ବାମ୍ଫୀ

ସୋପାନବିଶିଷ୍ଟ ବଡ଼ କୂପ


ବାମ୍ଫୀ (ଇଂରାଜୀରେ Stepwells) ହେଉଛି ସୋପାନବିଶିଷ୍ଟ ବଡ଼ କୂପ । ବାମ୍ଫୀରେ ଭୂପୃଷ୍ଠରୁ ଜଳସ୍ତର ପର୍ଯ୍ୟନ୍ତ ତଳକୁ ତଳକୁ ପାହାଚ ରହିଥାଏ ଯାହାକୁ ଓହ୍ଲାଇ ଜଳ ପାଖରେ ପହଞ୍ଚି ହେବ । ଭାରତୀୟ ଉପମହାଦ୍ୱୀପରେ ପ୍ରଥମେ ବାମ୍ଫୀ ନିର୍ମାଣ କରାଯାଇଥିବାର ଅନୁମାନ କରାଯାଏ । କେତେକ ବାମ୍ଫୀ ଅତି ବିରାଟ ଓ ତାହା ଅଟ୍ଟାଳିକା ପରି ବହୁତଳବିଶିଷ୍ଟ ହୋଇଥାଏ । ଏପରି ବାମ୍ଫୀରେ ବଳଦଦ୍ୱାରା ଏକ ଚକ ବା ପୁଲି ବୁଲାଯାଇ ବିଭିନ୍ନ ସ୍ତରରେ ଜଳ ବାହାର କରାଯାଇଥାଏ । ଭାରତର ବିଭିନ୍ନ ସ୍ଥାନରେ (ମୁଖ୍ୟତଃ ପଶ୍ଚିମ-ଭାରତ) ଓ ପାକିସ୍ତାନର ବିଭିନ୍ନ ସ୍ଥାନରେ ବିଶାଳକାୟ ବାମ୍ଫୀମାନ ରହିଛି । ଅଧିକାଂଶ ବାମ୍ଫୀ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ନିର୍ମିତ ହୋଇଥିବା ବେଳେ, କିଛି ମନ୍ଦିରର ଜଳ ଆବଶ୍ୟକତା ପାଇଁ ନିର୍ମିତ ହୋଇଥିଲା । କିଛି ବାମ୍ଫୀ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ।

ଶେଖାୱତୀର ଫତେପୁରର ଏକ ବାମ୍ଫୀ
ଇଣ୍ଡୋନେସିଆର ଏକ ବାମ୍ଫୀ

ଶୁଷ୍କ ଋତୁ ବା ବୃଷ୍ଟିହୀନତା ଯୋଗୁଁ ସୃଷ୍ଟ ଜଳାଭାବର ନିରାକରଣ ପାଇଁ ଜଳ ସଂରକ୍ଷଣ ଓ ଜଳସେଚନର ଉତ୍ସ ରୂପେ ଏହି ବାମ୍ଫୀମାନଙ୍କୁ ବ୍ୟବହାର କରାଯାଉଥିଲା । କୂଅ ଓ ବାମ୍ଫୀ ମଧ୍ୟରେ ରହିଥିବା ଏକ ମୁଖ୍ୟ ତଫାତ ହେଲା – ବାମ୍ଫୀରେ ପାହାଚ ଓହ୍ଲାଇ ଜଳସ୍ତର ନିକଟକୁ ସହଜରେ ପହଞ୍ଚି ହେବ, ତଥା ଜଳାଶୟ ଓ ପାହାଚଶ୍ରେଣୀରେ ବିଶୋଧନ ଓ ମରାମତି କାର୍ଯ୍ୟ କରାଯାଇପାରିବ ।

