୁ ଆଲୋଚନା କରିବା ପାଇଁ ପରାମର୍ଶ ଦେଉଛି କାରଣ ମୋ ପାଖେ କିଛି ଆଧାର ନାହିଁ "କବିସୂର୍ଯ୍ୟ" ସପକ୍ଷରେ । ଉଇକିପିଡ଼ିଆର ନିୟମ ଅନୁସାରେ ଉପାଧି ରହିବ ନାହିଁ କିନ୍ତୁ ଡାକ ନାମ ବା ଅତି ଜଣାଶୁଣା ନାମ ରହିବ । ହୁଏତ ଏ ପ୍ରସଙ୍ଗଟି ଅତି ଜଣାଶୁଣା ନାମ ଶ୍ରେଣୀଭୁକ୍ତ । କିନ୍ତୁ ତମେ ଆଲୋଚନାଟେ ଆରମ୍ଭ କରି ସେତକ ଜଣାଇଲେ ବିଧିବଦ୍ଧ ଭାବେ ସବୁ ପ୍ରସଙ୍ଗ ବଦଳାଯାଇପାରିବ । ଆଉ ମୋର ବଦଳ ବା ଉପ ଲେଖା ତମକୁ ଯଦି ଅସଙ୍ଗତ ଲାଗିଛି ବା ଆଘାତ ଦେଇଛି ତାହେଲେ କ୍ଷମାକରିବ । ମୁଁ କେବଳ ଜଣେ ସ୍ୱେଚ୍ଛାସେବୀ ଭାବେ ମୋ ଦାୟିତ୍ୱ ଟିକକ କରୁଥିଲି ।

Prateek Pattanaik (ଆଲୋଚନାଅବଦାନ)

WP:NPOVNAME ଏହି ଆଲୋଚନାର ପ୍ରଥମ ରିପ୍ଲାଇରେ ଅଛି, ଅବଶ୍ୟ ଲିଙ୍କ କରିନି କିନ୍ତୁ ଆଧାର ଦେଇଛି । ଏଡିଟ ବିବରଣୀରେ ମଧ୍ୟ ଥିଲା । ମହାତ୍ମା ଗାନ୍ଧୀଙ୍କ ବିଷୟରେ ଉପରୋକ୍ତ ସୂତ୍ରରେ କେଉଁଠାରେ ହେଲେ ଲେଖି ନାହିଁ । ମହାତ୍ମା ଗାନ୍ଧୀ ପ୍ରସଙ୍ଗ ଆଲୋଚନାରୁ ଜଣାପଡ଼ୁଛି ଯେ ମହାତ୍ମା ଶବ୍ଦକୁ ସେ ନିଜେ ସମ୍ମତି ଦେଉ ନ ଥିଲେ, ଏଣୁ ସେଇଠି ନୀତିଗତ ପ୍ରୟୋଗ ନେଇ ଗୁଡ଼ାଏ ଚର୍ଚ୍ଚା ହୋଇଛି । କବିସୂର୍ଯ୍ୟ ଉପାଧି କବିସୂର୍ଯ୍ୟ ନିଜେ ପ୍ରୟୋଗ କରିଛନ୍ତି, ପ୍ରାୟ ୯୦% ଗୀତରେ । ଆଉ ଗୋଟିଏ କଥା ହେଲା ମହାତ୍ମା ଗାନ୍ଧୀ ପ୍ରବନ୍ଧ ଆଲୋଚନାରେ ଗୁଗୁଲ ସର୍ଚ୍ଚରୁ ମହାତ୍ମା ଶବ୍ଦର ଅନେକ ଗୁଣ ଅଧିକ ପ୍ରୟୋଗ ଥିବା ଦେଖାଇ ଶେଷ ନିଷ୍କର୍ଷ ହୋଇଛି ଯେ ମହାତ୍ମା ଗାନ୍ଧୀ ଲେଖିବା ହିଁ ପ୍ରଚଳିତ ନାମ । ଠିକ ସେହିପରି ଗୁଗୁଲରେ କବିସୂର୍ଯ୍ୟ / ବଳଦେବ ରଥ ଏଇ ଦୁଇ ପ୍ରକାର ଖୋଜିଲେ କବିସୂର୍ଯ୍ୟ ଶବ୍ଦ ପାଇଁ ପ୍ରାୟ କୋଡ଼ିଏ ହଜାର ରେଜଲ୍ଟ ଆସୁଥିବା ବେଳେ ବଳଦେବ ରଥ ପାଇଁ କେବଳ ଚାରି ହଜାର ରେଜଲ୍ଟ ଆସୁଛି । ଏଇ ଯୁକ୍ତିରେ ଅତି ଜଣାଶୁଣା ନାମ କହିଲେ 'କବିସୂର୍ଯ୍ୟ ବଳଦେବ ରଥ' ହେବ ଏବଂ 'ବଳଦେବ ରଥ' ନୁହଁ । ପୂର୍ବରୁ ଯେପରି ଲେଖିଛି ଏଠାରେ ଉପାଧି ନାମ ହୋଇଯାଇଛି, ତାକୁ ଆଉ କେବଳ ଉପାଧି ବୋଲି ଧରିବା ସଙ୍ଗତ ନୁହେଁ । ଆବଶ୍ୟକ ଯଦି ଗୁଗୁଲ ସର୍ଚ୍ଚର ସଂଖ୍ୟା ଦିଓଟି କବିସୂର୍ଯ୍ୟ ପୃଷ୍ଠର ଆଲୋଚନାରେ ଲେଖି କବିସୂର୍ଯ୍ୟ ପୃଷ୍ଠାଟିକୁ ଘୁଞ୍ଚାଇ ଦେଇପାରନ୍ତି । ପୁନଶ୍ଚ ମୁଁ ସେ ପ୍ରସଙ୍ଗକୁ ଘୁଞ୍ଚେଇଲେ ଏକାଉଣ୍ଟ ଲକ୍ ହେଇଯିବ କି କଣ ସେ ଭୟରେ ମୁଁ ତ ଆଉ ଘୁଞ୍ଚାଇବାର ନାହିଁ । ଆମେ ଯେଉଁ ଆଲୋଚନା ଏଠି କରିଦେଲେ ଏଇଟା ପ୍ରକୃତରେ ସେ କବିସୂର୍ଯ୍ୟ ପୃଷ୍ଠା ଆଲୋଚନାରେ ହିଁ କରିବାର ଥିଲା ।

Psubhashish (ଆଲୋଚନାଅବଦାନ)

ପ୍ରସଙ୍ଗ ବାରମ୍ବାର ନ ଘୁଞ୍ଚେଇ ଆଲୋଚନା ପାଇଁ ମୁଁ ମତ ଦେଇଥିଲି । ଏଠି ଦେଖିବ ।

"ପୃଷ୍ଠାର ନାମ"ଙ୍କୁ ଉତ୍ତର