ଦୁର୍ଗା ପୂଜା
ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ୱିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ । [୧]
ଦୁର୍ଗା ପୂଜା | |
---|---|
ନାମ | ଦୁର୍ଗା ପୂଜା |
ଅନ୍ୟ ନାମ | ନବରାତ୍ରୀ, ବିଜୟାଦଶମୀ |
ପାଳନକାରୀ | ହିନ୍ଦୁ ଧର୍ମାମ୍ବଲମ୍ବୀ |
ପ୍ରକାର | ହିନ୍ଦୁ, ଭାରତୀୟ |
ଆରମ୍ଭ | ଆଶ୍ୱିନ ଶୁକ୍ଳପକ୍ଷ ଷଷ୍ଠୀ |
ଶେଷ | ଆଶ୍ୱିନ ଶୁକ୍ଳପକ୍ଷ ଦଶମୀ |
ତାରିଖ | Ashvin Shukla Pratipada, Ashvin Shukla Dwitiya, Ashvin Shukla Tritiya, Ashvin Shukla Chaturthi, Ashvin Shukla Panchami, Ashvin Shukla Shashthi, Ashvin Shukla Saptami, Ashvin Shukla Ashtami, Ashvin Shukla Navami, Ashvin Shukla Dashamiଛାଞ୍ଚ:Infobox holiday/wd |
୨୦୨୪ ତାରିଖ | ୧୦ ଅକ୍ଟୋବର (ଗୁରୁବାର) - ୧୩ ଅକ୍ଟୋବର (ରବିବାର) |
ସମ୍ପର୍କିତ | ଦଶହରା |
କିମ୍ବଦନ୍ତୀ
ସମ୍ପାଦନାଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ, ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦେବୀପୂଜା ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଅଛି । ଏହି ଶାରଦୀୟ ପର୍ବ ଭାରତର ପୁରପଲ୍ଲୀରେ ଦଶହରା ପର୍ବରୂପେ ପାଳନ କରାଯାଏ । ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା । ଦୁର୍ଗାପୂଜା ପରି ଦଶହରା ପର୍ବ ମଧ୍ୟ ବର୍ଷକରେ ଦୁଇଥର ପାଳନ କରାଯାଏ । ଜ୍ୟେଷ୍ଠମାସ ଶୁକ୍ଳଦଶମୀ ହେଉଛି ଗଙ୍ଗାମାତାଙ୍କର ଜନ୍ମଦିବସ I ଏହିଦିନ ଗଙ୍ଗାପୂଜା କରି ଗଙ୍ଗାନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି ଏହି ତିଥିକୁ ‘ଦଶହରା’ ବା ‘ଦଶବିଧ’ ପାପହରଣ ଦିବସ କୁହାଯାଏ । ଏହି ତିଥିଟି ଲୋକମୁଖରେ ‘ଗଙ୍ଗା ଦଶହରା’ ନାମରେ ପରିଚିତ I ଅନ୍ୟ ଦଶହରା ପର୍ବଟି ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳିତ ହୁଏ I ଏହି ଦୁର୍ଗାପୂଜାର ଶେଷ ଦିବସ । ଏହି ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ । ତେଣୁ ‘ଦଶହରା’ କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି । ଏହି ଦଶହରା ଦିବସରେ ରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ବିଜୟଯାତ୍ରା କରିଥିବାରୁ ଏହି ତିଥିକୁ ‘ବିଜୟା ଦଶମୀ’ କୁହାଯାଏ । ପୁଣି ଏହି ଦିବସର ଅବ୍ୟବହିତ ପୂର୍ବରୁ ସିଂହବାହିନୀ ଆଦ୍ୟା ଶକ୍ତି ଦୁର୍ଗା ଦୁର୍ଦ୍ଦମନୀୟ ମହିଷାସୁରକୁ ବଧ କରି ଦେବତାମାନଙ୍କର ମଙ୍ଗଳ ବିଧାନ କରିଥିଲେ । ଦେବୀଙ୍କ ସହ ଦାନବମାନଙ୍କର ଯୁଦ୍ଧ କନ୍ୟାମାସ ବା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଚାଲିଥିଲା । ଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିରେ ମହାମାରୁ ହୋଇଥିଲା । ମହିଷାସୁର ସମେତ ସମସ୍ତ ଅସୁର ବଂଶ ନିପାତ ହେଲେ । ମହାମାରୁ ନବମୀ ରାତିର ଅନ୍ଧକାର ସହ ତ୍ରୈଲୋକ୍ୟରୁ ଅମଙ୍ଗଳର ଛାୟା ଅପସରି ଗଲା, ଶୁକ୍ଳ ଦଶମୀରେ ସବୁପ୍ରକାର ଶୁଭକାର୍ଯ୍ୟର ଆରମ୍ଭ ହେଲା । ଏହିଦିନ ଜଗତର ଦୁଃଖ ହରଣ ହୋଇଥିବାରୁ ଏହା ‘ଦୁଃଖହା ଦଶମୀ’ ନାମରେ ଖ୍ୟାତି ଲାଭ କରିଅଛି ବୋଲି ଆଦିକବି ଶୂଦ୍ରମୁନି ସାରଳା ଦାସ ‘ଚଣ୍ଡୀପୁରାଣ’ରେ ଲେଖିଛନ୍ତି । ‘ଦୁଃଖହା ଦଶମୀ’ ଦିନ ମହାଦଶାରୁ ଉଦ୍ଧାର ପାଇ ଦେବତାମାନେ ମହାଶକ୍ତି ବ୍ରହ୍ମମୟୀ ଦୁର୍ଗତିନାଶିନୀ ଦୁର୍ଗାଙ୍କୁ ସ୍ତୁତି କରିଥିବାରୁ ଏହି ତିଥିରେ ଦୁର୍ଗାଙ୍କର ଆରାଧନା କରାଯାଏ ।
ଦେବୀ ମାହାତ୍ମ୍ୟ’ ମତେ: ‘ଚଣ୍ଡୀ’ ଶୁଣି ରାଜ୍ୟଭ୍ରଷ୍ଟ ରାଜା ସୁରଥଙ୍କର ମୋହ ତୁଟିଯିବା ପରେ ସେ ଦୁର୍ଗାପୂଜାର ପରମ୍ପରା ସୃଷ୍ଟି କରିଥିଲେ । ଦେବୀପୀଠଗୁଡ଼ିକରେ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହୁଏ । ଏହାକୁ ଷୋଳପୂଜା କୁହାଯାଏ । ଶୁକ୍ଳପକ୍ଷ ସପ୍ତମୀ ଦିନ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ ହୁଏ । ଅଷ୍ଟମୀଦିନ ମହାଷ୍ଟମୀ ପୂଜା ଓ ବଳିଦାନ କରାଯାଏ । ‘ବଳି’ ଶବ୍ଦର ଅର୍ଥ ହେଉଛି ଉପହାର । ଜଗତଜନନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଉପହାର ଦେବାକୁ ପଡେ । ତେଣୁ ଦେବୀପୂଜାରେ ବଳିଦାନର ବ୍ୟବସ୍ଥା ରହିଛି I ନବମୀ ଦିନ ରକ୍ତମୁଖା ଦେବୀଙ୍କୁ ଶାନ୍ତ କରିବା ପାଇଁ ଶାନ୍ତି ବୋଦା ପଡେ । ଦଶମୀ ଦିନ ମହା ସମାରୋହରେ ମୃଣ୍ମୟୀ ଦେବୀ ପ୍ରତିମା ଓ ଘଟ ବିସର୍ଜନ କରାଯାଏ I ପୁରୀଠାରେ ଦଶହରା ପରଦିନ ଦୁର୍ଗାଙ୍କର କ୍ରୋଧାନ୍ୱିତା ଶକ୍ତି ‘ଗୋସାଣୀ ଯାତ’ ଏବଂ ଏହି ତିଥିକୁ ଗୋସାଣୀ ଏକାଦଶୀ କୁହାଯାଏ I ଶାରଦୀୟ ଦୁର୍ଗାପୂଜାରେ ମହାସ୍ନାନ ବଳି ଏବଂ ହୋମର ବ୍ୟବସ୍ଥା ଥିବାରୁ ଏହାକୁ ‘ମହାପୂଜା’ ମଧ୍ୟ କୁହାଯାଏ । ବିବିଧ କାରଣରୁ ଦଶହରା ପର୍ବ ପାଳନ କରାଯାଉଥିବାରୁ ଏହା ଏକ ମହାନ ପାର୍ବଣରେ ପରିଣତ ହୋଇଛି । ଏହି ପର୍ବର ମହତ୍ତ୍ୱ ବିଷୟରେ ଦେବୀ ପୁରାଣରେ କୁହାଯାଇଛି ଯେ ଏହା ଏକ ମହାନ, ପବିତ୍ର ବ୍ରତ ଏବଂ ଏହି ବ୍ରତ ପାଳନ କଲେ ସିଦ୍ଧି ଲାଭ ହୁଏ ଓ ଶତ୍ରୁମାନେ ପରାଜିତ ହୁଅନ୍ତି I କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭର ପୂର୍ବରୁ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ବନଦୁର୍ଗାଙ୍କର ଆରାଧନା କରିବା ପାଇଁ ଉପଦେଶ ଦେଇଥିଲେ । ଇତିହାସ ପ୍ରସିଦ୍ଧ ଛତ୍ରପତି ଶିବାଜୀ ମଧ୍ୟ ମୋଗଲମାନଙ୍କ ସହ ଯୁଦ୍ଧ କରିବା ସମୟରେ ଦୁର୍ଗାଙ୍କର ଉପାସନା କରିଥିଲେ I ଦଶହରା ପର୍ବରେ ଦେବୀଙ୍କ ଶକ୍ତିର ପ୍ରତିଷ୍ଠା ପାଇଁ ଖଡ୍ ଗ ପୂଜା କରାଯାଏ I ଦଶହରା ଦିନ ଗୁରୁବାର ପଡ଼ିଲେ ଗୃହିଣୀମାନେ ପରିବାରର ମଙ୍ଗଳ ଲାଗି ସୁଦଶାବ୍ରତ ପାଳନ କରି ଗୃହଲକ୍ଷ୍ମୀଙ୍କ ପୂଜା କରନ୍ତି I ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ସୋମନାଥ ବ୍ରତର ଉଦ୍ ଯାପନ ପର୍ବ ମଧ୍ୟ ଦଶହରା ତିଥିରେ ପାଳିତ ହୁଏ I ପରମ- ଈଶ୍ୱରୀ ଦେବୀ ଦୁର୍ଗା ବିଶ୍ୱର ସକଳ ବସ୍ତୁରେ ପରିବ୍ୟାପ୍ତ I ସେ ମହାବିଦ୍ୟା, ମହାମାୟା ମହାଯୋଗେଶ୍ୱରୀ । ତାଙ୍କର ‘କ୍ଷର’ ବା ଶେଷ ନଥିବାରୁ ସେ ‘ଅକ୍ଷରା’ I[୨]
ଦେବୀ ଭାଗବତର ମତେ, ରାବଣର ନିଧନ ପାଇଁ ବ୍ରହ୍ମାଙ୍କ ପରାମର୍ଶ ମତେ ଶ୍ରୀରାମ ବସନ୍ତ କାଳରେ ଦେବୀପୂଜା କରିବାକୁ ଚାହିଁଲେ। କାରଣ, ଶରତକାଳ ଅକାଳ, ଆଷାଢ଼ ଶୁକ୍ଳ ଏକାଦଶୀ (ହରିଶୟନ ଏକାଦଶୀ)ଠାରୁ ହେମନ୍ତ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବତାମାନେ ନିଦ୍ରା ଯାଆନ୍ତି । ବ୍ରହ୍ମାଙ୍କ ନିର୍ଦ୍ଦେଶ ମତେ ଶ୍ରୀରାମଚନ୍ଦ୍ର କନ୍ୟାରାଶିର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଦେବୀଙ୍କ ଅକାଳ ବୋଧନ ନିମନ୍ତେ ପୂଜାର ଆୟୋଜନ କରିଥିଲେ । ଶ୍ରୀରାମ ଧ୍ୟାନ ବଳରେ, ଦେବୀ କୁମାରୀ ରୂପରେ ବିଲ୍ୱବୃକ୍ଷ ଶାଖାରେ ଶାୟିତ ଥିବା ଜାଣିପାରି, ସକାଳେ କଳ୍ପାରମ୍ଭ ଓ ସନ୍ଧ୍ୟାବେଳେ ବିଲ୍ୱବୃକ୍ଷମୂଳେ ଆରମ୍ଭ କଲେ ଦେବୀଙ୍କ୍ ବୋଧନ । ଏହାପରେ ସପ୍ତମୀ ତିଥିରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ । ସେତେବେଳେ ମଧ୍ୟ ଦେବୀ ସୁପ୍ତ ଅବସ୍ଥାରେ ଥିବାରୁ ଅଷ୍ଟମୀ ତିଥିରେ ଯୋଗିନୀଗଣଙ୍କୁ ଆହ୍ୱାନ କରି ଦେବୀଙ୍କୁ ପୁଣି ପୂଜା କଲେ । ଆଗତ ଯୋଗିନୀଗଣଙ୍କ କୋଳାହଳରେ ଦେବୀ କେବଳ କଡ଼ ଲେଉଟାଇ ପୁଣି ଶୋଇଲେ । ଏହା ପରେ ଅଷ୍ଟମୀର