ବର୍ଷସାରା ଜଳ ଗଚ୍ଛିତ ରଖିବା ପାଇଁ ବାମ୍ଫୀ ନିର୍ମାତାମାନେ ଭୂତଳ ଜଳସ୍ତର ପର୍ଯ୍ୟନ୍ତ ଗଭୀର ଗର୍ତ୍ତ ଖନନ କରୁଥିଲେ । ପାରମ୍ପରିକ ସ୍ଥାପତ୍ୟ ବିଦ୍ୟାର ବ୍ୟବହାର କରି ଏହି ଗଭୀର ଓ ଓସାରିଆ ଗର୍ତ୍ତର କାନ୍ଥଗୁଡ଼ିକୁ ପ୍ରସ୍ତରରେ ଆଚ୍ଛାଦିତ କରିଦିଆଯାଉଥିଲା । ଗର୍ତ୍ତରେ ପୁରା ତଳ ପର୍ଯ୍ୟନ୍ତ ଯିବା ପାଇଁ ପାହାଚଶ୍ରେଣୀ ନିର୍ମିତ ହେଉଥିଲା ।[୧] ଏଯାବତ୍ ରହିଥିବା ସମସ୍ତ ବାମ୍ଫୀ ଆମୋଦ ପ୍ରମୋଦ ଅଥବା ପାନୀୟ ଓ ଦୈନନ୍ଦିନ ଜୀବନରେ ବ୍ୟବହାରୋପଯୋଗୀ ଜଳ ବାହାର କରିବା ପାଇଁ ବ୍ୟବହୃତ ହେଉଥିଲା । ଦିନବେଳା ପ୍ରଚଣ୍ଡ ଖରା ସତ୍ତ୍ୱେ ବହୁ ଗଭୀରତାରେ ରହିଥିବା ବାମ୍ଫୀର ଜଳ ଶୀତଳାବସ୍ଥାରେ ରହୁଥିଲା । ବାମ୍ଫୀ ଉପରେ କିଛି ଆଚ୍ଛାଦନର ବ୍ୟବସ୍ଥା କରି ମଧ୍ୟ ଜଳକୁ ଥଣ୍ଡା ରଖାଯାଇପାରୁଥିଲା । ସାମାଜିକ ମିଳନ ଓ ଧାର୍ମିକ ପୂଜା ପର୍ବାଣିରେ ବାମ୍ଫୀ ନିକଟରେ ଜନ ସମାଗମ ହେଉଥିଲା । ପ୍ରାଚୀନ ସମୟରେ ମୁଖ୍ୟତଃ ମହିଳାମାନେ ଘର ପାଇଁ ଜଳ ଆଣୁଥିବାରୁ ବାମ୍ଫୀ ପରିସର ମହିଳାମାନଙ୍କ ସାମାଜିକ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲା । ବାମ୍ଫୀର ଦେବୀଙ୍କ ଆଶୀର୍ବାଦ ପାଇବା ପାଇଁ ମହିଳାମାନେ ତର୍ପଣ ଓ ପ୍ରାର୍ଥନା କରୁଥିଲେ ।[୧] ଏହି କାରଣରୁ ସହର ଓ ନଗରର ଘରମାନଙ୍କୁ ଅନୁକରଣ କରି କିଛି ବାମ୍ଫୀରେ ସୁନ୍ଦର ସ୍ଥାପତ୍ୟ କଳା ବ୍ୟବହୃତ ହୋଇଛି । ଏହି ନିର୍ମାଣ ଶୈଳୀ ଯୋଗୁଁ କିଛି ବାମ୍ଫୀ ଦୀର୍ଘ କାଳ ପର୍ଯ୍ୟନ୍ତ ତିଷ୍ଠି ରହିପାରିଛନ୍ତି ।

ଏକ ବାମ୍ଫୀରେ ଥିବା ଦୁଇଟି ମୁଖ୍ୟ ଅଂଶ ହେଲା – (୧) ଜଳ ଉତ୍ତୋଳନ କରିବା ପାଇଁ ବ୍ୟବସ୍ଥା ଓ (୨) ବାମ୍ଫୀର ଚତୁଃପାର୍ଶ୍ୱ (ପଥର ନିର୍ମିତ କାନ୍ଥ, ପାହାଚ ଓ କ୍ଷୁଦ୍ର ସୁଡ଼ଙ୍ଗଦ୍ୱାରା ଜଳ ପର୍ଯ୍ୟନ୍ତ ପହଞ୍ଚିବାର ରାସ୍ତା ଇତ୍ୟାଦି) । ବାମ୍ଫୀ ଚତୁଃପାର୍ଶ୍ୱ କାନ୍ଥରେ ସୁନ୍ଦର କାରୁକାର୍ଯ୍ୟ ହୋଇଥିଲା ଓ ଗ୍ରୀଷ୍ମଋତୁରେ ଏଠାକାର ଶୀତଳ ପରିବେଶ ଲୋକଙ୍କୁ ଆକୃଷ୍ଟ କରୁଥିଲା ।[୨]

ବାମ୍ଫୀର ସ୍ଥାନୀୟ ନାମସମ୍ପାଦନ କରନ୍ତୁ

ପାହାଚ ରହିଥିବା କୂଅକୁ ଓଡ଼ିଆ ଭାଷାରେ ବାମ୍ଫୀ ବୋଲି କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁଯାୟୀ ବାମ୍ଫୀ ଶବ୍ଦର ଅର୍ଥ ହେଉଛି ବଡ଼ କୂଅ ବା ବଡ଼ ଆୟତନ ବିଶିଷ୍ଟ ପଥର ଓ ଇଟାର କାନ୍ଥବିଶିଷ୍ଟ କୂଅ । ଭାଷାକୋଷରେ ରହିଥିବା ବାମ୍ଫୀର ହିନ୍ଦୀ ପ୍ରତିଶବ୍ଦ ହେଉଛି “ବବଲି” ଓ “ବାଉଲୋ” । ବିଭିନ୍ନ ଭାଷାରେ ରହିଥିବା ବାମ୍ଫୀର ସ୍ଥାନୀୟ ନାମଗୁଡିକ ହେଲା :

  • ରାଜସ୍ଥାନୀ ଭାଷାରେ ବାଓଲି, ବାଉଡ଼ି ବା ବାୱଡ଼ି (बावड़ी)
  • ଗୁଜରାଟୀ ଓ ମାରୱାଡ଼ୀ ଭାଷାରେ ଭାୱ ବା ୱାଓ (વાવ)
  • କନ୍ନଡ଼ ଭାଷାରେ କଲ୍ୟାଣୀ ବା ପୁଷ୍କରିଣୀ
  • ହିନ୍ଦୀ ଭାଷାରେ ବାଓଲି (बावली)
  • ମରାଠୀ ଭାଷାରେ ବାରୱ (बारव)

ସଂସ୍କୃତ ଭାଷାରେ ଲିଖିତ ଶିଳ୍ପଶାସ୍ତ୍ରମାନଙ୍କରେ ଏ ପ୍ରକାରର କୂପକୁ ୱାପୀ ବା ୱାପିକ ବୋଲି ଅଭିହିତ କରାଯାଇଛି ।[୩] ଜଳାଭାବ ସମୟରେ ଜଳର ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ବାମ୍ଫୀଗୁଡ଼ିକ ନିର୍ମାଣ କରାଯାଇଥିବା ସମ୍ଭବପର । ସିନ୍ଧୁ ସଭ୍ୟତାର ଢୋଲାୱିରା ଓ ମୋହେଞ୍ଜୋଦାରୋରେ ଏପରି ସୋପାନବିଶିଷ୍ଟ କୃତ୍ରିମ କୂପର ଅବଶେଷ ଦେଖିବାକୁ ମିଳିଛି ।[୪] ମୋହେଞ୍ଜୋଦାରୋରେ ରହିଥିବା ତତ୍କାଳୀନ ଏକ ସିଲିଣ୍ଡର ଆକୃତିର ଇଟାନିର୍ମିତ କୂଅ ଓ ସେହି ପ୍ରକାରର କୂଅରୁ ଅନୁପ୍ରାଣୀତ ହୋଇ ପରବର୍ତ୍ତୀ ସମୟର ବାମ୍ଫୀମାନ ନିର୍ମିତ ହୋଇଥାଇପାରେ ।[୫] ଭାରତର ସର୍ବପୁରାତନ ପଥର କଟା ବାମ୍ଫୀ ଖ୍ରୀଷ୍ଟାବ୍ଦ ୨୦୦-୪୦୦ ସମୟର ।[୬]

ଜୁନାଗଡ଼ର ଉପରକୋଟ ବୌଦ୍ଧ ଗୁମ୍ଫାରେ ଏକ ଅତି ପ୍ରାଚୀନ ସୋପାନବିଶିଷ୍ଟ ପୋଖରୀ ରହିଛି । ଏହି ଗୁମ୍ଫାଗୁଡ଼ିକ ଚତୁର୍ଥ ଶତାବ୍ଦୀ ସମୟର । ପାଖରେ “ନୱଘନ କୂଓ” ନାମକ ଏକ କୂପ ରହିଛି ଯେଉଁଥିରେ କୁଣ୍ଡଳାକାର ସୋପାନ ରହିଛି । ଏଥିରୁ ଅଧିକାଂଶ ବାମ୍ଫୀ ଖ୍ରୀ. ୨୦୦-୪୦୦ ମଧ୍ୟରେ ପଶ୍ଚିମ କ୍ଷତ୍ରପମାନଙ୍କ ଶାସନକାଳରେ ଓ ଖ୍ରୀ. ୬୦୦-୭୦୦ ମଧ୍ୟରେ ମୈତ୍ରକ ନିର୍ମିତ ହୋଇଥିଲା । କିଛି ବାମ୍ଫୀ ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିବାର ପ୍ରମାଣ ମଧ୍ୟ ମିଳିଛି । ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଅଡ଼ିକଡ଼ି ନି ଭାୱ ଦଶମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ କିମ୍ବା ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ହୋଇଥିବାର ସମ୍ଭାବନା ରହିଛି ।[୭]

ରାଜକୋଟ ଜିଲ୍ଲାର ଢଂକରେ ଥିବା ବାମ୍ଫୀ ଖ୍ରୀଷ୍ଟାବ୍ଦ ୫୫୦-୬୨୫ ବେଳର । ପରବର୍ତ୍ତୀ ସମୟରେ ପ୍ରାୟ ଖ୍ରୀଷ୍ଟାବ୍ଦ ୮୫୦-୯୫୦ ବେଳକୁ ଭୀନମାଲରେ ସୋପାନଯୁକ୍ତ ପୁଷ୍କରିଣୀ ନିର୍ମିତ ହୋଇଥିଲା ।[୬] ଖ୍ରୀ. ୬୦୦ ବେଳକୁ ଦକ୍ଷିଣ-ପଶ୍ଚିମ ଗୁଜରାଟରେ ଅନେକ ବାମ୍ଫୀ ନିର୍ମିତ ହେଲା ଓ ପରେ ଏହି ପ୍ରଥା ବା ବ୍ୟବସ୍ଥା ରାଜସ୍ଥାନ ଏବଂ ଭାରତର ଉତ୍ତର ଓ ପଶ୍ଚିମକୁ ବ୍ୟାପ୍ତ ହୋଇଗଲା । ପ୍ରଥମେ ହିନ୍ଦୁ ଶିଳ୍ପ ବିଦ୍ୟା ବ୍ୟବହାର କରୁଥିବା ବାମ୍ଫୀ ସ୍ଥାପତ୍ୟ କଳା; ୧୧ଶରୁ ୧୬ଶ ଶତାବ୍ଦୀ ବେଳକୁ ମୋଗଲ ଶାସନ କାଳରେ ଚରମ ସୀମାରେ ପହଞ୍ଚିଥିଲା ।[୨]

୧୧ଶ ଶତାବ୍ଦୀରେ ଗୁଜରାଟରେ ନିର୍ମିତ ମାତା ଭବାନୀଙ୍କ ବାମ୍ଫୀ ଏକ ପୁରାତନ ବାମ୍ଫୀ । ବାମ୍ଫୀର ଜଳ ନିକଟରେ ପହଞ୍ଚିବା ପାଇଁ ଲମ୍ବା ସୋପାନଶ୍ରେଣୀ ରହିଥିବା ବେଳେ ପୂର୍ବ-ପଶ୍ଚିମ ଅକ୍ଷରେ ବିଭିନ୍ନ ଉଚ୍ଚତାରେ ବାରଣ୍ଡା ରହିଛି । ଏହି ବାମ୍ଫୀର ସ୍ତମ୍ଭ, କାନ୍ଥ ଇତ୍ୟାଦିରେ ସୁନ୍ଦର କାରୁକାର୍ଯ୍ୟ ରହିଛି ଯାହା ପୂର୍ବ କାଳରେ ବାମ୍ଫୀରେ ବ୍ୟବହୃତ ସ୍ୱତନ୍ତ୍ର ସ୍ଥାପତ୍ୟ ଓ ଚିତ୍ରକଳାର ପରିଚୟ ବହନ କରେ ।[୮]