ଶେଷ ଓ ନବମୀର ଆରମ୍ଭ ବା ସନ୍ଧିକ୍ଷଣ ସମୟରେ ଶ୍ରୀରାମଚନ୍ଦ୍ର କଲେ ସନ୍ଧିପୂଜା । ଅଷ୍ଟମୀର ଚବିଶ ମିନଟ ଓ ନବମୀର ଚବିଶ ମିନଟ, ଏହିପରି ମୋଟ ଅଠଚାଳିଶ ମିନଟ ଧରି ଦେବୀ ଚାମୁଣ୍ଡାଙ୍କର ଏହି ବିଶେଷ ସନ୍ଧିପୂଜା କରିଥିଲେ । ଶ୍ରୀରାମ ଚାମୁଣ୍ଡାଙ୍କୁ ଆବାହନ କରି ଦେବୀ ଦୁର୍ଗାଙ୍କୁ ଉଠାଇବା ପାଇଁ ନିବେଦନ କଲେ । ଚାମୁଣ୍ଡାଙ୍କ ସହଯୋଗ ଫଳରେ ନବମୀ ତିଥିରେ ଦେବୀ ଦୁର୍ଗା ଜାଗ୍ରତ ହେଲେ । ଏତିକିବେଳେ ସେ ଦେବୀଙ୍କୁ କୁମାରୀ ରୂପରେ ଦର୍ଶନ କରି ଯୋଗିନୀମାନଙ୍କ ସହିତ ବିଶେଷ ପୂଜା କରି ଏକାସାଙ୍ଗେ ଶହେଆଠ ନୀଳପଦ୍ମ ଅର୍ପଣ କରିଥିଲେ । ସେହି ଦିନଠାରୁ କୁମାରୀ ରୂପୀ ଦେବୀଙ୍କର ପୂଜାର ଆରମ୍ଭ । [୩]
ଘଟପୂଜା ପରମ୍ପରା
ସମ୍ପାଦନାଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ । ବିଭିନ୍ନ ଭାବରେ ମୂର୍ତ୍ତିପୂଜାର ଆଦର ବଢିଥିଲେ ମଧ୍ୟ ମୂଳ ତତ୍ତ୍ୱକୁ ବାଦ ଦେବା ସମ୍ଭବ ହୋଇନାହିଁ । ବାସନ୍ତୀ ଦୁର୍ଗାପୂଜା ବିଶେଷ ଭାବେ ପାଳିତ ହୋଇ ନ ଥାଏ । ଅନ୍ୟପକ୍ଷରେ ଶରତକାଳୀନ ଦୁର୍ଗାପୂଜା ଏବେ ସାର୍ବଜନୀନ ପୂଜାର ସ୍ୱୀକୃତି ପାଇଛି, କିନ୍ତୁ ଉଭୟ ପୂଜା ଏବଂ ତା’ର ବିଧାନ ପ୍ରାୟତଃ ସମାନ ।
ଶରତକାଳୀନ ପୂଜା ଏବଂ ବାସନ୍ତୀପୂଜା ବ୍ୟତୀତ ଦକ୍ଷିଣ ଓଡ଼ିଶାରେ ଅନ୍ୟ ଦିନରେ ମା’ଙ୍କର ସ୍ୱପ୍ନାଦେଶ ଅଥବା ଆଜ୍ଞାମାଳ ପରିପ୍ରେକ୍ଷୀରେ ବିଧିବ୍ୟବସ୍ଥା ଅନୁଯାୟୀ ମଧ୍ୟ ମା’ଙ୍କର ପୂଜା ଅର୍ଚ୍ଚନା କରାଯାଏ । ଏଠାରେ ମଧ୍ୟ ଘଟ ସ୍ଥାପନ ଏବଂ ଘଟପୂଜା ଦେଖିବାକୁ ମିଳେ I ଏପରିକି ଘଟକୁ ମୁଣ୍ଡରେ ଧରି ପରିକ୍ରମା କରାଯିବାର ବିଧି ରହିଛି ।
ମୂର୍ତ୍ତିପୂଜା ମାତ୍ର ଦୁଇଶହ ବର୍ଷ ଭିତରେ ଦେଖିବାକୁ ମିଳିଲା । ତେବେ ପ୍ରଥମେ ଧାତୁ ନିର୍ମିତ ମୂର୍ତ୍ତି ଦେଖିବାକୁ ମିଳୁଥିଲା ବେଳେ ମାତ୍ର ୧୦୦ରୁ ୧୫୦ ବର୍ଷ ମଧ୍ୟରେ ମାଟି ନିର୍ମିତ ମୂର୍ତ୍ତିର ବ୍ୟାପକ ପ୍ରସାର ଘଟିଛି । କିନ୍ତୁ ପ୍ରାରମ୍ଭରୁ ପ୍ରଚଳିତ ଘଟପୂଜା ଏବେ ବି ଅନୁଷ୍ଠିତ ହେଉଛି । ଆମର ସଂସ୍କୃତି ଅନୁଯାୟୀ ବିଭିନ୍ନ ପୂଜା ପଞ୍ଚଭୂତ ଉପରେ ଆଧାରିତ । ତାହା ହେଉଛି କ୍ଷିତ୍, ଅପ୍, ମରୁତ୍ ଏବଂ ବ୍ୟୋମ୍ । ମନୁଷ୍ୟ ପ୍ରଥମେ ମାଟିକୁ ପୂଜାକଲା । କାରଣ ଏହି ମାଟି ତାକୁ ରହିବା ପାଇଁ ଆଶ୍ରୟ ଦେଲା ଏବଂ ସେହିମାଟିରୁ ଉତ୍ପାଦିତ ଫଳ ଖାଇ ସେ ବଞ୍ଚିଲା । ସେହିପରି ଜଳ (ଅପ୍)କୁ ଜୀବନ ବୋଲି କହିଲା । ସେ ଜାଣିଥିଲା ଜଳ ବିନା ଜୀବନ ଅସମ୍ଭବ । ତେଣୁ ଭିନ୍ନ ଭିନ୍ନ ଜଳାଶୟ ବା ନଦୀକୂଳରେ ଗଢିଉଠିଲା ଜନବସତି । ପରବର୍ତ୍ତୀ ସମୟରେ କେତେକ ନଦୀ ତୀର୍ଥକ୍ଷେତ୍ର ରୂପେ ପରିଗଣିତ ହେଲେ । ତେଜର ମୂର୍ତ୍ତିମନ୍ତ ରୂପ ସୂର୍ଯ୍ୟଙ୍କୁ ଈଶ୍ୱର ଭାବେ ଗ୍ରହଣ କରାଗଲା । ଅବଶ୍ୟ ଅଗ୍ନିକୁ ଗ୍ରହଣ କଲା ଏହାପରେ । ପବନ (ମରୁତ) ଏବଂ ଆକାଶ (ବ୍ୟୋମ)କୁ ମଧ୍ୟ ନିଜର ପୂଜ୍ୟ ଭାବେ ସ୍ୱୀକୃତି ଦିଆଗଲା । ସମୟର ଧାରାରେ ଏହି ପଞ୍ଚଭୂତ ଯାହା ସହ ସମ୍ପର୍କିତ ସେମାନଙ୍କୁ ମଧ୍ୟ ଈଶ୍ୱରୀୟ ସତ୍ତାର ଅଂଶ ବା ଈଶ୍ୱର ଭାବେ ଗ୍ରହଣ କରାଯାଇଛି । ଯେପରି ବୃକ୍ଷକୁ ବୃକ୍ଷଦେବତା ଏବଂ ଶିଳା, ଧାତୁ ପ୍ରଭୃତି ପୂଜନୀୟ ହେଲେ । ଏହି ମହାପଞ୍ଚଭୂତମନଙ୍କ ଧର୍ମଗତ ସ୍ୱଭାବ ହେଲା- ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ । ପୁନଃ ଏଗୁଡ଼ିକ ଆମର ପଞ୍ଚଇନ୍ଦ୍ରୀୟ ଅର୍ଥାତ୍ କର୍ଣ୍ଣ, ଚର୍ମ, ଚକ୍ଷୁ, ଜିହ୍ୱା ଓ ନାସାଦ୍ୱାରା ଗୃହିତ ହୋଇଥାନ୍ତି ।
ବର୍ତ୍ତମାନ ଦେଖିବା ଏହି ଘଟରେ ଆମେ କେଉଁ କେଉଁ ଦେବତାଙ୍କୁ ଆବାହନ କରିଥାଉ । ଅବଶ୍ୟ ଜଳରେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଏବଂ କାବେରୀର ପବିତ୍ର ଭାବଧାରାକୁ ସମ୍ମିଶ୍ରଣ କରାଯାଏ । ଗୋଟିଏ ଘଟ ମଧ୍ୟରେ ଅର୍ଥାତ ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପନା ହୋଇଥାଏ । ସେହିପରି ବିଘ୍ନ ବିନାଶକ ଗଣନାୟକ, ଜଳର ଦେବତା ବରୁଣ, ଇନ୍ଦ୍ର ଏବଂ ଦଶଦିଗପାଳ, ସୂର୍ଯ୍ୟଙ୍କ ସହ ନବଗ୍ରହ ଏବଂ ଗ୍ରାମଦେବତୀଙ୍କୁ ଆବାହନ କରି ଘଟରେ ସ୍ଥାପନା କରାଯାଇ ପୂଜା କରାଯାଏ । ଅନ୍ୟ ପକ୍ଷରେ ଘଟ ମୁଖରେ ଶିବ, କଣ୍ଠରେ ବିଷ୍ଣୁ, ତଳ ଭାଗରେ ବ୍ରହ୍ମା, ମଧ୍ୟଭାଗରେ ଅଷ୍ଟାଦଶ ମାତୃଗଣ, କୁକ୍ଷୀରେ ସପ୍ତସାଗର, ସପ୍ତଦ୍ୱୀପ ପୃଥିବୀ ଏବଂ ଉଦରରେ ସମସ୍ତ ତୀର୍ଥକୁ ସ୍ମରଣ କରି ପୂଜା କରାଯାଏ ।[୪]
ନବମୀରେ କୁମାରୀ ପୂଜା
ସମ୍ପାଦନାଶ୍ରୀରାମଚନ୍ଦ୍ର ରାବଣଙ୍କୁ ବଧ କରିବା ପାଇଁ ଶରତ କାଳରେ ଶ୍ରୀ ଶ୍ରୀ ଦୁର୍ଗାପୂଜା କରିଥିଲେ । ଏହାକୁ ‘ଅକାଳବୋଧନ’ କୁହାଯାଏ । କାରଣ ଶରତକାଳ ସୂର୍ଯ୍ୟ ଦକ୍ଷିଣାୟନ କରନ୍ତି । ଶ୍ରାବଣ ମାସରୁ ପୌଷମାସ ସୂର୍ଯ୍ୟଙ୍କ ଦକ୍ଷିଣାୟନ; ମାଘରୁ ଆଷାଢ଼ ସୂର୍ଯ୍ୟଙ୍କର ଉତ୍ତରାୟନ । ଦକ୍ଷିଣାୟନ ଦେବତାଙ୍କର ରାତ୍ରି । ତେଣୁ ଉତ୍ତରାୟନ ଦେବତାଙ୍କ ଆରାଧନାର ପ୍ରକୃଷ୍ଟ ସମୟ । ରାବଣ, ବ୍ରହ୍ମାଙ୍କ ବରରେ ଅପାରଶକ୍ତିର ଆଧିକାରୀ ହୋଇଥିବାରୁ ତାଙ୍କୁ ବଧ କରିବା ନିମନ୍ତେ ଦେବୀଙ୍କ କୃପା ଆବଶ୍ୟକ । ତେଣୁ ବ୍ରହ୍ମା ଶ୍ରୀରାମଚନ୍ଦ୍ରଙ୍କୁ ଶରତ କାଳରେ ଦେବୀଙ୍କ କଳ୍ପାରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ । ଶ୍ରୀରାମଚନ୍ଦ୍ର ଦ୍ୱନ୍ଦ୍ୱରେ ପଡ଼ିଲେ । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ନିର୍ଦ୍ଦେଶ ଓ ଦେବଦେବୀଙ୍କର ଦକ୍ଷିଣାୟନ । ଦେବୀ ଜାଗ୍ରତ ନା ନିଦ୍ରିତ ? ଦେବୀ ଏବେ ଆବିର୍ଭୂତ ହେବେ ତ ? ତେଣୁ ସେ ଧ୍ୟାନମଗ୍ନ ହୋଇ ଜାଣିପାରିଲେ ଦେବୀ ତ୍ରିଶାଖା ବିଲ୍ୱଦଳରେ ‘କୁମାରୀ’ କନ୍ୟା ରୂପେ ଶାୟିତ । ଏହି ଦୃଶ୍ୟ ଅବଲୋକନ କରି ବିଭୋର ହେଲେ ଶ୍ରୀରାମଚନ୍ଦ୍ର । ଦେବୀଙ୍କୁ ଜାଗ୍ରତ କରାଇବେ ।ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଷଷ୍ଠୀଦିନ ‘ବିଲ୍ୱାଧିବାସ’ କଲେ ଶ୍ରୀରାମଚନ୍ଦ୍ର । ଷଷ୍ଠୀପରେ ସପ୍ତମୀରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ ମଧ୍ୟ ଦେବୀଙ୍କର ନିଦ୍ରାଭଙ୍ଗ ହେଲାନି । ଅଷ୍ଟମୀରେ ଯୋଗିନୀମାନଙ୍କୁ ଡାକି ବିଶେଷ ପୂଜାକରିଲେ ଶ୍ରୀରାମ । ତେଣୁ ଅଷ୍ଟମୀର ଶେଷ ଦଣ୍ଡ ଓ ନବମୀର ପ୍ରଥମ ଦଣ୍ଡ(୨୪+୨୪=୪୮ମିନିଟ) ସନ୍ଧିକ୍ଷଣରେ ପୂଜା କଲେ । ଏହାକୁ ‘ସନ୍ଧିପୂଜା’ କୁହାଯାଏ । ଚାମୁଣ୍ଡା ଦେବୀଙ୍କ ସହାୟତାରେ ଶ୍ରୀରାମଚନ୍ଦ୍ର ଏହି ‘ସନ୍ଧିପୂଜା’ କରିଥିଲେ । ଏହି ପୂଜା ପରେ ଅର୍ଥାତ୍ ନବମୀ ଦିନ ଦେବୀ ଜାଗ୍ରତ ହେଲେ ଏବଂ ପୁନର୍ବାର ‘କୁମାରୀ’ ରୂପରେ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ ଦେଲେ । ତେଣୁ ନବମୀ ଦିନ କୁମାରୀ ପୂଜାର ପ୍ରଚଳନ ଅଛି । କୁମାରୀ ସାକ୍ଷାତ ଯୋଗିନୀ, ପରମାଦେବୀ ପୁଣି ପରମପ୍ରକୃତି । ଶ୍ରୀ ଶ୍ରୀ ଚଣ୍ଡୀରେ ଉଲ୍ଲେଖ ଅଛି ‘ସ୍ତ୍ରୀୟା ସମସ୍ତା ସକଳ ଜଗତ ସୁ’ ଅର୍ଥାତ୍ ସମସ୍ତ ସ୍ତ୍ରୀ ଜାତି ବ୍ରହ୍ମମୟୀ, ମହାମାୟା ଜଗଜ୍ଜନନୀଙ୍କର ଏକ ଅଂଶ ବିଶେଷ । ପ୍ରତି ନାରୀ ଭଗବତୀଙ୍କ ଅଂଶ ହେଲେ ମଧ୍ୟ କୁମାରୀଙ୍କ ମଧ୍ୟରେ ଭଗବତ୍ ସତ୍ତା ବିଶେଷ ଭାବରେ ପ୍ରକାଶିତ । ତନ୍ତ୍ରମତେ ଷୋହଳ ବର୍ଷ ପର୍ଯ୍ୟନ୍ତ ଅବିବାହିତା କନ୍ୟାଙ୍କୁ କୁମାରୀ କୁହାଯାଏ । ଯେତେଦିନ ପର୍ଯ୍ୟନ୍ତ କନ୍ୟା ଋତୁମତୀ ନ ହୁଅନ୍ତି ସେତେଦିନ ପର୍ଯ୍ୟନ୍ତ ‘କୁମାରୀ’ ତାହା କୁସୁମପରି ପବିତ୍ର । ତେଣୁ ସେତେଦିନ ପର୍ଯ୍ୟନ୍ତ କନ୍ୟା ଦେବସେବାରେ ନିବେଦିତ ହୋଇପାରିବେ । ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ କୁମାରୀ ରୂପରେ ଦର୍ଶନ କରିଥିଲେ ଏବଂ ପୂଜା କରିଥିଲେ ମଧ୍ୟ ପରବର୍ତ୍ତୀକାଳରେ ଶ୍ରୀଶ୍ରୀ ରାମକୃଷ୍ଣ ଓ ତାଙ୍କର ଶିଷ୍ୟ ବିବେକାନନ୍ଦ ଏହାର ବହୁଳ ପ୍ରଚାର କରିଥିଲେ ଏବଂ ରାଣୀ ରାସମଣୀ ଦେବୀଙ୍କଦ୍ୱାରା କୁମାରୀ ପୂଜାକରାଇ ଏହାର ପ୍ରସାର ମଧ୍ୟ କରିଥିଲେ। କାରଣ କୁମାରୀଙ୍କ ମଧ୍ୟରେ ଭଗବତ୍ ସତ୍ତା ଅନୁଭବ କରିଥିଲେ । ଏଣୁ ଦୁର୍ଗାପୂଜାର ନବମୀ ରାତ୍ରିରେ କେତେକ ବ୍ରାହ୍ମଣ ବଂଶୀୟ ସାତରୁ ଆଠ ବର୍ଷର କନ୍ୟାକୁ ପାଦରେ ଅଳତା, ଆଖିରେ କଜ୍ଜଳ ଓ କପାଳରେ ଚନ୍ଦନ ଟିପା ଦେଇ ସୁନ୍ଦର ଭାବରେ ସଜାଇ ନୂତନ ଶାଢ଼ି ପରିଧାନ କରାଇ ବିଭିନ୍ନ ଉପଢ଼ୌକନ ଦେଇ ପୂଜା କରାଯାଏ । ଏହାକୁ ‘କୁଆଁରୀ ଲକ୍ଷ୍ମୀ’ ପୂଜା କୁହାଯାଏ । ଓଡ଼ିଶାର ସବୁ ପୂଜାମଣ୍ଡପରେ ନବମୀ ଦିନ କୁମାରୀ ପୂଜା କରା ନ ଗଲେ ମଧ୍ୟ କଟକ ଜିଲ୍ଲାର ପୁନଙ୍ଗ ଗ୍ରାମର ଘୋଷଘର ପୂଜାମଣ୍ଡପରେ ଆବାହମାନକାଳରୁ କୁମାରୀ ପୂଜା ହୋଇଆସୁଛି । କଥିତ ଅଛି, ଯେଉଁମାନେ ଏହି ପୂଜା ଦର୍ଶନ କରନ୍ତି, ସେମାନେ ଚତୁବର୍ଗ ଫଳ ପାଆନ୍ତି । କୁମାରୀ ପୂଜା ହେଉଛି ନାରୀଜାତି ପ୍ରତି ସମ୍ମାନ ପ୍ରଦର୍ଶନର ଏକ ପ୍ରକ୍ରିୟା ମାତ୍ର ।[୫]
ପୂଜାବିଧି
ସମ୍ପାଦନାଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ,ଯାହା ଦଶହରାର ପ୍ରଥମ ବିଧି।ଏହା ପରେ କାରିଗରମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରହନ୍ତି । ପବିତ୍ର ମହାଳୟା ଅବସରରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢାଯାଏ । ମହାଳୟାଠାରୁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ । କାରଣ ଏହି ଦିନଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି । ପ୍ରକୃତ ପୂଜାବିଧି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ ।
- ଷଷ୍ଠୀ: ଅଧିବାସ, ବିଲ୍ୱବରଣ, ମା’ଙ୍କୁ ସ୍ୱାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ । ଶେଷରେ ରାତ୍ରୀ କାଳରେ ଦେବୀ ପ୍ରତିମାର ଚକ୍ଷୁରେ ରଙ୍ଗ ଦେଇ ଚକ୍ଷୁଦାନ ସମ୍ପନ୍ନ ହୁଏ ଓ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯାଏ ।
- ସପ୍ତମୀ: ସପ୍ତମୀରେ ନବପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ, ସାରୁ, ମାଣସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି ଓ ଧାନ ଏହି ନଅ ଜାତି ପତ୍ରଦ୍ୱାରା ଦୁର୍ଗାଙ୍କର ଗୋଟିଏ ମୁର୍ତ୍ତି ଗଠନ କରି ପୂଜା କରିବାର ବିଧି ।[୬] ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ । ଚଣ୍ଡିପାଠହୋମ: ଦେବୀମାହାତ୍ମ୍ୟ (ମାର୍କଣ୍ଡେୟ ପୂରାଣାନ୍ତର୍ଗତ ଦୁର୍ଗାଙ୍କ ବିଷୟ ବର୍ଣ୍ଣନାତ୍ମକ ଗ୍ରନ୍ଥ) ଗ୍ରନ୍ଥର ଆବୃତ୍ତି ସହ ହୋମ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଏ ।
- ଅଷ୍ଟମୀ: ଅଷ୍ଟମୀରେ ହୁଏ ମା’ଙ୍କ ମୂଖ୍ୟ ସନ୍ଧିପୂଜା । ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ସମୟକୁ ସନ୍ଧି ସମୟ କୁହାଯାଏ । ଶାସ୍ତ୍ର ବିଧି ଅନୁସାରେ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ଏହି ସନ୍ଧି କାଳହିଁ ଦେବୀଙ୍କୁ ବଳି ଦେବର ପ୍ରଶସ୍ତ ସମୟ । ଏହି ସମୟରେ ମା’ଙ୍କ ପାଖରେ ବଳି ଦିଆଯାଏ । ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା, ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି । ଓଡ଼ିଶାରେ ଏହିଦିନ ମହିଳାମାନେ ଶାଢ଼ୀ, ଫେଣୀ ଇତ୍ୟାଦି ଆଣି ମା’ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ।
- ନବମୀ: ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ।କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛଭୋଗ କରିଥାନ୍ତି ।
- ଦଶମୀ: ଘଟ ବିସର୍ଜନ ଓ ଭସାଣି । ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱାତନ୍ତ୍ର । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି । ଏହା ସହିତ ମହିଳାମାନେ ସିନ୍ଦୁର ଖେଳ କରିଥାନ୍ତି । ଅନେକ ସ୍ଥାନରେ ସିନ୍ଦୁର ଖେଳ ପ୍ରତିଯୋଗିତା ହୁଏ । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ ।
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2012-11-12. Retrieved 2012-09-08.
{{cite web}}
: Cite has empty unknown parameter:|1=
(help) - ↑ ସମାଜ ରବିବାର, ପୃଷ୍ଠା- ୭, ଅକ୍ଟୋବର ୨୧- ୨୭, ୨୦୧୨
- ↑ ଗିରିଜା ମଞ୍ଜରୀ ପାଢ଼ୀ, ଧରିତ୍ରୀ, ୨୨-୧୦-୧୨, ପୃଷ୍ଠା: ୨
- ↑ ଧରିତ୍ରୀ, ତା:୦୭/୧୦/୨୦୦୮, ପୃଷ୍ଠା: ୦୬
- ↑ ସ୍ନିଗ୍ଧା ଗୋସ୍ୱାମୀ, ସମାଜ ରବିବାର, ପୃଷ୍ଠା-୩, ୨୦୧୪ ସେପ୍ଟେମ୍ବର ୨୮-ଅକ୍ଟୋବର ୪
- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୪୧୩୪
ଅଧିକ ତଥ୍ୟ
ସମ୍ପାଦନା- ଦୁର୍ଗା ପୂଜା at Curlie