ମୋଗଲ ଶାସକମାନେ ବାମ୍ଫୀ ନିର୍ମାଣ ଓ ସେଠାକାର ସାଂସ୍କୃତିକ ପ୍ରଥାକୁ ବିରୋଧ କରୁନଥିଲେ, ବରଂ ଅଧିକ ବାମ୍ଫୀ ନିର୍ମାଣ କରିବା ପାଇଁ ସେମାନେ ଲୋକଙ୍କୁ ଉତ୍ସାହିତ କରୁଥିଲେ । ବ୍ରିଟିଶ୍ ରାଜୁତି କାଳରେ ଅଧିକାରୀମାନେ ବାମ୍ଫୀ ଜଳର ଅସ୍ୱଚ୍ଛ ଓ ଅନୁପଯୋଗୀ ହୋଇଯାଇଥିବା ଉପଲବ୍ଧି କରିଥିଲେ ଏବଂ ସେଥିରେ ନଳ ଓ ପମ୍ପ ଲଗାଇ ବାମ୍ଫୀଗୁଡ଼ିକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବାକୁ ଲାଗିଲେ ।[୮]

ଗୁରୁତ୍ୱସମ୍ପାଦନ କରନ୍ତୁ

ଜଳାଭାବ, ମରୁଡ଼ି ଓ ଶଷ୍କ ଋତୁରେ ବାମ୍ଫୀ ଏକ ଜଳ ଉତ୍ସ ରୂପେ ବ୍ୟବହୃତ ହେଉଥିଲା । ତା’ ଛଡ଼ା ବାମ୍ଫୀ ନିକଟରେ ଲୋକେ ଏକତ୍ରିତ ହେଉଥିବାରୁ ବାମ୍ଫୀର ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଗୁରୁତ୍ୱ ମଧ୍ୟ ରହିଥିଲା ।[୮] ଅନେକ ଭୂମିକମ୍ପର ସମ୍ମୁଖୀନ ହେବା ସତ୍ତ୍ୱେ ଏହି ବାମ୍ଫୀଗୁଡ଼ିକ ଭୁସୁଡ଼ି ନପଡ଼ିବା ଏମାନଙ୍କ ଦୃଢ଼ ସଂରଚନାର ସାକ୍ଷୀ ।[୧]

କଳା ଓ ସ୍ଥାପତ୍ୟସମ୍ପାଦନ କରନ୍ତୁ

ହିନ୍ଦୁ ମନ୍ଦିରମାନଙ୍କ ପରି ଅନେକ ବାମ୍ଫୀର କାନ୍ଥରେ ସୁନ୍ଦର ପ୍ରସ୍ତର କାରୁକାର୍ଯ୍ୟ ଦେଖିବାକୁ ମିଳେ । ଭାରତର ଅନ୍ୟ ସ୍ଥାପତ୍ୟ କଳା ପରି ମନୁଷ୍ୟ ଶରୀରର ଅଙ୍ଗପ୍ରତ୍ୟଙ୍ଗର ମାପ ଓ ଅନୁପାତକୁ ନେଇ ବାମ୍ଫୀର ପଥର ବିନ୍ୟାସ କରାଯାଇଛି ।[୯]

ଭାରତର କିଛି ପ୍ରମୁଖ ବାମ୍ଫୀସମ୍ପାଦନ କରନ୍ତୁ

ଭାରତର କର୍ଣ୍ଣାଟକ, ଗୁଜରାଟ, ରାଜସ୍ଥାନ, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟରେ ଅନେକ ପୁରାତନ ବାମ୍ଫୀର ଅବଶେଷ ଅଦ୍ୟାବଧି ରହିଛି । ୨୦୧୬ ମସିହାରେ କରାଯାଇଥିବା “ଷ୍ଟେପ୍ ୱେଲ୍ ଆଟଲାସ୍”[୧୦] ନାମକ ପ୍ରକଳ୍ପ ବାମ୍ଫୀମାନଙ୍କ ଅବସ୍ଥିତି ନିରୂପଣ ଓ ତଥ୍ୟ ସଂଗ୍ରହରେ ସହାୟକ ହୋଇଥିଲା । ୨୭୦୦ରୁ ଅଧିକ ବାମ୍ଫୀ ଚିହ୍ନଟ କରାଯାଇ ପାରିଥିଲା । ରାଜସ୍ଥାନର ବୁଣ୍ଡି ଅଞ୍ଚଳରେ ଆଖପାଖ ହୋଇ ପ୍ରାୟ ୬୦ଟି ଛୋଟବଡ଼ ବାମ୍ଫୀ ରହିଛି ।

ଭାରତରେ ଅବସ୍ଥିତ କିଛି ପ୍ରମୁଖ ବାମ୍ଫୀ ହେଲେ:

ଓଡ଼ିଶାରେ ଥିବା ବାମ୍ଫୀସମ୍ପାଦନ କରନ୍ତୁ

ଓଡ଼ିଶାରେ ମଧ୍ୟ ଅନେକ ଛୋଟବଡ଼ ବାମ୍ଫୀ ଦେଖିବାକୁ ମିଳେ । ପ୍ରାଚୀନ ଉଦୟଗିରି ବୌଦ୍ଧ ଗୁମ୍ଫାରେ ଏକ ବାମ୍ଫୀର ଅବଶେଷ ଦେଖି ହେବ । ଓଡ଼ିଶାର ନାନା ପ୍ରାଚୀନ ମନ୍ଦିରରେ ବାମ୍ଫୀମାନ ରହିଛି । ପୂରୀ ସହରର ବାଙ୍କୀ ମୁହାଣଠାରେ ରହିଥିବା ଗନ୍ଧର୍ବ ମଠର ଶୂନ୍ୟ ଭଜନ ପୀଠଟି ଏକ ବାମ୍ଫୀକୁ ପୋତି ନିର୍ମିତ ଯାହାକୁ ଶୂନ୍ୟ ବାମ୍ଫୀ ବୋଲି କୁହାଯାଉଥିଲା ।[୧୧]

ଉଦୟଗିରି ବୌଦ୍ଧ ଗୁମ୍ଫାରେ ରହିଥିବା ବାମ୍ଫୀକୁ ପଶିବା ପାଇଁ ରହିଥିବା ସୋପାନଶ୍ରେଣୀ
ପରିତ୍ୟକ୍ତ ଉଦୟଗିରି ବାମ୍ଫୀର ଜଳ


ପାକିସ୍ତାନର କିଛି ପ୍ରମୁଖ ବାମ୍ଫୀସମ୍ପାଦନ କରନ୍ତୁ

ମୋଗଲ ଶାସନକାଳରେ ନିର୍ମିତ ଅନେକ ବାମ୍ଫୀ ବର୍ତ୍ତମାନ ପାକିସ୍ତାନରେ ଦେଖିବାକୁ ମିଳେ । ସେଥିରୁ କିଛି ବାମ୍ଫୀର ରକ୍ଷଣାବେକ୍ଷଣ କରାଯାଇଥିବା ବେଳେ ଅନ୍ୟ କିଛି ପରିତ୍ୟକ୍ତ ଅବସ୍ଥାରେ ରହିଛି ।

  • ଝେଲମ୍ ନିକଟସ୍ଥ ରୋହତାସ୍ ଗଡ଼ର ବାମ୍ଫୀ
  • ମିଆଁୱାଲି ନିକଟସ୍ଥ ୱାନ୍ ଭାଚରାନ୍
  • ଇସ୍ଲାମାଦବାଦ ପାଖରେ ଥିବା ଲୋସାର୍ ବାଓଲି
  • ଶେରଶାହା ପାର୍କ ୱାଃ ଶିବିରର ଲୋସାର୍ ବାଓଲି
  • ମକ୍ଲି ବାଓଲି

ସୋପାନବିଶିଷ୍ଟ ପୁଷ୍କରିଣୀସମ୍ପାଦନ କରନ୍ତୁ

 
କର୍ଣ୍ଣାଟକ ରାଜ୍ୟର ଶ୍ରବଣବେଳାଗୋଳାସ୍ଥିତ ଏକ ସୋପାନବିଶିଷ୍ଟ ପୁଷ୍କରିଣୀ

ସୋପାନବିଶିଷ୍ଟ ପୁଷ୍କରିଣୀ ଓ ବାମ୍ଫୀର ଉଦ୍ଦେଶ୍ୟ ଏକା ପ୍ରକାରର କିନ୍ତୁ ଗଠନ ଦୃଷ୍ଟିରୁ ଉଭୟଙ୍କ ମଧ୍ୟରେ ତଫାତ ରହିଛି । ଯଥା: ସୋପାନଯୁକ୍ତ ପୁଷ୍କରିଣୀ ସର୍ବଦା ଏକ ମନ୍ଦିର ନିକଟରେ ଖୋଳାଯାଇଥିବା ବେଳେ ବାମ୍ଫୀଗୁଡ଼ିକ ଜନ ଗହଳିରୁ ଦୂରରେ ନିର୍ମିତ ହେଉଥିଲା ।[୧୨] ତେବେ ସ୍ଥାନ ଚୟନରେ ବ୍ୟତିକ୍ରମ ମଧ୍ୟ ରହିପାରେ । ବାମ୍ଫୀଗୁଡ଼ିକ ଅନ୍ଧାରୁଆ ଓ ଭୂପୃଷ୍ଠରୁ ଏତେ ସହଜରେ ଦେଖି ହେବ ନାହିଁ କିନ୍ତୁ ସୋପାନଯୁକ୍ତ ପୁଷ୍କରିଣୀ ଦୂରରୁ ଦେଖିହେବ । ବାମ୍ଫୀମାନଙ୍କରେ ରୈଖିକ ନିର୍ମାଣ ଶୈଳୀ ବ୍ୟବହାର କରାଯାଏ, କିନ୍ତୁ ପୁଷ୍କରିଣୀଗୁଡ଼ିକ ପ୍ରାୟତଃ ବଡ଼ ଓ ଆୟତାକାର ।[୯]

ପ୍ରଭାବସମ୍ପାଦନ କରନ୍ତୁ

 
ପାକିସ୍ତାନର ଲାହୋରଠାରେ ରହିଥିବା ଏକ ମୋଗଲ ଉଦ୍ୟାନ

ବାମ୍ଫୀମାନଙ୍କ ସ୍ଥାପତ୍ୟ କଳା ଭାରତୀୟ ସ୍ଥାପତ୍ୟ କଳାକୁ କିପରି ପ୍ରଭାବିତ କରିଥିବ ତାହା ଅନେକାଂଶରେ ଅଜଣା ଓ ଗବେଷଣୀୟ ପ୍ରସଙ୍ଗ । ଜଳ ଗଚ୍ଛିତ ବା ନିୟନ୍ତ୍ରଣ କରୁଥିବା ଅନେକ କଳାକୃତି ଓ ନିର୍ମାଣକୁ ସେମାନେ ପ୍ରଭାବିତ କରିଛନ୍ତି ।[୨] ଆଗ୍ରାର ରାମବାଗ ଭାରତର ପ୍ରଥମ ମୋଗଲ ଉଦ୍ୟାନ ।[୯] ମୋଗଲ ସମ୍ରାଟ ବାବର ଏହି ଉଦ୍ୟାନର ପ୍ରତିଷ୍ଠା କରିଥିଲେ । ସୁନ୍ଦର ବୃକ୍ଷଲତା, ଜଳ ଓ ପ୍ରତିଫଳନ ଇତ୍ୟାଦି ତାଙ୍କ ପାଇଁ ସ୍ୱର୍ଗର ଭ୍ରମ ସୃଷ୍ଟି କରୁଥିଲେ । ଏଥିରୁ ଅନୁମେୟ ଯେ ସେ ନିଶ୍ଚିତ କିଛି କାରୁକାର୍ଯ୍ୟପୂର୍ଣ୍ଣ ବାମ୍ଫୀରୁ ଏହା ଅନୁକରଣ କରିଥିବେ । ଆଗ୍ରା ଦୁର୍ଗରେ ସେ ଏକ ବାମ୍ଫୀ ମଧ୍ୟ ଖୋଳାଇଥିଲେ । ଅନେକ ମୋଗଲ ଉଦ୍ୟାନ ଏପରି ଛୋଟ ଗାଡ଼ିଆ ଓ ତାହାର ପ୍ରତିଫଳନରୁ ସୃଷ୍ଟ ମାୟା ପାଇଁ ସୁନ୍ଦର ଦେଖାଯାନ୍ତି । ଏପରି ଜଳ ସମ୍ବନ୍ଧୀୟ ସ୍ଥାପତ୍ୟ ବ୍ୟବହୃତ ହୋଇଥିବା ଅନ୍ୟ କିଛି ପ୍ରସିଦ୍ଧ କଳାକୃତିମାନ ହେଲେ :

  • ହୁମାୟୂନଙ୍କ ସମାଧିସ୍ଥଳ, ପୂର୍ବ ନିଜାମୁଦ୍ଦିନ, ଦିଲ୍ଲୀ
  • ତାଜମହଲ, ଆଗ୍ରା
  • ମହତାବ ବାଗ୍, ଆଗ୍ରା
  • ସଫଦରଜଙ୍ଗଙ୍କ ସମାଧିସ୍ଥଳ
  • ଶାଲିମାର ଉଦ୍ୟାନ, ଜାମୁ ଓ କାଶ୍ମୀର
  • ନିଶାତ ଉଦ୍ୟାନ, ଜାମୁ ଓ କାଶ୍ମୀର
  • ୟାଦବିନ୍ଦ୍ର ଉଦ୍ୟାନ, ପିଞ୍ଜୋର୍
  • ଖୁସ୍ରୋ ବାଗ୍, ଏଲାହାବାଦ
  • ରୋଶନାରା ବାଗ୍

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଟୀକାସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ Shekhawat, Abhilash. "Stepwells of Gujarat". India's Invitation. Retrieved 30 March 2012.
  2. ୨.୦ ୨.୧ ୨.୨ Davies, Philip (1989). The Penguin guide to the monuments of India. London: Viking. ISBN 0-14-008425-8.
  3. http://chitrolekha.com/steps-to-water-stepwells-in-india/
  4. Takezawa, Suichi. "Stepwells -Cosmology of Subterranean Architecture as seen in Adalaj" (pdf). The Diverse Architectural World of The Indian Sub-Continent. Retrieved 2009-11-18.
  5. Livingston & Beach, page 19
  6. ୬.୦ ୬.୧ Livingston & Beach, page xxiii
  7. Jutta Jain-Neubauer (1981). The Stepwells of Gujarat: In Art-historical Perspective. Abhinav Publications. pp. 19–25. ISBN 978-0-391-02284-3.
  8. ୮.୦ ୮.୧ ୮.୨ Tadgell, Christopher (1990). The History of Architecture in India. London: Phaidon Press. ISBN 0-7148-2960-9.
  9. ୯.୦ ୯.୧ ୯.୨ Livingston, Morna (2002). Steps to Water: The Ancient Stepwells of India. New York: Princeton Architectural. ISBN 1-56898-324-7.
  10. Stepwell Atlas
  11. http://www.garoiashram.org/english/places/shunyabhajanapitha.html
  12. Jain-Neubauer, Jutta (1981). The Stepwells of Gujarat: In Art-historical Perspective. New Delhi: Abhinav. ISBN 0-391-02284-9.

ଆଧାରସମ୍ପାଦନ କରନ୍ତୁ

ଅନ୍ୟାନ୍ୟ ଲିଂକ୍ସମ୍ପାଦନ କରନ୍ତୁ